ଲେଖା: ଅମ୍ରିତେଶ ଖଟୁଆ
ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି ଥିଲେ ଉତ୍କଳ ସମ୍ମିଳନୀର ଅନ୍ୟତମ ନେତା ତଥା ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣର ବିଶିଷ୍ଟ ପ୍ରବକ୍ତା । କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଥାନାର ବାଙ୍କେଶ୍ଵର ଗ୍ରାମରେ ୧୮୮୪ ମସିହା ମେ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀଧର ମହାନ୍ତି। ପିତା ଥିଲେ ନିଶାମଣି ପଟ୍ଟନାୟକ।
ଆବାଲ୍ୟ ପ୍ରତିଭାଧର ଲକ୍ଷ୍ମୀଧର ମହାନ୍ତି ରେଭେନ୍ସା କଲିଜିଏଟ୍ ସ୍କୁଲରୁ ଏନଟ୍ରାନ୍ସ ଉତ୍ତୀର୍ଣ୍ଣ ହୋଇ ସେ ରେଭେନ୍ସା କଲେଜରେ ବି.ଏ. କରିଥିଲେ। ୧୯୦୪ ମସିହାରେ ଚତୁର୍ଥ ବାର୍ଷିକ ଛାତ୍ର ଥିଲା ବେଳେ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀତ୍ଵ ଅର୍ଜନ କରି ସେ ମୟୂରଭଞ୍ଜ ମହାରାଜାଙ୍କ ପ୍ରଦତ୍ତ “ଉତ୍କଳ ୟୁଥ୍ ଅଫ୍ ଆସୋସିଏସନ୍” ସ୍ଵର୍ଣ୍ଣ ପଦକ ପାଇଥିଲେ। ପରବର୍ଷ ତାଲଚେର ରୌପ୍ୟ ପଦକ ମଧ୍ୟ ତାଙ୍କୁ ମିଳିଥିଲା। ବି.ଏ. ଉତ୍ତୀର୍ଣ୍ଣ ହେବା ପରେ ସେ ପ୍ୟାରୀମୋହନ ଏକାଡେମୀରେ କିଛି ଦିନ ଶିକ୍ଷକତା କରିଥିଲେ। ଏହା ପରେ ସେ ଆଇନ ପଢିବାକୁ କଲିକତା ଯାତ୍ରା କଲେ। ସେଠାରେ ତାଙ୍କର ସହପାଠୀ ଥିଲେ ପଣ୍ଡିତ ନୀଳକଣ୍ଠ ଓ ଗୋପବନ୍ଧୁ ଚୌଧୁରୀ। ଆଇନ ପାଶ୍ କରି ସେ କଟକ ଫେରି ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜୁନିଅର ଭାବେ ଆଇନ ବ୍ୟବସାୟ ସହିତ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ।
ଗୋପବନ୍ଧୁ କଂଗ୍ରେସ ନେତା ଭାବେ କଟକ ଜିଲ୍ଲାବୋର୍ଡ ଚେୟାରମ୍ୟାନ ଥିଲାବେଳେ ଲକ୍ଷ୍ମୀଧର ଥିଲେ ଭାଇସ ଚେୟାରମ୍ୟାନ। ଅବଧାନ ଯୋଗେ ଚାଟଶାଳୀ ଓ ଚାଳିଆ ଦ୍ଵାରା ଶିକ୍ଷା ପ୍ରଦାନ ଢାଞ୍ଚା ପ୍ରତିବଦଳେ ପ୍ରଶିକ୍ଷଣପ୍ରାପ୍ତ, ପ୍ରାଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି, ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ସହ ଅଧିକ ବିଦ୍ୟାଳୟ ପ୍ରତିଷ୍ଠା ଉଦ୍ୟମ – ତାଙ୍କର ଦୂରଦର୍ଶିତାର ପରିଚୟ ଦିଏ।
ଏହି ସମୟରେ ବହୁ ସାଧାରଣ ଅନୁଷ୍ଠାନ ସହିତ ସଂପୃକ୍ତ ଥାଇ ସେ କଟକ ମୋଟର ଆସୋସିଏସନ ପ୍ରତିଷ୍ଠାରେ ଭାଗ ନେଇଥିଲେ। ଫଳରେ ୧୯୩୦ ମସିହା ବେଳକୁ କଟକରେ ସଂପୂର୍ଣ୍ଣ ଭାବେ ବେସରକାରୀ ବସ୍ ଚଳାଚଳ ଗମନ ଅନ୍ତେ ବିଭିନ୍ନ ସବଡିଭିଜନ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଯାତାୟତ ସୁବିଧାଜନକ ହେଇଥିଲା। ନିଜର ଏହି ଲୋକପ୍ରିୟତା ପାଇଁ ସେ ବିହାର ଓଡିଶା କାଉନସିଲର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ଲକ୍ଷ୍ମୀଧର କଟକ ଜିଲ୍ଲାରୁ ନିର୍ବାଚିତ ହୋଇ କାଉନସିଲର ଡେପୁଟି ପ୍ରେସିଡେଣ୍ଟ୍ ହୋଇଥିଲେ। ପରବର୍ତ୍ତୀ କାଳରେ ପାଟନା ବିଶ୍ଵବିଦ୍ୟାଳୟର କୁଳପତି ପଦମଣ୍ଡନ କରିଥିଲେ।
ଓଡିଶାର ଦାରିଦ୍ର୍ୟ ଦୃଷ୍ଟେ ଆୟୁର୍ବେଦିକ ଶିକ୍ଷା ଲୋକପ୍ରିୟ କରାଇ ଶିକ୍ଷିତ କବିରାଜମାନଙ୍କ ଦ୍ଵାରା ଗାଁ ଗହଳିରେ ଚିକିତ୍ସା କରିବାକୁ ହେଲେ ପୁରୀ ସଂସ୍କୃତ କଲେଜରେ ଆୟୁର୍ବେଦରେ ସ୍ନାତକ ଶିକ୍ଷା ପ୍ରୟୋଜନ ଓ ସେହି ଲକ୍ଷ୍ୟ ରଖି ସେ ପୁରୀରେ ଏକ ଆୟୁର୍ବେଦ କଲେଜ ପ୍ରତିଷ୍ଠା ନିମିତ୍ତ ସେ ଏକ ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ। ୧୮ ମାର୍ଚ୍ଚ ୧୯୨୫ ମସିହାରେ ଓଡ଼ିଶାରେ ଏକ ସ୍ଵତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା ନିମିତ୍ତ ସେ ଏକ ପ୍ରସ୍ତାବକୁ କାଉନସିଲରେ ଦୃଢ ଦାବି ଭାବେ ଉପସ୍ଥାପନା କରିଥିଲେ। ଇତି ମଧ୍ୟରେ ବାର ବର୍ଷ ସେ ରହିଲେ କାଉନସିଲର ସଭ୍ୟ। ହେଲେ ସେହି ମଧ୍ୟରେ ରେଭେନ୍ସା କଲେଜରେ ସ୍ନାତକୋତ୍ତର ଶ୍ରେଣୀ ଖୋଲିବା ସହ ବିଜ୍ଞାନ ଶିକ୍ଷା ସହିତ ଅନର୍ସ ଶିକ୍ଷା ବ୍ୟବସ୍ଥା ରଖିବା ମଧ୍ୟ ତାଙ୍କର ଅନ୍ୟତମ ଦୃଢ ଦାବି ଥିଲା। ସରକାରଙ୍କ ପ୍ରତିଶ୍ରୁତି ସହ ତତ୍କାଳୀନ ଶିକ୍ଷାମନ୍ତ୍ରୀଙ୍କ ବ୍ୟକ୍ତିଗତ ସଦ୍ଭାବ ଦ୍ଵାରା ଏଥିରେ ତାଙ୍କୁ ଯଥେଷ୍ଟ ସାହାଯ୍ୟ ମିଳିଥିଲା।
ଏହା ବ୍ୟତୀତ ସେ ଉତ୍କଳ ସମ୍ମିଳନୀ, ଓଡ଼ିଶା ପିପୁଲ୍ସ ଆସୋସିଏସନ ସହିତ ସେ ଘନିଷ୍ଠ ଭାବେ ସମ୍ପୃକ୍ତ ରହିଥିଲେ। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସଂକ୍ରାନ୍ତରେ ପାରଳା, ଖଲ୍ଲିକୋଟ ଓ କନିକା ରାଜାମାନଙ୍କ ସହଯୋଗରେ ବିଭିନ୍ନ ପ୍ରକାରର ସ୍ମାରକ ପତ୍ର ଚିଠା କରି ଓ ସାକ୍ଷ୍ୟ ସଂଗ୍ରହ କରି ସାଇମନ କମିଶନ ଓ ଓଡ଼ନେଲ କମିଟି ଆଗରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ।
୧୯୨୮ ମସିହାରେ ବ୍ରଜସୁନ୍ଦର ଦାସ, ମଞ୍ଜୁଷା ରାଜା ଶ୍ରୀନିବାସ ରାମାନୁଜ ଦେବଙ୍କ ସହଯୋଗ ଦ୍ଵାରା ସେ ସାଇମନ୍ କମିଶନ ଆଗରେ ଦୀର୍ଘ ୩୧ ପୃଷ୍ଠାର ଏକ ସ୍ଵତନ୍ତ୍ର ଛାପା ସ୍ମାରକପତ୍ର କରିଥିଲେ, ଯାହାକି ଅଟଲି କମିଟିର ଗ୍ରହଣୀୟ ହୋଇଥିଲା। ୧୯୨୯ ମସିହାରେ ଉତ୍କଳ ସମ୍ମିଳନୀର ସଭାପତିତ୍ୱ କରି ସେ ଓଡନେଲ୍ କମିଟି ଆଗରେ ତାଙ୍କର ବହୁ ସାକ୍ଷ୍ୟ ଦେଇ ଉଚ୍ଚ ପ୍ରଶଂସିତ ହୁଅନ୍ତି। ଦଳମତ ନିର୍ବିଶେଷରେ, ୧୯୩୨ ମସିହା ସେପ୍ଟେମ୍ବର ୨ ତାରିଖରେ ତାଙ୍କ ଦ୍ଵାରା ବିହାର ଓଡ଼ିଶା କାଉନସିଲରେ ପ୍ରସ୍ତାବିତ ସ୍ଵତନ୍ତ୍ର ଓଡ଼ିଶା ଗଠନ ଦାବି ଆଗତ କରି ୧୮୭୬ ମସିହାରୁ ବିଚ୍ଛିନ୍ନାଞ୍ଚଳ ଏକୀକରଣ ଆନ୍ଦୋଳନର ଇତିହାସରେ ମୁକ୍ତବାକ୍ ହୋଇଥିଲେ। ମଧ୍ୟପ୍ରଦେଶ, ମାନ୍ଦ୍ରାଜ, ବଙ୍ଗ ଓ ପରେ ବିହାରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ମିଶିକରି ଥିବାରୁ ଓଡ଼ିଆମାନଙ୍କ କରୁଣ ଚିତ୍ରକୁ ଉପସ୍ଥାପିତ କରି ସମସ୍ତଙ୍କର ସହାନୁଭୂତି ଆକର୍ଷଣ କରିପାରିଥିଲେ।
କ୍ରମକ୍ଷୟିଷ୍ଣୁ ଓଡ଼ିଆ ଜାତିର ଚିତ୍ରଣ କରି ଓଡ଼ିଆଭାଷୀ ଲୋକମାନଙ୍କୁ ବଙ୍ଗାଳୀ ଦର୍ଶାଇବାର ଚକ୍ରାନ୍ତକୁ ସେ ଏକ ପ୍ରକାର ପଣ୍ଡ କରିଦେଇଥିଲେ । ମେଦିନୀପୁର ଜିଲ୍ଲାରେ ୧୮୯୧ ମସିହାରୁ ୧୯୩୧ ମସିହା ଭିତରେ ଯଥାକ୍ରମେ ଜନସଂଖ୍ୟା ୫, ୭୨, ୭୯୮ ରୁ ୪୫, ୧୦୧ କୁ ଖସି ଆସେ। ଏହାର କାରଣ ଓଡ଼ିଆମାନଙ୍କୁ ବଙ୍ଗାଳୀ ଦର୍ଶାଇଥିବାର ସମ୍ଭାବ୍ୟ ଯୁକ୍ତି ସେ ବାଢିଦେଇଥିଲେ। ସାଇମନ୍ କମିସନ୍’ଙ୍କ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ନେଇ ସ୍ଵୀକୃତି ପରେ ସିଏ ଫୁଲଝର, ଚନ୍ଦ୍ରପୁର, ମାଲଖୁଦା