ଉପସ୍ଥାପନା: ଶିଶିର ସାହୁ ମନୋଜ
ଆମେ ସାଧାରଣତଃ ‘ଷ’ ଅକ୍ଷରର ବ୍ୟବହାର ସମୟରେ ଦ୍ଵନ୍ଦରେ ପଡ଼ିଥାଉ । ସେଥିପାଇଁ ଷ-ତ୍ବ ବିଧାନ ବାବଦରେ ଜାଣିବା ଗୁରୁତ୍ୱପୂର୍ଣ୍ଣ ।
~ ଷ-ତ୍ବ ବିଧାନ ~
୧. ଋ କାର ପରେ ମୂର୍ଦ୍ଧନ୍ୟ ଷ ହୁଏ, ଯଥା: ବୃଷ୍ଟି, ସୃଷ୍ଟି, ବୃଷ
୨. ଅ, ଆ ବ୍ୟତୀତ ଅନ୍ୟ ସ୍ଵରବର୍ଣ୍ଣର, କ ଏବଂ ର ବର୍ଣ୍ଣର ପ୍ରତ୍ୟୟାଦି ଲାଗିଥିଲେ ଦନ୍ତ୍ୟ ସ ଏବଂ ମୂର୍ଦ୍ଧନ୍ୟ ଷ ହୁଏ, ଯଥା: ଭବିଷ୍ୟତ, ପରିଷ୍କାର, ମୂର୍ମୁଷୁ ଆଦି
୩. ଅତି, ଅଭି ଏବଂ ଏଇଭଳି ଶବ୍ଦର ଶେଷେ, ଈ କାର ଉପସର୍ଗର ତଥା ଅନୁ ଓ ସୁ ଉପସର୍ଗର ପରେ କେତେକ ସ୍ଥଳରେ ଦନ୍ତ୍ୟ ସ ଏବଂ ମୂର୍ଦ୍ଧନ୍ୟ ଷ ହୁଏ, ଯଥା: ଅତିଷ୍ଠ, ଅନୁଷ୍ଠାନ, ଅଭିଷେକ, ବିଷର୍ଣ୍ଣ
୪. ନିଃ, ଦୁଃ, ବହିଃ, ଆଭିଃ, ଚତୁଃ, ପ୍ରାଦୁଃ – ଏ ଶବ୍ଦ ସବୁର ପରେ କ, ଖ, ପ, ଫ ଥିଲେ ବିସର୍ଗର ସ୍ଥାନରେ ମୂର୍ଦ୍ଧନ୍ୟ ଷ ହୁଏ । ଯଥା: ନିଃ+କାମ=ନିଷ୍କାମ, ଦୁଃ+କର=ଦୁଷ୍କର, ବହିଃ+କାର=ବହିଷ୍କାର, ନିଃ+ପାପ=ନିଷ୍ପାପ ଆଦି ଆଦି
୫. କିଛି ଶବ୍ଦରେ ସ୍ବଭାବତଃ ମୂର୍ଦ୍ଧନ୍ୟ ଷ ହୁଏ, ଯଥା: ନିଷ୍କର, ପାଷାଣ, ଷୋଡ଼ଶ ଆଦି
୬. କେତେକ ଶବ୍ଦରେ ବିଶେଷ ନିୟମ ଅନୁଯାୟୀ ମୂର୍ଦ୍ଧନ୍ୟ ଷ ହୁଏ, ଯଥା: ସୁଷୁପ୍ତି, ବିଷମ, ବିଷୟ, ଯୁଧିଷ୍ଠିର ଆଦି
~ କେତେକ ସ୍ଥଳରେ ଷ-ତ୍ବ ବିଧାନ କାର୍ଯ୍ୟ କରେନାହିଁ ~
୧. ସାତ୍ ପ୍ରତ୍ୟୟ ଲାଗିଲେ ମୂର୍ଦ୍ଧନ୍ୟ ଷ ହୁଏ ନାହିଁ, ଉଦାହରଣ: ଧୂଳିସାତ୍, ଅକସ୍ମାତ, ଭୂମିସାତ୍
୨. କେତେକ ପ୍ରାଚୀନ ଓଡ଼ିଆ ଶବ୍ଦ ତଥା ଅଧିକାଂଶ ବୈଦେଶିକ ଶବ୍ଦର ମୂର୍ଦ୍ଧନ୍ୟ ଷ ହୁଏ ନାହିଁ, ଉଦାହରଣ: ଟ୍ୟାକ୍ସ, ପୋଲିସ, ଗ୍ରୀସ୍, ପ୍ୟାରିସ୍, ଆଦି;
କିନ୍ତୁ ଏହାର ବ୍ୟତିକ୍ରମ ସ୍ବରୁପ କେତେକ ବୈଦେଶିକ ଶବ୍ଦରେ ହୁଏ, ଯେମିତି “ଜି଼ନିଷ” ଷ୍ଟେସନ ଆଦି;
ଏହାର ନିୟମ ହେଉଛି ଯଦି ବୈଦେଶିକ ଶବ୍ଦର ପ୍ରଥମ ଅକ୍ଷର “sa” ଉଚ୍ଚାରଣ ହେବା ସହ ଟ ବର୍ଗଯୁକ୍ତ ବିଶେଷତଃ ଟ ଶବ୍ଦସହ ଯୁକ୍ତାକ୍ଷର ବିଶିଷ୍ଟ ହୁଏ ତେବେ ସେଠାରେ ମୂର୍ଦ୍ଧନ୍ୟ ଷ ହୋଇଥାଏ, ଯେମିତି କି ଷ୍ଟାର, ଷ୍ଟାମ୍ପ,ଷ୍ଟୋର୍, ଷ୍ଟୋରି ଇତ୍ୟାଦି ।
ପୁଣି ଏ ନିୟମର ବ୍ୟତିକ୍ରମ ସ୍ବରୁପ କେଉଁଠି କେଉଁଠି ବୈଦେଶିକ ଶବ୍ଦ ପାଇଁ ଦନ୍ତ୍ୟ ସ ନିୟମ ବଳବତ୍ତର ହୋଇ ସ୍କଟଲାଣ୍ଡ, ସ୍କ୍ୟାମ୍, ସ୍କୁଲ, ସ୍କିମ୍ ମଧ୍ୟ ହୁଏ ।
୩. ଅଃ ବା ଆଃ ଶବ୍ଦ ଥିଲେ ତାର ପରେ କ, ଖ, ପ, ଫ ସନ୍ଧିଯୁକ୍ତ ହେଲେ ବିସର୍ଗ ବଦଳରେ ଦନ୍ତ୍ୟ ସ ହୁଏ, ଯେମିତି କି, ପୁରଃ+କାର=ପୁରସ୍କାର,
ଭାଃ+ସ୍କର=ଭାସ୍କର,
ତିରଃ+କାର=ତିରସ୍କାର,
ପରଃ+ପର=ପରସ୍ପର,
ସ୍ବତଃ+ଫୂର୍ତ=ସ୍ବତଃସ୍ଫୂର୍ତ
ବୋଧହୁଏ ‘କ’ ବର୍ଗର କ ବର୍ଣ୍ଣ ଥିବାରୁ ସେଠାରେ ମୂର୍ଦ୍ଧନ୍ୟ ଷ ନ ହୋଇ ଦନ୍ତ୍ୟ ସ ହୁଏ, ଆମେ ବୈଦେଶିକ ଶବ୍ଦରେ ମଧ୍ୟ ଏହି ନିୟମଯୁକ୍ତ ଶବ୍ଦ ଥିବା ଦେଖିଛନ୍ତି, ଯେମିତି କି ସ୍କୁଲ, ସ୍କାନ, ସ୍କୁଟର ଆଦି
୪. ଅଃ ବା ଆଃ ଥିଲେ ତା’ର ପରବର୍ତ୍ତୀ ଅକ୍ଷର କ, ଖ, ପ, ଫ ଛଡ଼ା ପ ହେଲେ ଦନ୍ତ୍ୟ ସ ହୁଏ, ଉଦାହରଣ: ମନଃ+ତାପ=ମନସ୍ତାପ, ଶିରଃ+ତ୍ରାଣ= ଶିରସ୍ତ୍ରାଣ