ରାଜ୍ୟର ପ୍ରାଚୀନ ଗଣପତିପୀଠ

ଲେଖା: ଦେଵ ତ୍ରିପାଠୀ
ଚଣ୍ଡୀମାତା, ଧବଳେଶ୍ଵର, ସିଦ୍ଧେଶ୍ୱର, ସର୍ପେଶ୍ୱର, ଅମରେଶ୍ୱର, ଗଡ଼ଗଡେଶ୍ୱର ପରି ବହୁବିଦିତ ପ୍ରାଚୀନ ମନ୍ଦିରଗୁଡିକ ପାଇଁ ଖ୍ୟାତିମାନ୍ ମହାନଗର କଟକରେ ମଧ୍ୟ ରହିଛି କେତୋଟି ପ୍ରାଚୀନ ଗଣେଶ ମନ୍ଦିର, ତନ୍ମଧ୍ୟରୁ କେଉଁଟି ମୋଗଲ ଓ ମରହଟ୍ଟା ସମୟର, ତ କେଉଁଟି କଳାମୁଗୁନି ପଥରର, ଆଉ କେଉଁଟି ଶଙ୍ଖମର୍ମର, ପୁଣି କେଉଁଟି ଅତ୍ୟନ୍ତ ବିରଳ ମୂର୍ତ୍ତି । 
ପଞ୍ଚଦଶ ଶତାବ୍ଦୀର ସିଦ୍ଧିବିନାୟକ ମନ୍ଦିରର ବିରଳ ପ୍ରତିମା; ଅବା ବାରବାଟି ଦୁର୍ଗ ମଧ୍ୟରେ ଏକଦା ଗଡଚଣ୍ଡୀଙ୍କ ସହ ପୂଜା ପାଉଥିବା ଏବଂ ପରବର୍ତ୍ତୀ ସମୟରେ ବଢେଇ ସାହିର କଳାମୁଗୁନି ପଥରର ମୂର୍ତ୍ତି; ଛତ୍ରବଜାରର ବିରଳ ତଥା ରାଜ୍ୟର ଏକମାତ୍ର ଉର୍ଦ୍ଧ୍ବମୁଖା ଗଜାନନ ମୂର୍ତ୍ତି ବହୁ ପ୍ରାଚୀନ ଓ ଐତିହାସିକ । କିମ୍ବଦନ୍ତୀବହୁଳ ରାଜ୍ୟର ପ୍ରାଚୀନ ଗଣପତିପୀଠ ଗୁଡିକ ଉପଯୁକ୍ତ ଗବେଷଣାର ଆଶା ରଖନ୍ତି ।
ଉତ୍କଳରେ ଗଣପତି ଉପାସନାର ବିଶେଷ ପ୍ରଚଳନ ନ ଥିବା କାରଣରୁ ହୁଏତ ବର୍ତ୍ତମାନ ସମୟରେ ରାଜ୍ୟର ପ୍ରାଚୀନ ଗଣପତିପୀଠ ଗୁଡିକରେ ପୂଜିତ ପ୍ରାଚୀନ ମୂର୍ତ୍ତିମାନ ପ୍ରାୟତଃ ଦକ୍ଷିଣ ଭାରତୀୟ କିମ୍ବା ମରାଠା ମାନଙ୍କ ପ୍ରଭାବରେ ସ୍ଥାପିତ ହେବାର ଅନୁମାନ କରାଯାଏ । ତେବେ ରାଜ୍ୟର ସାଂସ୍କୃତିକ ରାଜଧାନୀ ଐତିହାସିକ କଟକନଗରୀରେ ବାରବାଟୀ ଦୁର୍ଗ ସ୍ଥାପନା କିମ୍ବା ପରବର୍ତ୍ତୀ ସମୟରେ ସ୍ଥାପିତ ହୋଇଥିବା ଏବଂ ଗଡଚଣ୍ଡୀଙ୍କ ସହିତ ପୂଜାପାଉଥିବା କଥା ଇତିହାସରୁ ସୁସ୍ପଷ୍ଟ । 
ତେବେ କଳାପାହାଡ଼ ଆକ୍ରମଣ ସମୟରେ ଭଗବାନଙ୍କୁ ପାତାଳୀ କରାଯାଇଥିଲା, ଏବଂ ପ୍ରାୟ ଦେଢ ଶତାବ୍ଦୀପରେ ପୁନଃ ସ୍ଥାପିତ କରାଯାଇଥିଲା । 
ଦୁର୍ଭାଗ୍ୟକୁ ଓଡ଼ିଶା ଇତିହାସର ମୂକସାକ୍ଷୀ ଏଇ ପ୍ରସିଦ୍ଧ ବିଗ୍ରହ ଆଜି ଲୋକଲୋଚନର ଆଢ଼ୁଆଳରେ ! ତେବେ କଳାକାରିଗରିର ସ୍ବର୍ଗ ଭାବେ ପରିଚିତ ଏଇ କଟକ ମହାନଗରୀର କାଷ୍ଠଶିଳ୍ପୀକୂଳର ଇଷ୍ଟଦେବତା ପଥୁରିଆସାହିର ଏଇ ଗଣେଶଜୀଉ ମହାପ୍ରଭୁ ମହାନଗରବାସୀଙ୍କ ଜୀବନଯାତ୍ରାକୁ ପ୍ରଭାବିତ କରିବା ସହିତ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଆସୁଛନ୍ତି । 
କଟକରେ ମଧ୍ୟ ଆଧୁନିକ ସମୟରେ କ୍ଲବରୁ ମନ୍ଦିରରେ ରୂପାନ୍ତରିତ ହୋଇଥିବା କେତେକ ଗଣପତି ପୀଠ ବହୁ ସ୍ବାତନ୍ତ୍ର୍ୟ ବହନ କରନ୍ତି ।

Leave a Comment

Your email address will not be published. Required fields are marked *

Scroll to Top