~ ସୋମେଶ୍ୱର ତୀର୍ଥ ଓ ମୁଦ୍ଗଳ ମାଧବ ~
ଲେଖା: ଅମୃତେଶ ଖଟୁଆ
କାକଟପୁର-କୋଣାର୍କ ରାସ୍ତାରେ ଗଲା ବେଳକୁ ଦକ୍ଷିଣପୂର୍ବ ଦିଗକୁ ପ୍ରାୟ ଛଅ କିଲୋମିଟର ପରେ ପଡ଼ିବ ବାଜପୁର ଛକ । ମା’ ମଙ୍ଗଳାଙ୍କ ପୀଠରୁ ସଳଖ ପୂର୍ବ ଦିଗ ଅଭିମୁଖେ ଗସ୍ତ କରିଲେ ଆଗକୁ ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ ଓ ରାସ୍ତାର ବିପରୀତ ପଟେ ସୋମେଶ୍ଵର ଶମ୍ଭୁଙ୍କ ଆଧୁନିକ ଦେଉଳ ରହିଛି । ଏହି ଦେବତା ପୁରାଣପ୍ରସିଦ୍ଧ ପ୍ରାଚୀ ଉପତ୍ୟକାର ଦ୍ଵାଦଶ ଶମ୍ଭୁଙ୍କ ମଧ୍ୟରେ ଅନ୍ୟତମ ଓ ଏହାଙ୍କ କିମ୍ବଦନ୍ତୀ ଅନୁଯାୟୀ ଚନ୍ଦ୍ର ବୃହସ୍ପତି ଭାମିନୀ ତାରାଙ୍କୁ କାମୋଦ୍ଦୀପନାରେ ଅପହରଣ କରି ତାଙ୍କ କୁଷ୍ଠରୋଗର ଅଭିଶାପ ଦେବା ସହ ନିଜ ଷୋଳକଳା ମାନଙ୍କ ଅବକ୍ଷୟର ସମ୍ମୁଖୀନ ହୋଇଥିଲେ ।
ଭୀତତ୍ରସ୍ତ ଚନ୍ଦ୍ର ସୁରଗୁରୁଙ୍କୁ କ୍ଷମା ଯାଚନା କରିବାରୁ ସେ ପ୍ରାଚୀ ନଦୀର ଦକ୍ଷିଣ ସ୍ରୋତ କୂଳରେ ଅବସ୍ଥିତ ଶମ୍ଭୁଙ୍କ ଉପାସନା ସକାଶେ ନିର୍ଦ୍ଦେଶ ଦିଅନ୍ତି । ଦେବଗୁରୁଙ୍କ ଆଦେଶ ଓ ବ୍ରହ୍ମାଙ୍କ ତତ୍ତ୍ଵାବଧାନରେ ଶିବସେବା ପାଇଁ ତତ୍ପର ଚନ୍ଦ୍ର ସହସା ଆସି ପ୍ରାଚୀର ଅନ୍ୟତମ ଶାଖା ଉତ୍ତରାୟଣୀ ନଦୀ କୂଳରେ ପହଞ୍ଚି ସୋମେଶ୍ବରଙ୍କୁ ପୂଜା କରିଥିଲେ । ଆଜି ଏହି ନଦୀର ଅନ୍ୟ ନାମ ‘କାଳିଆ ଯୋଡ଼‘ ଯାହା କାକଟପୁର ଥାନାର ହରିଦାସପୁର ଓ କୁଣ୍ଡେଇ ଗ୍ରାମ ମଧ୍ୟସ୍ଥାନରେ ପ୍ରାଚୀ ନଦୀରୁ ଉଦ୍ବୃତ୍ତ ହୋଇ ଦକ୍ଷିଣମୁଖୀ ପ୍ରବାହିତ ହେଉଛି ।
ଏହି ପ୍ରାଚୀନ ଉତ୍ତରାୟଣୀ ନଦୀ ହିଁ ମୂଳ ପ୍ରାଚୀ ନଦୀର ଅବଶେଷ ସ୍ଵରୂପ ବର୍ଷଯାକ ଝରନିଃସୃତ ଅଥବା କଦବାକ୍ବଚିତ୍ ଭୂତଳ ଜଳ ଦ୍ଵାରା ପୂର୍ଣ୍ଣ ହୋଇ ରହିଥାଏ ଏବଂ କୁଣ୍ଢେଇ ଗ୍ରାମର ଶଙ୍କରେଶ୍ଵର ମହାଦେବଙ୍କ ପୃଷ୍ଠଭାଗରେ ସାମାନ୍ୟ ପୂର୍ବଦିଗକୁ ଢଳି ପୁନର୍ବାର ଦକ୍ଷିଣକୁ ବଙ୍କି ନାସିକେଶ୍ଵର ଦେଇ ପରିଶେଷରେ କେଳୁଣି ମୁହାଣ ଠାରେ କାଦୁଅ ନଦୀ ସହ ମିଳିତ ହୋଇଯାଏ ।
ପ୍ରାୟ ଏକାଦଶ ଶତାବ୍ଦୀର ମନ୍ଦିର ବୋଲି ଏହାର ଭଗ୍ନ ପୀଠଦେଶ (ଯାହା ଭିତ୍ତି ଉପରେ ବର୍ତ୍ତମାନ ଏକ ପୀଢ଼ ଦେଉଳ ପୁନର୍ଗଠିତ) ସମେତ ଚତୁଷ୍ପାର୍ଶ୍ବ ଦେଉଳ ଗାତ୍ରରେ ଥିବା ବିସ୍ଥାପିତ ଉମା ମହେଶ୍ଵର ଓ ଶକ୍ତି ପାର୍ବତୀ ବିଗ୍ରହ ଦୃଶ୍ୟମାନ ହେବେ । ଏହି ମନ୍ଦିର ଠାରୁ ପ୍ରାଚୀ ନଦୀ ପ୍ରାୟ ଏକ ମାଇଲ ପଶ୍ଚିମ-ଦକ୍ଷିଣରେ ପ୍ରବାହିତା ।
ଏଠି ଥିବା ପୁରୁଣା ଇଟାର ମନ୍ଦିର ଭାଙ୍ଗିଯିବା ପରେ ସେହି ସ୍ଥାନରେ ମୂଳାଗଡ଼ର ବ୍ରାହ୍ମଣମାନେ ପ୍ରସ୍ତରର ଗୋଟିଏ ପୀଢ଼ ମନ୍ଦିର ଗଢ଼ି ଦେଇଛନ୍ତି । ପୁରାଣ ଅନୁଯାୟୀ ପ୍ରାଚୀ ନଦୀର ଦକ୍ଷିଣ ତଟ ଯାକ ପ୍ରତ୍ୟେକ କ୍ରୋଶ ବ୍ୟବଧାନରେ ପାପବିନାଶ କାରୀ ଶିବତୀର୍ଥ ବିଦ୍ୟମାନ । ପ୍ରତ୍ୟେକ ପୁଣ୍ୟ ମାସ, ବିଷୁବ ତିଥି ଓ ସଂକ୍ରାନ୍ତି ମାନଙ୍କ ଦିନ ସ୍ନାନ ତଥା ତୀର୍ଥବ୍ରଜରେ ଦେବ ସାଯୁଜ୍ୟ ମୋକ୍ଷ ଲାଭ ହୋଇଥାଏ ।
ଏହି ସୋମେଶ୍ୱରଙ୍କ ଠିକ୍ ପରବର୍ତ୍ତୀ ଛକ ଦେଇ ଡାହାଣ ପଟକୁ ବୁଲିକି ବୋଇତକୁଦ ଗାଁ ପଡ଼ିବ ଓ ସେଇବାଟେ ପୁଣି ପ୍ରାୟେ ପୂର୍ବ ଦିଗ ଓ କ୍ରମଶଃ ଦକ୍ଷିଣ ହୋଇ ୨ କିମି ରାସ୍ତାରେ ଗଲେ ମୁଦ୍ଗଳ ଗ୍ରାମ ପଡ଼ିବ । ଉତ୍ତର ପଟୁ ଗ୍ରାମକୁ ପ୍ରବେଶ କଲେ ସିଦ୍ଧେଶ୍ଵରଙ୍କ ମନ୍ଦିର ରହିଛି ଓ ଗ୍ରାମ ଶେଷ ମୁଣ୍ଡକୁ ରହିଛି ମୁଦ୍ଗଳ ମାଧବଙ୍କ ମନ୍ଦିର । ସରଳ ବାଟ ପାଇଁ ଜିଉନ୍ତି ଛକରୁ ହେଇ ଦକ୍ଷିଣାଭିମୁଖୀ ଗଲେ ସିଧାସଳଖ ପର୍ଯ୍ୟଟକ ଶ୍ରଦ୍ଧାଳୁ ଏହି ଗ୍ରାମକୁ ଅନାୟାସରେ ପାଇ ଯାଇପାରିବେ ।
ଏହି ସିଦ୍ଧେଶ୍ୱରଙ୍କ ପୂର୍ବ ଇଟା ମନ୍ଦିର ମଧ୍ୟ ସୋମେଶ୍ୱରଙ୍କ ଦେଉଳ ଅନୁରୂପ ଭଗ୍ନାପନ୍ନ ହୋଇ ଭୂମିସାତ ହୋଇଥିଲା । ସ୍ଥାନୀୟ ମୁଦ୍ଗଳ ଗ୍ରାମ ଜମିଦାର ଖଣ୍ଡିଏ ଛପର ଘରେ ଶିବଲିଙ୍ଗଙ୍କ ପୂଜା ଖଞ୍ଜିଥିଲେ । ବର୍ତ୍ତମାନ ସେ ୨-୩ ହାତ ଦୂରରେ ଏକ ଆଧୁନିକ ମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି ଓ ପୁରାତନ ମନ୍ଦିର ପାର୍ଶ୍ଵରେ ମାନବାକୃତି ଋଷି ପ୍ରତିମା ରହିଛି ।
ଲୋକମୁଖରେ ସେ ହେଉଛନ୍ତି ମୁଦ୍ଗଳ ମାଧବଙ୍କ ପ୍ରତିଷ୍ଠାତା ମୁଦୁଗଳ (ମୁଦଗଲ) ବା ମୁଦ୍ଗଳ ଋଷି । ଜିତେନ୍ଦ୍ରିୟ ଓ ପରମ ବିପ୍ର ମୁଦ୍ଗଳ ଋଷି ହେଉଛନ୍ତି ଶାକଲ୍ୟ ନାମକ ଋଷିଙ୍କ ଅନ୍ୟତମ ଶିଷ୍ୟ ଓ ଏହାଙ୍କ ଅନ୍ୟତମ ବୈଶିଷ୍ଟ୍ୟ ଥିଲା ଯେ ସେ କ୍ରୋଧ ଉପରେ ଅନନ୍ୟ ବିଜୟ ପ୍ରାପ୍ତି କରିଥିଲେ । ସେ ସଶରୀର ସ୍ଵର୍ଗ ଲାଭ ପାଇଁ ସୁଦ୍ଧା ପ୍ରତ୍ୟାଖାନ କରି ଶ୍ରେଷ୍ଠ ନିର୍ବାଣ ପଦବୀ ଲାଭ କରନ୍ତି । ଏହାଙ୍କ ଗୋତ୍ର ‘ମୁଦ୍ଗଳ’ ନାମରେ ପରିଚିତ ଓ ପରବର୍ତ୍ତୀ ସମୟରେ ଏହାଙ୍କ ଗୋତ୍ରପ୍ରବରଙ୍କ ବ୍ରାହ୍ମଣକୁଳ ‘ମୌଦ୍ଗଳ’ ବୋଲି ଅଭିହିତ ହୋଇଛି ।
ଓଡ଼ିଶାର ଇତିହାସରେ ମୌଦ୍ଗଳ ବଂଶମାନଙ୍କ ଉଲ୍ଲେଖ ଗୁପ୍ତବଂଶ ପରବର୍ତ୍ତୀ ସମୟରେ ପ୍ରଥମତଃ ପରିଲକ୍ଷିତ ହେଇଛି । ଏହି ସମୟରେ ପ୍ରାୟ ଆଦ୍ୟ ମାଧବ ବିଗ୍ରହଙ୍କ ଉପାସନା ଓ ସେମାନଙ୍କ ଦେଉଳ ନିର୍ମାଣର ଉପକ୍ରମ ଘଟେ । ପ୍ରାୟ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଦୀର୍ଘ ୨୩୧ ବର୍ଷର ରାଜତ୍ଵ ସମୟରେ ଓଡ଼ିଶା ମାଠର ବଂଶ ଅଧୀନ, ଯେଉଁ ଶାସକମାନେ ଗୁପ୍ତବଂଶୀ ମାଧବସେନଙ୍କ ପ୍ରବର୍ତ୍ତିତ ମାଧବପୂଜାକୁ ପରମ୍ପରାଭୁକ୍ତ କରାଇବାରେ ସହାୟ ହେଇଥିବା ବିଦିତ ଓ ଶୈଳୋଦ୍ଭବମାନଙ୍କ ସମୟରେ ପ୍ରସାରିତ ।
ପରାକ୍ରମଗୌରବ ଗୁପ୍ତବଂଶୀ ରାଜା ସମୁଦ୍ରଗୁପ୍ତଙ୍କ ଦକ୍ଷିଣାପଥ ଅଭିଯାନର ଅବ୍ୟବହିତ ପରେ ପ୍ରାୟ ଖ୍ରୀ. ୩୫୦ ଠାରୁ ଅବିଭକ୍ତ କଳିଙ୍ଗର ମାଠର ବଂଶ ସୃଷ୍ଟ । ପତନୋତ୍ତର ଗୁପ୍ତବଂଶ ପରେ ଅନେକ ସ୍ଥାନୀୟ ସ୍ଵାଧୀନ ରାଜ୍ୟମାନଙ୍କରେ ଉତ୍ଥିତ ରାଜବଂଶ ମଧ୍ୟରେ ଏମାନେ ଅନ୍ୟତମ । ଧର୍ମପରାୟଣ ଓ ବ୍ରାହ୍ମଣବତ୍ସଳ ରାଜାମାନଙ୍କ ଅନୁକମ୍ପା ଯୋଗେ ମାଠର ବଂଶ ରାଜା ନିଜ ସମୟରେ ସମସ୍ତ ଧର୍ମମାନଙ୍କୁ ଯଥୋଚିତ ମର୍ଯ୍ୟାଦା ପ୍ରଦାନ କରିଛନ୍ତି ।
ଏମାନଙ୍କ ସମୟରେ ମାଧବ ପୂଜାର ଦୃଷ୍ଟାନ୍ତ ଓଡ଼ିଶାର ଦକ୍ଷିଣାଞ୍ଚଳରେ ପରିଲକ୍ଷିତ ହେବା ସହ ପରବର୍ତ୍ତୀ ଦକ୍ଷିଣ ତୋଷାଳୀ (ଦକ୍ଷିଣରେ ଅବିଭକ୍ତ ଗଞ୍ଜାମ, ଗଜପତି ଓ ପାରଳାଖେମୁଣ୍ଡି ସହିତ ଆଧୁନିକ କନ୍ଧମାଳ, କଟକ ଓ ଢେଙ୍କାନାଳ ଜିଲ୍ଲାର ଦକ୍ଷିଣ-ପଶ୍ଚିମାଂଶ) ରେ ଏହି ମୌଦ୍ଗଳ ବଂଶ ଶାସନ ଥିଲା । ଯୁଦ୍ଧାଭିସାରୀ ଓ ସାମ୍ରାଜ୍ୟବିସ୍ତାରୀ ଶାସକ ରୂପରେ ଏମାନେ ରାଜ୍ୟର ନିରନ୍ତର ପରିସର ବୃଦ୍ଧି ସକାଶେ ସଂଘର୍ଷରତ ରହୁଥିଲେ ଓ ପଟିଆ ତାମ୍ରଶାସନରୁ ଜଣାଯାଏ ଯେ ଏହାଙ୍କ ଅନ୍ୟତମ ରାଜା ଶିବରାଜ କେତେକ ବ୍ରାହ୍ମଣମାନଙ୍କୁ ଭୂଦାନ କରିଥିଲେ ।