ପ୍ରଭୃତି ମଧ୍ୟପ୍ରଦେଶର ଓଡ଼ିଆ ଅଞ୍ଚଳ, ବଙ୍ଗର ମେଦିନୀପୁର, ମାନ୍ଦ୍ରାଜର ମଞ୍ଜୁଷା, ଜଳନ୍ତର ଭଳି ଶତକଡ଼ା ୪୩ ଭାଗ ଓଡ଼ିଆ ଅଧ୍ୟୁଷିତ ଓ ୫୩ ଭାଗ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ପ୍ରସ୍ତାବିତ ପ୍ରଦେଶରୁ ବାଦ ଦିଆଯିବା ଦୁର୍ଭାଗ୍ୟଜନକ ବୋଲି କାଉନସିଲରେ କ୍ଷୋଭ ପ୍ରକାଶ କରନ୍ତି। ୧୯୩୩ ମସିହା ମାର୍ଚ୍ଚ ୨୨ ତାରିଖରେ କାଉନସିଲରେ ସରକାରଙ୍କ ଶ୍ଵେତପତ୍ରରେ ଓଡିଆମାନଙ୍କ ନୈରାଶ୍ୟଜନକ ଚିତ୍ରର ବର୍ଣ୍ଣନା କରିଥିଲେ। ୧୯୩୫ ମସିହା ଜାନୁଆରୀ ୧୭ ତାରିଖରେ ଭାରତର ସମ୍ବିଧାନ ସଂପର୍କରେ ଯୁଗ୍ମ ସଂସଦ କମିଶନଙ୍କ ରିପୋର୍ଟ ଉପରେ ଓଡ଼ିଆମାନଙ୍କ ପ୍ରତି ପ୍ରଦେଶ ଗଠନ କାଳକ୍ରମେ ହୋଇଥିବା ଅବିଚାରର ପୁନଃ ବିଚାର ପାଇଁ ଦାବି କରିବା ସହ ସମଗ୍ର ଓଡିଆ ଭାଷୀ ଅଞ୍ଚଳମାନ ବିଭିନ୍ନ ପ୍ରଦେଶରୁ ଆଣି ଓଡିଶା ପ୍ରଦେଶରେ ରଖାଯିବାକୁ ପ୍ରସ୍ତାବ ଦେଲେ।
ଅନ୍ୟ ପ୍ରଦେଶରେ ରହିଯାଉଥିବା ଓଡ଼ିଆମାନଙ୍କ ସଂସ୍କୃତି ଓ ଭାଷା ସହ କଚେରୀମାନଙ୍କରେ ଓଡ଼ିଆ ଭାଷା ପ୍ରଚଳନ ଦିଗରେ ତାଙ୍କର ଦାବି ମଧ୍ୟ ଅନୁରୂପ ଦୃଢ ଥାଏ। ଏହା ପରେ ଅଟଲି କମିଟିରେ ସ୍ବତନ୍ତ୍ର ପ୍ରଦେଶ ଗଠନ ଓ ସୀମା ନିର୍ଦ୍ଧାରଣ ସଂକ୍ରାନ୍ତ ସଭ୍ୟପଦରେ ଥିଲେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ଲକ୍ଷ୍ମୀଧର ମହାନ୍ତି। ୧୯୩୨ ମସିହାରେ ଲକ୍ଷ୍ମୀଧର ମହାନ୍ତିଙ୍କ ସଭାପତିତ୍ଵରେ ହେଇଥିବା ଉତ୍କଳ ସମ୍ମିଳନୀର ବିଶେଷ ଅଧିବେଶନ ପରେ ଓଡ଼ିଆମାନଙ୍କ ଦାବିକୁ ସଫଳତା ଦେଇଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସମ୍ଵର୍ଦ୍ଧିତ ହୋଇଥିଲେ। ନିଜର ଏପରି କର୍ତ୍ତବ୍ୟ ନିଷ୍ଠା ସ୍ବରୂପ ସେ ପାଇଥିଲେ ୧୯୨୨ ମସିହାରେ ରାୟବାହାଦୁର ଓ ୧୯୪୧ ମସିହାରେ ଦେୱାନ ବାହାଦୁର ଉପାଧି।
ହେଲେ, ଏହି ମହୀୟାନ୍ ମହାପୁରୁଷ ୮୪ ବର୍ଷ ବୟସରେ ୧୯ ଏପ୍ରିଲ ୧୯୬୮ ମସିହାରେ କଟକ ସହରସ୍ଥିତ ଗଙ୍ଗାଧର ବାସଭବନରେ ଇହଲୀଳା ସମ୍ଵରଣ କରନ୍ତି।
ତଥ୍ଯସୂତ୍ର : ଉତ୍କଳ ମିଳନର ବିସ୍ମୃତ ନବରତ୍ନ (ଲେଖକ – ବିଷ୍ଣୁ ଚରଣ ମହାନ୍ତି )