ଲେଖା: ଦେଵ ତ୍ରିପାଠୀ
ଓଡ଼ିଆ ପତ୍ରପତ୍ରିକା ପ୍ରକାଶନର ଇତିହାସ ଦେଢଶହ ବର୍ଷରୁ ଅଧିକ ହେଲେ ମଧ୍ୟ ଦୁଇଶହ ବର୍ଷରୁ କମ୍ । ଓଡ଼ିଶାର #ସାଂସ୍କୃତିକ_ପ୍ରାଣକେନ୍ଦ୍ର_କଟକ ହିଁ ଏହି ନବ ଆନ୍ଦୋଳନର ପ୍ରାଣପ୍ରତିଷ୍ଠାତା ଓ ଦିଗଦ୍ରଷ୍ଟା । ଶିକ୍ଷାବିକାଶ ଆନ୍ଦୋଳନରେ ଅଢ଼େଇ ହଜାର ବର୍ଷରୁ ଅଧିକ କାଳ ଧରି ଗଢ଼ିଉଠିଥିବା ଏଇ ସହରର ଭୂମିକା ନିଶ୍ଚିତ ଭାବେ ଅନସ୍ୱୀକାର୍ଯ୍ୟ ।
ମୁଦ୍ରଣ ଯନ୍ତ୍ର ପ୍ରଚଳନର ବହୁ ପୂର୍ବରୁ ମଧ୍ୟ ହାତଲେଖା ପତ୍ରପତ୍ରିକାର ପ୍ରକାଶ, ପ୍ରସାର, ବିକାଶ ଓ ବ୍ୟବହାର ଦେଖାଯାଇଥିଲା । ଶିକ୍ଷାନୁଷ୍ଠାନଠାରୁ ଧର୍ମାନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନମାନଙ୍କରେ ସୁନ୍ଦର ସୁନ୍ଦର ହସ୍ତଲିପିରେ ଲିଖିତ ସାମୟିକ ପତ୍ରିକାମାନ ନିୟମିତ ପ୍ରକାଶ ହେଉଥିଲା । ଓଡ଼ିଶାରେ କାଗଜର ପ୍ରଚଳନ ହେବାର ଇତିହାସ ତିନିଶହ ବର୍ଷରୁ ଅଧିକ । ଏହାପୂର୍ବରୁ #ତାଳପତ୍ର ଓ #ଭୁର୍ଜପତ୍ର ଆଦିର ବ୍ୟବହାର ବହୁଳ ଭାବରେ ପରିଲକ୍ଷିତ ହୁଏ । ମଧ୍ୟଯୁଗୀୟ କବିମାନଙ୍କର ସମସ୍ତ କୃତି, ସାହିତ୍ୟ, ସଙ୍ଗୀତ, ଚିତ୍ରକଳା ତାଳପତ୍ର ଦ୍ଵାରା ହିଁ ଲିଖିତ ହୋଇ ରାଜସଭାରୁ ରାଜସଭା, ନଗରରୁ ଗ୍ରାମାଞ୍ଚଳ ପ୍ରସାରିତ ହେଉଥିଲା ।
ଅବଶ୍ୟ #କବିକୁଳକଞ୍ଜ_ଉପେନ୍ଦ୍ର_ଭଞ୍ଜ ଙ୍କ ସମୟକୁ କାଗଜର ପ୍ରଚଳନ ଆରମ୍ଭ ହୋଇଥିବାର ସଥେଷ୍ଟ ପ୍ରମାଣ ମିଳେ, ଅବଶ୍ୟ ତାହା ଏବେକାର କାଗଜ ପରି ନୁହେଁ ବା ଭୁର୍ଜପତ୍ର ଅବା ଅନ୍ୟକିଛି ହସ୍ତନିର୍ମିତ କାଗଜ ତାହାର ସଠିକ ଇତହାସ ଏବେ ମଧ୍ୟ ଗବେଷଣା ସାପେକ୍ଷ ।
ମରହଟ୍ଟା ଶାସନ ଅମଳରେ କଟକ ସମେତ ଉତ୍କଳ ଭୁଖଣ୍ଡରେ ବହୁଳ ଭାବରେ ଶିକ୍ଷିତ ସମାଜରେ ଆଦୃତ ହେଉଥିବା ସମ୍ବାଦପତ୍ର ଥିଲା #କୁଜିବର_ପତ୍ର । ଆମ ମାଟିରୁ ଯାଇ ଇଂଲଣ୍ଡରେ ଚହଳ ସୃଷ୍ଟି କରିପାରିଥିବା ଏଇ ହସ୍ତଲିପି ସମ୍ବାଦପତ୍ର ଥିଲା #ଭାରତବର୍ଷର_ସର୍ବପ୍ରଥମ_ସମ୍ବାଦପତ୍ର। କଟକ ନିକଟବର୍ତ୍ତୀ କୁଜୀବର ଆଶ୍ରମରୁ ସାଧୁସୁନ୍ଦର ଦାସଙ୍କ ପ୍ରକାଶ ପାଇ ଏହା କଟକଠାରେ ନକଲ (କପି) କରାଯାଇ ବିତରଣ କରାଯାଉଥିଲା । ଏହା ଥିଲା ଏକ ତାତ୍ତ୍ୱିକ ପତ୍ରିକା ଯହିଁରେ ହିନ୍ଦୁଧର୍ମ ଓ ଖ୍ରୀଷ୍ଟଧର୍ମ ବିଷୟରେ ବିଭନ୍ନ ଆଲୋଚନାମାନ ପ୍ରକାଶ ପାଉଥିଲା । କଟକରେ ଥିବା ପାଦ୍ରୀମାନେ ଏହାର କେତେକ ଅଂଶ ଅନୁବାଦ କରି ବ୍ରିଟେନର ‘ବାପଟିଷ୍ଟ ଜର୍ଣ୍ଣାଲ’ରେ ପ୍ରକାଶ ମଧ୍ୟ କରାଇଥିଲେ ।
କଟକକୁ ଆସିଥିବା ଜଣେ ମିଶନାରୀ ପାଦ୍ରୀ ୧୮୩୨ ମସିହାରେ ଲଣ୍ଡନରୁ ଏକ ହସ୍ତଚାଳିତ ଛାପାକଳ ଆଣି ଏଠାରେ ସ୍ଥାପନ କଲେ । କିନ୍ତୁ ଛାପିବା ପାଇଁ କଳ ତ ଆସିଲେ ଖାଲି ହବନି ! ସେଥିପାଇଁ ଲୋଡ଼ା ଓଡ଼ିଆ ଅକ୍ଷର । ଅବଶ୍ୟ ସେତେବେଳକୁ କେଟତକ ବଙ୍ଗୀୟ ବ୍ୟକ୍ତି ପ୍ରେସ ପାଇଁ ଓଡ଼ିଆ ଅକ୍ଷର ବଙ୍ଗଳାର ଶ୍ରୀରାମପୁରଠାରେ ତିଆରି କରିବା ଆରମ୍ଭ କଲେଣି । ଏଣୁ ଶ୍ରୀରାମପୁରରୁ ଓଡ଼ିଆ ଅକ୍ଷର ଅଣାଯାଇ ୧୮୩୮ରେ ଆରମ୍ଭ ହେଲା #ଓଡ଼ିଶା_ମିଶନ_ପ୍ରେସ ।
ସେ ସମୟରେ ପ୍ରଥମ ଅକ୍ଷର ସବୁ କାଠରେ ଖୋଦେଇ ହୋଇ ତିଆରି ହେଉଥିଲା । ୧୮୪୯ରେ #ପ୍ରଥମ_ଛପା_ଓଡ଼ିଆ_ପତ୍ରିକା#ଜ୍ଞାନାରୁଣ ପ୍ରକାଶିତ ହୋଇଥିଲା । ଦ୍ଵିତୀୟ ଓଡ଼ିଆ ପତ୍ରିକା ହେଲା #ଅରୁଣୋଦୟ। ଏହି ଦୁଇଟି ଯାକ ଥିଲା ଧର୍ମସମ୍ବନ୍ଧୀୟ ଓ ଖ୍ରୀଷ୍ଟିଆନ ମିଶନାରୀମାନଙ୍କର ଭାରତୀୟ ଭାଷା ସମିତି, କଟକଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା ।
ଏହି କଟକ ମିସନାରୀ ପ୍ରେସ ଦ୍ଵାରା ପରବର୍ତ୍ତୀ ସମୟରେ ‘ବାପଟିଷ୍ଟ ମିଶନାରୀ ରିଭ୍ୟୁ’, ‘ଆମେରିକାନ୍ ବାପଟିଷ୍ଟ’, ‘ତେଲୁଗୁ ମିଶନ୍’, ‘ଖ୍ରୀଷ୍ଟିଆନ ମିତ୍ର’, ‘ପ୍ରଭାତୀ ତାରା’ ଆଦି ପତ୍ରିକାମାନ ପ୍ରକାଶିତ ହୋଇ ବିତରଣ କରାଯାଉଥିଲା । ବଙ୍ଗଳା ପରି ଓଡ଼ିଶାରେ ମଧ୍ୟ ପତ୍ରପତ୍ରିକା ଆରମ୍ଭ କରିବାରେ ମିସନାରୀମାନେ ହିଁ ନେତୃତ୍ୱ ନେଇଥିଲେ ।
~ ଉତ୍କଳ ଦୀପିକା ~
‘ଉତ୍କଳ ଦୀପିକା’ଏବେ ସୁଦ୍ଧା ଆବିଷ୍କୃତ ହୋଇଥିବା ପତ୍ରପତ୍ରିକା ମଧ୍ୟରେ ପ୍ରଥମ ସାପ୍ତାହିକ ସମ୍ବାଦପତ୍ର । ଊନବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗ ପ୍ରାରମ୍ଭ ବେଳକୁ ଓଡ଼ିଶା ଭୂମିରେ ଦେଖା ଦେଇଥିଲା ସାମାଜିକ, ସାଂସ୍କୃତିକ ବିପର୍ଯ୍ୟୟର ଧୂମକେତୁ । ସେହି ସମୟକୁ ପ୍ରାକୃତିକ ବିପର୍ଯ୍ୟୟ ନଅଙ୍କ ଦୁର୍ଭିକ୍ଷ ଏବଂ ତା’ ସହ ଓଡ଼ିଆ ଭାଷା ବିଲୋପ ପାଇଁ ସଂଘବଦ୍ଧ ସଣ୍ଡୁଆସୀ ଆକ୍ରମଣ । ସବୁକିଛି ଛିନ୍ନ ହେବା ସହ ଜାତିଟା ଯେମିତି ଭୂଲୁଣ୍ଠିତ ହେବା ପାଇଁ ଅଗ୍ରସର ହେଉଥିଲା । ଉତ୍କଳ ଜନନୀ ହୋଇସାରିଥିଲେ ଛିନ୍ନମସ୍ତା । ଜନନୀର ଶରୀର ହେଉଥିଲା କ୍ଷୀଣରୁ କ୍ଷୀଣତର ।
ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ କଟକ ମାଟିରେ ନବଜାଗରଣର ସ୍ଵପ୍ନ ଦେଖୁଥିଲେ କିଛି ଭାଷାପ୍ରେମୀ, ଦେଶପ୍ରେମୀ, ସାହିତ୍ୟ ସଂସ୍କୃତିପ୍ରେମୀ ଏବଂ ଜନ୍ମଭୂମିକୁ ପୁନର୍ବିନ୍ୟାସ କରିବା ପାଇଁ କିଛି ନେତୃମଣ୍ଡଳୀ। ସେହି ସମୟରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଭୂଖଣ୍ଡର ସମ୍ମାନରକ୍ଷା ସହ, ପୁନର୍ଜୀବନ ସଞ୍ଚାରି ଥିଲେ ଯେଉଁ ମନିଷୀଗଣ, ସେହି ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ଉତ୍କଳପ୍ରାଣ କର୍ମବୀର #ଗୌରୀଶଙ୍କର_ରାୟ । ଜାତିପ୍ରେମର ଏହି ମହାନ ସାଧକ ଚିନ୍ତା କରିଥିଲେ ଏକ ପତ୍ରିକା ସମ୍ପାଦନ ପାଇଁ, ଯାହା ହୁଏତ ଓଡ଼ିଶାର ସମସ୍ୟା ମଧ୍ୟରେ ଅଂଶୀଦାର ହେବା ସହ ନବଜାଗରଣର ବାର୍ତ୍ତା ପହୁଞ୍ଚାଇବ ସମଗ୍ର ଓଡ଼ିଶାରେ ।
ଏହି ଭଳି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହେଲା କର୍ମବୀରଙ୍କ ଦ୍ଵାରା ୧୮୬୪ ମସିହାରେ #କଟକ_ପ୍ରିଣ୍ଟିଂ_କୁମ୍ପାନୀ (Cuttack Printing Co.) ନାମରେ । ସୁପରିଚାଳନା ପାଇଁ ଏକ ବୋର୍ଡ ଅଫ ଡାଇରେକ୍ଟର ଗଠିତ ହେଲା ଯହିଁରେ ସଦସ୍ୟମାନେ ରହିଲେ, ଶ୍ରୀଯୁକ୍ତ ହରେକୃଷ୍ଣ ଦାଶ, ଜଗମୋହନ ରାୟ, #ବିଚିତ୍ରାନନ୍ଦ_ଦାସ, ଦୀନନାଥ ସରକାର, ସୁଦର୍ଶନ ଦାସ, ଚୌଧୁରୀ ରଘୁନାଥ ଦାସ, ଲକ୍ଷ୍ମୀନାରାୟଣ ରାୟ ଚୌଧୁରୀ, #ରାଧାଶ୍ୟାମ_ନରେନ୍ଦ୍ର, ଗୌରିଶ୍ୟାମ ଜେନା, ଗୋଲୋକ ଚନ୍ଦ୍ର ବୋଷ, ବନମାଳୀ ସିଂହ ଏବଂ ଶ୍ରୀଯୁକ୍ତ ଗୌରୀଶଙ୍କର ରାୟ (ସମ୍ପାଦକ) । ଏହି କୁମ୍ପାନୀ ୧୮୬୫ ମସିହାରେ ପୁରୀରୁ ଏକ ପଥର ତିଆରି ମେସିନ ଆଣି ଛାପାକାମ ଆରମ୍ଭ କଲେ । ପରବର୍ତ୍ତୀ ସମୟରେ ବାବୁ କାଳୀପଦ ବନ୍ଦୋପାଧ୍ୟାୟଙ୍କ ଉଦ୍ୟମରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର କିଛି ସୀସା ଅକ୍ଷର କଲିକତାରୁ ଯୋଗାଡ଼ କରି ପଠାଇଥିଲେ । ଏହି ଛାପାଖାନାରେ ମୁଦ୍ରାକର ଥିଲେ ଶ୍ରୀ #ଭାଗିରଥି_ଷାଠିୟା।
ସାତ ହଜାର ପାଞ୍ଚଶହ ଟଙ୍କାର ମୂଳଧନ ସହିତ, ବାବୁ ଲକ୍ଷ୍ମୀ ନାରାୟଣ ରାୟ ଚୌଧୁରୀ, ଖୋସଲା ଚାନ୍ଦ ମାରୱାଡ଼ି, ମଧୁସୂଦନ ଦାଶ, ନନ୍ଦଲାଲ ମିଶ୍ର, ମାୟାଧର ଦାସ, ବିହାରୀ ଲାଲ ପଣ୍ଡିତ, ଗୋପୀମୋହନ ସେନ୍, ପଦ୍ମନାଭ ଦାସ, ଅକ୍ଷୟ କୁମାର ଘୋଷ ଏବଂ ଗୌରୀଶଙ୍କର ରାୟ ଅଂଶୀଦାର ଭାବେ କୁମ୍ପାନୀ କାମରେ ଅଗ୍ରସର ହେଲେ ।
