ଶ୍ରୀ ଚନ୍ଦ୍ରଶେଖର ମହାଦେବ

ଲେଖା: ତ୍ରିଲୋଚନ ସ୍ୱାଇଁ
~ ଶ୍ରୀ ଚନ୍ଦ୍ରଶେଖର ମହାଦେବ ~
କପିଳାସର ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କୁ କେହି କେହି ଶିଖରେଶ୍ୱର ବୋଲି ମଧ୍ୟ କୁହନ୍ତି l କାରଣ କୈଳାସ ବା କପିଳାସ ପାହାଡ଼ର ଶିଖରରେ ସ୍ୱୟଂ ଭଗବାନ ବିରାଜମାନ କରିଥିବାରୁ ଏପରି ନାମକରଣ ହୋଇଥାଇପାରେ l ହେଲେ ସାରା ଓଡିଶାରେ ଶ୍ରୀ ଚନ୍ଦ୍ରଶେଖର ନାମରେ ସେ ପରିଚିତ ଆଉ ସ୍ଥାନଟି କପିଳାସ ପାହାଡ଼ ନାମରେ ପ୍ରସିଦ୍ଧ l
କପିଳାସ ଭ୍ରମଣ ଓ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କୁ ଦର୍ଶନ ପାଇଁ କଟକରୁ ମଧୁସୂଦନ ସେତୁ ଦେଇ ଗଲାବେଳେ ବାମପଟ ନଦୀଗର୍ଭରେ ଧବଳେଶ୍ୱର ମନ୍ଦିର ଦୃଶ୍ୟମାନ ହୁଏ l 
ଧବଳେଶ୍ୱର ପରେ ପରେ, କଖଡ଼ି, ଆଠଗଡ଼ ବଜାର ଦେଇ ପହଞ୍ଚିଲୁ ଶଙ୍କରପୁର ଆଉ ସେଠାରୁ ଡାହାଣକୁ ପନ୍ଦର କିଲୋମିଟର ପରେ ଢେଙ୍କାନାଳ ସହର l ଶଙ୍କରପୁରରୁ ଢେଙ୍କାନାଳ ଗଲାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ପାହାଡ଼-ପର୍ବତ ଓ ବିଲ-ବାଡ଼ିର ସବୁଜିମା ଦେଖି ବହୁତ ଖୁସି ଲାଗୁଥାଏ l
ଢେଙ୍କାନାଳରୁ ବାଜିଚୌକ ଦେଇ ଓଭରବ୍ରିଜ୍, ଓ ଓଭରବ୍ରିଜ୍’ରୁ ଡାହାଣକୁ ଗଡ଼ିଗଲା ପରେ ସିଧା ଗୋଟିଏ ରାସ୍ତା ପଡ଼ିଛି କପିଳାସକୁ l ରାସ୍ତାରେ ଗଲାବେଳେ ପାହାଡ଼ ଓ ବଣ ଜଙ୍ଗଲ ସବୁ ଦେଖି ଦେଖି ଯାଉଥାଏ l ବାଟରେ ଗୋଟେ ଜାଗାରେ ରହି ଆଖୁରସ ପିଇଲୁ, ମାଙ୍କଡ଼ମାନଙ୍କୁ ବିସ୍କୁଟ ଓ ଚିନାବାଦାମ ଖୁଆଇ ଯାଇ ପହଞ୍ଚିଲୁ କପିଳାସରେ l
ବାରବାଙ୍କ ଦେଇ ବାଇକ୍’ରେ ଗଲାବେଳେ କପିଳାସ ପାହାଡ଼ର ସବୁଜିମା ଓ ପାର୍ଶ୍ୱବର୍ତ୍ତୀ ପାହାଡ଼ରେ ସୂର୍ଯ୍ୟଙ୍କ ଛାଇ ଆଲୁଅର ଖେଳ ଦେଖି ଯେ କେହି ବିମୋହିତ ହେବା ସ୍ୱାଭାବିକ l ପାହାଡ଼ ଉପରୁ ଜଙ୍ଗଲର ଦୃଶ୍ୟ, ପାହାଡ଼ ତଳେ ଥିବା ବିଲବାଡ଼ିର ସବୁଜିମା, ମାଙ୍କଡ଼ମାନଙ୍କ କୋଳାହଳ ସବୁକିଛି ନୂଆ ଥିଲା ମନୋରମ l
ମନ୍ଦିର ପରିସରକୁ ପ୍ରବେଶ କଲାବେଳେ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ଧବଳରଙ୍ଗର ଦିବ୍ୟ ମନ୍ଦିରଟି ଆଖିରେ ପଡ଼ିଲା ଆଉ ଶିଖରେଶ୍ୱର ମହାଦେବଙ୍କ ଉଦ୍ଦେଶ୍ୟରେ ମଥା ମୋର ଆପେ ଆପେ ନଇଁ ଗଲା l ମନ୍ଦିରଟି ଖୁବ୍ ସୁନ୍ଦର ଆଉ ସୁଦୃଶ୍ୟ l ମୁଖ୍ୟ ବିମାନର ଉପରିଭାଗରେ ପତିତପାବନ ଜଗନ୍ନାଥଙ୍କ ମୂର୍ତ୍ତିଟିଏ ରହିଛି l କୌଣସି ଶିବମନ୍ଦିର ବିମାନରେ ଜଗନ୍ନାଥଙ୍କ ଏକକ ମୂର୍ତ୍ତି ସ୍ଥାପିତ ହୋଇଥିବା ଦେଖିବାରେ ଏହା ମୋ ପାଇଁ ପ୍ରଥମ l
ଶ୍ରୀ ଚନ୍ଦ୍ରଶେଖର ମହାଦେବ ମନ୍ଦିରଟି ପ୍ରଥମ ନରସିଂହଦେବଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଜଣାଯାଏ l ଅନ୍ୟ ମନ୍ଦିର ପରି ଏଠାରେ ମଧ୍ୟ ପାର୍ଶ୍ଵଦେବତା ରୂପେ ଶ୍ରୀ ଗଣେଶ ଓ ଶ୍ରୀ କାର୍ତ୍ତିକେୟଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି l ନିକଟରେ ମା’ ପାର୍ବତୀଙ୍କ ମନ୍ଦିର ଓ ସେଇ ପରିସରରେ ଅନ୍ୟ ଦୁଇଗୋଟି ମନ୍ଦିରରେ ମହାଦେବ ବିଶ୍ୱନାଥ ଓ ନାରାୟଣଙ୍କ ପ୍ରତିମା ପୂଜା ପାଉଛନ୍ତି l ମନ୍ଦିରଟିର ବିମାନ ରେଖ ଶୈଳୀରେ ନିର୍ମିତ ହୋଇଥିବା ବେଳେ ଜଗମୋହନଟି କାଠରେ ନିର୍ମିତ ଆଉ ସୁକ୍ଷ୍ମ କାରୁକାର୍ଯ୍ୟରେ ବିମଣ୍ଡିତ l
ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କୁ ଦର୍ଶନ ଓ ବେଢ଼ା ପରିକ୍ରମା କରି, ଆମେ ଦିହେଁ ଆଗକୁ ଚାଲିଲୁ ପାହାଡ଼ର ସର୍ବୋଚ୍ଚ ଶିଖର ଆଡ଼େ l ଗୋଡ଼ି ପଥର ଓ କଣ୍ଟା ଝଣ୍ଟା ରାସ୍ତାରେ ଖାଲି ପାଦରେ ପାହାଡ଼ ଚଢ଼ିବାର ଅନୁଭୂତି ବି ନିଆରା ଥିଲା l ପାଦଚଲା ରାସ୍ତାର ଦୁଇ କଡ଼ରେ ବିରାଟ ବିରାଟ ଶାଳ ଓ ଶାଗୁଆନ ଗଛ l ଅନେକ ପ୍ରକାରର ଲତା ଆଉ ସେଥିରେ ହରେକ ରଙ୍ଗର ହରେକ ରକମର ବଣ ଫୁଲ, ସତରେ ଖୁବ୍ ସୁନ୍ଦର ମନୋରମ ଦୃଶ୍ୟ l
ନିଛାଟିଆ ଜାଗା ହୋଇଥିବାରୁ ମନରେ ଟିକେ ଭୟସଂଚାର ହେଉଥାଏ, କାରଣ ଆମ ଦୁହିଁଙ୍କୁ ଛାଡ଼ି ସେଠାରେ ଅନ୍ୟ କେହି ନ ଥିଲେ l ମାତ୍ର ଅଳ୍ପ ଦୂର ଗଲା ପରେ ପଡ଼ିଲା ଦେବସଭା l ସେଠାରେ କିଛି ପିଲାଙ୍କୁ ପାଇ ମନରେ ଟିକେ ସାହସ ଆସିଲା l ଦେବସଭାରେ ମୁଣ୍ଡିଆଟି ମାରି ପାହାଡ଼ ଉପରକୁ ଚଢ଼ିଲୁ l ପଥରଖୋଲ ଆଉ ଗଛର ଚେର ସାହାଯ୍ୟରେ ଅନେକ କସରତ କଲା ପରେ ଆମେ ପାହାଡ଼ ଉପରକୁ ଉଠିଯାଇଥିଲୁ l
ଏହି ସ୍ଥାନଟି କପିଳାସ ପାହାଡ଼ର ଶୀର୍ଷତମ ସ୍ଥାନ l ଏହା ଉପରେ କେବଳ ନୀଳ ଆକାଶ l ପାହାଡ଼ ଉପରୁ ଚତୁଃର୍ପାଶ୍ୱ ଦୃଶ୍ୟ ଖୁବ୍ ମନୋରମ l ଅପୂର୍ବ ଏକ ଆନନ୍ଦ ଓ ଶିହରଣ ଖେଳି ଯାଇଥିଲା ମନରେ l ପାହାଡ଼ ତଳେ ଥିବା ବିଲବାଡ଼ିରେ ଗାଈଗୋରୁ ଓ ଲୋକମାନେ ପିମ୍ପୁଡ଼ି ଭଳି ଦିଶୁ ଥାଆନ୍ତି l
କୈଳାଶ ନ ହେଲେ ବି କପିଳାସ ପାହାଡ଼ର ଶିଖରରେ ପହଞ୍ଚି ପାରିଥିବାରୁ ମନ ଓ ଶରୀର ଉତଫୁଲୀତ ହେଉଥାଏ l ଆମ ପୂର୍ବରୁ ଉପସ୍ଥିତ ଥିବା ବାକି ଚାରିଜଣ ପିଲା କିନ୍ତୁ ପାହାଡ଼ ଶିଖରକୁ ଚଢ଼ିବା ପାଇଁ ସାହସ ଜୁଟାଇ ପାରିନଥିଲେ l ସେଠାରେ କିଛି ସମୟ ଅବସ୍ଥାନ କରି ଆମେ ଦୁହେଁ ପୁଣି ତଳକୁ ଫେରିଆସିଥିଲୁ l
ବିଶ୍ୱନାଥ ମନ୍ଦିର ପାଖରେ ପେଟେ ନେଖା ଝରଣା ପାଣି ପିଇ ଟିକେ ବିଶ୍ରାମ ନେଲୁ l ୟା’ ଭିତରେ ଠାକୁରଙ୍କ ପ୍ରସାଦ ବାହାରିସାରିଥିଲା l ଦିହେଁ ଜଗମୋହନରେ ବସି, ଗୋଟିଏ ପତରରେ ପ୍ରସାଦ ଖାଇ ଠାକୁରଙ୍କୁ ମୁଣ୍ଡିଆଟେ ମାରି ବାହୁଡ଼ି ଆସିଥିଲୁ l
ସେ ଦିନର କପିଳାସ ଯାତ୍ରାଟି ମୋ ପାଇଁ ଖୁବ୍ ରୋମାଞ୍ଚକର ଓ ସ୍ମରଣୀୟ ଥିଲା l ଶ୍ରୀ ଚନ୍ଦ୍ରଶେଖର ମହାଦେବ ମହାପ୍ରଭୁଙ୍କୁ ଅଶେଷ ଧନ୍ୟବାଦ, ତାଙ୍କ ଆଶୀର୍ବାଦରୁ ତାଙ୍କ ଦର୍ଶନ ହେଲା, ପ୍ରସାଦ ପାଇବା ହେଲା ଆଉ ରୋମାଞ୍ଚଭରା ଯାତ୍ରାଟି ସମ୍ଭବ ହୋଇ ପାରିଥିଲା l
ଶ୍ରୀ ଚନ୍ଦ୍ରଶେଖର ମହାଦେବ ମହାପ୍ରଭୁଙ୍କର ଜୟ ହେଉ !!

1 thought on “ଶ୍ରୀ ଚନ୍ଦ୍ରଶେଖର ମହାଦେବ”

  1. Pingback: Glorious Historical facts of Dhenkanal (ଢେଙ୍କାନାଳର କଥା)

Leave a Comment

Your email address will not be published. Required fields are marked *

Scroll to Top