ସୌରଭିତ ସୃଷ୍ଟି: ବ୍ୟାସକବି ସରସ୍ବତୀ ଫକୀରମୋହନ

ମୋ ଜୀଵନ ସାର ଧନ ଜନନୀ ଉତ୍କଳ ଭାଷା ।
ଆସ ଗୋ ମା ! କରେ ପୂଜା ପୂର୍ଣ୍ଣ ହେଉ ପ୍ରାଣ ଆଶା ।

ଭକ୍ତି,ଶ୍ରଦ୍ଧା,ସ୍ନେହ,ମାୟା,ହୃଦୟ ସ୍ୱର୍ଗୀୟ ଧନ,
ଜନନି ଗୋ ! କୃପା କରି କରୁ ତୁହି ଵିତରଣ ।

ଜ୍ଞାନ, ଵିଦ୍ଯା, ସୁଖ, ଭାଗ୍ଯ, ଯାହା କିଛି ମନୁଷ୍ୟତ୍ଵ
ଜନନି ! ପ୍ରସାଦେ ତଵ, ଅନୁଭଵେଁ ସାରତତ୍ତ୍ଵ ।

ଵିଦ୍ଯାହୀନ, ଶକ୍ତିହୀନ, ଦୀନହୀନ, ଅକିଞ୍ଚନ
ଆହା ମା ! କି ଦେଇ ମୁହିଁ ବନ୍ଦିବି ଗୋ ତୋ ଚରଣ ?

ଆତ୍ମଶକ୍ତି ଅନୁସାରେ କରୁଛି ମା ତୋ ବନ୍ଦନା,
ନ ବୁଝିଲି ପାଷଣ୍ଡ ମୁଁ ଏହା ଏକ ଵିଡ଼ମ୍ବନା ।

ଦେଇ ମା ଗୋ ! ଭକ୍ତିପୁଷ୍ପ ସେଵିବି ଚରଣ ତୋର
ହେଉ ପଛେ ସେ ସୁମନ ଗନ୍ଧହୀନ ଅସୁନ୍ଦର ।

ଏତିକି ପ୍ରାର୍ଥନା ମାତଃ ! କରୁଅଛି ବାରେ ବାରେ,
ଜୀଵନ ଅନ୍ତିମ କାଳ ଗତ ହେଉ ତୋ ସେଵାରେ ।

ଏଠାରେ କଵିଙ୍କର ଜନନୀ “ଉତ୍କଳ ଭାଷା” ଆମ୍ଭ କଳିଙ୍ଗ ଦେଶର ରାଷ୍ଟ୍ରଭାଷା ଓଡ଼ିଆ ଅଟେ । ଓଡ଼ିଆ ଭାଷାର ଅନେକ ନାମ ମଧ୍ୟରେ ଏକ ନାମ ଉତ୍କଳ ଭାଷା ଅଟଇ । ଯଥାର୍ଥରେ କଵି ଉତ୍କଳଭାଷାକୁ ମାତା ମାନ୍ଯ କରି ତାଙ୍କର ଆଵାହନ କରୁଛନ୍ତି । ନିଜର ପ୍ରିୟ ମାତାଙ୍କୁ ପାଖରେ ପାଇଲେ ସେ ତାଙ୍କର ପୁଷ୍ପ ଦ୍ଵାରା ପୂଜା କରିଵେ ଏହା କଵିଙ୍କ ମନର ଇଛା । କଵି ଲେଖକଙ୍କ କ୍ଷେତ୍ରରେ ପୁଷ୍ପ ହେଉଛି ଗଳ୍ପ, କଵିତା, ପ୍ରବନ୍ଧ, ଉପନ୍ୟାସ, ଏକାଙ୍ଗିକା ଇତ୍ୟାଦି ସାହିତ୍ୟ ସମ୍ବନ୍ଧୀୟ ଉପାଦାନ ଯହିଁ ବଳରେ ଗୋଟିଏ ଭାଷା ସାହିତ୍ୟ କ୍ଷେତ୍ରରେ ପରିପୃଷ୍ଟ ହୋଇଥାଏ ।

ଵ୍ଯାସକଵି ସେଥିପାଇଁ ଲେଖିଲେ
“ଦେଇ ମା ଗୋ ! ଭକ୍ତିପୁଷ୍ପ ସେଵିବି ଚରଣ ତୋର
ହେଉ ପଛେ ସେ ସୁମନ ଗନ୍ଧହୀନ ଅସୁନ୍ଦର ।”

ଏଠାରେ ପ୍ରକୃତରେ କଵି କହୁଛନ୍ତି ଯେ, ସାହିତ୍ୟ ସର୍ଜନା ରୂପ ଭକ୍ତି ଓ ଗଳ୍ପ, କଵିତା, ଉପନ୍ୟାସ ଇତ୍ୟାଦି ପୁଷ୍ପ ପ୍ରଦାନ କରି ହେ ଉତ୍କଳ ଭାଷା ମାତା, ମୁଁ ଚରଣ ସେଵିବି ତେଣିକି ତାହା ପାଠକ ସମାଜରେ ଵରଂ ଆଦୃତ ନହେଉ, କିନ୍ତୁ ଆଜୀଵନ ଲେଖିଚାଲିଵି ।

କୌଣସି ଭାଷାକୁ ମାତା ଜ୍ଞାନ କରି ଏଭଳି ବନ୍ଦନା ସାରା ଵିଶ୍ଵରେ ଵିରଳ ଅଟେ । ସେଇଥିପାଇଁ ତ କୁହାଯାଏ ଯେ ସହସ୍ର ଵର୍ଷରେ ଜଣେ ଵ୍ଯାସକଵି ଧରାପୃଷ୍ଠରେ ଅଵତରଣ କରନ୍ତି । ଆଜି ପୁଣି ଓଡ଼ିଆ ଭାଷା ପାଇଁ ହିନ୍ଦୀ ସଂକଟ ହୋଇ ଦେଖା ଦେଇଛି । ଆଉ ଜଣେ ଵ୍ଯାସକଵି ଲୋଡୁଛନ୍ତି ଉତ୍କଳ ଭାଷା ମାତା !

ହେ ଅମର ଆତ୍ମା !  ପୁଣିଥରେ ଅଵତାର ନିଅନ୍ତନି କଳିଙ୍ଗୋତ୍କଳେ ?

ଉପସ୍ଥାପନା: ଶିଶିର ସାହୁ ମନୋଜ

Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago