ରାଧାକୃଷ୍ଣ ବିଶୋୟୀ

ଲେଖା: ନିରଞ୍ଜନ ସାହୁ

ଭାରତ ଇତିହାସରେ ଏକ ଘଟଣାବହୁଳ ଓ ଅଭିଶପ୍ତ ଅଧ୍ୟାୟ ରଚିତ ହୋଇଥିଲା ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ । ସେହି ସମୟରେ ସାମ୍ରାଜ୍ୟବାଦୀ ଇଂରେଜମାନେ ରବର୍ଟ କ୍ଲାଇବଙ୍କ ନେତୃତ୍ୱରେ ଭାରତରେ ଇଂରେଜ ଶାସନର ମୂଳଭିତ୍ତି ସ୍ଥାପନ କଲେ । ଦେଶ ପାଇଁ କ୍ରମେ କ୍ରମେ ପରାଧୀନତାର ଅମା ଅନ୍ଧାର ମାଡ଼ି ଆସିଲା । କିନ୍ତୁ ଓଡ଼ିଶାବାସୀ ଏତେ ସହଜରେ ନିଜର ସ୍ୱାଧୀନତାକୁ ବଳି ଦେବାପାଇଁ ପ୍ରସ୍ତୁତ ନଥିଲେ। ତେଣୁ ନିଜ ନିଜ ଶାସକଙ୍କ ନେତୃତ୍ୱରେ ବିଦେଶୀ ଶକ୍ତି କବଳରୁ ନିଜର ସ୍ଵାତନ୍ତ୍ର୍ୟ ବଜାୟ ରଖିବା ପାଇଁ ଓଡ଼ିଶାରେ ବିଭିନ୍ନ ପର୍ଯ୍ୟାୟରେ ସଂଗ୍ରାମ ଆରମ୍ଭ ହୋଇଥିଲା । ରାଧାକୃଷ୍ଣ ବିଶୋୟୀ ଥିଲେ ଏହି ସଂଗ୍ରାମର ଏକ ଚରମ ପ୍ରକାଶ, ପରାଧୀନତା ବିରୋଧରେ ଏକ ମୂର୍ତ୍ତିମନ୍ତ ପ୍ରତିବାଦ ।

ସେତେବେଳେ ଇଂରେଜ ଓ ଫରାସୀ – ଏହି ଦୁଇ ବୃହତ ଔପନିବେଶିକ ଶକ୍ତି ମଧ୍ୟରେ ଭାରତରେ ନିଳ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ସଂଘର୍ଷ ଚାଲିଥାଏ। ସଂଘର୍ଷର ଶେଷ ପର୍ଯ୍ୟାୟ । ୧୭୫୯ ମସିହାର କଥା। ପାରଳଖେମୁଣ୍ଡି ରାଜ୍ୟର ରାଜା ଥାଆନ୍ତି ନାରାୟଣ ଦେଓ । ଇଷ୍ଟ ଇଣ୍ଡିଆ କମ୍ପାନୀ ତରଫରୁ ଲର୍ଡ଼ କ୍ଲାଇବ୍ ରାଜା ନାରାୟଣ ଦେଓଙ୍କୁ ଫରାସୀ ଶକ୍ତି ବିରୁଦ୍ଧରେ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ନାରାୟଣ ଦେଓ ସେତେବେଳେ ଦୁଇ ବିଦେଶୀ ଶକ୍ତିଙ୍କ କଳହରେ ଅଯଥା ସମ୍ପୃକ୍ତ ହେବାକୁ ଅନିଚ୍ଛୁକ ହେଲେ । ଏପରି କରିବା ଦ୍ବାରା ସେ ଯେ କେବଳ କ୍ଲାଇବଙ୍କ ଧୂର୍ତ୍ତ କୂଟନୀତିକୁ ନିଷ୍ଫଳ କରି ଦେଇଥିଲେ ତାହା ନୁହେଁ, ମୋରାସିନ୍ ନାମକ ଜଣେ ଫରାସୀ କର୍ମଚାରୀଙ୍କୁ ମଧ୍ୟ ଗଞ୍ଜାମ ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିଲେ ।

ଏଥିରୁ ସ୍ପଷ୍ଟ ଜଣାପଡ଼ିଲା ଯେ, ପାରଳାଖେମୁଣ୍ଡିର ରାଜା କୌଣସି ବୈଦେଶିକ ଶକ୍ତିକୁ ଗଞ୍ଜାମରେ ସହଜରେ ଆସ୍ଥାନ ଜମାଇବାକୁ ଦେବେ ନାହିଁ । କିନ୍ତୁ ତାଙ୍କର ଏହି ନୀତି ସଫଳ ହୋଇ ପାରିଲା ନାହିଁ। ସେତେବେଳେ ସମଗ୍ର ଗଞ୍ଜାମ ଜିଲ୍ଲା ପାଇଁ ଇଷ୍ଟଇଣ୍ଡିଆ କମ୍ପାନୀ ଏଡୱର୍ଡ କୋଟସ୍ ଫୋର୍ଡଙ୍କୁ ରେସିଡେଣ୍ଟ ରୂପେ ନିଯୁକ୍ତ କରିଥିଲା । କୋଟସ୍ ଫୋର୍ଡଙ୍କ ସମର୍ଥନ ଓ ଇଷ୍ଟଇଣ୍ଡିଆ କମ୍ପାନୀ ସରକାରଙ୍କ ଦ୍ଵାରା ପ୍ରଭାବିତ ହୋଇ ବିଜୟନଗରମ୍ ରାଜାଙ୍କ ଭାଇ ସୀତାରାମ ରାଜୁ, ନାରାୟଣ ଦେଓ ଓ ତାଙ୍କ ସମର୍ଥକଙ୍କ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ବାହାରି ଆସିଲେ । ଏପରି ପରିସ୍ଥିତିରେ ନାରାୟଣ ଦେଓଙ୍କ ପ୍ରଜାଗଣ ଏକତ୍ରିତ ହୋଇ ଇଂରେଜ ଶକ୍ତିର ମୁକାବିଲା କରିବା ପାଇଁ ଦୃଢ଼ପ୍ରତିଜ୍ଞ ହେଲେ ।

ଇଂରେଜମାନେ ନାରାୟଣ ଦେଓ ଓ ତାଙ୍କ ପ୍ରଜାମାନଙ୍କୁ ଦମନ କରିବା ପାଇଁ ଏକ ଅଭିଜ୍ଞ ସଶସ୍ତ୍ର ସେନାବାହିନୀକୁ ସମସ୍ତ ସାମରିକ ପ୍ରସ୍ତୁତି ସହ ପଠାଇଥିଲେ । ଉଭୟ ପକ୍ଷ ଜାଲମୁରଠାରେ ୧୭୬୮ରେ ପରସ୍ପରର ସମ୍ମୁଖୀନ ହୋଇଥିଲେ । ଇଂରେଜ ସେନାଙ୍କ ନେତୃତ୍ବ ନେଇଥଲେ କର୍ଣ୍ଣେଲ ପିଚ । ସେ ଥିଲେ ଜଣେ ବିଚକ୍ଷଣ ସେନାଧ୍ୟକ୍ଷ । ତାଙ୍କ ଅଧୀନରେ ସୁପରିଚାଳିତ ଶକ୍ତିଶାଳୀ ଇଂରେଜ ସୈନ୍ୟମାନଙ୍କର ପ୍ରତିରୋଧ କରିବା ପାଇଁ ପାରଳାଖେମୁଣ୍ଡିର ପାଇକମାନେ ଅସମର୍ଥ ହେଲେ । ଜାଲମୁର ଦୁର୍ଗର ପତନ ଘଟିଲା । ଏହି ସଂଘର୍ଷରେ ପ୍ରାୟ ତିରିଶ ଜଣ ଦେଶଭକ୍ତ ମାତୃଭୂମି ପାଇଁ ଆତ୍ମବଳି ଦେଇଥିଲେ ।

