ଲେଖା: ତ୍ରିଲୋଚନ ସ୍ୱାଇଁ
~ ଅନନ୍ତଶୟନ ବିଷ୍ଣୁ ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ଅତୀତକୁ ଦୃଷ୍ଟି ଦେଲେ ଜଣାଯାଏ ବିଭିନ୍ନ ସମୟରେ ପ୍ରାଚୀନ କଳିଙ୍ଗୋତ୍କଳରେ ଅନେକ ଧର୍ମଧାରାର ଉନ୍ମେଷ ଘଟିଥିଲା l ଶୈବ, ଶାକ୍ତ, ବୈଷ୍ଣବ, ବୌଦ୍ଧ, ଜୈନ ମତ ସହିତ ମହିମା ଧର୍ମର ନବ ଜାଗରଣ ଏଇ ଓଡ଼ିଶା ମାଟିରୁ ହିଁ ଆରମ୍ଭ ହୋଇଥିଲା l ମାତ୍ର ପ୍ରାଚୀନ ଯୁଗରେ ଏହି ସବୁ ଧର୍ମଧାରାର ପ୍ରାରମ୍ଭ ଓ କ୍ରମ ବିକାଶର କାଳ ନିରୂପଣ କରିବା ଆମ ପକ୍ଷେ ଆଜି ଏକ କଷ୍ଟକର ବ୍ୟାପାର l ସହସ୍ର ବର୍ଷ ପୂର୍ବରୁ ସନାତନ ହିନ୍ଦୁ ଧର୍ମଧାରା ଏହି ଭୂଖଣ୍ଡରେ ପ୍ରଚଳିତ ଥିଲା l ପରବର୍ତ୍ତୀ ସମୟରେ ବୌଦ୍ଧ ଓ ଜୈନ ଧର୍ମର ପ୍ରଚାର ପ୍ରସାର ଘଟିବା ସହିତ ଏଇ ମାଟିରେ ମହିମା ଧର୍ମ ଜନ୍ମ ନେଇଥିଲା l
ସମୟର କରାଳ ସ୍ରୋତରେ ଅନେକ ଗୁଡ଼ିଏ ପ୍ରାଚୀନ କୀର୍ତ୍ତିରାଜି ମାଟିରେ ମିଶିଯାଇ ଅସ୍ତିତ୍ୱ ହରାଇ ଥିଲେ ହେଁ ଆଉ କିଛି କୀର୍ତ୍ତିରାଜି ଆଜି ବି ନିଜର ଅସ୍ତିତ୍ୱ ଜାହିର କରୁଛି l ଯେଉଁ କେତେକ ପ୍ରାଚୀନ ଐତିହ୍ୟ ଏବେ ବି ବଞ୍ଚି ରହିଛି ସେଗୁଡ଼ିକର ଦୀର୍ଘସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ l
ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟରେ ବୈଷ୍ଣବ ଧର୍ମର ପ୍ରଚାର ଓ ପ୍ରସାର ଚରମ ଶିଖରରେ ପହଞ୍ଚିଥିଲା l ମାତ୍ର ଏହି କାଳଖଣ୍ଡର ଯଥେଷ୍ଟ ପୂର୍ବରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୈବ ପୀଠ ସହ ତାଳଦେଇ ବୈଷ୍ଣବ କୀର୍ତ୍ତିରାଜିର ନିର୍ମାଣ ଦେଖିବାକୁ ମିଳିଥାଏ l ଏହିପରି ଏକ ବୈଷ୍ଣବୀୟ କୀର୍ତ୍ତିରାଜି ହେଉଛି ବ୍ରାହ୍ମଣୀ ନଦୀ କୂଳରେ ଥିବା ସରାଙ୍ଗର ଅନନ୍ତଶାୟୀ ବିଷ୍ଣୁ ପ୍ରତିମା l
ଭାରତର କେତେକ ଅଞ୍ଚଳରେ ଅନନ୍ତଶାୟୀ ବିଷ୍ଣୁ ପ୍ରତିମା ରହିଥିବା ବେଳେ, ଆମ ଓଡ଼ିଶା ରାଜ୍ୟରେ ଦୁଇଟି ସ୍ଥାନରେ ଅନନ୍ତଶାୟୀ ବିଷ୍ଣୁଙ୍କ ପାଷାଣ ପ୍ରତିମା ରହିଛି l ଗୋଟିଏ ସରାଙ୍ଗ ନିକଟରେ ବ୍ରାହ୍ମଣୀ ନଦୀ ତଟରେ ରହିଥିବା ବେଳେ ଅନ୍ୟଟି ବର୍ତ୍ତମାନର କଣିହାଁ ଏନ.ଟି.ପି.ସି. ପରିସରରେ ରହିଛି l ସରାଙ୍ଗ ନିକଟରେ ଥିବା ଭୂସଂଲଗ୍ନ ଏଇ ଅନନ୍ତଶାୟୀ ବିଷ୍ଣୁ ପ୍ରତିମାଟି ପ୍ରାୟ ନବମ ଶତାବ୍ଦୀରେ ଭୌମକର ଶାସନ ସମୟରେ ବ୍ରାହ୍ମଣୀ ନଦୀ ଶଯ୍ୟାରେ ମୁକ୍ତାକାଶ ତଳେ ନିର୍ମାଣ ହୋଇଥିଲା l
ସହସ୍ର ବର୍ଷ ପ୍ରାଚୀନ ଏହି ଅନନ୍ତଶାୟୀ ବିଷ୍ଣୁ ପ୍ରତିମାଟି ଅନେକାଂଶରେ ନଷ୍ଟ ହୋଇଆସିଥିଲେ ମଧ୍ୟ ଏବେ ବି ତାହା ସୁଦୃଶ୍ୟ ହୋଇ ରହିଛି l ପ୍ରାୟ ପଚାଶ ଫୁଟ ଲମ୍ବର ଏହି ଚତୁର୍ଭୁଜ ପ୍ରତିମାଙ୍କ ଦକ୍ଷିଣ ପାର୍ଶ୍ଵ ଉପର ହସ୍ତରେ ଚକ୍ର ଓ ବାମ ପାର୍ଶ୍ୱ ଉପର ହସ୍ତରେ ଶଙ୍ଖ ଧାରଣ କରିଥିବାବେଳେ ନିମ୍ନ ଦୁଇ ହସ୍ତରେ ଗଦା ଓ ପଦ୍ମ ଧାରଣ କରିଛନ୍ତି l ପାଦଦୁଇଟି ଛନ୍ଦାୟିତ ହୋଇ ରହିଥିବାବେଳେ ନାଭିକମଳରେ ଚତୁର୍ମୁଖ ବ୍ରହ୍ମlଙ୍କ ଏକ ସୁନ୍ଦର ପ୍ରତିମା ଦେଖିବାକୁ ମିଳେ l
ସରାଙ୍ଗର ଅନନ୍ତଶୟନ ପ୍ରତିମା ପରି ଆଉ ଏକ ଅନନ୍ତଶାୟୀ ବିଷ୍ଣୁ ପ୍ରତିମା ଅନୁଗୁଳ ଜିଲ୍ଲାର ତାଳଚେର ନିକଟ କଣିହାଁ ଏନ.ଟି.ପି.ସି. ପରିସରରେ ରହିଛି l ଖୁବ୍ ଯତ୍ନ ସହକାରେ ଭରା ପୁଷ୍ପବଗିଚାର ମଧ୍ୟ ଭାଗରେ ପ୍ରତିମାଟି ରହିଛି l ଖରା, ବର୍ଷା ଓ ଶୀତ କାକରରୁ ରକ୍ଷା କରିବା ନିମନ୍ତେ ବିଷ୍ଣୁ ପ୍ରତିମାଟିକୁ କାଚ ଘର ଭିତରେ ତଥା ପ୍ଲାଷ୍ଟିକ୍ ଛାତ ଆବରଣ ମଧ୍ୟରେ ରଖା ଯାଇଛି l ଜଣେ ପୂଜକ ମଧ୍ୟ ସଦା ସର୍ବଦା ସେଠାରେ ନିୟୋଜିତ ହୋଇ ରହିଛନ୍ତି l କ୍ଷୀର ସାଗରରେ ଅନନ୍ତନାଗ କୋଳରେ ଶୋଇଥିବା ଶ୍ରୀବିଷ୍ଣୁଙ୍କ ମସ୍ତକ ଦେଶରେ ଏକ ସପ୍ତଫେଣୀ ନାଗ ପ୍ରତିମା ତିଆରି କରାଯାଇଛି ଯାହାକି ପ୍ରତିମାଟିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି l
ସେଦିନର ଐତିହ୍ୟ ଯାତ୍ରାରେ ବହୁ କଷ୍ଟ ଓ ବାଧା ବିଘ୍ନରେ ଯାଇ ଆମେ ସେଠାରେ ପହଞ୍ଚିଥିଲୁ l ଏନ.ଟି.ପି.ସି.ର କଡ଼ା ସୁରକ୍ଷା ବ୍ୟବସ୍ଥା ଓ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କ ଠାରୁ ବିଧିଗତ ପ୍ରବେଶାନୁମତି ନେଇ ଅନନ୍ତଶାୟୀ ବିଷ୍ଣୁଙ୍କ ଦର୍ଶନ କରିପାରିଥିଲୁ l ଏନ.ଟି.ପି.ସି.ର ଜଣେ କର୍ମକର୍ତ୍ତା ଆମ ପାଖେ ପାଖେ ରହିଥିଲେ l ଏହି ଭୂମି ସଂଲଗ୍ନ ଅନନ୍ତଶାୟୀ ବିଷ୍ଣୁ ପ୍ରତିମାଟି ମଧ୍ୟ ଭୌମକର ଶାସନ ସମୟରେ ସେଇ ନବମ ଶତାବ୍ଦୀରେ ନିର୍ମାଣ ହୋଇଥିବା ଐତିହାସିକ ତଥ୍ୟାବଳୀରୁ ଜଣାଯାଏ l
ସନ୍ଧ୍ୟା ଆଗମନରେ, ପୂଜକଙ୍କ ମନ୍ତ୍ରୋଚାରଣରେ ଶ୍ରୀ ବିଷ୍ଣୁଙ୍କ ପାଦପଦ୍ମରେ ପୁଷ୍ପାଞ୍ଜଳୀ ଦେଇ ଆମେ ଏନ.ଟି.ପି.ସି. ପରିସରରୁ ବିଦାୟ ନେଇଥିଲୁ, ଆଉ ବିଦାୟ ସମୟରେ ସେ କାଳର ମୂର୍ତ୍ତିକାରଙ୍କୁ ସ୍ମରଣପୂର୍ବକ ମାନସିକ ଭାବେ ଶ୍ରଦ୍ଧାସୁମନ ଅର୍ପଣ କରି ନିଜକୁ ଧନ୍ୟ ମନେକଲୁ l
© Trilochan Swain