ନାଟ୍ୟକାର ରାମଚନ୍ଦ୍ର ମିଶ୍ର

ଲେଖା: ଅମ୍ରିତେଶ ଖଟୁଆ

“ବାଆ ସିରିସିରି ବହିଲା ଅନା,
ବାଆ ସିରିସିରି ବହିଲା,
ଛାଇ ତଳେ ଦିହ ଶୀତେଇ ଉଠିଲା                                                                                            ଖରା କାଟେ ସାତଗୁଣା।
କ୍ଷୀରଖିଆ ଗିନା ଦୋହଲି ଦୋହଲି                                                                                      ଉଛୁଳି ପଡିଲା କେନା।।”
(ଭାଇ ଭାଉଜ)

ଯୁଗ ଓ ଯୁଗାନ୍ତର ମଧ୍ୟରେ ଅନୁତ୍ତରିତ ବାସ୍ତବତା ସହ ସ୍ବାର୍ଥପିଷ୍ଟ ଚେତନାକୁ ନାଟ୍ୟକୃତି ମଧ୍ୟରେ ସୃଜନଲିପ୍ସୁ ହେବାରେ ସଂସ୍କାରକ ରୂପେ ଉଦ୍ଭାବନ କରିବା ଥିଲା ଏକ ନବ୍ୟତମ ସମୁଦ୍ୟମ। ଗ୍ରାମୀଣ ପୃଷ୍ଠଭୂମିରେ ସାଂସ୍କୃତିକ ପଟ୍ଟଳର ନବରୂପ ଦେବାରେ ଥିଲା ତାଙ୍କର ଅନବଦ୍ୟ କାୟାକଳ୍ପ !

ପ୍ରଥମ ନାଟକ “ଅଭିମାନ”ର ସଫଳତାକୁ ଦେଖି କବିଚନ୍ଦ୍ର କାଳୀଚରଣଙ୍କୁ ଈର୍ଷଣୀୟ ପ୍ରତୀୟମାନ ହୁଏ : “ଅଭିମାନର ଶ୍ରେଷ୍ଠ ଔଷଧ ହେଉଛି ଚୁମ୍ଵନ।” ନିଜ ନାଟକ “ଚୁମ୍ବନ” କାଳେ ବ୍ୟବସାୟିକ କ୍ଷତିର ସମ୍ମୁଖୀନ ହେବାର ଭାଳେଣି ପୂର୍ବତଃ ଏ ବୋଲି ଥିଲା ତାଙ୍କର । ଆଉ ତାଙ୍କ ଈର୍ଷଣୀୟ ବୋଲି ପଛରେ ଥିଲେ “ଭାଇଭାଉଜ”ର ସୂତ୍ରଧର : ନାଟ୍ୟକାର ରାମଚନ୍ଦ୍ର ମିଶ୍ର (Ramachandra Mishra) !


ନାଟ୍ୟସ୍ରଷ୍ଟାଙ୍କ ଆବିର୍ଭାବ କାଳ ଥିଲା ମହାଭାରତୀୟ ତଥା ସମଗ୍ର ବିଶ୍ଵ ପୃଷ୍ଠଭୂମିରେ ଏକ ରୋମାଞ୍ଚକାରୀ ପଟ୍ଟ ପରିବର୍ତ୍ତନ। ଭାରତୀୟ ଅନ୍ତଃସ୍ରୋତରେ ଅସହଯୋଗ ଆନ୍ଦୋଳନ ସହ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମନ୍ତ୍ରୋଚ୍ଚାରିତ ହେଉଥାଏ। ତାଙ୍କ ପୂର୍ବବର୍ତ୍ତୀ ନାଟକର ଆଦିମାବସ୍ଥା ଥିଲା ଗୀତାଭିନୟ, ସୁଆଙ୍ଗ, ଫାର୍ସ (ପ୍ରହସନ), ପୌରାଣିକ କିମ୍ଵଦନ୍ତୀ-ଆଧାରିତ ଏବଂ ଲୀଳାଯାତ୍ରା।

