ସୃଷ୍ଟିସମଗ୍ର

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ଓ ତତ୍କାଳୀନ ଉତ୍କଳର ରାଜନୀତିକ ଦୃଶ୍ୟପଟ (ଭାଗ ୧)

ଲେଖା: ଇଂ ବିଜୟ କେତନ ସାହୁ

ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜୁତି କାଳରୁହିଁ କଳିଙ୍ଗ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଯାଇଥିଲା। ପ୍ରତାପରୁଦ୍ରଦେବଙ୍କ ଶାସନ ଅବଧି ତାଙ୍କ ପିତାମହ କପିଳେନ୍ଦ୍ରଦେବ ଓ ପିତା ପୁରୁଷୋତ୍ତମଦେବଙ୍କ ପରି ଏତେ ନିଷ୍କଣ୍ଟକ ନଥିଲା। ପ୍ରତାପରୁଦ୍ରଦେବଙ୍କ ରାଜନୈତିକ ଜୀବନ ତାଙ୍କ ସିଂହାସନ ଆରୋହଣ ସମୟରୁ ହିଁ ସଂଘର୍ଷପୂର୍ଣ୍ଣ ଥିଲା। ଯେଉଁ ପ୍ରତାପରୁଦ୍ରଙ୍କୁ ମିଥ୍ୟା ଅପବାଦ ଦିଆଯାଏ ଯେ ସେ ଶ୍ରୀଚୈତନ୍ୟଙ୍କ ପ୍ରଭାବରେ ତାଙ୍କ ବିଶାଳସେନା ବାହିନୀକୁ ଖଣ୍ଡା ପ୍ରତିବଦଳରେ କୀର୍ତ୍ତନ କରିବା ପାଇଁ ଝାଞ୍ଜ, ମୃଦଙ୍ଗ ଧରେଇଦେଲେ, କିନ୍ତୁ ଓଡ଼ିଶାର ଐତିହାସିକଗଣ ଏହା ଅସ୍ଵୀକାର କରିବେ ନାହିଁ ଯେ, ସୁବିଶାଳ ଜନ୍ମଭୂମି କଳିଙ୍ଗ (ଓଡିଶା)କୁ ଶତ୍ରୁ କବଳରୁ ପ୍ରାଣପଣେ ରକ୍ଷା କରିବାକୁ ଯାଇ କଳିଙ୍ଗସମ୍ରାଟ ପ୍ରତାପରୁଦ୍ର ନିଜର ପୁତ୍ର ବୀରଭଦ୍ର ଓ କନ୍ୟା ଜଗମୋହିନୀଙ୍କ ଜୀବନକୁ ମଧ୍ୟ ଉତ୍ସର୍ଗ କରିଦେଇଥିଲେ। ହା’ହାକାର କରି ଉଠିଥିଲା ତାଙ୍କ ପିତୃ-ହୃଦୟ।  ଆଦର୍ଶ ଦେଶପ୍ରେମ ସହିତ ଈଶ୍ୱରଭକ୍ତିର ଅପୁର୍ବ ସମନ୍ୱୟ ଥିଲା ଗଜପତି ପ୍ରତାପରୁଦ୍ରଙ୍କ ଜୀବନ ।

ପିତା ପୁରୁଷୋତ୍ତମଦେବଙ୍କ ମୃତ୍ୟୁ ପରେ ୧୪୯୭ ଖ୍ରୀଷ୍ଟାବ୍ଦରେ ମାତ୍ର ୧୭ ବର୍ଷ ବୟସରେ ସେ କଳିଙ୍ଗ ସାମ୍ରାଜ୍ୟର ସିଂହାସନ ଆରୋହଣ କରିଥିଲେ ପ୍ରତାପରୁଦ୍ର। ତାଙ୍କ ରାଜ୍ୟ ଅଭିଷେକର ପ୍ରଥମ ବର୍ଷରେ ଓଡିଶା ଆକ୍ରମଣ କରିଥିଲା ବଙ୍ଗର ନବାଵ ହୁସେନ ଶାହ । ମାତ୍ର ୧୭ ବର୍ଷ ବୟସରେ ଉପନୀତ କଳିଙ୍ଗ ସମ୍ରାଟ ପ୍ରତାପରୁଦ୍ର ନିଜର ପାଇକ ବାହିନୀ ମାଧ୍ୟମରେ  ହୁସେନ ଶାହର ବିରାଟ ମୋଗଲ ସେନାବାହିନୀକୁ ପରାସ୍ତ କରି ବୀରତ୍ବର ଅପୂର୍ବ ପରିଚୟ ଦେଇଥିଲେ।

ଗଜପତି ପୁରୁଷୋତ୍ତମଦେବଙ୍କ କାଞ୍ଚି ଅଭିଯାନର ବୀରତ୍ୱ-ଗାଥା କଳିଙ୍ଗ ଇତିହାସର ଏକ ସ୍ବର୍ଣ୍ଣାଭ ଅଧ୍ୟାୟ। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ପୁରୁଷୋତ୍ତମ କାଞ୍ଚିବିଜୟ କରି କାଞ୍ଚିର ରାଜଜେମା ପଦ୍ମାବତୀ (ଅନ୍ୟନାମ ରୂପାମ୍ବିକା)ଙ୍କୁ ବିବାହ କରିଥିଲେ। କାଞ୍ଚିରାଜ୍ୟର ଶାସକ ନରସିଂହଦେବ ପ୍ରଥମ ପରବର୍ତ୍ତୀ ସମୟରେ ନିଜୟନଗର ସାମ୍ରାଜ୍ୟର ରାଜସିଂହାସନ ଅଳଙ୍କୃତ କରିଥିଲେ। ନରସିଂହଦେବ ପ୍ରଥମଙ୍କ ମୃତ୍ୟ ପରେ ୧୪୯୭ ଖ୍ରୀଷ୍ଟାବ୍ଦରେ ତାଙ୍କ ପୁତ୍ର ଦ୍ଵିତୀୟ ନରସିଂହଦେବ ବିଜୟନଗର ସାମ୍ରାଜ୍ୟର ସମ୍ରାଟ ହୋଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ନରସିଂହଦେବ ଥିଲେ କଳିଙ୍ଗ ମହାରାଣୀ ପଦ୍ମାବତୀଙ୍କ ପିତା ତଥା ଗଜପତି ପୁରୁଷୋତ୍ତମଦେବଙ୍କ ଶ୍ୱଶୁର। ଏବଂ ଦ୍ଵିତୀୟ ନରସିଂହ ଦେଵ ଥିଲେ ପ୍ରଥମ-ନରସିଂହଙ୍କ ପୁତ୍ର। ଦ୍ଵିତୀୟ-ନରସିଂହଦେବ ତେଲୁଗୁ ଓ କନ୍ନଡ ଇତିହାସରେ ଇମାଦି-ନରସିଂହଦେବ ନାମରେ ମଧ୍ୟ ନାମିତ, ଯିଏ କି ସମ୍ପର୍କରେ ଓଡ଼ିଆ ସମ୍ରାଟ ଗଜପତି ପୁରୁଷୋତ୍ତମଦେବଙ୍କ ଶାଳକ। କିନ୍ତୁ ପୁରୁଷୋତ୍ତମ ଦେବଙ୍କ ମୃତ୍ୟୁ ପରେ କଳିଙ୍ଗ ରାଜପରିବାର ସହିତ ଦ୍ଵିତୀୟ-ନରସିଂହଦେବ ସୁସମ୍ପର୍କ ରଖି ନଥିଲେ, ଅଧିକନ୍ତୁ କଳିଙ୍ଗ ଅଧିକୃତ କୋଣ୍ଡାଭିଡୁଉଦୟଗିରି ଦୁର୍ଗକୁ ଫେରି ପାଇବାକୁ ଚାଂହୁଥିଲେ। ଯଦିଓ ବିଜୟନଗର ସାମ୍ରାଜ୍ୟର ପ୍ରତାପୀ ରାଜା କୃଷ୍ଣ ଦେବରାୟଙ୍କ ଅଭ୍ୟୁଦୟ ପର୍ଯ୍ୟନ୍ତ ଏହି ଦୁର୍ଗଦ୍ବୟ କଳିଙ୍ଗ ସାମ୍ରାଜ୍ୟର ଅଂଶବିଶେଷ ଥିଲା, ତଥାପି ଗଜପତି କପିଳେନ୍ଦ୍ର ଓ ଗଜପତି ପୁରୁଷୋତ୍ତମଙ୍କ ଦ୍ୱାରା ଅଧିକୃତ ତଥା କଳିଙ୍ଗ ସାମ୍ରାଜ୍ୟ ଅନ୍ତର୍ଗତ ଅନେକ ଛୋଟ ଛୋଟ କ୍ଷୁଦ୍ର ରାଜ୍ୟକୁ ଦ୍ଵିତୀୟ-ନରସିଂହଦେବ ଅଧିକାର କରିନେଲେ। ବିଜୟନଗର ସାମ୍ରାଜ୍ୟର ଏତାଦୃଶ ପ୍ରଭାବ ବିସ୍ତାରକୁ ପ୍ରତିହତ କରିବା ପାଇଁ ୧୫୦୦ ଖ୍ରୀଷ୍ଟାବ୍ଦରେ ପ୍ରତାପରୁଦ୍ର କଳିଙ୍ଗ ରାଜଧାନୀ କଟକରୁ ଦାକ୍ଷିଣାତ୍ୟକୁ ଯୁଦ୍ଧଯାତ୍ରା ଆରମ୍ଭ କଲେ।

ଓଡ଼ିଆ ସୈନ୍ୟବାହିନୀର ପ୍ରବଳ ପରାକ୍ରମରେ ପ୍ରତାପରୁଦ୍ରଦେବ ବିଜୟନଗର ରାଜ୍ୟ ଅଂଶବିଶେଷ ଅନେକ କରଦ ରାଜ୍ୟକୁ ପୁନଶ୍ଚ ଅଧିକାର କରି ନେଇଥିଲେ। ପ୍ରତାପରୁଦ୍ର ଖ୍ରୀ ୧୫୦୦ ରୁ ୧୫୦୭ ଅଦ୍ଦ ମଧରେ ପ୍ରତାପରୁଦ୍ର ତାଙ୍କ ଜୟଯାତ୍ରା ଅବ୍ୟାହତ ରଖିଥିଲେ। ତାମିଲନାଡୁର ସେତୁବନ୍ଧ ଯାଏଁ ଉଡିଥିଲା କଳିଙ୍ଗ ସାମ୍ରାଜ୍ୟର ବିଜୟ ବୈଜୟନ୍ତୀ । କିନ୍ତୁ ଏକ ବିଶେଷ କାରଣ ବଶତଃ ସେ ବିଜୟନଗର ସାମ୍ରାଜ୍ୟର ରାଜଧାନୀ ହାମ୍ପି ଯାଏଁ ଅଗ୍ରସର ହୋଇପାରି ନଥିଲେ, କାରଣ ଉକ୍ତ ସମୟରେ ଓଡ଼ିଶାରେ ମରୁଡି ପଡିବା ଯୋଗୁଁ ପ୍ରଜାମାନଙ୍କ ମଧ୍ୟରେ ଅର୍ଥନୈତିକ ସଙ୍କଟ ଦେଖା ଦେଇଥିଲା, ଏବଂ ଓଡ଼ିଶାର ଏହି ଅର୍ଥନୈତିକ ସଙ୍କଟ ଓ ଗଜପତି ପ୍ରତାପରୁଦ୍ରଙ୍କ ଅନୂପସ୍ଥିତିର ସୁଯୋଗ ନେଇ ବଙ୍ଗ ନବାଵ ହୁସେନ ଶାହ, ତା’ର ସେନାପତି ଇସମାଇଲ ଗାଜୀ ମାଧ୍ୟମରେ ପୁନଶ୍ଚ ଦ୍ଵିତୀୟ ଥର ଓଡିଶା ଆକ୍ରମଣ କରିଥିଲା। ବିଧର୍ମୀ ହୁସେନ ଶାହର ଉଦ୍ଦେଶ୍ୟ ଥିଲା, ଇସମାଇଲ ଗାଜୀ ମାଧ୍ୟମରେ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଲୁଣ୍ଠନ ଓ ହିନ୍ଦୁ ମନ୍ଦିରର ପଵିତ୍ରତାକୁ ନଷ୍ଟ କରିବା।  ଇସମାଇଲ ଗାଜୀର ଏହି ଆକ୍ରମଣ ସମୟରେ ହିଁ ଶ୍ରୀଚୈତନ୍ୟଙ୍କ ପବିତ୍ର ଓଡିଶା ଆଗମନ ହୋଇଥିଲା। ବର୍ବର ଇସମାଇଲ ଗାଜୀକୁ ପ୍ରତିରୋଧ କରିବା ଓ ମରୁଡି ସଂକଟରୁ ଓଡିଶାକୁ ରକ୍ଷା କରିବା ପାଇଁ ଦାକ୍ଷିଣାତ୍ୟ ଯୁଦ୍ଧଯାତ୍ରା ସ୍ଥଗିତ ରଖି ରାଜଧାନୀ କଟକ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାକୁ ପଡିଲା ଗଜପତି ସମ୍ରାଟ ପ୍ରତାପରୁଦ୍ରଙ୍କୁ

ଏଠାରେ ଦର୍ଶନଯୋଗ୍ୟ ଯେ, ପ୍ରତାପରୁଦ୍ର ଦେବଙ୍କ ନେତୃତ୍ୱରେ କଳିଙ୍ଗ ସାମ୍ରାଜ୍ୟର ଜୟଯାତ୍ରା ଏଯାବତ ଅକ୍ଷୁର୍ଣ୍ଣ ରହିଛି। ଏପରିକି ସେନାପତି ଗୋବିନ୍ଦ ବିଦ୍ୟାଧରର ବିଶ୍ୱାସ ଘତକତା ସତ୍ତ୍ୱେ ଇସମାଇଲ ଗାଜୀର ବାରମ୍ବାର ଆକ୍ରମଣକୁ ସଫଳତାର ସହିତ ମୁକାବିଲା କରିଛନ୍ତି ବୀର ପ୍ରତାପରୁଦ୍ରଦେଵ। କିନ୍ତୁ ବିଜୟନଗର ସାମ୍ରାଜ୍ୟରେ କୃଷ୍ଣଦେବରାୟଙ୍କ ଅଭ୍ୟୁଦୟହିଁ ଓଡିଶା ପାଇଁ ହୋଇଥିଲା କାଳ। କଳିଙ୍ଗ ସାମ୍ରାଜ୍ୟ ପତନର ପ୍ରମୁଖ କାରଣ ଥିଲେ କୃଷ୍ଣଦେବ ରାୟ ଓ ତତ୍ ସହିତ ଗୋଲକୋଣ୍ଡା ରାଜା କ୍ୱାଲି କ୍ଵତାଵ ସାହା। କୂଟନୀତି ପ୍ରୟୋଗ କରି ଏହି ରାଜାଦ୍ବୟ ଓଡ଼ିଶା ସାମ୍ରାଜ୍ୟର ଅଭ୍ୟୁଦ୍ବୟକୁ ପ୍ରତିହତ କରିଥିଲେ। ଅସଂଖ୍ୟ ଓଡ଼ିଆ ବୀର ସୈନିକ ପ୍ରାଣବଳୀ ଦେଇଥିଲେ ମାତୃଭୂମିର ସୁରକ୍ଷା ପାଇଁ।

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago