ଗବେଷଣା ଓ ଉପସ୍ଥାପନା: ସୁଦର୍ଶନ ସାହୁ (ବିଶିଷ୍ଟ କଳାକୃତି ସଂଗ୍ରାହକ ଓ ଗବେଷକ)
~ଆମ ଓଡ଼ିଆ ପରମ୍ପରାରେ କଂସାଥାଳି ~
ଉତ୍କଳୀୟ ପରମ୍ପରାରେ #କଂସାଥାଳି ର ବ୍ୟବହାର କାହିଁ କେବେଠୁ ରହିଆସିଛି । ପିଢ଼ା, ପାଣି ଥୋଇବା ପରେ କଂସାଥାଳିରେ ଭାତ ବଢ଼ାଯାଏ #ଓଡ଼ିଆଣୀ ହାତରେ ! ଏହା ଛଡ଼ା ଗ୍ରାମଦେବତୀଙ୍କ ଠାରେ ଉଖୁଡ଼ା ଭୋଗ, ବିଷ୍ଣୁ ମନ୍ଦିରରେ ଶଙ୍ଖୁଡ଼ି (ଖେଚୁଡ଼ି) ଭୋଗ, ଅତିଥି, ଅଭ୍ୟାଗତ, ପୁରୋହିତଙ୍କୁ #ଭୋଜ୍ୟ/ସଞ୍ଚା ଦେବା, ନିର୍ବନ୍ଧ/ପିନ୍ଧାଣୀ ବେଳର ସଂକଳ୍ପ, ବାହାବେଦୀ ମୂଳେ ବନ୍ଦାଣ, ମେଳଣ, ଯାନିଯାତ୍ରା ପାଇଁ ଚୁଡ଼ାଘଷା ତିଆରି ଇତ୍ୟାଦିରେ ଥାଳିର ଆବଶ୍ୟକତା ପଡ଼ିଥାଏ। ତେବେ ଖାଇବା ଥାଳିଟି କଂସାଥାଳି ହେବା ଥୟ ! ପୂଜାପାର୍ବଣରେ କଂସାଥାଳି ସହିତ ପିତଳ ଥାଳିର ମଧ୍ୟ ବ୍ୟବହାର କରାଯାଇଥାଏ । ଚୁଡ଼ାଘଷା ଥାଳି (ପଙ୍ଗତ ଥାଳି) ପିତଳ କିମ୍ବା ତମ୍ବାରେ ହେବାର ଦେଖାଯାଏ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ଭିନ୍ନ ଭିନ୍ନ ପ୍ରକାର କଂସାଥାଳି ବ୍ୟବହାର ହେଉଥିଲା ଏବଂ ତାହାର ନାମକରଣ ମଧ୍ୟ ଭିନ୍ନ ଭିନ୍ନ ଥିଲା । ସଉକିଆ ଲୋକଙ୍କର (ରଜାଘର, ଜମିଦାର, ଗାଁ ପ୍ରଧାନ ଇତ୍ୟାଦି) ଭାତ ଖାଇବା କଂସାଥାଳି ସମ୍ପୂର୍ଣ୍ଣ ଅଲଗା ଓ ଦାମିକା ଥିଲା । ତେବେ ଯାହା ହେଉନା କାହିଁକି #ପଖାଳକଂସା ଭଳି ଥାଳିର ୨୨ ଟି ନାମ (ଏ ପର୍ଯ୍ୟନ୍ତ) ଗବେଷଣାରୁ ପ୍ରାପ୍ତ ହୋଇଛି ! ସେ ସବୁର ବିଶଦ ବିବରଣୀ . .
~ କଞ୍ଚନ ଥାଳି ~
କଞ୍ଚନ ଥାଳିକୁ ଥାଳିମାନଙ୍କ ମଧ୍ୟରେ ରଜା ଥାଳି କୁହାଯାଏ। ଏ ଥାଳିର ଗଠନ ବହୁତ ସୁନ୍ଦର ଓ ଓଜନିଆ, ଅତି କମ୍‌ରେ ଅଢ଼େଇ ସେରରୁ ପାଞ୍ଚସେର ମଧ୍ୟରେ, ବାଡ଼ିଆପିଟା ପଦ୍ଧତିରେ ଏହା ତିଆରି ହେଉଥିଲା । #କଞ୍ଚନ_ଥାଳି ମୋଟା ଓ ଓଜନିଆ ହେବାର କାରଣ ତା’ ପେଟରେ ଗହୀରା କୁଟିକମ ନକ୍ସା କାମ ! ଥାଳିର ଗର୍ଭ ଅତିକମ୍‌ରେ ୧୫ ଇଞ୍ଚ, ବେଶୀରେ ୧୮ରୁ ୨୦ ଇଞ୍ଚ ଗର୍ଭ ଥାଏ। ଥାଳିର ଫନ୍ଦରେ ଦୁଇଧାରିଆ #ଗୁଣା(ରେଖା) ଚଢ଼ାଇ ଦିଆଯାଏ; ଯାହା ଥାଳିକୁ ମନଲୋଭା କରିଥାଏ। ଥାଳିର ପେଟର ଧାରରୁ ଫନ୍ଦ ପର୍ଯ୍ୟନ୍ତ ଉଚ୍ଚତା ଦେଢ଼ଇଞ୍ଚରୁ ଦୁଇଇଞ୍ଚ ପର୍ଯ୍ୟନ୍ତ ହୋଇଥାଏ। ଗହୀରା ନକ୍ସା (ତୀକ୍ଷ୍ଣ ଖୋଦେଇ) ପାଇଁ ଧାରୁଆ ପୁଆର (ନକ୍ସା ଖୋଳିବା ପାଇଁ କ୍ଷୁଦ୍ର ଛେଣି) ଦରକାର ପଡ଼ିଥାଏ। ତିନିଗୋଡ଼ିଆ କାଠ ଜଉପଟାରେ ଜଉକୁ ଗରମ କରି ତା’ ଉପରେ ଥାଳିର ତଳଭାଗକୁ ଥାପି ଦିଆଯାଏ, ଥଣ୍ଡା ହେଲେ ଥାଳିଟି ଜଉକୁ ଜାବୁଡ଼ି ଧରେ, ଫଳରେ ପୁଆର ଚଲେଇବା (ଖୋଦେଇ କରିବା) ସହଜ ହୁଏ । ଏଥିପାଇଁ ବେଶ୍ ସତର୍କତା ଅବଲମ୍ବନ କରାଯାଏ। ଲେଖକଙ୍କ ମା’ ଓ ତିନି ବଡ଼ଭଉଣୀ ଏ ନକ୍ସା କାମରେ ବେଶ ପାରଙ୍ଗମ ଥିଲେ । ଏ ଗହିରା ନକ୍ସା ଓ ଥାଳିଗଢା ୧୯୬୮ ମସିହାରୁ ମୃତ !
ମାଛ, ବତକ, ହାତୀ, ହରିଣ ଇତ୍ୟାଦି ଚିତ୍ର ଥାଳିର ପେଟର ଶେଷ ସୀମାରେ ଖୋଦେଇ ହୁଏ। ମଝିରେ ସଦାବିହାରୀ ଫୁଲ, ଓଲଟା ଶୁଆ ଆଦି ଖୋଦେଇ ହୋଇଥାଏ। ଏହି ଥାଳି ତିଆରି ଭଲ ଭାବରେ କେହି ଶିଖି ପାରିଲେ ନାହିଁ ! ଏବେ କଞ୍ଚନ ଥାଳିର ଓଜନ ଓ ଗର୍ଭକୁ ସଂକୁଚିତ କରି ଅନ୍ୟ ଏକ ପ୍ରକାରର ଛୋଟ ଥାଳି ତିଆରି ହେଉଛି ବରଗଡ଼ ଜିଲ୍ଲାର #ଟୁକୁରା କଂସାରୀ ଗ୍ରାମରେ। ଏଭଳି ଛୋଟ ଥାଳିକୁ #ବୁଢ଼ୀପଦର_ଥାଳି ଆଖ୍ୟା ଦିଆଯାଇଛି ।
ଯାହା ହେଉନା କାହିଁକି, କଞ୍ଚନ ଥାଳି ହିଁ ରଜାଥାଳି ! କଞ୍ଚନ ଥାଳିର ଅନ୍ତୁଡ଼ିଶାଳ କଣ୍ଟିଲୋ କଂସାରୀ ଗ୍ରାମ ହେଲେ ହେଁ #ଭଇଚୁଆଁ, #ଭୁବନ, #ତରଭା#ଜଗମୋହନ ଆଦି ଗ୍ରାମରେ ଏ ଥାଳି ତିଆରି ହେବାର ଜଣାଯାଏ । ଏହାର ବ୍ୟବହାର କେବଳ ଜମିଦାର, ରାଜପରିବାର, ଗାଁ ପ୍ରଧାନ ଏବଂ ଧନିକ ସମ୍ଭ୍ରାନ୍ତମାନଙ୍କ ଘରେ ବହୁଳ ପ୍ରଚଳିତ ଥିଲା।
ଜୋଇଁର ପ୍ରଥମ #କୋଠମଡ଼ା (ପ୍ରଥମଥର କୁଣିଆ ହୋଇ ଖାଇବସିବା) ବେଳେ ୨୦ଇଞ୍ଚର କଞ୍ଚନ ଥାଳି ବ୍ୟବହାର କରାଯାଉଥିଲା। ଭାତକୁ ଥାଳି ମଝିରେ ଥାପି ରଖାଯାଏ ଓ ଡାଲି, ତରକାରୀ, ଭଜାଖରଡ଼ା, ଶାଗ, ଖଟା ଇତ୍ୟାଦି ତାଟିଆ, ଗିନାରେ ବଢ଼ାଯାଇ ଥାଳିଫନ୍ଦକୁ ଲଗେଇ ସଜାଇ ରଖାଯାଏ ! ଆମ ଓଡ଼ିଆ ଘରେ ଏମିତି ହିଁ ହୁଏ ଜୋଇଁଚର୍ଚ୍ଚା ! ଲୁଣ, ଲଙ୍କା, ପିଆଜ କେବଳ ଗୋଟେ ବଡ଼, #ଚଟିକି ରେ ରଖାଯାଇ ଥାଳି ବାହାରେ ରଖାଯାଏ । ଗୋଟିଏ ପିତଳ ମାଠଚଟୁରେ ରଡ଼ ନିଆଁଅଙ୍ଗାରରେ ଘିଅଗିନାରେ ଗୁଆଘିଅକୁ ବସେଇ ଦେଇ ଶାଶୁମା’ ତୁହାକୁ ତୁହା ଭତରେ ଗରମ ଘିଅ ଢାଳନ୍ତି ! ଶଳାଭାଉଜ ଓ ଦେଢ଼ଶାଶୁ ପରଷିବାରେ ସାହାଯ୍ୟ କରନ୍ତି । ଶଳା ହେଉ କି ଶାଳୀ, ଭିଣୋଇ ମହାଶୟଙ୍କ ସହ ସେଇ ଗୋଟେ ଥାଳିରେ ଖାଇ ବସିବା ଥୟ ! ଶଳାମାନେ ବେଶ ଥଟ୍ଟା ପରିହାସ କରି ଭିଣୋଇଙ୍କୁ କହନ୍ତି, “ଭାଇ ମ, ଏ କାଞ୍ଚନ ଥାଳି ଟି ଆଜିଠୁ ତମର ହେଲା, ତେବେ ଗୋଟିଏ ସର୍ତ୍ତରେ, ମାନେ ପାଞ୍ଚସେରିଆ ଏଇ ଗୋଦର ଥାଳିକୁ ଆମ ଗାଁ ଦାଣ୍ଡରେ ଗୋଟେ ହାତରେ ଧରି ଯିବାକୁ ପଡ଼ିବ ! ଗାଁ ଶେଷମୁଣ୍ଡ ଯାଏଁ ! ଥାଳିକୁ ସମ୍ଭାଳି ନ ପରି ତଳେ ଥୋଇଲେ ୧୦ ଟଙ୍କା ଜୋରିମାନା ଗଣିବ, ଯାହାକି ଗାଁ ଭଗବତୀଙ୍କ ପାଖରେ ଜନ୍ତାଳରେ ଖର୍ଚ୍ଚ ହବ” ! ଜୋଇଁ ଶ୍ବଶୁରଘରୁ ବିଦାବେଳେ ସେହି ଥାଳିକୁ ବାରିକ ହାତରେ ଜୋଇଁଘରେ ପହଞ୍ଚାଇ ଦିଆଯାଏ ।
ପୁରୁଖା କଂସାରୀମାନେ ସ୍ମୃତି ଚାରଣ କରି କହନ୍ତି, #କଣ୍ଟିଲୋ ରୁ ମହଣ ମହଣ କଞ୍ଚନ ଥାଳି ଚାଳଡ଼ଙ୍ଗା ଯୋଗେ ବଉଦ, ସୋନପୁର, ବଲାଙ୍ଗୀର ଓ ଭବାନୀପାଟଣା ରଜାଘର ଲାଗି ପଠା ଯାଉଥିଲା ! ସେ ସମୟ ଆଉ କାଇଁ ? ତେବେ ଏ ଲେଖକ ପାଞ୍ଚସେରିଆ କଞ୍ଚନ ଥାଳିଟିଏ ସଂଗ୍ରହ କରିପାରିଛନ୍ତି, ଯାହା ନିଜ ସଂଗ୍ରହାଳୟର ଶୋଭାବର୍ଦ୍ଧନ କରୁଛି !
~ ସ୍ବୀକାର ଥାଳି ~
#ସ୍ବୀକାର_ଥାଳି କଂସାରେ ତିଆରି ହେବା ଯେଭଳି ଥୟ, ତା’ର ଗର୍ଭ ମଧ୍ୟ ବେଶି ହେବା ଥୟ। ଏହା ପ୍ରାୟ ଅଢ଼େଇ କିଲୋରୁ ୫ କିଲୋ ଓଜନର ହୋଇଥିବା ବେଳେ, ଗର୍ଭ ୧୫ ଇଞ୍ଚରୁ ୨୦ ଇଞ୍ଚ ମଧ୍ୟରେ ହୋଇଥାଏ। ପେଟର ନାସିରୁ ଫନ୍ଦର ଉଚ୍ଚା ୧ରୁ ୨ଇଞ୍ଚ ଭିତରେ ରହେ ।
ଏ ଥାଳିରେ ଭୋଜନ ନିଷେଧ କରାଯାଇଛି, କାରଣ ଏହା ଧର୍ମକାର୍ଯ୍ୟରେ ମୁଖ୍ୟତଃ ନିର୍ବନ୍ଧ ବା #ପିନ୍ଧାଣୀ କାମରେ ଲାଗେ। ଥାଳିମଝିରେ ଜଗନ୍ନାଥ ବା ଶିବ ବା କୃଷ୍ଣଙ୍କର ନକ୍ସା ଅଙ୍କା ହୋଇଥାଏ। ଏ ଥାଳିର ଐତିହ୍ୟ ଆମ ପରମ୍ପରା ସହ ଜଡ଼ିତ । ବାହାଘର ପୂର୍ବରୁ ବରପକ୍ଷ, କନ୍ୟାପକ୍ଷ, ଜ୍ଞାତିକୁଟୁମ୍ବ, #ସୂର୍ଯ୍ୟବନ୍ଧୁ ମାନେ ମନ୍ଦିର ପ୍ରାଙ୍ଗଣରେ ଏକାଠି ହୋଇ ନିର୍ବନ୍ଧ କାର୍ଯ୍ୟ ସମାପନ କରିଥାନ୍ତି । ସେଥିପାଇଁ ସ୍ବୀକାର ଥାଳିର ପ୍ରୟୋଜନ। ଏ ଥାଳିଟି ବଡ଼ ଆକାରର ହୋଇଥିବାରୁ ମହାପ୍ରସାଦ, ଅରୁଆ ଚାଉଳ, ଗୁଆ, ନଡ଼ିଆ, ଦୀପ, ହଳଦୀ, ସିନ୍ଦୂର, ଅଳତା, କନ୍ୟା ପାଇଁ ଶାଢ଼ି ଇତ୍ୟାଦି ଏଥୁରେ ସଜାଇ ରଖାଯାଏ। କନ୍ୟାପିତା ଓ ବରପିତା ଉଭୟେ ସଭିଙ୍କ ସାମ୍ନାରେ ପୁରୋହିତଙ୍କ ମନ୍ତ୍ରପାଠରେ ସୁସଜ୍ଜିତ ଥାଳିକୁ ଉପରକୁ ଟେକିଧରି ଜଗନ୍ନାଥ ମହାପ୍ରଭୁଙ୍କୁ ସାକ୍ଷୀ ରଖି ପୁଅ ଝିଅଙ୍କ ମଙ୍ଗଳକାମନା ପୂର୍ବକ ବାହାଘର ପାଇଁ ସ୍ବୀକୃତି ପ୍ରଦାନ କରିଥାନ୍ତି । ସ୍ବୀକାର କାର୍ଯ୍ୟରେ ଏ ଥାଳିଟିର ବ୍ୟବହାର ଅନେକ କାଳରୁ ହେଇଆସୁଅଛି । ଏଥିପାଇଁ ଏ ଥାଳିର ନାମ ସ୍ବୀକାର ଥାଳି । ଏ ଥାଳି ବରପକ୍ଷ ଯୋଗାଡ଼ି ଆଣିଥାନ୍ତି । ପିନ୍ଧାଣି ଶାଢ଼ୀ କନ୍ୟା ପିନ୍ଧି ସମସ୍ତ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ କାମନା କରେ । ଏ ପରମ୍ପରା ଏବେ ବି ଚାଲୁ ରହିଛି, ମାତ୍ର ଏତେ ବଡ଼ ଦାମିକା କଂସାଥାଳି କେହି ବ୍ୟବହାର ନ କଲେ ବି ପିତଳ ଥାଳି (ପରାତ) ରେ କାମ ଚଳାଇ ଦଉଛନ୍ତି ।
ଏ ଥାଳିର ଅନ୍ତୁଡ଼ିଶାଳ କଣ୍ଟିଲୋ ଗ୍ରାମ । ତେବେ #ବାଳକାଟି, ଟୁକୁରା, ଭୁବନ, ଭଇଁଚୁଆଁ, #ମାମୁଡିହ ଆଦି କଂସାରି ଗ୍ରାମରେ ମଧ୍ୟ ତିଆରି ହେଉଥିବାର ଜଣାଯାଏ। ଏ ଥାଳି କାଁ ଭାଁ କେଉଁଠି ସାଇତା ହୋଇ ରହିଛି । କାରିଗର ବି ନାହାନ୍ତି ଏତେ ବଡ଼ ଥାଳି ଉତାରିବାକୁ ! ଏ ଲେଖକର ସଂଗ୍ରହାଳୟରେ ଏକ ପାଞ୍ଚସେରିଆ ସ୍ବୀକାର ଥାଳି ଶୋଭାପାଉଛି, ଯାହାକୁ ଦୁଇ ହାତପାପୁଲିରେ ନ ଧରିଲେ ଉଠାଇ ହେବନି !
~ ଚଉଠିରାତି ଥାଳି/ଥାଳିଆ ~
ଏ ପ୍ରକାର ଥାଳିକୁ ଥାଳିଆ ବା ଚଟିକି କୁହାଯାଇପାରେ । କାରଣ, ମୁହଁପରଷା ପାଇଁ ଏହା ପୂର୍ବେ ବ୍ୟବହାର ହେଉଥିଲା। ସାଧାରଣତଃ ଥାଳିଟିଏ ଆମ ଆଖିକୁ ଚନ୍ଦ୍ରମା ପରି ଗୋଲ ଦିଶେ, କିନ୍ତୁ ଚଉଠିରାତି ଥାଳି/ଥାଳିଆ ଅତୀବ ମନୋରମ, ଆଖି ଝଲସା ଓ ଏହାର ଗଢ଼ଣ ସାଧାରଣ ଥାଳିଠାରୁ ସ୍ୱତନ୍ତ୍ର ! ଏ ଥାଳି ଗୋଲାକାର ନହୋଇ ପାନପତ୍ର, ପଦ୍ମକଢ଼, ପଦ୍ମପତ୍ର, ପଳାଶପତ୍ର, ଗଙ୍ଗଶିଉଳି ଫୁଲ, ଚିଡ଼ିଆ, କଳାପାନ, ଠିକିରି, ପଣସପତ୍ର, ବରପତ୍ର ସଦୃଶ ଉତୁରିଥାଏ ! ଏହା ଅତି ନିବାଡ଼ ଶ୍ରେଣୀର ଥାଳିଆରେ ଗଣାଯାଏ। ଖାସ୍ କରି ଚଉଠିଘର ସଜରେ ଝିଅର ବାପଘରୁ ଏଭଳି କଂସାଥାଳି/ଥାଳିଆ ଦିଆଯିବାର ବିଧି ଥିଲା। ଥାଳିଆର ମଧ୍ୟଭାଗରେ ସଦାବିହାରୀ ଫୁଲ (ପାଞ୍ଚପାଖୁଡ଼ା ବିଶିଷ୍ଟ)ର ଗହୀର ନକ୍ସା ଫୁଟା ଯାଉଥିଲା।
ଗବେଷଣାରୁ ଜଣାଯାଏ, ପ୍ରାଚୀନ ଓଡ଼ିଶାରେ (ପାଖାପାଖି ୧୦୦/୧୫୦ବର୍ଷ ପୂର୍ବେ) ଗ୍ରାମାଞ୍ଚଳରେ ସଦାବିହାରୀ ଫୁଲଗଛ ବହୁଳ ଭାବରେ ଘରର ଅଗଣା ବା ବାଡ଼ିରେ ଶୋଭା ପାଉଥିଲା ଏବଂ ଗୋଲାପି- ଧଳା ରଙ୍ଗରେ ଝଲସି ଉଠୁଥିଲା। ସେତେବେଳେ ପ୍ରେମର ପ୍ରତୀକ ରୂପେ ସଦାବିହାରୀ ଫୁଲକୁ (ଏବର ଗୋଲାପ ନୁହଁ) ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା। ଚଉଠି ରାତିରେ ଏଭଳି କଂସାଥାଳି/ଥାଳିଆରେ ନୂଆ ବୋହୂଟି #ଖଜା, #ଫେଣୀ, #ଶାକର, #ଜଗନ୍ନାଥବଲ୍ଲଭ, #କ୍ଷୀରମୋହନ, ଖସାଲଡୁ, କାକରା ଇତ୍ୟାଦି ସଜାଇ ପଲଙ୍କ ଧାରରେ ବରର ପ୍ରଥମ ମୁହଁପରଷା କରୁଥିଲା। ସେଥିପାଇଁ ଏ ଥାଳି/ଥାଳିଆର ଏପରି ନାମକରଣ ହୋଇଛି । ଏବେ ଏସବୁ କାଇଁ ?
ଏ ଥାଳିର ଅନ୍ତୁଡ଼ିଶାଳ କଣ୍ଟିଲୋ ଗ୍ରାମ, ଯେଉଁଠି ବିଭିନ୍ନ ଆକାରପ୍ରକାରର (ଏଠାରେ ବର୍ଣ୍ଣିତ) କଂସାଥାଳି/ଥାଳିଆ ବିଭିନ୍ନ ନକ୍ସା ସହ ତିଆରି ହେଉଥିଲା। ଏ ଥାଳି/ଥାଳିଆ ଏବେ ପ୍ରାୟ ଦୁଷ୍ପାପ୍ୟ ହେଲେ ବି ଲେଖକର ସଂଗ୍ରହାଳୟରେ ଏହି ପରି ପ୍ରାୟ ଦଶପ୍ରକାର #ଚଉଠିରାତି_ଥାଳି ଦେଖଣାହାରୀଙ୍କ ମନ ମୋହୁଛି !
Spread the love
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

10 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago