ରଚନା: ଡାକ୍ତର ସନତ କୁମାର ଦାସ
ଅଧୁନାତନ ଯୁଗର ଶ୍ରେଷ୍ଠ ଓଡିଆ ସାହିତ୍ୟିକ ସେ, ଅମଳିନ ଧ୍ରୁବତାରା, ଅଗଣିତ ପାଠକଙ୍କ ପାଇଁ ଶ୍ରଦ୍ଧାସ୍ପଦ ବ୍ୟକ୍ତିତ୍ବ, ଯାହାଙ୍କର ମଧୁମୟ ସୃଷ୍ଟି ସିକ୍ତ କରେ ସାରା ବିଶ୍ବର ଆତ୍ମାକୁ ମଧୁର ସାହିତ୍ୟ ରସରେ ! ଯାହାଙ୍କ ପରିଚୟ କେବେ ଲୋଡା ହୁଏନା, ବରଂ ଯାହାଙ୍କୁ ନେଇ ଆଧୁନିକ ଓଡ଼ିଆ ସାହିତ୍ୟର ପରିଚୟ . . ସେ ପଦ୍ମଭୂଷଣ ମନୋଜ ଦାସ !
ବିଶ୍ୱସାହିତ୍ୟର ସେଇ ଅମଳିନ ଧୃବତାରାଙ୍କ ପ୍ରତି ଭାବାପ୍ଲୁତ ଶ୍ରଦ୍ଧା ଜ୍ଞାପନ ଏଇ ମନୋଜ୍ଞ କବିତା ମାଧ୍ୟମରେ।
———————————————————————-
ଶବ୍ଦର ଆଖେଟ ପର୍ବେ ଲେଖନୀ ଯା’ ଅନନ୍ୟ କାର୍ମୂକ,
ସାରସ୍ବତ ଆଲୋକର ଆନନ୍ଦ ବିପିନେ ଅବାରିତ ଯା’ର ରଥଚକ
ଘର୍ଘର ଧାବନ୍ତ । ଏକ ଅଜେୟ ଅଜାତଶତ୍ରୁ ଚକ୍ରବର୍ତ୍ତୀ ସରି
ଅନ୍ତହୀନ ଯା’ ସାମ୍ରାଜ୍ୟ, ଅଗଣନ ପାଠକଙ୍କ ହୃଦୟ ଆବୋରି ॥
ସାହିତ୍ୟର ମହାନଦୀ କୂଳେ
ନଳିତା ଚାଷରେ ବ୍ଯସ୍ତ କେତେ ଯେ ବାତୁଳେ
ନିଷ୍କରୁଣ ନିଜଠାରେ ସୁଦ୍ଧା
ହାୟ ଦେଖ କେଡେ କୁତୁହଳେ !
ଶମିତ ଗମ୍ଭୀର ସ୍ନିଗ୍ଧ ବ୍ଯାସୋପମ ଅତି ଉଚ୍ଚ ଏକ
ସେ କିନ୍ତୁ ଅଛନ୍ତି ରୋପି ରସଘନ ଅନନ୍ୟ ବୋଧି ଦ୍ରୁ ,
ଯା’ ଅମୃତଫଳାସ୍ବାଦେ ଦୃଗ୍-ଦୃଶ୍ଯ-ବିବେକ
ଜାଗରିତ । ଯୋଗୀ-ପାଠ୍ଯ । କୁଞ୍ଚିତ କାଳ ଭ୍ରୁ !
ମୋହମୂଢ ମରଣର ତୁଟାଇ ଅନ୍ଧାର
ସ୍ବର୍ଗର ନନ୍ଦନ କରୁ ଧରାବତରଣ
ସତ୍ୟ ଏମନ୍ତେକ ଯା’ର ନିଭୃତ ଜଣାଣ
ହେଲେ ପଛେ ପୃଥିବୀରେ ହେଉ ଅବା ସେ’ କଥା ବିଳମ୍ବ
ହୃଦେ ତା’ର ସ୍ଫୁରି ପଡେ ଅକୃପଣ ଜ୍ଯୋତି ନିରାଲମ୍ବ ॥
ସେହିପରି କେଣେ ଗଲା କେଣେ ଗଲା ବୋଲି
ସ୍ବର୍ଣ୍ଣ ସ୍ଯାହୀ ଲେଖନୀ ଓ ମୁକ୍ତାଝରା ଆଖି
ଚିନ୍ତନେ ବିଳପି ଉଠେ ଯେଉଁ ନିରିମାଖୀ —
ଲେଖନୀ ତା’ ସ୍ବର୍ଣ୍ଣ ସ୍ରାବେ ଆଖି ତା’ ଆଲୋକ
ଦୃଷ୍ଟି ତା’ ପ୍ରସରି ଯାଏ ତ୍ରିକାଳ ତ୍ରିଲୋକ॥
ସମ୍ଭବାଏ ଯେ’ ପ୍ରେରଣା ସାମଗ୍ରିକ କଳା ଓ ସାହିତ୍ୟ
ନିଶ୍ଚେ ସେ ପରମଚୈତ୍ଯେ ଏକୀଭୂତ ଲେଖକର ଚୈତ୍ଯ !
ଅନ୍ଯଥା ସମ୍ଭବ ନୋହେ ଏମନ୍ତ ଅଦ୍ଭୁତ ଆଉ ଅପୂର୍ବ ବିପୁଳ
ଦିବ୍ୟ କରୁଣାର ଆହା ଦିବ୍ୟତର ବିସ୍ମୟ ବ୍ଯାଖାନ
ପୁଲକେ ଯା’ ମଗ୍ନ କରେ ବହୁ ରାତ୍ରି ଉନ୍ନିଦ୍ର ଉନ୍ମନ !!
ଦିଗବାରେଣୀ ଯା’ ଲେଖା ବିଚ୍ଛୁରେ ପ୍ରକାଶ
କୁହେଳିତ କାଳଖଣ୍ଡେ ସନ୍ଦେହ ତମସାଚ୍ଛନ୍ନ ପ୍ରତିଟି ଦୁର୍ଦ୍ଦିନେ
ପୁରାଣ ନିଗୂଢ କଥା ଜନଶ୍ରୁତି ଅବା ଇତିହାସ
ଋଷିର ଜଟିଳ ସୂତ୍ର – ଉପଲବ୍ଧି ସରଳିତ ଯା’ର ଭାଷ୍ଯାୟନେ॥
ଚେତନାର ଭୀମକାନ୍ତ ଅଭିଯାନ ପଥେ
ନାନା ସ୍ତରେ ନାନା ପ୍ରାଣେ ଯେ ବା ଅନୁଭୂତ
କାବ୍ୟିକ ରହସ୍ୟେ ଘେରା ଅପୂର୍ବ ସଂକେତ
ହିରଣ୍ମୟ ପିଧାନରୁ ମୁକ୍ତ କରି ସତ୍ୟ ସଂଗୋପିତ
ବୁଦ୍ଧିକୁ ଯେ ଦୀପ୍ତ କରେ ହୃଦୟକୁ କମନୀୟତର
କାମକୁ ଦେଖାଏ ପ୍ରେମ ମରଣକୁ ପଥ ଅମୃତର॥
ସୃଜନ ସମଗ୍ରେ ଯା’ର ସରସ୍ବତୀ ଶାଶ୍ଵତ ବିଳାସ
ଭାରତବର୍ଷର ଆତ୍ମା ଧରଣୀର ଅନନ୍ୟ ଆଶ୍ବାସ
ବିଶ୍ଵର ସାହିତ୍ୟାକାଶେ ଅମଳିନ ସେହି ଧ୍ରୁବତାରା —
ସେ ମନୋଜ ଦାସ ॥