ଶରତ

~ ଶରତ ~
ସୌରଭିତ ସୃଷ୍ଟି : ପଲ୍ଲୀକବି ନନ୍ଦକିଶୋର ବଳ
ଭାଦ୍ରବ ମାସର ପ୍ରଥମ ରବିବାର । ପୂରି ଉଠିଥିଲା ପୁରପଲ୍ଲୀର ପୁଲକିତ ପାଟ ଅଗଣା । ସକାଳ ସିନ୍ଦୂରା ନ ଫାଟୁଣୁ ଆକାଶରେ ପବନ ପହୁଡା ତାଳଗଛ ଟପି ଦିଶିଥିଲା ଭସା ମେଘ । ଝିପିଝିପି ଅଗଣନ ଟୋପାରେ ତିନ୍ତିଥିବା ନିଶବ୍ଦ ପୃଥିବୀରେ ପାଦ ପରେ ତରୁଣୀର ପାଦ ପାହୁଣ୍ଡ ପଡିଲେ ଯେପରି ଆଗେ ଆଗେ ପଲ୍ଲବି ଉଠୁଥିଲା ପାଟଳ ଦିଗ୍ବଳୟର ସଲଜ୍ଜ ଛବି । ଅଳି ଅଳି ତରୁଣୀମାନଙ୍କ ମେଳ ବନ୍ଧା ହେଲାଣି । ସକାଳୁ ଉଠି ଭୋଦୁଅ ଖରା ପଡିବା ଆଗହୁଁ ଗଛତକ ଲଣ୍ଡା ହେଇ ସାରିଥିବ ।
‘ଘିନେ ଗଉରା ଗୟସମୁଣ୍ଡି . . .’ ପୋଖରୀ ତୁଠ ଉପରେ ଜାତି ଜାତି ହରଗଉରା, ଟଗର, ତରାଟ, ରଙ୍ଗଣି ଓ ରକ୍ତରାର ପସରାଏ ଫୁଲ ବିଛୁଡି ପକେଇ ବାଲୁକା ସଜେଇ ପୂଜୁଛନ୍ତି ଦିଅଁଙ୍କୁ । ତହୁଁ କୌତୁକ ଲଗାଇ ସଭିଏଁ ପୁନଶ୍ଚ ମେଳ ବାନ୍ଧି ପୁଷ୍ପର ଆଞ୍ଜୁଳା ଘେନି ଘର ପଛପଟ ଢିଙ୍କିଶାଳକୁ ଯିବେ । ଲିପାପୋଛା ହୋଇ ସାଇତା ଢିଙ୍କି ଉପରେ ଦିଆଯିବ ବାଉଁଶର ବତା । ସେଥିରୁ ବିଶିଷ୍ଟ ଓସାରରେ ମଞ୍ଚା ବନ୍ଧେଇ ସେ ମଞ୍ଚାରୁ କଦଳୀ ପାଟୁକା ଲାଗିବ । ତହିଁ ବିଭିନ୍ନ ଫୁଲସବୁ ଲାଗି ମାଳଚୂଳ ଦ୍ଵାରା ଖଞ୍ଜି ଦେଉଥିଲେ ।
ମୃଣ୍ମୟ ବିଗ୍ରହର ପରିକଳ୍ପନା ପୂର୍ବରୁ ଏଇ ଥିଲା ଖୁଦରଙ୍କୁଣି ମଙ୍ଗଳାଙ୍କ ପୂଜାର ନିପଟ ସ୍ଵରୂପ । ଢିଙ୍କି ଥିଲା ସେ ସମୟରେ ଆମ ସର୍ବନିମ୍ନ ଜୀବନଶୈଳୀର ଅଙ୍ଗ । କ୍ରମାଗତ ସହରୀ ସଭ୍ୟତାର ବୃଦ୍ଧି କାରଣରୁ ଢିଙ୍କିକୁଟା ଚାଉଳର ଚାହିଦା ଆଜି କଳ ନିୟନ୍ତ୍ରଣରେ ଦୁର୍ଲ୍ଲଭ ପରିଣତ ହୁଏ । ଢିଙ୍କି ପୂଜାର ମାହାତ୍ମ୍ୟ ଯୁଗସନ୍ଧିରେ ଅବଲୁପ୍ତ ହୋଇନଥିଲେ ମଧ୍ୟ ଆଜିର ଯନ୍ତ୍ରବତ ଜୀବନରେ ତାହାର ଦେଖା ନାହିଁ । ତଥାପି, ସମସ୍ତଙ୍କ କଣ୍ଠରେ ଗତକାଲି ଦିବସବ୍ୟାପୀ ଶୁଭିଥିଲା
‘ଜୟ ତୁ ଜୟ ଗୋ ମଙ୍ଗଳା ।
ଉଦ୍ଧାରୁ ବୁଡିବାର ଭେଳା ।।
ପ୍ରସନ୍ନ ବଦନ ମଙ୍ଗଳା ।
ବାଳିକାମାନଙ୍କର ଲୀଳା ।।. .”
ଖୁଦୁରୁକୁଣି ଓଷାର ଚତୁର୍ଥ ପାଳି ସହ ଭାଦ୍ରବ ମାସର ରବିବାସରୀୟ ଉତ୍ସବରେ ଯବନିକା ପଡ଼େ । ଯଦ୍ୟପି ଏହି ଓଷାର ଭାଦ୍ରବ ମାସର ପାଞ୍ଚ ପାଳି ଅବଧି ରବିବାର ଯାଏଁ ଥାଏ, କେତେକ ଅଞ୍ଚଳରେ ଏହା ଚତୁର୍ଥ ପାଳିରେ ସମାହିତ ହୋଇଥାଏ । ତେବେ, ଏହି ଅବସରରେ ଆଜି ଉତ୍କଳର ସେହି ସମସ୍ତ ସାଧବ କୁଳର ଉତ୍ତରାର୍ଦ୍ଧ ତଅପୋଇର ସ୍ମୃତିଚାରଣ । ଶେଷ ଓଷା ପାଳି ବୋଲି ସମସ୍ତଙ୍କ ଉତ୍କଣ୍ଠ ଚିତ୍ତ ପୁନରାୟ ମେଲାଣି ଦେବାର ଉଦବେଗରେ ବିଷଣ୍ଣ । କିନ୍ତୁ ଅପେକ୍ଷା ପୁଣି ଥରେ ଆସନ୍ତା ବର୍ଷର ସେଇ ଜହ୍ନି ଫୁଲର ସ୍ଵପ୍ନ ଓ କାକୁଡ଼ି ତୋଳି ଆଣି ଶ୍ରୀଫଳ ସମେତ ଉଖୁଡା, ଖଇ, କୋରା, ମଣ୍ଡା ଓ ବିଶେଷ କରି ଖୁଦକୁଣ୍ଡାରେ ମଙ୍ଗଳାଙ୍କୁ ଆବାହନ କରିବା ଲାଗି ।
ଭାଦ୍ରମାସେ ପଡେ ଖୁଦୁରୁକୁଣୀ ଓଷା
ମାସେ ପାଞ୍ଚ ପାଳି ହୁଏ,
ପୁଚିଖେଳ ଖେଳି ତଅପୋଈ ବୋଲି
ଓଷା କରୁଥାନ୍ତି ଝୁଏ ।
ନାନା ସରଞ୍ଜାମେ ସଜାଡ଼ି ଚାଙ୍ଗଡା
ଝୁଲୁଥାଏ ତହିଁ ଝୁରା,
ଭାଲୁକୁଣୀ ପୂଜା ପାଇଁ ଲୋଡା ଫୁଲ
ହଜାରୀ, ହରଗଉରା ।
ପୁଚିଖେଳ ଖେଳି ଦେଇ ହୁଳହୁଳି
ବଢିଲାରୁ ପାଞ୍ଚ ପାଳି,
ମନାସିଣ ବର ବିଷାଦେ ପ୍ରତିମା
ବିସର୍ଜନ୍ତି ସର୍ବବାଳୀ ।
ଭାଦ୍ରମାସେ ପଡ଼େ ଦ୍ଵିତୀୟା ଉପାସ
ଟାଣ ଓଷା ସେ ବରଷେ,
ଏକବାର ଦିନ ବଢାଯାଏ ପତ୍ର
ଚିଲ ଶିଆଳୀ ଉଦ୍ଦେଶେ ।
ଦିତୀ-ଅଦିତୀଙ୍କ କଥା ପଡ଼େ ତଥି
ଶୁଣୁଥାନ୍ତି ଓଷୁଆଳୀ,
ଥରେ ଛାଡ଼ିଦେଲେ ବାରବର୍ଷ କାଳ
ଝୁରୁଥାନ୍ତି ବସି ବାଳୀ ।
ଭାଦ୍ରମାସେ ପଡ଼େ ଇନ୍ଦୁପୂର୍ଣ୍ଣିମା ଲୋ
ଗଗନରେ ପୂର୍ଣ୍ଣଇନ୍ଦୁ,
ଶାରଦ-ଚନ୍ଦ୍ରିକା ଦିଶେ ଦାଉ ଦାଉ
ବରଷେ କି ସୁଧାବିନ୍ଦୁ ।
ମୁଖର ବର୍ଷାଋତୁ ସରି ସ୍ନିଗ୍ଧ ଶରତ ଋତୁର ଆଉ କେଇ ଦିନର ବ୍ୟବଧାନ ଛାଡ଼ି ଅଚିରେ ଆଗମନ ହେବାର ଥିବାରୁ ତଥାପି ଉତ୍ସବପ୍ରିୟ ପୁରସ୍ତ୍ରୀ ଓ ଶିଶୁ, ତରୁଣ ଓ ବନିତାମାନଙ୍କ ଅଫୁରନ୍ତ ଚେତନା ଜାଗ୍ରତ । ଆସନ୍ତା ଦିନ ଶାରଦୀୟ ଦୁର୍ଗାପୂଜା । ଧରାଧାମରେ ଦେବୀ ମହାମାୟାଙ୍କ ଆବାହନ କାରଣରୁ ନଈ ପଠାରେ ଧୋବ ଫରଫର ହୋଇ ନିର୍ମଳ ଧଳାରଙ୍ଗରେ ଦିଶିଲାଣି କାଶତଣ୍ଡୀ ଫୁଲ । ଶରତ ଋତୁର ସୌନ୍ଦର୍ଯ୍ୟ ଏହି ଶୁଭ୍ର-କୁସୁମ କତିପୟ ଫୁଟି ଉଠିଲେ ମୁହ୍ଯମାନ ବାଟୋଇ ମାନେ ଜାଣିପାରନ୍ତି ।
ଏଥରକ ଆସିଛି ଭାଦ୍ରବ ପୂର୍ଣ୍ଣିମା । ଇନ୍ଦ୍ରୋତ୍ସବ ପୂର୍ଣ୍ଣମା, ଇନ୍ଦୁପୂର୍ଣ୍ଣିମା ବା ଇନ୍ଦୁ ପୂନେଇଁ ରୂପେ ପରିଚିତ ‌। ପ୍ରଚ୍ଛନ୍ନ ଶୁକ୍ଳ ଚନ୍ଦ୍ରମାର ଆଲୋକରାଶି ବିଚ୍ଛୁରିତ ହୋଇ ଯେତେବେଳେ ସମଗ୍ର ବସୁଧାକୁ କ୍ଷୀରସାଗର ମଧ୍ୟରେ ଅବଗାହିତ କରୁଥିବାର ଦୃଶ୍ୟ ମନେ କରାଉଥିବ, ସେତେବେଳେ ଗାଁ ଗାଁରେ କିଛି ଭିନ୍ନ ଆସର ଥିବ ।
କୌମୁଦୀ ସାଗରେ ଚକୋର ଚକୋରୀ
ଜ୍ୟୋତ୍ସ୍ନା-ସୁଧା କରି ପାନ,
ସ୍ଵର୍ଗ-ମନ୍ଦାକିନୀ-ସୁଧା ଧାରା ସମ
ବହାନ୍ତି ଲହରୀ ତାନ ।
ଆଶ୍ଵିନ ମାସରେ ଦଶହରା ପର୍ବ
ବର୍ଷର ଶ୍ରେଷ୍ଠ ପାର୍ବଣ,
ଛ’ ମାସେ ବରଷେ ସ୍ଵଗ୍ରାମେ ଫେରନ୍ତି
ବିଦେଶୁ ପ୍ରବାସୀଗଣ ।
ଚାତକ ପରାୟେ ବିରହିଣୀମାନେ
ଥାନ୍ତି ପ୍ରିୟ ପଥ ଚାହିଁ,
ଦିନ ଗଣୁଥା’ନ୍ତି ନବ ତରୁଣୀଏ
ବେଳ ତାଙ୍କ ସରେ ନାହିଁ ।
ଘରପିଲା ସାହି-ପିଲାଙ୍କୁ ଘେନିଣ
କେବେ କଟକ ମିଠାଇ,
ଘେନି ପିତା ଭ୍ରାତା, ଆସିବେ ଗ୍ରାମକୁ
ସର୍ବେ ଥା’ନ୍ତି ବାଟ ଚାହିଁ ।
ଏହି ଇନ୍ଦୁପୂର୍ଣ୍ଣିମା ହେଉଛି ଭାଦ୍ରପଦ ବା ଭାଦ୍ରବ ମାସର ଶେଷ ହେବା ସହିତ ବର୍ଷାଋତୁର ଔପଚାରିକ ପରିଣତି । ବୈଜ୍ଞାନିକ ଭାଷାରେ, ଏହି ସମୟରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ନିଜର ଅନୁକୂଳ ଭୂମିକା ସମାପନ ପରେ ଭାରତବର୍ଷ ଓ ସଂଲଗ୍ନ ଉତ୍ତରାର୍ଦ୍ଧ ରାଷ୍ଟ୍ରମାନଙ୍କ ଠାରୁ ମେଲାଣି ନିଏ । ଅବଲୀଳାକ୍ରମେ ଚାରି ମାସ ଅବଧି ଯେଉଁ କୃଷ୍ଣକାୟ ମେଘମାଳରେ ଘୋଡାଇ ହୋଇ ରହୁଥିବା ଆକାଶ ବର୍ତ୍ତମାନ ଦିଶୁଛି ନିର୍ମଳ ।
ତେଣେ, ଶରତ ଋତୁରେ ପ୍ରତ୍ୟେକ ଗାଁରେ ଭାଗବତ ଜନ୍ମ ପାଳିତ ହେଇଯାଉଛି । ଏହି ଦିନ ଅତିବଡ଼ି ଜଗନ୍ନାଥ ଦାସଙ୍କ ଦ୍ଵାରା ସୁସଂହତ ଅନୁସର୍ଜନା ବଳରେ ରଚିତ ଭାଗବତର ପାଠ କରାଯାଏ । କେତେକ ସ୍ଥାନରେ ସପ୍ତାହବ୍ୟାପୀ ଭାଗବତ ପାଠ ଏହିଦିନ ସମ୍ପନ୍ନ ହେଉଥିବା ବେଳେ ବର୍ଷବ୍ୟାପୀ ପାଠ ମଧ୍ୟ କେହି କେହି ସାରିଥାଆନ୍ତି । ଇନ୍ଦ୍ରୋତ୍ସବ ପୂର୍ଣ୍ଣମା ଦିନ ପ୍ରତ୍ୟେକ ଭାଗବତ ଟୁଙ୍ଗିରେ ଭାଗବତ ପୁରାଣକୁ ପୂଜା କରାଯାଇ ବିମାନରେ ଥିବା ମହାନ ଗ୍ରନ୍ଥର ପୋଥି ସ୍ଵରୂପକୁ ଉପାସନା କରାଯାଏ ।
ବର୍ଷକ ମଧ୍ୟରେ ଭାଗବତର ପ୍ରଥମସ୍କନ୍ଧର ପ୍ରଥମ ଅଧ୍ୟାୟ ଠାରୁ ପାଠ ଆରମ୍ଭ କରି ଦ୍ଵାଦଶ ସ୍କନ୍ଧର ଶେଷ ଅଧ୍ୟାୟ ମୋଟ ୩୪୧ ଅଧ୍ୟାୟକୁ ଚାନ୍ଦ୍ରମାନ ହିସାବରେ ଏକବର୍ଷ ପୂର୍ତ୍ତିରେ ଶେଷ କରି ଦିଆଯାଏ । କେବଳ ଜଗନ୍ନାଥ ଦାସ କୃତ ଭାଗବତ ଆଉ ଭକ୍ତି (ପଞ୍ଚସଖା) ଯୁଗରୁ ଗ୍ରାମେ ଗ୍ରାମେ ଓଡ଼ିଆ ଭାଗବତକୁ ପଢ଼ିବା ତଥା ପଢ଼ି ଶୁଣାଇବା ପାଇଁ ‘ଭାଗବତ ଘର’ ବା ଟୁଙ୍ଗିମାନ ଗଢ଼ି ଉଠି ନିଜ ଉତ୍କର୍ଷ ପ୍ରତିଷ୍ଠା କରିପାରିଛି । କଥିତ ସ୍ଥଳ ହିଁ ଥିଲା ସମନ୍ଵିତ ଗ୍ରାମ୍ୟ ଜୀବନ ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ବାରମାସର ଯାବତୀୟ ଓଷାବ୍ରତର ପିଣ୍ଡି ।
ନାମସଂକୀର୍ତ୍ତନ ଠାରୁ ଆରମ୍ଭ କରି ଗାଁ ମହୋତ୍ସବ ସହିତ ଆଖଡ଼ାଘର ଓ ଗ୍ରାମର ମତ ମନାନ୍ତରର ଯାବତୀୟ ନ୍ୟାୟ ନିଶାପ ଲାଗି ଏହି ସ୍ଥାନ ପରିଣତ ବିଚାରକ୍ଷେତ୍ର ଥିଲା । ସରଳ ମଣିଷ ଦିନଯାକର ଜଞ୍ଜାଳରୁ ମୁକୁଳି ସନ୍ଧ୍ୟା ସମୟରେ ଭାଗବତ ଅଧ୍ୟାୟେ ଶୁଣିବା ଓ ପଢ଼ିବା ସହ ଅନ୍ୟାନ୍ୟ ପୁରାଣଶାସ୍ତ୍ରର ମଧ୍ୟ ଆଲୋଚ଼ନା କରେ । ଏହା ଶ୍ରୋତା-ପାଠକର ଅମୃତମୟ ସଂଯୋଗ ସ୍ଥାପନା କରିବା ସହ ଅନେକ ପ୍ରକାର ମାନସିକ ସମସ୍ୟାକୁ ସହଜରେ ମେଣ୍ଟେଇ ଦେଉଥିଲା ।
ଏହି ଇନ୍ଦୁପୂର୍ଣ୍ଣିମା ଦିନ ଭାଗବତ ଶେଷ କରି ସନ୍ଧ୍ୟା ଦିନ ହେଉଥିବା ଆସରକୁ ତେଣୁ ‘ଭାଗବତ ବଢ଼ା’ ବୋଲି ଅଭିହିତ କରାଯାଇଛି । ସାହି ଗୋହିରୀ ଯାକର ପୁରୁଷଗଣ ଉପସ୍ଥିତ ହୋଇ ଭାଗବତ ପାରାୟଣ କରିବେ । ଏହା ପରେ ସମସ୍ତ ପୁରବାସୀଙ୍କ ଗହଣରେ ବସି ପଙ୍ଗତ ବଢିବ । ଜାତି, ବର୍ଣ୍ଣ ଓ କର୍ମର ଭେଦାଭେଦ ପାସୋରି ସମସ୍ତ ଶ୍ରୋତୃବର୍ଗ ତଥା ସେମାନଙ୍କ ସହ ସଂଶ୍ଳିଷ୍ଟ ସମସ୍ତ ସମ୍ପର୍କୀୟମାନେ ଟୁଙ୍ଗିରେ ବଢିଥିବା ଭାଗବତ ପାରାୟଣରେ ଉପକୃତ ହୁଅନ୍ତି ।
ବର୍ତ୍ତମାନ ପରମ୍ପରାର ନାମମାତ୍ର ସଂରକ୍ଷଣ ପାଇଁ ସେବାପୂଜାର ଦାୟିତ୍ଵରେ ଥିବା ବ୍ରାହ୍ମଣ ଗୋସେଇଁଙ୍କୁ ଖେଚ଼ୁଡ଼ି ମୁଠାଏ କରି ସମର୍ପିତ କରି ଦିଆଯାଉଛି । ତାଳି ମାରି ଛୁଆଙ୍କୁ ଘଣ୍ଟ ବାଡ଼େଇ ବାଟୁଳି ଧରାଇ ଦେଇ ସାମାନ୍ୟ ଅନୁରଞ୍ଚନ ହିଁ ସନ୍ଧ୍ୟାର ନିସ୍ତବ୍ଧ କାରୁଣ୍ୟକୁ ମୁଖରିତ କରିବାର କିୟଦଂଶ ଯତ୍ନ ଏବେ ପାଲଟିଛି ।
ପ୍ରଣୟୀ ଆଗମେ ପ୍ରଣୟିନୀ ପାନ୍ତି
ହାତେ ଆକାଶର ଜହ୍ନ,
ଆନନ୍ଦର ଖାଦ୍ୟ ଯୋଗାଡ଼ କରନ୍ତି
ଆହ୍ଲାଦେ ନ ରୁଚେ ଅନ୍ନ ।
ପତିପ୍ରାଣାଗଣ ପ୍ରିୟ ଅଦର୍ଶନେ
ନ ପିନ୍ଧନ୍ତି ଅଳଙ୍କାର,
ଦୀର୍ଘକାଳ ଅନ୍ତେ ପେଡ଼ି ଲୁଗା ସଙ୍ଗେ
ଗହଣା ହୁଏ ବାହାର ।
ଶିଶୁଏ ପ୍ରବାସୀ-ଗତ ପିତା, ଭ୍ରାତା,
ଖୁଡୁତାମାନଙ୍କ ସଙ୍ଗେ,
ସ୍ନାନ ଭୋଜନାଦି କରି ନବବସ୍ତ୍ର
ପିନ୍ଧିଣ ବୁଲନ୍ତି ରଙ୍ଗେ ।
ଶରତ ଋତୁର ସୁନୀଳ ଆକାଶର ସାଗରତୁଲ୍ୟ ବ୍ୟାପ୍ତିରେ ଖଣ୍ଡ ଖଣ୍ଡ ଧଳା ମେଘ ସବୁ ଭାସମାନ ବୋଇତର ଭ୍ରମ ସୃଷ୍ଟି କରୁଥାଆନ୍ତି । ସେମାନେ ଜଳାଭାରହୀନ । ଅପାଂଶୁଳ ଓ ପାଣ୍ଡୁରିତ । ଅନ୍ୟ ପଟକୁ ତାହା ଛାୟାକାର ହୋଇ ଅତିରିକ୍ତ ରୌଦ୍ରତାପରୁ ଆମକୁ ରକ୍ଷିତ କରି ପ୍ରଶାନ୍ତ ପ୍ରକୃତିର ସୁଖମୟ କୋଳରେ ଉପଭୋଗର ଅବକାଶ ଦେଉଛି । ଏହି ସମୟର ଏକ ଅନନ୍ୟ ତତ୍କାଳୀନ ବର୍ଣ୍ଣନା ପଲ୍ଲୀକବି ପ୍ରଦାନ କରିଛନ୍ତି, ତାହା ହେଉଛି ପ୍ରବାସାନ୍ତର ଥିବା ବ୍ୟକ୍ତିବିଶେଷ ବା ବେଦନାବିଧୂର ପ୍ରଣୟଯୁଗଳଙ୍କ ମିଳନ ।
