ସମ୍ବର ଦଶମୀ

ଲେଖା: ଅମ୍ବିକା ପଟ୍ଟନାୟକ
~ ସମ୍ବର ଦଶମୀ, ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା ~
ପୌଷ ଶୁକ୍ଳ ଦଶମୀ ସାଧାରଣତଃ ଓଡ଼ିଶାରେ ସମ୍ବର ଦଶମୀ ବା ଶାମ୍ବ ଦଶମୀ ହିସାବରେ ପାଳନ କରା ହୁଏ l ଦୁଇଟି ଉପାଖ୍ୟାନ ମିଳେ ଏବଂ ଦୁଇଟି ସୂର୍ଯ୍ୟ ପୂଜା, ଶ୍ରୀକୃଷ୍ଣ ଓ ନାରଦଙ୍କ ସହ ଜଡିତ l
୧. ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ଶିଶୁ ପୁତ୍ର ପ୍ରଦ୍ୟୁମ୍ନଙ୍କୁ ସମ୍ବରାଶୁର ଅପହରଣ କରି ନେଇ ଯାଇଥିଲା l ଦୁଃଖିତା ରୁକ୍ମିଣୀ ନାରଦଙ୍କ ପରାମର୍ଶରେ ରବି ନାରାୟଣ ପୂଜା କରିଥିଲେ l ପରବର୍ତୀ କାଳରେ ଯୁବକ ପ୍ରଦ୍ୟୁମ୍ନ ସମ୍ବରାଶୁର ବଧ କରି ଦ୍ଵାରକା ଫେରିଥିଲେ l କିଛି ବ୍ରତାବଳୀରେ ଏହା ଉଲ୍ଲିଖିତ l
୨. ନାରଦଙ୍କ ଚକ୍ରାନ୍ତରେ ପିତା ଶ୍ରୀକୃଷ୍ଣଙ୍କ ଅଭିଶାପରେ ପୁତ୍ର ଶାମ୍ବ କୁଷ୍ଠ ରୋଗାକ୍ରାନ୍ତ ହେଲେ ଏବଂ ପରେ ଚନ୍ଦ୍ରଭାଗା ତୀରସ୍ଥ ଅର୍କକ୍ଷେତ୍ରରେ ସୂର୍ଯ୍ୟପୂଜା କରି ରୋଗମୁକ୍ତ ହୋଇ ଥିଲେ l ଏହି ଉପାଖ୍ୟାନ ବହୁ ପ୍ରଚଳିତ l ଏଣୁ ମା’ମାନେ ସନ୍ତାନଙ୍କ ସୁସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ନିମିତ୍ତ ଡହ ଡହ ଗରମ ଘାଣ୍ଟ, ଫଳ ଓ ମିଠା ଦେଇ ସୂର୍ଯ୍ୟପୂଜା କରନ୍ତି l
ବର୍ତମାନ ଭାରତରେ ଦୁଇ ଜାଗାରେ ଚନ୍ଦ୍ରଭାଗା ନଦୀ l ମହାରାଷ୍ଟ୍ରର ଅମରାବତୀ ଓ ଓଡ଼ିଶାର କୋଣାର୍କ (ଲୁପ୍ତପ୍ରାୟ) l ମୂଳ ଚନ୍ଦ୍ରଭାଗା କିନ୍ତୁ ବୈଦିକ କାଳର ଅଶିକନୀ ନଦୀ ଓ ବର୍ତ୍ତମାନର ଚେନାବ l ସପ୍ତସିନ୍ଧୁ ଓ ପଞ୍ଚନଦର ଏକ ଅଂଶ l ବର୍ତ୍ତମାନ ପାକିସ୍ଥାନର ସହର ମୁଲତାନର ପ୍ରାଚୀନ ନାମ ଥିଲା ମୂଳସ୍ଥାନ l ଚନ୍ଦ୍ରଭାଗା ନଦୀ ତୀରେ ଅବସ୍ଥିତ ଏଇ ସହରରେ ପ୍ରାଚୀନ କାଳରୁ ଏକ ଭବ୍ୟ ସୂର୍ଯ୍ୟମନ୍ଦିର ଥିଲା l ପରେ ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀରେ ସେ ମନ୍ଦିର ଧ୍ବଂସ କରା ହୋଇ ଗଲା l ଓଡ଼ିଶାରେ ଚନ୍ଦ୍ରଭାଗା ନଦୀ ଓ କୋଣାର୍କ ପ୍ରସିଦ୍ଧି, ସମ୍ଭବତଃ ଗଙ୍ଗବଂଶୀ ଅନଙ୍ଗଭୀମ ଦେବଙ୍କ ସମୟରେ ଯେତେବେଳେ ପୁରାଣଶାସ୍ତ୍ର ସବୁର ପୁନର୍ଲିଖନ କରାଗଲା, ସ୍କନ୍ଦପୁରାଣ (ଉତ୍କଳଖଣ୍ଡ) ଇତ୍ୟାଦି ରଚନା ହେଲା, ସେତେବେଳୁ ଆରମ୍ଭ ହେଲା l ଲାଙ୍ଗୁଳା ନରସିଂହଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପରେ ଅଧିକ ପ୍ରସିଦ୍ଧ l
ସୂର୍ଯ୍ୟ ସକଳ ଶକ୍ତିର ଆଧାର ବୋଲି ଆରମ୍ଭରୁ ବିଶ୍ୱାସ ରହିଛି l ଏଥି ପାଇଁ ବ୍ରହ୍ମର୍ଷି ବିଶ୍ଵାମିତ୍ର ଏଇ ପ୍ରସିଦ୍ଧ ଗାୟତ୍ରୀ ମନ୍ତ୍ର ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ରଚନା କରିଛନ୍ତି, “ଓଁ ଭୁ8 ଭୁବସ୍ଵ8 ତତ ସବିତୁର ବରେଣ୍ୟମ୍, ଭରଗୋ ଦେବସ୍ୟ ଧୀମହି ଧୀୟୋଜନ ପ୍ରଚୋଦୟାତ” l
ମହାବୀର ହନୁମାନଙ୍କ ଗୁରୁ ସୂର୍ଯ୍ୟ l ଯାଜ୍ଞବଳକ୍ୟ ଋଷି ଗୁରୁ ବୈଶମ୍ପାୟନଙ୍କ ପ୍ରଦତ୍ତ ବିଦ୍ୟା ଫେରସ୍ତ କରି ସୂର୍ଯ୍ୟ ଆରାଧନା କରି ପୁନଶ୍ଚ ବିଦ୍ୟା ପ୍ରାପ୍ତି କରିଥିଲେ l 
ସୂର୍ଯ୍ୟଙ୍କ ଅନ୍ୟ ନାମ “ମିତ୍ର”, “ମିହିର” l ପ୍ରାଚୀନ ପାରସ୍ୟରେ ସୂର୍ଯ୍ୟଙ୍କ ନାମ “ମିତ୍ର “Mithra, ଓ ମିହିର Mihr l ପାରସ୍ୟରୁ ଗ୍ରୀସ ଏଇ ଭୂଖଣ୍ଡରେ ଦିନେ Mithrates ଅର୍ଥ ସୂର୍ଯ୍ୟ ଉପାସକ ଗୋଷ୍ଠୀ ଥିଲେ l ପ୍ରାଚୀନ ଗ୍ରୀସରେ ସୂର୍ଯ୍ୟ ପ୍ରଥମେ ହେଲିଓସ Helios ଏବଂ ପରେ ଆପୋଲୋ Apollo ନାମରେ ପରିଚିତ ଥିଲେ l ସୂର୍ଯ୍ୟ ସମ୍ପର୍କୀୟ ବିଷୟକୁ ଇଂରାଜୀରେ ଏଣୁ Hellenistic ବା Heliocentric କୁହାଯାଏ l
ପ୍ରାଚୀନ ମିଶରରେ ପ୍ରମୁଖ ଦେବତା ସୂର୍ଯ୍ୟ “ଆମନରା” ନାମରେ ପରିଚିତ l ଇତିହାସର ପ୍ରଥମ ବିଧର୍ମୀ ଘୋଷିତ ଫାରୋ ଅଖନାଟନ “ଆମନ ରା” ପରିବର୍ତ୍ତେ “ଆଟେନ”ଙ୍କୁ ସୂର୍ଯ୍ୟଦେବ ଘୋଷଣା କରି ପୂଜା କରିଥିଲେ l ତାଙ୍କ ମୃତ୍ୟୁ ପରେ ଉତକ୍ଷିପ୍ତ ପୁରୋହିତମାନେ ମୃତ ଫାରୋଙ୍କୁ ବିଧର୍ମୀ ଘୋଷଣା କରି ପରବର୍ତୀ ଜୀବନରୁ ବଞ୍ଚିତ କରିବା ପାଇଁ ଅଜ୍ଞାତ ସ୍ଥାନରେ ନାମ ହୀନ ଭାବେ ସମାଧି ଦେଇ ଥିଲେ ଓ ରାଜଧାନୀ ଆମର୍ଣ୍ଣାକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଥିଲେ l ତାଙ୍କ ପୁତ୍ର ବିଖ୍ୟାତ ଫାରୋ ତୁତ ଅଂଖ ଆମନ ପୁନଶ୍ଚ “ଆମନ ରା “ପୂଜା ପ୍ରଚଳନ କରିଥିଲେ l
ପ୍ରାଚୀନ ରୋମର ସୂର୍ଯ୍ୟଦେବ ସୋଲ ଇନଭିକଟସ l ସେ ମଧ୍ୟ ରଥାରୋହୀ l ଇଂରାଜୀ ଶବ୍ଦ Solar System ଏଇ Sol Invictusଙ୍କ ନାଁ ଅନୁସାରେ ହୋଇଛି l

Leave a Comment

Your email address will not be published. Required fields are marked *

Scroll to Top