ଲେଖା: ଅରବିନ୍ଦ ମହାନ୍ତି

ଶଙ୍କରଙ୍କ କ୍ଷେତ୍ରେ ପୁଣି ତାଙ୍କ ପୁତ୍ରଙ୍କ ଉପସ୍ଥିତି ନଥିବ ତାହା କେବେ ସମ୍ଭବ ନୁହେଁ। ଯେଉଁଠାରେ ଶିବାଳୟ ଥିବ ସେଠାରେ ଅଗ୍ରପୂଜ୍ୟ ଶ୍ରୀବିନାୟକଙ୍କ ଉପସ୍ଥିତି ନିଶ୍ଚୟ ରହିଥିବ। ଶ୍ରୀ ଦେଉଳର ବେଢା ମଧ୍ୟରେ ଦୃଶ୍ୟମାନ ଦୁଇଟି ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ସୁଦୃଶ୍ୟ ମନ୍ଦିର ରହିଅଛି।

~ ଏକାମ୍ରରେ ଶ୍ରୀଗଣେଶ ୧. ସିଦ୍ଧି ଗଣେଶ ~
ସ୍ୱର୍ଣାଦ୍ରିବେଢାର ପ୍ରବେଶରେ ଓ ଷଡ଼ରିପୁ ଦହନ କରୁଥିବା ଷଡ଼ପାବଚ୍ଛର ଆରମ୍ଭରେ ଶ୍ରୀ ବିଘ୍ନରାଜ ବିନାୟକଙ୍କ ମନ୍ଦିର। ଇଏ ହେଉଛନ୍ତି ଅଷ୍ଟମୂର୍ତ୍ତି ଦର୍ଶନ ପରିକ୍ରମାରେ ପ୍ରଥମ ଦର୍ଶନ କରାହେଉଥିବା ପ୍ରଥମ ମୂର୍ତ୍ତି। ଏହି ଉତ୍ତରାଭିମୁଖୀ ଶ୍ରୀବିଗ୍ରହଙ୍କ ଦର୍ଶନରେ ସମସ୍ତ ପ୍ରକାର ବିଘ୍ନ ହରଣ ହୋଇଥାଏ। ବିନାୟକଙ୍କ ଦର୍ଶନ କରି ପରିକ୍ରମା ପରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ହୁଏ। ଏହି ବିଗ୍ରହ ଦ୍ବିଭୁଜସ୍ୱରୂପ ଅଟନ୍ତି। ବାହାନ ମୁଷିକଙ୍କ ଦୁଇ ପାର୍ଶ୍ୱରେ ଲଷ୍ମୀ ଓ ସରସ୍ୱତୀ ଦୁଇ ମୂର୍ତ୍ତି ମଧ୍ୟ ଅଛନ୍ତି।

ଅଗ୍ରପୂଜ୍ୟ ଓ ବିଘ୍ନହର୍ତ୍ତା ହୋଇଥିବାରୁ ନିଜ ମାତାପିତା ଅର୍ଥାତ ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀଙ୍କ ବିବାହ ଯାତ୍ରାର ଅନୁକୂଳ ମଧ୍ୟ ଏହିଠାରୁ ଶ୍ରୀଫଳ ଭଗ୍ନ ହୋଇ ଆରମ୍ଭ କରାଯାଇ ଥାଏ।

ବିନାୟକ ଚତୁର୍ଥୀରେ ଏଠାରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ପ୍ରଶାସନ ପକ୍ଷରୁ ଓ ସେବାୟତଙ୍କ ସହଯୋଗରେ ଦିଅଁଙ୍କ ସ୍ବତନ୍ତ୍ର ବେଶ, ଭୋଗ ଓ ଆଳତି ଅନୁଷ୍ଠିତ ହୋଇଥାଏ।


~ ଏକାମ୍ରରେ ଶ୍ରୀଗଣେଶ ୨. ନିଶା ଗଣେଶ ବା ବଡ଼ଗଣେଶ ~
ଲିଙ୍ଗରାଜଙ୍କ ବେଢା ମଧ୍ୟରେ ପରିକ୍ରମା କରିବାବେଳେ ଦକ୍ଷିଣପାର୍ଶ୍ୱ ନିଶା ଦେଉଳରେ ନିଶ୍ଚୟ ଏହି ଗଣେଶଙ୍କ ମୁଖଦର୍ଶନ ହୋଇଥାଏ। ସେ ମୁଖର ଆକର୍ଷଣ ଏତେ ଯେ ଦେଖିଲେ ତାଙ୍କ ପାଖକୁ ଯିବାକୁ ନିଶ୍ଚୟ ମନ ହୁଏ। ସେଭଳି କମନୀୟ ମୂର୍ତ୍ତି ବିଶ୍ୱରେ ବିରଳ ।ଏହି ବିଗ୍ରହ ଚର୍ତୁଭୁଜ। ଚର୍ତୁଭୁଜରେ ଭଗ୍ନଦନ୍ତ, ପରଶୁ, ତିଳଲଡୁ, ବରଦା ହସ୍ତ ଧାରଣ କରି ବିଘ୍ନହରଣ କରନ୍ତି ଭକ୍ତଙ୍କର। ଜଟାମୁକୁଟ ସହ ନାଗ ଉପବିତ ଧାରଣ କରିଅଛନ୍ତି। ବାହାନ ମୂଷିକ, ଶିବଗଣ, ଗନ୍ଧର୍ବ ଓ ଯକ୍ଷଗଣ ସହିତେ ଗୋଟିଏ କଳା ମୁଗୁନି ପଥରରେ ତିଆରି ଏହି ମୂର୍ତ୍ତି। ପ୍ରାୟ ୬ ଫୁଟ ହେବେ ଏହି ବିଗ୍ରହ।ନିଶା ଗଣେଶଙ୍କ ପ୍ରତେକ ଅଂଶ ସୂକ୍ଷ୍ମ କାରୁକାର୍ଯ୍ୟରେ ପୂର୍ଣ୍ଣ।

~ ଏକାମ୍ରରେ ଶ୍ରୀଗଣେଶ ୩. ଗଣେଶ ମନ୍ଦିର ~
ଏହାଙ୍କୁ ପାଇବାକୁ ହେଲେ ଟିକେ ଖୋଜିବାକୁ ପଡ଼ିବ। ଦକ୍ଷିଣ ପୁର୍ବ କୋଣରେ ସିଂହ ଦ୍ୱାରରୁ ପ୍ରବେଶ କଲା ପରେ ବାମ ପାର୍ଶ୍ୱ ମଳୟାଚଳ ଦିଗେ ଗଲେ ଆଉ ଗୋଟିଏ ଗଣେଶ ମନ୍ଦିର ରହିଅଛି। ଏହାଙ୍କୁ ପ୍ରାୟ ଦର୍ଶନ କରି ହୁଏ ନାହିଁ। ପୂଜା ଦୋକାନ ଓ ଛୋଟ ମନ୍ଦିର ମାନ ସାମନାରେ ଥିବାରୁ ପ୍ରାୟତଃ ଦୃଶ୍ୟମାନ ହୁଅନ୍ତି ନାହିଁ। ଏହି ବିଗ୍ରହ ଚର୍ତୁଭୁଜ ଓ ପଦ୍ମପିଢ଼ ଉପରେ ଉପବେଶନ କରି ଅଛନ୍ତି।

~ ଏକାମ୍ରର ଅନ୍ୟାନ୍ୟ ଗଣେଶ ~
ଏକାମ୍ରର ବିଭିନ୍ନ ସ୍ଥାନରେ ସହସ୍ରାଧିକ ସଂଖ୍ୟାରେ ଗଣେଶ ବିଗ୍ରହ ଦେଖିବାକୁ ମିଳନ୍ତି। ଯେପରି ହରି, ହର, ଶକ୍ତି, ଅର୍କ ଓ ଗଣପତି ଆଦି ପଞ୍ଚଦେବତା ଭିନ୍ନ ନୁହଁନ୍ତି ସେହି ନ୍ୟାୟରେ ଗଣେଶଙ୍କ ପ୍ରଭାବ ବି କମ୍ ନାହିଁ ଏକାମ୍ରରେ। ଶ୍ରୀ ଗଣେଶଙ୍କ ସର୍ବପୁରାତନ ଠାରୁ ସର୍ବନୂତନ ବିଗ୍ରହ ଏକାମ୍ରରେ ଦେଖିବାକୁ ମିଳେ। କେଦାରେଶ୍ବର, ପର୍ଶ୍ଵରାମେଶ୍ବର, ରାମେଶ୍ୱର, ଗୋସାଗରେଶ୍ବର, କପିଳେଶ୍ବର, ଉତ୍ତରେଶ୍ବର ତାଳେଶ୍ବର, ମୋହିନୀ ଦେଉଳ ଆଦି ମନ୍ଦିରରେ ଶ୍ରୀଗଣେଶ ପାର୍ଶ୍ୱଦେବତା ରୁପେ ଉପାସିତ ହୋଇଥାନ୍ତି। ଭାରତୀ ମଠରେ ବି ଏକ ବଡ଼ ଗଣେଶଙ୍କ ବିଗ୍ରହ ରହିଅଛି।

ସୁରେଶ୍ୱର ଦେଉଳ ପାର୍ଶ୍ୱରେ ମଧ୍ୟ ଅତୀବ କମନୀୟ ଗଣେଶ ବିଗ୍ରହ ଦେଖିବାକୁ ମିଳେ। ଦ୍ଵିଭୁଜ, ଚର୍ତୁଭୁଜ, ଷଢଭୁଜ ଓ ଅଷ୍ଟଭୁଜ ଆଦି ବହୁ ରୁପରେ ଶ୍ରୀଗଣେଶ ଉପାସିତ ହୋଇଥାନ୍ତି। ପୁଣି କେବେ ତନ୍ତ୍ର ଗଣପତି ଭାବେ ସପ୍ତମାତୃକା ସହ ପୂଜା ହୁଅନ୍ତି ତ ପୁଣି କେବେ ନାରୀସ୍ୱରୂପ ବିନାୟକୀ ରୂପେ ଚୌଷଠୀ ଯୋଗିନୀଙ୍କ ସହ ଉପାସିତ ହୁଅନ୍ତି। ପର୍ଶୁରାମେଶ୍ୱର ଦେଉଳରେ କାର୍ତ୍ତିକେୟଙ୍କ ଉପର ପାର୍ଶ୍ୱରେ ଖୋଦିତ ଶିବ ବିବାହ ଉତ୍ସବରେ ଶ୍ରୀଗଣେଶଙ୍କୁ ଆଦି ଗଣେଶ ରୁପରେ ଶିବ ପାର୍ବତୀ ବିବାହ ଉତ୍ସବରେ ଦେଖିବାକୁ ମିଳେ। ମୁଖ୍ୟତଃ ପ୍ରତେକ ଶିବାଳୟ ମାନଙ୍କରେ ଏହାଙ୍କ ଦର୍ଶନ ମୁଖ୍ୟ ପାର୍ଶ୍ୱ ଦେବତା ରୂପେ ହୋଇଥାଏ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago