ଲେଖା: ଅକ୍ଷୟ ଓଝା
ପ୍ରତ୍ୟକ୍ଷ ଦେବୀ ଆମ ଗାଁ ଠାକୁରାଣୀ । ଗାଁରେ ବିପତ୍ତି ପଡ଼ିଲେ ସମସ୍ତେ ଧାଇଁ ଯାଉଥିଲେ । ଅଧିଆ ପଡି ଯାଉଥିଲେ ମା’ଙ୍କ ଦରବାରରେ । ମା’ ଶାନ୍ତ ହେଉଥିଲେ । ତାପରେ ଗାଁରୁ ହଇଜା, ଝାଡାବାନ୍ତି ରୋଗବୈରାଗ ଦୂର ହେଇଯାଉଥିଲା ବୋଲି ଆମ ଜେଜେ ବାପା ପିଲାଦିନେ ଆମକୁ କହୁଥିଲେ ।
ତେଣୁ ଟିକେ ରୋଗବୈରାଗ ହେଲେ ଗାଁ ମାଇପେ ଗନ୍ଧବଳା, ମନ୍ଦାରଫୁଲ, ଧୂପ, ଦୀପ, ଛେନା, କଦଳୀଚକଟା ଭୋଗ ଦିଆସିଲି ଇତ୍ୟାଦି ଧରି ବୋଉ ପହଞ୍ଚିଯାଏ ନୂଆପଡ଼ା ଠାକୁରାଣୀ ମାଳରେ । ଆମେମାନେ ସାଙ୍ଗହେଇ ଯାଉ । ଆଉ ଯାହା ନାଁରେ ମାନସିକ ହେଇଥାଏ ସେ ଯିବାକୁ ବାଧ୍ୟ । ଏହିପରି ପ୍ରାୟ ସବୁ ସ୍ତ୍ରୀଲୋକ ପୂଜା କରିବାକୁ ଯାଆନ୍ତି ।
ବିଦେଶ ଗଲେ ବୋଉ କହେ, “ମା’ ଲୋ ମା’ ଠାକୁରାଣୀ । ମାେ’ ପୁଅ ଭଲରେ ରହୁ । ଭଲ ଚାକିରୀ କରୁ” । ଦଶଥର ମୁଣ୍ଡିଆ ମାରେ ବୋଉ ଠାକୁରାଣୀ ପାଖରେ । ଗନ୍ଧବଳା ପାଣିରେ ଗାଧୋଇ ଦିଏ ମା’ ଠାକୁରାଣୀଙ୍କୁ । ନୂଆ ନାଲିକାଚ୍ଛିଆ ପିନ୍ଧାଇ ଖୁବ୍ ହାତ ଯୋଡ଼ି ପୁଜା କରେ । ଗାଁ ବାଲାଙ୍କ ଭାରି ବିଶ୍ୱାସ ଠାକୁରାଣୀ ପାଖରେ । ଯିଏ ଯେଉଁଠିକୁ ଯାଏ ଆଗେ ମା’ଙ୍କ ପାଖରେ ଅଧିଆ ପଡେ । ଦର୍ଶନ କରେ । ପୁଣି ନିଡ଼ର ହେଇ ବାହାରି ପଡ଼େ ତା’ ଗନ୍ତବ୍ୟରେ । ବିଦେଶରେ କାହାରି ଦେହ ଖରାପ ହେଲେ ବୋଉ ବାହାରି ପଡ଼େ ଠାକୁରାଣୀ ଗାଧୋଇ ଦେଇ ଶୁଭ ମନାସିବାକୁ । ଅଟଳ ବିଶ୍ୱାସ ଥାଏ ଆମ ଗାଁ ଠାକୁରାଣୀ ପାଖରେ ।
ମନ୍ଦିରରେ ପଣ୍ଡିତ ଥାଆନ୍ତି । ଆମେମାନେ ପ୍ରସାଦ ଓ ଫୁଲ ପସରା ପଣ୍ଡିତଙ୍କ ହାତକୁ ବଢେଇ ଦେଇ ମା’ଙ୍କ ମୂର୍ତ୍ତି ଆଗରେ ଚେକା ଆସନ ପକେଇ ବସିପଡୁ ହାତଯୋଡ଼ି । ପଣ୍ଡିତେ ଖୁବ୍ ଜୋର୍ ଜୋରରେ ମନ୍ତ୍ର ପଢନ୍ତି ମା’ଙ୍କୁ ଗନ୍ଧବଳା ଲଗେଇ ଗାଧେଇ ଦିଅନ୍ତି । ନାଲିବସ୍ତ୍ର ପିନ୍ଧେଇ ଦିଅନ୍ତି । ମନ୍ଦାର ଫୁଲରେ ସଜେଇ ଦିଅନ୍ତି । ଦହିକ୍ଷୀର, ଛେନା, କଦଳୀର ଚକଟା ଭୋଗ ଲଗାଯାଏ ମା’ଙ୍କ ପାଖରେ । ହାତ ଘଣ୍ଟ ବଜେଇ ପଣ୍ଡିତେ ପୂଜାରେ ମଗ୍ନ ହେଇ ଯାଆନ୍ତି । ଆମେମାନେ ଗ୍ଲାସ୍ କିମ୍ବା ବେଲା ନେଇ ମନ୍ଦିର ପଛରେ ବହି ଯାଉଥିବା ମାଆଙ୍କ ଗାଧୁଆ ପାଣିକୁ ଭରି ଆଣୁ । ପଣ୍ଡିତେ କୁହନ୍ତି ଯେ ଯାହାର ମାନସିକ ଥାଏ ସିଏ ଗାଧୋଇବା ପୂର୍ବରୁ ଏହି ପାଣିକୁ ମୁଣ୍ଡରେ ସିଞ୍ଚି ପୁଣି ପୋଖରୀକୁ ଗାଧୋଇବାକୁ ଯାଉ ।
ନୂଆପଡ଼ା ଠାକୁରାଣୀ ମାଳରେ ଥିବା ଆମ ଗାଁ ଠାକୁରାଣୀ କିଶୋରୀ ଦେବୀ ପୀଠରେ ପହଞ୍ଚିଲେ ମନଟା ଭାରି ଭକ୍ତିପୂତ ହେଇ ଯାଏ । ସେତେବେଳେ ମନ୍ଦିର ଚାଳଘର ଥିଲା । ଆଗରେ ପଛରେ ନଡ଼ିଆଗଛ । ଆଉ ମନ୍ଦିରକୁ ଲାଗି ମାଟି ଘୋଡ଼ା ଥୁଆ ହେଇଥାଏ । ଲୋକେ ମାନସିକ ପୁରଣ ହେଲେ ମା’ଙ୍କ ପାଖରେ ଘୋଡ଼ା ଦାନ କରୁଥିଲେ । ଘୋଡ଼ା ଦାନରେ ମା’ କାଳେ ବହୁତ ପ୍ରସନ୍ନ ହେଉଥିଲେ । ସଞ୍ଜକୁ ମା’ଙ୍କ ପୀଠରେ ଆଳତୀ ହୁଏ । ଭକ୍ତ ମାନେ ଅଧିଆ ପଡ଼ି ଯାନ୍ତି ଆଳତୀ ବେଳେ । ଲମ୍ବହୋଇ ଶୋଇ ଯାଆନ୍ତି ମା’ ଙ୍କ ଦରବାରରେ ।
ଏଇ ମାଟି ଘୋଡାକୁ ଦେଖିଲେ ମୋ ମନରେ ସବୁ ବେଳେ ପ୍ରଶ୍ନ ଉଠେ ଏ ଘୋଡ଼ା ମାନେ କ’ଣ ପାଇଁ ? କେଇଥର ବୋଉକୁ ପଚାରି ଥାଏ ଏଇ ଘୋଡ଼ାମାନଙ୍କ ବିଷୟରେ । ଦିନେ ଆମେ ପାଠ ପଢା ସାରି ଦାଣ୍ଡପିଣ୍ଡାରେ ମୁଁ ମୋ ଭାଇ ଓ ସାହିର କେଇଜଣ ପିଲା ବସି ଥିଲୁ । ଗପ ସପ ହେଉଥିଲୁ । ଜହ୍ନରାତି ଥିଲା । ବୋଉ ଆସି ବସି ଗଲା ଆମ ଗହଣରେ । ମୁଁ ସେଇ ପ୍ରଶ୍ନଟି ପଚାରି ଦେଲି । ଠାକୁରାଣୀ ମାଳରେ ରେ ଯେଉଁ ମାଟି ଘୋଡ଼ା ଅଛନ୍ତି ତା’ର ରହସ୍ୟ କଣ ? ବୋଉ ଗପିଲା । ଆମେ ପିଲାଏ ଚୁପ୍ ଚାପ୍ ବସି ଶୁଣିଲୁ ।
ଆମ ଗାଁ ଠାକୁରାଣୀ କିଶୋରୀ ଦେବୀ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ସେମାନେ ତିନି ଭଉଣୀ । ପୂର୍ବକୁ ନୂଆପଡ଼ାରେ। ଠାକୁରାଣୀ ପଶ୍ଚିମରେ ମଉନମୁହିଁ ବଲୁରିଆ ମହଲ କଣରେ ଅବସ୍ଥିତ । ଦକ୍ଷିଣରେ ସାହାଡ଼ାସୁନ୍ଦରୀ ବ୍ରାହ୍ମଣୀ ନଦୀ କୂଳରେ ଅମୃତ ମଣୋହୀ ଗ୍ରାମରେ ଅବସ୍ଥିତ । ଏହା ପରସ୍ପର ଠାରୁ ମାତ୍ର ୩ରୁ ୫କି.ମି. ଦୂରରେ ଅବସ୍ଥିତ ।
ଗଭୀର ରାତ୍ରିରେ ଠାକୁରାଣୀମାନେ ଚଣ୍ଡୀରୂପ ଧାରଣ କରି ଘୋଡ଼ାରେ ସବାରି ହୋଇ ପରସ୍ପର ଘରକୁ ବୁଲି ଯାଆନ୍ତି । ଶାନ୍ତ ଗଭୀର ନିଛାଟିଆ ରାତିରେ ଏକ ଆଲୋକ ପିଣ୍ଡ ସଦୃଶ ଏମାନଙ୍କ ଗତି ପଥ ଦୂରକୁ ଦିଶିଥାଏ । କେହି ଯଦି ନିଶବ୍ଦ ରାତ୍ରିରେ ବାହାରକୁ ଉଠିଥାଏ ସେ ସୌଭାଗ୍ୟବଶତଃ ଏହି ଦୃଶ୍ୟ ଦେଖିଥାଏ ଓ ଘର ଭିତରକୁ ଆସି କବାଟ କିଳିଦିଏ । ଗାଁରେ ହଇଜା ମହାମାରୀ ହେଲେ ସେମାନଙ୍କ ଗମନାଗମନ ଅଧିକ ହେଇଯାଏ ।
ବେଳେ ବେଳେ ଘୋଡ଼ା ଓଲଟି ପଡ଼ିଥିବା ଓ ଚୁଡି ସିନ୍ଦୂର ମନ୍ଦିର ପରିସରରେ ବିଛିନ୍ନ ହେଇ ପଡ଼ିଥିବା ମା’ ଠାକୁରାଣୀଙ୍କ ଗାଁ ଲୋକଙ୍କ ପାଇଁ ଅଶୁଭ ଓ ଗ୍ରାମବାସୀଙ୍କ ଉପରେ ଅଶାନ୍ତି ହେବାର କାରଣ ବୋଲି ପଣ୍ଡିତେ ସୁଚେଇ ଥାଆନ୍ତି । ଗାଁ ଲୋକେ ମିଳିମିଶି ପୂଜା କରି ମା’ଙ୍କୁ ସନ୍ତୁଷ୍ଟ କରନ୍ତି ।
ଆଜିକାଲି ଆଉ ଏତେ ଗ୍ରାମଦେବୀ ପୂଜନ ନାହିଁ । ସମୟ ପରିବର୍ତ୍ତନ ହେଲାଣି । ହିନ୍ଦୁଧର୍ମରେ ପ୍ରତିପାଳିତ ହେଇ ଥିବା ଉଚ୍ଚ ଶିକ୍ଷିତମାନେ ଇଶ୍ଵର ଶକ୍ତିକୁ ଅନ୍ଧବିଶ୍ୱାସ ପ୍ରମାଣିତ କରିବାରେ ଲାଗିଲେଣି । ଆସ୍ଥା ବିଶ୍ବାସକୁ ଥଟ୍ଟାତାମସା କଲେଣି । ସବୁ ପାଶ୍ଚାତ୍ୟ ଧର୍ମ, ବେଶଭୂଷା, ରହିବା ଖାଇବାରେ ପ୍ରେରିତ ହେଲେଣି । ସଞ୍ଜଚଉରା ପୁଜା, ଧାର୍ମିକ ତର୍ପଣ, ସବୁ ବିଲୁପ୍ତପ୍ରାୟ ।
ଦୁନିଆଁ ଯେତେ ବି ବଦଳି ଯାଏ କିନ୍ତୁ ଗ୍ରାମ୍ୟ ପରମ୍ପରା, ଈଶ୍ଵର ବିଶ୍ୱାସ, ପରିବେଶ, ସେଇ ଭଳି ରହିଥିବ । ସମୟ ଆସିବ । ଗ୍ରାମ୍ୟ ପରିବେଶ ଓ ଈଶ୍ୱର ବିଶ୍ଵାସ ଲେଉଟିବ ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…