ଲେଖା: ଦେଵ ତ୍ରିପାଠୀ
୧୪୩୫ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ ପ୍ରାୟ ୧୫୪୦ ଖ୍ରୀଷ୍ଟାବ୍ଦରେ ଶେଷ ହୋଇଥିବା ଓଡିଶା ଇତିହାସର ଗାରିମାମୟ ସୂର୍ଯ୍ୟବଂଶୀ ରାଜାମାନଙ୍କ ଶାସନକାଳର ବହୁ ଅନୁଶାସନ ବା ଖୋଦିତ ଲେଖା ଦକ୍ଷିଣ ପଶ୍ଚିମବଙ୍ଗରୁ ଆରମ୍ଭ କରି ଦକ୍ଷିଣରେ ତାମିଲନାଡୁର ଦକ୍ଷିଣ ଆର୍କଟ ଜିଲ୍ଲା ପର୍ଯ୍ୟନ୍ତ ଏବଂ ଆନ୍ଧ୍ରପ୍ରଦେଶର Warangal, କୁର୍ଣ୍ଣୁଲ ଆଦି ଜିଲ୍ଲାମାନଙ୍କରେ ଆବିଷ୍କୃତ ହୋଇଛି ।
ଶ୍ରୀକାକୁଲମ ଜିଲ୍ଲାର ଶ୍ରୀକୁର୍ମମନ୍ଦିର, ମୁଖଲିଙ୍ଗର ମଧୁକେଶ୍ୱର ମନ୍ଦିର, ସୀମାଞ୍ଚଳର ଲକ୍ଷ୍ମୀ ନୃସିଂହ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ପୂର୍ବ ଗୋଦାବରୀର ଦ୍ରାକ୍ଷାରାମ ମନ୍ଦିର ପ୍ରଭୃତିରେ ଖୋଦିତ ଲେଖାମାନ ଆମ ପ୍ରଜାବତ୍ସଳ ରାଜନ୍ୟବର୍ଗର ମହାନତାର ସ୍ବାକ୍ଷର ବହନ କରନ୍ତି ।
କୃଷ୍ଣା ଜିଲ୍ଲାର କୋଣ୍ଡପଲ୍ଲୀ ପର୍ବତ, ଗୁଣ୍ଟୁର ଜିଲ୍ଲାର କୋଣ୍ଡବିଡୁ ପର୍ବତ ଶିଖରର କ୍ଷୁଦ୍ର ଶିଳାଲେଖ ସମେତ ଅଧିକାଂଶ ଖୋଦିତଲେଖରେ ଦେବାଳୟ ଗୁଡ଼ିକରେ ପୂଜିତ ଦେବାଦେବୀଙ୍କ ପୁଷ୍ପସେବା ଓ ମଣୋହି ପାଇଁ ସେବାୟତମାନଙ୍କ ନିମନ୍ତେ ଦାନ; ଗୋଚରଭୂମିରୁ ଏବଂ ସର୍ବସାଧାରଣଙ୍କୁ ଭୂଭାଗ ଉପରୁ ଖଜଣାଛାଡର ବ୍ୟବସ୍ଥା, ଲୁଣ ଓ କଉଡ଼ିରୁ କରଛାଡର ବ୍ୟବସ୍ଥା ସମ୍ବନ୍ଧରେ ଉଲ୍ଲେଖ ରହିଛି ।
ତେବେ ଏହି ରାଜନ୍ ଗଣ କରଛାଡ ଅବା ଦାନଦକ୍ଷିଣା ଦେଇ ନିଜର କର୍ତ୍ତବ୍ୟ ଶେଷ ସମାପନ କରି ନାହାଁନ୍ତି, ବରଂ ବେଦଶାସ୍ତ୍ରଜ୍ଞ, ସବଂଶଧର ବ୍ରାହ୍ମଣ ମାନଙ୍କୁ ତାମ୍ରଫଳକରେ ଦାନଭୂମିର ପରିସୀମା ନିର୍ଦ୍ଦେଶପୂର୍ବକ ରାଜପ୍ରାପ୍ୟ ସମସ୍ତ ପ୍ରକାର କରଛାଡ କରି, ଦାନକରି, ଭବିଷ୍ୟତ ରାଜା/ଶାସକମାନଙ୍କୁ ଉକ୍ତ ଦାନ ଲଂଘନ ନ କରିବା ନିମନ୍ତେ ବିନମ୍ର ପ୍ରାର୍ଥନା କରି ନିଜ ମହନୀୟ ଦାତାପଣର ପରିଚୟ ଦେଇଛନ୍ତି !
ଏ ବାବଦରେ ଆମ୍ଭେ ଦୂରକୁ ନ ଯାଇ ପ୍ରଫେସର କୁଞ୍ଜବିହାରୀ ତ୍ରିପାଠୀଙ୍କ ଗବେଷଣା ଶ୍ରୀମନ୍ଦିରର ଜୟବିଜୟ ଦ୍ଵାରର ଦକ୍ଷିଣ ପାର୍ଶ୍ଵସ୍ଥ ଶିଳାଲେଖକୁ ଧ୍ୟାନଦେବା:
୧. ବୀର ଶ୍ରୀ ଗଜପ୍ତି ଗଉଡେଶ୍ୱର ନବକୋଟୀ-କର୍ଣ୍ଣାଟ-କଳବରଗେଶ୍ୱର ପ୍ରତାପ କପିଳେଶ୍ୱର,
୨. ଦେବ ମହାରାଜାଙ୍କର ବିଜେ ରାଜ୍ୟେ ସମସ୍ତ ୩୦ଅଙ୍କ ଗ୍ରାହୀ କକଡା ସୁ୧୩ ଗୃବାରେ ଶ୍ରୀପୁରୁ,
୩. ସୋତମ କଟକେ ଦକ୍ଷିଣ ଘରେ ମାଜଣା ମଣ୍ଡପେ ବିଜେ ସ୍ମୟେ ଅବଧାରିତ ଆଗ୍ୟାଂ,
୪. ହୋଇଲା ମୁଦଲେ ଭୋ ଶ୍ରୀଜଗର୍ନାଥ ମୋହୋର ବାହିଜା ଅଭ୍ୟନ୍ତର ସମସ୍ତ ତୁ ଜାଣୁ,
୫. ମୋହୋର ଯେତେ ରତନ ପଦାର୍ଥ ଅଛି ସେ ତୋହୋର । ଏହାର ଆବର ଆନ ଧନ,
୬. ମେ ଅଛି ମୁଇ ବ୍ରାହ୍ମଣ ହାଥରେ ତାହା ଯେତେ ଦେଇପାରଇ ତାହା ଦେବି,
୭. ଏ ଭୂମିଖଣ୍ଡ ତୁଂ ଯାହାକୁ ଅନୁଗ୍ରହ କରୁ/ମୋହୋର ସେ କେବେ ନୁହେଁ/
ଆଉରି ମଧ୍ୟ,
୧. କପିଳେଶ୍ଵରଙ୍କ ୪୧ ଅଙ୍କରେ ଜୟବିଜୟ ଦ୍ଵାରରେଖୋଦିତ ଶିଳାଲେଖରେ ୫ ଜଣ ମହାପାତ୍ର ତାଙ୍କ ଦ୍ଵାରା ପ୍ରଦତ୍ତ ୧୪ଶହ ରତ୍ନପ୍ରଦାର୍ଥ ମାଜଣା ମଣ୍ଡପେ ମହାପ୍ରଭୁଙ୍କ ପାଇଁ ସମର୍ପଣ କରିଥିବା ଉଲ୍ଲେଖ ଅଛି ।
୨. ଖ୍ରୀଷ୍ଟାବ୍ଦ ୧୫୫୮ରେ ଗୁଣ୍ଟୁର ଜିଲ୍ଲା ବାପତଲାଠାରେ ଆବିଷ୍କୃତ ବେଲିପଲନି ତାମ୍ର ଶାସନରେ ରାଜା ତାଙ୍କ କୋଠଦେଶରୁ ୧୨୦ଜଣ ବ୍ରାହ୍ମଣ ଙ୍କୁ ଜାଗେଶ୍ୱରପୁର, ବେଲମାପୁର, କପିଳେଶ୍ୱର ଏ୩ ଶାସନ ଦାନ କରିଥିବା ଉଲ୍ଲେଖ ଅଛି ।
୩. କପିଳେଶ୍ଵର ଦେବଙ୍କ ୧୯ ଅଙ୍କର ଜୟବିଜୟ ଦ୍ଵାରସ୍ଥ ଶିଳାଲେଖରେ ସେ ମଲିକା-ପରୀମ ବିଜୟନଗରର ବୀର ମଲ୍ଲିକାର୍ଜୁନଙ୍କ ସେନାକୁ ଜୟ କରି ଉତ୍କଳକୁ ଫେରି ଆସି ରଘୁନାଥ ନରେନ୍ଦ୍ରଙ୍କ ଅନୁରୋଧରେ ‘ପୁଣ୍ଡରୀକ୍ଷ ଭୋଗ’ ଶ୍ରୀ ଜଗନ୍ନାଥଙ୍କ ପାଇଁ ଛାଡ଼ି ଦେବାର ଉଲ୍ଲେଖ କରିଛନ୍ତି ।
ଉଲ୍ଲିଖିତ ଶିଳାଲେଖ ରୁ କିଛି ଏପରି:
ସେ ଅନୁମାନେ ମୋ ବିଚାର,
ଯେ କିଛି ଦ୍ରବ୍ୟ ଅଛି ମୋର II
ପ୍ରାଣତନୟ ଆଦି ଯେତେ,
ଏ ରାଜବିଭୂତି ସହିତେ II
ଅପରେ ଚତୁରଙ୍ଗ ବଳ,
ସମର୍ପି ଅଛି ମୁଁ ସକଳ II
(୪/୨୨/୫୪)
ତୁ ଅନ୍ତର୍ଯ୍ୟାମୀ ଜଗନ୍ନାଥ
ତୋର ଏ ଦେହ ଏ ଜଗତ II
ଅଧିକ କି କହିବି ଆଉ
କିସ କରିବି ଆଜ୍ଞା ହେଉ II
(୧୦/୧୫/୩୯)
ବୀରଶ୍ରୀ ଗଜପତି ଗୌଡେଶ୍ୱର କପିଳେଶ୍ଵର ଦେଵଙ୍କ ପରେ ଶାସ୍ତ୍ରଜ୍ଞ ଓ କବିତ୍ୱର ଅଧିକାରୀ ପୁତ୍ର ପୁରୁଷୋତ୍ତମ ଦେଵ ୧୪୬୭ ଖ୍ରୀଷ୍ଟାବ୍ଦରେ ରାଜ୍ୟଭାର ଗ୍ରହଣ ପରେ ସାମ୍ରାଜ୍ୟକୁ ଅକ୍ଷୁର୍ଣ୍ଣ ରଖିଥିଲେ । ପିତାଙ୍କ ପରି ପ୍ରଜାବତ୍ସଳ ରାଜାଙ୍କ ବିଶେଷଣର ଅଧିକାରୀ ନ ଥିଲେ ମଧ୍ୟ ପୁରୁଷୋତ୍ତମ ସମାଜରେ ବ୍ରାହ୍ମଣମାନଙ୍କ କର୍ତ୍ତବ୍ୟ ପ୍ରତି ଯଥେଷ୍ଟ ସଚେତନ ଥାଇ ସେମାନଙ୍କୁ କୌଣସି ପ୍ରକାରେ ଉତ୍ପୀଡନ ନ କରି ସେମାନଙ୍କ ପ୍ରତି ବଦାନ୍ୟତା ପ୍ରଦର୍ଶନ ପାଇଁ ଓଡ଼ିଶା ର ଭବିଷ୍ୟତ ରାଜା ଓ ଶାସକମାନଙ୍କୁ ଅନୁରୋଧ କରିଯାଇଛନ୍ତି । ସେଇ ପ୍ରଜାପ୍ରାଣ ସମର୍ପିତ ରାଜନ୍ୟଙ୍କ ୨୭ଟି ଖୋଦିତ ଲେଖ ମଧ୍ୟରୁ ପୁରୀ ଶ୍ରୀମନ୍ଦିର ଜୟବିଜୟ ଦ୍ଵାରର ଦକ୍ଷିଣ ପାର୍ଶ୍ଵସ୍ଥ ଗଜପତି ପୁରୁଷୋତ୍ତମ ଦେବଙ୍କ ୧୯ଶ ଅଙ୍କର ଶିଳାଲେଖ ଏ ପ୍ରସଙ୍ଗରେ ଉଲ୍ଲେଖନୀୟ:
“ବୀରଶ୍ରୀ ଗଜପତି ଗୌଡେଶ୍ୱର ନବକୋଟି କର୍ଣ୍ଣାଟାଧୀଶ କଳବରଗେଶ୍ୱର ପ୍ରତାପ ଶ୍ରୀ ଗଜପତି ପୁରୁଷୋତ୍ତମ ଦେଵ ମହାରାଜାଙ୍କର ବିଜୟ ରାଜ୍ୟେ ସମସ୍ତ ୧୯ଅଙ୍କ ଶ୍ରାହି ସିଂହ ଶୁକ୍ଳ ୮ ଗୁରୁବାରେଂ ବାରଣାସୀ କଟକେ ଶ୍ରୀନଅର ଗୋପାଳପ୍ରିୟ ଜଗତିର ଦକ୍ଷିଣ ମେଢ଼ରେ ବଡ଼ଅବକାସେ ସମସ୍ତ ବେହେରା-ମହାପାତ୍ର-ପାତ୍ର ସନିମିଶ୍ର ଖଟନ୍ତି, ବୁଢାଲେଙ୍କା ସମସ୍ତଙ୍କ ମୁକାବିଲାରେ ଆଇଗାଂ ହୋଇଲା . .
ଶୁଣୀଂ ଦେଖି ଏ ପୃଥିବୀ ଯେତେକାଳ ଥାଇ ତେତେକାଳ ଏ ଓଡ଼ିଆ ରାଜ୍ୟର (ରାଜାମାନଙ୍କୁ ତିଆରୁ ଅଛୁ) ସବୁ ରାଜାମାନେ ବ୍ରାହ୍ମଣ ଙ୍କୁ ଦାନଦେବା ଶାନ୍ତିପୂର୍ବକ ମନଯୋଗ କରି ଧନ-ସ୍ତ୍ରୀ-ପ୍ରାଣ-ରାଜ୍ୟ ଏଇ ଚାରି କଥାରେ କେବେହେଁ ବ୍ରାହ୍ମଣଙ୍କୁ ନିଯୋଗ ନ କରିବ/
ଏଇ ୪ କର୍ମରେ ନିଯୋଗିଲେ ବ୍ରାହ୍ମଣ ଜାଗକର୍ମ ହିଁ ସେ କରଇ କ୍ଷାଳନ କରଇ ମୁଁ ଶତଧା . .
(ଅ)ନେକତିଆ ରାଜ୍ୟ ଜାତ୍ରଧି ମାନଙ୍କୁ ଆଦେଶବଚନ ଲଂଘନ କରି, ଯେ ଅନାଆନ କରଇ ସେ ଜଗନ୍ନାଥଙ୍କୁ ଦ୍ରୋହ କରଇ,
ସେ ମହାପାତକ ସମସ୍ତ ପାତକକଲାର ଫଳ ପାଇ,
ସବୁ ହେ ଏକଥା ଦୃଢ଼ କର
ମନରେ ଆମ୍ଭର ଉପଦେଶ ଧାରଣ କର ।
ସ୍ବାଭାବିକ ବା ସ୍ବଭାବଜ ଗୁଣକୁ ଭିତ୍ତି କରି ସମାଜକୁ ୪ ଭାଗରେ ବିଭକ୍ତ କରିବା କଥା ଯେପରି ମହାପୁରୁ ଗୀତାରେ କହିଛନ୍ତି –
ଶମୋ ଦମସ୍ତପଃ ଶୌଚଂ କ୍ଷାନ୍ତିଃ ସ ଆର୍ଜନାମ୍ ଏନଚ ।
ଜ୍ଞାନଂ ବିଜ୍ଞାନମ୍ ଆସ୍ତିକ୍ୟଂ ବ୍ରହ୍ମକର୍ମ ସ୍ବଭାବଜମ୍ ।। ୧୮.୪୦୨ ଭଗବଦ୍ ଗୀତା ।
ଯଦିଚଂ ଯାଜନମ୍ ଅଧ୍ୟୟନମ୍ ଅଧ୍ୟାପନାମ୍ ଦାନ ପ୍ରତଗ୍ରହଃ – ଏହା ବ୍ରାହ୍ମଣଙ୍କ କର୍ମଯାରି ଶାସ୍ତ୍ରରେ ମଧ୍ୟ ଲିଖିତ ।
ମହାରାଜା ଙ୍କ ଉପଦେଶ ଉଲ୍ଲିଖିତ ଗୁଣକର୍ମ ସେଇ ବିଶିଷ୍ଟ ବ୍ରାହ୍ମଣ ବ୍ୟକ୍ତିମାନଙ୍କ ପ୍ରତି ପ୍ରଯୁଜ୍ୟ ।”
ମହାରାଜା ପୁରୁଷୋତ୍ତମ ଦେଵ ବାଲେଶ୍ଵର ଜିଲ୍ଲାର ଗରହପଡା ତାମ୍ରପଟା ଦ୍ଵାରା ପଣ୍ଡିତ ପୋତେଶ୍ୱର ଭଟବ୍ରାହ୍ମଣଙ୍କୁ ୧୪୦୮ ବାଟୀ ବିଶିଷ୍ଟ ପୁରୁଷୋତ୍ତମପୁର ଶାସନ ଦାନ କରିଛନ୍ତି !
ବୀରଶ୍ରୀ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ଅନ୍ତେ ପୁତ୍ର ପ୍ରତାପରୁଦ୍ର ଦେବ ଏ ଓଡ଼ିଶା ଭୂଖଣ୍ଡର ଅଧିପତି ହୋଇ, ଶତ୍ରୁମାନଙ୍କୁ ଜୟ କରି ପିତାଙ୍କ ସାମ୍ରାଜ୍ୟର ବହୁଅଂଶ ଉଦ୍ଧାର କରିଥିଲେ । ଦକ୍ଷିଣରେ ପିତାଙ୍କ ସାମ୍ରାଜ୍ୟ ର କୋଣ୍ଡପଲ୍ଲୀ, କୋଣ୍ଡବିଡୁ ଏବଂ ଉଦୟଗିରି ଦୁର୍ଗକୁ ଅଧିକାର କରିଥିଲେ !
