ଲେଖା: ଦେଵ ତ୍ରିପାଠୀ
ରାଜନୀତିକ କିମ୍ବା ପ୍ରାକୃତିକ ଓଡ଼ିଶାରୁ ନିଜକୁ ମୁକ୍ତ ରଖି ଉତ୍କଳୀୟ ଭିତ୍ତିଚିତ୍ର ପରମ୍ପରା କଥାଟିକୁ ଚର୍ଚ୍ଚା କଲେ, ମନେହୁଏ ଏହା ମହାଭାରତୀୟ ସ୍ରୋତ ବହନ କରୁଥିବା ନଦୀଟିଏ । ଏହାର ଏକଧାରା ଦକ୍ଷିଣ ଭାରତର କାଞ୍ଜିବରମ୍, ତାଞ୍ଜାଭୁର, ତିରୁମଲ୍ଲାଇ, ତ୍ରିପୁନ୍ତାକମ୍, ଵାରାଙ୍ଗଲ୍, ଆନେଗୁଣ୍ଡି, ତିରୁଭଲ୍ଲୁର୍, ବିଜୟନଗର, ତ୍ରିଚିଲାପଲ୍ଲୀ ଇତ୍ୟାଦି ମନ୍ଦିରର ଭିତ୍ତିଚିତ୍ର ଏବଂ ଗୁଜରାଟ, ମାଲବାର, ରାଜସ୍ଥାନ, ଅଜନ୍ତା ତଥା ତିବ୍ବତୀୟ ମଠମାନଙ୍କ ଚିତ୍ରଶୈଳୀକୁ ଅନୁଶୀଳନ କରିଥିବା ଅନୁମାନ କରାଯାଏ । ବିଷ୍ଣୁଧର୍ମ ସମ୍ବନ୍ଧୀୟ ପୁରାଣଗୁଡିକରେ ବର୍ଣ୍ଣିତ ଚିତ୍ରକୌଶଳ ଏବଂ ଅନ୍ୟାନ୍ୟ ପୁରାତନ ଶାସ୍ତ୍ରମାନଙ୍କରୁ ନିର୍ଯ୍ୟାସ ଆହରଣ କରି ମୌଳିକ ପ୍ରୟୋଗ ଦ୍ଵାରା ଜନ୍ମହୋଇଛି ଉତ୍କଳୀୟ ଶୈଳୀ ।
ଆଞ୍ଚଳିକ ପ୍ରାକୃତିକ ଉପାଦାନ ଯଥା ଚୂନ, ବେଲ ଅଠା, ବବୁଲ ଅଠା, ବିରି ଅଠା, ଗୁଡ଼, ଛଣଗୁଣ୍ଡ, ହିଙ୍ଗୁଳ, ହରିଡ଼ା, ଷଢେ଼ଇକଳା, ନୀଳ, ଖଡ଼ି ଇତ୍ୟାଦି ଜୈବିକ ପଦାର୍ଥର ଉପଯୋଗ ଦ୍ଵାରା ଏହାର ସ୍ବକୀୟତା ବେଶ୍ ବାରିହୋଇଯାଏ ।
ବାସ୍ତୁକଳା (ମନ୍ଦିର, ମଠ, ପ୍ରାସାଦ, ସ୍ମୃତି ପୀଠ ଇତ୍ୟାଦି)ର ସୌନ୍ଦର୍ଯ୍ୟ ବର୍ଦ୍ଧକ ଉତ୍କଳୀୟ ଭିତ୍ତିଚିତ୍ର ପ୍ରାଚୀନ ଗୁମ୍ଫାଚିତ୍ର ଠାରୁ କେନ୍ଦୁଝର ସୀତାବିଞ୍ଜ, ଆନ୍ଧ୍ର ପ୍ରଦେଶର ଶ୍ରୀକୁର୍ମମ୍ ପର୍ଯ୍ୟନ୍ତ ପରିବ୍ୟାପ୍ତ ।
