ଲେଖା: ଅମ୍ରିତେଶ ଖଟୁଆ
“ଏହିଭଳି ଜଣେ ଯଦି ଥାଆନ୍ତା ଉତ୍ତରେ
ନିଶରେ ହାତ ପକାଇ ବୁଲୁଥା’ନ୍ତି ମୁହିଁ,
ଧନ୍ୟ ହେ ବିକ୍ରମ ଦେବ ପଣ୍ଡିତ ରଜନ
ମହାରାଜ ଜୟପୁର ଉତ୍କଳ ଭୂଷଣ,
ତୁମ୍ଭର କବିତ୍ଵ ରାଧାମାଧବ ନାଟକ,
ପଢ଼ି ଜ୍ଞାନ କରେ ମୋର ଜୀବନ ସାର୍ଥକ।”
(ଉତ୍କଳ ଭ୍ରମଣଂ, ବ୍ୟାସକବି ଫକୀରମୋହନ )
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କାଳର ଜଣେ ମହାମହିମ ରାଜନ୍ୟ କୁଳର ସାହିତ୍ୟ ସମ୍ରାଟ ଯାହାଙ୍କର ଅବଦାନ ଓଡ଼ିଆ ସାହିତ୍ଯର ରାଜକୀୟ କ୍ରାନ୍ତିରେ ବୈରାଗ୍ୟ-ସୁଲଭ ନମ୍ର-ପରିଚିତି ଦେଇପାରିଛି, ସିଏ ହେଉଛନ୍ତି ସାହିତ୍ୟ ସମ୍ରାଟ୍ ରାଜର୍ଷି ବିକ୍ରମଦେବ ବର୍ମା। ତାଙ୍କ ସାହିତ୍ୟର ସୃଷ୍ଟି, ଦୃଷ୍ଟି ତଥା ବ୍ଯାପକତାର ଉପପାଦ୍ୟକୁ ଯିଏ ଦେଖିଛି, ସିଏ ହେଇଛି ଚକିତନୟନ !
ପୂର୍ବେ କୋରାପୁଟ ଅଞ୍ଚଳକୁ ମହାକାନ୍ତାର କୁହାଯାଉଥିଲା, ଏଠାକାର ଶାର୍ଦ୍ଦୂଳପତିଙ୍କ ସହ ହୋଇଥିଲା ଚନ୍ଦ୍ରଗୁପ୍ତଙ୍କ ସମରକ୍ରାନ୍ତି ! ୪୯୮ ଖ୍ରୀଷ୍ଟାବ୍ଦରେ ଏଠାରେ ଗଙ୍ଗବଂଶର ରାଜତ୍ଵ ଚାଲିଥିଲା। ୯ମ ଶତାବ୍ଦୀରେ ସୋମବଂଶ, ୧୧୮୧ ମସିହାରେ ନାଗବଂଶ ରାଜତ୍ଵ କରିଥିଲେ। ଏହିପରି କ୍ରମାନୁଗତ ଭାବେ ଶୀଳାବଂଶୀୟ ରାଜା ତିନି ପୁରୁଷ ରାଜୁତି କରିଲା ପରେ ୧୪୪୩ ଖ୍ରୀଷ୍ଟାବ୍ଦରେ ପ୍ରଥମେ ସୂର୍ଯ୍ୟବଂଶୀୟ ରାଜା ବିନାୟକ ଦେବ ନନ୍ଦପୁର ରାଜ୍ୟର ସିଂହାସନ ଆରୋହଣ କରିଥିଲେ। ପରବର୍ତ୍ତୀ କାଳରେ, ୧୫୨୮ ମସିହାରେ ରାୟଗଡ଼ା ଠାରେ ରାଜଧାନୀ ସ୍ଥାପନ ହୁଏ। ସୂର୍ଯ୍ୟବଂଶର ବିନାୟକ ଦେବଙ୍କ ୨୧ ଅଙ୍କ ପରେ ରାଜତ୍ଵ କଲେ ‘
। ତୃତୀୟ ବିକ୍ରମଦେବଙ୍କ ତିନୋଟି ସନ୍ତାନ ଥିଲେ, ରାମଚନ୍ଦ୍ର ଦେବ, ବିଶ୍ବମ୍ଭର ଦେବ ଓ କୃଷ୍ଣଚନ୍ଦ୍ର ଦେବ। ଏହା ପରେ ଉତ୍ତରାଧିକାରୀ କ୍ରମେ ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ର ଦେବ ସିଂହାସନାରୂଢ଼ ହେଲେ। ରାଜା ରାମଚନ୍ଦ୍ରଙ୍କ ସହ କୃଷ୍ଣଚନ୍ଦ୍ର ଦେବଙ୍କ ମନୋମାଳିନ୍ୟ ହେତୁ ସେ ରାଜ୍ୟ-ତ୍ୟାଗ-ପୂର୍ବକ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ସ୍ଥିତ ପର୍ବତଲ୍ଲାପେଟା ଠାରେ ଥିବା ଏକ ଗ୍ରାମରେ ବସବାସ କରନ୍ତି। ସେଠାରେ ଧର୍ମପତ୍ନୀ ସୁବର୍ଣ୍ଣମଣି ଦେବୀଙ୍କ କୋଳମଣ୍ଡନ କରିଥିଲେ ୨୮ ଜୁନ୍ ରବିବାର ଦିନ ( ୧୮୬୯ ମସିହାରେ ) ବିକ୍ରମଦେବ ବର୍ମା। ହେଲେ, ଏହି ରାଜ-ମହାମହିମଙ୍କ ଶୈଶବ ଥିଲା ଏକ ଦୁର୍ବିସହ କାଳ !
ବିକ୍ରମଦେବଙ୍କ ପିତା ଥିଲେ ଜ୍ୟୋତିଷ ବିଦ୍ୟା ପ୍ରବୀଣ। ସେ ଅତ୍ୟନ୍ତ ସାଧାରଣ ଜୀବନ ଯାପନ କରୁଥିଲେ। ବିଦ୍ୟା ବଳରେ କିଛି ଆୟ କରୁଥିଲେ। ହେଲେ, ବିକ୍ରମଦେବଙ୍କୁ କେବଳ ନଅ ବର୍ଷ ବୟସରେ ତାଙ୍କ ମାତାଙ୍କ ଦେହାନ୍ତ ଘଟିଲା। ତାଙ୍କ ମାଉସୀ ଥିଲେ ମାଡ଼ଗୁଲ ରାଜ୍ୟର ମହାରାଣୀ। ସେ ବିକ୍ରମଦେବଙ୍କୁ ଦତ୍ତପୁତ୍ର କରି ନିଜ ରାଜମହଲକୁ ଘେନିଯାଇଥିଲେ। ହେଲେ ମଧ୍ୟ ବିଧି ବାମ ହେଲା, ଅଳ୍ପ କେଇ ଦିନ ପରେ ତାଙ୍କ ରାଣୀ ମାଉସୀ ମଧ୍ୟ ପରଲୋକ ଗମନ କଲେ। ପିତାଙ୍କ ନିକଟକୁ ଫେରି ଆସିଲେ। ଯୁବରାଜ ରୂପେ ଅସ୍ଵୀକୃତ ହେଇଥିବା ହେତୁ ତାଙ୍କ ପିତା ଗୋଟିଏ ମକଦ୍ଦମା କରିଥିଲେ। ହେଲେ ପ୍ରଥମେ ସିନା ରାଜପୁତ୍ର ରୂପେ ତାଙ୍କ ମାନ୍ୟତା ହେଲା, କିନ୍ତୁ ଦତ୍ତପୁତ୍ରର ପ୍ରମାଣ ନଥିବାରୁ ତାଙ୍କ ବିରୁଦ୍ଧରେ ରାୟ ଗଲା ଓ ରାଜପଦଚ୍ୟୁତ ହେଇଗଲେ ବିକ୍ରମଦେବ ବର୍ମା! ଏହା ପରେ ପିତା ବିକ୍ରମଦେବଙ୍କୁ ପନ୍ଦର ବର୍ଷ ହେଇଥିଲା ବେଳେ ସ୍ଵର୍ଗାରୋହଣ କରିଲେ। ଜୟପୁର ରାଜସଭାରୁ ଭତ୍ତା ଆବେଦନ କରିବା ଫଳରେ ମାସିକ ପାଞ୍ଚ ଶହ ଟଙ୍କା ଭତ୍ତା ମଞ୍ଜୁର ହୁଏ।
