ଲେଖା: ଦେଵ ତ୍ରିପାଠୀ
ଦେଢଶହରୁ ଅଧିକ ବର୍ଷ ପୂର୍ବର କଥା ।
ପରାଧୀନ ଭାରତବର୍ଷ । ଶାସନର ଡୋରି ଇଂରେଜମାନଙ୍କ ହାତରେ । ଭାରତୀୟମାନଙ୍କ ଉପରେ ଅତ୍ୟାଚାର କାମରୁ ଟିକିଏ ଫାଙ୍କା ସମୟ ପାଇଲେ କଟକୀ ବ୍ରିଟିଶ ଅଫିସରମାନେ ଏକାଠି ହେଉଥିଲେ ବାରବାଟୀ ଦୁର୍ଗ ପରିସରରେ । ମଉଜମଜଲିସ ପାଇଁ ଚାଳଛପର ଘରେ ଆରମ୍ଭ କଲେ ଏକ କ୍ଲବ୍ । ତେବେ ସେ କ୍ଲବଟି କଳା ଭାରତୀୟମାନଙ୍କ ପାଇଁ ଥିଲା ନିଷିଦ୍ଧାଞ୍ଚଳ !
ସେ ସମୟ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲା ଓଡ଼ିଆ ଜାତି। କିନ୍ତୁ ବ୍ରିଟିଶ ଅଫିସରମାନେ ଥିଲେ ନିଜର ସୁରାସାକିର ଦୁନିଆରେ ନିର୍ଲିପ୍ତ, ଅବିଚଳିତ ।
ଏପରି ଏକ ଅସହ୍ୟ, ଅସ୍ବସ୍ତିକର ପରିସ୍ଥିତି ଭିତରୁ ଆଗ୍ନେୟଗିରିର ବିସ୍ଫୋରଣ ଭଳି ଉତ୍କୀର୍ଣ୍ଣ ହୋଇଥିଲେ ସୁରେନ୍ଦ୍ର ସାଏଙ୍କ ପରି କିଛି ସ୍ଫୁଲିଙ୍ଗ, ଯେଉଁମାନଙ୍କ ଅଗ୍ନିବର୍ଷୀ ଆହ୍ୱାନରେ ରାଜ୍ୟର ବହୁ ପ୍ରାନ୍ତ, ବହୁ ମୁଲକରୁ କ୍ରମେ ଶୁଭିଲା ରଣହୁଙ୍କାର । ଧୀରେ ଧୀରେ ଜଳିବାକୁ ଲାଗିଲା ଅତ୍ୟାଚାରୀର ସାମ୍ରାଜ୍ୟ ।
ଛଳକପଟ ଓ ବିଶ୍ୱାସ ଘାତକତାର ଶିକାର ହୋଇ ବୀର ସୁରେନ୍ଦ୍ର ହେଲେ ବନ୍ଦୀ । ବିଦ୍ରୋହୀ ମାନେ ଜଳୁଥିଲେ ପ୍ରତିହିଂସାର ନିଆଁରେ ! ତଥାପି ବ୍ରିଟିଶ୍ ଅଫିସର ମାନେ ଜୀଉଁଥିଲେ ନିଜ ନିଜ ଦୁନିଆରେ, କଟକର ‘କଟକ ଲଜ୍’ର ସୁରାସାକିର ବଳୟ ଭିତରେ !
ଧୂର୍ତ୍ତ ବ୍ରିଟିଶ୍ ସରକାର କିନ୍ତୁ ବିଦ୍ରୋହୀମାନଙ୍କ ମନୋବଳ ଭାଙ୍ଗିବା ପାଇଁ ଲାଗିପଡିଲା । ତତ୍କାଳୀନ ରାଜଶକ୍ତିକୁ ନିଜ ହାତମୁଠାକୁ ନେବା ପାଇଁ ସରକାର ଏ ମାଟିର ରାଜନ୍ୟବର୍ଗଙ୍କୁ ଦେଇଥିଲେ ସମ୍ଭ୍ରାନ୍ତ କଟକ ଲଜ୍’ର ଲୋଭନୀୟ ସଭ୍ୟପଦ । ପ୍ରଥମ ଭାରତୀୟ ଅବା ଓଡ଼ିଆ ସଭ୍ୟଭାବେ ଲଜ୍’ରେ ପ୍ରବେଶ କରିଥିଲେ ମୟୁରଭଞ୍ଜର ରାଜା ! ପରେ ପରେ ରଣପୁର ଓ କନିକାର ରାଜା ମଧ୍ୟ ହାତଛଡ଼ା କରି ନ ଥିଲେ ବ୍ରିଟିଶ କର୍ମକର୍ତ୍ତାଙ୍କ ଲୋଭନୀୟ ଅଫର୍’କୁ !
ପ୍ରିୟ ତଥା ପୂଜ୍ୟ ରାଜାମାନଙ୍କର ବ୍ରିଟିଶ ପ୍ରୀତି ଦେଖି ହତୋତ୍ସାହିତ ହୋଇଥିଲେ ବିଦ୍ରୋହୀଗଣ ! ତେବେ ରାଜାମାନେ ଥିଲେ ନିର୍ବିକାର, ଲିପ୍ତଥିଲେ ମଉଜ ମଜଲିସରେ !
ପରବର୍ତ୍ତୀ ସମୟରେ ଲଜ୍’ରେ ଯୋଗଦେଇଥିଲେ ଅନ୍ୟ ରାଜା, ଜମିଦାର ଓ ଉଚ୍ଚପଦସ୍ଥ କର୍ମକର୍ତ୍ତା । ବିଦ୍ରୋହୀ ମାନେ ଧୀରେ ଧୀରେ ହୋଇଥିଲେ ପ୍ରତିକ୍ରିୟାଶୀଳ ! ସେମାନଙ୍କ ଦୃଷ୍ଟିରେ ଏଇ ରାଜା, ସାମନ୍ତଗଣ ଥିଲେ ଦେଶଦ୍ରୋହୀ, ପ୍ରଜାଦ୍ରୋହୀ !
ବିଦ୍ରୋହୀ ମାନଙ୍କ ପରି ତତ୍କାଳୀନ ଉତ୍କଳ ଦୀପିକା ମଧ୍ୟ ରାଜାମାନଙ୍କ ପ୍ରତି ପ୍ରତିକ୍ରିୟାଶୀଳ ! କିନ୍ତୁ ଉତ୍କଳ ଦୀପିକାର ବ୍ୟଙ୍ଗକଟାକ୍ଷ କିଛି କାମ କରି ନ ଥିଲା ରାଜା ଓ ସାମନ୍ତମାନଙ୍କୁ ! ତେବେ ରକ୍ତମୁଖା ବିଦ୍ରୋହୀ ମାନଙ୍କୁ ଉତ୍କଳ ଦୀପିକା ହିଁ ଶେଷରେ ପ୍ରବର୍ତ୍ତାଇଥିଲା, ରାଜାମାନଙ୍କ ପ୍ରତି ଧ୍ୟାନ ହଟାଇ ସଂଗ୍ରାମମୁଖୀ ହେବାପାଇଁ ! ପ୍ରଜାମାନଙ୍କ ଠାରୁ କ୍ଷମା ପାଇବା ଭଳି ବଡ଼ ଶାସ୍ତି ରାଜାମାନଙ୍କ ପ୍ରତି କ’ଣ ବା ହୋଇପାରେ !
ସ୍ବାଧୀନତା ସଂଗ୍ରାମର ଇତିହାସରେ ଜଡ଼ିତ ଏଇ କଟକ ଲଜ୍ ପ୍ରକାରାନ୍ତରେ ‘ଲଜ୍ ଷ୍ଟାର୍ ଅଫ୍ ଓଡ଼ିଶା’, ପରେ ପରେ ‘କଟକ ଡିବେଟିଂ କ୍ଲବ୍’ ଓ ପରିଶେଷରେ ‘କଟକ କ୍ଲବ୍’ରେ ପରିଣତ ହୋଇଥିଲା । ୧୫୪ ବର୍ଷର ଦୀର୍ଘ ଯାତ୍ରା ଅତିକ୍ରମ କରି କଟକ କ୍ଲବ୍ ଆଜି ରାଜ୍ୟର ସର୍ବପୁରାତନ କ୍ଲବ ଭାବେ ଏକମାତ୍ର ‘ହେରିଟେଜ୍ କ୍ଲବ୍’ର ସ୍ବାତନ୍ତ୍ର୍ୟ ହାସଲ କରିପାରିଛି !