ଆଜିର ଭୁବନେଶ୍ବର ଅନ୍ତର୍ବର୍ତ୍ତୀ ପଟିଆ ଅଞ୍ଚଳର ଶିଖରଚଣ୍ଡୀ ଠାରୁ ପ୍ରାପ୍ତ ଏହି ଶିବରାଜଙ୍କ ତାମ୍ରଶାସନରେ ଉଲ୍ଲିଖିତ ଯେ ୩୭ ଜଣ ବ୍ରାହ୍ମଣମାନଙ୍କୁ ଏହି ଦାନ କରିଥିଲେ । କିନ୍ତୁ ଏଥିରେ ତାଙ୍କ ଉପାଧି ‘ପରମମାହେଶ୍ବର’ର ଉଲ୍ଲେଖ ଶୈବ ପ୍ରସାରକୁ ପ୍ରାଞ୍ଜଳ ଦର୍ଶାଉଥିଲେ ସୁଦ୍ଧା ତାଙ୍କ ପରେ ଆସିଥିବା ବିନ୍ଧ୍ୟାଟବୀ ଦକ୍ଷିଣରୁ ପ୍ରତିବେଶୀ ଶୈଳୋଦ୍ଭବ ବଂଶଙ୍କ ଦ୍ଵାରା ଯତ୍ ସାମାନ୍ୟ ଏହି ମାଧବ ପୂଜାର ପରମ୍ପରା ପ୍ରସାରିତ ହୋଇଛି ।
ଏହି ଆଲୋଚନାରେ ତଥାପି ଯେଉଁ ବୈଷ୍ଣବ ପ୍ରଭାବ ସାମନ୍ତ ଶାଖା ରାଜାମାନେ ପ୍ରବର୍ତ୍ତିତ କରିଥିଲେ ତାହାର ଅଭିବୃଦ୍ଧି ଘଟିଥିଲା ଗଙ୍ଗଶାସକଙ୍କ ସମୟରେ । ଇତ୍ୟବସରରେ କାକଟପୁରର ମୁଦ୍ଗଳ ଗ୍ରାମରେ ଥିବା ମୁଦ୍ଗଳ ମାଧବଙ୍କ ପାଖରେ ମୁଦ୍ଗଳ ଋଷିରୂପେ କଥିତ ‘ଆଦି ମାଧବ’ (୮ମ ଶତାବ୍ଦୀର ବିଗ୍ରହ) ସୂଚୀତ କରୁଛନ୍ତି ଯେ ଗଙ୍ଗବଂଶର ଅନେକ ଶତାବ୍ଦୀ ଅବ୍ୟବହିତ ପୂର୍ବରୁ ସ୍ଥାନୀୟ ଶାସକଙ୍କ ଉଦ୍ୟମରେ ମାଧବ ଉପାସନା ପ୍ରାଚୀ ଉପତ୍ୟକାର ଉକ୍ତ ଅଞ୍ଚଳରେ ଆରମ୍ଭ ହୋଇ ସାରିଛି ।
ଭାରତବର୍ଷଯାକ ସମଭଙ୍ଗରେ ଦଣ୍ଡାୟମାନ ଯେତେକ ପ୍ରତିଷ୍ଠିତ ବିଷ୍ଣୁ ବିଗ୍ରହ ହେଉଛନ୍ତି ପ୍ରାଚୀନ ପରିକଳ୍ପନାର ନିଦର୍ଶନ । ଏହାର ଦୁଇଟି କାରଣ, ପ୍ରଥମ ପର୍ଯ୍ୟାୟରେ ଦ୍ବିଭୁଜ ମାନବାକାର ବିଷ୍ଣୁଙ୍କ ସହ କେବଳ ଚକ୍ର ଓ ଗଦା ଯଥାକ୍ରମେ ପୁରୁଷ ଓ ଦେବୀ ରୂପେ ଦିଶନ୍ତି ଅଥବା ସ୍ଥାନକ ପ୍ରତିମା ଭାବରେ ପଦ୍ମାସନ ଗ୍ରହଣ କରିଥିବେ । ଏହି କୃତିମାନଙ୍କ ମଧ୍ୟରେ ଅନ୍ୟତମ ଆଦି ମାଧବ ସମଭଙ୍ଗରେ ଦଣ୍ଡାୟମାନ ଓ ତାଙ୍କ ଦକ୍ଷିଣ ହସ୍ତରେ ଜପମାଳା ଓ ବାମ ହସ୍ତରେ କମଣ୍ଡଳୁ ରହିଛି, ଯାହାର ଭ୍ରମସ୍ଵରୂପ ଲୋକମୁଖରେ ସେ ମୁଦ୍ଗଳ ଋଷି ବୋଲି ଜଣାପଡ଼ନ୍ତି ।
କୁଟିଳ ଗତି ତଳ ସ୍ପର୍ଶ ।
ପ୍ରାଚୀ ଗଭୀର ସେ ବିଶେଷ ।।
ସେଠାରୁ ଆହେ ମୁନୀଶ୍ଵର ।
ଗମନ୍ତି ପ୍ରାଚୀ ଶୀଘ୍ରତର ।।
ମୁଦ୍ଗଲ ମହା ଋଷ୍ୟାଶ୍ରମ ।
ଗମନ କଲେ ପୁଣ୍ୟତମ ।।
ସ୍ଵନାମେ ଖ୍ୟାତ ଯହିଁ ଦେବ ।
କରି ଅଛନ୍ତି ସେ ମାଧବ ।।
ପୂର୍ବକାଳରେ ତାଙ୍କ ପାଶ ।
ମୁଦ୍ଗଳ ମୁନି କଲେ ବାସ ।।
ଋଷିଙ୍କ ନାମରେ ସେ ଦେବ ।
ହୋଇଲେ ମୁଦ୍ଗଳ ମାଧବ ।।
କିମ୍ବଦନ୍ତୀ ଅନୁଯାୟୀ ଏହି ସିଦ୍ଧେଶ୍ବର (ଅପ୍ସରା ତୀର୍ଥ ଅଧିଷ୍ଠାତା) ନିକଟବର୍ତ୍ତୀ ପ୍ରାଚୀର ପୂର୍ବାଭିମୁଖୀ ସ୍ରୋତ ଅବଲମ୍ବନରେ ନିଜ ଆଶ୍ରମ ଏହାର କୂଳରେ କରି ବିଷ୍ଣୁଙ୍କ ତପସ୍ୟା କରିଥିଲେ । ସନ୍ତୁଷ୍ଟ ହେଇ ଶ୍ରୀବିଷ୍ଣୁ ତାଙ୍କୁ କହିଲେ, “ବିପ୍ରବର, ମୋ ବିଗ୍ରହ ଲଙ୍କାରେ ରହିଛି । ପୂର୍ବରୁ ସେହି ବିଗ୍ରହ ଇନ୍ଦ୍ରଲୋକରେ ଦେବରାଜ ପୂଜା ପାଇଁ ବିଶ୍ଵକର୍ମାଙ୍କ ଦ୍ଵାରା ଗଢ଼ି ସ୍ଥାପନା କରିଥିଲେ । ପରେ ସେ ଲଙ୍କା ପୁରରେ ବିଭୀଷଣଙ୍କ ଉପାସ୍ୟ ହୋଇ ରହିଛନ୍ତି । ତାଙ୍କୁ ମୋ ଆଜ୍ଞା ଜଣାଇ ଏଥର ଗରୁଡ଼ ଯାନରେ ଯଥାସମୟରେ ଲଙ୍କାପୁରୀରୁ ମୋ ବିଗ୍ରହ ଆଣି ଏଠାରେ ସ୍ଥାପନା କର ।”
ଶ୍ରୀବିଷ୍ଣୁଙ୍କର ଆଜ୍ଞାରେ ଗରୁଡ଼ ପିଠିରେ ବସି ଲଙ୍କା ଯାଇଁ ବିଭୀଷଣଙ୍କ ଠାରୁ ଅଭିବାଦନପୂର୍ବକ ମାଧବ ବିଗ୍ରହ ଗ୍ରହଣ କରି ସିଦ୍ଧେଶ୍ୱରଙ୍କ ଦକ୍ଷିଣରେ ବସାଇଲେ । ତେଣୁ ଏହି ମାଧବଙ୍କୁ କ୍ଷୀରାଦି ପଞ୍ଚଗବ୍ଯରେ ମହାସ୍ନାନ କରାଇ ତାହାଙ୍କ ପ୍ରତିଷ୍ଠା କରିବା ସହ ମୁଦ୍ଗଳଙ୍କ ଉପାସିତ ଯେହେତୁ ଏହି ବିଷ୍ଣୁ ବିଗ୍ରହ ମୁଦ୍ଗଳ ମାଧବ ବୋଲି ପ୍ରସିଦ୍ଧ ହେଲେ । ତାଙ୍କ ଦକ୍ଷିଣରେ ପ୍ରବାହିତା ପ୍ରାଚୀ ନଦୀରେ ସ୍ନାନ କଲେ ବ୍ରହ୍ମଲୋକର ପୁଣ୍ୟଫଳ ମିଳେ ।
ମୁଦ୍ଗଳ ମାଧବଙ୍କ ବିଗ୍ରହ ପ୍ରାୟ ୫ ଫୁଟ୍ ୬ ଇଞ୍ଚ ଦୀର୍ଘ ଓ କାକଟପୁରର ନୀଳକଣ୍ଠପୁର ଓ ଅଦୂରବର୍ତ୍ତୀ ସୁହାଗପୁର ଠାରେ ଥିବା ରାମେଶ୍ଵର ଶମ୍ଭୁଙ୍କ ନାଟମଣ୍ଡପରେ ସ୍ଥିତ ମାଧବ ବିଗ୍ରହ ସଦୃଶ ଜଣାଯାଆନ୍ତି । ଉପର ଓ ତଳ ଦକ୍ଷ ହସ୍ତଦ୍ଵୟ ଚକ୍ର ଓ ପଦ୍ମ ଶୋଭିତ ମାତ୍ର ତଳ ଓ ଉପର ଦୁଇ ବାମ ହସ୍ତରେ ଯଥାକ୍ରମେ ଶଙ୍ଖ ଓ ଗଦା ରହିଛି । ଏହାଙ୍କ ପ୍ରାଙ୍ଗଣରେ ଦୁଇ ଅନ୍ୟ ମାଧବ ଓ ତନ୍ମଧ୍ୟରେ ପୂର୍ବ କଥିତ ଆଦି ମାଧବ ମଧ୍ୟ ରହିଛନ୍ତି । ଏହାଙ୍କ ବର୍ତ୍ତମାନ ମନ୍ଦିର ଏକ ଛୋଟ କୋଠା ଉପରେ ରହିଛି ଯାହାର ଭିତ୍ତି ଜୀର୍ଣ୍ଣ ଓ ଭଗ୍ନ ପରିଣତ ଦ୍ଵାଦଶ ଶତାବ୍ଦୀର ଦେଉଳ ପା’ଭାଗ ଉପରେ ପୁନର୍ଗଠିତ ହୋଇଛି ।
ପ୍ରାଚୀ ମାହାତ୍ମ୍ୟର ତଥ୍ଯ ଅନୁସାରେ ପ୍ରାଚୀ ସ୍ନାନ କରି ସମସ୍ତ ସିଦ୍ଧ ଶମ୍ଭୁମାନଙ୍କ ଦର୍ଶନର ପୁଣ୍ୟଫଳ ପାଇବାକୁ ହେଲେ ଏହାର ସାକ୍ଷୀ ସ୍ଵରୂପ ମାଧବଙ୍କୁ ଦର୍ଶନ କରାଯାଏ । ସେଥିପାଇଁ ଅଧିକାଂଶ ଶମ୍ଭୁଙ୍କ ପୀଠରେ ବା ଶମ୍ଭୁ ପୀଠ ଅଦୂରରେ ଠିକ୍ ମାଧବଙ୍କ ମୂର୍ତ୍ତି ପ୍ରତିଷ୍ଠିତ ହୋଇଛନ୍ତି ।
ଚିତ୍ର ସୌଜନ୍ୟ : Shri Mangala Thakurani, Kakatpur
Mudgala Madhaba Prachi Valley