୧୮୮୯ ମସିହାରେ ସସ୍ତ୍ରୀକ ବିଶାଖାପାଟଣା ଠାରେ ଅବସ୍ଥାନ କରି ‘ଓଡ଼ିଆ ସମାଜ’ ଗଠନ କରି ୧୯୦୩ ପର୍ଯ୍ୟନ୍ତ ଏହାର ସଭାପତି ପଦମଣ୍ଡନ କରିଥିଲେ। ଏହିଠାରେ ତାଙ୍କ ସାରସ୍ଵତ ଜୀବନର ଅୟମାରମ୍ଭ । ସେ ଏହାପରେ ଆନ୍ଧ୍ର ବିଶ୍ଵବିଦ୍ୟାଳୟର ପ୍ରୋ-ଚ୍ୟାନସେଲର, ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟର ପାଠ୍ୟପୁସ୍ତକ ସମିତିର ସଭ୍ୟ। ୧୯୩୧ ମସିହାରେ ରାଜପଦାଭିଷିକ୍ତ ହେବା ପରେ ସେ ଇତି ମଧ୍ୟରେ ଆନ୍ଧ୍ର ବିଶ୍ବବିଦ୍ୟାଳୟ ପାଇଁ ୧୫ ଲକ୍ଷ ଟଙ୍କା ଦେଇଥିଲେ। ଏଥି ସହ ଭାରତ ସରକାରଙ୍କ ଠାରୁ ଖ୍ୟାତି ପତ୍ର, କଟକ ମେଡିକାଲକୁ ୧ ଲକ୍ଷ ୩୦ ହଜାର ଟଙ୍କା, ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଦଶହଜାର ଟଙ୍କା ସହ ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ନବଭାରତ‘କୁ ମଧ୍ୟ ଅଜସ୍ର ଦାନ କରିଥିଲେ। ବୈକୁଣ୍ଠନାଥ ପଟ୍ଟନାୟକଙ୍କ କବିତା ବହି ଓ ଲକ୍ଷ୍ମୀନାରାୟଣ ସାହୁଙ୍କ ‘ହିଲ୍ ଟ୍ରାଇବ୍ସ ଅଫ୍ ଜୟପୁର’ ସେ ନିଜସ୍ୱ ବ୍ୟୟରେ ପ୍ରକାଶିତ କରିଥିଲେ।
ଏଥି ପୂର୍ବରୁ ତାଙ୍କର ପ୍ରଥମ ଆନୁଷ୍ଠାନିକ ଶିକ୍ଷା ସମାପିତ ହୋଇଥିଲା କଟକଠାରେ। ତତ୍ସହ ଘରୋଇ ଭାବେ ସଂସ୍କୃତ, ଓଡ଼ିଆ, ଜ୍ୟୋତିଷ ଓ କର୍ମକାଣ୍ଡ ଶିକ୍ଷା କରିଥିଲେ। ମାତ୍ର ତିନିବର୍ଷ ବୟସରେ ସେ ପ୍ରାଥମିକ ତେଲୁଗୁ ଓ ଇଂରାଜୀ ଭାଷା ପଢା ଆରମ୍ଭ କରିଥିଲେ। ମାଡଗୁଲ ରାଜ୍ୟର ସରକାରୀ ତତ୍ତ୍ଵାବଧାନରେ ଇଂରାଜୀ ଶିକ୍ଷାର ବ୍ୟବସ୍ଥା ଅନୁଗୃହୀତ ହୁଏ। ବିଶାଖାପାଟଣାଠାରେ ତାଙ୍କର ଶିକ୍ଷାଦାତା ଥିଲେ ଜେ.ଏସ୍.ବାର୍ଡ଼ସ୍, ଜଣେ ମାନ୍ଦ୍ରାଜ ସିଭିଲ୍ ସର୍ଭିସ୍ ଅଫିସର। ମାତ୍ର, ଯେତେବେଳେ ରାଜପଦ ଉଠିଯାଏ, ତାଙ୍କର ଶିକ୍ଷାଦାନ ମଧ୍ୟ ବନ୍ଦ ହେଇଯାଏ। ସେ ତେଣୁ ବ୍ୟକ୍ତିଗତ ଉଦ୍ୟମରେ ଓଡ଼ିଆ, ତେଲୁଗୁ, ସଂସ୍କୃତ ଓ ଇଂରାଜୀରେ ଗଭୀର ବ୍ଯୁତ୍ପତ୍ତି ଆହରଣ କରିଛନ୍ତି। ଓଡ଼ିଆ ଓ ତେଲୁଗୁ ସାହିତ୍ୟକୁ ଆଧେୟ କରି ସେ ସେତେବେଳେ ରଚିତ କେତୋଟି ପୁସ୍ତକ ସ୍କୁଲ କଲେଜର ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ହେବା ଯୋଗୁଁ ସେଥିରୁ ପ୍ରାପ୍ତ ଅର୍ଥଦ୍ଵାରା ତାଙ୍କ ଗୁଜୁରାଣ ମେଣ୍ଟିଯାଏ। ପରବର୍ତ୍ତୀ ସମୟରେ ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟରୁ ୧୯ ଡିସେମ୍ବର ୧୯୩୪ ମସିହାରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଡି.ଲିଟ୍ ବା ‘ଡ଼କ୍ଟର ଅଫ୍ ଲିଟେରଚର୍’ ଉପାଧି, ଆନ୍ଧ୍ର ବିଶ୍ଵବିଦ୍ୟାଳୟରୁ ‘କଳା ପ୍ରପୂର୍ଣ୍ଣ’ ତଥା ଆନ୍ଧ୍ର ଭାରତୀ ତୀର୍ଥ ବିଶ୍ଵବିଦ୍ୟାଳୟରୁ ତାଙ୍କୁ ‘ସାହିତ୍ୟ ସମ୍ରାଟ୍’ ଉପାଧି ମିଳିଥିଲା।
ରାଜପଦବୀ ସହ ସାରସ୍ଵତ-ଅଭିନିବେଶ ସତ୍ତ୍ୱେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ତଥା ଜାତୀୟ ଓ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କର ଭୂୟୋନିବେଶ ମଧ୍ୟ ଅନୁରୂପ ଉଲ୍ଲେଖନୀୟ। ୧୯୦୩ ମସିହାରେ ଆନ୍ଧ୍ର ଓ ଓଡ଼ିଶାର ସୀମାନ୍ତରେ ଥାଇ ବିଚ୍ଛିନ୍ନାଞ୍ଚଳ ଓଡ଼ିଆମାନଙ୍କ ଭିତରେ ସ୍ଵାଭିମାନ ଓ ଆତ୍ମ-ପରିଚିତି ଆଣିବା ପାଇଁ ‘ମାନ୍ଦ୍ରାଜ ଓଡ଼ିଆ ସମାଜ’ ଗଠନ କରିଛନ୍ତି। ୧୯୧୪ ମସିହାରେ ପାରଳାଖେମୁଣ୍ଡିଠାରେ ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କ ଦ୍ଵାରା ଆୟୋଜିତ ଦଶମ ଉତ୍କଳ ସମ୍ମିଳନୀରେ ସଭାପତିତ୍ଵ କରି ବିକ୍ରମଦେବ ବର୍ମା ଦୃଢ ଯୁକ୍ତି ଉପସ୍ଥାପନ କରି କହିଥିଲେ ଭାଷା, ଜାତି ଓ ପରମ୍ପରାରେ ଯେଉଁମାନେ ଏକ ଓ ଅବିଚ୍ଛିନ୍ନ, ସେମାନେ ଏକ ପ୍ରାଦେଶିକ ଶାସନାଧୀନ ରହିବା ବାଞ୍ଛନୀୟ। ତେଲୁଗୁ ଓ ଓଡ଼ିଆମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂସ୍ଥାପନ ସହ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ନିରଳସ ଉଦ୍ୟମ ଫଳରେ ଜୟପୁର (ବର୍ତ୍ତମାନ କୋରାପୁଟରେ) ରାଜ୍ୟ ଆଜି ଓଡ଼ିଶାରେ ମିଳିତ। ସେ ସେଠାରେ ପୁନର୍ବାର ଗଭୀର ଆଶା ସହ କହିଥିଲେ –
“…. ରାଜା, ପ୍ରଜା ସମସ୍ତେ ଏକସ୍ଵରରେ ଓଡ଼ିଶା ସହ ବିଚ୍ଛିନ୍ନାଞ୍ଚଳର ମିଳନ ପ୍ରାର୍ଥନା କରନ୍ତୁ…., ଚେଷ୍ଟା କଲେ ଏହି ମିଳନ ଯେ ଦିନେ ସିଦ୍ଧ ହେବ, ଏଥିରେ ସନ୍ଦେହ ନାହିଁ। ନୂତନ ଆଶାରେ ପ୍ରାଣକୁ ଉଜ୍ଜୀବିତ କରି କାର୍ଯ୍ୟକ୍ଷେତ୍ରରେ ପ୍ରବେଶ କରିବାକୁ ହେବ। ସମ୍ଵାଦ ପତ୍ରମାନେ ଏହି ବିଷୟରେ ଆନ୍ଦୋଳନ ଚଳାନ୍ତୁ ଏବଂ ଲୋକେ ଏହି ମିଳନ ପାଇଁ ବ୍ୟାକୁଳତା ପ୍ରକାଶ କରନ୍ତୁ।…. କବିମାନେ ନିଜର କବିତା ଲେଖନ୍ତୁ ଏବଂ ବାଗ୍ମୀମାନେ ଏହାକୁ ଆଧାର କରି ବକ୍ତୃତା ଦିଅନ୍ତୁ। ଦେଖିବେ, ହୃଦୟର ଏହି ଆବେଗପୂର୍ଣ୍ଣ ଆକାଂକ୍ଷା ସରକାର ଦିନେ ପୂରଣ କରିବେ….”
ସମ୍ମିଳନୀରେ ଶିକ୍ଷା, ସାହିତ୍ୟ, ବିଶେଷତଃ ନାରୀଶିକ୍ଷା ନିମନ୍ତେ ଦାବି ଉତ୍ଥାପନ କରିଥିଲେ। ସେତେବେଳେ ସେ କହିଥିଲେ – ଗଞ୍ଜାମର ଓଡ଼ିଆମାନେ ଟିକିଏ ସଂଜ୍ଞାପ୍ରାପ୍ତ ହୋଇଛନ୍ତି। ସେମାନେ ନିଜର ଅସୁବିଧା କହିଲେଣି। କିନ୍ତୁ, ଜୟପୁର ଓ ସିଂହଭୂମିର ଓଡ଼ିଆ ମାନଙ୍କର ତାହା ନାହିଁ। ଏଥିପାଇଁ କଠୋର ସ୍ଵାର୍ଥତ୍ଯାଗ ତଥା ପ୍ରତିଭାଶାଳୀଙ୍କର ଅଖଣ୍ଡିତ ସାମର୍ଥ୍ୟ ବିନିଯୋଗ ଆବଶ୍ୟକ। ଏହି ଦାବି ମହାରାଜା କୃଷ୍ଣଚନ୍ଦ୍ର ଦେବ ତତ୍କାଳୀନ ଦ୍ଵିତୀୟ ଗୋଲ୍ ଟେବୁଲ୍ ରେ ଦୃଢ଼ ଭାବେ ଉପସ୍ଥାପିତ କରିଥିଲେ, ଯାହା ସ୍ଵତନ୍ତ୍ର ଉତ୍କଳୀୟ ଇତିହାସର ସ୍ଵାତନ୍ତ୍ର୍ୟରେ ନୂଆ ମୋଡ଼ ଦେଇଥିଲା।
୧୯୨୮ ମସିହାରେ ସାଇମନ୍ କମିସନ୍ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଆନ୍ତି। କମିଶନଙ୍କ ସୁପାରିଶ ଭାରତ ସରକାର ଗ୍ରହଣ କରି ବହୁଳ ଓଡ଼ିଆ ଭାଷୀ ଅଞ୍ଚଳକୁ ନେଇ ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବା ନିମନ୍ତେ ଆଉ ଏକ କମିଶନ ବସାଇବା ପାଇଁ ସ୍ଥିର କଲେ। ସେବେଳକୁ ବିକ୍ରମଦେବ ବର୍ମା ମାନ୍ଦ୍ରାଜରେ ଅବସ୍ଥାନ କରୁଥିଲେ। ୧୯୩୦ ମସିହାରେ ସେ ‘ମାନ୍ଦ୍ରାଜର ଓଡ଼ିଆ ଏବଂ ସାଇମନ୍ କମିସନ୍’ ନାମରେ ପୁସ୍ତିକାର ପ୍ରଣୟନ କରିଥିଲେ। ଫଳସ୍ୱରୂପ, ଓଡ଼ିଆ ମାନେ ପରିଚିତି ପାଇ ଜନଗଣନା ସମୟରେ ଓଡ଼ିଆ ମାନଙ୍କର ପ୍ରକୃତ ସଂଖ୍ୟା ଅଧିକ ଥିବାର ଜଣାପଡିଲା, ଯାହା ଦ୍ଵାରା ଭାଇଜାଗ୍’ରୁ ବହୁ ଓଡ଼ିଆ ଭାଷୀ ଅଞ୍ଚଳ ଓଡ଼ିଶାରେ ମିଶିବା ପାଇଁ ସ୍ଥିର ହୋଇଥିଲା। ରାଜପଦ ଗ୍ରହଣ ପରେ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ପାଇଁ ତାଙ୍କର ତେଜ ଆହୁରି ପ୍ରଖରିତ ହୁଏ।
୧୯୩୧ ମସିହାରେ ରାଜପଦାରୋହଣ ପରେ ନାଟକ ଓ ଚଳଚ୍ଚିତ୍ର ପ୍ରତି ତାଙ୍କର ଦୁର୍ବାର ଆସ୍ପୃହା ଫଳରେ କେତେକ କଳାକୁଶଳୀ କର୍ମୀମାନଙ୍କୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ପ୍ରୋତ୍ସାହନ କରିଥିଲେ। ସୀମାଞ୍ଚଳ ପର୍ବତର ପାଦଦେଶରେ ୧୯୩୩ ମସିହାରେ ସେ ‘ବିକ୍ରମ ଷ୍ଟୁଡିଓ’ ସ୍ଥାପନା କରିଥିଲେ। ଏଠାରେ ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ଦକ୍ଷିଣର ଅଭିଜ୍ଞ ଚିତ୍ରନିର୍ମାତାମାନଙ୍କର ପରାମର୍ଶ ସହଜ ସୁଲଭ ପାଇବାର ସମ୍ଭାବନା ଥିଲା। ତେଣୁ ସେ ସ୍ଥାପନ କଲେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ଷ୍ଟୁଡିଓ। ପରବର୍ତ୍ତୀ କାଳରେ ବନ୍ଦ ହେବା ପରେ ଦେଓଜୀ ଭାଇ ନାମକ କ୍ୟାମେରାମ୍ୟାନ କଲିକତାରେ ଅବସ୍ଥାନ କରି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାରେ ସାହାଯ୍ୟ କରିଥିଲେ।
ସାରସ୍ଵତ ଜୀବନରେ ସେ ଥିଲେ ଯଶସ୍ଵୀ। ବିଭିନ୍ନ ପ୍ରକାରର ଲେଖକୀୟତାର ସେ ଅବତାରଣା କରିଥିଲେ – କାବ୍ୟକବିତା, ନାଟକ, ପ୍ରବନ୍ଧ ପ୍ରଭୃତି। ଜୟପୁର ଠାରେ ୧୯୪୦ ମସିହାରେ ବିକ୍ରମ ପ୍ରେସ୍ ସ୍ଥାପନ କରି “ପ୍ରଜାବାଣୀ” ସାପ୍ତାହିକ ପତ୍ରିକା ପ୍ରକାଶ କରିଛନ୍ତି। ନିଜ ପ୍ରାସାଦରେ ଏକ ସମୃଦ୍ଧ ପାଠାଗାର ଏବଂ ଚିତ୍ରଶାଳା ସ୍ଥାପନ କରି ସାହିତ୍ଯିକ ଓ ଗବେଷକମାନଙ୍କୁ ପ୍ରୋତ୍ସାହିତ କରୁଥିଲେ। ତାଙ୍କ ଜାମାତା କୁମାର ବିଦ୍ୟାଧର ସିଂହଦେବ ଜଣେ ଖ୍ୟାତନାମା ଐତିହାସିକ ଓ ଗବେଷକ। ଆନ୍ଧ୍ର ବିଶ୍ଵବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ, ଜୟପୁର ମହାବିଦ୍ୟାଳୟ ଏଯାବତ ମଧ୍ୟ ତାଙ୍କର ସ୍ମୃତିଚାରଣ କରୁଅଛନ୍ତି। କନ୍ନଡ଼ ଭାଷାରୁ ଅନୂଦିତ ‘ଶ୍ରୀନିବାସ କଲ୍ୟାଣମ୍’, ‘ଦୈବୀ କାବ୍ୟ’, ‘କୃଷ୍ଣାର୍ଜ୍ଜୁନ ଚରିତମ୍’ର ପାଣ୍ଡିତ୍ୟ ଟୀକା, ମାନବତୀ ଚରିତମ୍ ନାଟକ ଇତ୍ୟାଦି ସମସ୍ତ ରଚନା ତାଙ୍କର ବହୁତ ପ୍ରଥିତଯଶା। ତାଙ୍କର ସମସ୍ତ ଓଡ଼ିଆ ରଚନା “ଶ୍ରୀବିକ୍ରମଦେବ ବର୍ମା ରଚନାବଳୀ” ନାମରେ ଦୁଇଖଣ୍ଡରେ ପ୍ରକାଶିତ।
୧୯୫୧ ମସିହାରେ ଏପ୍ରିଲ ୧୪ ତାରିଖରେ (କେତେକ ସୂତ୍ରରେ ୧୩ ଏପ୍ରିଲ ) ତାଙ୍କର ମହାପ୍ରୟାଣ ଘଟେ। ଏହି ମହାପୁରୁଷଙ୍କର ରାଜକୀୟ ଶୋଭା-ସୁଲଭତା ମଧ୍ୟରେ ଯେଉଁ ପ୍ରକୃତ ରାଜୋଚିତ କର୍ତ୍ତବ୍ୟ ପାଳନ ସହ ଦେଶମାତୃକା ପ୍ରତି ଜଣେ ସମର୍ପିତ ସାଧକ ହେଇ ସେ ଯେଉଁ ପ୍ରେରଣା ଦେଇ ଯାଇଅଛନ୍ତି, ତାହା ଚିରକାଳ ପର୍ଯ୍ୟନ୍ତ ଯୁବପିଢ଼ି ଓ ସମସ୍ତ ଦେଶବାସୀଙ୍କ ପାଇଁ ଅନୁପ୍ରେରଣା ହେଉ।