ଅଲୋଡା ଘର

ଅକ୍ଷୟ ଓଝା

ଆମ ଗାଆଁ ମୁଣ୍ଡରେ ପରିତ୍ୟକ୍ତ ଘରଟିଏ । ଭାଙ୍ଗି ଆସୁଥିବା ମାଟି କାନ୍ଥ । ମାଟି ଖୁପୁରୀରେ ଛାଆ ହେଇଥିବା ଛପର ଜରାଜୀର୍ଣ୍ଣ ଘର ଟିଏ । ଭଗ୍ନ ସ୍ତୁପ ପରି  ଛଡା ହେଇଛି କେଉଁ କାଳରୁ । ଅଲରା ବଲରା ସରୀସୃପଙ୍କ ଆଡ୍ଡା । ପାଖରେ ଖୁବ ଡର ଲାଗେ । ସଂଜରେ ଚେମାଣିଆ ଉଡ଼େ । ଅନ୍ଧାର ହେଲେ ସେ ରାସ୍ତା ଦେଇ ଯିବାକୁ ଡର ଲାଗେ । ଭୂତକୋଠି ଭଳି ଦୃଶ୍ୟ ହୁଏ ଦୂରରୁ । ପରିତ୍ୟକ୍ତ ଘର । ଅଲୋଡା ଘର ।

ଏମିତି କେତେ ଲୋକ ଗାଆଁ ଛାଡ଼ି ସାରିଲେଣି । ଗାଆଁରେ ଆଉ କେହି ରୁହନ୍ତି ନାହିଁ ସେମାନଙ୍କର । ଘର ସେମିତି ଭୁଷୁଡି ଯାଇଛି । ଭୂତକୋଠିରେ ବଦଳି ଯାଇଛି । ସବୁଦିନ ପାଇଁ ପରିତ୍ୟକ୍ତ ହେଇ ଯାଇଛି । ସେମାନେ ସହରରେ ସେମାନଙ୍କର ପରିଚୟ ବନେଇଛନ୍ତି । ଗାଆଁ ସହିତ କୌଣସି ସମ୍ପର୍କ ନାହିଁ ।

“ଗାଆଁ ଓ ମାଆ କେବେ ଅଭିମାନ କରେନା” । ପିଲା ଛାଡ଼ି ଚାଲିଯାଏ କୋଳ, ଗାଁ ଛାଡି ଚାଲିଯାଏ ଗ୍ରାମୀଣ । ସହରୀ ହେଇଯାଏ । ମାଆ  ଅଶ୍ରୁଢାଳେ ଆଉ ଗାଁ ସେମିତି ମାଟିର ପୁଅକୁ ହରେଇ ଉଦାସ ହୁଏ ।

ଏଇଠି ସେମାନଙ୍କ ପୂର୍ବପୁରୁଷ ରହି ଆସୁଥିଲେ । ଗାଆଁ ବାସିନ୍ଦା ଭାବରେ ପରିଚିତ ହେଉଥିଲେ । ଏଇ ଗାଆଁର ପାଣିପବନରେ ବଢିଥିଲେ । ଗାଆଁ ସ୍କୁଲ୍’ରେ ପାଠ ପଢୁଥିଲେ । ଭଲ ପାଠ ପଢ଼ି ଭଲ ଚାକିରୀଟିଏ କରି ସହରରେ ରହିଗଲେ । ରହିଗଲେ ଯେ ରହିଗଲେ । ଆଉ ଫେରିଲେ ନାହିଁ ।  ପଚାରିଲେ କୁହନ୍ତି, ଗାଆଁରେ ଅଛି ଯେ କଣ ? କଣ ପାଇଁ ଗାଁକୁ ଯିବୁ ।ପିଲାମାନେ ଗାଆଁକୁ ପସନ୍ଦ କଲେନାହିଁ । ଜୀବନ ଥିବା ଯାଏ ଏଇ ଗାଆଁରେ ଜନ୍ମ ନେଇଥିବା ଶେଷ ପିଢ଼ି ଯା’ଆସ କରେ । ଆଉ ଚାଲିଗଲା ପରେ ଗାଆଁ ଘର ଭାଙ୍ଗି ସ୍ତୂପରେ ପରିଣତ । ପୁଣି କେହି ଆସନ୍ତିନି ଏଇ ଘରକୁ, ଗାଆଁକୁ ।

ଆଜିକାଲି ସବୁ ଗାଆଁରେ ଦେଖିବାକୁ ମିଳୁଛି ଏ ଘଟଣା ର ଦୃଶ୍ୟ । କରୁଣ ଦୃଶ୍ୟ ଏ । ଗ୍ରାମ ବଂଶ ବିଲୁପ୍ତ କରି ହଜି ଯାନ୍ତି ସହରରେ ।