କାଳକ୍ରମେ ଏହା ଛୋଟବଡ଼ ଗଡ଼ଜାତ ଅଞ୍ଚଳରେ ମଠ, ମନ୍ଦିର ଓ ରାଜପ୍ରାସାଦରେ ଆଦୃତ ହୋଇଛି । ତନ୍ମଧ୍ୟରୁ ପାରଳାଖେମୁଣ୍ଡି, ଚିକିଟି ଚୈତନ୍ୟ ମଠ, ଧରାକୋଟ ଜଗନ୍ନାଥ ମନ୍ଦିର, ରାଜଉଆସ, ବୁଗୁଡ଼ା ବିରଞ୍ଚିନାରାୟଣ ମନ୍ଦିର, ପୁରୀର ଏମାର ମଠ, ଗଙ୍ଗାମାତା ମଠ, ବଡ଼ ଓଡ଼ିଆ ମଠମାନଙ୍କରେ ଦେଖିବାକୁ ମିଳୁଥିବା ଭିତ୍ତିଚିତ୍ର ଉଲ୍ଲେଖନୀୟ । ସେହି ସଂସ୍କୃତିର ଏକ ସମାନ୍ତରାଳ ଧାରା ଗଣଜୀବନର ପର୍ବପର୍ବାଣୀ, ବିବାହ ମହୋତ୍ସବରେ ମଧ୍ୟ ପ୍ରତିଫଳିତ ହୋଇଛି । ଉତ୍କଳୀୟ ନାରୀ ଚିତ୍ରକର ଓ ରୂପକାରମାନେ ଝୋଟି, ଚିତା, ମୁରୁଜ, ପଟ୍ଟରେ ଏହି ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି ।
ଶାସ୍ତ୍ରୀୟ ସୌନ୍ଦର୍ଯ୍ୟବୋଧରେ ଶ୍ରୀକୁର୍ମମ୍ ଭିତ୍ତିଚିତ୍ର ସହ ଉତ୍କଳୀୟ ଶୈଳୀର ସାମଞ୍ଜସ୍ୟ, ପାରସ୍ପରିକତା ଏବଂ ପ୍ରଭାବ ଗବେଷଣାର ଅପେକ୍ଷା ରଖେ । ବିଶେଷତଃ ପୁଞ୍ଜି, ଧଡି, ବାହ୍ୟରେଖ ଦ୍ଵାରା ଚରିତ୍ରଗୁଡିକର ସ୍ପଷ୍ଟତା, ଅଙ୍ଗସୌଷ୍ଠବ, ପରିପାଟୀ ଓ ଅଳଙ୍କାର ଚୟନରେ ସୂକ୍ଷ୍ମ ତର ସାମଞ୍ଜସ୍ୟ ଲକ୍ଷଣୀୟ ଓ ଉପଭୋଗ୍ୟ । ଶ୍ରୀକୁର୍ମମର ଦଶାବତାର, କୃଷ୍ଣଲୀଳା ଓ ରତିବନ୍ଧ ବିଷୟବସ୍ତୁ ଆଧାରିତ ଅସଂଖ୍ୟ ଭିତ୍ତିଚିତ୍ର ସେହି ଉଜ୍ଜ୍ୱଳ ଉତ୍କଳୀୟ ପରମ୍ପରାର ସ୍ମାରକୀ ।
ଆଧୁନିକ କାରିଗରୀ ଦ୍ଵାରା ମୋନାଲିସାର ହସ ସହ ଅଜନ୍ତା, ଏଲୋରା ଭିତ୍ତିଚିତ୍ରରେ ଅନୁରୂପ ବିଦ୍ୟା ଉପଯୋଗ କରାଯାଇ ଅନେକ ଲୁକ୍କାୟିତ ତଥ୍ୟ ଲୋକଲୋଚନକୁ ଆସୁଥିବା ବେଳେ ଉତ୍କଳୀୟ ଶୈଳୀରେ ଅନୁରୂପ ପ୍ରୟୋଗ ଆଶାନୁରୂପ ହୋଇପାରି ନାହିଁ । ଅନ୍ୟାନ୍ୟ ଶୈଳୀ ପରି ଏହି ଭିତ୍ତିଚିତ୍ରର ସଂରକ୍ଷଣ, ଅନୁଶୀଳନ ଏବଂ ବିଦଗ୍ଧ ଆଲୋଚନା ପ୍ରତ୍ୟେକ ରସପିପାସୁ ଚିତ୍ର ରସିକଙ୍କ ଦାୟିତ୍ବ ନୁହେଁ କି ?