ପ୍ରତାପରୁଦ୍ର ଦେବଙ୍କର ୧୯ଟି ଅଭିଲେଖ ତାଙ୍କ ବଦାନ୍ୟତାର ଗାରିମା ବହନ କରେ । ସେଗୁଡ଼ିକ ମଧ୍ୟରୁ କେତେକ ଓଡ଼ିଆରେ, କେତେକ ସଂସ୍କୃତ ଏବଂ କେତେକ ତେଲୁଗୁରେ ଲିଖିତ ! ତେବେ ଏ ମଧ୍ୟରୁ ନେଲୋରରୁ ପ୍ରାପ୍ତ ମହାରାଜାଙ୍କ ରାଜତ୍ଵର ୧୬ଶ ବର୍ଷରେ ବ୍ରାହ୍ମଣଙ୍କୁ ପ୍ରଦତ୍ତ ଶାସନ ପଟାଟିର ବିବରଣୀ ଉଲ୍ଲେଖନୀୟ । ବ୍ରିଟିଶ ଐତିହାସିକ ବଟ୍ଟରୱର୍ଥ ଓ ଭାରତୀୟ ଗବେଷକ ଚେଟ୍ଟିଙ୍କ ସମ୍ପାଦନାରେ ଏହା ପ୍ରକାଶ ପାଇଥିଲା ୧୯୦୫ ବର୍ଷରେ । ଗବେଷକଦ୍ଵୟ ଉଭୟ ଓଡ଼ିଆ ଓ ତେଲୁଗୁ ମିଶ୍ରିତ ଭାଷାରେ ଉତ୍କୀର୍ଣ୍ଣ ଏହି ଅନୁଶାସନଟି ସୂର୍ଯ୍ୟବଂଶୀ ଗଜପତି ପ୍ରତାପରୁଦ୍ର ଦେବଙ୍କର ବୋଲି ଅଭିହିତ କରିଛନ୍ତି ।
“ବୀରଶ୍ରୀ ଗଜପତି ଗଉଡେଶ୍ୱର ନବକୋଟି କର୍ଣ୍ଣାଟ କଲୁବରିଗେଶ୍ୱର କାକେତରୁଦ୍ର ବେଙ୍କଟରାୟ ଶ୍ରୀ ପ୍ରତାପରୁଦ୍ର ଦେବୁ ମହାରାଜାଙ୍କରୁ ବିଜୟରାଜ୍ୟେ କାକୋଲିତିମା ପଣ୍ଡିତୁଲକୁ ଧୀଲ୍ଲା ଧର୍ମଶାସନ ପଟ ସମସ୍ତ ୧୯ଶାଙ୍କ ଶ୍ରୀହି ମକର କୃଷ୍ଣ ୩୦ ମୋ ଚେଲୁପୁକୋଣ୍ଡ କଟକାୟୀନି ଅର୍ଦ୍ଧୋଦୟ ପୁଣ୍ୟକାଲାନ ଶ୍ରୀହସ୍ତା xxx xxx xxx ନ ଭୋଜ୍ୟା ନ କରଗ୍ରାହ୍ୟା ବିପ୍ରଦତ୍ତା ବସୁନ୍ଧନ୍ତରା . . . “
“ଉକ୍ତ ତାମ୍ରପଟାରେ ମହାରାଜା ପ୍ରତାପରୁଦ୍ର ଦେବ ନାକୋଲିତମ୍ମା (ପ୍ରକାରାନ୍ତରେ କାକୋଲିତମ୍ମା) ପଣ୍ଡିତଙ୍କୁ ଅର୍ଦ୍ଧୋଦୟ ଅର୍ଥାତ୍ ମକରମାସ ରବିବାର ଶ୍ରବଣାନକ୍ଷତ୍ରେ ସୂର୍ଯ୍ୟଙ୍କ ଉଦୟକାଳ ପୁଣ୍ୟ ବେଳାରେ ବେଲୁପୁକୋଣ୍ଡାରେ କଟକାର କରିଥିବା ସମୟେ ଅଡର୍କ ଦଣ୍ଡପାଟରେ ଗୁଣ୍ଡିମଡ୍ଡା ଗ୍ରାମଦ୍ଵୟ ସ୍ବହସ୍ତରେ ପାଣି ଛାଡ଼ି ଦାନକରିଛନ୍ତି” ।
ସୂର୍ଯ୍ୟବଂଶୀ ଗଜପତି ରାଜାମାନଙ୍କ ବଦାନ୍ୟତାରେ ଗାରିମା ଏ ମାଟିର ଇତିହାସକୁ ସ୍ବର୍ଣ୍ଣିମ କରିଛି ନିଶ୍ଚୟ !
ତଥ୍ୟ ସହାୟତା:
1. The History of the Gajapati King of Orissa and their successors, Prabhat Mukherjee;
2. The Evolution of Oriya Language and Script, Dr. Kunja Bihari Tripathy;
3. Inscriptions of Suryabanshi Gajapatis of Orissa, Dr. R. Subramaniam;
4. “ସମାଜ”, ୮ ଜୁଲାଇ, ୧୯୯୪