ସୂର୍ଯ୍ୟବନ୍ଧୁ

ଲେଖା: ଅକ୍ଷୟ ଓଝା

ସେତେବେଳେ କେବଳ ସମଜାତିରେ ବିବାହ କରି ବନ୍ଧୁତା ଗଢିବାକୁ ହିଁ ସମ୍ପର୍କ କୁହାଯାଉ ନ ଥିଲା ଗ୍ରାମ୍ୟ ସମାଜରେ । ଆଉ ଏକ ପ୍ରଗାଢ ସମ୍ପର୍କର ବନ୍ଧୁତ୍ୱ ଥିଲା ସେ ସମୟରେ । ସମାଜରେ ଧର୍ମ ସମ୍ପର୍କ । ହୃଦୟରେ ହୃଦୟକୁ ମିଳୁଥିବା ସମ୍ପର୍କ । ପାରିବାରିକ ସମ୍ପର୍କ। ସୂର୍ଯ୍ୟବନ୍ଧୁ । କେହି ଧରମ ବାପଟିଏ କରି, କେହି ଧରମ ପୁଅ ତ କିଏ ଧରମ ଭାଇ କରି କେହି ଧରମ ମାଆ କରି ସଂସାରର ସମ୍ପର୍କକୁ ସତସତିଆ ସମ୍ମାନ କରିଥାଏ । ଏହା କେବଳ ଆତ୍ମୀୟତାର ଗଭୀର ସମ୍ମାନରେ ବାନ୍ଧିଥବା ସମ୍ପର୍କ, ଯାହା ଇଶ୍ଵରଙ୍କୁ ସାକ୍ଷୀ ମାନି ମହାପ୍ରସାଦ ଖୋଇ, ଧଣ୍ଡାକୁ ପବିତ୍ର ମାନି ଆଜୀବନ ସମ୍ପର୍କର ଡୋରିରେ ବାନ୍ଧି ହେଇଥାଏ ।

ବାହାଘର, ବ୍ରତ, ମଲା ଖବରରେ ବନ୍ଧୁବାନ୍ଧବ ଭଳି ସୂର୍ଯ୍ୟବନ୍ଧୁ ବି ପହଞ୍ଚନ୍ତି । ଯେତିକି ଗୁଆ ଦେଇ ବନ୍ଧୁ ସଙ୍ଖଳାଯାଏ ସେତିକି ଗୁଆ ଦେଇ ସୂର୍ଯ୍ୟ ବନ୍ଧୁ ସଙ୍ଖାଳି ଯାଇଥାଏ । ଦବାନବାରେ ବନ୍ଧୁବାନ୍ଧବ ଠାରୁ ସୂର୍ଯ୍ୟବନ୍ଧୁ କମ ନୁହଁନ୍ତି ବରଂ ବନ୍ଧୁବାନ୍ଧବ ଠାରୁ ଅଧିକ ଭୂମିକାରେ ଥାଆନ୍ତି । ଗାଆଁ ପୋଖରୀରେ ମାଛ ଧରିଲେ ସୂର୍ଯ୍ୟବନ୍ଧୁ ଘରେ ଆଗେ ପହଞ୍ଚେ । ପୂଜା ପର୍ବରେ ପିଠା ପଣା ହେଲେ ସୁର୍ଯ୍ୟବନ୍ଧୁ ଘରେ ଆଗେ ପହଞ୍ଚି ଥାଏ । ଘରେ ଅକସ୍ମାତ କୌଣସି ଅସୁବିଧା କିମ୍ବା ବିପଦ ପଡ଼ିଲେ ସୂର୍ଯ୍ୟବନ୍ଧୁ ଆଗେ ପହଞ୍ଚନ୍ତି କାରଣ ବନ୍ଧୁବାନ୍ଧବଙ୍କ ଠାରୁ ସେମାନେ ବେଶି ପାଖରେ ଥାଆନ୍ତି ।

ମଣିଷ ସମାଜ ଗଢ଼ିଲା ବେଳେ ଏହି ପାଇଁ ସମାଜର ଆବଶ୍ୟକତା ଥିଲା ଯେ, ପରସ୍ପର ସୁଖ ଦୁଃଖ ବାଣ୍ଟି ସାମାଜିକ ସମସ୍ୟାକୁ ଦୁର କରି ପରିବା । କାହାରି ବିବାହ କର୍ମରେ ଏକତ୍ରିତ ହେଇ ତା କାମ ଟିକୁ ସୁରୁଖୁରୁରେ ଉଠେଇ ଦେବା । କାହାରି ଘରେ ଦେହାନ୍ତ ହେଲେ ସେଇ ଦୁଃଖଘଡିରେ ତା’ ଦୁଃଖରେ ସାମିଲ ହୋଇ ଶେଷ କୃତ୍ୟ ରେ ସହାୟକ ହେବା ମୃତ ପରିବାରକୁ ଆଶ୍ୱାସନା ଦେବା । ତେଣୁ ସମାଜରେ ପଡୋଶୀ, ସୂର୍ଯ୍ୟବନ୍ଧୁ ଓ ବନ୍ଧୁବାନ୍ଧବଙ୍କ ଭୂମିକା ଅତି ଆବଶ୍ୟକ ।
   
କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସମାଜରେ ଓଲଟା ଭାବଧାରା ଚାଲିଛି । ମଣିଷ ଆଜି ବନ୍ଧୁବାନ୍ଧବ, ସୂର୍ଯ୍ୟବନ୍ଧୁ ପଡୋଶୀ ବିନା ସବୁ କିଛି କରିବାକୁ ଚାହୁଁଛି ତଥା କାହାରି ବିପତ୍ତି ପଡିଲେ ସାହାଯ୍ୟ ସହାନୁଭୂତି ତ ଦୂରର କଥା କେମିତି ସେ ଅସୁବିଧାରେ ପଡୁ ଏହି ମନୋଭାବରେ ମଣିଷ ସମାଜରେ ବଞ୍ଚିଛି । କାହାରି ଘରେ ମୃତ୍ୟୁ ହେଲେ ଦଶ ଥର ନ ଡାକିଲେ ପଡୋଶୀ ଆସୁ ନାହାନ୍ତି । ସୂର୍ଯ୍ୟବନ୍ଧୁ ନାହାନ୍ତି ଆଉ ବନ୍ଧୁବାନ୍ଧବ ତିନି ଦିନ ପରେ ଆସୁଛନ୍ତି । ଏଇ ହେଉଛି ଆଜିର ସମାଜର ଦୁର୍ଭାଗ୍ୟ । ମଣିଷ ଯଦି ମଲା ପରେ ନିଜେ ଚାଲି ଶ୍ମଶାନଘାଟରେ ପହଞ୍ଚି ଯାଉ ଥାଆନ୍ତା ତା ହେଲେ ଆଜି ମଣିଷ ବିନା ସମାଜରେ ରହୁଥାଆନ୍ତା ।

ସେ ସମୟରେ ସମାଜରେ ଏକ ଆତ୍ମୀୟତା ଥିଲା । ଭାରି ସୈାହର୍ଦ୍ୟପୂର୍ଣ୍ଣ ପରିବେଶରେ ଗ୍ରାମ୍ୟସମାଜ ପରିଚାଳିତ ଥିଲା । ଜାତିଅଜାତିର ବାଡ ଡେଇଁ ମହାପ୍ରସାଦ ଖୋଇ ସୂର୍ଯ୍ୟବନ୍ଧୁରେ ଗାଆଁ ବାତାବରଣ ଶାନ୍ତି ପ୍ରିୟ ହେବା ସଙ୍ଗେ ବଡ଼ ଛୋଟର ସମ୍ମାନ ହେଉଥିଲା ।

ହରି ବଡ଼ବାପାଙ୍କ ସହିତ ଆମର ସୂର୍ଯ୍ୟବନ୍ଧୁ ବହୁତ ପୁରୁଣା ସମୟରୁ ଥିଲା । ହରି ସାହୁ । ବହୁତ ପୁରୁଣା ବେପାରୀ । ଗାଆଁରେ ବଡ଼ ଦୋକାନଟିଏ । ପୁରା ଗାଆଁ ଏହି ଦୋକାନ ଉପରେ ନିର୍ଭର କରନ୍ତି । ଆଖପାଖ ଗାଆଁରୁ ବି ଲୋକ ଆସନ୍ତି ସୈଦା ପତ୍ର ପାଇଁ । ଆଖ ପାଖ କୋଡ଼ିଏ ଖଣ୍ଡ ଗାଆଁ ଜାଣନ୍ତି ହରି ବଡ଼ ବାପାଙ୍କୁ । ସୁଖ ଦୁଃଖର ସାଥି । ସମସ୍ତଙ୍କ ହୃଦୟକୁ ପଢ଼ିପାରନ୍ତି ବଡ଼ବାପା । କେହି ଗରିବ ଯଦି ଧାରଉଧାର ପାଇଁ ବେଳେ ଅବେଳେ ପହଞ୍ଚିଯାଆନ୍ତି ହରି ସାହୁ ନିରାଶ କରନ୍ତିନି । ଚାଉଳ ଅଟା ଉଧାର ଦେଇ ସାହାଯ୍ୟ କରନ୍ତି । କେବେ କାହାକୁ ଗାଆଁରେ ଉପବାସ ରହିବାକୁ ପଡ଼େନା ତାଙ୍କ ଦ୍ୱାରସ୍ଥ ହେଇଥିବା ବ୍ୟକ୍ତି । ସମ୍ପର୍କକୁ ସମ୍ମାନ ଦେବାରେ ଏକ ବିଶେଷ ଗୁଣ ର ଅଧିକାରୀ ଥିଲେ ବଡ଼ବାପା ହରି ସାହୁ ।

ମୋ ବଡ଼ଭାଇ ଅଧ୍ୟାପକ ଅଜୟ ଓଝାଙ୍କ ବାହାଘର କଥା । ବିବାହ ଦିନ ଗ୍ରାମ ଭୋଜି ଓ ସନ୍ଧ୍ୟାକୁ ବରବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା । ସକାଳୁ ସକାଳୁ ଭୋଜି ପାଇଁ ରୋଷେଇଆ ପଣ୍ଡିତେ ଆସି ପହଞ୍ଚି ଯାଇଥିଲେ । ପନିପରିବା କଟା ଚାଲିଥିଲା । ସକାଳ ୦୭/ସାଢ଼େ ୭ଟା ସମୟ । ଆମ ସାହିର ବ୍ରଜ ବନ୍ଧୁ ଓଝାଙ୍କ ସ୍ତ୍ରୀ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ  ହେଉଥିଲା ବେଳେ ଅକସ୍ମାତ ଦେହାନ୍ତ ହେଇଗଲା ପରେ ସେମାନେ ଶବକୁ ଗାଆଁକୁ ନେଇ ଆସିଲେ । ଗାଆଁକୁ ପ୍ରବେଶ କରିବା ପୂର୍ବରୁ ଗାଡ଼ିରେ ଶବକୁ ରଖି ସାହିରେ ମୃତ ଖବର ଦେଲେ । ଆମ ପରିବାର ହତାଶ ହେଇ ପଡ଼ିଲେ । ବାହାଘର ହେବ କେମିତି । ବ୍ରାହ୍ମଣ ପଣ୍ଡିତଙ୍କୁ ପଚାରିଲେ ।

ପଣ୍ଡିତେ କହିଲେ ନିଜ ସାହି ଭିତରେ ମୃତ୍ୟୁ ହେଇ ଥିବାରୁ ବାହାଘର ହେଇ ପାରିବନି । ନିଜ ସାହିରୁ ମଡ଼ା ଉଠିଲେ ବାହାଘର ଭଳି ଶୁଭ କାମ ସମ୍ଭବ ନୁହେଁ । ବାହାଘର ବନ୍ଦ କରାଯାଉ । ମଙ୍ଗୁଳା ପୁଅ । ବାହାଘର ନ ହେଲେ ଅଡ଼ୁଆ । ଚିନ୍ତାରେ ଭାଳେଣି ପଡିଗଲା । ସମସ୍ତେ ଅସ୍ଥିର ହେଇପଡ଼ିଲେ ।

ହରି ବଡ଼ବାପା ପହଁଚିଗଲେ । ସବୁ ଶୁଣିଲେ । ବାପାବୋଉ ଚିନ୍ତାରେ ବସି ଥାଆନ୍ତି ମୁଣ୍ଡରେ ହାତ ଦେଇ । ବଡ଼ବାପା ପଚାରିଲେ ସାନବୋହୂ ! କଣ ଭାବୁଛ ? କ’ଣ ଚିନ୍ତା କରୁଛ ? ଅଜି ମାେ’ ପୁଅ । ମାେ ଘରୁ ବର ହେଇଯିବ । ଚିନ୍ତା କରନା କେହି । ପଣ୍ଡିତେ ବି ହଁ ହେଇପାରିବ କହି ସମ୍ମତି ପ୍ରଦାନ କଲେ । ସଙ୍ଗେ ସଙ୍ଗେ ବର ଓ ବିବାହ ବ୍ୟବସ୍ଥା ବଡ଼ବାପାଙ୍କ ଘରକୁ ସ୍ଥାନାନ୍ତରିତ ହେଇଗଲା । ବଡ଼ ନିଃଦ୍ଵନ୍ଦରେ ବିଭାଘର ବ୍ୟବସ୍ଥା ହେଲା । ବର ରୋଷଣୀ କରି ହରି ବଡ଼ବାପାଙ୍କ ଘରୁ ବାହାରିଲା ଓ ବିବାହ କାର୍ଯ୍ୟ ସମାପ୍ତ ହେଲା ।

ଏ ହେଉଛି ସୂର୍ଯ୍ୟବନ୍ଧୁ । ସମାଜରେ ଆଉ ଏକ ହୃଦୟର ସମ୍ପର୍କ । ଯାହା ଆଜି ଆଉ ନାହିଁ । ଆଜି ଘରେ ଘରେ ଭାଇଭାଇର ପଡୁନି । ଦଳୀୟ ରାଜନୀତି କବଳରେ ସମ୍ପର୍କ ଫିକା ପଡ଼ିଯାଇଛି । ପଡ଼ୋଶୀ ପଡ଼ୋଶୀ ହୋଇ ନାହିଁ । ବନ୍ଧୁ ବାନ୍ଧବ ନ ଥିବା ବରାବାର । ସାମାଜିକ ବ୍ୟବସ୍ଥା ଆଜି ଜରାଜୀର୍ଣ୍ଣ । ସୂର୍ଯ୍ୟବନ୍ଧୁ ଶବ୍ଦଟି ହଟି ଗଲାଣି ଆମ ଭିତରୁ । ସମ୍ପର୍କମାନେ ସନ୍ଦେହର ଘେରରେ ଆଉ ଆମେ ନିଜକୁ ସାମାଜିକ ପ୍ରାଣୀ କହୁଛେ ସିନା କିନ୍ତୁ ଏହାର ସଜ୍ଞା ହଜେଇ ବସିଲେଣି । 

Leave a Comment

Your email address will not be published. Required fields are marked *

Scroll to Top