ହାରାମଣୀ ବିଶୋୟୀ

ଲେଖା: ନିରଞ୍ଜନ ସାହୁ

୧୮୦୩ ମସିହା ବେଳକୁ ଇଂରେଜମାନେ ସମଗ୍ର ଓଡ଼ିଶା ଦଖଲ କରିନେଲେ । ତା ପୂର୍ବରୁ ସେମାନେ ଓଡ଼ିଶାର ଦକ୍ଷିଣରେ ଆସ୍ଥାନ ଜମେଇ ସାରିଥିଲେ ।

ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ଗଞ୍ଜାମ ଜିଲ୍ଲା ଇଂରେଜ ଶାସନାଧୀନ ହେଲା । ଗଞ୍ଜାମର ଲୋକେ ଥିଲେ ଶୌର୍ଯ୍ୟର ପ୍ରତୀକ । କୌଣସି ଅନ୍ୟାୟ, ଅତ୍ୟାଚାର, ଶୋଷଣ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ସେମାନେ କେହି ପଛଘୁଞ୍ଚା ଦେଉନଥିଲେ । ତେଣୁ ବହୁ ଅଞ୍ଚଳରେ ହିଂସ୍ର ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା । ଇଂରେଜ ସରକାରଙ୍କୁ ପ୍ରତିରୋଧ କରିବାକୁ ସଙ୍କଳ୍ପ ନେଇଥିଲେ ଗଞ୍ଜାମର ଅଧିବାସୀ ମାନେ । ତେଣୁ ଆଗେଇ ଆସିଥିଲେ ବହୁ ବୀର, ଜାତିପ୍ରେମୀ, ଦେଶପ୍ରେମୀ । କେବଳ ସିମୀତ ରହି ନ ଥିଲା ଏହା ପୁରୁଷ ମାନଙ୍କ ମଧ୍ୟରେ । ଅନେକ ନାରୀ ମଧ୍ୟ ଆଗେଇ ଆସିଥିଲେ ଏହି ମହତ୍ କାର୍ଯ୍ୟ ସମ୍ପାଦନ କରିବାକୁ । ଏହା କେତେ ଯେ ଗୌରବାବହ, ତାହା ଜାଣିଲେ ମଥା ନଇଁଯାଏ, ପାଦଧୂଳି ନେବାକୁ ମନ ଓ ହୃଦୟ ବ୍ୟସ୍ତ ହୋଇଯାଏ । ସେହିଭଳି ଜଣେ ବୀରାଙ୍ଗନା, ଦେଶପ୍ରେମୀ ସଂଗ୍ରାମୀ ହାରାମଣୀ ବିଶୋୟୀ

ବିପ୍ଳବିଣୀ, ବୀରାରମଣୀ ଶ୍ରୀମତୀ ହାରାମଣୀ ବିଶୋୟୀ । ପାରଳାଖେମୁଣ୍ଡି ଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ ଏବଂ ତା’ର ଶାସନ ଦାୟିତ୍ଵରେ ଥିଲେ ଇଂରେଜ ସାହେବ କଟ୍ସଫୋର୍ଡ । ସେତେବେଳେ ପାରଳାର ରାଜା ଥାଆନ୍ତି ନାରାୟଣ ଗଜପତି ଦେଵ । ସ୍ଵାଧୀନଚେତା, ହାର ମାନିବା ତାଙ୍କ ଜାତକରେ ନ ଥିଲା । ଇଂରେଜମାନେ ତାଙ୍କ କମ୍ପାନୀ ମାଧ୍ୟମରେ ଶାସନ କାର୍ଯ୍ୟରେ ହସ୍ତକ୍ଷେପ କରିବାରେ ଲାଗି ପଡ଼ିଥାନ୍ତି । ଅସହ୍ୟ ହୋଇ ଇଂରେଜ ହସ୍ତକ୍ଷେପକୁ ସ୍ବୀକାର କଲେ ନାହିଁ ରାଜା ନାରାୟଣ ଗଜପତି । ଫଳରେ ଇଂରେଜ ସେନାଧ୍ୟକ୍ଷ କର୍ଣ୍ଣେଲ ପିଚ୍ ଓ ରାଜାଙ୍କ ମଧ୍ୟରେ ଏକ ଭୟାବହ ଯୁଦ୍ଧ ସଂଗଠିତ ହେଲା । ଦୁର୍ଭାଗ୍ୟକୁ ପାରଳା ରାଜା ପରାଜିତ ହେଲେ ।

କିନ୍ତୁ ବୀର ସର୍ବଦା ବୀର ! ପଛଘୁଞ୍ଚା ନ ଥାଏ ତା’ର । ଏଇଠି ଶେଷ ହେଲା ନାହିଁ ଇଂରେଜ ବିରୋଧୀ ମନୋଭାବ । “ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଆମ ଶାସନରେ ହସ୍ତକ୍ଷେପ କରିବାକୁ ଦେବୁ ନାହିଁ ।” ଏହା ଥିଲା ଶପଥ ବିଶୋୟୀ ମାନଙ୍କର । ତେଣୁ କଳେ ବଳେ ଯୁଦ୍ଧ କରି ଇଂରେଜମାନଙ୍କୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ ହେଲା, ଗରିଲା ଯୁଦ୍ଧ ମାଧ୍ୟମରେ। ନେତୃତ୍ଵ ନେଇଥିଲେ ବିପ୍ଳବୀ ମଣିଷ କୃଷ୍ଣଚନ୍ଦ୍ର ବିଶୋୟୀ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ହାରାମଣୀ ବିଶୋୟୀ । ଦୀର୍ଘ ବାଇଶି ବର୍ଷ ଧରି ଚାଲିଲା ଗରିଲା ଯୁଦ୍ଧ ‌। ଗରିଲା ଯୁଦ୍ଧ କୌଶଳରେ ନିପୁଣ ବିଶୋୟୀମାନେ ବହୁ ସଂଖ୍ୟାରେ ଇଂରେଜ ସୈନ୍ୟଙ୍କୁ ବନ୍ଦୀ ଓ ହତ୍ୟା କରି ଚାଲିଥିଲେ ।

କିନ୍ତୁ ପାରଳା ଉପରେ ଦୁର୍ଭାଗ୍ୟର ଛାଇ ମାଡ଼ିଗଲା ୧୭୭୦ ମସିହା ଡିସେମ୍ବର ମାସରେ । କୃଷ୍ଣଚନ୍ଦ୍ର ବିଶୋୟୀଙ୍କର ଆକସ୍ମିକ ଭାବେ ମୃତ୍ୟୁ ହୋଇଗଲା । ଧୈର୍ଯ୍ୟହରା ହେଲେ ନାହିଁ କିନ୍ତୁ ସ୍ଵାଧୀନଚେତା ହାରାମଣୀ । ଅସୀମ ସାହସର ସହିତ ପାରଳା ସନ୍ନିକଟ ଗୁମ୍ମାଦୁର୍ଗର ରକ୍ଷିକା ହୋଇ, ସେହିଠାରୁ ଇଂରେଜଙ୍କ ବିରୋଧରେ ସଂଗ୍ରାମ ଅବ୍ୟାହତ ରଖିଲେ । ସ୍ଵାମୀ କୃଷ୍ଣଚନ୍ଦ୍ର ବିଶୋୟୀଙ୍କ ପରଲୋକ ଗମନ ପରେ ଦୀର୍ଘ ୧୦ ବର୍ଷ ଯୁଦ୍ଧ ଚଳାଇ ରଖିଲେ ଗରିଲା ଯୁଦ୍ଧର ସେନାଧ୍ୟକ୍ଷା ଭାବରେ । ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ ଇଂରେଜ ସରକାର ବିଦ୍ରୋହୀଙ୍କ ରଣହୁଙ୍କାର ଓ ଯୁଦ୍ଧର ଅଭୂତପୂର୍ବ କୌଶଳ ଦେଖି । ଅନେକ ବନ୍ଦୀ ହେଲେ ଓ ହତ ହେଲେ ମଧ୍ୟ ।

ରକ୍ତମୁଖା ସାହେବ ରସେଲ୍ କୌଶଳ କ୍ରମେ ଠାବ କରିବାରେ ସଫଳ ହେଲେ ଏବଂ ଗୁଳି ଚାଳନା କରିବାକୁ ପଛାଇଲେ ନାହିଁ । ଟଳି ପଡ଼ିଥିଲେ ମହିୟସୀ ବିପ୍ଳବିଣୀ ତ୍ୟାଗନିଷ୍ଠ ସ୍ଵାଧୀନଚେତା ଜାତିର ରକ୍ଷିକା ମା’ ହାରାମଣୀ

ଶେଷ ହୋଇଗଲା ଗୋଟିଏ ଯୁଗ ଯେମିତି ! ଭୂମିକନ୍ୟା ହାରାମଣୀଙ୍କୁ ଶେଷ ଦର୍ଶନ କରି ଇଂରେଜ ସାହେବ ରସେଲ୍ କହି ଉଠିଲେ – “ଏପରି ବିପ୍ଳବିଣୀ ମୁଁ ଦେଖି ନଥିଲି । ତାଙ୍କର ଅସାଧାରଣ ଧୈର୍ଯ୍ୟ, ସହିଷ୍ଣୁତା ଓ ନିର୍ଭୀକତା ଯୋଗୁଁ ସେ ମୋ ହୃଦୟରେ ଜଣେ ଅସାଧାରଣ ନାରୀ ରୂପେ ସ୍ଥାନ ପାଇବେ ।”

(ମାଁ, କିଏ କହେ ତମେ ଶହୀଦ ! ତମେ ଯେ ଆମର ଚିର ବନ୍ଦନୀୟା, ଆମର ପୂଜ୍ୟା, ଏ ଓଡ଼ିଆ ଜାତିର ବୀରତ୍ୱର ସ୍ଵତନ୍ତ୍ର ଅଧିକାରିଣୀ, ଆମ ଓଡ଼ିଶାର କୀର୍ତ୍ତିମାନ୍ ସ୍ତମ୍ଭ ! ‘ଅନ୍ତରଙ୍ଗ କଳିଙ୍ଗର’ ଦଣ୍ଡବତ ପ୍ରଣାମ ଘେନିବା ହୁଅନ୍ତୁ ।)

Leave a Comment

Your email address will not be published. Required fields are marked *

Scroll to Top