କେବଳ ଯେ, ପାରଳାଖେମୁଣ୍ଡି କମିଦାରୀରେ ଏପରି ଘଟିଗଲା ତାହା ନୁହେଁ, ଏହାର ନିକଟବର୍ତ୍ତୀ ମହୁରି, ଖଲିକୋଟ, ତରଳା ଓ ଜଳନ୍ତରର ଜମିଦାରଗଣ ମଧ୍ୟ ଇଂରେଜ ଶକ୍ତିକୁ ବିରୋଧ କରିଥିଲେ । କିନ୍ତୁ କୌଶଳୀ ଇଂରେଜମାନେ ନିଜର ଶକ୍ତି ଓ ଚାଲିବାଜି ଦ୍ବାରା ଏହି  ବିଦ୍ରୋହର ଅଗ୍ନିକୁ ପ୍ରଶମିତ କରିବାରେ ସଫଳ ହୋଇଥିଲେ ।

ପରବର୍ତ୍ତୀ ସମୟରେ ରାଜା ନାରାୟଣ ଦେଓଙ୍କୁ  ବିଶାଖାପାଟଣାରେ ନଜରବନ୍ଦ କରି ରଖାଗଲା ସେ ସମୟରେ ପାରଳାଖେମୁଣ୍ଡି ଜମିଦାରୀ ପାଇଁ ରାଜସ୍ବ ଓ ସେସବୁର ତଦାରଖ ପାଇଁ ଆର୍ଯ୍ୟ ପାତ୍ରଙ୍କୁ ତରଫରୁ କମ୍ପାନୀ ତରଫରୁ ନିଯୁକ୍ତ କରାଗଲା । କିନ୍ତୁ ସେ ଏ କ୍ଷେତ୍ରରେ ଯେପରି ଅପରିଣାମଦର୍ଶିତା ଦେଖାଇଲେ ତାହା ଅସନ୍ତୋଷ ବୃଦ୍ଧି କରିଥିଲା । ପୁନଶ୍ଚ, ଇତି ମଧ୍ୟରେ ସୀତାରାମ ରାଜୁ, ନାରାୟଣ ଦେଓଙ୍କ ଜାମିନ ବାବଦ ଦୁଇଲକ୍ଷ ଟଙ୍କା କମ୍ପାନୀ ସରକାରଙ୍କୁ ଦେଇଛନ୍ତି ଦାବି କରିଥିଲେ ଏବଂ ତାହା ରାଜାଙ୍କ ତରଫରୁ ପରିଶୋଧ କରାଯାଇ ନାହିଁ ବୋଲି ଅଭିଯୋଗ କରିଥିଲେ । କମ୍ପାନୀ ସରକାର ସୀତାରାମ ରାଜୁଙ୍କୁ ଏହି ଅର୍ଥ ଦେବାକୁ ନିର୍ଦ୍ଦେଶ ଦେବାରୁ ନାରାୟଣ ଦେଓ ଏହା ମୂଳରେ କୌଣସି ସତ ନାହିଁ ବୋଲି କହିଲେ । ତେଣୁ ଇଂରେଜ ସରକାର ପାରଳାଖେମୁଣ୍ଡିର ନରସେନପେଟା ଓ ଶ୍ରୀକାକୁଲମ୍ ସମେତ ଏକ ବିରାଟ ଅଂଶ ପାରଳାଖେମୁଣ୍ଡି ଜମିଦାରୀରୁ ନିଜ ଅଧିନକୁ  ନେଇ ଯାଇଥିଲେ।

ଏହାପରେ ପରେ ନାରାୟଣ ଦେଓଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ତାଙ୍କର ଉତ୍ତରାଧିକାରୀ ପୁରୁଷୋତ୍ତମ ଦେଓ ନାବାଳକ ଥିଲେ । ତେଣୁ ପାରଳା ଜମିଦାରୀର ତତ୍ତ୍ଵାବଧାରକ ଭାବେ କମ୍ପାନୀ ସରକାର ଜଣେ କର୍ମଚାରୀଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ଉକ୍ତ କର୍ମଚାରୀଙ୍କ ଉଦ୍ଧତ ଆଚରଣ ଓ ସ୍ଵେଛାଚାରୀ କାର୍ଯ୍ୟକଳାପ ପାରଳାବାସୀଙ୍କୁ ବହୁଭାବେ ଉତ୍ତ୍ୟକ୍ତ କରିଥିଲା । ପ୍ରଜାଙ୍କର ଅସନ୍ତୋଷର ସୁଯୋଗ ନେଇଥିଲେ ବିଧବାରାଣୀ, ପାଟ ମହାଦେବୀ । ସେ ଜିରାଙ୍ଗ, ଗୁମା, ସେରଙ୍ଗ ଓ ରାୟଗଡ଼ାର ବିଶୋୟୀମାନଙ୍କୁ ନେଇ ଇଂରେଜ ଶକ୍ତିର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ସାହାଯ୍ୟ କରିଥିଲେ ବଣଜଙ୍ଗଲ, ଗିରିକନ୍ଦରରେ ରହୁଥିବା ଆଦିବାସୀମାନେ ।

ସେତେବେଳେ ଏହି ଇଂରେଜ ବିରୋଧୀ ଆନ୍ଦୋଳନରେ ଯୋଗ ଦେବା ପାଇଁ ସ୍ଥାନୀୟ ଲୋକମାନଙ୍କୁ ଯିଏ ସର୍ବାଧିକ ପ୍ରଭାବିତ କରି ପାରିଥିଲେ, ସେ ଥିଲେ ରାଧାକୃଷ୍ଣ ବିଶୋୟୀ । ତାଙ୍କର ଦୃଢ଼ ନେତୃତ୍ବ ଯୋଗୁଁ କେବଳ ପାରଳାଖେମୁଣ୍ଡି ନୁହେଁ, ଏହାର ଆଖପାଖ ଅଞ୍ଚଳର ବାସିନ୍ଦାମାନେ ମଧ୍ୟ ଇଂରେଜ ଶାସନ ବିରୁଦ୍ଧରେ ସଂଗ୍ରାମ ପାଇଁ ଆଗଭର ହୋଇଥିଲେ । ଇଂରେଜ ସରକାରଙ୍କ ପାଇଁ ଏହା ଏକ ଗଭୀର ଚିନ୍ତାର କାରଣ ହେଲା । ରାଧାକୃଷ୍ଣଙ୍କ ନେତୃତ୍ୱରେ ଇଂରେଜ ବିରୋଧୀ ଆନ୍ଦୋଳନ କ୍ରମଶଃ ଏତେ ବ୍ୟାପକ ହୋଇପଡି଼ଲା ଯେ, ବ୍ରିଟିଶ ସରକାର ବିଦ୍ରୋହୀମାନଙ୍କ ସହ ସଂଘର୍ଷ ମାଧ୍ୟମରେ ଏହାକୁ ଦମନ କରିବା ସୁବିଧାଜନକ ନୁହେଁ ବୋଲି ବିଚାରିଲେ । ତେଣୁ ଧୂର୍ତ୍ତ ଇଂରେଜମାନେ କୂଟନୀତି ପ୍ରୟୋଗ କରି ଏହାକୁ ଦମନ କରିବା ପାଇଁ ଉଦ୍ୟମ କଲେ । ମାଡ୍ରାସରୁ ଇଂରେଜ ସେନାଧ୍ୟକ୍ଷ ଏଡ଼ୱଡ଼ ରସେଲ୍ ପାରଳାଖେମୁଣ୍ଡି ଆସି ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ କରି ଜାଣିପାରିଲେ ଯେ, ଯଦି ବିଦ୍ରୋହୀ ନେତା ରାଧାକୃଷ୍ଣ ବିଶୋୟୀଙ୍କୁ ଧରାଯାଇ ପାରିବ, ତେବେ ବିଦ୍ରୋହ ଦମନ କରିବା ସହଜସାଧ୍ୟ ହେବ ।

ଏଡୱର୍ଡ ରସେଲ ରାଧାକୃଷ୍ଣ ବିଶୋୟୀଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ରଚନା କଲେ । ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ରସେଲ କୌଶଳକ୍ରମେ ହାତ କରିନେଲେ । ରସେଲଙ୍କ ପ୍ରରୋଚନାରେ ଉକ୍ତ ବନ୍ଧୁ ଜଣକ ଦିନେ ରାତ୍ରିଭୋଜନ ପାଇଁ ରାଧାକୃଷ୍ଣଙ୍କୁ ନିଜ ଘରକୁ ଆମନ୍ତ୍ରଣ କଲେ । ରାଧାକୃଷ୍ଣ ବିଶୋୟୀ ବନ୍ଧୁଙ୍କ ଘରେ ଉପସ୍ଥିତ ହେଲେ । ଇଂରେଜସୈନ୍ୟ ଲୁଚି ରହିଥିଲେ ପୂର୍ବ ସଲାସୁତୁରା ହୋଇଥିବା ଯୋଗୁଁ। ଅର୍ଥାତ ରାଧାକୃଷ୍ଣଙ୍କୁ ଧରାଇ ଦିଆଗଲା ! ନିଜର ବିଦ୍ରୋହାତ୍ମକ କାର୍ଯ୍ୟକଳାପ ପାଇଁ ଇଂରେଜ ମାନଙ୍କ ଦ୍ବାରା ୧୭୭୦ ମସିହା ଡିସେମ୍ବର ମାସରେ ମୃତ୍ୟୁଦଣ୍ଡ ପାଇଥିଲେ ।

ଭାରତ ଇଂରେଜ ମାନଙ୍କ ଦ୍ବାରା ଅଧିକୃତ ହେବା ପରେ ପରାଧୀନତାରୁ ଦେଶକୁ ମୁକ୍ତ କରିବା ପାଇଁ କେତେ ବୀର ସ୍ଵାଧୀନ ଚେତା ପ୍ରାଣବଳି ଦେଇଥିବା ଇତିହାସ କହେ । କ୍ଷୋଭର ସହ ଏହା ଆମେ କହିପାରିବା ଯେ, ପ୍ରାକ୍ କାଳରେ ଯେଉଁ କେତେ ଜଣ ଜୀବନକୁ ଉତ୍ସର୍ଗ କରିଦେଇଥିଲେ, ସେମାନେ ଏ ପର୍ଯ୍ୟନ୍ତ କୌଣସି ପୃଷ୍ଠାରେ ସ୍ଥାନିତ ହୋଇପାରିଲେ ନାହିଁ । ସଂଗଠିତ ବିଦ୍ରୋହର ଅନେକ ପୂର୍ବରୁ ତ ରାଧାକୃଷ୍ଣ ବିଶୋୟୀ ! ଆମେ ତାଙ୍କୁ ମନେ ରଖିଛନ୍ତି କି ? ଉତ୍ତର ‘ନା’, ଆମେ କେବେ ଭାବିଛନ୍ତି କି ? “ଏଭଳି ଜଣେ ବୀର ପୁଅ ଓଡ଼ିଶାରେ ଜନ୍ମ ନେଇଥିଲେ ?” ଆମେ କେହି ଭାବି ନାହାଁନ୍ତି କି ଭାବିବା ପାଇଁ ଆଗ୍ରହୀ ନୁହନ୍ତି ! ଏହି ତ ଆମ ଜାତିର ବିଡ଼ମ୍ବନା !

ଆଜି ଦେଶ ମାତୃକାର ସ୍ଵାଧୀନତା ବଜାୟ ରଖିବା ପାଇଁ ପ୍ରାଣବଳି ଦେଇଥିବା ସଂଗ୍ରାମୀ ରାଧାକୃଷ୍ଣ ବିଶୋୟୀଙ୍କୁ ଦଣ୍ଡବତ ପ୍ରଣାମ ଜଣାଇବା ଛଡ଼ା କ’ଣ ବା ଅଛି ‘ଅନ୍ତରଙ୍ଗ କଳିଙ୍ଗ’ ନିକଟରେ ? ସଂଗ୍ରାମୀ ଅଭିବାଦନ ।

ଆଧାର: ପ୍ରଫେସର ଡ. ନିହାର ରଞ୍ଜନ ପଟ୍ଟନାୟକ

Image Courtesy: odishatv.in

Leave a Comment

Your email address will not be published. Required fields are marked *

Scroll to Top