ସୃଷ୍ଟିସମଗ୍ର

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୪)

ଲେଖା: ଇଂ ବିଜୟ କେତନ ସାହୁ

ଅତିବଡ଼ି ଜଗନ୍ନାଥ ଦାସ ପ୍ରାରମ୍ଭିକ ଜୀବନରେ ଥିଲେ ଜ୍ଞାନମିଶ୍ରା ଭକ୍ତିର ଉପାସକ। ଶ୍ରୀଚୈତନ୍ୟ ମହାପ୍ରଭୁ ଥିଲେ ବିଶୁଦ୍ଧ ପ୍ରେମଭକ୍ତିର ପ୍ରଚାରକ। ଶ୍ରୀଚୈତନ୍ୟଙ୍କ ପ୍ରଭାବରେ ଜଗନ୍ନାଥ ଦାସ ସ୍ଵକୀୟ ଭାଗବତରେ ଗୋପାଙ୍ଗନା ପ୍ରେମ ଵା ଗୋପୀପ୍ରେମକୁ ପ୍ରାଧାନ୍ୟ ଦେଇଛନ୍ତି। ଈଶ୍ୱରପ୍ରାପ୍ତିର ଲକ୍ଷ୍ୟ ଯଦି ଭକ୍ତି ହୁଏ, ଜ୍ଞାନ ହେଉଛି ତାହାର ଉପାୟ। ଭକ୍ତିର ଚରମ ସୋପାନରେ ପହଞ୍ଚିଲେ ଆଉ ଜ୍ଞାନର ଆବଶ୍ୟକ ନଥାଏ। ଭକ୍ତିର ଚରମ ସୋପାନରେ ଜୀବ କେବଳ କୃଷ୍ଣପ୍ରେମ ସୁଖ ସାଗରରେ ଭାସମାନ ଥାଏ

ପ୍ରେମାଞ୍ଜନ ଛୁରିତ ନେତ୍ର ଯାହାର ସିଏ ହିଁ ସର୍ବତ୍ର କୃଷ୍ଣ ଦର୍ଶନ କରିଥାଏ। ସମଗ୍ର ସତ୍ତା ଯେତେବେଳେ କୃଷ୍ଣମୟ ହୋଇଉଠେ, ସେତେବେଳେ ନୟନରୁ ବହିଯାଏ କୃଷ୍ଣପ୍ରେମର ଅଶ୍ରୁଧାରା । ପ୍ରେମର ମୂର୍ତ୍ତ ପ୍ରତୀକ ଥିଲେ ଚୈତନ୍ୟଦେଵ। ପ୍ରେମର ଏଇ ଅଶ୍ରୁଧାରାରେ ଶ୍ରୀଚୈତନ୍ୟ କୃଷ୍ଣଭକ୍ତିର ବନ୍ୟା-ପ୍ଲାବନ ସୃଷ୍ଟି କରିଥିଲେ ସମଗ୍ର ଉତ୍କଳରେ। ଶ୍ରୀଚୈତନ୍ୟ ସ୍ୱୟଂ କୃଷ୍ଣଙ୍କ ପ୍ରେମାବତାର। କିନ୍ତୁ ରାଧାଭାବକୁ ଅଙ୍ଗୀକାର କରି କୃଷ୍ଣଙ୍କ ବିରହରେ ପ୍ରମତ୍ତ ହୋଇ ଉଠୁଥିଲେ। କ୍ରମଶଃ ତାଙ୍କୁ ଦୁର୍ବିସହ ହୋଇ ଉଠୁଥିଲା ଏ ବିରହ। କୃଷ୍ଣପ୍ରେମରେ ଶ୍ରୀଚୈତନ୍ୟ ବାହ୍ୟ ଚେତନା ଶୂନ୍ୟ ହୋଇ ପଡୁଥିଲେ। ବାରମ୍ବାର ଛୁଟି ଯାଉଥିଲେ ଶ୍ରୀମନ୍ଦିରକୁ ତାଙ୍କରି ସେହି ପ୍ରାଣପ୍ରିୟତମ କୃଷ୍ଣଙ୍କୁ ଦେଖିବା ପାଇଁ…

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେ ସ୍ୱୟଂ ପ୍ରେମମୟ କୃଷ୍ଣ। ପଦ୍ମ ପୁରାଣ ଅନୁସାରେ ରାଧାଙ୍କ ବିରହରେ ସର୍ବୋଚ୍ଚ ପ୍ରେମର ଘନୀଭୂତ ରୂପ-ବିଗ୍ରହ ଶ୍ରୀଜଗନ୍ନାଥ। ଶ୍ରୀଚୈତନ୍ୟ ସ୍ୱୟଂ ରାଧାଭାବକୁ ଗ୍ରହଣ ପୂର୍ବକ ତାଙ୍କର ସେହି ପ୍ରାଣନାଥ କୃଷ୍ଣଙ୍କୁ ଖୋଜୁଥିଲେ ଜଗନ୍ନାଥଙ୍କ ଭିତରେ।

ଏଇ ସାଗରକୂଳିଆ ଜଗନ୍ନାଥ ଯେ ସେଇ ଯମୁନାକୂଳିଆ କୃଷ୍ଣ। ଜଗନ୍ନାଥରୂପୀ ବଂଶୀଧାରୀ ନବଘନ କୃଷ୍ଣଙ୍କୁ ବାରମ୍ବାର ଦର୍ଶନ କରି ମଧ୍ୟ ଶ୍ରୀଚୈତନ୍ୟ ତୃପ୍ତ ହେଉନଥିଲେ। ଦିବସର କେତେ ଯେ ପ୍ରହର ସେ ଅପଲକ ନେତ୍ରରେ ଚାହିଁ ରହୁଥିଲେ ସେହି ପଲକ ବିହୀନ ଚକାଡୋଳାଙ୍କୁ। ପ୍ରିୟତମଙ୍କ ପାଇଁ ଏଇ ଅତୃପ୍ତି ହିଁ ପ୍ରେମର ପ୍ରକୃତ ଲକ୍ଷଣ।


କାଳିଆର କଳା ଶ୍ରୀମୁଖ ଯେତେ ଦେଖିଲେ ଵି ମନ ପୁରେନାହିଁ। ଆଖି ଚହେଁ ଆହୁରି ଦେଖିବାକୁ, ତଥାପି ମନ ତୃପ୍ତ ହୁଏନା। ସେଦିନ ସେପରି ଏକ ଅତୃପ୍ତିର ଭାବ ନେଇ ଶ୍ରୀମନ୍ଦିରରୁ ଫେରୁଥିଲେ ଶ୍ରୀଗୌରାଙ୍ଗ (ଶ୍ରୀଚୈତନ୍ୟ)। କିନ୍ତୁ ଗଣେଶ ମନ୍ଦିର ସମ୍ମୁଖସ୍ଥ ବଟବୃକ୍ଷ ମୂଳରେ ହଠାତ୍ ଶ୍ରୁତିଗୋଚର ହେଲା ସୁମଧୁର ଓଡ଼ିଆ ଭାଷାରେ ଭାଗବତର ସୁଲଲିତ ପଦାବଳୀର କେତୋଟି ପଙ୍କ୍ତି। ଶ୍ରୀଗୌରସୁନ୍ଦର (ଶ୍ରୀଚୈତନ୍ୟ) କ୍ରମଶଃ ଅଗ୍ରସର ହେଲେ ବଟବୃକ୍ଷ ସନ୍ନିକଟକୁ । ତରୁଣ ଯୁବକାନ୍ତି ଆଭାରେ ସୁଦର୍ଶନ ଯୁବକଟିଏ ତନ୍ମୟ ହୋଇ ଗାନ କରି ଚାଲିଥା’ନ୍ତି ସ୍ୱରଚିତ ଭାଗବତ ପଦାବଳୀ। ପାର୍ଶ୍ୱରେ କିଛି ନରନାରୀ ଶ୍ରବଣ କରୁଥାଆନ୍ତି ସେଇ ଭାଗବତକୁ। ତଲ୍ଲୀନ ଚିତ୍ତରେ ଶ୍ରୀଚୈତନ୍ୟ ସେଦିନ ସେଇ ଭାଗବତ ଶୁଣି ହୋଇଥିଲେ ଆତ୍ମ ବିମୋହିତ। ଅତୃପ୍ତଚିତ୍ତ ତାଙ୍କର ତୃପ୍ତ ହେଲା ଭାଗବତର ଅପୂର୍ବ ଛନ୍ଦ ମାଧୁରୀରେ। ଭାଗବତ ପଠନାନ୍ତେ ସେଇ ଯୁବକଙ୍କ ଯେତେବେଳେ ତନ୍ମୟତା ଭଗ୍ନ ହୁଏ, ଦିବ୍ୟ ଉଲ୍ଲାସରେ ଶ୍ରୀଚୈତନ୍ୟ ତାଙ୍କୁ “ସଖା” ସମ୍ବୋଧନ ପୂର୍ବକ ଗଭୀର ପ୍ରଣୋଚ୍ଛ୍ୱାସରେ ଆଲିଙ୍ଗନ କରନ୍ତି। କେତୋଟି ଯୁଗ ପରେ  ସତେ ଯେମିତି ପୁନଃ ମିଳନ ହୁଏ ଭକ୍ତ ଆଉ ଭଗବାନଙ୍କର, ସେବ୍ୟ ଆଉ ସେବକଙ୍କର। ଉଭୟଙ୍କ ନୟନରୁ ବହି ଯାଉଥାଏ ଭାଗବତ ପ୍ରେମର ଲୋତକଧାରା। ପ୍ରଭୁପଦରେ ବରଣ କଲେ ଶ୍ରୀଚୈତନ୍ୟଙ୍କୁ ସେଇ ଯୁବକ ଜଣକ। ସେଇ ଯୁବକ ଜଣକ ଆଉ କେହି ନଥିଲେ, ସେହିଁ ଥିଲେ ଅଷ୍ଟାଦଶ ବୟସରେ ଉପନୀତ ତରୁଣର ତାରୁଣ୍ୟତାରେ ଦୀପ୍ତିମାନ ଓଡ଼ିଆ ଜାତିର ଚୀରନମସ୍ୟ, ପ୍ରାତଃ ସ୍ମରଣୀୟ ଜଗନ୍ନାଥ ଦାସ। ଶ୍ରୀମନ୍ ମହାପ୍ରଭୁ (ଶ୍ରୀଚୈତନ୍ୟ)ଙ୍କ ଶ୍ରୀକ୍ଷେତ୍ର ଅବସ୍ଥାନ ଯାବତ ସେ ଥିଲେ ତାଙ୍କର ନିତ୍ୟସଖା।ଜଗନ୍ନାଥ ଦାସ ଭାଗବତର ଦଶମସ୍କନ୍ଦ ରଚନା କାଳରେ ଶ୍ରୀଚୈତନ୍ୟଙ୍କ ସହିତ ସାକ୍ଷାତ ହୋଇଥିଲା। ଜ୍ଞାନମିଶ୍ରିତ ଭକ୍ତି ସହିତ ପ୍ରେମଭକ୍ତିର ମିଶ୍ରଣ ହୋଇଥିଲା ଉତ୍କଳୀୟ ବୈଷ୍ଣଵ ଦର୍ଶନରେ। ଶ୍ରୀଚୈତନ୍ୟଙ୍କ ପ୍ରଭାବରେ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ମିଶ୍ରିତ ରୂପଧାରଣ କରିଥିଲା ସତ, କିନ୍ତୁ ଦଶମ ଓ ଏକାଦଶ ସ୍କନ୍ଦରେ ପ୍ରେମଭକ୍ତିର ଯେଉଁ ଚରମ ନିଦର୍ଶନ ରହିଛି ତାହା ଥିଲା ପରମ ମାଧୁର୍ଯ୍ୟ ମଣ୍ଡିତ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago