ଲେଖା: ବନ୍ଧନ ଦଳେଇ
~ ଆମ ଲୋକସାହିତ୍ୟ ~
“ଚଇତି ସକାଳ ନିର୍ମଳ ଜଳ,
ଜଳେ ହସୁଛନ୍ତି କଇଁ କମଳ ।
ଦଳ ପିମ୍ପୁଡ଼ି ଡାହୁକ ଗର୍ଜନ,
କୁମ୍ଭାଟୁଆ ହୁଁ ହୁଁ କରୁଚି ଶୁଣ ।
ବିଲ ମାଳେ ଗଲେ ଟିଁ ଟିଁ ଗାଇ,
ଜାଲ ନେଇଗଲେ କେଉଟ ରାଇ।”
ଚଇତିଘୋଡ଼ା ଗୀତ ! #ଚଇତିଘୋଡ଼ା ପୂଜା ବା #ଅଶ୍ୱମୁଖୀ#ବାସୁଳୀପୂଜା ପାଳିତ ହୋଇଥାଏ ଓଡ଼ିଶାର କୈବର୍ତ୍ତମାନଙ୍କ ଦ୍ୱାରା । ଏହି ପୂଜାରେ #ଘୋଡ଼ାନାଟ ସହିତ ଗୀତ ବୋଲାଯାଏ । ଚଇତିଘୋଡ଼ା ଗୀତ ! ଆମ ଲୋକସାହିତ୍ୟ ଜଗତର ଏକ ଅନବଦ୍ୟ ଅଂଶ !
ଚୈତ୍ର ପୂର୍ଣ୍ଣିମାଠାରୁ ଅଷ୍ଟମୀ ପର୍ଯ୍ୟନ୍ତ କୈବର୍ତ୍ତ ଭାଇମାନେ ଗ୍ରାମ ଗ୍ରାମ ବୁଲି ଏହି ନାଟଗୀତରେ ବ୍ୟସ୍ତ ରହନ୍ତି । ବାଉଁଶ ଓ ରଙ୍ଗୀନ କନାରେ ତିଆରି ଘୋଡ଼ାକୁ ଜଣେ ଗୀତ ଓ ବାଦ୍ୟର ତାଳେ ତାଳେ ନଚାଏ । ଏଥିରେ ଜଣେ ପୁରୁଷ ଓ ନାରୀବେଶରେ ଅନ୍ୟ ଜଣେ ପୁରୁଷ ବିଭିନ୍ନ ପୌରାଣିକ ଆଖ୍ୟାୟିକାର ଅବଲମ୍ବନରେ ବାଦ୍ୟର ତାଳେ ତାଳେ ଗୀତମାନ ଗାଇଥାନ୍ତି ! କିଛି ଗୀତ ପଲ୍ଲୀମାଟିର କବିଗଣଙ୍କ ରଚିତ କିଛି ଅବା ପିଢ଼ି ପରେ ପିଢ଼ି ଗଡ଼ିଆସିଛି ! ।
‘‘କାହୁଁ ତୁ ଅଇଲୁ ସିପାହି ଭାଇରେ
କେବଣ ଦେଶରେ ଘର
କାହାର ଉପରେ ସବାର ହୋଇଚୁ ସିପାହିରେ
କେବଣ ନାମ ତୁମ୍ଭର ?
ଘଡ଼ିକି ମାଇଲି ଟିପା
ସିଦ୍ଧ ଠାକୁରାଣୀ ଘୋଡ଼ା ଆସିଅଛି, ସିପାହିରେ,
ଦିହଯାକ ସୁନା ଟିପା” !
ଅବଶ୍ୟ ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆମର ଏଇ #ଲୋକପର୍ବ ପାଳିତ ହେଉଥିଲେ ହେଁ, #ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ #ଭଦ୍ରକାଳୀଙ୍କ ପୀଠରେ କାହିଁ କେଉଁ ଅନାଦି କାଳରୁ ପ୍ରଚଳିତ ପବିତ୍ର #ଚଇତିପର୍ବ #ଘୋଡାମେଳଣ ଉତ୍ସବ ପାଳିତ ହୋଇଆସୁଛି । ମା’ ଭଦ୍ରକାଳୀଙ୍କୁ ମା’ #ବାସୁଳୀ ରୂପେ କୈବର୍ତ୍ତ ସମ୍ପ୍ରଦାୟ ମାନି ପାଳନ କରି ଆସୁଥିବା ଏହି ପୂଜା ଅନୁଷ୍ଠିତ ହୁଏ ଏକ ନିଆରା ଢଙ୍ଗରେ ।
କିମ୍ବଦନ୍ତୀ ଅନୁସାରେ, କୈବର୍ତ୍ତ ସମ୍ପ୍ରଦାୟର ଲୋକେ ସମୁଦ୍ରକୁ ମାଛ ଧରିବାକୁ ଯିବା ପୂର୍ବରୁ ଚୈତ୍ରମାସ #ପୂର୍ଣ୍ଣିମା ତିଥିରେ ମା’ ବାସୁଳୀଙ୍କ ଆଗରେ #ଘୋଡ଼ାନାଚ ଆରମ୍ଭ କରିଥା’ନ୍ତି । ଏହି ପର୍ବ #ତାଳଚେରର ମା’ #ହିଙ୍ଗୁଳାଙ୍କ ପୀଠରୁ ଆରମ୍ଭ ହୋଇଥିବାର ବିଶ୍ୱାସ କରାଯାଏ । ବର୍ଷର ଏହି ତିନି ଦିନ କୈବର୍ତ୍ତମାନେ ମାଛମାରିବା ବନ୍ଦକରି ସପ୍ତାହବ୍ୟାପୀ ଘରେ ଘରେ ମା’ ବାସୁଳୀଙ୍କୁ ପୂଜା କରିଥା’ନ୍ତି ।
ପୂର୍ଣ୍ଣିମା ତିଥିର ରାତି ୮ଟା ସମୟରେ ଏହି ୭/୮ ଜଣିଆ ଘୋଡାନାଚ ଦଳ ନିଜ ନିଜ ସାହିରୁ ଶୋଭାଯାତ୍ରାରେ ବାହାରିଥାନ୍ତି । ଭିନ୍ନ ସ୍ବାଦର ବାଦ୍ୟ ସହିତ ଆମ ଲୋକସାହିତ୍ୟ ତଥା ଓଡ଼ିଆ ସଂସ୍କୃତିର ବହୁ ପ୍ରାଚୀନ ଏଇ ଚଇତିଗୀତର ତାଳେ ତାଳେ ନୃତ୍ୟ କରୁଥିବାର ଦୃଶ୍ୟ ସହିତ ଆତସବାଜିର ବର୍ଣ୍ଣାଳୀ ଦର୍ଶକଙ୍କୁ ବିମୋହିତ କରିଥାଏ । ଏଭଳି ଘୋଡାନାଚ ସହିତ ଆତସବାଜି ପ୍ରଦର୍ଶନ ଏହି ପୀଠର ଏକ ନିଆରା ପରମ୍ପରା । ରାତି ୧୧ଟା ବେଳକୁ ପୀଠର ଘୋଡ଼ା ଆସ୍ଥାନ ମଣ୍ଡପରେ ପହଞ୍ଚିବା ପରେ ସାରାରାତି ଉତ୍ସବ ଚାଲୁଥାଏ । ପରଦିନ ୨ଟା ବେଳକୁ ପ୍ରସାଦ ସେବନ ପରେ ଅପରାହ୍ନ ୪ଟା ବେଳକୁ ଘୋଡ଼ା #ଦାଣ୍ଡିଆ ହୁଏ ଏବଂ ପ୍ରତ୍ୟେକ ଦଳ ଆଜ୍ଞାମାଳ ନେଇ ଘରକୁ ଫେରିଥା’ନ୍ତି । ଏହି ଅନନ୍ୟ ମେଳଣରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ସହିତ ସ୍ଥାନୀୟ ପ୍ରଶାସନର ଆନ୍ତରିକ ସହଯୋଗ ଓ ଦାୟିତ୍ବ ବହନ ଏହି ଉତ୍ସବକୁ କରିଦିଏ ଅଧିକ ପ୍ରାଣବନ୍ତ ।
ତେବେ ଆମ କଟକରେ ମଧ୍ୟ ଆଜି ଉଜ୍ଜୀବିତ ଅଛି ଏଇ #ଲୋକସଂସ୍କୃତି, ଆଧୁନିକତାର ଦ୍ଵାହି ଦେଇ କେବେ ଏ ଲୋକପର୍ବ ତା’ର ଅସ୍ତିତ୍ୱ ହରାଇନି ! ବରଂ ଏ ଲୋକପର୍ବଟି ସହିତ ସସମ୍ମାନେ ଗାନ ହେଉଛି ଆମ #ଲୋକଗୀତ ! ଆମ ଲୋକସାହିତ୍ୟ !