ଶରତ ଋତୁର ପ୍ରାରମ୍ଭକାଳ କେତେକ ପାଦପଙ୍କ ପତ୍ର ଝଡା ବ୍ୟତୀତ ଅନ୍ୟ ସବୁ ତରୁଲତାଙ୍କ ଉଜ୍ଜ୍ଵଳ ଶ୍ୟାମ ବେଶ ପରିଲକ୍ଷିତ ହୋଇଥାଏ । ବର୍ଷୀୟାନ କୃଷିଜୀବୀମାନଙ୍କ କ୍ଷୁଦ୍ର କୁଟୀର ଆଗରେ ଗତ ବର୍ଷା ଯୋଗୁଁ ସବୁ କ୍ଷୀଣ ତଡାଗ ବା ଗାଡିଆ ଗୁଡିକ ବିମଳ ଜଳରାଶି ଘେନି ପୂର୍ଣ୍ଣଗର୍ଭା ରହିଛି । ଆଗକୁ ଆସୁଛି ପାର୍ବଣ ଯେହେତୁ ଛୁଟିରେ ନିଜ ପରିବାର ପାଖକୁ ଲେଉଟି ଆସୁଛନ୍ତି ସୁଦୂର ସ୍ଥିତ ଜନ୍ମଭୂମିର କର୍ମଜୀବୀ । ଜଞ୍ଜାଳରେ ଅବସନ୍ନ ଓ କ୍ରମଶଃ ଦୂରାନ୍ତର ଭାବ ଜନିତ ବିରହରେ କବଳିତ ପ୍ରବାସୀ ବ୍ୟକ୍ତିମାନେ ଏହି ଶାରଦୀୟ ଉତ୍ସବରେ ନିଜ କୁଟୁମ୍ଵ ସହିତ ମିଳିତ ହୋଇ ତହିଁରେ ଯବନିକା ପକାନ୍ତି ।
ତେବେ, ଘରକୁ ଆସିଥିବା ପ୍ରବାସ ବାହୁଡା କର୍ମରତ ମୁରବି ଓ କୁଟୁମ୍ଵ ସମ୍ପର୍କୀୟମାନଙ୍କ ଆଗମନ ସହିତ ଉଲ୍ଲାସର ସ୍ଵଗତୋକ୍ତି ଘଟେ । କାରଣ, ଦୀର୍ଘ ବର୍ଷମାନ ଧରି ଘରେ ଅନୁପସ୍ଥିତ ମୁରବି ଓ ସ୍ଵଗୃହସ୍ଥମାନଙ୍କୁ ନ ଦେଖି ପୁରସ୍ତ୍ରୀ ନାରୀମାନେ ନିଜ ନିଜ ଆବେଗ ଯେପରି ପାସୋରି ଯାଇଥିଲେ । ଥିଲେ ନୀରସ ଓ ଆତ୍ମବିସ୍ମୃତିଲିପ୍ତ । କେବଳ ସନ୍ତକମାତ୍ର ମନେ କରି ଗତବର୍ଷର ବଳକା ସୁଖମୁହୂର୍ତ୍ତ ସବୁକୁ ସ୍ମୃତିରୂପକ ସମ୍ଵଳ ବା ସଂଗ୍ରହ ଭାବି ଦିନ ଯାପନ କରି ଆସୁଥିଲେ । ଏଥର ସଭିଙ୍କ ପ୍ରତ୍ୟାବର୍ତ୍ତନ ସହ ଦେହକୁ ଜୀବନ ପାଇବା ଭଳି ସୁଖମୟ ଋତୁର ଆସର ।
ବିରହ ଅବସ୍ଥାରେ ସଚେତନ ପ୍ରିୟ ଜୀବର କରୁଣତା କାରଣରୁ ତାଙ୍କ ମନୋବୃତ୍ତି ସେ ସମୟରେ ନିତାନ୍ତ ବ୍ୟାକୁଳ ଓ ବିଚଳିତ ରହିଥିଲା । ରୀତିକାବ୍ଯମାନଙ୍କରେ ସୁଦ୍ଧା ଆମର ସୁଧୀବର୍ଗ ନିଶ୍ଚୟ ପଢି ଅନୁଭବ କରିଥିବେ ଯେ ବିରହ ସମୟରେ ଯେତେବେଳେ ବିଚ୍ଛେଦ ଜନିତ ଖେଦ କବଳରେ ମ୍ରିୟମାଣା ନାୟିକା ନାୟକର ସ୍ଥିତି ନ ଦେଖି ବ୍ୟଗ୍ର ହେଉଥାଏ, ସେ ସମୟରେ ପ୍ରକୃତିର କେଉଁ କେଉଁ ମୂର୍ତ୍ତ ଦୃଶ୍ୟମାନ ପରିଲକ୍ଷିତ କରେ । ଯେପରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଲାବଣ୍ୟବତୀରେ ଲେଖିଲେ :
