ସୃଷ୍ଟିସମଗ୍ର

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୫)

ଲେଖା: ଇଂ ବିଜୟ କେତନ ସାହୁ

ଶ୍ରୀଚୈତନ୍ୟଙ୍କ ସହିତ ଅତିବଡ଼ି ଜଗନ୍ନାଥ ଦାସଙ୍କ ସହିତ ଆଧ୍ୟାତ୍ମିକ ସମ୍ପର୍କ ଥିଲା ନିବିଡ। ଷୋଡ଼ଶ ଶତାବ୍ଦୀର କବି ମାଧବ ପଟ୍ଟନାୟକଙ୍କ ବୈଷ୍ଣଵ ଲୀଳାମୃତ ଗ୍ରନ୍ଥ ଅନୁସାରେ ଶ୍ରୀଚୈତନ୍ୟ ଜଗନ୍ନାଥ ଦାସଙ୍କୁ ସ୍ନେହରେ “ସ୍ୱାମୀ” ଓ ଜଗନ୍ନାଥ ଦାସ ଶ୍ରୀଚୈତନ୍ୟଙ୍କୁ ଭକ୍ତିରେ “ପ୍ରଭୁ” ବୋଲି ସମ୍ବୋଧନ କରୁଥିଲେ।

ବୈଷ୍ଣଵ ଲୀଳାମୃତ ପରିଷ୍କାର ଭାବରେ ଏହା ଉଲ୍ଲେଖ କରିଛି ଯେ, ଶ୍ରୀଚୈତନ୍ୟଙ୍କ ପ୍ରେମଭକ୍ତି ସିଦ୍ଧାନ୍ତକୁ ପୂର୍ଣ୍ଣତଃ ଗ୍ରହଣ ପୂର୍ବକ ଉକ୍ତ ମତରେ ପୁନଃ ଦୀକ୍ଷା ଗ୍ରହଣ ନିମନ୍ତେ ଜଗନ୍ନାଥ ଦାସ ତାଙ୍କୁ ପ୍ରାର୍ଥନା କରିଥିଲେ। ତେବେ, ଶ୍ରୀଚୈତନ୍ୟଙ୍କ ନିର୍ଦ୍ଦେଶରେ ଅନ୍ୟତମ ଉତ୍କଳୀୟ ପଞ୍ଚସଖା ମତ୍ତ ବଳରାମ ଦାସ ଜଗନ୍ନାଥଙ୍କୁ ଭକ୍ତି ଯୋଗରେ ଦୀକ୍ଷା ପ୍ରଦାନ କରିଥିଲେ।


ଜଗନ୍ନାଥଙ୍କ ଆଧ୍ୟାତ୍ମିକ ସାଧନା, ଭାଗବତ ରଚନା, କୃଷ୍ଣଭକ୍ତି ଆଦିରେ ପ୍ରୀତ ହୋଇ ଶ୍ରୀଚୈତନ୍ୟ ତାଙ୍କୁ ଅତିବଡ଼ି ଉପାଧୀରେ ବିଭୂଷିତ କରିଥିଲେ। ତେବେ ମହାପ୍ରଭୁଙ୍କର ଜଗନ୍ନାଥ ଦାସଙ୍କ ପ୍ରତି ଏହି ଅଯାଚିତ ଅନୁକମ୍ପାକୁ କିଛି ବଙ୍ଗୀୟ ବୈଷ୍ଣଵଗଣ ଗ୍ରହଣ କରିନପାରି ଈର୍ଷାନ୍ବିତ ହୋଇଥିଲେ । କ୍ରମଶଃ ସେମାନେ ଅଭିମାନ ବଶତଃ ନୀଳାଚଳ ପରିତ୍ୟାଗ କରି ବୃନ୍ଦାବନ ଚାଲିଯାଇଥିଲେ। ତେବେ ସେମାନଙ୍କୁ ଫେରେଇ ଆଣିବା ପାଇଁ ଜଗନ୍ନାଥ ନିଜେ ଶ୍ରୀଚୈତନ୍ୟଙ୍କ ନିର୍ଦ୍ଦେଶରେ ଯାଜପୁର ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ଫେରିନଥିଲେ। ସେହିଦିନ ଠାରୁ ବଙ୍ଗୀୟ ବୈଷ୍ଣଵଗଣଙ୍କ ନିମନ୍ତେ ନୀଳାଚଳ ପରିବର୍ତ୍ତେ ବୃନ୍ଦାବନ ହୋଇଗଲା ମୁଖ୍ୟଧାମ। ଆଜି ଵି ଅନେକ ବଙ୍ଗୀୟ ବୈଷ୍ଣବ ପବିତ୍ର ବୃନ୍ଦାବନକୁ ନିତ୍ୟଗୋଲକର ମାନ୍ୟତା ଦେଲାବେଳେ, ପବିତ୍ର ନୀଳଚଳକୁ ଚିଦ୍ ଜଗତର ବୈକୁଣ୍ଠ (ଯାହାକି ନିତ୍ୟଗୋଲକର ନିମ୍ନ ସ୍ତରରେ ଅବସ୍ଥିତ) ସହିତ ତୁଳନା କରନ୍ତି। ତେବେ ଶ୍ରୀଚୈତନ୍ୟ ଭାବଧାରା ଅନୁସାରେ ଏଇ ପବିତ୍ର ନୀଳାଚଳ ହେଉଛି ଗୁପ୍ତବୃନ୍ଦାବନନିତ୍ୟଗୋଲକ। ପଞ୍ଚସଖା ସାହିତ୍ୟରେ ଶ୍ରୀକ୍ଷେତ୍ର-ନୀଳଚଳକୁ ନିତ୍ୟଗୋଲକର ଓ ସର୍ବ ପୁଣ୍ୟଧାମର ମିଳନକ୍ଷେତ୍ରର ମାନ୍ୟତା ଶ୍ରୀଚୈତନ୍ୟଙ୍କ ନୀଳାଚଳ ଆସିବାର ଅନେକ ପୂର୍ବରୁ ଦିଆଯାଇ ସରିଥିଲା।

ଶ୍ରୀଚୈତନ୍ୟଙ୍କ ସହିତ ଜଗନ୍ନାଥ କ୍ରମଶଃ ସଂକୀର୍ତ୍ତନ ପ୍ରଚାର ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅତିବଡ଼ି ଜଗନ୍ନାଥଙ୍କ ରଚିତ ପବିତ୍ର ଓଡ଼ିଆ ଭାଗବତ ଶୁଣିବାକୁ ଅତ୍ୟନ୍ତ ସୁଖ ମଣୁଥିଲେ ଶ୍ରୀଚୈତନ୍ୟ। ଭାଗବତ ଶୁଣି ପ୍ରେମରେ ଅଧୀର ହୋଇଯାଉଥିଲେ ସେ।


ଶ୍ରୀଚୈତନ୍ୟଙ୍କୁ କେନ୍ଦ୍ର କରି ଦଳଗତ ଭାବରେ ଭାଗବତ ପାରାୟଣ, ନଗର କୀର୍ତ୍ତନ ଓ କୃଷ୍ଣନାମ ଭଜନ ଓ ମନନ ନିତ୍ୟ ପରିବେଷିତ ହେଉଥିଲା ଜଗନ୍ନାଥ ଦାସଙ୍କ ତତ୍ୱାବଧାନରେ। କୃଷ୍ଣନାମରେ ଭାବ ସମାଧୀସ୍ଥ ହୋଇଯାଉଥିଲେ ଶ୍ରୀଗୌରଙ୍ଗ। ଚେତନାଶୂନ୍ୟ ହୋଇ ଯାଉଥିଲେ ସେ। ଜଗନ୍ନାଥ ତାଙ୍କ କର୍ଣ୍ଣରେ କୃଷ୍ଣନାମ ଉଚ୍ଚାରଣ ପୂର୍ବକ ସ୍ୱଭାବିକ ଅବସ୍ଥାକୁ ଫେରାଇ ଆଣୁଥିଲେ। 

ମହାପ୍ରଭୁ ଶ୍ରୀଚୈତନ୍ୟଙ୍କ ମାନବୀୟ ଇହଲୀଳା ସମ୍ବରଣର ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଅତିବଡ଼ି ଜଗନ୍ନାଥ ଦାସ ତାଙ୍କ ସହିତ ଥିଲେ। ବୈଷ୍ଣବ ଲୀଳାମୃତ ଏହା ବର୍ଣ୍ଣନା କରିଛି ଯେ, ଏକଦା ସଂକୀର୍ତ୍ତନ ସମୟରେ ମହାପ୍ରଭୁ (ଶ୍ରୀଚୈତନ୍ୟ) ଦିବ୍ୟ ଉନ୍ମାଦ ହୋଇ ନୃତ୍ୟକରିବା ସମୟରେ ବଡଦାଣ୍ଡରେ ପଡିଥିବା ଏକ ଇଟା ବାଜି ପ୍ରଚୁର ଆଘାତ ପାଇଥିଲେ। ପ୍ରଭୁଙ୍କ ବାମ ବୃଦ୍ଧାଙ୍ଗୁଳିରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏହାରି ପ୍ରକୋପରେ ତାଙ୍କୁ ପ୍ରବଳ ଜ୍ୱର ଆସିଥିଲା ଏବଂ ଯାହାରି ଫଳରେ ଶ୍ରୀଚୈତନ୍ୟ ଇହଲୀଳା ସମ୍ବରଣ କରିଥିଲେ। 

ଏକ ସତିନାରୀ ଯେପରି ସ୍ୱାମୀର ସେବା କରେ, ଭକ୍ତ ଯେପରି ପ୍ରଭୁଙ୍କ ସେବା କରେ ସେହିପରି ଭକ୍ତିଭାବରେ ଶ୍ରୀଚୈତନ୍ୟଙ୍କ ପାର୍ଥିବ ଲୀଳାର ଶେଷ ମୁହୁର୍ତ୍ତ ଯାଏଁ ତାଙ୍କର ସେବା କରିଥିଲେ ଜଗନ୍ନାଥ ଦାସ। ସ୍ଥୂଳ ରୂପରେ ମହାପ୍ରଭୁଙ୍କ ବିୟୋଗ ଜଗନ୍ନାଥଙ୍କ ପାଇଁ ହୋଇଥିଲା ଅସହ୍ୟ। ମହାପ୍ରଭୁଙ୍କ ଏଇ ଦୁଃଖଦ ମହାପ୍ରଣାୟରେ ମ୍ରିୟମାଣ ହୋଇ ସେ ଅବଶିଷ୍ଠ ଜୀବନ ଶ୍ରୀକ୍ଷେତ୍ରର ସମୁଦ୍ରକୂଳରେ ସାତଲହଡି ମଠ ସ୍ଥାପନ କରି ଧ୍ୟାନ, ଧାରଣା ଆଦି ନୀରବ ସାଧନା ସେ କରିଥିଲେ। ମହାପ୍ରଭୁ ଚୈତନ୍ୟଙ୍କ ମର୍ତ୍ତ୍ୟଲୀଳାର ଏକ ବିଶିଷ୍ଠ ଲୀଳାସଙ୍ଗୀ ଥିଲେ ଜଗନ୍ନାଥ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago