ଉପସ୍ଥାପନା: ଦେଵ ତ୍ରିପାଠୀ
ଅଚିହ୍ନା ପିଲାଟିଏ । ଚିହ୍ନି, ଜାଣି, ବୁଝି କିଏ ତାକୁ ନାଁ ଦେଇଛନ୍ତି ଭୀମ । ସୀମିତ ଦିଗବଳୟ, ଅଭିଳାଷଶୂନ୍ୟ ଜୀବନ । ଦିନରାତିର ସୀମାରେଖା ଅସ୍ପଷ୍ଟ । ପିତାମାତାଙ୍କ ସମର୍ଥନ ନାହିଁ, କିମ୍ବା ତା’ ଅଭାବରୁ ତଳେ ପଡିଯିବାର ଆଶଙ୍କା, ଭୟ କି ବିପଦ ନାହିଁ । ନିରବ ନିର୍ଭୀକତାର ରାଜୁତି ଓ ସେଥିରେ ରାଜାରାଜଧିରାଜଙ୍କ ଆକ୍ରମଣର ଆଶଙ୍କା ନାହିଁ, କିମ୍ବା ଆକ୍ରାନ୍ତ ହେବାର ବିଭୀଷିକା ନାହିଁ ।
ବେପରୁଆ ପିଲା ଭୀମ । ଶତୃମିତ୍ରର ପ୍ରଶ୍ନ ନାହିଁ । ସବୁ ଏକାକାର । ଦାନବ, ମାନବ ଓ ଦେବତାର ପାର୍ଥକ୍ୟ ନାହିଁ । ସଙ୍କଟ, ସମ୍ପତ୍ତି କ’ଣ ସେ ଜାଣେନା, ବୁଝେନା । ଅନ୍ତରର ସତ୍ୟକୁ ସତ୍ୟ ବୋଲି ସେ ଭଜିନି, ବରଂ ସେଇ “ସତ୍ୟ” ସେ ପିଲା ପାଖକୁ ଆସିଯା’ନ୍ତି ଅଯାଚିତ ଗୁରୁ ଭାବେ । ହାତମୁଠାରେ ସେ ସତ୍ୟ, ଜୀବନର ସତ୍ୟ । କେହି କହିନାହିଁ କି କାହାଠାରୁ ଶୁଣିନାହିଁ । ଆର୍କିମେଡିସଙ୍କ ୟୁରେକା ପରି ସେ ‘ସତ୍ୟ ପାଇଛି’ ‘ସତ୍ୟ ପାଇଛି’ କହି କହି ଧାଇଁ ଯାଉଛି । ସର୍ବତ୍ର ଓ ସମସ୍ତଙ୍କ ପାଇଁ ସତ୍ୟକୁ ପଦାରେ ପକାଇବାକୁ ହେବ । ସମସ୍ତେ ସତ୍ୟ ପାଲଟିଯିବେ, ସୁଧୁରିଯିବେ । ସେ ଅସମ୍ଭବ ଭାବେ ବ୍ୟାକୁଳ । ହୃଦୟର ଝର ଫିଟିଯାଇଛି । ଛୁଆଠାରୁ ବୁଢା ଯାଏଁ ଜଣ ଜଣ କରି ସଭିଙ୍କୁ କହିଚାଲିଛି ସେ ଭୀମ । କେହି ଜଣେ ହେଲେ ତ ଶୁଣିବେ ।
ସାନ ସାନ ପିଲାଙ୍କ ଆଗରେ ସତ୍ୟର ମଶାଲ ଦେଖାଇଛନ୍ତି ଭୀମ, ସତ୍ୟର ଉପାସକ ସନ୍ଥ ଭୀମଭୋଇ । ଡାକିହାକି କହିଛନ୍ତି, ପିଲେ ଖେଚଡ ବୁଦ୍ଧି ଛାଡ଼ । ସତ୍ୟ ପଥରେ ଚାଲ । ବେଳହୁଁ ବ୍ରହ୍ମଜ୍ଞାନ ଭଜିଲେ ମହୀମଣ୍ଡଳରେ ରହିବାକୁ ଖାଇବାକୁ ମିଳିବ । ଅନ୍ୟାୟ କରନାହିଁ । ଆମର ତ ଅଜ୍ଞାନ ବୁଦ୍ଧି, ଚଞ୍ଚଳ ମତି ଆମେ, ଖେଚଡ ବୁଦ୍ଧି ଆମର । ଖଜାଭୁଜା, ଭାତମିଠାରେ ଆମର ଆନନ୍ଦ । ପିଲାଙ୍କ ଉତ୍ତର ଶୁଣି ଶୁଭକଲ୍ୟାଣ ଦେଇ ସେଠୁ ବାହୁଡ଼ି ଆସିଛନ୍ତି ଭୀମ ।
ଦୁ଼ଃସାହସୀ ଯୋଦ୍ଧା ସେ ଭୀମ । ପିଲାଏ ନ ଶୁଣିଲେ ମଧ୍ୟ ସତ୍ୟର ପସରା ଧରି ସେ ଥୋଇଛନ୍ତି ଛୁଆଙ୍କ ମା’ଙ୍କ ପାଖରେ । ମା ସତ୍ୟ ପାଳିଲେ ପିଲେ ସତ୍ୟବାଦୀ ହେବେ । କିନ୍ତୁ ଏ କୌଶଳ କାମ କରିନି । ଆମେ ତ ସ୍ତ୍ରୀଜାତି । ଋତୁମତରେ ଚାଲି ନପାରୁ । ଜ୍ଞାନ ଜାଣୁନା, ଜାଣୁ କେବଳ ସଙ୍ଗମସୁଧା, ଆୟ ଅଳଙ୍କାର ଆମେ ଅଙ୍ଗରେ ଲଗାଇ ଖାଇବା ପିଇବା ଜାଣୁ । ତେଲହଳଦୀ ଲଗାଇ ଯୁବାତନୁ ଧରି ଏ ବୟସରେ ରତିସୁଖ ନ ଭୋଗିଲେ ଜୀବନ ବୃଥା ହେବ ଯାହା । ସ୍ତ୍ରୀମାନେ ବୁଝିଲେ ନାହିଁ ।
ସନ୍ଥକବି କିନ୍ତୁ ଥକି ଯାଇନାହାନ୍ତି, ଡରି ଯାଇନାହାନ୍ତି, ପଛେଇନାହାନ୍ତି । ବିପଦକାଳେ ସଭିଏଁ ବୁଢାଙ୍କ ବଚନ ଘେନୁଥିଲେ । ତେଣୁ ବୁଢାଙ୍କୁ ବୁଝାଇ ବସିଲେ ସନ୍ଥକବି । ଏ କଳିକାଳରେ ଶୂନ୍ୟରୁ ଦେହଧାରୀ ଭାବେ ଆସିଛନ୍ତି ମହିମାଗୁରୁ । ତାଙ୍କୁ ଆଶ୍ରା କଲେ ଭବସାଗରୁ ପାର ହୋଇପାରିବ । ଏହାଶୁଣି ବୃଦ୍ଧମାନେ କହିଲେ, ଆମର ସମୟ ଗଲାଣି, ଦେହରୁ ବଳବୀର୍ଯ୍ୟ ଗଲାଣି, ମହିମା ଭଜିବାର କଥା ଆଗରୁ ତ ଶୁଣା ନଥିଲା । ବେଦଶାସ୍ତ୍ରରେ ନାହିଁ । ବାପଅଜା, ବଡବଡେ କେହି ଏ ବାଟରେ ଧାଇଁନାହାନ୍ତି । ପିତୃପିତାମହ ପିଣ୍ଡ ପାଣି ପାଇବେ ନାହିଁ । ମରିଗଲେ ଅଶୁଦ୍ଧ ହେବୁ, ଭୂତପ୍ରେତ ବୋଲାଇବୁ । ପ୍ରାଣପଛେ ଯାଉ ଆମେ ମହିମା ନ ଭଜୁ । ତୁମ୍ଭେ ଜିଅ ଆମେ ପଛେ ମରିବୁ ।
ଉପେକ୍ଷିତ ଭୀମ; ସନ୍ଥକବି ତଥାପି ଅପେକ୍ଷାରେ ଅଛନ୍ତି । ସାହସର ସହିତ ସତ୍ୟକୁ ସମସ୍ତଙ୍କୁ ଧରାଇଦେବାର ଦୁଃସାହସିକ କାମରେ ଯୋଦ୍ଧା ସାଜିଛନ୍ତି ସେ । ରାଜାପ୍ରଜା, ବ୍ରାହ୍ମଣଚଣ୍ଡାଳ, ନୀଚଉଚ୍ଚ ସଭିଙ୍କୁ ଜଣ ଜଣ କରି ବୁଝାଇ ଚାଲିଛନ୍ତି । ଗାଳିମନ୍ଦ ଖାଇଛନ୍ତି ଖୀରସ୍ତାନ ବୋଲି । ଭୋଗିଛନ୍ତି ଦୁର୍ଦ୍ଦଣ୍ଡ ଦୁଃଖ । ସତ୍ୟ ଧର୍ମ ସତ୍ୟ ଧର୍ମ ବୋଲି ନିନ୍ଦା ସେ ସହିଛନ୍ତି । ଅବଧୂତ ଅବଧୂତ ବୋଲିବାରୁ ଲୋକେ କହିଛନ୍ତି ବାବନାଭୂତ । ଅଣାକାର ଅଣାକାର ବୋଲିବାକୁ କେହି ସାଥୀରେ ନାହାଁନ୍ତି । ନିଷ୍କାମ ନିଷ୍କାମ କହିବାରୁ ଲୋକେ ମାରି ଗୋଡାଇଛନ୍ତି । ନିର୍ବେଦ ନିର୍ବେଦ ବୋଲିବାକୁ କହିବାରୁ ଲୋକେ ବାଦ କରିଛନ୍ତି । ନାମଭଜ ନାମଭଜ କହିବାରୁ ଲୋକେ ମୁହଁ ଫେରାଇଛନ୍ତି । ମହିମା ମହିମା ବୋଲିବାକୁ ଲୋକେ ବିଷ ମଣିଛନ୍ତି । ଅରୂପା ଅରୂପା ବୋଲିବାରୁ ଲୋକେ ନାକ ଟେକିଛନ୍ତି । ଅଜପା ଅଜପା ବୋଲିବାରୁ ସେ ହୋଇଛନ୍ତି ଅଚ୍ଛବ । ଏକାଙ୍ଗ ଭକତି ବୋଲିବାକୁ କହି ପାଇଛନ୍ତି ଅରକ୍ଷିତର ଆଖ୍ୟା ।
କେତେ ଗାଳିନିନ୍ଦା ସହିନାହାନ୍ତି ଭୀମ ! ଅପେକ୍ଷା ଆଶାରେ ପାଇଛନ୍ତି ଚରମ ଉପେକ୍ଷା । ଅପେକ୍ଷା ଓ ଉପେକ୍ଷାର ଘେର ଭିତରେ ସେ କିନ୍ତୁ ଛାଡ଼ି ନାହାନ୍ତି ସତ୍ୟାଦି ମୂଲ୍ୟବୋଧ । ସେ ଯେ ଭୀମ । ଦୁଃଖତାପରେ ଜର୍ଜରିତ ଜନଜଗତର ଆର୍ତ୍ତିମୋଚନ ପାଇଁ ତାଙ୍କ ପ୍ରାଣ ଆଜି ବ୍ୟାକୁଳ ।
ମାତ୍ର ଭୀମ ମଣିଷ ଜଣେ, ନିଜେ ପୋଡ଼ି ପାଉଁଶ ହୋଇଯିବେ ପଛେ, ବିଶ୍ୱବ୍ରହ୍ମାଣ୍ଡ ରକ୍ଷା ପାଉ । ସମସ୍ତିଙ୍କ ମଙ୍ଗଳରେ ବ୍ୟକ୍ତିର ମଙ୍ଗଳ, ସମସ୍ତିଙ୍କ କଲ୍ୟାଣରେ ବ୍ୟକ୍ତିର କଲ୍ୟାଣ ।
“ଏ ଜଗତ ଜନ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ ?” ଜଗତଜନ ଶାନ୍ତ, ସ୍ନେହ, ସମତା, ମମତାରେ ବାନ୍ଧି ହୋଇ ରହିଲେ ବ୍ୟକ୍ତିର ଜୀବନ ମଧୁମୟ ହୁଏ । ଜଙ୍ଗଲ ପୋଡ଼ିଗଲେ ଗଛର ଅସ୍ତିତ୍ବ ରହେନା । ବ୍ରହ୍ମାଣ୍ଡ ସୁରକ୍ଷିତ ହେଲେ ପିଣ୍ଡ ପଲ୍ଲବିତ ହୁଏ । ତେଣୁ ଭୀମ ଚିନ୍ତାକଲେ, ଅନ୍ୟାୟ ଅତ୍ୟାଚାରର ଗରଳ ସେ ପିଇଯିବେ । ଶୋଷଣ କଷଣର ବିଷରେ ସେ ପାରିହେବେ, ନର୍କଗାମୀ ହେବେ, କେବଳ ଏଇଥିପାଇଁ ଯେ ଜଗତ ଉଦ୍ଧାର ପାଉ, ବିଶ୍ୱବାସୀ ରକ୍ଷା ପାଆନ୍ତୁ ଭେଦ, ବାଦ, ଛଳରୁ . . । ତାଙ୍କରି କଣ୍ଠରେ ପ୍ରତିଧ୍ୱନିତ ହୁଏ ସେଇ କାଳଜୟୀ କାରୁଣ୍ୟର ବାଣୀ ଓ ଆତ୍ମୋତ୍ସର୍ଗର ମନ୍ତ୍ର . .
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ II”
ନିଜକୁ ନାୟକ କରି ଏକ କାବ୍ୟିକ ଆଧ୍ୟାତ୍ମିକ ଜୀବନଚରିତ “ସ୍ତୁତି ଚିନ୍ତାମଣି” ଲେଖିବାରେ ସନ୍ଥକବି ଭାରତରେ ପ୍ରଥମ ।
ଏ କବି ଜଙ୍ଗଲରେ ଜନ୍ମ ହୋଇ ନିଜକୁ ଆବିଷ୍କାର କରିଛନ୍ତି ସଂସଦ ଭବନରେ, ଜାତିସଂଘ କାନ୍ଥରେ ।
ସେ ଏ ଦେଶର ଶ୍ରେଷ୍ଠ କବି, ମହାକବି, ସନ୍ଥକବି, ଚିରସ୍ମରଣୀୟ କବି, ସଦାପୂଜନୀୟ କବି, ଜାତିସଂଘ ଦ୍ଵାରା ସମ୍ମାନିତ କବି, ନିଜ ମାଟିର ଅଲୋଡା କବି ।
ଜଗତର କଷଣରେ ଅପ୍ରମିତ ଦୁଃଖୀ ଏଇ ସନ୍ଥକବି ନିଜ ପାଇଁ ନର୍କଭୋଗ ଓ ଜଗତ ଉଦ୍ଧାରର ପ୍ରାର୍ଥନା, ଏ କାଳରେ କାହାକୁ କିପରି ବୋଧ୍ୟ ହେବ ତାହା ତର୍କସାପେକ୍ଷ । କିନ୍ତୁ ସବୁରି ଉର୍ଦ୍ଧ୍ବରେ ଜଣେ ମହାନ୍ ସନ୍ଥପୁରୁଷର ଉଚ୍ଚତା ଓ ଅଭୀପ୍ସାର ସ୍ବଚ୍ଛରୂପ ଓ ବିଗ୍ରହର ବିଭୂତି ଆମ ସମୟ ଓ ପିଢ଼ି ପ୍ରାପ୍ତ ହୁଅନ୍ତେ ଭଲା ।