ଲେଖା: ଅଂଶୁମାନ ମହାରଣା

~ ସାମ୍ପ୍ରଦାୟିକ ପନ୍ଥବାଦୀ ଚେତନା ଓ ଉତ୍କଳଗୌରବ ମଧୁସୂଦନ ଦାସ ~
ଓଡ଼ିଆ ଜାତୀୟତାବାଦର ଭୀଷ୍ମ ପିତାମହ ଭାବରେ ପରିଚିତ ଶ୍ରଦ୍ଧେୟ ମଧୁବାବୁ ଖଣ୍ଡବିଖଣ୍ଡିତ ଉତ୍କଳ ଜନନୀକୁ ଏକତ୍ର କରାଇବା ଲାଗି ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ, ସେଇ ସଂଗ୍ରାମ କାରଣରୁ ଜୀବିତ ଅଛି ଓଡ଼ିଆ ବିଶେଷଧାରୀ ଜାତି । ଅସ୍ତିତ୍ୱ ହରାଇ ବିଚ୍ଛିନ୍ନାଂଚଳ ପାଲଟି ଯାଇଥିବା ଓଡ଼ିଶାକୁ ପୂର୍ଣ୍ଣାଙ୍ଗ ଋପ ପ୍ରଦାନ କରିବାରେ ସେ ସଫଳ ହେଲେ ସତ ମାତ୍ର ସେଇ ପୂର୍ଣ୍ଣାଙ୍ଗ ଓଡ଼ିଶାକୁ ସ୍ୱଚକ୍ଷୁରେ ଦେଖିବା ତାଙ୍କ ଭାଗ୍ୟରେ ନଥିଲା । ୦୪ ଫେବୃଆରୀ ୧୯୩୪ ମସିହାରେ ଇହଧାମ ତ୍ୟାଗ କରିଥିଲେ ମଧୁବାବୁ । ଉତ୍କଳ ଗୌରବ ଭଳି ମହାନ ଯଶ ଉପାଖ୍ୟଧାରୀ ହେଲେ ସିନା କିନ୍ତୁ ତାଙ୍କର ସାମ୍ପ୍ରଦାୟିକ ପନ୍ଥବାଦୀ ଚେତନାକୁ ସୃଷ୍ଟି ହୁଏ ପ୍ରଶ୍ନବାଚୀ । ଉତ୍କୃଷ୍ଟ କଳାର ଦେଶ ଉତ୍କଳ, ଯାହାର ମୁରବୀ ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ । ମାତ୍ର ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ ହିନ୍ଦୁ ସାଂସ୍କୃତିକ ପରମ୍ପରାର ଗନ୍ତାଘର ପବିତ୍ର ଉତ୍କଳ ମାଟିର ନବନିର୍ମାଣର ସୁତ୍ରଧର ଉତ୍କଳଗୌରବ ମଧୁସୂଦନ ଦାସ ପରିତ୍ୟାଗ କରିଥିଲେ ହିନ୍ଦୁ ଧର୍ମ । ଖ୍ରୀଷ୍ଟିଆନ ଧର୍ମାନ୍ତରିତ ହୋଇଥିଲେ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ । ଯଦିଓ ନୈଷ୍ଠିକ ମୌଳବାଦୀ ମାନେ ମଧୁବାବୁଙ୍କୁ ବିରୋଧ କରି ଏହି ପ୍ରସଙ୍ଗରେ ଓଡ଼ିଆ ଜାତୀୟତାବାଦୀ ମାନଙ୍କୁ ଘେରିଥାନ୍ତି ତଥାପି ବି ଓଡ଼ିଆଙ୍କ ମନରେ ଆଜିବି ଏହି ପ୍ରଶ୍ନ ଉଙ୍କିମାରେ ଏମିତି କଣ ହେଲା ଯେଉଁଥି ପାଇଁ ମଧୁବାବୁ ଗ୍ରହଣ କରିଥିଲେ ଖ୍ରୀଷ୍ଟଧର୍ମ ?

ମଧୁବାବୁ କାହିଁକି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ, ଏ ସମ୍ପର୍କରେ ସବିଶେଷ ବିବରଣୀ ମିଳେ ଐତିହାସିକ ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ଶତାବ୍ଦୀର ସୂର୍ଯ୍ୟ ଗ୍ରନ୍ଥରେ । ଅତ୍ୟନ୍ତ ଧର୍ମନିରପେକ୍ଷବାଦୀ ମଧୁବାବୁଙ୍କ ମତରେ ମାନବିକତାର ବିକାଶରେ ଯାହା ସହାୟକ ହୁଏ ତାହା ହିଁ ଧର୍ମର ପ୍ରକୃତ ସଂଜ୍ଞା । ଇଂରେଜ ମାନଙ୍କ ଓଡ଼ିଶା ଆଗମନ ପୂର୍ବରୁ ଯେବେ ଉଭୟ ମୋଗଲ ଓ ମରହଟ୍ଟା ମାନଙ୍କ ଦ୍ୱାରା ଶାସିତ ହେଉଥିଲା, ସେମାନଙ୍କର ଅତ୍ୟଧିକ ନୈଷ୍ଠିକ ଧର୍ମାନ୍ଧତା ସାଜିଥିଲା ଓଡ଼ିଶା ପାଇଁ ମହାକାଳ । ପଠାଣ ସୁଲତାନ, ମୋଗଲ ଶାସକ ମାନେ ଅଣମୁସଲମାନଙ୍କ ଠାରୁ ଯେଉଁ ଜିଜିଆ ତୀର୍ଥଯାତ୍ରୀ କର ନେଉଥିଲେ ସେଥିରୁ ବାଦ ପଡ଼ିନଥିଲା ପୁରୀ ଶ୍ରୀମନ୍ଦିର । ଛତ୍ରପତି ଶିବାଜୀଙ୍କ ଦେହାବସାନ ପରେ ଅତ୍ୟନ୍ତ ସ୍ୱେଚ୍ଛାଚାରୀ ହୋଇ ପଡ଼ିଥିବା ମରହଟ୍ଟା ମଧ୍ୟ କର ଆଦାୟରେ ପଠାଣ ମୋଗଲଙ୍କୁ ବଳି ପଡ଼ିଥିଲେ । ଫକୀରମୋହନଙ୍କ ଲଚ୍ଛମା ଉପନ୍ୟାସରେ ମରହଟ୍ଟା ମାନଙ୍କ ଅଠରନଳା ଘାଟିରେ ହେଉଥିବା କର ଆଦାୟ ସମ୍ପର୍କରେ ସୂଚନା ମିଳେ । ଅବଶ୍ୟ ସେସମୟରେ ସମଗ୍ର ହିନ୍ଦୁକୂଳ ମଧ୍ୟ କୁସଂସ୍କାର ଭିତରେ ବୁଡ଼ି ରହିଥିଲା । ଏଣେ ଇଂରେଜ ମାନେ ବି ଚଢାଦରରେ କର ନେବା ଆରମ୍ଭ କରିବାରୁ ଓଡ଼ିଶାର ଅର୍ଥନୀତିରେ ପଡ଼ିଥିଲା ପ୍ରତିକୂଳ ପ୍ରଭାବ । ନଅଙ୍କ ଦୁର୍ଭିକ୍ଷର କରାଳ ଦୃଶ୍ୟ ମଧୁବାବୁଙ୍କୁ ବ୍ୟଥିତ କରିଥିଲା । ଓଡ଼ିଶାର ଅର୍ଥନୀତିରେ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ପାଇଁ ସୁଲତାନ, ମୋଗଲ ଏବଂ ମରହଟ୍ଟା ମାନଙ୍କୁ ଦାୟୀ କରିଥିଲେ । ଉଭୟ ଧର୍ମର ଧର୍ମାନ୍ଧତାକୁ ଗଭୀର ଭାବରେ ଘୃଣା କରିଥିଲେ ମଧୁବାବୁ । ଧାର୍ମିକ କୁସଂସ୍କାର ମଧୁବାବୁଙ୍କ ମନରେ ଆଙ୍କି ଦେଇଥିଲା ସାମ୍ପ୍ରଦାୟିକ ପନ୍ଥବାଦ ପ୍ରତି ଖରାପ ଚିତ୍ର ।

ଖ୍ରୀଷ୍ଟଧର୍ମ ପ୍ରତି ମଧୁବାବୁଙ୍କର ଆଗ୍ରହ ବଢେ ବାଲେଶ୍ୱରରେ ଶିକ୍ଷକତା କରୁଥିବା ସମୟରେ । ଉଚ୍ଚଶିକ୍ଷା ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ମାତ୍ର ଦୁଇ ଟଙ୍କା ଦରମାରେ ଶିକ୍ଷକତା କରୁଥିବା ମଧୁବାବୁ ଗଡ଼ଗଡ଼ିଆ ଘାଟରେ ସନ୍ଧ୍ୟା ବେଳିଆ ଯେଉଁ ଆଲୋଚନାରେ ବସୁଥଲେ ସେଇଥିରୁ ଖ୍ରୀଷ୍ଟଧର୍ମ ସମ୍ପର୍କରେ ସକରାତ୍ମକ ଅବଗତ ହୋଇଥିଲେ । କଲିକତାରେ ଏଫ୍‌,ଏ. ପଢୁଥିବା ସମୟରେ ମଧୁସୂଦନ ଗୁରୁ ଅମ୍ବିିକା ପ୍ରସାଦ ହାଜରାଙ୍କ ସହ ନିୟମିତ ଯାଉଥିଲେ ବାଇବେଲ କ୍ଲାସ । ତାଙ୍କୁ ବହୁବାର ଖ୍ରୀଷ୍ଟିଆନ ହେବା ପାଇଁ ଗୁରୁ ଅମ୍ବିିକା ପ୍ରସାଦ ପରାମର୍ଶ ଦେଇଥିଲେ । ସେତେବେଳର କୁସଂସ୍କାରଗ୍ରସ୍ତ ହିନ୍ଦୁ କୂଳକୁ ଚଟକଣା ପକାଇବା ପାଇଁ ଖ୍ରୀଷ୍ଟଧର୍ମ ଗ୍ରହଣ ଏକ ଉଦ୍ଦେଶ୍ୟ ମୂଳକ ଉପଚାର ମାତ୍ର । ଖ୍ରୀଷ୍ଟଧର୍ମ ଗ୍ରହଣ ସେ ସମୟରେ ଏକ ଫେଶନ ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଏଫ୍‌,ଏ. ପାସ କରି ବି.ଏ.ରେ ନାମ ଲେଖାଇଥିବା ମଧୁସୂଦନଙ୍କ ଖ୍ରୀଷ୍ଟଧର୍ମ ଗ୍ରହଣ ସମ୍ପର୍କରେ ଉତ୍କଳ-ଦୀପିକାରେ ବାହାରିଥିବା ସମ୍ବାଦ ପଢିବା ପରେ କ୍ଷୁବ୍ଧ ଥିବା ପିତା ଚୌଧୁରୀ ରଘୁନାଥ ଦାସ ପୁତ୍ର ସହ ଯେମିତି ଛିଣ୍ଡାଇ ସାରିଥିଲେ ସବୁ ସମ୍ପର୍କ । ପ୍ରିନସିପାଲ ଜେ ବି ଅଷ୍ଟନ ପିତାମାତାଙ୍କ ଅଜ୍ଞାତସାରରେ ଧର୍ମାନ୍ତରିତ ହେବା ପାଇଁ ଅନୁମତି ନ ଦେବାରୁ ଖ୍ରୀଷ୍ଟିଆନ ହେବା ପାଇଁ ପ୍ରାୟତଃ ମନସ୍ଥ କରି ସାରିଥବା ମଧୁବାବୁ ପରିବାରକୁ ଅବଗତ କରାଇବା ନିମନ୍ତେ ଖ୍ରୀଷ୍ଟଧର୍ମ ଗ୍ରହଣ ନିଷ୍ପତି ନେଇ ପଠାଇଥିଲେ ଚିଠିଟିଏ । ବୋଉ ପାର୍ବତୀ ଦେବୀଙ୍କ ଅନୁରୋଧ କ୍ରମେ ମଧୁସୂଦନଙ୍କୁ ଫେରାଇ ଆଣିବାକୁ କଲିକତା ଯାଇଥିଲେ ଚୌଧୁରୀ ରଘୁନାଥ । ନଛୋଡ଼ବନ୍ଧା ମଧୁସୂଦନ କିଛି ମାନିବାକୁ ନାରାଜ ହେବାରୁ ପିତା ଫେରି ଆସିଥିଲେ ନିଜର ଜ୍ୟେଷ୍ଠପୁତ୍ରକୁ କୁଳାଙ୍ଗାର ଉପାଧି ପ୍ରଦାନ ସହ ତ୍ୟଜ୍ୟପୁତ୍ର କରି । ନିଜ ନିଷ୍ପତିରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ହେତୁ ମଧୁବାବୁଙ୍କୁ ପରିବାର ଠାରୁ ଅଲଗା ହେବାକୁ ପଡ଼ିଥିଲା । ଏପରିକି ସ୍ନେହମୟୀ ଜନନୀ ପାର୍ବତୀ ଦେବୀ ମଧ୍ୟ ପାଖକୁ ଯାଇ ପାରୁନଥିଲେ । ଦୂରରୁ ଦେଖି ଯାଉଥିଲେ ଗ୍ଲେହାପୁଅ ଗୋବିନ୍ଦକୁ ।

ପିତାଙ୍କ ଠାରୁ କୁଳାଙ୍ଗାର ଉପାଧି ପାଇବା ସହ ତ୍ୟଜ୍ୟପୁତ୍ର ହୋଇଥିବା ଖ୍ରୀଷ୍ଟିଆନ ମଧୁସୂଦନ ଯେ ଦିନେ ହିନ୍ଦୁଧର୍ମର ସର୍ବଶ୍ରେଷ୍ଠ ଧାମ ପୁରୀ ଶ୍ରୀମନ୍ଦିରର ଅଧିକାରକୁ ବ୍ରିଟିଶ କବଳରୁ ଛଡ଼ାଇ ଆଣି ପୁଣି ଗଜପତି ମହାରାଜାଙ୍କ ହାତରେ ନ୍ୟସ୍ତ କରିଥିଲେ, ଏ ବିଶ୍ୱାସ ତତକାଳୀନ ଓଡ଼ିଶାରେ କାହାରି ନ ଥିଲା । ପୁରାତନ ଉତ୍କଳ ତଥା ଆଜିର ଓଡ଼ିଶାର ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପୁରୀ ଶ୍ରୀମନ୍ଦିର ଉପରେ ମୋଗଲ ମରହଟ୍ଟା ମାନଙ୍କ ଭଳି ବ୍ରିଟିଶ ସରକାରଙ୍କ ମଧ୍ୟ ପଡ଼ିଥିଲା ଲୋଲୁପ ଦୃଷ୍ଟି । ଇଂରେଜମାନେ ମଧ୍ୟ ରାଜସ୍ୱ ଲୋଭରେ ତତକାଳୀନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ମିଥ୍ୟା ହତ୍ୟା ଅଭିଯୋଗରେ ଫସାଇ କଳାପାଣି ସଜା ପରେ ସହଜରେ ଶ୍ରୀମନ୍ଦିରକୁ ନିଜ ଅଧିକାରକୁ ନେଇଗଲେ ବ୍ରିଟିଶ ସରକାର । ନିକଟରେ ଘଟିଯାଇଥିବା ଝାନସୀ, ଗ୍ୱାଲିଓର ରାଜ୍ୟର ଅବସ୍ଥା ଆଶଙ୍କା କରି ଦିବ୍ୟସିଂହ ଦେବଙ୍କ ମାତା ସୂର୍ଯ୍ୟମଣି ପାଟମହାଦେଈ ତାଙ୍କର ନାବାଳକ ପୁତ୍ର ମୁକୁନ୍ଦଦେବଙ୍କୁ ଗଜପତି ଭାବରେ ରାଜ୍ୟାଭିଷେକ କଲେ । ମାତ୍ର ଏହାକୁ ପ୍ରତ୍ୟାଖ୍ୟାନ କରି ଶ୍ରୀମନ୍ଦିରକୁ ନିଜ ଅଧିକାରକୁ ନେଇ ଜଣେ ରିସିଭରଙ୍କୁ ନିଯୁକ୍ତ କରିଥିଲେ ବ୍ରିଟିଶ ସରକାର । ଇଂରେଜଙ୍କ ଅଧିକାରକୁ ଆସିବା ପରେ ଶ୍ରୀମନ୍ଦିର ପରମ୍ପରା କ୍ଷୁର୍ଣ୍ଣ ହେବାରୁ ଆର୍ଥିକ ଅନଟନ ଦେଇ ଗତି କରୁଥିବା ସୂର୍ଯ୍ୟମଣି ପାଟମହାଦେଈ ମଧୁବାବୁଙ୍କୁ ଅନୁରୋଧ କରିଥିଲେ ଏ କ୍ଷେତ୍ରରେ ଆଇନଗତ ସହଯୋଗ ପାଇଁ । ସିପାହୀ ବିଦ୍ରୋହ, ଝାନସୀ ତଥା ଓଡ଼ିଆ ପୁଅ ଚାଖି ଖୁଣ୍ଟିଆଙ୍କ ପ୍ରସଙ୍ଗ ମଧୁବାବୁଙ୍କ କାନରେ ପଡ଼ିଥିଲା । ତେଣୁ ବିଳମ୍ବ ନକରି କଲିକତା ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ମାମଲା ଲଢିବା ପାଇଁ ବ୍ରିଟିଶ ଓକିଲଙ୍କୁ ନିଯୁକ୍ତି କରିଥିଲେ ଉତ୍କଳଗୌରବ ମଧୁସୂଦନ ଦାସ

କଲିକତା ହାଇକୋର୍ଟରେ ମଧୁବାବୁଙ୍କ ଶ୍ରୀମନ୍ଦିର ପିଟିସନ ଦାଖଲ କରିବା ମାମଲା ଯିଏ ଶୁଣିଲା ସିଏ ତାଙ୍କୁ ପାଗଳର ଆଖ୍ୟା ଦେଲା । ପ୍ରସଙ୍ଗଟି ଥିଲା ହିଁ ସେମିତି, କାହିଁକିନା ବ୍ରିଟିଶ ନିୟନ୍ତ୍ରଣରେ ଥିବା ଅଦାଲତ ଯେ ବ୍ରିଟିଶ ସରକାର ବିପକ୍ଷରେ ରାୟ ଦେବ ଏ ବିଶ୍ୱାସ କାହାର ବି ନଥିଲା । ଶ୍ରୀମନ୍ଦିର ପିଟିସନ ମାମଲା ପ୍ରତି ସମସ୍ତଙ୍କର ସନ୍ଦେହ ଥିବା ବେଳେ କେବଳ ସୂର୍ଯ୍ୟମଣି ପାଟମହାଦେଈଙ୍କ ସମର୍ଥନ ହିଁ ମଧୁବାବୁଙ୍କୁ ଯୋଗାଇଥିଲା ଅସୀମିତ ଆଗ୍ରହ ଓ ଜିଦ । ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଶା ଇତିହାସ ଓ ସଂସ୍କୃତିର ମୂର୍ତିମନ୍ତ ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତି ଅତୁଟ ରହିଥିଲା । ତେଣୁ ଶିକ୍ଷିତ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ତଥା ତାଙ୍କୁ ପାଗଳ ବୋଲି ସମ୍ବୋଧନ କରୁଥିବା ସମସ୍ତଙ୍କ ଉଦ୍ଦେଶ୍ୟରେ ମଧୁବାବୁ ଉତ୍କଳ-ଦୀପିକାର ସମ୍ପାଦକଙ୍କୁ ପତ୍ର ସ୍ତମ୍ଭରେ ଦୁଇଟି ପତ୍ର ପ୍ରକାଶନ କରି ଶ୍ରୀମନ୍ଦିର ପିଟିସନ ସପକ୍ଷରେ ନିର୍ମାଣ କରିଥିଲେ ଆଧାର । ସେକେଣ୍ଡ ହ୍ୟାଣ୍ଡ ତଥ୍ୟ ସଂଗ୍ରହକୁ ଘୃଣା କରୁଥିବା ହେତୁ ସକାଳ ବୁଲା ସମୟରେ ରାସ୍ତାରେ ଗଡୁଥିବା ଛିଣ୍ଡା ଟୁକୁରା କାଗଜ ସବୁକୁୁ ଗୋଟାଇବାରେ ମାହିର ମଧୁବାବୁ ସଂଗ୍ରହ କରୁଥିଲେ ଜନମତ ଗୁଡି଼କର ଅଂଶବିଶେଷ । ଶ୍ରୀମନ୍ଦିର ପିଟିସନ ସପକ୍ଷରେ ସଂଗ୍ରହର ଏହା ଥିଲା ଅନ୍ୟତମ ଉତ୍ସ । ତା ସାଙ୍ଗକୁ ଏହା ଥିଲା ଶ୍ରୀମନ୍ଦିର ପରମ୍ପରା ସପକ୍ଷରେ ଜନଜାଗରଣର ଅନ୍ୟ ଏକ ମାଧ୍ୟମ । ପରିଶେଷରେ କଲିକତା ହାଇକୋର୍ଟରେ ଦୀର୍ଘଦିନ ଧରି ଏହି ମାମଲା ଚାଲିବା ପରେ ଶ୍ରୀମନ୍ଦିର ପାଇଁ ରିସିଭର ନିଯୁକ୍ତି ନେଇ କୌଣସି ଆବଶ୍ୟକୀୟ କାରଣ ନ ଦର୍ଶାଯିବାରୁ ଶ୍ରୀମନ୍ଦିରର ଅଧିକାର ଫେରି ଆସିଥିଲା ଗଜପତି ମହାରାଜଙ୍କ ନିକଟକୁ । ମଧୁବାବୁଙ୍କୁ ପାଗଳର ଆଖ୍ୟା ପ୍ରଦାନ କରିଥିବା ସମାଲୋଚକ ମାନେ ବାଧ୍ୟ ହୋଇଥିଲେ ତାଙ୍କୁ ପ୍ରଶଂସା କରିବାକୁ ।

ପନ୍ଥବାଦୀ ଚେତନାକୁ ନେଇ ମଧୁସୂଦନଙ୍କ ଜୀବନୀ ସମ୍ପର୍କିତ ଦୁଇଟି ଘଟଣା – ପ୍ରଥମରେ ଖ୍ରୀଷ୍ଟଧର୍ମ ଗ୍ରହଣ ଓ ଦ୍ୱିତୀୟରେ ଶ୍ରୀମନ୍ଦିରର ଅଧିକାରକୁ ବ୍ରିଟିଶ କବଳରୁ ଛଡ଼ାଇ ଆଣି ପୁଣି ଗଜପତି ମହାରାଜାଙ୍କ ହାତରେ ନ୍ୟସ୍ତ କରିବା ଘଟଣାକୁ ବିଚାର କଲେ ଏହା ସ୍ପଷ୍ଟ ଦିଶେ ଯେ ଅତ୍ୟନ୍ତ ଧର୍ମନିରପେକ୍ଷବାଦୀ ମଧୁବାବୁ ଘୃଣା କରୁଥିଲେ ଧାର୍ମିକ କୁସଂସ୍କାରକୁ । ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ସୁଦ୍ଧା ନା କେବେ ସେ ଖ୍ରୀଷ୍ଟଧର୍ମର ଧର୍ମର ପ୍ରଚାର ପ୍ରସାର କରିଥିଲେ, ନା କେବେ କୌଣସି ଓଡ଼ିଆଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଇଥିଲେ । କାରଣ ସେ ଜାଣିଥିଲେ ହିନ୍ଦୁ ସଂସ୍କୃତି ଓ ଓଡ଼ିଆ ଜାତି ଗୋଟିଏ ମୁଦ୍ରାର ଦୁଇଟିପାର୍ଶ୍ଵ ପରି । ଅପରପକ୍ଷରେ ଖ୍ରୀଷ୍ଟିଆନ ହୋଇଥିଲେ ସୁଦ୍ଧା ହିନ୍ଦୁ ସଂସ୍କୃତିକୁ ମନରୁ ଅପସୋରି ପାରିନଥିଲେ ମଧୁବାବୁ । ଖ୍ରୀଷ୍ଟିଆନ ପରେ ମଧ୍ୟ ପ୍ରତିଦିନ ମନ୍ଦିର ଦୂରରୁ କୂଳଦେବତା ରାଧାମାଧବ ଏବଂ ଚାଟେଶ୍ୱର ମହାଦେବଙ୍କୁ ଦର୍ଶନ କରୁଥିବାର ଜନଶ୍ରୁତି ଆଜି ବି ସତ୍ୟଭାମାପୁର ଗାଁରେ ଶୁଣିବାକୁ ମିଳେ । କେବଳ ଧାର୍ମିକ କୁସଂସ୍କାରରୁ ନିଜକୁ ନିବୃତ ରଖିବା ପାଇଁ ହିନ୍ଦୁଧର୍ମ ପରିତ୍ୟାଗ କରିଥିବାର ଅନୁଶୋଚନା କରୁଥିବା ମଧୁବାବୁ ନିଜ ଆତ୍ମଜୀବନୀ ପୁସ୍ତକରେ ସ୍ୱୀକାର କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଲା ତାଙ୍କର ଅସୀମ ଭକ୍ତି । ସେହି ଭକ୍ତି ହିଁ ତାଙ୍କୁ ଶକ୍ତି ଯୋଗାଇଥିଲା ଶ୍ରୀମନ୍ଦିର ମାମଲାରେ ବିଜୟୀ ହେବା ପାଇଁ । ଯଦି ମଧୁବାବୁଙ୍କ ପନ୍ଥବାଦୀ ଚେତନାକୁ ବିଚାର କରାଯାଏ ତେବେ ଗୋଟିଏ କଥା ମୁକ୍ତକଣ୍ଠରେ ସ୍ୱୀକାର କରାଯାଇପାରେ “ଖ୍ରୀଷ୍ଟିଆନ ଧର୍ମାନ୍ତରିତ ହୋଇଥିଲେ ସୁଦ୍ଧା ମାନସିକ ଭାବରେ ସଚ୍ଚା ହିନ୍ଦୁ ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ

(Image Courtesy: Ambarish Laddu Mangaraj)

 

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago