ସାକ୍ଷୀଗୋପୀନାଥ

ଲେଖା: ଶ୍ରୀକାନ୍ତ ସିଂହ
~ ସାକ୍ଷୀଗୋପୀନାଥ ~
ପ୍ରେମ, ପ୍ରତିଶ୍ରୁତି, ପ୍ରତାରଣା, ପ୍ରତୀକ୍ଷା ଆଉ ଶେଷରେ ପରିଣୟ – ଏହିସବୁ କଥାକୁ ନେଇ ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମହାପ୍ରଭୁଙ୍କ ସମ୍ପର୍କରେ ରହିଛି ସୁନ୍ଦର ଆଉ ରୋଚକ ଏକ ଲୋକକଥା l
ପ୍ରେମ ଏକ ନୈସର୍ଗିକ ଅନୁଭବ l ପ୍ରେମ ଯେବେ ହୁଏ ସାତ୍ତ୍ଵିକ, କାମନା-ବାସନା ରହିତ ନିଷ୍କପଟ, ଦୈହିକ ଲାଳସା ବିବର୍ଜିତ ନିଷ୍କଳଙ୍କ ତେବେ ଯାଇ ସେଇ ପ୍ରେମକୁ ପ୍ରାପ୍ତ ହୁଏ ଈଶ୍ୱରଙ୍କ ଆଶୀର୍ବାଦ ଆଉ ସାର୍ଥକ ହୁଏ ପ୍ରେମିକ-ପ୍ରେମିକାଙ୍କ ଆଗଛ ବୈବାହିକ ଜୀବନ l
ପ୍ରାଚୀନ ଲୋକକଥା ଅନୁଯାୟୀ ସାକ୍ଷୀଗୋପାଳର ଜଣେ ବ୍ରାହ୍ମଣ ଯୁବକ ସେହି ଗ୍ରାମର ସାମନ୍ତଙ୍କ ଏକମାତ୍ର ଝିଅକୁ ଭଲ ପାଉଥିଲେ ଆଉ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା l ସ୍ୱଚ୍ଛ ଆଉ ନିର୍ମଳ ମନ ନେଇ ଯୁବକ ଜଣକ ପ୍ରେମିକାର ପାଣି ଗ୍ରହଣ ପାଇଁ ମନ ବାଳାନ୍ତେ, କନ୍ୟା ପିତା ନିଜର ସମ୍ଭ୍ରାନ୍ତ ଓ ଆଧିପତ୍ୟ ହେତୁ ଗରିବ ବ୍ରାହ୍ମଣ ଯୁବକ ସହିତ ଝିଅର ବିବାହକୁ ବିରୋଧ କରିଥିଲେ l ମାତ୍ର ପରିଶେଷରେ ଗୋପୀନାଥଙ୍କ ଆଶୀର୍ବାଦରୁ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ ହୋଇ ପାରିଥିଲା l
ଏକାଦା ସମସ୍ତ ଗ୍ରାମବାସୀ, ଉକ୍ତ ଗରିବ ବ୍ରାହ୍ମଣ ଓ ଧନୀକ ସାମନ୍ତ ବ୍ୟକ୍ତି ସମେତ କାଶି ବା ବାରଣାସୀକୁ ତୀର୍ଥାଟନରେ ବାହାରିଲେ l ବାଟରେ ସାମନ୍ତଙ୍କ ଦେହ ଅସୁସ୍ଥ ହେଲା, ସେ ରୋଗରେ ପଡ଼ିଲେ, ମାତ୍ର ଅନ୍ୟମାନେ କେହି ତାଙ୍କ ଅସୁସ୍ଥତା ପ୍ରତି ଗୁରୁତ୍ୱ ଦେଲେନି l ହେଲେ ବ୍ରାହ୍ମଣ ଯୁବକ ତାଙ୍କ ତତ୍ତ୍ୱ ନେଲେ l ଉପଯୁକ୍ତ ସେବାଯତ୍ନରେ ସାମନ୍ତ ସୁସ୍ଥ ହୋଇ ଆରୋଗ୍ୟ ଲାଭ କଲେ l
ଯୁବକର ସେବା ଯତ୍ନରେ ଖୁସି ହୋଇ ଯୁବକ ସହିତ ନିଜ ଝିଅର ବିବାହ କରାଇବା ପାଇଁ ସାମନ୍ତ କଥାଦେଲେ l ହେଲେ ତୀର୍ଥାଟନରୁ ଫେରିଲା ପରେ ନିଜ ପ୍ରତିଶୃତିରୁ ଓହରି ଯାଇ, ଝିଅକୁ ଯୁବକ ସହ ବିବାହ ଦେବା ପାଇଁ କୌଣସି ପ୍ରତିଶ୍ରୁତି ଦେଇ ନାହାନ୍ତି ବୋଲି କହିଲେ; ଯଦିବା ପ୍ରତିଶ୍ରୁତି ଦେଇଛନ୍ତି ତାହା ପ୍ରଣାମ ସିଦ୍ଧ କରିବାକୁ କହିଲେ l
ଭଗ୍ନ ଓ ହତୋତ୍ସାହ ମନ ନେଇ ଯୁବକ ଭକ୍ତ ବତ୍ସଳ ଭଗବାନ କୃଷ୍ଣଗୋପାଳଙ୍କୁ ମନ କଥା ଜଣାଇଲେ l ଯୁବକର ନିଷ୍କପଟ, ନିଷ୍କଳଙ୍କ ମନୋଭାବରେ ପ୍ରସନ୍ନ ହୋଇ ଭଗବାନ କୃଷ୍ଣଗୋପାଳ କଥା ଦେଲେ ସାକ୍ଷ ଦେବା ପାଇଁ l ମାତ୍ର ଗୋଟିଏ ସର୍ତ୍ତ ରହିଲା ଯେ ଯୁବକ ଆଗେ ଆଗେ ଚାଲିବେ ଆଉ ଗୋପାଳ ଯୁବକର ପଛେ ପଛେ ଯିବେ ଆଉ ଯିବାବେଳେ କୌଣସି ପରିସ୍ଥିତିରେ ଯୁବକ ପଛକୁ ଫେରି ଗୋପାଳ ମାଧବଙ୍କୁ ଚାହିଁବେ ନାହିଁ l
ଯୁବକ ଆଗେ ଆଗେ ଆଉ ଭକ୍ତ ବତ୍ସଳ ଭଗବାନ ତାଙ୍କ ପଛେ ପଛେ ଚାଲିଥାନ୍ତି l ଗୋପାଳଙ୍କ ପାଉଁଜି ଶବ୍ଦ ବ୍ରାହ୍ମଣ ଯୁବକର କାନରେ ଅନୁରଣିତ ହେଉଥାଏ ଆଉ ମନରେ ଅସୁମାରୀ ଆଶା ଓ ସମ୍ଭାବନା ଅଙ୍କୁରିତ ହେଉଥାଏ l ଯୁବକର ଦୃଢ଼ ବିଶ୍ୱାସ ଥାଏ ଯେ ଗୋପାଳ ମାଧବ ମୋ ପଶ୍ଚାତରେ ଆସୁଛନ୍ତି ମାତ୍ର ପଥପ୍ରାନ୍ତରେ ଥିବା ବାଲିଗଦା ଉପରେ ଯିବାବେଳେ ଗୋପାଳଙ୍କ ପାଦଧ୍ୱନି ଶୁଣି ନ ପାରି ଯୁବକ ପଛକୁ ଫେରି ଚାହିଁ ଦେବାରୁ କୃଷ୍ଣଗୋପାଳ ସେହିଠାରେ ପାଷାଣ ମୂର୍ତ୍ତିରେ ପରିଣତ ହେଲେ l
ଅନ୍ତର୍ଭେଦି କୋହରେ ଯୁବକର ମନ ଭାରାକ୍ରାନ୍ତ, ପ୍ରେୟସୀକୁ ପାଇବାର ଶେଷ ଆଶା ବି ନିର୍ବାପିତ l ମାତ୍ର ଏହି କଥାଟି ବିଜୁଳି ବେଗରେ ଚାରିଆଡେ ପ୍ରଘଟ ହେଲା, ଯେ ସ୍ୱୟଂ ଭଗବାନ ଯୁବକ ପାଇଁ ସାକ୍ଷୀ ଦେବା ନିମନ୍ତେ ଆସିଥିଲେ l ଯୁବକର ଭକ୍ତି ଓ ନିଷ୍କପଟ ପ୍ରେମକୁ ସମର୍ଥନ କରି ଗ୍ରାମବାସୀମାନେ ସାମନ୍ତଙ୍କ ଝିଅ ସହିତ ଯୁବକର ବିବାହ କରାଇଦେଲେ ଆଉ ଗୋପାଳଙ୍କ ପାଇଁ ଦେଉଳଟେ ନିର୍ମାଣ କରାଇ ସେଠାରେ ଗୋପାଳଙ୍କ ପୂଜାରେ ଯୁବକଙ୍କୁ ନିୟୋଜିତ କଲେ l ଭକ୍ତ ବତ୍ସଳ ଭଗବାନ ସାକ୍ଷୀ ଦେବା ପାଇଁ ଆସିଥିବାରୁ ଲୋକ ମୁଖରେ ତାଙ୍କ ନାଁ ସାକ୍ଷୀଗୋପୀନାଥ ଓ ସ୍ଥାନଟିର ନାଁ ସାକ୍ଷୀଗୋପାଳ ହେଲା l
ଅନ୍ୟ ଏକ କଥନିକାରୁ ଜଣାଯାଏ, କାଞ୍ଚି ଅଭିଯାନ ସମୟରେ ଗୋପାଳଙ୍କ ଏହି ଦିବ୍ୟ ପ୍ରତିମାଟିକୁ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚିରୁ ଉତ୍କଳକୁ ଆଣିଥିଲେ l କଟକ ବାରବାଟୀ ଦୁର୍ଗରେ ପ୍ରତିମାକୁ କିଛି କାଳ ପାଇଁ ସ୍ଥାପନ କରିଥିଲେ l ପରେ କଟକରୁ ଖୋର୍ଦ୍ଧା ଓ ତା’ପରେ ପୁରୀ ଶ୍ରୀମନ୍ଦିରରେ ସ୍ଥାପନ କରାଇଲେ l
ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ହେବାର ଅଳ୍ପ ଦିନପରେ ରାଜାଙ୍କୁ ଜଗନ୍ନାଥ ସ୍ୱପ୍ନାଦେଶ କଲେ ଯେ, ଗୋପାଳ ଭୋଗବୁହା ବାଟରେ ବସି ସବୁ ଭୋଗକୁ ଅଇଁଠା କରିଦେଉଛନ୍ତି ଏଣୁ ଆମେ ଉପବାସରେ ରହୁଛୁ l ପରିଶେଷରେ ଅନେକ ବିଚାର ବିମର୍ଷ ପରେ ରାଜା ଜଣେ ସନ୍ନ୍ୟାସୀ, ବାବା ବ୍ରହ୍ମଚାରୀଙ୍କ ଉପଦେଶ ଓ ପରାମର୍ଶକ୍ରମେ ସତ୍ୟବାଦୀର ରତ୍ନାଚିରା ନଦୀ ତଟବର୍ତ୍ତୀ ବକୁଳ ବନରେ ଦେଉଳଟିଏ ନିର୍ମାଣ କରାଇ ଗୋପୀନାଥଙ୍କୁ ସ୍ଥାପନ କରାଇଲେ l ବଉଳ, ଛୁରିଅନା, ତମାଳ, ନାରିକେଳ ଆଦି ବୃକ୍ଷ ଶୋଭିତ ଏହି ସ୍ଥାନଟି ଠିକ ବୃନ୍ଦାବନ ପରି l
କୁହାଯାଏ ଅନେକ କାଳ ଉପରାନ୍ତେ ଶ୍ରୀରାଧା ମାନବୀ ଲକ୍ଷ୍ମୀ ରୂପରେ ଦେଉଳ ବଡ଼ପଣ୍ଡାଙ୍କ ଘରେ ଜନ୍ମଲାଭ କରନ୍ତି l ସାକ୍ଷୀ ଗୋପାଳଙ୍କ ସହ ଲକ୍ଷ୍ମୀଙ୍କର ପ୍ରେମ ଭାବ ଥିଲାବୋଲି କୁହାଯାଏ l ଏପରିକି ଅନେକ ସମୟରେ ଲକ୍ଷ୍ମୀଙ୍କ ଶୟନ କକ୍ଷରୁ ଗୋପାଳଙ୍କ ମୟୁର ଚୂଳ, ସୁବର୍ଣ୍ଣ ବଂଶୀ, ପିନ୍ଧା ବସନ ଆଦି ପ୍ରାପ୍ତ ହୁଏ l
ଏହିପରି ଘଟଣା ଘଟିବା ପରେ ରାଜା ବଡ଼ପଣ୍ଡାଙ୍କୁ ଚୋର ଭାବି ନିର୍ଯ୍ୟାତନା ଦିଅନ୍ତେ ଭକ୍ତ ବତ୍ସଳ ଗୋପୀନାଥ ରାଜାଙ୍କୁ ସ୍ୱପ୍ନରେ କହିଲେ ଯେ, ମୋର ପ୍ରାଣ ପ୍ରିୟା ରାଧା ହିଁ ଲକ୍ଷ୍ମୀ ରୂପରେ ବଡ଼ପଣ୍ଡାଙ୍କ ଘରେ ଜନ୍ମ ଲାଭ କରିଛନ୍ତି l ଏଣୁ ଲକ୍ଷ୍ମୀଙ୍କ ପରି ଏକ ସୁବର୍ଣ୍ଣ ପ୍ରତିମା ନିର୍ମାଣ କରାଇ ମୋ ପାଖରେ ପ୍ରତିଷ୍ଠା କରାହେଉ l କୁହାଯାଏ ମୂର୍ତ୍ତିନିର୍ମାଣ ଆରମ୍ଭ ଦିନରୁ ଲକ୍ଷ୍ମୀ ରୋଗରେ ଶଯ୍ୟାଶାୟୀ ହେଲେ ଏବଂ ପ୍ରତିମାର ଜୀବନ୍ୟାସ ଦିନ ହିଁ ଲକ୍ଷ୍ମୀ ପ୍ରାଣ ତ୍ୟାଗ କଲେ l
ପରବର୍ତ୍ତୀ ସମୟରେ ମାନବୀ ପ୍ରିୟା ଲକ୍ଷ୍ମୀଙ୍କ ଜନ୍ମଦିବସ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଲକ୍ଷ୍ମୀ ରୂପୀ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଅନୁଷ୍ଠିତ ହୁଏ l ଏହି ଦିନ ଠାକୁରାଣୀ କାଣିଆ କଛା ମାରି ଶାଢ଼ୀ ପିନ୍ଧୁ ଥିବାରୁ ତାଙ୍କ ପାଦପଦ୍ମ ଦ୍ବୟ ଦର୍ଶନ କରିହୁଏ l ଗୋପଳଙ୍କୁ ମଧ୍ୟ ଚନ୍ଦନ ଚର୍ଚ୍ଚିତ କରି ସୁବର୍ଣ୍ଣ କୀରିଟ, ସୁବର୍ଣ୍ଣ କଙ୍କଣ, ସୁବର୍ଣ୍ଣ ବଂଶୀ ସହ ନଟବର ବେଶରେ ଆଉ ରାଧାରାଣୀଙ୍କୁ ଓଡ଼ିଆଣୀ ବେଶରେ ପୂଜା କରାଯାଏ l ଲକ୍ଷ ଲକ୍ଷ ଜନ ସମାଗମରେ ସାକ୍ଷୀଗୋପାଳ ଚଳଚଞ୍ଚଳ ହୋଇ ଉଠେ l
ମଧ୍ୟାହ୍ନ ସମୟ ଏଣେ ମନ୍ଦିରରେ ଘଣ୍ଟ, ଘଣ୍ଟା, କାହାଳୀ ବାଜିଉଠିଲା ଗୋପୀନାଥଙ୍କ ମଧ୍ୟାହ୍ନ ଧୂପ ନୀତି ଆରମ୍ଭ ହେଲା l ଆମେ ଦୁଇ ଭାଈ ଦୂରୁ ଥାଇ ଠାକୁରଙ୍କ ଦିବ୍ୟ ନୀତି ଓ ଆଳତୀ ଦର୍ଶନ କଲୁ l ଭାଗ୍ୟରେ ଥିଲେ ଗୋପୀନାଥଙ୍କ ଆଳତୀ ଦର୍ଶନର କୃପା ପ୍ରାପ୍ତ ହୁଏ l
ଦିଅଁଙ୍କ ଆଳତୀ ପରେ ଗର୍ଭଗୃହକୁ ଯାଇ ଅତି ନିକଟରୁ ରାଧା ମାଧବଙ୍କୁ ଦର୍ଶନ କଲୁ l ଠାକୁରଙ୍କୁ ତୁଳସୀମାଳ ଚଢ଼େଇ ମନରେ ଅପୂର୍ଵ ଆନନ୍ଦ ଓ ଶିହରଣ l ସାକ୍ଷୀଗୋପୀନାଥ ମନ୍ଦିର ଚତୁଃପାର୍ଶ୍ଵ ପ୍ରଦକ୍ଷିଣ କରି, ରାଧାରାଣୀ ଓ ସାକ୍ଷୀଗୋପାଳଙ୍କୁ ଆଉ ଥରେ ଦର୍ଶନ କରି ଫେରିଆସିଥିଲୁ l

Leave a Comment

Your email address will not be published. Required fields are marked *

Scroll to Top