ହ୍ବିଲର୍ ଦ୍ଵୀପପୁଞ୍ଜ

ଲେଖା: ଦେଵ ତ୍ରିପାଠୀ
୧୯୯୫ ମସିହା ।
ଦେଶର ବିଶିଷ୍ଟ ଅଣୁବିଜ୍ଞାନୀ ଡ. #ଅବଦୁଲ୍_କଲାମ୍ ମହୋଦୟ ଆସି ପହଞ୍ଚିଛନ୍ତି ମହୋଦଧି ମଧ୍ୟସ୍ଥ ଏକ ଦ୍ବୀପପୁଞ୍ଜରେ । ଭାରତୀୟ ପ୍ରତିରକ୍ଷା ବିଭାଗର ମଧ୍ୟବର୍ତ୍ତୀକାଳୀନ ପରୀକ୍ଷାଗାର ପ୍ରତିଷ୍ଠା ଉପଲକ୍ଷେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଶେଷ କରି ବୈଜ୍ଞାନିକ ବାହାରି ଗଲେ ଦ୍ଵୀପଟିର ଶୋଭା ଅବଲୋକନ ଉଦ୍ଦେଶ୍ୟରେ । ନୈସର୍ଗିକ ଶୋଭା ଅବଲୋକନରେ ବିଦଗ୍ଧ ପ୍ରକୃତିପ୍ରେମୀ କଲାମ୍ ଚାଲି ଚାଲି ଆଗେଇ ଯାଇଥିଲେ ଦୀର୍ଘପଥ ।
କିନ୍ତୁ ଏ କ’ଣ ଦେଖୁଛନ୍ତି ସେ ? ଅଦୂରର ଏକ ଗଛରେ ଫରଫର ଉଡ଼ୁଛି ବଙ୍ଗଳାଦେଶର ଜାତୀୟ ପତାକା ! ଆଖପାଖରେ ଅଗଣିତ କୁଡ଼ିଆଘର ! ଭାରତ ମାଟିରେ ଶତ୍ରୁଦେଶର ଜାତୀୟ ପତାକା !
ଅବିଳମ୍ବେ ସେହି ଜାତୀୟ ପତାକାକୁ ଉପାଡ଼ି ଫିଙ୍ଗି ଦେଇଥିଲେ ଡ଼. କଲାମ୍ ! ସେବେଳକୁ ଚହଳ ପଡ଼ିଗଲାଣି ସାଥୀ ବୈଜ୍ଞାନିକ ଓ ସରକାରୀ କର୍ମକର୍ତ୍ତାଙ୍କ ମଧ୍ୟରେ ! ଝାଳନାଳ ହୋଇ ଧାଇଁ ଆସିଥିଲେ ସଭିଏଁ !
ବଙ୍ଗଳାଦେଶର ମତ୍ସ୍ୟଜୀବିମାନେ ନିୟମିତ ଆସି ସେଠାରେ ଯେଉଁ ଛୋଟ ଛୋଟ କୁଡ଼ିଆ ନିର୍ମାଣ କରି ରହୁଥିଲେ ସେ ବାବଦରେ ଡ. କଲାମ୍ ତତକ୍ଷଣାତ୍ ସୂଚାଇ ଦେଇଥିଲେ ଓଡ଼ିଶା ସରକାର ଓ ଭାରତୀୟ ପ୍ରତିରକ୍ଷା ବିଭାଗକୁ । ପରେ ପରେ ତତ୍କାଳୀନ ଓଡ଼ିଶା ସରକାର ଉକ୍ତ ଦ୍ଵୀପପୁଞ୍ଜକୁ ବାଲେଶ୍ବରସ୍ଥିତ Defence Research and Development Organisation (DRDO)କୁ ହସ୍ତାନ୍ତର କରିବା ପାଇଁ ଦଲିଲରେ ସ୍ବାକ୍ଷର କରିଥିଲେ । ଏହି ଦ୍ଵୀପପୁଞ୍ଜସମୂହ ଭାରତର ବୋଲି ସୂଚାଇଦେବା ନିମନ୍ତେ ଅଶୋକ ଚକ୍ରର ନକ୍ସା ଅଙ୍କିତ ଥିବା ଖୁମ୍ବମାନ ସ୍ଥାପନା କରାଗଲା । #ହ୍ବିଲର୍_ଦ୍ଵୀପପୁଞ୍ଜ ଭାବେ ପରିଚିତ ସେଇ ଦ୍ଵୀପଗୁଡ଼ିକୁ ବିଜ୍ଞାନୀ ଡ଼. କଲାମଙ୍କ ନାମରେ ମଧ୍ୟ ନାମିତ କରିଦିଆଗଲା । ତେବେ ଓଡ଼ିଶା ଇତିହାସରେ ଅନାଲୋଚିତ ଏଇ ହ୍ବିଲର୍ ଦ୍ଵୀପପୁଞ୍ଜ ।
୧୯୨୦ ମସିହା । କଳିଙ୍ଗ ସାଗରରେ ପ୍ରାକୃତିକ ଉପାୟରେ ଗଠିତ ହେଲା ଦ୍ଵୀପପୁଞ୍ଜଟି ! କନିକା ରାଜ୍ୟର ସୀମା ଧାମରା ମୁହାଁଣ ତଥା ମଇପୁରା ମୁହାଁଣର ଅନତିଦୂର ପୂର୍ବ ଦିଗରେ ଅବସ୍ଥିତ ଛୋଟ ଛୋଟ କେତୋଟି ଦ୍ବୀପର ସମାହାର ! ତତ୍କାଳୀନ #କନିକା ରାଜ୍ୟର ସମ୍ମୁଖବର୍ତ୍ତୀ ସମୁଦ୍ରରେ ୪ ମାଇଲ୍ ଦୂରର ଏଇ ଦ୍ଵୀପପୁଞ୍ଜକୁ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ଗଭର୍ଣ୍ଣର ତଥା ନିଜର ବନ୍ଧୁ ସାର୍ ହେନେରି ହ୍ବିଲରଙ୍କ ନାମରେ ନାମିତ କରି ତା’ ଉପରେ ନିଜର ଅଧିକାର ସାବ୍ୟସ୍ତ କଲେ ମହାରାଜା #ରାଜେନ୍ଦ୍ର_ନାରାୟଣ_ଭଞ୍ଜଦେଓ ! ରାଜକର୍ମଚାରୀଙ୍କ ଦ୍ବାରା କରାଯାଇଥିବା ସର୍ବେକ୍ଷଣରେ ଏହାର ଆୟତନ ଥିଲା ୨୭୭.୬୦ ଏକର। କନିକାର ପ୍ରଜାମାନେ ସମୁଦ୍ରରୁ ମାଛ ଧରି ଶୁଖାଉଥିଲେ ଏଇ ଦ୍ଵୀପପୁଞ୍ଜର ବାଲୁକା ରାଶିରେ । ଏଥିପାଇଁ ସେମାନେ ରାଜାଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ପାଉଣା ଦେଉଥିଲେ ।
ତେବେ ଦ୍ଵୀପପୁଞ୍ଜ ଉପରେ ନିଜର ଆଧିପତ୍ୟ ପ୍ରଦର୍ଶନ କଲେ ମଧ୍ୟ ମହାରାଜା ନିଜର ଦାୟିତ୍ଵ ପ୍ରତି ସତତ ସଜାଗ ଥିଲେ । ଧୀବରମାନଙ୍କ ପ୍ରତି ସମ୍ବେଦନଶୀଳ ମହାରାଜା ସାମୟିକ ରହଣିସ୍ଥଳ, ପାନୀୟ ଜଳ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମାନ ଖଞ୍ଜି ଦେଇଥିଲେ ! ମାତ୍ର ଦ୍ଵୀପପୁଞ୍ଜର ନୈସର୍ଗିକ ଶୋଭାରାଜି, ସେଠାରୁ ଆୟ ହେଉଥିବା ବିପୁଳ ରାଜସ୍ବ ତଥା ସେଠାରେ ଉପଲବ୍ଧ ସାଧାରଣ ସୁବିଧାସୁଯୋଗ ସବୁକୁ ଦେଖି ବିଶେଷ ଲାଳାୟିତ ଥିଲେ ପଡ଼ୋଶୀ ଆଳି ରାଜ୍ୟର ରାଜା ! ଅବିଳମ୍ବେ ବିବାଦ ଘନେଇଲା ଆଳିକନିକା ରାଜ୍ୟ ମଧ୍ୟରେ !
ଆଳି ରାଜାଙ୍କୁ ମିଳିଗଲା ବାଲେଶ୍ଵରର କଲେକ୍ଟର ଜୋନଷ୍ଟନ୍’ଙ୍କ ସହଯୋଗ ! ଦ୍ଵୀପପୁଞ୍ଜଟି ଜଣେ ସରକାରୀ କର୍ମକର୍ତ୍ତାଙ୍କ ନାମରେ ନାମିତ ହୋଇଥିବା କାରଣର ଲାଭ ଉଠାଇ ଜୋନଷ୍ଟନ୍ ବାଲେଶ୍ବର କଲେକ୍ଟର ହିସାବରେ ସେ ଚଡ଼ାକୁ ପ୍ରକୃତରେ ସରକାରଙ୍କର ବୋଲି ଘୋଷଣା କରି ଦଖଲ ପାଇଁ ଆଳି ରାଜାଙ୍କୁ ପଟ୍ଟା କରିଦେଲେ । ଆଳି ରାଜ୍ୟର କେହି ପ୍ରଜା ୪୦ ମାଇଲ୍ ଦୂର ଆସି ଏ ଦ୍ଵୀପପୁଞ୍ଜରୁ କିଛି ଲାଭ ପାଇବା କିମ୍ବା ମାଛ ଧରିବା ପାଇଁ ଆଗ୍ରହୀ ନ ଥିଲେ ସତ ! ଦୁର୍ଭାଗ୍ୟକୁ କନିକା ମହାରାଜାଙ୍କର ବିରୋଧୀଙ୍କ ସଂଖ୍ୟା କିଛି କମ୍ ନ ଥିଲେ । କନିକା ରାଜ୍ୟରୁ ଶଶିଭୂଷଣ ରାୟ ନାମକ ଜଣେ ବିତାଡ଼ିତ ମ୍ୟାନେଜରଙ୍କ ଅଯାଚିତ ସହଯୋଗ ମିଳିଗଲା ଆଳିର ରାଜାଙ୍କୁ । ଆଳି ରାଜ୍ୟକୁ ଦ୍ଵୀପପୁଞ୍ଜର ଲିଜ୍ ଦେବା ନିମନ୍ତେ ଓକିଲ ଶଶିଭୂଷଣ ଲାଗିପଡ଼ିଲେ ।
ତେଣେ ଏଇ ଦ୍ଵୀପପୁଞ୍ଜର ଲିଜ୍ ବାବଦରେ ନିଷ୍ପତ୍ତି ନେବାର ଅଧିକାର ବାଲେଶ୍ଵର ବଦଳରେ କଟକ କଲେକ୍ଟରଙ୍କର ହେଇଥିବା କାରଣରୁ ତାଙ୍କର ହସ୍ତକ୍ଷେପ ଆଶା କରୁଥିଲେ ମହାରାଜା ! ତେବେ ଜୋନଷ୍ଟନ୍ ଏବଂ କନିକା ମହାରାଜା ଉଭୟ ଥିଲେ କଟକ କଲେକ୍ଟରଙ୍କର ବନ୍ଧୁ । ତେଣୁ ସେ ଦୁହିଁଙ୍କ କନ୍ଦଳ ଭିତରେ ହସ୍ତକ୍ଷେପ ନିମନ୍ତେ ମନ ବଳାଇଲେ ନାହିଁ କଟକ କଲେକ୍ଟର ! ପୁଣି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଅଭିଯାନ ତଥା ଉତ୍କଳ ସମ୍ମିଳନୀ ପ୍ରତି କନିକା ମହାରାଜା ଥିଲେ ଅତ୍ୟନ୍ତ ନିଷ୍ଠାବାନ । ଅଧିକାଂଶ ସମୟରେ ତାଙ୍କୁ ମଧୁବାବୁଙ୍କ ପାଖେ ପାଖେ ରହିବାକୁ ପଡ଼ୁଥିଲା କଟକରେ, ନିଜ ରାଜ୍ୟଠାରୁ ଦୂରରେ ! ଓଡ଼ିଶା ମାଟିର ସ୍ବାଭିମାନ ଆଗରେ ଫିକା ପଡ଼ିଗଲା ହ୍ବିଲର୍ ଦ୍ଵୀପପୁଞ୍ଜ ପ୍ରତି ଆଧିପତ୍ୟର ଲାଳସା । ମନ ହଟିଗଲା ସେଥି ପ୍ରତି ମହାରାଜାଙ୍କର !
କିନ୍ତୁ କନିକାର ମହାରାଜାଙ୍କ ପ୍ରତି ଅନୁରକ୍ତ ପ୍ରଜାଙ୍କର ଅଭାବ ନ ଥିଲା ! ସେପରି କେହି ପ୍ରଜା କଟକର ଜନୈକ ଓକିଲଙ୍କ ଦ୍ଵାରା ବୋର୍ଡ଼ ଅଫ ରେଭିନ୍ୟୁକୁ ଦରଖାସ୍ତ କଲେ ! ବୋର୍ଡ଼ ଏକ ନିରପେକ୍ଷ କମିଟି ଗଠନ କରି ଉପଯୁକ୍ତ ତଥ୍ୟାନୁସନ୍ଧାନ ପୁର୍ବକ ରାୟ ଦେଲେ: “ଏହି ଦ୍ବୀପପୁଞ୍ଜ କଟକ କିମ୍ବା ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ କରିବାକୁ ସରକାର ଏ ପର୍ଯ୍ୟନ୍ତ ନିଷ୍ପତ୍ତ ନେଇ ନାହାନ୍ତି । ଏଗୁଡ଼ିକ କଟକ ଜିଲ୍ଲା କନିକା ଅଂଶ ଜଳଭାଗ ସମ୍ମୁଖରେ ଅବସ୍ଥିତ । X X X ବାଲେଶ୍ବର କଲେକ୍ଟରଙ୍କ ଏହି ଦ୍ଵୀପପୁଞ୍ଜ ଉପରେ ଆଇନସଙ୍ଗତ କର୍ତ୍ତୃତ୍ବ ପ୍ରୟୋଗର ଅଧିକାର ନାହିଁ । X X X ସବୁ ଦୃଷ୍ଟିକୋଣରୁ ବିଚାର କଲେ, ସେହି ଦ୍ବୀପପୁଞ୍ଜ ସମ୍ବନ୍ଧରେ ଅନୁସନ୍ଧାନ କରି କନିକା ରାଜାଙ୍କ ସପକ୍ଷରେ ଲିଜ୍ ଲିପିବଦ୍ଧ କରିବା ସହ ଆଳି ଇଷ୍ଟେଟ ସପକ୍ଷରେ କରାଯାଇଥିବା ପଟ୍ଟା ରଦ୍ଦ କରାଯାଉ ।”
ସ୍ବାଧୀନୋତ୍ତର କାଳରେ କେନ୍ଦ୍ରାପଡ଼ା ଜିଲ୍ଲାର #ଗହୀରମଥା ଠାରୁ ମାତ୍ର ୧୪କି.ମି. ଦୂରର ଏଇ ହ୍ବିଲର୍ ଦ୍ଵୀପପୁଞ୍ଜ (#Wheeler Island) ରେ ପ୍ରତିରକ୍ଷା ବିଭାଗ ପକ୍ଷରୁ କୋଠାବାଡି ଓ ବତୀଘର ନିର୍ମାଣ ହେବା ଫଳରେ ଗହୀରମଥାର ଅଲିଭ୍ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ଅପରପକ୍ଷରେ, ପ୍ରତିବର୍ଷ #ଅଲିଭ୍_ରିଡ୍‌ଲେ କଇଁଛ ଗହୀରମଥାକୁ ଅଣ୍ଡାଦେବାକୁ ଆସୁଥିବା ସମୟ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଦ୍ବୀପପୁଞ୍ଜରେ କୌଣସି କ୍ଷେପଣାସ୍ତ୍ର ପରୀକ୍ଷଣ ନ କରିବା ଏବଂ ଏଠାରୁ କୌଣସି ଉଜ୍ଜ୍ବଳ ଆଲୋକକୁ ଗହୀରମଥାର ସମୁଦ୍ର ଜଳରାଶି କିମ୍ବା ଭିତରକନିକାର ଅଭୟାରଣ୍ୟ ମଧ୍ୟକୁ ନିକ୍ଷେପ କରାଯିବ ନାହିଁ ବୋଲି ପ୍ରତିରକ୍ଷା ବିଭାଗ ଓ ଭାରତ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ମାତ୍ର ପ୍ରତିରକ୍ଷା ବିଭାଗ ଏସବୁ ସର୍ତ୍ତକୁ ଉଲଂଘନ କରାଯାଇଛି !
ସୂଚନାଯୋଗ୍ୟ, ଏଇ ହ୍ବିଲର୍ ଦ୍ଵୀପପୁଞ୍ଜରୁ ଅଗ୍ନି, ପୃଥ୍ବୀ ଭଳି ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ବିଭିନ୍ନ ସମୟରେ ପରୀକ୍ଷା କରାଯାଇଛି ।
ହ୍ବିଲର୍ ଦ୍ଵୀପପୁଞ୍ଜ ଓ #ଭିତରକନିକା ଅଭୟାରଣ୍ୟ ମଧ୍ୟରେ ଦୂରତା ମାତ୍ର ୧୦ କିଲୋମିଟର । ଏଣୁ ଏଠାରେ ପ୍ରତିରକ୍ଷା ସଂକ୍ରାନ୍ତ ଯେ କୌଣସି ପରୀକ୍ଷଣ ହେଲେ ଏହା ଭିତରକନିକା ବନ୍ୟଜନ୍ତୁ ଓ ଗହୀରମଥାର ଅଲିଭ ରିଡ଼ଲେଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଦ୍ବୀପପୁଞ୍ଜରୁ ପ୍ରତିରକ୍ଷା ବିଭାଗର ଉଜ୍ଜଳ ଆଲୋକ ବିଛୁରିତ ହେଲେ ଏହି ଆଲୋକ ଭିତରକନିକା ଅଭୟାରଣ୍ୟର ହରିଣ ସମେତ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କୁ ବିଚଳିତ କରିପକାଇଥାଏ । ଏହି ଉଜ୍ଜ୍ୱଳ ଆଲୋକ ଭିତରକନିକାର ବନ୍ୟଜନ୍ତୁଙ୍କ ପାଇଁ ପ୍ରଧାନ ଶତ୍ରୁ ପାଲଟିଛି ।
ଦେଶର ପ୍ରତିରକ୍ଷା ଦୃଷ୍ଟିରୁ ଏହି ଦ୍ଵୀପପୁଞ୍ଜର ବ୍ୟବହାର ଯେତେ ଆବଶ୍ୟକ ମନେ ହେଉନା କାହିଁକି ସୁନ୍ଦରୀ ଓଡ଼ିଶାର ପ୍ରକୃତିକୁ ଯେ ସଦର୍ପେ ନଷ୍ଟ କରାଯାଇଛି ଏ କଥା ନା ହୃଦୟଙ୍ଗମ କରି ପାରିଥିଲେ ତତ୍କାଳୀନ ରାଜ୍ୟ ଓ ଭାରତ ସରକାର ନା ବୈଜ୍ଞାନିକ ଡ. କଲାମ୍ !
Sources: 1. Ignited Minds: Unleashing the Power within India, Dr. APJ Abdul Kalam, Penguin Publication, London, 2003;
2. Orissa District Gazetteers, Baleshwar, Director, Printing Stationery and Publication, Orissa, Cuttack, 1992
Images: Social Media

Leave a Comment

Your email address will not be published. Required fields are marked *

Scroll to Top