ଶାସ୍ତ୍ର ଓ କିମ୍ବଦନ୍ତୀରେ ରଜପର୍ବ

ଲେଖା: ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ
ଆମ ଶାସ୍ତ୍ର ଓ କିମ୍ବଦନ୍ତୀରେ ଅନୁସାରେ ଉତ୍କଳୀୟ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିଛି ରଜପର୍ବ ।
ସମୟର କଷଟି ପଥରରେ ଘୋରି ହୋଇ ଲୁପ୍ତ ହେବାକୁ ବସିଲାଣି ପୁରାତନର ମଧୁମୟ ସଂସ୍କୃତି । ଆଧୁନିକତାର କୃତ୍ରିମ ମହକରେ ବିମୋହିତ ହୋଇ ଭୁଲିଗଲୁଣି ବୈଦିକ ପରମ୍ପରାର ମୌଳିକତା ଓ ଆତ୍ମୀୟତାକୁ । ଗ୍ରହଣ କରି ନେଲୁଣି ପାଶ୍ଚାତ୍ୟର ରଙ୍ଗରସର ରଙ୍ଗିନ ସଂସ୍କୃତିକୁ । ସମୟ ଆସିଛି ପୁଣି ସେହି ପାରମ୍ପରିକ ରଜ ମହୋତ୍ସବକୁ ସିଂହାବଲୋକନ କରିବା ପାଇଁ । ଆମକୁ ସବୁଦିନ ପାଇଁ ମନେରଖିବାକୁ ପଡ଼ିବ ଆମ ସଂସ୍କୃତିର ସ୍ୱତନ୍ତ୍ରତା, ସ୍ୱାବଲମ୍ବନତା ଓ ପ୍ରାଚୀନତାକୁ ।
ସଂକ୍ଷିପ୍ତରେ ରଜପର୍ବ
ରଜପର୍ବ ଚାରି ଦିନ ଧରି ପାଳନ କରାଯାଏ । ରଜର ପୂର୍ବ ଦିନକୁ ମାସନ୍ତ ବା ସଜବାଜ ଓ ପ୍ରଥମ ଦିନକୁ ପହିଲିରଜ, ମଝି ରଜ ସଂକ୍ରାନ୍ତି, ଶେଷ ରଜ ବା ବସୁମତୀ ସ୍ନାନ ବା ବାସିରଜ କୁହାଯାଏ । ଯେପରି ଏକ ରଜସ୍ଵଳା ନାରୀ ମୋଟ ୪ ଦିନ ପାଇଁ ଅଛୁତ ରୁହେ ସେପରି ବସୁଧା ମାତାକୁ ଅକ୍ଷତ ଓ ଅସ୍ପୃଶ୍ୟ ରଖାଯାଏ । ଧରିତ୍ରୀ ନିଜେ ରଜସ୍ରାବିତ ହୋଇ ନିଜ ସନ୍ତାନ ପାଇଁ ଶସ୍ୟ ଉତ୍ପାଦନକ୍ଷମତା ବଢାଏ । ରଜ ହେଉଛି ଏକମାତ୍ର ପର୍ବ ଯାହା ୩ଦିନ ପାଳିତ ହେବା ସହ ପ୍ରଥମ ରଜର ପୂର୍ବଦିନ ଓ ଶେଷ ରଜର ପରଦିନ ମଧ୍ୟ ଏହି ପର୍ବ ପାଳିତ ହୋଇଥାଏ । ଅନ୍ୟ କୌଣସି ପର୍ବପର୍ବାଣିରେ ପ୍ରାୟତଃ ଏପରି ହୋଇ ନଥାଏ ।
ରଜ ପର୍ବର ଉତ୍ପତି, ବିକାଶ ଓ ସ୍ୱରୂପର ଅୟମାରମ୍ଭ କାଳ ସମ୍ପର୍କରେ ଯଥାର୍ଥ ପ୍ରାମାଣିକ ତଥ୍ୟ ଅଦ୍ୟାବଧି ଗବେଷଣାତ୍ମକ ପଦ୍ଧତିରେ ନିର୍ଣ୍ଣୟ ହୋଇ ନଥିଲେ ହେଁ କିମ୍ବଦନ୍ତୀରେ ଏହାର ପ୍ରାଚୀନତା ଯଥେଷ୍ଟ ସାର୍ବଜନୀନ ଅଟେ । ଉତ୍କଳୀୟ ସାଂସ୍କୃତିକ ପରମ୍ପରା ସୁପ୍ରାଚୀନ ନିର୍ଦିଷ୍ଟ ଶୃଙ୍ଖଳାବୋଧ ସମନ୍ୱିତ ଚେତନା ସହିତ ଉଡ୍ର ସଂସ୍କୃତିର ମୌଳିକତା, ବୈଦିକ ସଂସ୍କୃତିର ଗାମ୍ଭୀର୍ଯ୍ୟ, ବୈଷ୍ଣବ ପରମ୍ପରାର ଆତ୍ମୀୟତା ତଥା ଚୈତନ୍ୟ ପରମ୍ପରାର ସତ୍ତ୍ୱପ୍ରେମର ଅପୂର୍ବ ସମନ୍ୱୟରେ ଉନ୍ମେଷିତ ଓ ବିକଶିତ ହୋଇ ମହାର୍ଘ ପରିବେଶ ମଧ୍ୟରେ ଗୌରବାନ୍ୱିତ ହୋଇଛି ପ୍ରାଚୀନ ଉକ୍ରଳୀୟ ପର୍ବର୍ବାଣିସବୁ । ରଜ ଓଡ଼ିଶାର ଏକ ଗୌରବୋଜ୍ୱଳ ସାଂସ୍କୃତିକ ମହୋତ୍ସବ । ଏହି ଗୌରବୋଜ୍ୱଳ ମହୋତ୍ସବର ଐତିହ୍ୟରେ ଓଡ଼ିଶାର ହଜାର ହଜାର ବର୍ଷର ସଂସ୍କୃତି ଲୁକ୍କାୟିତ ହୋଇ ରହିଛି । ପ୍ରାଚୀନକାଳରୁ ଏହି ମହୋତ୍ସବ ସାମାଜିକ ସରସତା  ଓ ସାମୂହିକତାର ସ୍ୱର ବହନ କରି ଓଡ଼ିଆ ଜାତିକୁ ଆନନ୍ଦ, ଉଲ୍ଲାସ, ଉଦ୍ଦିପନା ତଥା ସ୍ୱଜାତ୍ୟାଭିମାନର ପ୍ରେରଣା ପ୍ରଦାନ କରି ଆସିଛି । ରଜ ମହୋତ୍ସବ ଅବସରରେ ଅଗଣିତ  ଓଡ଼ିଆ ନିଜ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସ୍ୱାଭିମାନରେ ଭାବାତ୍ମକ, ଚେତନାତ୍ମକ ଐକ୍ୟର ଗୌରବରେ ଉଲ୍ଲସିତ ହୋଇ ଥାଆନ୍ତି ।
ଏହି ରଜ ମହୋତ୍ସବକୁ ଓଡ଼ିଆ ଜାତିର ଜାତୀୟ ମହୋତ୍ସବ କହିଲେ ଅତ୍ୟୁକ୍ତି ହେବନାହିଁ । କିମ୍ବଦନ୍ତୀବହୁଳ ରଜ ମହୋତ୍ସବ ବିଷୟରେ ବିଭିନ୍ନ ପୌରାଣିକ ଓ ସାମାଜିକ ପୃଷ୍ଠଭୂମି ଥିବାର ଅନୁମାନ କରାଯାଏ । ଲଙ୍କାରେ ରାକ୍ଷସମାନଙ୍କର ମହା ପ୍ରତାପୀ ରାଜା ରାବଣ ରାଜୁତି କରୁଥିବାବେଳେ ମୟଦାନବ ନାମରେ ମଧ୍ୟ ଆଉ ଜଣେ ରାଜା ଅନ୍ୟ ଏକ ରାଜ୍ୟରେ ରାଜୁତି କରୁଥିଲେ । ଉଭୟେ ରାକ୍ଷସମାନଙ୍କର ରାଜା ହୋଇଥିବା କାରଣରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖୁବ ନିବିଡ଼ ଥିଲା । ରାବଣ ମୟଙ୍କ ଦରବାରକୁ ଯିବା ଆସିବା କରୁଥିଲା । ରାଜା ମୟଙ୍କର ମନ୍ଦୋଦରୀ ନାମରେ ଅତି ସୁନ୍ଦରୀ କନ୍ୟାଟିଏ ଥିଲା । ରାବଣ ସୁନ୍ଦର, ପ୍ରତିଭାବାନ ଓ ବୀରଥିବାରୁ ସେମାନେ ପରସ୍ପର ପ୍ରତି ଆକର୍ଷିତ ହେଲେ ଓ ମନ୍ଦୋଦରୀ ଅନ୍ତସତ୍ତ୍ୱା ହେଲେ । ମନ୍ଦୋଦରୀଙ୍କଠାରୁ ଅତି ସୁନ୍ଦରୀ କନ୍ୟାଟିଏ ଜନ୍ମ ନେବା ଫଳରେ ପିତା-ମାତାଙ୍କ ପାଇଁ ବଦନାମର କାରଣ ହେଲା । ଅବିବାହିତ କନ୍ୟା ଜନନୀ ହେବା ବାସ୍ତବିକ ଲୋକ ଲଜ୍ଜା ଓ କଳଙ୍କ । ଏଣୁ ରାଜା ମୟ ଉକ୍ତ ଶିଶୁ କନ୍ୟାକୁ ବିଳମ୍ବିତ ରାତ୍ରରେ ଦୂର ରାଇଜକୁ (ମିଥିଳା ନଗର)କୁ ନେଇ ଗୁପ୍ତ ଭାବରେ ଗାତ ଖୋଳି ପୋତି ଦେଇଥିଲେ । 
ଏହି ଶିଶୁ କନ୍ୟାଟିକୁ ମିଥିଳା ରାଜ୍ୟରେ ପୋତି ଦେଇଥିବା କାରଣରୁ ମିଥିଳାରେ ଅକାଳ ପଡ଼ିଲା । ବର୍ଷା ହେଲା ନାହିଁ । ମିଥିଳାବାସୀ ତ୍ରାହି ତ୍ରାହି କରିବାକୁ ଲାଗିଲେ । ମିଥିଳା ରାଜ୍ୟର ଜଣେ ପ୍ରଜାବତ୍ସଳ ରାଜାଥିଲେ ରାଜା ଥିଲେ ଜନକ । ପ୍ରଜାଙ୍କର ଦୁଃଖଦୁର୍ଦଶା ଦେଖି ରାଜା ଜନକ ପ୍ରଜାଙ୍କ ହିତ ପାଇଁ ଜ୍ୟୋତିଷମାନଙ୍କର ପରାମର୍ଶ ନେଲେ । ଜ୍ୟୋତିଷମାନଙ୍କର ମତ ଅନୁଯାୟୀ ରାଜା ନିଜେ ହଳ ଯୋଚିଲେ ଅକାଳ ଦୂର ହେବ । “ର’ ଅର୍ଥ ସଂସାର ଓ “ଜ’ ଅର୍ଥ ଯୋଚିବା । ସଂସାରର ହିତ ପାଇଁ ରାଜା ଜନକ ନିଜେ ହଳ ଯୋଚିବାରୁ ଇନ୍ଦ୍ର ଦେବତା ସନ୍ତୁଷ୍ଟ ହୋଇ ମୂଷଳ ଧାରାରେ ବର୍ଷା ହେବାକୁ ଲାଗିଲା । ମିଥିଳାବାସୀ ଆନନ୍ଦ, ଉଲ୍ଲାସରେ ଗୀତ ଗାଇ ନାଚିବାକୁ ଲାଗିଲେ । ସାରା ମିଥିଳା ରାଜ୍ୟରେ ନାଚଗୀତର ପର୍ବ ଖେଳିଗଲା । ପୌରାଣିକ ମତାନୁଯାୟୀ ସେହି ଦିନଠୁଁ ରଜ ପର୍ବର ଆରମ୍ଭ ବୋଲି ବିଶ୍ୱାସ କରାଯାଏ ।
ରଜ ଓଡ଼ିଶାର ଏକ ବିଶେଷ ପର୍ବ ହେଲେ ହେଁ ଏହା କେବଳ ଝିଅ ଭୁଆସୁଣୀମାନଙ୍କ ପର୍ବ ରୂପେ ପାଳନ କରାଯାଏ । ରାଜା ଜନକ ହଳ ଯୋଚି ଏକ କନ୍ୟାକୁ ଭୂମିରୁ ପାଇଥିବାରୁ ମିଥିଳାବାସୀ ଏହି ପର୍ବକୁ ନାରୀମାନଙ୍କ ପର୍ବ ରୂପେ ସ୍ୱୀକୃତି ଦେଇଥିଲେ ବୋଲି ଅନୁମାନ କରାଯାଏ ।
ଜ୍ୟୋତିଷ ଶାସ୍ତ୍ର ଆନୁସାରେ ସୂର୍ଯ୍ୟ ବୃକ୍ଷରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରି ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ । ମୃଗଶିରା ନକ୍ଷେତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ରନୁସାରେ କୌଣସି ନାଇର ଋତୁସ୍ରାବ ପ୍ରଥମ ତିନିଦିନ  ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ,ରଜକୀ ହୋଇଥାଏ । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ  । ତେଣୁ ରଜ ପର୍ବ ଭାବେ ମଧ୍ୟ ପାଳନ କରାଯାଏ ।
ରଜର ଶେଷ ଦିନରେ ଠାକୁରାଣୀ ଗାଧୁଆରେ କାଠପିଢା ଉପରେ ଶିଳପୁଆ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି ତା ଉପରେ ହଳଦୀ ପାଣି ଢାଳି  । ଭୋଗରାଗ ସହ ବାସୁମତି ସ୍ନାନ କରାନ୍ତି  । ଏହା ପରେ ହିଁ ପବିତ୍ର ଓ ଉତ୍ପାଦନକ୍ଷମ ହୁଏ ମାଟି  ।
ରଜ ଚାଷୀଘରେ ମଉଜ ମଜଲିସର ଉତ୍ସବ ହୋଇଥିବା ବେଳେ, ଆମର ଧର୍ମୀୟ ଭାବଧାରା ଭିଡ଼ରେ ଏହା ଯୋଡି ହୋଇଯାଇଛି କାହିଁ କେଉଁ କାଳରୁ  । ଶ୍ରୀମନ୍ଦିରରେ ସପ୍ତାବରଣ ମୃତ୍ତି ମଧ୍ୟରେ ଭୂଦେବୀ ବା ମାଟି ଦେବୀ ଥିବାରୁ ଏଥିରେ ମଧ୍ୟ ଖୁବ ରୀତିନୀତି ସହ ରଜପର୍ବ ପାଳନ କରାଯାଇଥାଏ  ।  ଏହି ସମୟରେ ଅନେକ ସ୍ଥାନରେ ଗୀତା- ଭାଗବତ ପାଠ ପାରାୟଣ ପ୍ରବଚନ ପ୍ରଭୁତି ଅନୁଷ୍ଠିତ ହୋଇଥାଏ  ।
ଏହି ପର୍ବ ମାତୃଶକ୍ତି ଉପାସନା ପାଇଁ ଉଦ୍ଦିଷ୍ଟ । ଓଡ଼ିଶାର ବହୁ ପ୍ରାଚୀନ କାଳରୁ ଝଙ୍କଡ଼ରେ ଦେବୀ ସାରଳା, ଯାଜପୁରରେ ଦେବୀ ବିରଜା, ବାଙ୍କୀରେ ଦେବୀ ଚର୍ଚ୍ଚିକା, ଚୌଷଠି ଯୋଗିନୀଙ୍କୁ ଏହି ଅବସରରେ ବିଶେଷ ପୂଜା କରାଯାଏ
ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ୫ ଦିନ ବ୍ୟାପୀ ରଜୋତ୍ସବ ପାଳନ ହୁଏ । ସବୁଠୁ ନିଆରା ହେଲା ରଜ ଉତ୍ସବ ଉପଲକ୍ଷେ ଗ୍ରାମରେ ଥିବା ବାଙ୍କବିହାରୀ ମନ୍ଦିରରେ ପହିଲି ରଜ ଦିନ ଅଖଣ୍ଡ ଧୂନି ଜଳେ । ପହିଲି ରଜଠୁ ୪ ଦିନ ଧରି ଏଠାରେ ଅନ୍ନଭୋଗ ଲାଗି ହୁଏ ନାହିଁ । ଏହା ୨୦୦ରୁ ଅଧିକ ବର୍ଷର ଇତିହାସ ବୋଲି ଜଣାଯାଏ । ଏହି ଅବସରରେ ସେଠାରେ ଯାତ୍ରା ଲାଗେ । ଏହି ଯାତରାର ବିଶେଷତ୍ଵ ହେଲା ଆମ୍ବ ଓ ପଣସର ପସରା, ତେଣୁ କେହି କେହି ଏହାକୁ ଆମ୍ବପଣସ ଯାତ୍ରା ବୋଲି ଅଭିହିତ କରିଥାଆନ୍ତି ।
କେନ୍ଦୁଝର ଆଞ୍ଚଳରେ ଏହି ରଜ ଭିନ୍ନ ଢଙ୍ଗରେ ପାଳନ କରାଯାଏ  । ଏଠାରେ ବିଭିନ୍ନ ପ୍ରକାର ଦୋଳି ବନ୍ଧାଯିବା ପରେ ପ୍ରଥମେ ଗାଁ ଦେହୁରି ନିହାଣ ବାରିସି ଆଦି ଦୋଳିରେ ରଖି ଏହାକୁ ଅଢେଇବେଣ୍ଟ ଝୁଲାଇଥାନ୍ତି । ପ୍ରଥମେ ନୀହାର ବାରିସିକୁ ଝୁଲାଇବା ଦ୍ଵାରା ସ୍ଵର୍ଗର ଶିଳ୍ପ ବିଶ୍ଵକର୍ମାଙ୍କ ପ୍ରତି ସମ୍ମାନ ଜଣାଇ ସେମାନେ ଗୀତରେ ଗୀତରେ ଦୋଳି ଖେଳରେ ମଜ୍ଜିଯାନ୍ତି । ଶବର- ଶବରୁଣୀ ନାଚ ହୁଏ । ନୃତ୍ୟରେ ଶବର ତାର ଆରାଧ ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତି ସମ୍ମାନ ଜଣାଏ । 
ଆଦିବାସୀମାନଙ୍କ ଗଭୀର ବିଶ୍ଵାସ ଯେ ମା’ ସୀତା ଏହିଦିନ ଗର୍ଭବତୀ ହୋଇଥିଲେ  । ତେଣୁ ସ୍ଥାନୀୟ ଶବର ନୃତ୍ୟ ମାଧ୍ୟମରେ ଆର୍ଯ୍ୟଦେବତା ଓ ଆର୍ଯ୍ୟ ସଂସ୍କୃତିକୁ ସମ୍ମାନ ଜଣାଏ  । ଶବରୁଣୀ ଶବରକୁ କୃଷି କର୍ମରେ ତତ୍ପର ଦେବାକୁ ପରବାର୍ତ୍ତାଏ  । ଶେଷରେ ଆଶ୍ରୁଳ ଆଖିରେ ସମସ୍ତେ ରଜକୁ ବିଦାୟ ଦିଅନ୍ତି  ।
ଦେବଗଡ ଜିଲ୍ଲାର ତିଲେଇବଣି ବ୍ଲକ ମହୁଲଦର୍ହ ଗ୍ରାମରେ କେଇବର୍ଷ ହେଲା ଏକ ନିଆରା ଢଙ୍ଗରେ ପାଳନ ହେଇଆସୁଛି ରଜ । ଏହି ଅବସରରେ ଦୁଇଟି କଣ୍ଢେଇର ବାହାଘର ହୋଇଥାଏ । ଦୁଇଜଣ ଝିଅ ବରକନ୍ୟା ବେଶରେ ବେଦିରେ କଣ୍ଢେଇ ଧରି ବସିଥାନ୍ତି । ଏହି ବାହାଘରରେ ଗ୍ରାମର ସମସ୍ତେ ଯୋଗଦେଇଥାନ୍ତି । ଏହାସହ ବାହାଘର ଦେଖି‍ବାକୁ ଆଖପାଖ ଗ୍ରାମରୁ ଶତାଧିକ ଲୋକ ଆସିଥାନ୍ତି ମହୁଲଦର୍ହ ଗ୍ରାମକୁ । ସମସ୍ତଙ୍କ ପାଇଁ ବିବାହ ଭୋଜିର ମଧ୍ୟ ଆୟୋଜନ କରାଯାଇଥାଏ । ନାଚଗୀତ ଆସର ଜମିବା ସହ ଛୋଟରୁ ବଡ ପର୍ଯ୍ୟନ୍ତ ଦୋଳିଖେଳର ମଜ୍ଜା ନିଅନ୍ତି । ୨୦୧୦ରୁ ଆରମ୍ଭ ହୋଇଥିବା ଏହି ନିଆରା ଢଙ୍ଗର ରଜ ପର୍ବ ଏବେ ଗ୍ରାମରେ ଏକ ପରମ୍ପରାରେ ପରିଣତ ହୋଇ ସାରିଛି ।
ରଜପର୍ବ ଆସାମରେ ଅମ୍ବୁବାଚି  ବା କାମାକ୍ଷାଦେବୀଙ୍କ ରଜପର୍ବ ନାମରେ ଜଣାଯାଏ । ମିଥୁନ ସଂକ୍ରାନ୍ତି  ଅବସରରେ ୫୨ ଶକ୍ତିପୀଠ ମଧ୍ୟରୁ ଗୌହାଟିରେ ଥିବା ପ୍ରମୁଖ କାମାକ୍ଷା ଦେବୀଙ୍କ ପୀଠ ଲୋକାରଣ୍ୟ ହୋଇଥାଏ । ବିଶ୍ଵାସ କରାଯାଏ, ଦେବୀ କାମାକ୍ଷା ଏହି ସମୟରେ ରାଜବତୀ ହୁଅନ୍ତି । ଦେବୀଙ୍କ ମହାସ୍ନାନ ପରେ ୪ର୍ଥ ଦିନ ଭକ୍ତମାନେ ମନ୍ଦିର ଭିତରେ ପ୍ରବେଶ କରିଥାନ୍ତି । ଦେଶ ବିଦେଶରୁ ଅନେକ ତାନ୍ତ୍ରିକ, ସାଧୁ ସନ୍ୟାସୀ ଆଶୀର୍ବାଦ ପାଇବା ପାଇଁ ଏଠାକୁ ଛୁଟି ଆସନ୍ତି ।
ଓଡିଶାର ରଜପର୍ବ ପରି ରାଜସ୍ଥାନରେ ମଧ୍ୟ ପାଳନ ହୁଏ ‘ଡାଜପତ୍ର’ ଏଥିରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନପୂର୍ବକ ଦୋଳି ଖେଳିଥାନ୍ତି  । ରଜପର୍ବ କେରଳରେ ପାଳିତ ହେଉଥିବା ପର୍ବର ନାଁ ଓନାମ  । ଓଡିଶା ଭଳି ଏଥିରେ, ଦୋଳିଥାଏ, ପିଠାପଣାମାନ ଥାଏ  ଆଉ ନାଚଗୀତରେ ପୁଅଝିଅମାନେ ମାତିଥା’ନ୍ତି  ।
ଆଉ ଏକ ଲୋକକଥା ହେଲା- “ଯେଉଁ ମାଟିରେ ଆମେ ବସବାସ କରି ରହିଛୁ ସେହି ମାଟି ହେଲା ଆମ ମା’ । ରଜସ୍ୱଳା ହେବା ନାରୀର ଯେମିତି ଏକ ଧର୍ମ, ଠିକ ସେମିତି ଏଇ ମାଟି ମା’ ମଧ୍ୟ ବର୍ଷକୁ ଥରେ ରଜସ୍ୱଳା ହୋଇଥାଏ । ସାଧାରଣତଃ ନାରୀମାନେ ଗୃହକାର୍ଯ୍ୟରେ ବର୍ଷସାରା ବ୍ୟସ୍ତ ଥାଆନ୍ତି । ସଂସାର ଜଞ୍ଜାଳରେ ଆବଦ୍ଧ ହୋଇ ପଞ୍ଜୁରି ଭିତରେ ଶାରୀ ପରି ସେମାନେ ଜୀବନ ଅତିବାହିତ କରି ଥାଆନ୍ତି । ତେଲ ଲୁଣ ସଂସାରରେ ସୁଖଦୁଃଖକୁ ନେଇ ସେମାନେ କାଳାତିପାତ କରୁଥିଲେ ସୁଦ୍ଧା ମୁକ୍ତ ଆକାଶ ମୁକ୍ତ ପବନ ସାଙ୍ଗକୁ ଗୋଷ୍ଠୀମୟ ସାମୂହିକତା ଓ ସରସତାପୂର୍ଣ୍ଣ ଜୀବନ ବିତାଇବାକୁ ସେମାନେ ସଦାସର୍ବଦା ତତ୍ପର ହୋଇଉଠନ୍ତି ।
ରଜପର୍ବ ପ୍ରତିବର୍ଷ ଜୁନ ମାସରେ ହିଁ ପଡିଥାଏ । ଚନ୍ଦ୍ରଙ୍କ ନାଁ ଅନୁସାରେ ଏହି ମାସରେ ନାମକାରଣ କରାଯାଇଛି । ରୋମରେ ଲୋକେ ଜୁନୋଙ୍କୁ ମାତୁତ୍ଵର ଦେବୀ ଭାବେ ପୂଜା କରୁଥିବାବେଳେ ତାଙ୍କରି ନାଁରେ ନାମକରଣ ହୋଇଥିବା ଜୁନ ମାସରେ ରଜପର୍ବର ସଂଯୋଗ ଅପୂର୍ବ ସତରେ ।
ରଜପର୍ବ ଝିଅ ଭୁଆସୁଣୀମାନଙ୍କ ପର୍ବ ହୋଇଥିବା ଦୃଷ୍ଟିରୁ ତାଙ୍କର ମଧ୍ୟ ସମନ୍ୱୟ ସମ୍ପର୍କ ଗଢ଼ିଉଠେ । ତନ, ମନ, ଭାବର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ । ନାଚଗୀତର ଅପୂର୍ବ ସମନ୍ୱୟରେ ଗଢ଼ିଉଠେ ନାରୀମାନଙ୍କ ଗୋଷ୍ଠୀମୟ ସାମାଜିକ ସମ୍ପର୍କ । ରକ୍ଷଣଶୀଳତା, କୁସଂସ୍କାର, ଅନ୍ଧବିଶ୍ୱାସ ଓ ମିଥ୍ୟାଚାର, ଅଶିକ୍ଷା, ଅଜ୍ଞତା ଓ ସ୍ୱାର୍ଥପରତାକୁ ତ୍ୟାଗ କରି ସମସ୍ତେ ହୋଇଉଠନ୍ତି ଏକାକାର ।
ସମୟର କଷଟି ପଥରରେ ଘୋରି ହୋଇ ଲୁପ୍ତ ହେବାକୁ ବସିଲାଣି ଏଇ ପ୍ରାଚୀନ ମଧୁମୟ ସଂସ୍କୃତି । ଆଧୁନିକତାର କୃତ୍ରିମ ମହକରେ ବିମୋହିତ ହୋଇ ଆମେ ଭୁଲିଗଲୁଣି ବୈଦିକ ପରମ୍ପରାର ମୌଳିକତା ଓ ଆତ୍ମୀୟତାକୁ । ଗ୍ରହଣ କରିନେଲୁଣି ପାଶ୍ଚାତ୍ୟର ରଙ୍ଗରସର ରଙ୍ଗୀନ ସଂସ୍କୃତିକୁ । ସମୟ ଆସିଛି ପୁଣି ସେହି ପାରମ୍ପରିକ ରଜ ମହୋତ୍ସବକୁ ସିଂହାବଲୋକନ କରିବା ପାଇଁ । ଆମକୁ ସବୁଦିନ ପାଇଁ ମନେରଖିବାକୁ ପଡ଼ିବ ଆମ ସଂସ୍କୃତିର ସ୍ୱତନ୍ତ୍ରତା, ସ୍ୱାବଲମ୍ବନତା ଓ ପ୍ରାଚୀନତାକୁ ।

Leave a Comment

Your email address will not be published. Required fields are marked *

Scroll to Top