ଆମ ପିଲା ବେଳେ ଏଇ ଘରଟି ଭାରି ସମ୍ଭ୍ରାନ୍ତ ପରିବାର ଭାବରେ ନାଁ ଥିଲା । ଏଇ ଘରେ ରହୁଥିବା ଶେଷ ବୁଢୀଟି କାଳେ ଭାରି ଗରିବ ଥିଲା । ଅଳ୍ପ ବୟସରେ ତାର ସ୍ବାମୀ ଚାଲିଗଲା ପରେ ଭାରି କଷ୍ଟରେ ଥିଲା ମହିଳା ଜଣକ । ଦୁଇଟି ପୁଅ ବୁଢ଼ୀର ।  ଭାରି କଷ୍ଟରେ ଥିଲେ ବି ମା’ଟି ପୁଅମାନଙ୍କୁ ପାଠ ପଢେଇଲା । ପର ଘରେ କାମ କରି, ନିଜ ଜମିବାଡ଼ି ଦେଖାରଖା କରି ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରେଇଲା । ପିଲାମାନେ ସହର ଗଲେ । ବଡ଼ ବଡ଼ ଚାକିରୀ କଲେ । ଅତି ସମ୍ମାନୀୟ ପଦବୀରେ ଅଳଙ୍କୃତ ହେଲେ ।
ସହରରେ ଘର କଲେ । ବିବାହ କଲେ । ପରିବାର ସହରରେ ରହିଲେ । ପିଲାଙ୍କ ପାଠପଢା । ସହରରେ ଜୀବନ ।

ବୁଢ଼ୀ ମାଆ ଗାଁରେ । ଏକୁଟିଆ । ଏଇ ଘରେ । ପୁରା ଗାଁ ମା’ ପାଖକୁ ଆସନ୍ତି । ସୁଖଦୁଃଖରେ ଗୁହାରୀ କରନ୍ତି । ମା’ ସାହାଯ୍ୟ କରେ । ସମସ୍ତଙ୍କ ସୁଖଦୁଃଖରେ ଥାଏ ମା’ । ବେଳେ ବେଳେ ମା’ ପୁଅଙ୍କ ପାଖକୁ ଚାଲିଯାଏ ।ଗାଁ ଖାଁ ଖାଁ ଲାଗେ । ପୁଣି ଫେରି ଆସେ ମା’ ଗାଆଁକୁ । ମା’ ଫେରିଲେ ଭାରି ଭଲ ଲାଗେ ଗାଆଁ ଲୋକଙ୍କୁ । ମାଆ ଆସି ବାରି ଘର ସଜାଡେ । ବାରିଡି଼ହରେ ଫସଲ ଲଗାଏ । ଚାଷ ଜମିରେ ଧାନ ବୁଣେ । ଦାଣ୍ଡବାରି ଲୋକ ଲଗେଇ ଲିପାପୋଛା କରେ । ସଂଜ ବେଳେ ମା’ ଦାଣ୍ଡରେ ଗାଁ ଲୋକଙ୍କ ଭିଡ଼ଜମେ । ବେଳେ ବେଳେ ମା’ ଦାଣ୍ଡରେ ମେଳା ମହୋତ୍ସବଟିଏ ହୋଇଥାଏ । ପୁରା ଗାଁଟି ଯାକ ଏକାଠି ହୁଅନ୍ତି ମାଆ ଦାଣ୍ଡରେ । ଗାଁଲୋକେ କୁହନ୍ତି ସତେ ଲକ୍ଷୀମନ୍ତ ବୁଢ଼ୀଟିଏ ।

ବେଳେ ବେଳେ ସହରରୁ ପାଠୁଆ ବଡ଼ଲୋକ ପୁଅମାନେ ଗାଁକୁ ଆସନ୍ତି ମଟର ଗାଡିରେ । ପୁରା ଗାଁରେ ଚହଳ ପଡିଯାଏ । ବାବୁ ଆସିଛନ୍ତି ଗାଁକୁ । ମଟର ଗାଡ଼ିରେ । ଆମେ ପିଲାବେଳ ଲୋକଙ୍କ ଠାରୁ ଶୁଣୁ ଲୋକେ କଥାହୁଅନ୍ତି ଆମ ଆଖପାଖ ଶହେ ଖଣ୍ଡ ଗାଁରେ ମଟର ଗାଡି କାହାରି ନାହିଁ । ଆମ ଖଣ୍ଡିଆ ଖାବଡା ମାଟି ରାସ୍ତାରେ ଧୂଳି ଉଡେଇ ଖୁବ୍ ଦୋଉଡେ ଧକା ରଙ୍ଗର କାର୍’ଟି । ଆମେ ଗାଡ଼ି ପଛେ ପଛେ ଦୌଡୁ ଧୂଳିରେ ଲଟପଟ ହେଇ । ଗାଡ଼ି ଆସି ମା’ ଘର ପାଖରେ ଛିଡ଼ା ହେଇଯାଏ । ପୁରା ଗାଁ ଏକତ୍ର ହେଇ ଯାଆନ୍ତି ଗାଡ଼ି ଓ ବାବୁଙ୍କୁ ଦେଖିବାକୁ । କେତେକ କୌତୁହଳରେ ପଚାରି ଦିଅନ୍ତି  ଗାଡ଼ି ନଈ ପାର ହେଲା କେମିତି ? ଆମେ ପିଲାମାନେ ଭାରି କୌତୁହଳରେ ଶୁଣୁ । ଗାଆଁର ପାଠୁଆ ପିଲାଏ କୁହନ୍ତି, ପତ୍ରପୁର ଘାଟରେ ଚାପଡ଼ଙ୍ଗାରେ ଆସେ ଗାଡ଼ି । ଦୁଇଟା ଡଙ୍ଗା ଯୋଡ଼ା ହୁଏ । ପଟା ପଡେ, ପୁଣି ଗାଡ଼ିକୁ ପେଲି ଡଙ୍ଗାରେ ଛିଡ଼ା କରାଯାଏ । ତା’ ପରେ ସାବଧାନରେ ଗାଡ଼ି ପାର ହୁଏ ।

ବାବୁ ମାନେ ସକାଳୁ ଆସି ସଂଜକୁ ଫେରି ଯାଆନ୍ତି ସହର । ଗାଁରେ ରହିବାକୁ ଅସୁବିଧା ହୁଏ ବୋଲି । ଗାଁରେ ବିଜୁଳି ନଥିଲା । ଭାରି ବିରକ୍ତି ଲାଗେ ଅସମ୍ପୂର୍ଣ୍ଣ ଅଧା ଅଧୁରା ଗାଁରେ । ପୁଣି ଧୂଳି ଉଡେଇ ମଟର ଗାଡି ଫେରିଯାଏ ସହର ଆଡେ ।

ମା’ ରହିଯାଏ ଗାଁରେ । ମା’ ବାଡ଼ିରେ ମନ୍ଦାର ଫୁଲ ଫୁଟେ । ଆମେ ପୂଜା ପାଇଁ ଆଣୁ । ମା’ କେବେ ମନା କରେନା । ନାନା ଜାତିର ପନିପରିବା ଫଳେ । ମା’ ଡାକି ଦେଇ ଦିଏ ସଭିଙ୍କୁ ।
 
ଦିନେ ମା’ର ଦେହ ଖରାପ ହେଲା । ସହରରୁ ଗାଡ଼ି ଆସିଲା । ମା’ର ଇଛା ନଥିଲେ ବି ପୁଅ ନେଇଗଲା ସହରକୁ । ଡାକ୍ତର ଔଷଧ ସବୁ ସହରରେ । ସବୁ ଗାଁ ବାଲା ମା’ ଗଲାବେଳେ ଗାଡ଼ି ପାଖରେ ଜମା ହୋଇଗଲେ । ସମସ୍ତେ ମା’କୁ କାନ୍ଦି କାନ୍ଦି ବିଦାୟ ଦେଲେ । ମା’ ଠିକ୍ ହେଇ ଫେରି ଆସୁ ବୋଲି ସମସ୍ତେ ପ୍ରାର୍ଥନା କଲେ । ଗାଁ ଘରବାଡ଼ି ଚାକର ଦାୟିତ୍ୱରେ ଦେଇ ମା’ ସହର ଗଲା । ମାସେ ପରେ ଖବର ଆସିଲା ଯେ ମା’ର ଦେହାନ୍ତ ହେଇଗଲା ହସ୍ପିଟାଲରେ ।

ସେଇ ଦିନୁ ଏ ଘର ଅଲୋଡା ହେଇଗଲା ସବୁଦିନ ପାଇଁ । ଧୀରେ ଧୀରେ ଶୁନଶାନ ହେଇଗଲା ଏ ଘର ପରିସର । ଯାହା ମନେ ଅଛି ବାବୁମାନେ ଥରେ ଦୁଇଥର ଏଇ ଘରକୁ ଆସିଛନ୍ତି ମା’ ଚାଲିଯିବା ପରେ । ତା ପରେ ଏକ ପରିତ୍ୟକ୍ତ ଭଗ୍ନସ୍ତୁପ ହେଉ ପଡି ରହିଛି ଏ ଘର ଆଜି ଯାଏଁ ।

Leave a Comment

Your email address will not be published. Required fields are marked *

Scroll to Top