ସୌରଭିତ ସୃଷ୍ଟି: ହୁତାତ୍ମା ଦିଵାକର ପରିଡ଼ା

ରଣପୁର ପ୍ରଜା ଆନ୍ଦୋଳନର ଅମର ସୂତ୍ରଧର ସ୍ଵାଧୀନତା ସଂଗ୍ରାମୀ ହୁତାତ୍ମା ଦିଵାକର ପରିଡ଼ା ବ୍ରିଟିଶ୍‌ ପଲିଟିକାଲ ଏଜେଣ୍ଟ “ମେଜର ବେଜେଲଗେଟ୍‌” ହତ୍ୟା ଅପରାଧରେ ଅଭିଯୁକ୍ତ ହୋଇ କାରାରୁଦ୍ଧ ଅଵସ୍ଥାରେ “ଉତ୍କଳ ସରଗ ମୋର ଜନ୍ମସ୍ଥାନ” ନାମକ ଗୋଟିଏ ଦେଶାତ୍ମବୋଧକ କଵିତା ରଚନା କରିଥିଲେ । ସେହି କଵିତା ରଚନା ସମୟକୁ ତାଙ୍କୁ ଫାଶୀ ଦଣ୍ଡ ଦିଆଯିବ ବୋଲି ରାୟ ଦିଆସରିଥିଲା ।

କଵିତା ରଚନାଵେଳେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇସାରିଥିଲା ଏବଂ ସେ ସମୟରେ ଓଡ଼ିଶା ମଧ୍ୟରେ ମୋଟ ୬ଟି ଜିଲ୍ଲା ଓ ୨୬ଟି ଗଡ଼ଜାତ ରାଜ୍ୟ ରହିଥିଲା । ହୁତାତ୍ମା ଦିଵାକର ପରିଡ଼ାଙ୍କ ଦ୍ଵାରା ରଚିତ ସେହି କଵିତାଟି ନିମ୍ନରେ ଉପସ୍ଥାପନ କରାଗଲା ।

ଉତ୍କଳ ସରଗ ମୋର ଜନ୍ମସ୍ଥାନ
ନୀଳାଚଳ ସମ ପୁଣ୍ୟ ତୀର୍ଥଧାମ

କୋରାପୁଟ, ପୁରୀ, ଗଞ୍ଜାମ ଶୀର୍ଷକ
ସମ୍ବଲପୁର ବାଲେଶ୍ୱର, କଟକ ।

ଏ ଷଷ୍ଠ ଜିଲ୍ଲାରେ ସୁଶୋଭିତ ମାତ
ଚିଲିକାକୁ ନେଇ ଯେତେ ଗଡ଼ଜାତ ।।

ଋଷିକୂଲ୍ୟା ମହାନଦୀ ସ୍ୱଚ୍ଛ ନୀରା
ନାନାଵିଧ ଶସ୍ୟଶ୍ୟାମଳା ଶରୀରା ।।

ଯା’ର ଇତିହାସ କହେ ଖଣ୍ଡଗିରି
ବାରବାଟୀ ଦୁର୍ଗେ ପରାସ୍ତ ଵଇରୀ ।।

ପୂର୍ଵଦିଗେ ଯାର ବଙ୍ଗୋପସାଗର
ନାମ ଘୋଷେ ନିତ୍ୟ ଜଗନ୍ନାଥଙ୍କର ।।

ସରିଥାନ୍ତା ହେଲେ ସେହି ସ୍ଥାନେ ଦିନ
କାରାଗାରେ ସିନା ଵିଅର୍ଥ ଜୀବନ ।।

ସେହେତୁ ମରଣେ ନାହିଁ ମୋର ଡର
ବଳିଦାନ ପାଇଁ ହେଲି ଅଗ୍ରସର ।।

ମଲେ ହେଲେ ପରା ସେ ସ୍ଥାନେ ମିଳିବି
ପୁଣି ନୀଳାଚଳ ନାଥଙ୍କୁ ଦେଖିବି ।।

ନାହିଁ ଯେବେ ମୃତ୍ଯୁ ଏ ମହାସମରେ
ପ୍ରବେଶିବି ନିଶ୍ଚେ ଆପଣା ଦେଶରେ ।।

ଦୁଃଖୀ ଦରିଦ୍ରଙ୍କ ମଙ୍ଗଳ ନିମନ୍ତେ
ଆନ୍ଦୋଳନ କରିଵାକୁ ହେଵ କେତେ ।।

ପାଇବି ଯାହାକୁ ସଙ୍ଗେ ଘେନିଯିବି
ଦରିଦ୍ରତା ନାଶ ଵାର୍ତ୍ତା ପ୍ରଚାରିବି ।।

କହିବି ହେ ଭାଇ ଛାଡ଼ ଜାତିଭେଦ
ସ୍ୱାଧୀନତା ହେଲେ ଦୂର ହେଵ ଖେଦ ।।

ଚରଖା ପ୍ରସାର ଗ୍ରାମମାନଙ୍କରେ
ମହାତ୍ମାଙ୍କ ଆଶା ପୂର୍ଣ୍ଣ ହେଉ ଥରେ ।।

ନ ଆସିଵ ଆଉ କେଵେ କିଛି କଷ୍ଟ
ଆମ ସୁଖେ ଆମେ ହୋଇଵା ବଳିଷ୍ଠ ।।

ପ୍ରାଚୀନ ସଂସ୍କୃତି ଫେରିଵ ସହଜେ
ନବୀନ ଆଲୋକ ରାଜିଵ ସମାଜେ ।।

କୁଳଵଧୂମାନେ ହେଵେ ପତିବ୍ରତା
ଵୀର ପ୍ରସଵିନୀ ହେଵେ ତେଵେ ମାତା ।।

କେତେ ରାମଚନ୍ଦ୍ର କେତେ କୃଷ୍ଣଚନ୍ଦ୍ର
କେତେ କେତେ ଜନ୍ମ ହେଵେ ଵୀରବୃନ୍ଦ ।।

ସ୍ୱାଧୀନ ରଖିଵେ ଜନମ ଭୂଇଁକି
ଚିରଦିନ ପାଇଁ ତ୍ରିରଙ୍ଗାକୁ ଟେକି ।।

ପୂର୍ଣ୍ଣ ହେଵ ସତେ ଦିଵାକର ଆଶା
ସୁଜଳା ସୁଫଳା ସମୃଦ୍ଧ ଓଡ଼ିଶା ।।

ଉପସ୍ଥାପନା: ଶିଶିର ସାହୁ ମନୋଜ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago