ସୌରଭିତ ସୃଷ୍ଟି: ନିତ୍ୟାନନ୍ଦ ମହାପାତ୍ର
ସିପାହୀବିଦ୍ରୋହର ପୁନଃ ଅଭିନୟ, ଇତିହାସର ପୁନଃ ପାରାୟଣ, ସେଦିନ ବମ୍ବେର ବୁକୁ ଉପରେ ଉନ୍ମାଦନା ସୃଷ୍ଟିକଲା ।
“ୟୈ କାଲା ହିନ୍ଦୁସ୍ଥାନୀ, ଏଇ କଳା ଭାରତୀୟମାନେ କେବଳ ମରିଜାଣନ୍ତି ଭୋକର ତାଡ଼ନାରେ, କେବଳ ଗୋଲାମୀ କରିଜାଣନ୍ତି ସ୍ବାଚ୍ଛନ୍ଦ୍ୟର ମୋହରେ . . ଶ୍ଵେତାଙ୍ଗର ଆଜ୍ଞାବହ ହୋଇପାରନ୍ତି ଆପଣା ବୀରତ୍ୱର ମୂଲ୍ୟରେ . . ଅର୍ଥରେ ବିକ୍ରି ହୋଇଯାଏ ଏଇ କାଲା ହିନ୍ଦୁସ୍ଥାନୀ . . . “
ସେଇ କାଲା ହିନ୍ଦୁସ୍ଥାନୀର ନୌବାହିନୀ ଗର୍ଜିଉଠିଲା, ଜାଗିଉଠିଲା ତା’ର ଆତ୍ମାଭିମାନ, ଅବଜ୍ଞା କଲା ସେ ବ୍ରିଟିଶ ଅଫିସରର ହୁକୁମ, ଜବାବ ଦେଲା ସେ ତା’ର ବନ୍ଧୁକର ଆବାଜରେ . .
କଳା ମଣିଷର ମଧ୍ୟ ଆତ୍ମସମ୍ମାନ ଅଛି, ସେ ଜୀବନଠାରୁ ବଡ଼ ମନେକରେ ସମ୍ମାନକୁ . .
୧୯୪୬ର ଏଇ ନୌବିଦ୍ରୋହ ପରିପ୍ରେକ୍ଷୀରେ ଡଗରର ପ୍ରାଣପ୍ରତିଷ୍ଠାତା ତଥା ଓଡିଆ ସାହିତ୍ୟର ଅଗ୍ନିପୁରୁଷ ବାଲେଶ୍ଵର ମାଟିର (ଏବେର ଭଦ୍ରକ) ଗର୍ବ ନିତ୍ୟାନନ୍ଦ ମହାପାତ୍ରଙ୍କ ଅଗ୍ନିବର୍ଷୀ କବିତା ଆର୍. ଆଇ.ଏନ୍,କାଳଜୟୀ ସୃଷ୍ଟି ପଞ୍ଚଜନ୍ୟର ଏକ କବିତା . .
ଲଙ୍ଗର ଉଠା ଲଙ୍ଗର ଉଠା
ଆରେ ଏ ନାବିକ ବୀର,
ସାଗରର ଏଇ ସଂଗ୍ରାମ ଡାକେ
ବମ୍ବେର ବେଳାତୀର ।
ହୁସିଆର ହୁସିଆର ।
ନିନ୍ଦୁକ ବୁକେ ବନ୍ଧୁକ ଦାଗି
ଜିନ୍ଦା କର ଶିକାର II
କଳାର ରକ୍ତ ଗୋରାର ରକ୍ତ
ଏଇ ପ୍ରାନ୍ତରେ ଢାଳି,
ଦେଖିବାରେ ଆଜି କାହାର ରଙ୍ଗେ
କେତେ ଭାଗ ଅଛି କାଳି ।
କରରେ ଖୁନ୍ ଖରାବ୍,
ନିନ୍ଦୁକ ବୁକେ ବନ୍ଧୁକ ଦାଗି
ଦିଅରେ ଦିଅ ଜବାବ୍ II
କୁକୁର କିଏ ପ୍ରଭୁ କିଏ କାର,
କିଏ ମାଲିକ କେ ଦାସ,
କାହାର ହାତରେ ପରାଧୀନ ବେଢି
କା’ହାତେ ଗୋଲାମି ଫାସ ?
ସାବଧାନ ! ସାବଧାନ !
ନିନ୍ଦୁକ ବୁକେ ବନ୍ଧୁକ ଦାଗି
ଜାନ୍ ଦେଇ ନିଅ ମାନ୍ II
ମୁହଁର ରୋଟିକି ଛଡାଇ ନେଇ ସେ
ଦୁର୍ବଳ ଚୁଟି ଧରେ,
ସେଇ ସଇତାନ ବାହାଦୁର ବୋଲି
ଅଲଣା ବଡାଇ କରେ ।
ଚୁପ୍ କର ! ଚୁପ୍ କର !
ନିନ୍ଦୁକ ବୁକେ ବନ୍ଧୁକ ଦାଗି
ଲଙ୍ଗର ଟେକି ଧର !!
ଯେଉଁ ବ୍ରିଟାନିଆ ସାଗରର ଢେଉ
ଶାସିବା ଦର୍ପ ବହେ,
ସଲିଳ ସମାଧି ଭଜୁ ଆଜି ତା’ର
ଇଜ୍ଜତ ନିଜ ମୋହେ ।
ଜାଗ୍ ରେ ଭାଇ ତୁ ଜାଗ
ନିନ୍ଦୁକ ବୁକେ ବନ୍ଧୁକ ଦାଗି
ସମର କ୍ଷେତ୍ରେ ଜାଗ II
କାହାର ନିମକ କିଏ ସେ ଖାଇଛି
ଆରେ ଏ ନିମକ ସଚ୍ଚା,
ରକ୍ତ ଚଖାଇ ଦେଖାଇ ଦେବୁରେ
ପରଖ ଗୋରାର ବଚ୍ଚା,
ଛାଡ଼ରେ ଭାରତ ଛାଡ଼
ନିନ୍ଦୁକ ବୁକେ ବନ୍ଧୁକ ଦାଗି
ମୋ ଦେଶଭୂଇଁରୁ କାଢ୍ II
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…
ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…