ଲେଖା: ଦେଵ ତ୍ରିପାଠୀ
ଆଜକୁ ୨୦୦ ବର୍ଷ ତଳର କଥା ।
ଇତିହାସର ଗର୍ଭଗହ୍ଵରରେ ପୋତି ହୋଇଯାଇଥିବା ଏକ ସମୟର କଥା ! କଥା କିନ୍ତୁ କିମ୍ବଦନ୍ତୀ ନୁହେଁ ! ଏକ ସତ୍ୟତା ଉପରେ ପ୍ରତିଷ୍ଠିତ ଗୋଟିଏ ସମୟର କଥା !
ଏ କଥା ନା କେବେ ସ୍ପର୍ଶ କରିଛି ଗବେଷକର ଅନ୍ୱେଷଣକୁ ନା କେବେ ଐତିହାସିକର ବ୍ୟବଚ୍ଛେଦକୁ ! ନା ଏ କଥାକୁ ଖୋଜିବା ପାଇଁ କାହା ମନରେ କେବେ ଉତ୍ସାହ ଜନ୍ମିଛି !
ଏ କଥା ଉଦଘାଟିତ ହୋଇଛି ସ୍ବତଃ ! ଏ କଥାକୁ ପୃଷ୍ଠଭୂମି ସଜାଇ ଗଢ଼ିଉଠିଛି ଏ ଜାତିର ଗୈାରବାବହ ଜୟଯାତ୍ରା — ବହୁ ବର୍ଷର ନୀରବତା ପରେ ଈଗଲର ଝଡ଼ ପରି ପକ୍ଷ ବିସ୍ତାର କରିଦେଇଛି ଏ କଥାର ମହିମାଦୀପ୍ତ ପ୍ରେରଣା !
ଏ କଥାର ଉତ୍ତରଣରେ ପବିତ୍ର ହୋଇଛି ଶ୍ଶଶାନିତ ହୋଇ ପଡ଼ିଥିବା ଏ ଭୂଖଣ୍ଡର ମାଟି ! ସୃଷ୍ଟି ହୋଇଛି ଏକ ନୂତନ ଅଧ୍ୟାୟ, କଳିଙ୍ଗର ଇତିହାସରେ ! ଉତ୍କୀର୍ଣ୍ଣ ହୋଇଛି ସ୍ବାଧୀନ ଉତ୍କଳ ସାମ୍ରାଜ୍ୟର ବୀର୍ଯ୍ୟଦୀପ୍ତ ଉଦଘୋଷଣ !
ଭାରତବର୍ଷର ଇତିହାସରେ ସଂଲଗ୍ନ ହୋଇଛି ନୂତନ ଅଧ୍ୟାୟ ! ସ୍ତମ୍ଭିତ ହୋଇଛି ବିଶ୍ୱ ! ଉତ୍ତର ଦାୟାଦଗଣଙ୍କ ଶିର ହୋଇଛି ସଗର୍ବ ସ୍ପନ୍ଦିତ !
ସେଦିନ ବିରୁପା ନଦୀପଠାରେ ସହସ୍ରାଧିକ କୌତୁହଳୀ ଅଥଚ ବିବଶ ନରନାରୀଙ୍କ ଭିଡ଼ ! ନିଷ୍ପ୍ରାଣ ନିରବ ପରିବେଶ ! ମୂକ ମୋୖନ ଗମ୍ଭୀର ସ୍ତବ୍ଧ ଜଗତ !
ସେଇ ସ୍ତବ୍ଧ ଗମ୍ଭୀର ନିରବତାକୁ ଖିନଭିନ୍ କରି ଅଦୂରର ଦଧିବାମନ ଦେଉଳରୁ ଭାସି ଆସୁଛି ଘଣ୍ଟିର ଶବ୍ଦ ।
ସେ ହଜାର ହଜାର ନରନାରୀଙ୍କ ତୁଣ୍ଡରେ ଆଜି ଭାଷା ନାହିଁ ! ସଭିଙ୍କ ନଜର ଆଜି କେନ୍ଦ୍ରୀଭୂତ ଜଣେ ମା’ଙ୍କ ଉପରେ ! ଦଶଖଣ୍ଡ ମଉଜାର ଆଦରର ମା’ କୃଷ୍ଣା ସାଆନ୍ତାଣୀ ଆଜି ସତୀ ହେବେ !
ଆଦର୍ଶବତୀ ପତିବ୍ରତା ମା’ ସା’ନ୍ତାଣୀ ! ଆଜି ପତିଙ୍କ ନିମନ୍ତେ କରିବେ ନିଷ୍କାମ ଆତ୍ମୋତ୍ସର୍ଗ ! ଇଏ ଆର୍ଯ୍ୟାବର୍ତ୍ତର ସଂସ୍କୃତି ! ଶତାବ୍ଦୀ ଶତାବ୍ଦୀର ପ୍ରବହମାନ ପରମ୍ପରା ! ସେଇ ପରମ୍ପରାର ଦ୍ଵାହିରେ ପବିତ୍ରା ହିନ୍ଦୁନାରୀ ଯିଏ ପତିଙ୍କ ସହଯାତ୍ରୀ ଥିଲେ ମର୍ତ୍ତଦେହରେ, ଇହଲୋକରେ, ଆଜି ଅମର୍ତ୍ତ ଆତ୍ମାର ମିଳନ ପାଇଁ ସ୍ବେଚ୍ଛାରେ ଦେବେ ଆତ୍ମବଳି !
ମା’ ସା’ନ୍ତାଣୀ ଯୋଡ଼ହସ୍ତରେ ପ୍ରଣାମ କଲେ ସଭିଙ୍କୁ !
ଏଇ ହାତଦୁଇଟି କେତେ କେତେ ଦୁଃଖୀରଙ୍କିଙ୍କ ପେଟ ନ ଚିହ୍ନିଛି ? ଯୋଗୀଭିକାରୀଙ୍କି ସାହା ନ ହୋଇଛି ? ଆଶ୍ରିତ ଅନାଶ୍ରିତଙ୍କ ଖବର ଅନ୍ତର ନ ବୁଝିଛି ? ଦଶଖଣ୍ଡ ମଉଜାରେ ଏମିତି କିଏ ଅଛି ସେ ହାତଦୁଇଟିର ମମତାଭରା ଆଶୀର୍ବାଦ ନ ଲଭିଛି ? ସେ ହାତଦୁଇଟି ଆଜି ପ୍ରଣାମ କରୁଛି ତାଙ୍କ ପ୍ରଜାମାନଙ୍କୁ ।
ବ୍ୟଥା ବଳିପଡିଛି, ଆଖିଲୁହ ବୋଲ ମାନୁନି ! ଅସହ୍ୟ ମରମଭେଦୀ ସେ ଯନ୍ତ୍ରଣା !
ଅଗ୍ନିହୋତ୍ରୀ ପୁରୋହିତେ ଅବଗୁଣ୍ଠନବତୀ ରକ୍ତାମ୍ବରୀ ମା’ ସା’ନ୍ତାଣୀଙ୍କୁ ସ୍ନାନାନ୍ତେ ନଦୀ ବିରୁପାଙ୍କୁ ପ୍ରଣିପାତ ପାଇଁ ନିର୍ଦ୍ଦେଶ ଦେଲେ । ପତିଙ୍କ ଚିତା ଚାରିପଟେ ତିନିଥର ପ୍ରଦକ୍ଷିଣ କରି ପତିଙ୍କ ଗଳାରେ ଫୁଲମାଳଟି ପିନ୍ଧାଇ ପଦପ୍ରାନ୍ତରେ ବସି ପଡ଼ିଲେ ସା’ନ୍ତାଣୀ !
ଚିତାନଳ ଜାଳିବା ପାଇଁ ମା’ଙ୍କ ଠାରୁ ନିର୍ଦ୍ଦେଶ ପାଇ ଅଗ୍ନିସଂଯୋଗ କଲେ ପୁରୋହିତେ । ଅବଗୁଣ୍ଠନର ଅନ୍ତରାଳରୁ ସତୀ ମା’ଙ୍କର ପ୍ରଣାମ ମୁଦ୍ରାବଦ୍ଧ ଯୋଡ଼ହସ୍ତର ଭଙ୍ଗୀ !
ଝୁଣା, ଅଗୁରୁମିଶ୍ରିତ ଧୁଆଁ ସହିତ ସେ ଅଗ୍ନିଶିଖା ବିରୂପା ନଦୀପଠାରେ ସମବେତ ନରନାରୀଙ୍କ ହୃଦୟ ଓ ଚେତନାରେ ତୋଳିଥିଲା ଅଦ୍ଭୁତ କମ୍ପନ !
ଦୂର ଦିଗବଳୟରେ ସୂର୍ଯ୍ୟ ଦିଶୁଥିଲା ବିକଳ ! ସ୍ବାମୀଙ୍କ ଚିତାନଳରେ ସତୀଙ୍କର ଆତ୍ମୋତ୍ସର୍ଗର ଲେଲିହାନ ଶିଖାର ପୃଷ୍ଠଭୂମିରେ ସେ ଦିଶୁଥିଲା ନିଷ୍ପ୍ରଭ, ରଙ୍ଗହୀନ !
ଉତ୍କଳ ଭୂଖଣ୍ଡରେ କେତେ କେତେ ସତୀଙ୍କର ଚିତାନଳ ନ ଜଳିଛି ! ବିରୂପା ନଦୀପଠାର ସେଦିନର ସେ ଚିତାନଳ କିନ୍ତୁ ଲିଭି ନ ଥିଲା ! ବରଂ ରହିଗଲା ଚିରଜ୍ୱଳନ୍ତ ହୋଇ !
ସେଦିନର ସେ ଚିତାନଳରେ ଆତ୍ମାହୁତିର ଉଦବୋଧନ ପ୍ରବହମାନ ହୋଇ ରହିଲା ଗୌରବଶାଳୀ ଚୌଧୁରୀ ବଂଶର ରକ୍ତରେ !
ଉତ୍ତରାଧିକାର ସୂତ୍ରରେ ସେ ଉଦବୋଧନର ପ୍ରତିଧ୍ଵନି ସ୍ପନ୍ଦିତ କରି ଚାଲିଲା ପିଢ଼ି ପରେ ପିଢ଼ିକୁ !
ସୃଷ୍ଟି କଲା ଗଭୀର ଆଦର୍ଶନିଷ୍ଠା ଓ ଆତ୍ମୋତ୍ସର୍ଗର ତପସ୍ବୀସୁଲଭ ସଙ୍କଳ୍ପ ! ସେଇ ଉଦବୋଧନ ଚୌଧୁରୀ ବଂଶର ଧମନୀରେ ଯେଉଁ ତରଙ୍ଗ ସୃଷ୍ଟି କଲା, ସେ ତରଙ୍ଗ ଯେପରି ଉଲମ୍ଫନ କରିଉଠିଲା ପିଢ଼ି ପରେ ପିଢ଼ିକୁ !
ସେଇ ଚିତାନଳର ଜ୍ୱାଳାମୟୀ ପ୍ରଭାବରୁ ଉତ୍କଳ ଇତିହାସରେ ସୃଷ୍ଟି ହେଲେ କେତେ କେତେ ଗୌରବମୟ ମୁହୂର୍ତ୍ତ !
ସେଇ ଚିତାନଳର ଐତିହାସିକ ମହିମାଦୀପ୍ତ ସ୍ମୃତି ଦିନେ ଅଭିପ୍ରେରିତ କଲା ଓଡ଼ିଆ ଜାତି ପାଇଁ ପ୍ରଚଣ୍ଡ ଅଭିମାନକୁ ! ଉଦ୍ରିକ୍ତ କଲା ଓଡ଼ିଆର ସ୍ବାଭିମାନକୁ !
ସେଇ ଆତ୍ମତ୍ୟାଗର ଉଦବୋଧନରୁ ଉତ୍କୀର୍ଣ୍ଣ ହେଲା ସ୍ବାଧୀନ ସ୍ବତନ୍ତ୍ର ସ୍ବର୍ଣ୍ଣିମ ଉତ୍କଳ ସାମ୍ରାଜ୍ୟର ବୀର୍ଯ୍ୟଦୀପ୍ତ ଉଦଘୋଷଣ !
ସେଇ ଗୌରବମୟ ଆତ୍ମତ୍ୟାଗର ଗାଥା ପୁଣି ଗଢ଼ି ତୋଳିଲା ଏକ ଭଗ୍ନଜାନୁ ଜାତିର ଅଦମ୍ୟ ଦୁର୍ଦ୍ଦର୍ଷ ସାରଥୀଙ୍କୁ !
admin

View Comments

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

1 year ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago