ମା’ ଛିନ୍ନମସ୍ତା

ଲେଖା: ଶଶାଙ୍କ ତରାଇ

ବାଖରାବାଦର ମା’ ଛିନ୍ନମସ୍ତା କାଳୀ !

ଐତିହ୍ୟ ନଗରୀ କଟକର ବିଭିନ୍ନ ସ୍ଥାନରେ ଦୀପାବଳି ସମୟରେ ମା’ ଶ୍ୟାମାକାଳୀଙ୍କୁ ପୂଜା କରାଯାଏ କିନ୍ତୁ ବାଖରାବାଦ ଅଞ୍ଚଳର ଏ ପୂଜା ସମ୍ପୂର୍ଣ୍ଣ ନିଆରା । କେବଳ ଓଡ଼ିଶା ନୁହଁ ସମ୍ପୂର୍ଣ୍ଣ ଭାରତବର୍ଷରେ କଟକର ବାଖରାବାଦରେ ମା’ ଛିନ୍ନମସ୍ତା କାଳୀଙ୍କୁ ପୂଜାମୂର୍ତ୍ତି ରୂପେ ପୂଜା କରାଯାଏ, ଯାହାର ପରିଚୟ ଅନନ୍ୟ

୨୦୧୩ ମସିହାରେ ମା’ଙ୍କ ୧.୫ କୁଇଣ୍ଟାଲ ଚାନ୍ଦିମେଢ଼ ନିର୍ମାଣ ହୋଇଛି । ମେଢ଼ ସମ୍ପୂର୍ଣ ଅଲଗା ଓ ଭିନ୍ନ ପ୍ରକାରର । ଚାନ୍ଦିମେଢ଼ର ତାରକସିକାମରେ ନରକଙ୍କାଳ, ପେଚା, ବାଦୁଡି ଦେଖିବାକୁ ମିଳେ ଯାହା କଟକର ସମସ୍ତ ୨୭ଟି ଚାନ୍ଦିରୁ ନିଶ୍ଚିତ ଭାବେ ଭିନ୍ନ ଧରଣର । ସେହିପରି ୨୦୧୪ ବେଳକୁ ୭୫୦ ଗ୍ରାମ ଓଜନର ସୁନାମୁକୁଟ ତିଆରି ହୋଇଛି ତେବେ ଆଗାମୀ ନିନରେ ମା’ଙ୍କ ସମସ୍ତ ଅଭୂଷଣ ସୁନାରେ କରାଯିବ ସହ ସୁନାଚମ୍ପା ହାର କରାଯିବାର ଯୋଜନା କରାଯାଇଛି ।

କଟକରେ କେବେଠୁ ଆରମ୍ଭ ମା’ ଛିନ୍ନମସ୍ତା କାଳୀଙ୍କ ପୂଜା- ବାଖରାବାଦରେ ଏହି ପ୍ରଥା ଓ ପରମ୍ପରା ବହୁତ ପୁରୁଣା । ଭାରତରେ ଛତିଶଗଡ଼ରେ ଓ କୋଲକାତାରେ ମା’ଙ୍କ ମନ୍ଦିର ଥିବାବେଳେ କେବଳ କଟକ ବାଖରାବାଦ ମା’ ଛିନ୍ନମସ୍ତା କାଳୀଙ୍କ ମୂର୍ତ୍ତିପୂଜା କରାଯାଏ ଯାହା ଦୀର୍ଘ ୫୫ ବର୍ଷରୁ ହୋଇ ଆସୁଛି ।

~ କଟକରେ ମା’ ଛିନ୍ନମସ୍ତା କାଳୀଙ୍କ ପୂଜା ଆରମ୍ଭର ପ୍ରକୃତ ଇତିିହାସ ~
କଟକ ବାଖରାବାଦ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ୰ଭରତ ସିଂ ଓ ତାଙ୍କ ସହଯୋଗୀ ୰ରାମଚନ୍ଦ୍ର ଦଳାଇ ଓ ୰ମୁକୁନ୍ଦ ବେହେରାଙ୍କ ଉଦ୍ୟମରେ ଏହି ପୂଜା ଆରମ୍ଭ ହୋଇଥିଲା । ଯେତେବେଳେ ସ୍ବର୍ଗତ ଭରତ ସିଂ ଓ ରାମଚନ୍ଦ୍ର ଦଳାଇ ବିବାହ ପରେ ନିଃସନ୍ତାନ ଥିଲେ ସେହି ସମୟରେ ଜଣେ ସାଧୁଙ୍କ ସହ ସାକ୍ଷାତ ହୋଇଥିଲା । ସାଧୁ ଜଣକ ସମସ୍ତ କଥା ଶୁଣି ଉଭୟଙ୍କୁ ମା’ ଛିନ୍ନମସ୍ତା କାଳୀଙ୍କ ପୂଜା କରିବା ପାଇଁ କହିଥିଲେ l ସାଧୁ ଜଣଙ୍କ କଥାରେ ରାଜି ହୋଇ ମା’ଙ୍କ  ପୂଜା କରିବା ସହ ମାନସିକ ରଖିଥିଲେ ଓ ଏହା ପରେ ସେମାନେ ସନ୍ତାନ ଲାଭ କରିଥିଲେ (ଏହା ଏକ ପୁରୁଣା କଥା ଯାହା ଲୋକଲୋଚନକୁ ଆସିପାରିନି) ।

~ ମା’ଙ୍କ ପୂଜାବିଧି ~
ସମସ୍ତ ପୂଜାବିଧିରେ ଏହା ସମ୍ପାଦନ ହୁଏ । ଘଟ ସ୍ଥାପନଠୁ ନେଇ ଚକ୍ଷୁଦାନ, ଆବାହନ ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ ପୂଜାରେ ପାଣିକଖାରୁ ବଳି ଦେବା ସହ ବିସର୍ଜନ କରାଯାଇ  ସଙ୍ଗେ ସଙ୍ଗେ ଘଟକୁ ନଦୀରେ ବିସର୍ଜନ କରାଯାଏ । ଏହା ସହ ମା’ଙ୍କ ପୂଜା ସମୟରେ ଚଣ୍ଡୀ ପାଠ କରାଯାଏ ।

~ ମା’ ଛିନ୍ନମସ୍ତା କାଳୀଙ୍କ କୃପା ପାଇଁ ମାନସିକ ~
ତେବେ ଏହି ପୂଜା ନିଃସନ୍ତାନ ଦମ୍ପତି ମାନଙ୍କ ପାଇଁ ମା’ ଛିନ୍ନମସ୍ତାଙ୍କ ପୂଜା ଏକ ବରଦାନ । ନିଃସନ୍ତାନ ଦମ୍ପତିମାନେ ମା’ଙ୍କୁ ପୂଜା କରି ମାନସିକ ରଖିଲେ ସନ୍ତାନପ୍ରାପ୍ତି କରିଥାନ୍ତି ।  ମା’ ଗୌରୀଙ୍କ ଦଶ ମହାବିଦ୍ୟାରେ ମା’ଙ୍କ ଷଷ୍ଠ ଅବତାର ହେଉଛନ୍ତି ମା’ ଛିନ୍ନମସ୍ତା ।

ମା’ଙ୍କ ମସ୍ତକ ବିହୀନ ରୂପ କେତେକଙ୍କୁ ବିକଟ ରୂପ ଲାଗେ କିନ୍ତୁ ବାସ୍ତବରେ ଏହା ଶାନ୍ତ ରୂପ । ମା’ଙ୍କ ମୂର୍ତ୍ତିରେ ମା’ ଛିନ୍ନମସ୍ତାଙ୍କ ସହ ମା’ଙ୍କ ପାଦତଳେ କାମଦେବଙ୍କ ସହ ରତି ଓ ଉଭୟ ପାର୍ଶ୍ଵରେ ମା’ଙ୍କ ସହଚରୀ ଜୟା ଓ ବିଜୟା ରହିଥାନ୍ତି । ମାନସିକଧାରୀମାନେ ମାନସିକ ପୂର୍ଣ୍ଣ ହେବାପରେ ମା’ ଛିନ୍ନମସ୍ତାଙ୍କ ନିକଟରେ ବେଲପତ୍ର ମାଳ ସହ ମନ୍ଦାରଫୁଲ ମାଳ ପ୍ରଦାନ କରିଥାଆନ୍ତି ।

~ ମା’ ଛିନ୍ନମସ୍ତାଙ୍କ ଆବିର୍ଭାବ ~
ଯେତେବେଳେ ମା’ ଛିନ୍ନମସ୍ତା କାଳୀ ନିଜ ସହଚରୀ ଜୟା ଓ ବିଜୟାଙ୍କ ସହ ମନ୍ଦାକିନୀ ନଦୀକୂଳରେ ସ୍ନାନ କରୁଥିଲେ ସେହି ସମୟରେ ସହଚରୀଦ୍ଵୟଙ୍କୁ ଭୋକ ଲାଗିଥିଲା ଓ ମା’ ଛିନ୍ନମସ୍ତାଙ୍କୁ କ୍ଷୁଧା ମେଣ୍ଟାଇବା ପାଇଁ  ସେ ଦୁହେଁ ଅନୁରୋଧ କରିଥଲେ କିନ୍ତୁ ମାଁ କିଛି ସମୟ ଅପେକ୍ଷା କରିବାକୁ ଅନୁରୋଧ କରିଥିଲେ । ସ୍ନାନ ସାରି ଜଙ୍ଗଲ ଦେଇ ଯାଉଥିବା ବେଳେ ଭୋକରେ ଉଭୟ ଜୟା ବିଜୟାଙ୍କ ଶରୀର କଳା ପଡ଼ିଯାଇଥିଲା । ଏହି ସମୟରେ ମା’ ଛିନ୍ନମସ୍ତାଙ୍କ ଯିବା ବାଟରେ କିଛି ଦୂରରେ କାମଦେବ ଓ ରତି ଜଙ୍ଗଲର ପୃଷ୍ଠସ୍ଥଳରେ ଶୟନ ମୁଦ୍ରାରେ ଦେଖିବାକୁ ପାଇଥିଲେ ଜୟା ଓ ବିଜୟା । ତେବେ ମା’ଙ୍କ ଆସିବାକୁ କାମଦେବ ଓ ରତି କର୍ଣ୍ଣପାତ କରିନଥିଲେ । ଯାହା ପାଇଁ କ୍ରୋଧରେ ମା’ଙ୍କ ସହଚରୀ ଜୟା ଓ ବିଜୟା କାମଦେବ ଓ ରତିଙ୍କୁ ଦେଖି ସେମାନଙ୍କୁ ଖାଇବା ସହ ଭୋକ ମେଣ୍ଟାଇବା ପାଇଁ ମା’ ଛିନ୍ନମସ୍ତାଙ୍କୁ ଅନୁରୋଧ କରିଥଲେ । ତେବେ ମା’ ଛିନ୍ନମସ୍ତା ପ୍ରେମ ସମ୍ପର୍କରେ ମଗ୍ନ ଥିବା କାମଦେବ ଓ ରତିଙ୍କ ମିଳନର ଉତ୍ପତ୍ତିକୁ ବୁଝିପାରି ଉଗ୍ରରୁପୀ ଜୟା ଓ ବିଜୟାଙ୍କୁ ଶାନ୍ତ କରିବାକୁ ଯାଇ ମା’ ଖଡଗରେ ନିଜ ମୁଣ୍ଡକୁ କାଟି ଅଲଗା କରିଥିଲେ । ମୁଣ୍ଡ ଅଲଗା ହେବା ପରେ ମା’ଙ୍କ ବେକରୁ ୩ ଧାର ରକ୍ତ ବାହାରିଥିଲା, ଯେଉଁଥିରୁ ୨ ଧାର ମା’ ଜୟା ଓ ବିଜୟାଙ୍କୁ ଦେଇ ତାଙ୍କୁ ଶାନ୍ତ କରାଇବା ସହ ମା’ ନିଜ ମୁଣ୍ଡକୁ ବାମ ହାତରେ ଧରି ତୃତୀୟ ଧାରାକୁ ନିଜେ ପାନ କରିଥିଲେ । ମା’ଙ୍କ ରକ୍ତ ପାନ କରି ଜୟା ଓ ବିଜୟା ଶାନ୍ତ ହୋଇଥିଲେ ଏହା ସହ ମା’ଙ୍କ ଛିନ୍ନମସ୍ତା ରୂପକୁ ଦର୍ଶନ କରିଥିଲେ ଯାହା ପାଇଁ ପୁରାଣରେ ମା’ ଛିନ୍ନମସ୍ତା କାଳୀଙ୍କ ଉତ୍ପତ୍ତି ଦଶ ମହାବିଦ୍ୟାରେ ସ୍ଵତନ୍ତ୍ର ଭାବେ ଦର୍ଶାଯାଇଛି ।

Image: Deba Prasad Swain

Leave a Comment

Your email address will not be published. Required fields are marked *

Scroll to Top