ସଂସ୍କୃତ ନାଟ୍ୟଶୈଳୀ ସହ ଗୀତିନାଟ୍ୟ ଦ୍ଵାରା ନାଟ୍ଯପରମ୍ପରାର ଆବିର୍ଭାବ ମନୋରଞ୍ଜନ ସହ ସାଂସ୍କୃତିକ ସଂସ୍କାର ଦିଗରେ ମଧ୍ୟ ଥିଲା ଆଗଭର। ମାତ୍ର, ସ୍ବାଧୀନୋତ୍ତର ପୃଷ୍ଠଭୂମିରେ ତାଙ୍କ ନାଟ୍ୟ ଦେଶର ପୁଙ୍ଖପୁଙ୍ଖ ଉପଜୀବ୍ୟ ସହ ଥିଲା ସଂଲଗ୍ନ !


ଅବିଭକ୍ତ ପୁରୀ ଜିଲ୍ଲାର କୁଆଁରବ ଗାଁ (ବର୍ତ୍ତମାନ ନୟାଗଡ଼ରେ ସ୍ଥିତ କୁଞ୍ଜବନଗଡ଼) । ପୂତସଲୀଳା ସୁଷମା-ମଣ୍ଡିତା ମହାନଦୀର ସାତକୋଶିଆ ଗଣ୍ଡ ନିକଟସ୍ଥ ଦଶପଲ୍ଲା ଭୂଇଁରେ ବସିଥିବା ଗ୍ରାମ। ଚାରିଆଡେ ସୁନ୍ଦର ଶ୍ୟାମଳିମା ସହ ବଣଲତା ଘେରା ଅଚଳ ପନ୍ତି ପନ୍ତି ଠିଆ ହେଇ ଆକାଶକୁ ସ୍ପର୍ଶ ପାଇଁ ଉଦ୍ୟତ।

୧୯୨୦ ମସିହା ଅକ୍ଟୋବର ୧୨ ତାରିଖ। ଆଶ୍ଵିନ ଶୁକ୍ଳପକ୍ଷ ପ୍ରତିପଦା ତିଥି। ସେଠାରେ ଗୋଟିଏ କୁଳୀନ ବ୍ରାହ୍ମଣ ପରିବାରରେ ବିଦ୍ୟାଧର ମିଶ୍ର ଓ ରାଧାରାଣୀ ଦେବୀଙ୍କ ଗର୍ଭରୁ ଜନ୍ମନେଲେ ନାଟ୍ୟକାର ରାମଚନ୍ଦ୍ର ମିଶ୍ର । ପିତା ଥିଲେ ଜଣେ ଆଦର୍ଶ ଶିକ୍ଷକ ଏବଂ ନିଷ୍ଠାପର ସାହିତ୍ୟାନୁରାଗୀ। ମାତା ଧର୍ମପରାୟଣା। ଉଭୟଙ୍କ ଆଦର୍ଶ ଏବଂ ସସ୍ନେହ ଲାଳନପାଳନ ଦ୍ଵାରା ପାଇଲେ ନବଜନ୍ମ !


୧୯୨୦ ମସିହା – ଭାରତୀୟ ଇତିହାସରେ ଏକ ପ୍ରଭାବଶାଳୀ ବର୍ଷ ଥିଲା। ସେତେବେଳେ ଶତ-ଲାଞ୍ଛିତ ଦେଶର ଜନତାଙ୍କୁ ‘ରାଜକୀୟ’ ନୀତି ଅପେକ୍ଷା ‘ରାଜୋଚିତ’ ନ୍ଯାୟ ଓ ନୀତିର ଦର୍ଶନ ଦେଇ ଐକ୍ୟବଦ୍ଧ କରାଇବାରେ ଗାନ୍ଧିଜୀଙ୍କ ଅକ୍ଳାନ୍ତ ସମୁଦ୍ୟମ ଅସହଯୋଗ ଆନ୍ଦୋଳନର ସୂତ୍ରପାତ ଘଟାଇଥିଲେ। ଓଡ଼ିଶାରେ ସେତେବେଳେ ସମଧର୍ମାମାନେ ମହାଭାରତୀୟ ଦୀପ୍ତିରେ ଉଦ୍ଭାସ ଲଭୁଥିଲା ବେଳେ ମଧୁବାବୁଙ୍କ ଲଢେଇ ଥିଲା ଉତ୍କଳଜନନୀଙ୍କ ଆତ୍ମନିଷ୍ଠ ସେବାରେ !

ନାଟ୍ୟକାର ରାମଚନ୍ଦ୍ର ମିଶ୍ର କମଳାଡିହ ପ୍ରାଇମେରୀ ସ୍କୁଲରୁ ପ୍ରାଥମିକ ଶିକ୍ଷାର ଆରମ୍ଭ କରିବା ସହ ଦଶପଲ୍ଲା ଷ୍ଟେଟ୍’ର ରାଜଧାନୀ କୁଞ୍ଜବନଗଡ଼ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅବ୍ୟାହତ ରଖିଲେ। ୧୯୩୪ ମସିହାରେ ସେଠାରୁ କୃତୀତ୍ୱ ପାଇ ୧୯୩୫ ମସିହାରେ ଗୋଦାବରୀଶ ମିଶ୍ରଙ୍କ ଦ୍ଵାରା ବାଣପୁରରେ ପ୍ରତିଷ୍ଠିତ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ ଆରମ୍ଭ କରିଥିଲେ। କିଶୋର ରାମଚନ୍ଦ୍ର ପାଇଥିଲେ ବରେଣ୍ୟ ଶିକ୍ଷକମାନଙ୍କ ସାନ୍ନିଧ୍ୟ – ମାୟାଧର ମାନସିଂହ, ଗୋଦାବରୀଶ ମିଶ୍ର ଏବଂ ଗୋଦାବରୀଶ ମହାପାତ୍ର

ନାଟ୍ୟକାର ରାମଚନ୍ଦ୍ର ମିଶ୍ର ପ୍ରଥମ କରି ବିଦ୍ୟାଳୟ ପତ୍ରିକା “ବନଫୁଲ” ରେ ନିଜର ପ୍ରଥମ କବିତା “ଫେରିବିକି” ପ୍ରକାଶ କରେଇଲା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ତାହା ! ଏପରିକି କେନ୍ଦୁଝରରେ ଅନୁଷ୍ଠିତ ଓଡ଼ିଆ ସାହିତ୍ୟ ସମ୍ମିଳନୀରେ ପଣ୍ଡିତ ଗୋଦାବରୀଶ ମିଶ୍ର ତାଙ୍କ ସେଇ କବିତା ଆବୃତ୍ତି ଶ୍ରୋତୃବର୍ଗଙ୍କୁ ଚମତ୍କୃତ କରିଦେଇଥିଲେ। ରାମଚନ୍ଦ୍ରଙ୍କୁ ଗୋଦାବରୀଶ ମିଶ୍ରଙ୍କ ଆଶୀର୍ବାଦ ସୃଜନମନସ୍କ ହେବା ପାଇଁ ଆଗୁଁସାର କରେଇଥିଲା !


୧୯୩୯ ମସିହାରେ କଟକ ମିଶନ ହାଇସ୍କୁଲରୁ କୃତୀତ୍ଵର ସହ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା କଲେଜରେ ଅଧ୍ୟୟନ ଆରମ୍ଭ କରନ୍ତି। ତାଙ୍କ ପ୍ରଥମ ଗଳ୍ପ “ଅକୁହା କଥା” ରେଭେନ୍ସା ମହାବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗର ‘ରଶ୍ମି’ ପତ୍ରିକାରେ ପ୍ରକାଶିତ ହୋଇ ତାଙ୍କ କୃତୀତ୍ଵକୁ ଆହୁରି ପ୍ରସାରିତ କରେ। ଏହା ପରେ ମାୟାଧର ମାନସିଂହଙ୍କ ‘ଆରତୀ’ ତଥା ‘ସହକାର’ ପତ୍ରିକାରେ ତାଙ୍କ ଅନେକ ଗଳ୍ପମାନ ପ୍ରକାଶ ପାଇ ସାରିଥିଲା ।

ସେତେବେଳେ କବିଚନ୍ଦ୍ର କାଳୀଚରଣଙ୍କ ସୃଷ୍ଟି ଉତ୍ତୁଙ୍ଗ ହୋଇ ସାରିଥାଏ। କଟକ ରାମଚନ୍ଦ୍ର ଭବନର ପ୍ରାଙ୍ଗଣରେ ତାଙ୍କ ନାଟକ “ଗାର୍ଲସ୍କୁଲ୍” ଅଭିନୀତ ହେଲା ପରେ ଯୁବକ ରାମଚନ୍ଦ୍ର ପ୍ରତିକ୍ରିୟାଶୀଳ ହେଇ ଉଠିଥିଲେ। କାଳୀଚରଣଙ୍କ ମନ୍ତବ୍ୟ ଥିଲା, “ନାଟକକୁ ସମାଲୋଚନା କରିବା ଅପେକ୍ଷା, ନାଟକ କରି ଦେଖାଇ ଦେବାରେ ବରଂ ଦକ୍ଷତା ପ୍ରତିପାଦିତ ହେବ।” ଏହି କଥା ରାମଚନ୍ଦ୍ରଙ୍କ ସର୍ଜନଶୀଳତା ପ୍ରତି ଥିଲା ଏକ ଓଜସ୍ଵୀ ଆହ୍ଵାନ ! ନାଟକ ଲେଖିନାହାନ୍ତି ସେ କେବେ, ହେଲେ, ତାଙ୍କ ମାନସିକତା ଏବେ ସେଥିପାଇଁ ଆଣ୍ଟ ଭିଡିସାରିଥିଲା !


୧୯୪୩ ମସିହାରେ ଆରମ୍ଭ ହେଲା “ଅଭିମାନ” ନାଟକ। କଟକର ମାଣିକଘୋଷ ବଜାରର “ଭାରତୀ ଥିଏଟର୍ସ”ରେ ମଞ୍ଚସ୍ଥ ହୋଇଥାଏ। ଦୀର୍ଘ ଏକମାସ କାଳ ମଞ୍ଚସ୍ଥ ହୋଇଥିବା ଏହି ନାଟକର ନାୟକ ଥିଲେ ଗୋପାଳ ଛୋଟରାୟ ! କାଳୀଚରଣଙ୍କ ସହ ଏପରି ଏକ ପ୍ରତିଦ୍ବନ୍ଦ୍ବିତା ପରେ “ଅଭିମାନ”ର ଚାହିଦା ବେଶ୍ ସଂପୁଟ ହୋଇସାରିଥାଏ ! ଏହା ପରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଲେଖିଥିଲେ “ମ୍ୟାନେଜର୍” ନାଟକ ! ଅନ୍ତିମ ପରିଣତି ପର୍ଯ୍ୟନ୍ତ ତାଙ୍କ ନାଟକର ଉପଜୀବ୍ୟ ଭାରତୀୟ ସାହିତ୍ଯରେ ଥିଲା ଅନ୍ୟତମ ଆଦର୍ଶ !

ତାଙ୍କ ମୈତ୍ର ଥିଲେ କିମ୍ବଦନ୍ତୀ ଅଭିନେତା ସାମୁଏଲ୍ ସାହୁ (ବାବି) ! ମଞ୍ଚସ୍ଥ ନାଟକଗୁଡିକର ଯାବତୀୟ ଅନୁଶୀଳନରେ ଦୁହେଁ ବିନ୍ୟସ୍ତ ରହୁଥିଲେ ! ଏଥି ମଧ୍ୟରେ ୧୯୪୩ ମସିହାରେ ରେଭେନ୍ସା କଲେଜରୁ ପାଟନା ବିଶ୍ଵବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇ ବି.ଏ. ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ତାଙ୍କ ଦ୍ଵିତୀୟ ନାଟକ “ମ୍ୟାନେଜର୍” ଅନ୍ନପୂର୍ଣ୍ଣା ‘ବି’-ଗ୍ରୁପ୍ ଦ୍ଵାରା ମଞ୍ଚସ୍ଥ ହୋଇ ଅସାଧାରଣ ଖ୍ୟାତି ଆଣିଦେଇଥିଲା ! ଏହା ପରର ସମୟ ଥିଲା ତାଙ୍କ ପାଇଁ ସବୁଠାରୁ ଘାତସଂଘାତ-ବହୁଳ !

ରାମଚନ୍ଦ୍ର ମିଶ୍ର ମଧୁସୂଦନ ଆଇନ କଲେଜରୁ ବି.ଏଲ୍. ସମାପନ ପରେ ୧୯୪୬ ମସିହାରେ ଖଣ୍ଡପଡା ଡେପୁଟି କଲେକ୍ଟର ଭାବେ ବୃତ୍ତିଗତ ଜୀବନର ଆରମ୍ଭ କରିଥିଲେ। ୧୯୫୦ ରେ ବାଲେଶ୍ବର ସ୍ଥାନାନ୍ତର ହୁଏ ସିନା, କିନ୍ତୁ, ସୃଜନଶୀଳ ମନ ଜଞ୍ଜାଳବଦ୍ଧ ହୋଇ ପଡେ। ଏଣୁ ସେହି ମସିହା ଅକ୍ଟୋବରରେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରି ଦଶପଲ୍ଲାରେ ସ୍ଵାଧୀନ ଭାବେ ଆଇନ ବ୍ୟବସାୟ କରିଲେ। ସେତେବେଳେ ତାଙ୍କର ତିନୋଟି ନାଟକର ରଚନ ପ୍ରାୟ ସମାପ୍ତ ହେଇସାରିଥାଏ – ‘ମୂଲିଆ’, ‘କବିସୂର୍ଯ୍ୟ’ ଏବଂ ‘ଘର ସଂସାର’ !


‘ଘରସଂସାର’, ‘ମଉଡ଼ମଣି’, ‘ସାଇପଡିଶା’, ‘ଭାଇ ଭାଉଜ’ , ‘ନାଟକ ରୀତିମତ’, ‘ମମତା’, ‘ସେବିକା’, ‘ପ୍ରତୀକ୍ଷା’, ‘ଚାବୁକ୍’, ‘ଗୋଧୂଳି ଲଗ୍ନ’, ‘ପୁଆଣି ଘର’ ପ୍ରଭୃତି ୧୭ରୁ ଊର୍ଦ୍ଧ୍ଵ ନାଟକ ତାଙ୍କୁ ଆଣିଦେଇଥିଲା ଅସାମାନ୍ୟ ଖ୍ୟାତି ଓ ସ୍ଵୀକୃତି ! ଆଉ ସବୁଠାରୁ ସ୍ମରଣୀୟ ଅବଦାନ ଥିଲା କାମପାଳ ମିଶ୍ରଙ୍କ ପ୍ରଖ୍ୟାତ ‘ସୀତା ବିବାହ‘ ନାଟକରେ ‘ରାମ’ ରୂପେ ଅଭିନୟର ସୁଯୋଗ ପାଇବା !

ଏହା ପରେ ୧୯୫୧ ମସିହାରେ ‘ବିବାହିତା’ ଓ ୧୯୯୨ ମସିହାରେ ‘ସେଇ ଲକ୍ଷ୍ମୀପୁର’ ନାମକ ଦୁଇଟି ଉପନ୍ୟାସ ଲେଖିଥିଲେ। ‘ବିବାହିତା’ ଥିଲା ତାଙ୍କର ପ୍ରଥମ ସାମାଜିକ ଉପନ୍ୟାସ। କଟକ ସହରରେ ସାଧାରଣ ଯୁବକମାନେ କିପରି ଉଚ୍ଚଶିକ୍ଷା ପାଇଁ ଅଭିଳାଷ କରି ମଧ୍ୟ ନାନାବିଧ ସମସ୍ଯାର ସମ୍ମୁଖୀନ ହେଉଥିବାର ଦୃଶ୍ଯ ବେଶ୍ ଜୀବନ୍ତ ! ଯୁବକ ଚାରିଜଣ – ରାଜେନ୍ଦ୍ର, ବିପିନ, ମାଧବ ଏବଂ ଅଜୟ। କାହାଣୀ ସଂଯୋଜନା ତୁଳନାରେ ଚରିତ୍ରବତ୍ତାରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଥିଲେ ସୃଜନପଟୁ !

ସେହିପରି ରୂପେ ‘ସେଇ ଲକ୍ଷ୍ମୀପୁର’ ଉପନ୍ୟାସ ତାଙ୍କ ଚମ୍ପାପୁର ଆଶ୍ରମର ରହଣି ଜୀବନ ଏବଂ ଦଦେଇ ଗୋବିନ୍ଦ ମିଶ୍ରଙ୍କ ଛାୟାରେ ସୃଷ୍ଟ କୃତି। କଂଗ୍ରେସ ସେବାଶ୍ରମରେ ଏହିପରି କେତୋଟି ଅନୁଭୂତି ପରେ ଉଚ୍ଚଶିକ୍ଷାର ବିକାଶ ନିମନ୍ତେ ଦଶପଲ୍ଲା କଲେଜ୍, ଗଣିଆ ହାଇସ୍କୁଲ, ବାଳିକା ବିଦ୍ୟାଳୟ ପ୍ରଭୃତି ପାଇଁ ବିପୁଳ ଅବଦାନ ତାଙ୍କର ରହିଆସିଥିଲା । ତାଙ୍କ ଜନସେବାରେ ଆକୃଷ୍ଟ ସମଧର୍ମାମାନଙ୍କ ଅନୁରୋଧ କ୍ରମେ ସେ ୧୯୬୨ ମସିହାରେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦିଅନ୍ତି !


ପୁରୀ ଜିଲ୍ଳାର ଉପାଧ୍ୟକ୍ଷ ଓ ପରେ ଅଧ୍ୟକ୍ଷ ପଦବୀ ପ୍ରାପ୍ତି ପରେ ୧୯୬୬ ମସିହାରେ ଦଶପଲ୍ଲା ପଞ୍ଚାୟତ ସମିତିର ଅଧ୍ୟକ୍ଷ ରୂପେ ଦଶ ବର୍ଷ କାଳ ଅତିବାହିତ କରିଛନ୍ତି । ସେ ସମୟରେ ମଧ୍ୟ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଓଡିଆ ଯୁବ ଲେଖକ ସମ୍ମେଳନରେ ନିଜର ପ୍ରତ୍ୟକ୍ଷ ଉପସ୍ଥିତି ଦ୍ଵାରା ନିଜ ସୃଜନମନସ୍କତାକୁ ଅବ୍ୟାହତ ରଖି ଥିଲେ। ୧୯୭୪ ନିର୍ବାଚନରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ଲଢି ହାରି ମଧ୍ୟ ବିଜୟୀମାନଙ୍କୁ ଶୁଭେଚ୍ଛା ଦେଉଥିଲେ ! ରାଜନୀତିରେ ତଳ ଉପର ବ୍ୟତୀତ ସମସ୍ତେ ଥିଲେ ପରସ୍ପରର ମୈତ୍ରତୁଲ୍ଯ !

ଏଥି ପରେ ୧୯୬୮ ମସିହାରେ ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଆସି ନିଜ ଅନୁଭୂତିରୁ ଗୃହୀତ ଅନେକ ଅଙ୍ଗେନିଭା ସଂଗ୍ରହକୁ ସେ ‘ମନ୍ତ୍ରୀଯୁଗ’ ସଙ୍କଳନରେ ସ୍ଥାନ ଦେଇଥିଲେ । ତାଙ୍କ ନାଟ୍ୟାଭିନୟ ସହ ସାଙ୍ଗଠନିକ ଦକ୍ଷତା ଥିଲା ନମସ୍ୟ, କାରଣ ତାଙ୍କ ଓଜସ୍ଵୀ ବ୍ଯକ୍ତିତ୍ବ ସହ ବିଚକ୍ଷଣ ସ୍ରଷ୍ଟା ରୂପେ ସର୍ବଦା ତାଙ୍କ ନିକଟରେ ଶେଷ ସମୟ ପର୍ଯ୍ୟନ୍ତ ନାଟକ, ଲେଖକ, ଅଭିନେତା, ନିର୍ଦ୍ଦେଶକ ଭେଟିବା ପାଇଁ ଆସୁଥିଲେ। ୧୯୯୧ ମସିହା ପର୍ଯ୍ୟନ୍ତ ରାଉରକେଲାର ଲୋକନାଟକ ମହୋତ୍ସବର ବିଚାରକ ରୂପେ ତାଙ୍କ ସମୟ ଥିଲା ଆଉ ଏକ ସ୍ମରଣୀୟ ଅନୁଯୋଗ !

ଏତଦ୍ ବ୍ୟତୀତ ନିଖୁଣ ସମାଲୋଚକ ରୂପେ ମଧ୍ୟ ତାଙ୍କର କୃତି ସ୍ଵତନ୍ତ୍ର । ରାଉରକେଲାର ଅନୁଭୂତିରୁ ପ୍ରସୂତ ‘ଲୋକନାଟକ’ (୧୯୮୮) ଥିଲା ଏକ ଅନନ୍ୟ ନାଟ୍ୟ ମୂଲ୍ୟାୟନ।


ଲୋକନାଟକ ରୂପେ ଯେଉଁ ପ୍ରକାରର ନାଟକ ସବୁ ପରିବେଷିତ ହେଉଛି – ତାହାର ପ୍ରକାର୍ଯ୍ୟ ଓ ପ୍ରକରଣର ସୂକ୍ଷ୍ମାତିସୂକ୍ଷ୍ମ ଆଲୋପାତ କରୁଥିଲେ। କ୍ରମେ ୧୯୬୦-୭୦ ମସିହାରେ ନାଟ୍ୟମଞ୍ଚ ପ୍ରତି ହତୋତ୍ସାହ ଓ କ୍ଷୟଶୀଳତାକୁ ଲକ୍ଷ୍ୟ କରି ସେ କହିଛନ୍ତି – “ଓଡିଆ ନାଟକର କ୍ଷୟଶୀଳତା, ବିଗତ ଦଶନ୍ଧିରୁ ପରିଲକ୍ଷିତ ହୋଇଛି। ନାଟକୀୟ ବିଷୟବସ୍ତୁରେ ମୌଳିକତାର ଅଭାବ, ଜନସମାଜଠାରୁ ଦୂରେଇ ଯାଉଥିବା ଚରିତ୍ର ଚିତ୍ରଣ, ମଞ୍ଚମାୟା ସୃଷ୍ଟିରେ ସିନେମା ସହିତ ପ୍ରତିଦ୍ଵନ୍ଦ୍ବିତା ନ କରିପାରିବାର ବିଫଳତା, ଏଇ କ୍ଷୟଶୀଳତାର କାରଣ।

କେତେକ ନୂତନ ନାଟ୍ଯକାର, ନାଟକକୁ ଜନାଭିମୁଖୀ କରିବା ପାଇଁ ସମାଜର ନିମ୍ନସ୍ତରରୁ ବହୁ ଅବହେଳିତ, ଉତ୍ପୀଡିତ ଚରିତ୍ର ଆହରଣ କରିଛନ୍ତି। ବିଷୟବସ୍ତୁ ଉପସ୍ଥାପନା କ୍ଷେତ୍ରରେ ଦିଗବଳୟର ସୀମାର ପ୍ରସାର ଘଟାଇ ପାରିଛନ୍ତି। ନାଟକର ବିଷୟବସ୍ତୁ, ଚରିତ୍ର ଚିତ୍ରଣ, ସଂଳାପ ସୃଷ୍ଟିରେ ପରିବର୍ତ୍ତନ ଅଣାଯାଇ ନାଟକକୁ ଲୋକ ସାଧାରଣଙ୍କ ନିକଟବର୍ତ୍ତୀ କରାଯିବାର ଉଦ୍ୟମ, ଅନେକାଂଶରେ ସଫଳତା ଦିଗରେ ଅଗ୍ରଗତି କରିପାରିଛି।”

“ଅଭିମାନ” ନାଟକରେ ପାରିବାରିକ ମନୋମାଳିନ୍ୟକୁ ହେତୁ କରି ବଡ଼ପୁଅର ଘର ଛାଡିବା, ସହରୀ ଜୀବନକୁ ଆବୋରି ନ ପାରି ଘରକୁ ଫେରି ଆସି ଘରର ଦାୟ ରଖି ପରସ୍ପର ଭିତରେ ଭଲ ବୁଝାମଣା ଥାଇ ସୁଦ୍ଧା କଣିକାଏ ଅବିଶ୍ଵାସରେ ସମଗ୍ର ପରିବାରରେ ଘେରି ଗଲା ବିଷବାଷ୍ପ ! ଏହିପରି ତାଙ୍କ ‘ଘର ସଂସାର’ ନାଟକରେ ଶାରଦା ପରି ଶିକ୍ଷିତା ଓ ସହିଷ୍ଣୁ ଚରିତ୍ର ଗଢଣ ସହ ‘ଭାଇଭାଉଜ’ ରେ ଯୋଗୀ ପରି ଗ୍ରାମ୍ୟଚରିତ୍ରର ଅଭୂତପୂର୍ବ ଚିତ୍ରଣ ତାଙ୍କ ନାଟ୍ଯକଳାର ସର୍ବାନ୍ତକରଣରେ ପରିପୂରି ଉଠିଥିଲା।


ଏତଦ୍ ବ୍ୟତୀତ, ‘ପ୍ରତୀକ୍ଷା’ (୧୯୫୮), ‘ପ୍ରବାସୀ’ (୧୯୫୯), ପଡୋଶୀ (୧୯୬୦), ‘ଆବିଷ୍କାର’ (୧୯୭୦), ‘ରଜତ ଜୟନ୍ତୀ’ (୧୯୮୫), ‘ପାଞ୍ଚ ଏକର ଜମି’ (୧୯୯୨), ‘ନରୋତ୍ତମ ଦାସ କହେ’, ‘ପରପୁରୁଷ’, ‘କଳାପାହାଡ଼’ (ଅସମ୍ପୂର୍ଣ୍ଣ), ‘କିସ ପୁଣି ଦେଖା ନ ଯାଏ’ ଏବଂ ‘ମୃତ ଆସାମୀ’ ପରି ଅନେକ ଛୋଟବଡ଼ ନାଟକ ତାଙ୍କ ଅସାମାନ୍ୟ କୃତିର ଥିଲା ପ୍ରଧାନ ଅଂଷ।

‘ଘର ସଂସାର’ ନାଟକ ପାଇଁ ୧୯୫୨ ମସିହାରେ ଦିଲ୍ଲୀରେ ପି.ଇ.ଏନ୍ ଦ୍ଵାରା ସମ୍ବର୍ଦ୍ଧିତ ହେବା ସହ ୧୯୭୩ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ପୁରସ୍କୃତ ହୋଇଥିଲେ। ଏଥି ସହ ୧୯୭୫ ମସିହାରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଘରସଂସାର’ ପାଇଁ ଶ୍ରେଷ୍ଠ ନାଟ୍ଯକାର ସମ୍ମାନ, ‘ନାଟକ ରୀତିମତ’ ପାଇଁ ୧୯୮୫ ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ ସମ୍ମାନ ସହ ୧୯୮୮ ମସିହାରେ କଲଚରାଲ୍ ଏକାଡେମୀ (ରାଉରକେଲା) ଦ୍ଵାରା ସମ୍ମାନିତ ହୋଇଥିଲେ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ।


ମହାନ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ନିଜ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ନାଟ୍ୟମନସ୍କ ରହି ଆସିଥିଲେ। କିନ୍ତୁ, ୧୯୯୨ ମସିହା ଜୁନ୍ ୨୬ ତାରିଖରେ ଏହି ସ୍ରଷ୍ଟାଙ୍କ ଦେହାବସାନରେ ଓଡ଼ିଆ ନାଟ୍ୟ ଜଗତରେ ସୃଷ୍ଟି ହୋଇ ଯାଇଥିଲା ଏକ ଅପୂରଣୀୟ ଶୂନ୍ୟସ୍ଥାନ। 

Leave a Comment

Your email address will not be published. Required fields are marked *

Scroll to Top