ପ୍ରେସ କାମରେ ଛୋଟ ଛୋଟ ପ୍ରଚାରପତ୍ର, ବ୍ୟକ୍ତିଗତ କାର୍ଡ ଯଥା ନିମନ୍ତ୍ରଣ ପତ୍ର ଇତ୍ୟାଦିର ଛାପାକାମ ଆରମ୍ଭ ହୋଇ ଯେତେବେଳେ ସମ୍ପୂର୍ଣ୍ଣ କ୍ଷମ ହେଲା, ସେତିକିବେଳେ ପୂର୍ବ ଆଶା ଓ ଉତ୍ସାହ ନେଇ ଆରମ୍ଭ ହେଲା #ଉତ୍କଳ_ଦୀପିକା ପ୍ରକାଶନ, ୧୮୬୬ ମସିହା ଅଗଷ୍ଟ ମାସ ୪ ତାରିଖ ଦିନ ।
ଓଡ଼ିଶା ପାଇଁ ଏକ ସ୍ୱର୍ଣ୍ଣିମ ଦିବସ ଥିଲା ସେଦିନ । “ଉତ୍କଳ ଦୀପିକା” ପ୍ରକାଶିତ ହେଲା ଓଡ଼ିଶାର ପ୍ରଥମ ସାପ୍ତାହିକ ସମ୍ବାଦପତ୍ର ଭାବରେ। ପ୍ରାଣରେ ଓଡ଼ିଆ, ଜାତିରେ ବ୍ରିଟିଶ T.E Ravenshaw ମହାଶୟଙ୍କ ପ୍ରତ୍ୟକ୍ଷ ଉତ୍ସାହ ଆହୁରି ପୁଲକିତ କଲା ଗୌରୀଶଙ୍କରଙ୍କୁ ଆଗେଇ ଯିବା ପାଇଁ।
ସେ ବେଳରେ ଓଡ଼ିଆ ପତ୍ରପତ୍ରିକା ବୋଇଲେ ଉତ୍କଳ ଦୀପିକାକୁ ହିଁ ବୁଝାଉଥିଲା । ସେଥିରେ ଓଡ଼ିଶାର ଅର୍ଥନୈତିକ, ସାମାଜିକ ଓ ରାଜନୀତିକ ଅବସ୍ଥାର ଏକ ନିଖୁଣ ପ୍ରତିଛବି ସ୍ପଷ୍ଟ ଭାବରେ ପ୍ରକାଶିତ ହେଉଥିଲା । ପ୍ରାୟ ତିନି ଚଉଠ ଶତାବ୍ଦୀ କାଳ ଏହି ‘ଉତ୍କଳ ଦୀପିକା’ ଓଡ଼ିଶାର ସାଧାରଣ ଜୀବନକୁ ଦିଗଦର୍ଶନ ଦେଇ ଆସିଥିଲା ।
କଟକ ମାଟିରେ ଯେ କେବଳ ଓଡ଼ିଆ ପତ୍ରପତ୍ରିକାର ଆତ୍ମପ୍ରକାଶ ଘଟିଥିଲା, ସେକଥା ନୁହେଁ, ବରଂ ଏହି ମହାନ ଐତିହାସିକ ଓ ସାଂସ୍କୃତିକ ପୀଠ ଓଡ଼ିଶାର ପ୍ରକାଶନ କ୍ଷେତ୍ରକୁ ନିୟନ୍ତ୍ରଣ, ପ୍ରସାରଣ ଓ ସମୃଦ୍ଧ କରିଥିଲା ! ପ୍ରତ୍ୟକ୍ଷ ଅବା ପରୋକ୍ଷରେ ହେଉ ଓଡ଼ିଶା ଭୂଖଣ୍ଡର ବିଭିନ୍ନ ଅଞ୍ଚଳରେ ବହୁ ପତ୍ରପତ୍ରିକା ପ୍ରକାଶନ ନିମନ୍ତେ ପ୍ରଦର୍ଶନ କରିଥିଲା ଏଇ କଟକ !
କର୍ମବୀରଙ୍କ ପଥରେ ପାଦ ଥାପିବାକୁ ପ୍ରସ୍ତୁତ ହେଉଥିଲେ ଆଉ କେତେ କରିତକର୍ମା ! କଟକ ମାଟିରେ ଓଡ଼ିଆ ପତ୍ରପତ୍ରିକା ପ୍ରକାଶନର ଧାରାରେ ଯୋଡ଼ି ହେଇଥିଲା ଅସଂଖ୍ୟ ପତ୍ରପତ୍ରିକା !
ଆଧାର: ଗବେଷକ ଡ. ଶୈଳେଶ୍ୱର ନନ୍ଦ, ପୁରାତନ ‘ସମାଜ’ ଓ ବିଭିନ୍ନ ପତ୍ରପତ୍ରିକା