ଅବିଜିତ ଆତ୍ମାର କଥା

ଲେଖା: ଡାକ୍ତର ପ୍ରଳୟ ନାୟକ

“ଜଇଆ ପଛେ ଜୀବନ ଦେଲା ନୁଆଇଁ ନାହିଁ ମଥା…” ଏ ଧାଡ଼ିଟି ମାତ୍ର ଶୁଣି ଯଦି କୋଉ କଳିଙ୍ଗୀର ପ୍ରାଣ ପୁରି ନଉଠୁଛି ଆତ୍ମଶ୍ଳାଘାରେ, ଶୋକ ଓ ଗର୍ବରେ ଯଦି ବିଦାରି ନ ହେଉଛି ବକ୍ଷ, ସେମାନଙ୍କୁ ମୁଁ କହୁଚି, ସେମାନେ ନ ପଢ଼ନ୍ତୁ ଏ ଲେଖା । ଅବିଜିତ ଆତ୍ମାର କଥା ! ଜଇଆ ପଛେ ବଞ୍ଚିରହୁ ମୋ ଭଳି କତିପୟ ଜାତିପ୍ରାଣ ଅବଧୂତଙ୍କ ହୃଦୟରେ, କିନ୍ତୁ ଏ ଧାଡ଼ିଟି ପଢ଼ି ଯିଏ ଉଦ୍ ବେଳିତ ନହେଉଛି ତା’ର ୟାକୁ ପଢ଼ିବାର ଅଧିକାର ନାହିଁ । ନାହିଁ, ନାହିଁ, ନାହିଁ. . !


ହଁ, ମୁଁ ମୋ ସ୍ୱାଭିମାନର ଶିରକମଳ କଥା କହୁଛି, କହୁଚି ଉତ୍କଳର ପର୍ଶୁରାମଙ୍କ କଥା, ଏକତ୍ର କ୍ଷାତ୍ରବୀର୍ଯ୍ୟ ଓ ବ୍ରାହ୍ମତେଜର ଶ୍ରେଷ୍ଠତମ ସହାବସ୍ଥାନର କଥା, ମୋ କୂଳତିଳକ ଜୟକୃଷ୍ଣ ରାଜଗୁରୁ ମହାପାତ୍ର ଓରଫ ଜୟୀ ରାଜଗୁରୁଙ୍କ କଥା ! ଅବିଜିତ ଆତ୍ମାର କଥା ! ସମଗ୍ର ଭାରତ ଭୂଖଣ୍ଡରେ ଇଂରେଜଦମନ ବିରୋଧରେ ଯମଦାଢ଼ ତୋଳିଥିବା ସ୍ୱାଭିମାନୀ ମୁକ୍ତିକାମୀର କଥା । ସେ ଡାକିଥିଲା ଓଡ଼ିଆ ଜାତିକୁ ବଜ୍ର ନିର୍ଘୋଷରେ,

“ନିଦ ଭାଙ୍ଗି ଉଠରେ ପାଇକ,
ଧନୁକୀର ଧନୁକ ଟଙ୍କାରରେ,
ଅଶ୍ୱାରୋହି ଆଉ ପଦାତିର ଯମଦାଢ଼ ଝଙ୍କାରରେ
କମ୍ପିଉଠୁ ଫିରିଙ୍ଗୀ କଲିଜା ।
କେତେ କାଳ ଆଉ ଶୋଇବରେ ଆତ୍ମବିସ୍ମୃତ ଜାତି,
ଫିରିଙ୍ଗୀ ପରା ରଜା ଆଉ କ୍ଷେତ୍ର ଉପରକୁ ବାହିଲେଣି,
ଆଉ କେତେ ଶୋଇବ….!””

ତାର ଆବାହନି ମନ୍ତ୍ରରେ ଭାଙ୍ଗିଯାଇଥିଲା ମହାଜାତିର ଜଡ଼ତା, ଆଉ ନାଚିଥିଲା ରୁଦ୍ର ତାଣ୍ଡବ । ଭୟରେ କମ୍ପମାନ ଇଂରେଜ ଶାସନତନ୍ତ୍ର ଭେଦିଆ ଲଗେଇ ତାକୁ ବନ୍ଦୀ କଲା ସିନା ହେଲେ ଖୋର୍ଦ୍ଧା ପାଖେ ତାକୁ ମାରିବାର ବି ସାହସ ନଥିଲା । ଏଠି ମେଦିନିପୁରର ବାଘିତୋଟାରେ ବରଗଛ ଡାଳରେ ବାନ୍ଧି ଚିରିଥିଲା ଖାଲି ତାର କଳେବର ଆଉ ତାର ଅବିଜିତ ଆତ୍ମା ଅମରତ୍ୱ ଲଭିଥିଲା ଓଡ଼ିଆ ପ୍ରାଣରେ । ତା ବିୟୋଗରେ କାନ୍ଦିଥିଲେ ସ୍ୱୟଂ ମା’ ବରୁଣେଇ ଆଉ କରୁଣେଇ ।


ଚିତ୍ରରେ ସେ ବରଗଛର ଶାଖା ଦୁଇକୁ ଦେଖ, ରକ୍ତ ବର୍ଣ୍ଣରେ ଚିହ୍ନିତ ସେ ଶାଖା ଦୁଇ, ଯୋଉଥିରେ ଅମରତ୍ୱ ଲଭିଥିଲେ ଏ ଜାତିର ଅସ୍ମିତା । ପ୍ରଣିପାତ ହୁଅ, ଅଶ୍ରୁରେ ଅଭିଷେକ କର ତା’ର । ଆଉ ଘନ ବିସ୍ମୃତିର ଆବରଣ ଭେଦି ଜାଗ୍ରତ ହୁଅ ପୁଣି । ପୁଣିଥରେ ବିସ୍ମୃତିର ତମସା ଭେଦି ଉଠ ହେ ଓଡ଼ିଆ, ନହେଲେ ତାର ଆତ୍ମା ଏମିତି ଘୁରିବୁଲୁଥିବ ଆଉ କାନ୍ଦୁଥିବ ଗୁମୁରି ଗୁମୁରି ।

Leave a Comment

Your email address will not be published. Required fields are marked *

Scroll to Top