ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଆମ ଓଡ଼ିଆ ଶବ୍ଦ: ଲସି !
ଆଜି ଦହି, ଚିନି, ବରଫ କିଂଵା ପାଣିରେ ପ୍ରସ୍ତୁତ ପଶ୍ଚିମ ଭାରତୀୟ ପେୟ “ଲସ୍ସୀ” ସାରା ଵିଶ୍ଵରେ ଲୋକପ୍ରିୟ ହୋଇଅଛି । ପୂର୍ଵେ ଓଡ଼ିଶାରେ ଏ ଲସ୍ସୀ ଶବ୍ଦ ଚଳୁନଥିଲା କିନ୍ତୁ ଓଡ଼ିଶାର ଲୋକେ ବହୁପ୍ରାଚୀନ କାଳରୁ ଦହିରେ ଚିନି ଓ ପାଣି ମିଶାଇ ପିଉଥିଲେ ଏଵଂ ତାକୁ ଦହିପାଣି କୁହାଯାଉଥିଲା । ଗ୍ରାମାଞ୍ଚଳରେ କୃତ୍ରିମ ଶୀତଳ ପାନୀୟ ମିଳିଵା ପୂର୍ଵରୁ ଘରକୁ କୁଣିଆ ଆସିଲେ ଲୋକେ ଦହିପାଣି ପିଇଵାକୁ ଦେଉଥିଲେ ।
ଲସ୍ସୀ ଶବ୍ଦଟି ପଶ୍ଚିମ ଭାରତୀୟ ଶବ୍ଦ ଏଵଂ ଏହା ଶୌରସେନୀ ପ୍ରାକୃତର *????? (*lassī) ଓ ସଂସ୍କୃତ ଲସ(“stickiness”) ସହିତ ସମଦ୍ଧୃତ ବୋଲି ଉତ୍ତର ଭାରତୀୟ ଭାଷାଵିଦମାନେ ନିର୍ଣ୍ଣୟ କରିଛନ୍ତି । ସଂସ୍କୃତ ଲସ ଶବ୍ଦକୁ ଲସ୍ ଧାତୁର ଆକର୍ଷଣ, ଆଲିଙ୍ଗନ କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି । ସଂସ୍କୃତ ଲସର ନିମ୍ନୋକ୍ତ ତିନୋଟି ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି . .
କ)ଅନ୍ୟ ଵସ୍ତୁରେ ଲାଗିଯିଵା ଗୁଣ ଵା ଅଠାଳିଆପଣ
ଖ)ଅଠା
ଗ)ଚିତ୍ତ ଆକର୍ଷଣ
ହୁଏତ ଲସ୍ସୀ ଚିତ୍ତ ଆକର୍ଷଣ କରେ ବୋଲି ଏହାର ଏଭଳି ନାମକରଣ ହୋଇଥିଲା ।
ତେବେ ଏହି ଦେଶଜ ଲସ୍ସୀକୁ ଓଡ଼ିଆ ଭାଷାରେ ଲସ୍ସୀ କିଂଵା ଲସୀ ଲେଖାଯିଵା ଉଚିତ୍ କାରଣ ଆମ ଭାଷାରେ ମଧ୍ୟ ଲସି ବୋଲି ଆଉ ଏକ ଶବ୍ଦ ରହିଛି ।
• ଓଡ଼ିଆ ଭାଷାରେ ଆମ୍ବ ଆଦି ଫଳର ଭୁଣ୍ଡିରୁ ବହିଵା ରସକୁ ଲସି ଓ ଅଞ୍ଚଳ ଭେଦରେ ନସି କୁହାଯାଏ । ଏହି ଲସି ଶବ୍ଦଟି ତତ୍ସମ ରସ, ଲସିକା ଓ ରସ୍ ଧାତୁ ଆଦି ସହିତ ସମଦ୍ଧୃତ ।
• ଆମ୍ବ ଆଦି ଫଳରେ ଲାଗିଥିଵା ଡ଼େମ୍ଫକୁ ମଧ୍ୟ ଲସି କୁହାଯାଏ ଏଵଂ କେଉଁଠି କେଉଁଠି ଏହାକୁ ନାଶି କହିଥାନ୍ତି । ଏହି ଓଡ଼ିଆ ଲସି ଶବ୍ଦଟି ତତ୍ସମ ନାଶା ଶବ୍ଦ ସହିତ ସମଦ୍ଧୃତ ।
• ସ୍ତନାଗ୍ର ଵା ଚୁଚୂକକୁ ମଧ୍ୟ ଓଡ଼ିଶାର କେତେକ ଅଞ୍ଚଳରେ ଲସି କହିଥାନ୍ତି ଏଵଂ ଏଥିରୁ ମଧ୍ୟ ଅମୃତ ରସ ଵା ଦୁଗ୍ଧ ନିର୍ଗତ ହୋଇଥାଏ । ଘାଆ ,ବଥ ଇତ୍ୟାଦିରୁ ଯେଉଁ ଵର୍ଣ୍ଣହୀନ ଜଳୀୟ ପଦାର୍ଥ ବାହାରେ ତାକୁ ମଧ୍ୟ ଲସି ଓ ନଶି କହିଥାନ୍ତି ଏଵଂ ଏହି ଲସି ଶବ୍ଦଟି ସଂସ୍କୃତର ଲସା ଶବ୍ଦ ସହିତ ସମଦ୍ଧୃତ । ପୁଣି ପୁରୀ ଜିଲ୍ଲାରେ ନଡ଼ିଆକୁ ସିନ୍ଦୋଳିଵା ପାଇଁ ପ୍ରତ୍ଯେକ ନଡ଼ିଆର କତାରୁ ସରୁ କରି ବାହାର କରିଵା ଅଂଶକୁ ଲସି କୁହାଯାଏ ।
ତେବେ ପ୍ରାଚୀନ ଭାରତରେ ଦହିରେ ପ୍ରସ୍ତୁତ ଏକଜାତୀୟ ପେୟକୁ ଶିଖରିଣୀ ଓ ରସାଳା କୁହାଯାଉଥିଲା । ଵିଭିନ୍ନ ଵୈଦ୍ୟ ଶାସ୍ତ୍ରରେ ଏହା ପ୍ରସ୍ତୁତ କରିଵାର ଵିଧି ଉଲ୍ଲେଖ ଥିଵା ଜଣାଯାଏ । କେତେକ ଵୈଦ୍ଯଶାସ୍ତ୍ର ଅନୁସାରେ ଜଳଶୂନ୍ୟ ଦଧି ୮ ସେର, ଚିନି ୪ ସେର ଓ ଦୁଧ ୬ ସେର ଏକତ୍ର ମିଶାଇ ତହିଁସଙ୍ଗେ ମରିଚ, ଲଵଙ୍ଗ, ଅଳେଇଚ ଓ କର୍ପୂରଗୁଣ୍ଡ ମିଶାଇଲେ ରସାଳା ହୁଏ। ଏହି ରସାଳା ଅମ୍ଳମଧୁରରସ, ଶୀତଳ, ସାରକ, ଅଗ୍ନିଵର୍ଦ୍ଧକ, ପୁଷ୍ଟିକର,ଶୁକ୍ରଵର୍ଦ୍ଧକ, ସ୍ନିଗ୍ଧ ଓ ବାତପିତ୍ତ, ଦାହ, ତୃଷ୍ଣା, ରକ୍ତ ପିତ୍ତ, ପ୍ରତିଶ୍ୟାୟାଦିନାଶକ। ରତିଶ୍ରାନ୍ତ ଓ ପର୍ଯ୍ୟଟନକ୍ଳାନ୍ତ ଵ୍ୟକ୍ତି ପକ୍ଷରେ ଏହା ଵିଶେଷ ହିତକର ଅଟଇ ।
କେତେକ ଵୈଦ୍ୟଶାସ୍ତ୍ରରେ ରସାଳାର ଆଉ ଏକ ପ୍ରକାରର ପ୍ରସ୍ତୁତି ଵିଧି ଉଲ୍ଲେଖ ଥିଵା ଜଣାଯାଏ । ଏହି ଵିଧି ଅନୁସାରେ ଦଧି ୪ ସେର, ଚିନି ୨ ସେର, ମଧୁ ଦୁଇ ଛଟାଙ୍କି, ଘିଅ ଦୁଇ ଛଟାଙ୍କି, ଶୁଣ୍ଠିଗୁଣ୍ଡ ଅଧତୋଳା, ଅଳେଇଚ ଗୁଣ୍ଡ ଅଧ ତୋଳା, ମରିଚଚୂର୍ଣ୍ଣ ଦୁଇ ତୋଳା ଓ ଲଵଙ୍ଗଚୂର୍ଣ୍ଣ ଦୁଇ ତୋଳା ଏକତ୍ର ମିଶାଇ ତାକୁ ଛାଣି ମୃଗନାଭି ଓ କର୍ପୂର ଦ୍ବାରା ସୁଵାସିତ କରି ରସାଳା କରାଯାଉଥିଲା।
ସେହିପରି ଦହିରୁ ପ୍ରସ୍ତୁତ ଶିଖରିଣୀ ନାମକ ପେୟ ପ୍ରସ୍ତୁତି ଵିଧି ଭାବପ୍ରକାଶ ଗ୍ରନ୍ଥରେ ମଧ୍ୟ ରହିଛି । ଏହି ଗ୍ରନ୍ଥ ଅନୁସାରେ — ଜଳ ଵିହୀନ ମହିଷ ଦଧି ୧୬ ସେର, ପରିଷ୍କୃତ ଚିନି ୮ ସେର ଏକତ୍ର ମିଶାଇ ପରିଷ୍କୃତ ଵସ୍ତ୍ରରେ ପୂରାଇ ତହିଁରେ ୩୨ ସେର ଦୁଧ ମିଶାଇ ତହିଁତଳେ ଗୋଟିଏ ମୃତ୍ପାତ୍ର ରଖି ଵଳପୂର୍ବକ ଉକ୍ତ ଵସ୍ତ୍ରଦ୍ବାରା ଏହାକୁ ସ୍ରାଵଣ କରାଯାଏ । ତତ୍ପରେ ଏଥିସଙ୍ଗେ ଅଳେଇଚ ଲବଙ୍ଗ, କର୍ପୂର, ମରିଚ ଚୂନା ମିଶାଯାଏ । ଏହା କ୍ଳାନ୍ତି ନିଵାରକ, ଵଳକର, ଶୂତ୍ର ଢର୍ଦ୍ଧକ, ଵାୟୁ ଓ ପିତ୍ତ ନାଶକ, ଅଗ୍ନି ପ୍ରଦୀପକ, ଶରୀରର ଉପଚୟ କାରକ, ସ୍ନିଗ୍ଧ, ଶୀତଳ, ସାରକ ଓ ରକ୍ତପିତ୍ତ, ପିପାସା, ଦାହ, ପ୍ରତିଶ୍ୟାୟ ନାଶକ। କେବଳ ବସନ୍ତଋତୁ ଭିନ୍ନ ଅନ୍ୟ ଋତୁରେ ଏହା ସେଵ୍ୟ । ଏହାର ଅନ୍ୟ ନାମ ରସାଳା। ପୁନଶ୍ଚ ରାଜ ନିଘଣ୍ଟ ଗ୍ରନ୍ଥରେ କୁହାଯାଇଛି ଯେ, ଦହି ୩୨ ପଳ, ଖଣ୍ଡ ୮ ପଳ, ମରିଚଚୂର୍ଣ୍ଣ, ଗୁଡ଼ତ୍ବକ ଓ ଏଳାଚର୍ଣ୍ଣ ୮ ପଳ, ମଧୁ ୪ ପଳ, ଘୃତ ୪ ପଳ, ଗୋଟିଏ ଭାଣ୍ଡରେ ରଖି ହିମଵାସିତ କଲେ ତାହା ଶିଖରିଣୀ ହୁଏ ।
ଵିଭିନ୍ନ ଵୈଦ୍ୟଶାସ୍ତ୍ରରେ ରସାଳା ଓ ଶିଖରିଣୀ ଭଳି ଦଧି ସମ୍ବନ୍ଧୀୟ ଉତ୍କୃଷ୍ଟ ପାନୀୟ ଓ ତହିଁର ନାନାଦି ପ୍ରସ୍ତୁତି ପ୍ରଣାଳୀର ଉଲ୍ଲେଖରୁ ସ୍ପଷ୍ଟ ଯେ ପ୍ରାଚୀନ ଭାରତୀୟମାନେ ଵର୍ତ୍ତମାନର ପଶ୍ଚିମ ଭାରତୀୟ ସାଧାରଣ ଦହିପାଣି ଲସ୍ସୀ ଅପେକ୍ଷା ଅଧିକ ସ୍ଵାସ୍ଥ୍ୟଵର୍ଦ୍ଧକ ଦଧିପେୟ ପାନ କରିଵା ଜାଣିଥିଲେ ।
ସମ୍ଭଵତଃ ଏହି ରସାଳା ଵା ଶିଖରଣୀର ଆଧୁନିକ ଓ ଅତି ସାଧାରଣ ତଥା ଵୈଦ୍ୟଶାସ୍ତ୍ରରେ ଉଲ୍ଲେଖିତ ଉତ୍କୃଷ୍ଟ ଦଧିପାନୀୟ ଅପେକ୍ଷା ଅଳ୍ପ ଲାଭପ୍ରଦ ରୂପ ହେଉଛି ଲସ୍ସୀ ।
ଏଣୁ ଲସ୍ସୀ ଅପେକ୍ଷା ରସାଳା ଓ ଶିଖରିଣୀ ଅଧିକ ହିତକର ହୋଇଥିଵାରୁ ଲସ୍ସୀ ପରିଵର୍ତ୍ତେ ଏହି ଵୈଦ୍ୟଶାସ୍ତ୍ରୋକ୍ତ ପାନୀୟ ପ୍ରସ୍ତୁତ କରି ପିଇଵା ସହ ଵିକ୍ରିର ଵ୍ୟଵସ୍ଥା କରାଗଲେ ଅନେକ ଲୋକଙ୍କର ଶାରିରୀକ ଉନ୍ନତି ହୋଇପାରନ୍ତା ।