ମୁଆଁ

ଲେଖା: ଡ. ଜୟଶ୍ରୀ ନନ୍ଦ

~ ମୁଆଁ ~
ବାରମାସେ ତେର ଯାତ । ପୁନେଇଁପରବ ସବୁ ପଛକୁ ପଛ ବର୍ଷସାରା ଲାଗିଥାଏ ଆମ ଓଡ଼ିଆ ଘରେ । ହେଲେ ଶୀତଦିନରେ ଥଣ୍ଡାପଡେ ବୋଲି କି କ’ଣ ଅନ୍ୟ ୠତୁ ଅପେକ୍ଷା ଏ ଶୀତୠତୁରେ ଆମର ଖାଦ୍ୟ ସବୁ ଅଲଗା ହୋଇଥାଏ । ଶୀତରୁ ରକ୍ଷା ପାଇବା ପାଇଁ ବା ଥଣ୍ଡା ଜର ଏ ସବୁ ନ ହେବା ପାଇଁ ଆମ ପୂର୍ବପୁରୁଷ ମାନେ ଅନେକ ପ୍ରକାରର ଖାଦ୍ୟ ଆମକୁ ଭେଟି ସ୍ବରୂପ ଦେଇଛନ୍ତି । ଏଠାରେ ଭାବିବା କଥା ଆମେ ଏ ସବୁ ଆମ ପର ପିଢିଙ୍କୁ ଖୁଆଉଛେ ବା ଶିଖାଉଛେ କି ନାହିଁ ? ପ୍ରଶ୍ନ ଆମମାନଙ୍କ ପାଇଁ ।
(ଉଖୁଡାମୁଆଁ)
ଆମ ଦେବାଦେବୀଙ୍କ ପାଖରେ ମଧ୍ୟ ଭିନ୍ନ ଭିନ୍ନ ଭୋଗ ଲାଗେ । ଯେମିତି ଖଇ, ଉଖୁଡା ବର୍ଷସାରା ଭୋଗ ଲାଗୁଥିଲେ ବି ଏ ଶୀତଦନେ/ଧନୁ ସଂକ୍ରାନ୍ତିରେ ଧନୁମୁଆଁ/ମକର ସଂକ୍ରାନ୍ତିରେ ମକରମୁଆଁ/କାର୍ତ୍ତିକରେ ବେଣ୍ଟମୁଆଁ ଏ ସବୁ ଭୋଗଲାଗେ । ଏ ସବୁ ମୁଆଁ ବଜାରରେ ଦେଖିବାକୁ ମିଳେ । ତାକୁ ବଜାରରେ ପୁଷ ରବିବାର ମୁଆଁ, ଧନୁମୁଆଁ, ମକରମୁଆଁ ଏମିତି ଅଲଗା ଅଲଗା ନାଁରେ ବିକ୍ରି କରନ୍ତି । #କାର୍ତ୍ତିକରୁ ଆରମ୍ଭ ହୁଏ ଏ ସବୁ । କାର୍ତ୍ତିକରେ #ବେଣ୍ଟମୁଆଁ ମିଳେ । 
(ବେଣ୍ଟମୁଆଁ)
କଇଁଫୁଲର ମଞ୍ଜିରୁ ଏ ମୁଆଁ ତିଆରି ହୁଏ । ପିଲାବେଳେ ଖୁଦୁରୁକୁଣୀ ଓଷା ସମୟରେ କଇଁଫୁଲ ତୋଳିବା ସହ ତାର ମଞ୍ଜି (କଇଁମଣ୍ଡୁଳା) ପିଲାମାନଙ୍କ ହାତରେ ଯଦି ଗୋଟେ ମିଳିଗଲା ତାହାହେଲେ ମନେ ହେଉଥିଲା ହୀରା ମିଳିବା ପରି । ଖୁଦୁରୁକୁଣୀ ସମୟରେ ଗଡିଆରେ ପଶି କଇଁ ତୋଳିବା ବେଳେ ସେ ସବୁ ନିଜ ହାତରେ ତୋଳିବାର ଖୁସି ଯେ ପାଇଛି ସେ ହିଁ ସେ ଅନୁଭବ କଥା ବା ସ୍ମୃତିକୁ ଏ ବେଣ୍ଟମୁଆଁ ଖାଇବା ବେଳେ ନିଶ୍ଚେ ପୁଣିଥରେ ବାଲ୍ୟାବସ୍ଥାକୁ ଯାଇ ବୁଲିଆସିବ ସେ କଥା ମନେ ପକାଇ ହସିବ ।
(କଇଁମଣ୍ଡୁଳା/କଇଁବେଣ୍ଟ/କଇଁମାଢି/କଇଁବେଣ୍ଟୁଳା/ବେଣ୍ଟକର)
କଇଁମଣ୍ଡୁଳା ଦେଖିବାକୁ ଛୋଟ କଷି ଡାଳିମ୍ବ (ସବୁଜ ରଙ୍ଗ) ପରି ଦିଶେ । ଚିତ୍ର ମଧ୍ୟ ତଳେ ଦିଆଯାଇଛି । ସେ ମଣ୍ଡୁଳାକୁ ଦୁଇ ଫାଳକରି ସେଥିରୁ ମଞ୍ଜି ବାହାର କରି ଶୁଖାଯାଏ। ଶୁଖିଗଲା ପରେ ତାକୁ ବାଲି ଦେଇ ମାଟି ହାଣ୍ଡିରେ ଭଜାଯାଏ । ତା ପରେ ତାକୁ ଗୁଡ ପାଗ ବା ଚିନି ପାଗ କରି ମୁଆଁ ତିଆରି କରାଯାଏ । କଇଁଫୁଲ ମଞ୍ଜି ସଂଗ୍ରହ କରିବା ଶୁଖାଇବା ଓ ମୁଆଁ ତିଆରି କରିବା କଷ୍ଟ ଓ ସମୟ ସାପେକ୍ଷ । କଇଁମଣ୍ଡୁଳା ଭୋଇ ଲୋକ ମାନେ ସଂଗ୍ରହ କରି ଖରାରେ ଶୁଖାଇ ତାକୁ ଗୁଡିଆ ମାନଙ୍କୁ ଦେଇଥାନ୍ତି l ଗୁଡ଼ିଆ ଏହାକୁ ଭାଜି ଛଡାଇ ରଖନ୍ତି ଓ କାର୍ତ୍ତିକ ମାସରେ ଗୁଡ ଓ ମସଲା ପାଗ କରି ଲଡୁ ତିଆରି କରନ୍ତି ଓ ବଜାରରେ ବିକ୍ରି କରିଥାନ୍ତି ।
(କଇଁମଣ୍ଡୁଳାରୁ ମଞ୍ଜି)
ବେଣ୍ଟମୁଆଁ ପ୍ରଥମ ଥର ମିଳିଲେ ଆଗ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ । ଏହା ଟିକେ ଅଧିକ ଦାମ୍ ଲାଗିପାରେ । କିନ୍ତୁ ଏହା ପଛରେ ଥିବା ପରିଶ୍ରମକୁ ସମ୍ମାନ ଜଣାଇ ଥରେ ଅତ୍ୟନ୍ତ କିଣିକି ଖାଇ ଖୁସି ହେଇ ପାରିବେ ଏବଂ ତାର ନିଆରା ସ୍ବାଦକୁ ଉପଭୋଗ କରିବେ । ଏହା ଚିନି ଓ ଗୁଡ ଉଭୟ ପାଗରେ ତିଆରି ହୁଏ। ଏହି ମୁଆଁ ଠାରୁ ଓଡ଼ିଆଙ୍କର ଶୀତଦିନେ ମୁଆଁ ଭୋଗ ଆରମ୍ଭ ହୋଇଯାଏ । କେହି କେହି କହନ୍ତି ଭୋଇ ଲୋକ ମାନେ ଏ ସବୁ ସଂଗ୍ରହ କରନ୍ତି କିନ୍ତୁ ଗାଁ ଗହଳରେ ଯାହା ଘର ପାଖେ କଇଁ ଫୁଟୁଥିବା ପୋଖରୀ ବା ଗଡିଆ ଥାଏ ସେମାନେ ବି ସଂଗ୍ରହ କରିଥାନ୍ତି ଓ ଖରାରେ ଶୁଖାଇ ଗୁଡ ଓ ମସଲା ପାଗ କରି ଲଡୁ ତିଆରି କରନ୍ତି । ଏ ତ ଗଲା ବେଣ୍ଟମୁଆଁ ।
(କଇଁମଞ୍ଜିରୁ ଖଇ ଓ ମୁଆଁ)
#ଧନୁମୁଆଁ: ଧନୁସଂକ୍ରାନ୍ତିରେ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରୁ ପ୍ରତି ଦେବାଦେବୀ ମନ୍ଦିର, ପ୍ରତି ଘରେ ଘରେ ଠାକୁରଙ୍କ ପାଖେ ଧନୁମୁଆଁ ଭୋଗଲାଗେ। ଖଇ ରେ ଗୁଡପାଗ, ନଡିଆ, ଗୋଲମରିଚ ଆଦି ପକାଇ ଖଇମୁଆଁ, ଉଖୁଡା ମୁଆଁ (ଧନୁମୁଆଁ) ତିଆରି ହୋଇଥାଏ । ସମସ୍ତେ ଏ ସବୁ ଖାଇବା ପାଇଁ ଭଲ ପାଆନ୍ତି ।
(ଧନୁମୁଆଁ ଗୁଡପାଗ)
#ଚୁଡ଼ାପୁଆ: ଚୁଡାକୁ ଭାଜି ଗୁଡ ପାଗ କରି ଗୋଲ ଗୋଲ ଆକାରରେ ବନାଇଲେ ତାକୁ ଚୁଡା ମୁଆଁ କହନ୍ତି । ଚୁଡାମୁଆଁ ବି ଅନ୍ୟ ମୁଆଁ ପରି ନୂଆ ଧାନ ଅମଳ ହୋଇ ଚୁଡା ହେବାବେଳେ ଘରେ ଘରେ ଦେଖିବାକୁ ମିଳେ । ଚୁଡା, ଗୁଡପାଗ କରି ତାକୁ ଆକାର ନ ଦେଲେ ତାକୁ ଚୁଡାପୁଆ ବୋଲି କୁହନ୍ତି । ଏ ଚୁଡାପୁଆ ଆମ କଳାସାଆନ୍ତଙ୍କୁ ପୌଷମାସରେ ଅର୍ପଣ କରାଯାଏ ।
(ଧନୁମୁଆଁ ଚିନିପାଗ)
#ମୁଢିମୁଆଁ: ଶୀତଦିନ ସହ ଏ ମୁଢିର ପ୍ରାଧାନ୍ୟତା ସବୁଠୁ ଅଧିକ। ଚା ସାଙ୍ଗେ ମୁଢି ତ ମୁଢି ନଡିଆ।କିନ୍ତୁ ମୁଢିମୁଆଁର ପ୍ରାଧାନ୍ୟତା ବେଶି ବଢିଯାଏ ଏଇ ସମୟରେ। ଧନୁମୁଆଁ ବେଣ୍ଟମୁଆଁ ସହ ମୁଢିମୁଆଁ ବି ବଜାରରେ ମିଳେ । ଘରେ ଘରେ ତିଆରି ହୁଏ । ମୁଢି ମୁଆଁରେ ନଡିଆ ବାଦାମ ଗୁଡପାଗରେ ତିଆରି ହୋଇଥାଏ । ଏ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ମୁଆଁ ପାଇଁ ମିଠାର ଚାହିଦା ଟିକେ କମିଯାଏ ବୋଧେ । ଝିଅଝିଆଣି ବନ୍ଧୁଘର ଗଲେ ବି ଲୋକ ମୁଆଁ ନେଇ ଯାଆନ୍ତି । ମକର ସଂକ୍ରାନ୍ତିରେ ମକର ଚାଉଳ ସହ ମୁଆଁ ଭୋଗ ବି ଠାକୁରଙ୍କୁ ଭୋଗଲାଗେ । 
(ମୁଢିମୁଆଁ)
ଓଡ଼ିଆଙ୍କ ପୁରୁଣା ମିଠା ହେଉଛି ମୁଆଁ । ଯାହା ସବୁ ମିଠାକୁ ଏ ପୁଷମାସରେ ତଳେ ପକାଇ ବଡ ଚାହିଦା ନିଏ । ଆମ ଓଡ଼ିଆଙ୍କ ମିଠା ମୁଆଁ । ଏ ସବୁ ମୁଆଁ ବି ଥଣ୍ଡାଦିନରେ ଶରୀର ପାଇଁ ସ୍ବାସ୍ଥ୍ୟକର ବୋଲି ଅନେକ ମତ ଦିଅନ୍ତି । ଓଡ଼ିଶାରେ ପ୍ରତି ଜିଲ୍ଲାରେ ସବୁ ପର୍ବପର୍ବାଣୀ ଅନେକ ସମାନ ହେଲେ ବି ଏ ସବୁ ପାଳିବାରେ କିଛି ଭିନ୍ନତା ବି ଥାଏ । ସବୁ ଜିଲ୍ଲା ଅପେକ୍ଷା ପୁରୀରେ ପର୍ବପର୍ବାଣୀ ଯାନୀଯାତ ପାଳିବା ଟିକେ ଅଲଗା ଥାଏ । କାରଣ ଆମ କାଳିଆ ସାଆନ୍ତଙ୍କର ଠାଣି ଟିକେ ଅଲଗା । ଏ ଧନୁ ସଂକ୍ରାନ୍ତିରୁ ମା’ ସାଆନ୍ତାଣୀ ଯାଆନ୍ତି ପିତାଙ୍କ ଘର ମାସେ ପାଇଁ ।
ଉତ୍କଳୀୟ ପରମ୍ପରା ଅତି ନିଆରା । ଉତ୍କଳୀୟ ଜନଜୀବନ କୃଷିଭିତ୍ତିକ । ଧାନ ଅମଳ ଧାନକଟା ଏ ସବୁ ପୁଷମାସ ଆଡକୁ ସବୁ ସରିଆସେ । ସମସ୍ତେ ଟିକେ ସମୟ ପାଆନ୍ତି ଏହି ସମୟରେ । ବେଶିକରି ଚାଷୀ ଘରେ ଘରଣୀଟିକୁ ଟିକେ ସମୟମିଳେ । 
(ମକର ଚାଉଳ ସହ ମୁଆଁ)
ପୁରୀରେ ପୁଷ ମାସରେ ବିବାହିତା ଝିଅମାନେ ବାପଘରକୁ ଯିବାର ବିଧି ଅଛି । ଶ୍ରୀମନ୍ଦିରରେ ମଧ୍ୟ ଏହି ବିଧି ପାଳିତ ହୋଇଥାଏ । ମା ସାନ୍ତାଣୀ ମଧ୍ୟ ଧନୁ ସଂକ୍ରାନ୍ତି ରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାପଘରକୁ ବିଜେ କରନ୍ତି । ବିବାହିତା ଝିଅମାନେ ଗୋଟିଏ ମାସ ପାଇଁ ନ‌ ହେଲେ ମଧ୍ୟ ବିଧି ରକ୍ଷା ପାଇଁ ପୁଷ ମାସରେ ଗୋଟିଏ ଦିନ ବାପଘରକୁ ଯାଇଥାନ୍ତି। ଏଥିପାଇଁ ଝିଅ ମାନଙ୍କୁ ପୁଷ ଡାକରା କରାଯାଇଥାଏ । ଝିଅ ମାନଙ୍କ ହସରେ ଘର ପୁରି ଉଠେ। ଶୀତ ଦିନିଆ ଖାଦ୍ୟପେୟର ଆସର ଜମେ । ଝିଅ ଶାଶୁଘରକୁ ଫେରିବା ବେଳେ ନୂଆ ଶାଢ଼ୀ ପିନ୍ଧାଇ ମୁଆଁ ଦେଇ ବିଦା କରିବାର ପରମ୍ପରା ରହିଛି। କିନ୍ତୁ ଅନ୍ୟ କେତେକ ସ୍ଥାନରେ ଏ ପୌଷ ମାସରେ ମାମୁଁଘରୁ ମୁଆଁ ଆସେ । ମାମୁଁଘରୁ ମୁଆଁ ଭାର ଆସିଛି ବୋଲି ସମସ୍ତେ କହନ୍ତି। ଦେଶକେ ଫାଙ୍କ ନଈ କେ ବାଙ୍କ ପରି । ଆଜି ର ପିଢ଼ି ମଧ୍ୟ ଏ ମୁଆଁକୁ ପସନ୍ଦ କରୁଛନ୍ତି । ଗୋଲ ଗୋଲ ମିଠା କୁଡ୍ କୁଡିଆ ମୁଆଁ ଯାହା ପାଟିକୁ ଭଲ ନ ଲାଗେ, ତା’ର ସ୍ଵାଦ ଜ୍ଞାନ ନାହିଁ ।
ଆମେ ଆରମ୍ଭରୁ ଯାହା ଆମ ପିଲାଙ୍କୁ ଖୁଆଇବା, ସେଇଟା ତାଙ୍କର ଖାଦ୍ୟାଭାସରେ ପରିଣତ ହେବ । ଶୀତଦିନରେ ନିଶ୍ଚେ ଏ ମୁଆଁ ସବୁ ଖାଆନ୍ତୁ ଏହାର ଅନନ୍ୟ ସ୍ବାଦକୁ ଉପଭୋଗ କରନ୍ତୁ । ଆମ ପରମ୍ପରାକୁ ବଜାୟ ରଖନ୍ତୁ । ଆମ କଳାସାଆନ୍ତ ଛପନ ଭୋଗଖାଇ ଆରିସା କାକରା ମଗଜ ଲଡୁ ସବୁଦିନ ଖାଇ ବି ଏ ଶୀତ ମାସରେ ଯଦି ମୁଆଁ ଖାଉଛନ୍ତି ତେବେ ଆମେ ବି ଏ ପରମ୍ପରାକୁ ଅନୁସରଣ କରିବା ।
ଅନ୍ୟଠୁ ଶିଖିବା ଜାଣିବା ସମସ୍ତଙ୍କୁ ଆମ ଓଡ଼ିଆ ପାରମ୍ପରିକ ଖାଦ୍ୟ ବିଷୟରେ ଜଣାଇ ଆମ ଖାଦ୍ୟକୁ ପରପିଢିକୁ ପରିଚିତ କରାଇବା। ଓଡ଼ିଆ ବୋଲି ଗର୍ବିତ ହେବା ଓ ଓଡ଼ିଶାକୁ ଗୌରବାନ୍ବିତ କରିବା ।
© Dr. Jayashree Nanda
ଫଟୋ ସୌଜନ୍ୟ ଓ ତଥ୍ୟ: Google and Ama Puri ଆମ ପୁରୀ
Muan, Muaan

Leave a Comment

Your email address will not be published. Required fields are marked *

Scroll to Top