ଭଗଵାନ

ଲେଖା: ଶିଶିର ସାହୁ ମନୋଜ

ଭଗଵାନ । ତାଙ୍କୁ ଜଗତଯାକରେ ଅନେକ ନାମରେ ଡକାଯାଇଥାଏ ଏଵଂ ଭାରତରେ ତ ଭଗଵାନ ଶବ୍ଦର ଅନେକ ତତ୍ସମ, ତଦ୍ଭଵ ଓ ଦେଶଜ ପ୍ରତିଶବ୍ଦ ରହିଛି । ନିମ୍ନରେ “ଭଗଵାନ”ଙ୍କର କେତେକ ଶାସ୍ତ୍ରୀୟ ନାମର ଉଲ୍ଲେଖ କରାଗଲା…

ଦେଵ, ଈଶ୍ଵର, ଯଜ୍ଞଭାଗ, ନଭଶ୍ଚର, ତ୍ରିଦିଵେଶ, ଵିଶ୍ଵାଧାୟସ, ଦୈତ୍ଯାରି, ନିଲିମ୍ପ, ଦନୁଜଦ୍ଵିଷ, ସ୍ଵର୍ଲୋକ, ଵିବୁଧ, ପୂଜିତ, ମହେଶ୍ଵର, ଭଵ, ଦ୍ଯୁଷଦ, ଅମୃତପ୍ରାସନ, ସ୍ଵଃସଦ୍, ସୋମଯୋନି, ଦିଵିଷଦ, ମର୍ତ୍ଯମହିତ, ଅଦୈତେୟ, ଯଜ୍ଞଭାଗଭୁଜ, ନରେତର, ତ୍ରିଦିଵିନ, ଵୃନ୍ଦାର, ନିରାକାର, ଵପୁନ, ଅଭୀଜ୍ଯ, ଲେଖ, ଯଜ୍ଞିୟ, ଅନିମିଷ, ସୁମନସ, ଦ୍ଯୁସଦ୍ମନ, ଆଦିତେୟ, ଅମୃତପ୍ରାସିନ, ଦିଵୌକସ, ଗୀର୍ଵାଣ, ମରୁତ, ଶୌଭ, ଯଜ୍ଞଭୁଜ, ସୁଧାଭୁଜ, ଇଜ୍ଯ, ତ୍ରିପିଷ୍ଟପସଦ, ଵୃନ୍ଦାରକ, ଦ୍ଯୁଜନ, ନିର୍ଜର, ତୈତିଳ, କାମରୂପ,  ପୁରୋଡା଼ଶଭୁଜ, ଲୋକାଧିପ, ନାକପାଳ, ଧୃଷାଣ, ଉପପାଦୁକ,  ନିତ୍ଯାନନ୍ଦରସୋଦଧି, ତ୍ରିଦିଵାଧୀଶ, ଅମୃତାନ୍ଧସ, ଵିକଳ୍ପ, ଆଦାନ,  ସ୍ଵର୍ଗୌକସ, ଦେଵକ, ଦେଵତା, ଵସୁଳ, ଅମର, ଯଜ୍ଞାଂଶଭୁଜ, ଦ୍ଯୁଧାମନ, ଅମର୍ତ୍ଯ, ଵାୟୁନ, ସ୍ଵଧାଭୁଜ ଓ ଦିଵୌକସ . .

ପ୍ରୋକ୍ତ ଶବ୍ଦଗୁଡ଼ିକଠାରୁ ଅନେକ ଗୁଣ ଅଧିକ ଶବ୍ଦ ଭାରତରେ ଭଗଵାନ ଶବ୍ଦର ପ୍ରତିଶବ୍ଦ ଭାଵେ ପ୍ରଚଳିତ । ଏଇ ଯେମିତି ଓଡ଼ିଶାରେ ଭିନ୍ନ ଭିନ୍ନ ଭାଷାରେ ଈଶ୍ୱରଙ୍କୁ ଵିଭିନ୍ନ ନାମରେ  ଡକାଯାଏ । ଯଥା:
ଓଡ଼ିଆ: ଭଗବାନ, ଠାକୁର, ଦିଅଁ, ଦେଓ, ପ୍ରଭୁ, ମହାପୁରୁ, ଜୀଉ
କୁଈ: ପେନୁ
ସଉରା: କିତୁଙ୍ଗ୍
ହୋ: ସିଂବଙ୍ଗା
ଓରାଓଁ: ଧର୍ମେସ
କୁଭି: ପେନୁ, ମାହାପୁରୁ
କୋୟା: ଦେଡ଼ୱୁଡ଼୍, ଦେୱୁଡ଼ା
ଖଡି଼ଆ: ମହାପୁରୁ, ଭଗମାନ୍
ଗୋଣ୍ଡି: ମାହାପୃ, ପେନ୍’ଦା
ଜୁଆଙ୍ଗ: କଏଲଂ, କଲ୍ଯଂ
ବଣ୍ଡା: ମାପୃ
ଡିଡାୟୀ: ମାପୁରୁ
ସାନ୍ତାଳୀ: ମାରାଂବୁରୁ

ଓଡ଼ିଶାରେ ସାଧାରଣତଃ ଶ୍ରୀଜଗନ୍ନାଥଙ୍କୁ ମହାପୁରୁ ଵା ମହାପ୍ରଭୁ କୁହାଯାଏ ଏଵଂ ଏ ଶବ୍ଦ ଈଶ୍ୱର ଶବ୍ଦଵିଶେଷ ଭାଵେ ସଦାଶିଵଙ୍କ ପାଇଁ ଵ୍ଯଵହାର ହୁଏ, ଦେଓ ଵା ଦେଉ ଶବ୍ଦ ଜନଜାତୀୟ ଅଞ୍ଚଳରେ ପ୍ରଚଳିତ ଏଵଂ ଏ ଶବ୍ଦ ଓଡ଼ିଶାରେ ରାଜାଙ୍କର ଉପନାମ ଭଳି ମଧ୍ୟ ଵ୍ଯଵହୃତ ହେଉଥିଲା । ସେଇଭଳି ଦିଅଁ ଶବ୍ଦ ପ୍ରାୟ ସମସ୍ତ ଦେଵତାମାନଙ୍କ ପ୍ରତି ଵ୍ଯଵହାର ହୋଇଥାଏ । ସେଇଭଳି ଭଗବାନ ଓ ଠାକୁର ଶବ୍ଦ ମଧ୍ୟ ଓଡ଼ିଆ ଭାଷାରେ ଵିଶେଷ ଭାଵେ ଵ୍ଯଵହୃତ ହୋଇଥାଏ । ଓଡ଼ିଆ ଲୋକେ ଶ୍ରୀଜଗନ୍ନାଥଙ୍କୁ ବଡ଼ଠାକୁର ସମ୍ବୋଧନ କରନ୍ତି ।  ସାରଳା ମହାଭାରତ ତଥା ଓଡ଼ିଆ ଭାଗଵତରେ ଠାକୁର ଓ ଠାକୁରାଣୀ ଇତ୍ୟାଦି ଶବ୍ଦର ପ୍ରୟୋଗ ପ୍ରମାଣ କରେ ଯେ ଏ ଶବ୍ଦ ପ୍ରଥମେ ଓଡ଼ିଶାରେ ଈଶ୍ବରଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହୋଇଥିଲା ।
“ଭଗବାନ ପ୍ରଭୁ ଈଶ୍ବର,
ଯେ ବିଷ୍ଣୁ ଅଖିଳ ଠାକୁର।”
(ଜଗନ୍ନାଥ ଭାଗବତ)

ଅନେକ ଅଭିଧାନକାର ଠାକୁର ଶବ୍ଦର ସଂସ୍କୃତ ସମଦ୍ଧୃତ ରୂପ ଠକ୍କୁର ଯୋଡି଼ଥିଲେ ହେଁ ଏହି ସଂସ୍କୃତ ଶବ୍ଦର କେଉଁଠାରେ ମଧ୍ୟ ନିରୁକ୍ତିର ଉଲ୍ଲେଖ ଦୃଶ୍ୟ ହୁଏ ନାହିଁ । ଓଡ଼ିଶା ଭିନ୍ନ ଅନ୍ଯତ୍ର ଏ ଶବ୍ଦର ଵ୍ଯଵହାର ମାଲିକ ଅର୍ଥରେ ହେଉଥିଲା ଫଳରେ ପରେ ତାହା ସମ୍ଭ୍ରାନ୍ତ ଵର୍ଗଙ୍କ ଉପନାମରେ ପରିଣତ ହୋଇଅଛି ।

ସେଇଭଳି ଦିଅଁ ଶବ୍ଦଟି ଓଡ଼ିଆ ଭାଷାରେ ବହୁ ପୁରାତନ କାଳରୁ ଚଳିଆସୁଅଛି । ଭାଷାଵିଦଙ୍କ ମଧ୍ଯରେ ଏ ଶବ୍ଦକୁ ନେଇ ମତ ପାର୍ଥକ୍ୟ ରହିଛି । ଥୋକେ କୁହନ୍ତି ଦିଅଁ ଶବ୍ଦ ଦିଵ୍ଯ ସହିତ ସମଦ୍ଧୃତ ତ ଆଉ କେତେକ ମତ ଦିଅନ୍ତି ଯେ ଦିଅଁ ଶବ୍ଦ ଵରଂ ଦେଵ ଶବ୍ଦ ସହିତ ସମଦ୍ଧୃତ ହୋଇଥିଵ ।

ଠାକୁର ଭଳି ଦିଅଁ ଶବ୍ଦ ମଧ୍ୟ ପ୍ରାଚୀନ ଓଡ଼ିଆ ସାହିତ୍ଯରେ ଵ୍ଯଵହୃତ ହୋଇଅଛି, ଯଥା:
ୟାହା ମାଗିଲେ ଦିଅଁ ପୁଜି,
ସେ କଥା ଅଛଇଁ ମୁଁ ହେଜି।
(ଜଗନ୍ନାଥ ଭାଗବତ।)

ଦିଅଁ ଶବ୍ଦକୁ ନେଇ ଆମ ଭାଷାରେ ଅନେକ ଲୋକଵାଣୀ ମଧ୍ୟ ରହିଛି, ଯଥା:

★ବଣ ଦିଅଁକୁ ପତର ପୂଜା ବାଲିଗରଡ଼ାକୁ ଚାଉଳଭଜା★

★ଯେଡ଼ିକି ଦିଅଁକୁ ତେଡ଼ିକି ପୂଜା ବାଲି ଗରଡା଼କୁ ଚାଉଳଭଜା★

★ଶିଵା ପଥର ଜଗା କାଠ ଆଉ ସବୁ ଦିଅଁ କାଟ ଛାଁଟ★

★କାଖକରି ନେବି ଦିଅଁ ଦେଖାଇବି ଭୁବନେଶ୍ବର ଦେଉଳେ★

★ଦିଅଁ ଖାଇ ଖଟୁଳି ଖାଇବାକୁ ହାତ ବଢ଼ାଉଛି★

★ଦିଅଁ ଗିଳି ଖଟୁଲି ଗିଳିଵା★

ଇତ୍ୟାଦି ଇତ୍ୟାଦି…

କ୍ରମେ ଭାରତ ଦେଶକୁ ଵିଦେଶୀ ଆସିଲେ ଏଵଂ ତାଙ୍କ ସହ ଚାଲି ଆସିଲା ତାଙ୍କର ଧର୍ମ ସଂସ୍କୃତି ଓ ଭାଷା ତଥା ତାହାର ଶବ୍ଦ ।

ପାର୍ସୀର ଖୁଦା, ଆରବୀର ଅଲ୍ଲା ଓ ରବ୍ ଶବ୍ଦ ସହିତ ଭାରତୀୟ ମାନେ ପ୍ରଥମ କରି ପରିଚିତ ହେଲେ । ତାପରେ ଆସିଲେ ପାର୍ସୀ, ଡଚ୍, ପର୍ତ୍ତୁଗୀଜ୍ ଓ ଇଂରେଜ ଏଵଂ ସେମାନେ ମଧ୍ୟ ତାଙ୍କ ଧର୍ମ ପ୍ରଚାର କରିଵା ଲକ୍ଷ୍ୟରେ ଥିଲେ । କ୍ରମେ ଭାରତରେ ଇଂରେଜ ହିଁ ସର୍ଵଶକ୍ତିଶାଳୀ ହୋଇଉଠିଲେ ଏଵଂ ଯେତେଵେଳେ ଭାରତୀୟମାନେ ତାଙ୍କ ଭାଷା ଶିଖିଲେ ସେମାନେ ଜାଣିଲେ ଯେ ଇଂରାଜୀରେ ଭଗଵାନଙ୍କୁ God  କୁହନ୍ତି । କିନ୍ତୁ ଏ ଶବ୍ଦଟି ମୂଳତଃ ଇଂରାଜୀ ଭାଷାର ନୁହେଁ ଵରଂ ଏହା Frisian ଭାଷାରୁ ନିଆଯାଇଛି ଏଵଂ ଫ୍ରିଶିଆନ୍ ଭାଷାର god ଶବ୍ଦଟିର ମୂଳ ପ୍ରାକ୍ ଜର୍ମାନିକ୍ gudą ଶବ୍ଦ ବୋଲି  ଅନେକ ପାଶ୍ଚାତ୍ୟ ଭାଷାଵିଦ୍ ମତ ଦିଅନ୍ତି ।

gudą ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ରୂପ ଥିଲା *ǵʰutós ଏଵଂ ଏ ଶବ୍ଦର ତତ୍କାଳୀନ ଅର୍ଥ ଥିଲା ମୂର୍ତ୍ତି ତଥା ସ୍ତୁପ ମଧ୍ୟସ୍ତ ପଵିତ୍ର ଆତ୍ମା । ଏହି *ǵʰutós ଶବ୍ଦର ମୂଳ ଭାରୋପୀୟ ଧାତୁ ରୂପ ହେଉଛି *ǵʰew – ଯାହାର ସେ ସମୟରେ ବହିଵା ଵା ପ୍ରଵାହିତ ହେଵା, ଵାହାରିଵା, ବହାଇଵା ଇତ୍ୟାଦି ଅର୍ଥରେ ଵ୍ଯଵହାର ହେଉଥିଲା ।

ଭାଷାଵିଦ୍’ମାନଙ୍କ ଅନୁସାରେ ମୂଳ ଭାରୋପୀୟ ଧାତୁଶବ୍ଦ *ǵʰew ସହିତ
ପ୍ରାଚୀନ ଗ୍ରୀକ୍ ଭାଷାର  χέω (khéō; ପ୍ରଵାହିତ);
ସଂସ୍କୃତର ଜୁହାତି, ଜୁହାଵ, ହୋମ, ହୋତ୍ର, ହଵ୍ଯ
ପାର୍ସୀର ژون‎ (žun, ମୂର୍ତ୍ତି)
ଆର୍ମେନୀୟ ―զոհ (zoh;ସାଖି,ତ୍ୟାଗ,ବଳିଦାନ, ଆତିଥେୟ)
ଇଟାଲୀୟ― *hundō(ଢାଳିଦେଵା, ଵ୍ଯକ୍ତ କରିଵା)
ଇତ୍ୟାଦି ଇତ୍ୟାଦି ଅନେକ ଶବ୍ଦ ସମଦ୍ଧୃତ ।

God ଶବ୍ଦ ଵିଷୟକ ପ୍ରୋକ୍ତ ଆଲୋଚନାରୁ ଜଣାପଡେ଼ ଯେ ପୂର୍ଵେ ସାରା ଵିଶ୍ଵରେ ଭାରତୀୟ ସଂସ୍କୃତି ଆଧାରରେ ହିଁ ଈଶ୍ଵରପୂଜା ହେଉଥିଲା ।

ǵʰutós ଶବ୍ଦର ତତ୍କାଳୀନ ଅର୍ଥ ‛ମୂର୍ତ୍ତି’ ଓ ‛ସ୍ତୁପ ମଧ୍ୟସ୍ତ ପଵିତ୍ର ଆତ୍ମା’ ଅର୍ଥ ପ୍ରମାଣ କରେ ଯେ ଆଗେ କେଵଳ ଭାରତ ନୁହେଁ ଵରଂ ସମୁଦାୟ ଭାରୋପୀୟ ଅଞ୍ଚଳରେ ମୂର୍ତ୍ତି ପୂଜା ଦ୍ଵାରା ହିଁ ମନୁଷ୍ୟ ଆଧ୍ଯାତ୍ମିକ ଅନୁଷ୍ଠାନ କରୁଥିଲା । ପାର୍ସୀର ژون‎ (žun) ଶବ୍ଦର ମୂର୍ତ୍ତି ଅର୍ଥ ଏହି ତଥ୍ଯକୁ ଆହୁରି ସ୍ପଷ୍ଟ କରିଥାଏ ।

ସେହିପରି ଆର୍ମେନୀୟ ଭାଷାର  զոհ (zoh) ଶବ୍ଦଟି ତ ଈଶ୍ଵରଙ୍କର ହିଁ କଥା କହିଥାଏ । ଭଗଵାନ ଆମ ସମସ୍ତଙ୍କର ଆତିଥେୟ ଵା host ଏଵଂ ଆମେ ସମସ୍ତେ ତାଙ୍କର ଅତିଥି ଭଳି ଆସନ୍ତି ଆଉ ସମୟ ଶେଷ ସହ ଚାଲିଯାଆନ୍ତି ମଧ୍ୟ । ଈଶ୍ୱର ଆମ ସମସ୍ତଙ୍କର ପାପ ପୁଣ୍ଯର ସାଖି ଅଟନ୍ତି ଏଵଂ ତାଙ୍କୁ ପାଇଵା ପାଇଁ ସବୁକିଛି ତ୍ୟାଗ କରିଵାକୁ ହିଁ ହୋଇଥାଏ ।

ସେଇଭଳି ପ୍ରୋକ୍ତ ମୂଳ ଭାରୋପୀୟ ଶବ୍ଦ *ǵʰew- ସହିତ ସମଦ୍ଧୃତ ସଂସ୍କୃତର ହୋମ,ହୋତ୍ର ଇତ୍ୟାଦି ଶବ୍ଦ ଗୁଡ଼ିକ ଵିଷୟରେ ମଧ୍ୟ ଏଇକଥା କୁହାଯାଇପାରେ । ଵୈଦିକକାଳରୁ ଆମଦେଶରେ ଦେଵତାମାନଙ୍କୁ ଯଜ୍ଞ ହୋମ ଦ୍ଵାରା ସନ୍ତୁଷ୍ଟ କରାଯିଵାର ପରମ୍ପରା ଚଳିଆସୁଛି । ଯଜ୍ଞ ଅନେକ ପ୍ରକାରର ଏଵଂ ସମାଜର ସବୁଲୋକେ ଏକମନ ହୋଇ କୌଣସି ସକାରାତ୍ମକ କାର୍ଯ୍ୟକୁ ସାମୁହିକ ଭାଵେ ସମ୍ପାଦନ କରିଵାକୁ ଯଜ୍ଞ କୁହାଯାଏ ।  ହୋମଯଜ୍ଞ ଦ୍ଵାରା ଘୃତର ବାସ୍ନା ଚାରିଆଡ଼େ ପ୍ରଵାହିତ ହୁଏ ଏଵଂ ଅନ୍ନଯଜ୍ଞ, ଜଳଯଜ୍ଞ ଇତ୍ୟାଦି କଲ୍ଯାଣକାରୀ ଯଜ୍ଞ ଦ୍ଵାରା ସମାଜରେ ସକାରାତ୍ମକ ଭାଵ ପ୍ରଵାହିତ ହୋଇଥାଏ ।

ଆଜି ଇଂରାଜୀ ଭାଷାର god  ଶବ୍ଦର ଅର୍ଥ ଭଗଵାନ ବୋଲି ଅଧିକାଂଶ ଭାରତୀୟ ଜାଣିଥିଵେ କିନ୍ତୁ ଆମ ଦେଶର ବହୁତ ଲୋକ  ତଥାପି ଜାଣିନଥିଵେ ଯେ ୟୁରୋପରେ ହୋତ୍ର ଓ ହୋମ ଇତ୍ୟାଦି ସହିତ ସମଦ୍ଧୃତ god ଶବ୍ଦ ନୁହେଁ ଵରଂ ଆମ ଦେଶର ଦେଵ ସହିତ ସମଦ୍ଧୃତ ଅନେକ ଶବ୍ଦ ଵିଭିନ୍ନ ଭାଷାରେ ଭଗଵାନଙ୍କ ନାମ ଭାଵରେ ଚଳୁଅଛି । ନିମ୍ନରେ କେତେକ ଭାରୋରୋପୀୟ ଭାଷାଗୁଡି଼କରେ ଦେଵ ଶବ୍ଦ ସହିତ ସମଦ୍ଧୃତ କିଛି ଶବ୍ଦର ଉଦାହରଣ ଦିଆଗଲା . .
Asturian ― Dios
Catalan ― Déu (ca)
Coptic―ⲑⲉⲟⲩ  (theou)
Esperanto ― Dio
French ― Dieu
Galician ― Deus
Greek ― Θεός (Theós)
Latin ― Deus
Italian ― Dio
Welsh ― duw
Old Prussian ― Dēiws/dēiws
Portuguese ― Deus
Scottish Gaelic ― Dia
Tagalog ― Diyos
Samogotian (Žemaitiškai) ― deivs
Old Latin ― deivos
Proto Italic ― *deiwos
Greek ― Ζεύς (Zeús),
Ancient Greek ― Διεύς (Dieús)
Avestan– ??????‎ (daēuua)
Persian — دیو‎ (div, “ରାକ୍ଷସ”)
Lithuanian — Dievas
Sanskrit ― देव (devá)
Odia ― ଦେଓ,ଦେ

ପାଶ୍ଚାତ୍ୟ ଭାଷାଵିଦ୍ ମାନେ ଏସବୁର ମୂଳ ପ୍ରାକ୍ ଭାରୋପୀୟ ଶବ୍ଦ *deywós ନିର୍ଣ୍ଣୟ କରିଛନ୍ତି ଏଵଂ ଏ ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ମୂଳଧାତୁ *dyew- (“ଆକାଶ, ସ୍ଵର୍ଗ”) । ସଂସ୍କୃତରେ ଏହା ଦିଵ୍ ଧାତୁ ରୂପେ ସର୍ଵପରିଚିତ । ଦିଵ୍ ଧାତୁରୁ ଦିଵ, ଦିଵା, ଦିଵସ, ଦିଵ୍ଯ, ଦେଵ, ଦେଵତା, ଦେଵୀ ଇତ୍ୟାଦି ଅନେକ ଶବ୍ଦ ନିଷ୍ପନ୍ନ ହୋଇଅଛି ।

ଭାରତୀୟ ଶାସ୍ତ୍ରୀୟ ଭାଷା ସଂସ୍କୃତରେ ଏହି ଦିଵ୍ ଧାତୁର ଵିଭିନ୍ନ ଅର୍ଥରେ ଵ୍ଯଵହାର ରହିଛି । ଯଥା:
୧. କ୍ରୀଡ଼ା କରିଵା, ଖେଳିଵା
୨. ଇଚ୍ଛା କରିଵା
୩. ଜିତିଵା
୪. ଵ୍ଯାପାର କରିଵା
୫. ଦୀପ୍ତି ପାଇଵା
୬. ପ୍ରଶଂସା କରିଵା
୭. ଖୁସି ହେଵା, ଆନନ୍ଦ କରିଵା
୮. ପାଗଳ ହେଵା
୯. ନିଦ ଲାଗିଵା, ଅଳସ ଲାଗିଵା
୧୦. ପ୍ରେମ କରିଵା
୧୧. ଯନ୍ତ୍ରଣା ଭୋଗିଵା
୧୨. ପଚାରିଵା, ନିଵେଦିଵା, ଭିକ୍ଷା କରିଵା
୧୩. ଚଳିଵା, ଯିଵା
୧୪. ଦୟାକରିଵା
୧୫. ପ୍ରସନ୍ନ ହେବା

ଵସ୍ତୁ ମଧ୍ୟରେ ଈଶ୍ୱରଙ୍କୁ ପାଇଵାକୁ ସମସ୍ତେ ଇଛା କରିଥାଆନ୍ତି । ସେ ଈଶ୍ୱର ପ୍ରାଣୀଙ୍କୁ ପରୀକ୍ଷା କରିଵାକୁ ମାୟା ରୂପ କ୍ରୀଡ଼ା ରଚନ୍ତି । ମାୟାକୁ ଜିତିଲେ ଜୀଵ ପ୍ରଭୁଙ୍କ ସହ ଭକ୍ତି ଵ୍ଯାପାର କରିପାରେ । ଭଗଵାନଙ୍କୁ ପାଇଵାକୁ ପାଗଳ ଭଳି ଭକ୍ତି କରିଵାକୁ ହୁଏ । ଅନେକ କଷ୍ଟ କଷଣ ଯନ୍ତ୍ରଣା ଭୋଗିଵାକୁ ହୁଏ । ଯେତେଵେଳେ ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜୀଵ ସେହି ପରମାତ୍ମାଙ୍କୁ ପ୍ରାପ୍ତ କରେ ସେତେଵେଳେ ସେ ଦିଵ୍ଯଲୋକ ପ୍ରାପ୍ତ ହୁଏ । ଭଗଵାନ ଆନନ୍ଦଦାୟକ, ତେଣୁ ସେ ପରମାନନ୍ଦ ସେ ହିଁ ସଦାପ୍ରସନ୍ନ ।

ଆମ ଦେଶର ଏହି ଦେଵ, ଦିଵ୍, ଦିଵ୍ଯ ଶବ୍ଦ ମଧ୍ୟରେ ହିଁ ସେହି ଈଶ୍ବରଙ୍କ ଵିଷୟରେ ଅନେକ କଥା ଵର୍ଣ୍ଣନା କରିଦିଆଯାଇଛି । ଏହା ହିଁ ଆମ ଭାରତୀୟ ସଂସ୍କୃତିର ଵିଶେଷତ୍ଵ ଯାହା ସଦା ସମ୍ପନ୍ନ ସଦା ସମୃଦ୍ଧ ଭାରତ ଭୂମିରେ ହିଁ ସମ୍ଭଵ ହୋଇପାରିଛି ।

Leave a Comment

Your email address will not be published. Required fields are marked *

Scroll to Top