“ଦିଶେ ଦକ୍ଷିଣେ ଅଗସ୍ତି ସୁନ୍ଦର ।
ଲେଉଟିଛି ଭାବି ତୋଷ ମନ୍ଦିର ।।
ପଦ୍ମ ଅନୁରାଗ କେମନ୍ତ ଭାବି ।
ଉଦେ ମେଘ ଭିତରେ ଥିଲେ ରବି ।।” (୪୨ଶ ଛାନ୍ଦ)
ଶରତ ଋତୁରେ ଯେପରି ବର୍ଷାକାଳ ମୌସୁମୀର ପ୍ରତ୍ୟାବର୍ତ୍ତନ ସଙ୍ଗେ ଆକାଶ ନିରଙ୍କୁଶ ଶୋଭାରେ ଗରିମା ବୃଦ୍ଧି କରିଛି, ତାରକିତ ଗଗନରେ ମେଘରାଶିର ନବବଧୂକୁ ଆର ପଲ୍ଲୀକୁ ଧରି ନେଇଯାଉଥିବା ସବାରିଆର ହାନ୍ଦୋଳା ବା ସବାରି ଭଳି ଦିଶେ ତଥା ସେ ଭିତରେ ଯେଝା ପ୍ରିୟ ଓ ପ୍ରିୟତମାଙ୍କର ମିଳନ ଦୃଶ୍ୟରେ ନାୟିକା ବ୍ୟଗ୍ର ଓ ଆକୁଳିତ । ଅପରପାର୍ଶ୍ବରେ ‘ମେଘଦୂତ’ର ଯକ୍ଷ ଭଳି ସେ ରାମଗିରିରେ ଥିବା ବେଳେ ନିଜ ପ୍ରଣୟଭୂତ ଚେତନାର କୋହ ସମ୍ଵରଣ ନ କରିପାରି ହାତର କଙ୍କଣ ଓ ବାହୁଟିଗୁଡିକ ଶୀର୍ଣ୍ଣ କଳେବରରୁ ସ୍ଵତଃ ଅପସାରିତ କରିଦିଏ ।
କିନ୍ତୁ, ପଲ୍ଲୀକବି ଏହି ଶରତ ବର୍ଣ୍ଣନାର ଠିକ୍ ମୀମାଂସିତ ରୂପ ଧାରଣ କରାଇ ପଲ୍ଲୀଜୀବନର ମହତ୍ତର ଯୌଥ କୁଟୁମ୍ଵ ପ୍ରତି ନିଜର ତଥା ସମଗ୍ର ଜାତିର ଭ୍ରାତୃଧର୍ମିତା ଓ ନିଷ୍ଠାପର ସମନ୍ଵୟକୁ ପ୍ରତିପାଦନ କରିଛନ୍ତି । ପୁରସ୍ତ୍ରୀ ବା ଘରର ମହିଳାମାନେ ଯେତେବେଳେ ନିଜ ସ୍ଵାମୀମାନଙ୍କୁ ନ ଦେଖି ନିଜ ଗୌରବ ସ୍ଵରୂପ ଅଳଙ୍କାରକୁ ସୁଦ୍ଧା ତୁଚ୍ଛ କରିଦେଇଥିଲେ, ସେତେବେଳେ ଘରର କନ୍ଦିରେ ସ୍ଥାପିତ ବୃହତ ପେଡ଼ି ମଧ୍ୟରେ ସେ ଅନେକ ଦିନ ଧରି ପଡ଼ି ରହିଥିଲେ । ଧୂସରିତ ଓ ମ୍ଳାନ ମନ ଭଳି ସେମାନଙ୍କ କାନ୍ତି ଓ ଉଜ୍ଜ୍ଵଳତା ମଧ୍ୟ କ୍ରମେ କାହାରି ଦୃଷ୍ଟି ଆକର୍ଷଣ କରିନଥିଲା ।
