ଲେଖା: ଶୁଭ ରଞ୍ଜନ ପୃଷ୍ଟି
ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ ଲେଖୁଛେ କିମ୍ବା ନିଜକୁ ଓଡ଼ିଆ ବୋଲି କହି ଗର୍ବିତ ଅନୁଭବ କରୁଛେ, ତାହା ପଛରେ ଅନେକ ମହାନ ଓ ମହତ ପୁରୁଷ ମାନଙ୍କର ନିସ୍ଵାର୍ଥପର ସେବା ମନୋବୃତ୍ତି ଓ ବଳିଦାନ ଲୁଚି ରହିଛି . . ! ସେହି ଭଳି ନିସ୍ଵାର୍ଥପର ଓଡ଼ିଆ ସାହିତ୍ୟ ସାଧକ ମାନଙ୍କ ମଧ୍ୟରେ “ଭକ୍ତକବି ମଧୁସୂଦନ ରାଓ” ହେଉଛନ୍ତି ଅନ୍ୟତମ ! ନିଜର ମାତୃଭୂମି ପ୍ରତି ପ୍ରେମ ଏବଂ ମାତୃଭାଷାର ସକଳ ଉନ୍ନତି ପାଇଁ ଜୀବନରତ ଓଡ଼ିଆ ସାହିତ୍ୟକୁ ତାଙ୍କ ଅତୁଳନୀୟ ଅବଦାନ ହିଁ ତାଙ୍କୁ ଉତ୍କଳର ପୁରପଲ୍ଲୀରେ ଚୀରଜୀବିତ କରି ରଖିପାରିଛି !
ଆଜକୁ ଠିକ 167 ବର୍ଷ ତଳେ ଅର୍ଥାତ 1853 ମସିହା ଜାନୁଆରୀ ମାସ 29 ତାରିଖରେ ପବିତ୍ର ଶ୍ରୀପଞ୍ଚମୀ ତିଥିରେ ପୁରୀ ଜିଲ୍ଲାର ପଥୁରିଆ ସାହିରେ ଜନ୍ମ ଗ୍ରହଣ କରିଥିଲେ ପୁଜ୍ୟସ୍ପଦ ଭକ୍ତକବି ମଧୁସୂଦନ ରାଓ I ତାଙ୍କ ପିତାଙ୍କ ନାମ ଭାଗିରଥି ରାଓ ଏବଂ ମାତାଙ୍କ ନାମ ଅମ୍ବିକା ବାଇ, ମଧୁସୂଦନଙ୍କ ପୂର୍ବ ପୁରୁଷ ମାନେ ମରାଠା ଥିଲେ କିନ୍ତୁ ସେମାନେ ବହୁ ଆଗରୁ ପୁରୀରେ ସ୍ଥାୟୀ ଭାବେ ବସବାସ କରୁଥିଲେ I
ପିଲାଟି ଦିନରୁ ମଧୁ ବାବୁଙ୍କର ସାହିତ୍ୟ ପ୍ରତି ଅନାବିଳ ରୁଚି ରହିଆସିଥିଲା, ସେ ପୁରୀ ଜିଲ୍ଲା ସ୍କୁଲର ଛାତ୍ର ଥିବା ସମୟରେ କବିବର “ରାଧାନାଥ ରାୟ” ତାଙ୍କ ଶିକ୍ଷକ ଥିଲେ I ବିଦ୍ୟାଳୟ ସମୟରେ ରାଧନାଥଙ୍କର କବି ପ୍ରତିଭା ସଂସ୍ପର୍ଶରେ ଆସିବା ପରଠୁ ହିଁ ତାଙ୍କ ସାହିତ୍ୟ ସାରସ୍ୱତ ସାଧନାର ଆକାଂକ୍ଷା ଉଜ୍ଜୀବିତ ହୋଇ ଉଠିଥିଲା I
କଲିକତା ବିଶ୍ୱବିଦ୍ୟାଳୟରୁ ଏଫ. ଏ. ପାସ ପରେ ଶିକ୍ଷକତାକୁ ନିଜ ବୃତ୍ତି ଭାବେ ଗ୍ରହଣ କରିଥିଲେ | ଜଣେ ଆଦର୍ଶ ଓ ଦକ୍ଷ ଶିକ୍ଷକ ଭାବେ ତାଙ୍କର ଢେର ସୁଖ୍ୟାତି ଥିଲା I କଟକ ରେଭେନ୍ସା କଲେଜିଏଟ ସ୍କୁଲରେ ସେ ପ୍ରଥମ ଓଡ଼ିଆ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ I
ଓଡ଼ିଆ ସାହିତ୍ୟ ଏକ ଖରାପ ସମୟ ମଧ୍ଯ ଦେଇ ଗତି କରୁଥିବା ସମୟରେ ଆବିର୍ଭାବ ହୋଇଥିଲେ “ଭକ୍ତକବି ମଧୁସୂଦନ ରାଓ“, ଏବଂ ଫକୀରମୋହନ ସେନାପତି, ରାଧାନାଥ ରାୟ ଓ ଗୌରୀଶଙ୍କର ରାୟଙ୍କ ସହ ମିଶି ସେ ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ ଲେଖନୀ ଚାଳନା କରିଥିଲେ I
ତତ୍କାଳୀନ ସମୟରେ ଓଡ଼ିଆ ପାଠ୍ୟ ପୁସ୍ତକର ଘୋର ଅଭାବ ପରିଲକ୍ଷିତ ହେଉଥିଲା, ଯେହେତୁ ମଧୁସୂଦନ ବାବୁ ବୃତ୍ତିରେ ଜଣେ ଶିକ୍ଷକ ଥିଲେ ତେଣୁ ପାଠ୍ୟ ପୁସ୍ତକର ଅଭାବ ତାଙ୍କୁ ଖୁବ କଷ୍ଟ ଦେଇଥିଲା I ସେଥିପାଇଁ ନିଜ ଭାଷାକୁ ତୃଣମୂଳ ସ୍ତରରୁ ସଶକ୍ତ କରିବା ପାଇଁ ବିଦ୍ୟାଳୟ ଭିତ୍ତିକ ପୁସ୍ତକ ରଚନା ପାଇଁ ମନୋନିବେଶ କରିଥିଲେ I
ପିଲାଙ୍କୁ ବର୍ଣ ପରିଚୟ କରାଇବା ଉଦ୍ଧେଶ୍ୟରେ ଭକ୍ତକବି ମଧୁସୂଦନ ରାଓ ରଚନା କରିଥିଲେ “ବର୍ଣ୍ଣବୋଧ” I ପରେପରେ ସେ ଶିଶୁଙ୍କ ସାହିତ୍ୟ ଜ୍ଞାନରେ ଦୃଢ଼ତା ପାଇଁ ରଚନା କରିଯାଇଥିଲେ “ଶିଶୁବୋଧ”, “ବାଲ୍ୟବୋଧ”, “ସାହିତ୍ୟ କୁସୁମ”, “ସାହିତ୍ୟ କୁସୁମ” ଓ “ସାହିତ୍ୟ ପ୍ରସଙ୍ଗ” ଭଳି ପାଠ୍ୟ ପୁସ୍ତକ I
ତାଙ୍କ ରଚିତ ଅନନ୍ୟ କୃତିତ୍ୱ ମଧ୍ୟରୁ “ଛାନ୍ଦମାଳା”, “କବିତାବଳୀ”, “ବିବିଧ କବିତା”, “କୁସୁମାଞ୍ଜଳି”, “ବସନ୍ତ ଗାଥା”, “ଉତ୍କଳ ଗାଥା” ଓ “ହିମାଳୟେ ଉଦୟ ଉତ୍ସବ” ହେଉଛି ଅନ୍ୟତମ I ଏତଦବ୍ୟତୀତ ଭକ୍ତକବି ମଧୁସୂଦନ ରାଓ ଅନେକ ଖଣ୍ଡକାବ୍ୟ, କ୍ଷୁଦ୍ର ଗୀତି କବିତା ଓ ପ୍ରାର୍ଥନା ସଂଗୀତ ମଧ୍ୟ ରଚନା କରିଥିଲେ I ତାଙ୍କର ପ୍ରତ୍ୟେକଟି ରଚନାରେ ପ୍ରଭୁପ୍ରେମ ଓ ଭକ୍ତିରସ ପ୍ରାଞ୍ଜଳ ଭାବେ ପ୍ରସ୍ଫୁଟିତ ହୁଏ I ବିଦ୍ୟାଳୟ ମାନଙ୍କରେ ଉଚ୍ଚାରିତ ହେଉଥିବା ବହୁ ଲୋକପ୍ରିୟ ପ୍ରାର୍ଥନା ସଂଗୀତ ‘ଅଖିଳ ବ୍ରହ୍ମାଣ୍ଡ ପତି ହେ ଜୀବନ ସ୍ୱାମୀ’, ‘ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ’ର ସେ ହେଉଛନ୍ତି ପ୍ରାଣଦାତା I
ନିଜର ସୁନ୍ଦର ଚରିତ୍ର, କାର୍ଯ୍ୟ ଦକ୍ଷତା ଓ କର୍ମନିଷ୍ଠାରେ ସନ୍ତୁଷ୍ଟ ହୋଇ ତତ୍କାଳୀନ ସରକାର ତାଙ୍କୁ ‘ରାୟବାହାଦୁର’ ଉପାଧିରେ ସମ୍ମାନିତ କରିଥିଲେ, ଏଥିସହିତ ଓଡ଼ିଶାର ଶିକ୍ଷିତସମାଜ ତାଙ୍କୁ “ଭକ୍ତକବି”ର ଉପାଧି ଦେଇଥିଲେ I
ଚୀର ନମସ୍ୟ ???