ଲେଖା: ଇଂ ବିଜୟ କେତନ ସାହୁ
ଚୀର ପ୍ରାତଃସ୍ମରଣୀୟ, ପରମବୈଷ୍ଣଵ ଜଗନ୍ନାଥ ଦାସ ଓଡ଼ିଶାରେ ଭାଗବତ ଗୋସେଇଁ, ଜଗା ଗୋସେଇଁ, ଗୋସ୍ୱାମୀ ଜଗନ୍ନାଥ, ଅତିବଡ଼ି ଗୋସେଇଁ ଇତ୍ୟାଦି ନାମରେ ପରିଚିତ ଥିଲେ। ଗୋସେଇଁ ମହାପୁରୁଷଙ୍କ ଏଇ ପବିତ୍ର ଭାଗବତରେ ରହିଛି ସୁସମୃଦ୍ଧ ଓଡିଆ ସାହିତ୍ୟ ପରମ୍ପରାର ସକଳ ବିଭବ।
ଜଗନ୍ନାଥ ଦାସଙ୍କ ଭାଗବତରେ ନବାକ୍ଷରୀ କାବ୍ୟିକ ଅଳଙ୍କାର ମାଧ୍ୟମରେ ସକଳ ରସକୁ ପରିବେଷଣ କରାଯାଇଛି। ଶାନ୍ତ, ଶୃଙ୍ଗାର, ହାସ୍ୟ, ବାତ୍ସଲ୍ୟ, କାରୁଣ୍ୟ ପ୍ରଭୃତି ରସରେ ଓଡ଼ିଆ ଭାଗବତ ରସମୟ। ପରମପୁରୁଷ ଶ୍ରୀକୃଷ୍ଣ ରସିକନାଗର, ସକାଳ ରସର ଆଧାର। ସେହି ରସରାଜ ରାଧାରମଣ ଶ୍ରୀକୃଷ୍ଣଚନ୍ଦ୍ରଙ୍କ ପ୍ରିତ୍ୟର୍ଥେ ଜଗନ୍ନାଥ ଦାସ ସ୍ୱରଚିତ ଭାଗବତକୁ ସକଳ ରସମୟ କରିଛନ୍ତି। କେବଳ ସେତିକି ନୁହେଁ ସମାଜକୁ ଉପଯୁକ୍ତ ଦିଗଦର୍ଶନ ଦେବା ପାଇଁ ତଥା ବ୍ୟବହାରିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଅନେକ ଉପଦେଶ ସରଳ ସାବଲୀଳ ଭାଷ୍ୟରେ ଗୀତିବାଣୀ ସଦୃଶ ଭାଗବତ ଗ୍ରନ୍ଥରେ ପ୍ରଦାନ କରି ଅଛନ୍ତି, ଯାହାକି ଅଦ୍ୟାବଧି ଓଡ଼ିଶାର ପ୍ରତ୍ୟକ ସ୍ବାକ୍ଷର ଓ ନିରକ୍ଷର ଜନମୁଖରେ ଢଗଢ଼ମାଳି ଆକାରରେ ପ୍ରଚଳିତ। ଯଥା:
ଧନ ଅର୍ଜନେ ଧର୍ମ କରି ।
ଧର୍ମେ ପ୍ରାପତ ନରହରି ।।
ଈଶ୍ୱର ବସେ ସର୍ବଦେହେ ।
ଏ ଘେନି ନମିବ ନିର୍ଭୟେ ।।
ସର୍ବ ଶରୀର ମଧ୍ୟେ ସାର ।
ଦୁର୍ଲଭ ନର କଳେବର ।।
ଧନ କାର୍ପଣ୍ୟ ସେବା ବଳେ।
କି’ବା ଅସାଧ୍ୟ ମହିତଳେ ।।
ଇତ୍ୟାଦି ଇତ୍ୟାଦି. .