ଏବେ ଯେହେତୁ ସଭିଏଁ ପ୍ରତ୍ୟାଗତ, ତେଣୁ ଫେରନ୍ତା ମଳୟ ଦ୍ଵାରା ଚୋରି ହୋଇ ଚୁମ୍ଵିତ ପୁଷ୍ପରୁ ମଧୁର ପୁଷ୍ପରାଗକୁ ଫେରି ପାଇବା ଭଳି ନାରୀମାନଙ୍କ ପୂର୍ବସ୍ମୃତିର ସବୁ ସୁଖ ମିଳି ଯାଇଛି । ତେଣୁ, ସିନ୍ଦୂକ ଭିତରେ ମୁଦ ଦେଇ ରଖିଥିବା ନାନା ଜାତିର ଅଳଙ୍କାର ଓ ଗୃହର ଉପକରଣମାନ ସବୁ କାଢ଼ି ଗୋଟି ପରେ ଗୋଟି ସେମାନଙ୍କ ବ୍ୟବହାର ଅନୁଯାୟୀ ସାଇତିବା ଆରମ୍ଭ କରିବେ । ଭଳି ଭଳିକି ଗଳାହାର, ବାହୁଟି, ତାଟଙ୍କ, କର୍ଣ୍ଣପୂର, ନୋଥ, ବସଣି ସାଙ୍ଗକୁ କୁମ୍ଭପକା ମାଣିଆବନ୍ଧୀ ଓ ଅଭିଜାତ ପାଟଶାଢୀ । ସେପାଖରୁ ପୁଣି ଅଥରା ହାଣ୍ଡି, ଗୁଆକାତି, ପିତଳ କଂସା, ଥାଳି ସହ ପିଲାମାନେ ସେମାନଙ୍କ ଗେଲଗମାତ ଭିତରେ କାଢି ପକେଇଥିବେ ତାଙ୍କ ରୁଚିର ଖେଳଣା, କଣ୍ଢେଇ ସବୁ ‌।
ଆଉ ଖୁଡୁତାମାନେ ବା କକେଇମାନେ ଆସି ଘରକୁ ପୁତୁରାମାନଙ୍କୁ ଭେଟି ଦେବେ ଅଶିଣ ମହାପର୍ବର ଉପଢୌକନ ସ୍ଵରୂପ ନୂଆ ପାଟ ଲୁଗା । ଶୁକ୍ଳପକ୍ଷରେ କ୍ରମେ ବଢୁଥିବା ଚନ୍ଦ୍ରର ଶୁଭ୍ରଜ୍ୟୋତ୍ସ୍ନା ବିଧୌତ କରୁଥିବା ଶ୍ୟାମଳ ପୃଥିବୀର ଦିବ୍ୟତାକୁ ଦେଖି କୁମାରୀମାନଙ୍କ ଦରହାସରେ ଉକୁଟି ଉଠେ ଅନ୍ତରଙ୍ଗ ରସିକାନୁରକ୍ତି । ସ୍ନିଗ୍ଧ କୌତୁକହାସ୍ୟରେ ଚତୁର୍ଦ୍ଦିଗର ମାଧୁରୀ ଆହୁରି ସମୁଜ୍ଜ୍ଵଳ ହୋଇ ଉଠୁଥାଏ । ଶରତ କବିତାରେ କବି ଦେଖିଛନ୍ତି ସେଇ ଦିବ୍ୟ ନୈସର୍ଗିକ ପ୍ରସାଦର ଚିତ୍ରକଳ୍ପକୁ । ତେଣୁ, ସେ ପଲ୍ଲୀର ସଣ୍ଠଣା ଓ ଲୋକଜୀବନର ଆନନ୍ଦ ସତ୍ତା ମଧ୍ୟରେ ନିଜକୁ ଜଣେ ନିରଳସ ରୂପଜୀବୀ ଭାବରେ ବିଦ୍ୟମାନ ରଖିଛନ୍ତି ।
ଉପସ୍ଥାପନା : ମୋ ପ୍ରିୟତମ ପାଥେୟର ସରଣୀ, ଅମୃତେଶ ଖଟୁଆ (୦୪-୧୦-୨୦୨୩)
Pallikabi Nandakishore bal Sharata
KabiSamrat Upendra Bhanja
Khudurukuni Dhinki Dhenki 
Odia Bhagabata Oshabrata

Leave a Comment

Your email address will not be published. Required fields are marked *

Scroll to Top