ଶିଳାହସ୍ତୀ

ଲେଖା: ଦେବ ତ୍ରିପାଠୀ

 

ଏକଦା କଳିଙ୍ଗ ଥିଲା ରାଜା-ମହାରାଜାଙ୍କ ଗୌରବମଣ୍ଡିତ ଚାରୁକଳାର ରାଜ୍ୟ । ବିଶାଳ ଓ କୃଷ୍ଣକାୟ ହସ୍ତୀ ପାଇଁ ପ୍ରସିଦ୍ଧ ଏଇ ରାଜ୍ୟରେ ରାଜା ହସ୍ତୀପୃଷ୍ଠରେ ବସି ପାରିଧି କରିବା ଥିଲା ପରମ୍ପରା । କଳିଙ୍ଗର ଅରଣ୍ୟ ଥିଲା ବିଶାଳକାୟ ଦନ୍ତୀ (ମାଈ ଦନ୍ତାହାତୀ) ପାଇଁ ପ୍ରସିଦ୍ଧ । ଉତ୍କଳୀୟ ଧର୍ମ, ଇତିହାସ, କଳା ସାହିତ୍ୟରେ ଦନ୍ତୀହସ୍ତୀର ବର୍ଣ୍ଣନା ବେଶ୍ ବ୍ୟାପକ । ଉତ୍କଳୀୟ ଶିଳ୍ପୀର ନିହାଣମୁଗୁର ସ୍ପର୍ଶରେ କେତେ ଜୀବନ୍ତ ଲାଗେ ଶିଳାହସ୍ତୀ ।

ପ୍ରାଚୀନ ମନ୍ଦିର ଗାତ୍ରରେ ଖୋଦିତ ବିରଳ ହସ୍ତୀର ଚିତ୍ର ଆଜି ମଧ୍ୟ ଦର୍ଶକକୁ କରେ ବିମୋହିତ । କେବଳ ମୁଗ୍ଧ କରେନା, ବରଂ ଗବେଷଣା ପାଇଁ ପ୍ରେରଣା ଯୋଗାଏ । ଖୋର୍ଦ୍ଧା ଜିଲ୍ଲାର ଧଉଳି ଶିଳାଲେଖ ଉର୍ଦ୍ଧ୍ବରେ ଦଣ୍ଡାୟମାନ ଅର୍ଦ୍ଧଖୋଦିତ ଶିଳାଦନ୍ତୀକୁ ବୁଦ୍ଧଙ୍କ ପ୍ରତୀକ ଭାବେ ଗବେଷକମାନେ ମାନ୍ୟତା ଦିଅନ୍ତି । ତେବେ ବୁଦ୍ଧଙ୍କ ପ୍ରତୀକ ଭାବେ ଗ୍ରହଣ କରାଯାଉଥିବା ଦନ୍ତୀ ଓ ଧଉଳି ଦନ୍ତୀ ମଧ୍ୟରେ ପାର୍ଥକ୍ୟ ଅନେକ । ବୋଧିସତ୍ତ୍ୱ ସ୍ବରୂପ ଦନ୍ତୀ ଧଉଳି ଦନ୍ତୀ ପରି ପ୍ରଶସ୍ତ ଶରୀର, ଦୀର୍ଘ ଶୁଣ୍ଢ ଏବଂ ତୀକ୍ଷ୍ଣ ଚାହାଣୀର ଅଧିକାରିଣୀ ନୁହେଁ ।

କହିବା ବାହୁଲ୍ୟ, ମୌର୍ଯ୍ୟ ଶାସନ ଅବସାନ ପରେ ପରେ କଳିଙ୍ଗରେ ସ୍ଥାପିତ ପ୍ରାୟ ପ୍ରତି ମୌର୍ଯ୍ୟ ଓ ବୌଦ୍ଧଧର୍ମ ସମ୍ପର୍କିତ ଚିହ୍ନ ଓ ସ୍ଥାନ ଗୁଡିକ ନଷ୍ଟ କରି ଦିଆଗଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେଉଁ ଯୁଦ୍ଧ ଭୂମିରେ କଳିଙ୍ଗର ପରାଜୟ ଘଟିଲା ସେଠି ବୌଦ୍ଧ-ପ୍ରତୀକ ଗୌତମ ସ୍ଵରୂପ ଦନ୍ତୀ ଜନ-ଆକ୍ରୋଶରୁ ବର୍ତ୍ତିଯିବା ବିସ୍ମୟକର । ବାସ୍ତବରେ ଧଉଳିର ଦନ୍ତୀ ତତ୍କାଳୀନ କଳିଙ୍ଗବାସୀଙ୍କ ଜୀବନଯାତ୍ରାର ନିଦର୍ଶନ । ସମ୍ଭବତଃ କେହି ଅମୌର୍ଯ୍ୟ ଓ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ନ ଥିବା ଶିଳ୍ପୀ ଅଶୋକଙ୍କର ଶିଳାଲେଖ ଉପରେ ଏଇ ଦନ୍ତୀର ମୂର୍ତ୍ତି ଖୋଦିତ କରିଛନ୍ତି । ଐତିହାସିକ ଦୃଷ୍ଟିକୋଣରୁ ଏହା ଖ୍ରୀ.ପୂ. ତୃତୀୟ ଶତାବ୍ଦୀରୁ ପ୍ରଥମ ଶତାବ୍ଦୀ ମଧ୍ୟରେ ଖୋଦିତ ହୋଇଥିବା ଅନୁମେୟ ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ଗାଁ ଓ ବ୍ରାହ୍ମଣୀ ନଦୀର ଦକ୍ଷିଣ କୂଳରେ ଅବସ୍ଥିତ ଅନ୍ୟ ଏକ ଶିଳାଦନ୍ତୀର ନିର୍ମାଣ ଶୈଳୀ ଧଉଳି ଦନ୍ତୀଠାରୁ ସାମାନ୍ୟ ଭିନ୍ନ ଏବଂ ଆକାରରେ କ୍ଷୁଦ୍ର ଅଥଚ ପୂର୍ଣ୍ଣାଙ୍ଗ । ତେବେ ଉଭୟ ଦନ୍ତୀଙ୍କ ମଧ୍ୟରେ ସ୍ଥାପତ୍ୟର ସୌନ୍ଦର୍ଯ୍ୟ ଓ କାରୁକାର୍ଯ୍ୟକୁ ନେଇ ଯଥେଷ୍ଟ ସାମଞ୍ଜସ୍ୟ ରହିଛି । ଉଭୟ ସ୍ଥାନରେ ଦନ୍ତୀ ପୂର୍ବମୁଖୀ । କାଏମାର ଦନ୍ତୀର ନିର୍ମାଣ କାଳ ନିରୁପଣ ହୋଇପାରି ନ ଥିଲେ ମଧ୍ୟ ଏହା ଖାରବେଳଙ୍କ ରାଜତ୍ଵ ପୂର୍ବରୁ ହୋଇଥିବାର ଅନୁମାନ କରାଯାଏ ।


ଉତ୍କର୍ଷ କଳାର ରାଜ୍ୟ ଉତ୍କଳର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଏକଦନ୍ତୀର ଶିଳ୍ପ ନୈପୁଣ୍ୟ ଆଜି ବିରଳ, ଅନନ୍ୟ । ବିଚିତ୍ର ଶିଳାହସ୍ତୀର ଇତିହାସ, କଳାନୈପୁଣ୍ୟ ଓ ବୈଶିଷ୍ଟ୍ୟକୁ ଅନୁଶୀଳନ କଲେ ସର୍ବାଗ୍ରେ ସାମ୍ନାକୁ ଆସେ କଳିଙ୍ଗସମ୍ରାଟ ମହାମେଘବାହନ ଖାରବେଳଙ୍କ ସମୟରେ ଉଦୟଗିରି ଠାରେ ନିର୍ମିତ ସ୍ଥାପତ୍ୟରେ ବିଦ୍ୟମାନ ଅନେକ ଦନ୍ତୀର ଚିତ୍ରଣ ।

ଉତ୍କଳୀୟ ଶିଳାହସ୍ତୀଗୁଡିକ କେବେ କେଉଁଠି ବୌଦ୍ଧଧର୍ମ ଓ କେବେ ଜୈନଧର୍ମର ଜାତକ ଗଳ୍ପଗୁଚ୍ଛ ସହିତ ସଂଶ୍ଳିଷ୍ଟ । କିନ୍ତୁ ଉଦୟଗିରି ହାତୀଗୁମ୍ଫାର ଦ୍ଵାରପାଳ ଭାବରେ ଦଣ୍ଡାୟମାନ ପୂର୍ଣ୍ଣାଙ୍ଗ ଶିଳାଦନ୍ତୀଦ୍ଵୟ ଦର୍ଶକ ଓ ଗବେଷକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଏହାର ନିର୍ମାଣ ଶୈଳୀ ଧଉଳି ଓ କାଏମା ଦନ୍ତୀଦ୍ଵୟ ଠାରୁ ପୃଥକ ଓ ଅତ୍ୟଧିକ ନିଖୁଣ ।

ହାତୀଗୁମ୍ଫାର ଶିଳାହସ୍ତୀ ଶୁଣ୍ଢରେ ଧାରଣ କରିଛି ଆମ୍ରଯୁକ୍ତ ଆମ୍ରପଲ୍ଲବ ଏବଂ ବିଶାଳ ସୂର୍ଯ୍ୟମୁଖୀ ଫୁଲ । ଏହା ଖାରବେଳଙ୍କ ରାଜବଂଶର ପ୍ରତୀକ । କଳିଙ୍ଗାଧିପତି ଖାରବେଳଙ୍କର ବିଶିଷ୍ଟ ଉପାଧି “ମହାମେଘବାହନ”, ଯାହାର ସଂସ୍କୃତ ଶବ୍ଦାର୍ଥ ‘ଶ୍ଵେତହସ୍ତୀ’ । ସମ୍ରାଟ ଖାରବେଳ ଶ୍ଵେତହସ୍ତୀ ଆରୋହଣ କରୁଥିବା ଅନୁମେୟ । ଏହା ସୁସ୍ପଷ୍ଟ ଯେ ଖାରବେଳଙ୍କ ସମୟରେ ବ୍ୟବହୃତ ଦନ୍ତୀ ପରବର୍ତ୍ତୀ ସମୟରେ ସ୍ଥାପତ୍ୟରେ ସ୍ଥାନ ପାଇଲା ।

ପରବର୍ତ୍ତୀ ସମୟରେ ଦିଗବିଜୟୀ ସମ୍ରାଟ ଖାରବେଳଙ୍କ ଶିଳାହସ୍ତୀର ସ୍ଥାପତ୍ୟ ଦୂରରାଜ୍ୟର ରାଜାମହାରାଜଙ୍କୁ ଶିଳାହସ୍ତୀ ନିର୍ମାଣ ନିମନ୍ତେ ପ୍ରେରଣା ଦେଇଥିଲା । ରାଷ୍ଟ୍ରକୂଟ ରାଜା ଗୋବିନ୍ଦ ତୃତୀୟଙ୍କ ଦ୍ଵାରା ଏଲୋରା ଠାରେ ନିର୍ମିତ କୈଳାସ ମନ୍ଦିର ଗଜପୃଷ୍ଠରେ ଅବସ୍ଥାପିତ । କୋଣାର୍କ ମନ୍ଦିର ଅନେକ ଗୁଡ଼ିଏ ଚକ ଉପରେ ନିର୍ମିତ ହେବା ପରି କୈଳାସ ମନ୍ଦିର ମଧ୍ୟ ଗୁଡିଏ ଦନ୍ତୀପୃଷ୍ଠରେ ସ୍ଥାପିତ । ମନ୍ଦିରର କୀର୍ତ୍ତିମୁଖ ଗୁଡ଼ିକର ଗଢଣ କେବଳ ଓଡ଼ିଶା ର କୀର୍ତ୍ତିମୁଖ ସହିତ ବିଶେଷ ସାମଞ୍ଜସ୍ୟ ରକ୍ଷାକରେ । ପୁନଶ୍ଚ ଏଲୋରା ମନ୍ଦିରର ଦ୍ଵାର ପାର୍ଶ୍ୱସ୍ଥ ବିଶାଳ ଶିଳାହସ୍ତୀଦ୍ଵୟର ପୂର୍ଣ୍ଣାଙ୍ଗ ଅବୟବକୁ ଲକ୍ଷ୍ୟ କଲେ ଏହା କଳିଙ୍ଗୀୟ ଦନ୍ତୀ ସହିତ ସାମଞ୍ଜସ୍ୟ ଥିବା ଅନୁମେୟ ।

ଏସବୁ ଏକଦନ୍ତୀ ସମ୍ପର୍କରେ ଗବେଷଣା କରୁଥିବା ଗବେଷକଗଣ ପହଞ୍ଚନ୍ତି କୋଣାର୍କର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ଦନ୍ତୀଦ୍ଵୟଙ୍କ ପାଖରେ । କୋଣାର୍କର ପ୍ରତ୍ୟେକଟି କାରୁକାର୍ଯ୍ୟ ଉତ୍କଳୀୟ ସ୍ଥପତିର ସ୍ଥାପତ୍ୟଶୈଳୀର ଶୀର୍ଷ-ସ୍ବୀକୃତି ।

ଗଜପତି ମହାରାଜା ଅନଙ୍ଗଭୀମଦେବଙ୍କର ଜାମାତା ତଥା ସେନାପତି ସାମର୍ଥା ପରମାଦି ଦେବ ୧୨୫୩ ସାଲରେ ୟୁଜାକ ଖାଁର ଉତ୍କଳ ଆକ୍ରମଣକୁ ପ୍ରତିରୋଧ କରି ଯୁଦ୍ଧରେ ନିହତହତ ହୋଇଥିଲେ । ଗଜପତିଙ୍କ ଅଖଣ୍ଡ ସୀମାନ୍ତକୁ ଶତୃକବଳରୁ ଅକ୍ଷୂର୍ଣ୍ଣ ରଖି ଆତ୍ମବଳିଦାନ ଦେଇଥିବା ସେହି ପ୍ରଥମ ସେନାନାୟକ ଓ ରାଜପୁରୁଷଙ୍କୁ କୋଣାର୍କ ର ଏକ ଶିଳାଦନ୍ତୀ ଆଣ୍ଠୁଭାଙ୍ଗି ସଯତ୍ନ ଶୁଣ୍ଢରେ ଉଠାଇ ଆଣିବାର ଭାବପୂର୍ଣ୍ଣ ଦୃଶ୍ୟ ଚିତ୍ରଣ କରିଛନ୍ତି ଶିଳ୍ପୀ । ଦନ୍ତୀର ବେଶଭୂଷାରୁ ସୁସ୍ପଷ୍ଟ ଯେ, ସେ ରାଜକୀୟ ଶକ୍ତି ଓ ରାଜତନ୍ତ୍ରର ପ୍ରତୀକ । ନିହତ ସାମର୍ଥା ପରମାଦିଙ୍କ ଶରୀରରେ ତାରକସିର ଶିରସ୍ତ୍ରାଣ ।


କୋଣାର୍କ ମନ୍ଦିରର ରତ୍ନବେଦୀକୁ ନିରୀକ୍ଷଣ କଲେ ଜଣାପଡ଼େ, ମଧ୍ୟଭାଗରେ ବସିଛନ୍ତି ଗଜପତି ମହାରାଜ ଲାଙ୍ଗୁଳା ନରସିଂହଦେବ ଏବଂ ତାଙ୍କ ନିକଟରେ ରହିଛି ରାଜପ୍ରତୀକ ଭାବେ ଏକ ସୁସଜ୍ଜିତ ଦନ୍ତୀ । ଏହି ଦନ୍ତୀର ବେଶଭୂଷା ଓ ସାମର୍ଥାଙ୍କୁ ଉଠାଇଆଣିଥିବା ଦନ୍ତୀର ବେଶ ମଧ୍ୟରେ ରହିଛି ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ।

କୋରାପୁଟ ଜିଲ୍ଲାର ନନ୍ଦପୁରଠାରେ ଗଣେଶଙ୍କ ନିକଟରେ ରହିଛି ଏକ ବିଶାଳ, ସୁସଜ୍ଜିତ, ପୂର୍ଣ୍ଣାଙ୍ଗ ଶିଳାଦନ୍ତୀ । ଅବହେଳାରୁ ଦନ୍ତୀଟି ପ୍ରାୟତଃ ନଷ୍ଟ । ସୂଚନାଯୋଗ୍ୟ, ସୂର୍ଯ୍ୟବଂଶୀ ଶାସନକାଳରେ ଗଙ୍ଗବଂଶୀୟ କିୟଦଂଶ ଶାସକଗଣ ଦକ୍ଷିଣ ଓଡ଼ିଶା ରେ ବସବାସ କରି ନିଜର ପ୍ରଶାସନ ଜାରି ରଖିଥିଲେ । ସମ୍ଭବତଃ ସେହି ଶାସକମାନଙ୍କ କୃତିତ୍ଵରୁ ନିର୍ମିତ ହୋଇଛି ନନ୍ଦପୁରର ଉକ୍ତ ଦନ୍ତୀ । ଏହି ଦନ୍ତୀର ରାଜପୋଷାକ କୋଣାର୍କ ଦନ୍ତୀର ପୋଷାକଠାରୁ ଅବଶ୍ୟ ଭିନ୍ନ ।

ବିଚିତ୍ର ଆମ ଉତ୍କଳର କଳାକୁଶଳତା ଓ କଳାନୈପୁଣ୍ୟ । ଭାରତବର୍ଷର କୌଣସି ସ୍ଥାନରେ ଏପରି ଦନ୍ତୀକୁ କେନ୍ଦ୍ର କରି ସହସ୍ରବର୍ଷର ଶିଳ୍ପ ସ୍ଥାପତ୍ୟର ସ୍ମାରକୀ ନାହିଁ । ଏକ ଶିଳାରେ ଶିଳାହସ୍ତୀର ନୈପୁଣ୍ୟ, ଉତ୍କଳୀୟ ଶିଳ୍ପୀର ଅତ୍ୟାଶ୍ଚର୍ଯ୍ୟ କାରୁକାର୍ଯ୍ୟ । ଏହାର ଗବେଷଣା ଓ ଅନୁସନ୍ଧାନ ସହିତ ରକ୍ଷଣାବେକ୍ଷଣ ହିଁ ଏହି ବିରଳ ଶିଳାହସ୍ତୀ-ସ୍ଥାପତ୍ୟର ଗାରିମାକୁ ବଜାୟ ରଖିପାରିବ । 

Leave a Comment

Your email address will not be published. Required fields are marked *

Scroll to Top