ତତ୍କାଳୀନ ଓଡ଼ିଶାର ସାମାଜିକ ଚାଲିଚଳନକୁ ଭାଗବତରେ ସୁନ୍ଦର ଭାବରେ ସନ୍ନିବେଶିତ କରି ଭବିଷ୍ୟତ ପିଢ଼ିକୁ ଉପଦେଶ ଛଳରେ ଯେଉଁ ଗୀତିବାଣୀ ସମୂହ ପ୍ରଦାନ କରିଛନ୍ତି ସେଗୁଡିକର ଯଦି ଉପଯୁକ୍ତ ମୂଲ୍ୟାୟନ କରାଯାଇ ପାରନ୍ତା, ତେବେ ନିର୍ଦ୍ୱନ୍ଦ ଓ ନି8ସନ୍ଦେହରେ ପ୍ରତିଟି ଓଡ଼ିଆ ସଗୌରବେ ଆତ୍ମଗର୍ବରେ ଉତଫୁଲ୍ଲିତ ହୋଇ ଏହା ହିଁ କହିପାରନ୍ତେ ଯେ, “ଏଇ ଗୋସେଇଁ ମହାପୁରୁଷ ହିଁ ମୋ ଓଡ଼ିଶା ଭୁଇଁର ଅନ୍ୟତମ ରାଷ୍ଟ୍ର ନିର୍ମାତା ଓ ତାଙ୍କ ରଚିତ ଭାଗବତ ମୋ ଜାତିର ଆତ୍ମନେପଦୀ”।
ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ତତ୍କାଳୀନ ଓଡ଼ିଶାରେ ଏକ ଚହଳ ସୃଷ୍ଟି କରିଥିଲା। ଅପୂର୍ବ ଆଧ୍ୟାତ୍ମିକ ଜାଗରଣ ଓ ନବୀନ ଉନ୍ମାଦନାର ସୂତ୍ରପାତ କରିଥିଲା ଏଇ ଓଡ଼ିଆ ଭାଗବତ। ଦୁର୍ବୋଧ୍ୟ ସଂସ୍କୃତ ଭାଗବତ ପରିବର୍ତ୍ତେ ସାଧାରଣ ଜନସମାଜ ଏହାକୁ ସହଜରେ ଆଦରି ନେଇଥିଲା। ଓଡ଼ିଶାର ପୁରପଲ୍ଲୀରେ ପ୍ରତିଷ୍ଠିତ ହୋଇଥିଲା ଭାଗବତ ଟୁଙ୍ଗୀ।
ଷୋଢ଼ଶ ଶତାବ୍ଦୀରେ ଯେତେବେଳେ ସମଗ୍ର ଭାରତବର୍ଷରେ ଭକ୍ତିଯୁଗର ଅୟମାରମ୍ଭ ହୋଇଥିଲା, ସେତେବେଳେ ଓଡ଼ିଶାରେ ଏଇ ଭାଗବତ ଟୁଙ୍ଗୀ ଥିଲା ଧାର୍ମିକ ଆନ୍ଦୋଳନର ସମରାଙ୍ଗନ। ଭକ୍ତିବାଦର ଅଭେଦ୍ୟ ଦୁର୍ଗ ସଦୃଶ ଥିଲା ଏଇ ଭାଗବତ ଟୁଙ୍ଗୀ। ଉକ୍ତ ସମୟରେ ଓଡିଶା ବାରମ୍ବାର ମୋଗଲ ଆକ୍ରମଣ ଶୀକାର ହୋଇଥିଲେ ମଧ୍ୟ ଏଇ ଅଭେଦ୍ୟ ଦୁର୍ଗରେ ଗୁଞ୍ଜରିତ ଭାଗବତର ଭକ୍ତିବାଦ ପ୍ରଭାବରେ ଓଡ଼ିଆମାନେ ବିଧର୍ମୀଙ୍କ ଧର୍ମରେ ଧର୍ମାନ୍ତକରଣ ହୋଇନାହାନ୍ତି ବରଂ ସ୍ଥଳବିଶେଷରେ ପ୍ରାଣବଳୀ ଦେବାକୁ ଶ୍ରେୟ ମନେକରିଛନ୍ତି। ବିଧର୍ମୀମାନଙ୍କ ଶତ ଆକ୍ରମଣ ସତ୍ତ୍ୱେ ଓଡ଼ିଶାରେ ହିନ୍ଦୁ ଧର୍ମକୁ ଅକ୍ଷୁର୍ଣ୍ଣ ରଖିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲା ଉତ୍କଳୀୟମାନଙ୍କ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଥିବା ଆପ୍ରାଣଭରା ପ୍ରୀତି ଓ ଭାଗବତର ଅପରିସୀମ ପ୍ରଭାବ।
ଷୋଢ଼ଶ ଶତାବ୍ଦୀଠାରୁ ବିଂଶ ଶତାବ୍ଦୀ ଯାଏଁ ଓଡ଼ିଶାରେ ସ୍ଵାକ୍ଷର ହାର ଅଭିବୃଦ୍ଧି ଦିଗରେ ଏଇ ଓଡ଼ିଆ ଭାଗବତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମୃତ୍ୟୁ ସମୟରେ ନିଜର ପୁତ୍ର ବା କନ୍ୟା ମୁଖରୁ ଭାଗବତ ଶ୍ରବଣ କରି ମୋକ୍ଷଲାଭର ପବିତ୍ର ବିଶ୍ୱାସରେ ନିଜର ସନ୍ତାନମାନଙ୍କୁ ସ୍ଵାକ୍ଷର କରାଉଥିଲେ ସରଳ ଧର୍ମପ୍ରାଣ ଉତ୍କଳୀୟ ନର-ନାରୀଗଣ। ଭାଗବତ ଟୁଙ୍ଗୀରେ ପ୍ରତିଷ୍ଠିତ ଭାଗବତ ପୋଥି ଥିଲା ଓଡ଼ିଆ ଜନଜୀବନର ଆସ୍ଥାସ୍ୱରୂପ। ଭାଗବତପୋଥିକୁ ସାକ୍ଷୀ ରଖି କେତେ ଯେ ନୀତି-ଅନୀତିର ବିଚାର ହେଉଥିଲା।
ଷୋଢ଼ଶ ଶତାବ୍ଦୀରେ ବଙ୍ଗଦେଶରୁ ଆଗତ ଗୌଡୀୟ ବୈଷ୍ଣଵ ଗୋଷ୍ଠୀ ଇର୍ଷାବଶତଃ ଅତିବଡ଼ି ଜଗନ୍ନାଥଙ୍କୁ ବିରୋଧ କରିଥିଲେ ମଧ୍ୟ, ତାଙ୍କ ରଚିତ ଓଡ଼ିଆ ଭାଗବତର ସୁପ୍ରସିଦ୍ଧି ଥିଲା ଅପ୍ରତିହତ। ବଙ୍ଗଭାଷୀ ଗୌଡୀୟ ବୈଷ୍ଣବଗଣ ଜଗନ୍ନାଥ ଦାସ ଓ ତାଙ୍କ ରଚିତ ଓଡ଼ିଆ ଭାଗବତକୁ ମୁଖ୍ୟତଃ ବିରୋଧ କରିଥିଲେ। କିନ୍ତୁ କ୍ରମଶଃ ଏହା ଏପରି ପ୍ରସିଦ୍ଧି ଲାଭ କରିଥିଲା ଯେ, ସପ୍ତଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଅନେକ ଓଡ଼ିଆଭାଷୀ ଗୌଡୀୟ ବୈଷ୍ଣଵ ସାଧକବିଶେଷ ଅତିବଡ଼ିଙ୍କ ପବିତ୍ର ଓଡ଼ିଆ ଭାଗବତକୁ ଭିତ୍ତି କରି ଗୌଡୀୟ ବୈଷ୍ଣଵ ଦର୍ଶନ ପ୍ରଚାର କରିଥିଲେ ଓଡ଼ିଶା ମାଟିରେ, ଆଉ ଏମାନଙ୍କ ଭିତରେ ଅଗ୍ରଗଣ୍ୟ ଥିଲେ ଶ୍ରୀରସିକାନନ୍ଦ ପ୍ରଭୁ।
ରସିକାନନ୍ଦ ଗୌଡୀୟ ବୈଷ୍ଣଵ ଦର୍ଶନରେ ଅଭିମନ୍ତ୍ରିତ ହୋଇଥିଲେ ଏବଂ ସେ ଥିଲେ ଉତ୍କଳୀୟ। ତତ୍କାଳୀନ କଳିଙ୍ଗ ସାମ୍ରାଜ୍ୟର ଅନ୍ତର୍ଗତ ମେଦିନୀପୁର ଜିଲ୍ଲାର ରୋହିଣୀ ଗ୍ରାମରେ ଜନ୍ମ ହୋଇଥିଲେ ରସିକାନନ୍ଦ, ତାଙ୍କ ମାତୃଭାଷା ଥିଲା ଓଡ଼ିଆ।
ସମଗ୍ର ମେଦିନୀପୁର ଯଦିଓ ଓଡ଼ିଶାର ଅବିଛେଦ୍ୟ ଅଙ୍ଗ କିନ୍ତୁ ବଙ୍ଗୀୟ ରାଜନୈତିକ ଚକ୍ରାନ୍ତରେ ଆକ୍ରାନ୍ତ ହୋଇ ଅଧୂନା ମେଦିନୀପୁର ବଙ୍ଗପ୍ରଦେଶରେ ଅନ୍ତର୍ଗତ ଓ ସେଠାରେ ଓଡ଼ିଆ ଭାଷା ମୃତପ୍ରାୟ। କିନ୍ତୁ ସପ୍ତାଦଶ ଶତାବ୍ଦୀରେ ଜନ୍ମିତ ମହାନ ବୈଷ୍ଣଵ ରସିକାନନ୍ଦଙ୍କ ପ୍ରଚେଷ୍ଠାରେ ଓଡ଼ିଆ ଭାଗବତର ପ୍ରଚାର ଓ ପ୍ରସାର ଫଳସ୍ୱରୂପ ଅଧୂନା ମେଦିନୀପୁର ଓଡ଼ିଶାରେ ନଥିଲେ ମଧ୍ୟ ଉକ୍ତ ଜିଲ୍ଲାର ଗ୍ରାମାଞ୍ଚଳ ମାନଙ୍କରେ ସମ୍ପୂର୍ଣ୍ଣ ଓଡ଼ିଆ ଭାଗବତକୁ ବଙ୍ଗୀୟ ଲିପ୍ୟନ୍ତର କରି ପାଠ କରାଯାଉଛି।
ଏକବିଂଶ ଶତାବ୍ଦୀରେ ଅନ୍ୟତମ ଉତ୍କଳୀୟ ସାଧକ ତଥା ଗୌଡୀୟ ବୈଷ୍ଣଵ ମନ୍ତ୍ରରେ ଦୀକ୍ଷିତ ସ୍ବର୍ଗତ ଶ୍ରୀଗୌରଗୋବିନ୍ଦ ସ୍ୱାମୀ ମଧ୍ୟ ଓଡ଼ିଆ ଭାଗବତକୁ ଭିତ୍ତି କରି ଓଡ଼ିଶାରେ ଗୌଡୀୟ ବୈଷ୍ଣଵ ଦର୍ଶନ ପ୍ରଚାର କରିଥିଲେ। ପୁନଶ୍ଚ, ଯେଉଁ ସାଧକଗଣ ଉତ୍କଳୀୟ ବୈଷ୍ଣଵ ଦର୍ଶନରେ ଅନୂପ୍ରାଣିତ ସେମାନେ ସ୍ୱତଃପ୍ରବୃତ୍ତ ଭାବରେ ଷୋଡ଼ଶ ଶତାବ୍ଦୀଠାରୁ ଏଯାବତ ଓଡ଼ିଆ ଭାଗବତର ପ୍ରଚାର ଓ ପ୍ରସାରରେ ବ୍ରତୀ। ତଥାପି ଏଠାରେ ଦୁଃଖର ସହିତ ଉଲ୍ଲେଖ କରିବାକୁ ପଡୁଛି ଯେ, ଏ ସବୁ ପ୍ରଚାର ପ୍ରସାର ସତ୍ତ୍ୱେ ଓଡ଼ିଆ ଭାଗବତ ପୂର୍ଣ୍ଣରୂପରେ ଗୌଡୀୟ ବୈଷ୍ଣଵ ଜଗତରେ ଗୃହୀତ ହୋଇନାହିଁ। ସ୍ଥଳ ବିଶେଷରେ ଜଗନ୍ନାଥଙ୍କ ଓଡ଼ିଆ ଭାଗବତ ଶଙ୍କରାଚାର୍ଯ୍ୟଙ୍କ ପ୍ରଣୀତ “ବ୍ରହ୍ମ ସତ୍ୟ ଜଗନ୍ ମିଥ୍ୟା” ଉକ୍ତିକୁ ସମର୍ଥନ କରୁଥିବାରୁ ଏହାକୁ “ମାୟାବାଦୀ ଦର୍ଶନ”ର ଆଖ୍ୟା ଦେଇଛନ୍ତି କିଛି ଗୌଡୀୟ ବୈଷ୍ଣଵ ପନ୍ଥୀ।
ଓଡ଼ିଆ ଭାଗବତ ଗୌଡୀୟ ବୈଷ୍ଣଵ ଜଗତରେ ପୂର୍ଣ୍ଣ ରୂପରେ ଗ୍ରହଣୀୟ ହୋଇ ନାହିଁ କିନ୍ତୁ ଏହାର ପ୍ରସିଦ୍ଧି ଓ ପ୍ରଭାଵ ବଙ୍ଗୀୟ ଭାଗବତରେ ପରିଲକ୍ଷିତ ହୋଇଛି। ବଙ୍ଗଳା ଭାଗବତ ସର୍ବପ୍ରଥମେ ରଚନା କରିଥିଲେ ସନାତନ ବିଦ୍ୟାବାଗୀଶ, କିନ୍ତୁ ସେ ଓଡ଼ିଆ ଭାଗବତର ଦଶମ ସ୍କନ୍ଦକୁ ଅବିକଳ ରୂପରେ ସ୍ଥାନ ଦେଇଛନ୍ତି ତାଙ୍କ ବିରଚିତ ବଙ୍ଗଳା ଭାଗବତରେ। ଏଇ ସେଇ ପବିତ୍ର ଓଡ଼ିଆ ଭାଗବତର ଦଶମ ସ୍କନ୍ଦ ଯେଉଁଥିରେ ବର୍ଣ୍ଣିତ ହୋଇଛି ଲୀଳା-ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କ ଲୀଳାମାଧୂରୀ, ଯେଉଁ ଦଶମ ସ୍କନ୍ଦର କେତୋଟି ଅଧ୍ୟାୟ ଶ୍ରବଣ କରି ଶ୍ରୀଚୈତନ୍ୟ ପ୍ରେମ-ବିଗଳିତ ହୋଇ ଜଗନ୍ନାଥ ଦାସଙ୍କୁ ଅତିବଡ଼ି ଉପାଧିରେ ବିଭୂଷିତ କରିଥିଲେ।
ବଙ୍ଗୀୟ ଭାଗବତାକାର ସନାତନ ବିଦ୍ୟାବାଗୀଶ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଆ ଭାଗବତର ଦଶମ ସ୍କନ୍ଦ ଏତେ ମାଧୁର୍ଯ୍ୟମୟ ତଥା ଅମୃତ-ଆପ୍ଳୁତ ଯେ, ସେଇ ରସକୁ ପୂର୍ଣ୍ଣ ଆସ୍ଵାଦନ କରିବା ନିମନ୍ତେ ତାହାକୁ କେବଳ ବଙ୍ଗଳା ଲିପ୍ୟନ୍ତର କରି ଅଥଚ ଅବିକଳ ଓଡ଼ିଆ ଭାଷାରେ ରଖି ସେ ନିଜସ୍ୱ ବିରଚିତ ବଙ୍ଗଳା ଭାଗବତରେ ସ୍ଥାନ ଦେଇଛନ୍ତି। ଏଥିରୁ ଜଗନ୍ନାଥ ଦାସଙ୍କ ଭାଗବତର ସୁଦୂର-ପ୍ରସାରୀ ପ୍ରସିଦ୍ଧିର ଅନୁମାନ କରାଯାଇ ପାରେ ।
ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଯେତେବେଳେ କିଛି ବଙ୍ଗୀୟ ରାଜନୈତିକ ବ୍ୟକ୍ତିବିଶେଷ ଓଡିଶାରୁ ଓଡ଼ିଆ ଭାଷା ଉଛେଦ କରି ବଙ୍ଗଳା ଭାଷା ପ୍ରଚଳନ କରିବାକୁ ଚେଷ୍ଠା କରିଥିଲେ, ସେତେବେଳେ ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଭାଗବତ ମାଧ୍ୟମରେ ପ୍ରମାଣ କରିଥିଲେ ବଙ୍ଗଳା ଭାଷା ଠାରୁ ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ଓ ଉତ୍କର୍ଷତା। ଏକଦା ମଧୁବାବୁ ଭାବବିହ୍ୱଳିତ ହୋଇ ବ୍ରିଟିଶ ସରକାରଙ୍କ ସମ୍ମୁଖରେ ଉଦବୋଧନ ଦେଇ କହିଥିଲେ ଯେ, ପବିତ୍ର ନୀଳାଚଳ ଧାମକୁ କେନ୍ଦ୍ରରେ ରଖି ପୃଥିବୀର ଯେଉଁ ଭୂଖଣ୍ଡ ଯାଏଁ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ ଓ ସାଧକସିଦ୍ଧ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଗୁଞ୍ଜରିତ ତାହାହିଁ ହେଉ ଓଡିଶା ପ୍ରଦେଶର ଭୌଗୋଳିକ ପରିସୀମା।
ବଙ୍ଗୀୟମାନେ ଦିନେ ଓଡ଼ିଶାରେ ଓଡ଼ିଆ ଭାଷାକୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଓ ଓଡ଼ିଆ ସ୍ୱତନ୍ତ୍ର ଭାଷା ମାନ୍ୟତା ପାଇବାର ପରବର୍ତ୍ତୀ ସମୟରେ ଅନେକ ବଙ୍ଗୀୟ ଭାଷାବିତ ଓ ଲେଖକ ଓଡ଼ିଆ ଭାଗବତର ପ୍ରଶସ୍ତିଗାନ ପୂର୍ବକ ନିର୍ବିବାଦରେ ଏହା ସ୍ଵୀକାର କରିଥିଲେ ଯେ ଓଡ଼ିଆ ଭାଷା, ବଙ୍ଗଳା ଭାଷାର ଅଗ୍ରଜା ଵା ଜ୍ୟେଷ୍ଠାଭଗ୍ନୀ ସଦୃଶ।
ଓଡ଼ିଆ ଭାଗବତ କେବଳ ଯେ, ଓଡ଼ିଆ ଭାଷା-ସାହିତ୍ୟକୁ ଏକ ନୂତନ ଦିଗନ୍ତ ଦେଇଛି ତାହାନୁହେଁ ବରଂ ଏକ ଅମରଯୁଗ ପର୍ଯ୍ୟନ୍ତ ଅନନ୍ୟ ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ଜାଗରଣ ସୃଷ୍ଟି କରିଦେଇଛି।