ବାଲିପାଟଣା

ଲେଖା: ଅମୃତେଶ ଖଟୁଆ
~ ବାଲିପାଟଣା ଗ୍ରାମାଞ୍ଚଳରେ ଗୋଧୂଳିର ଐତିହ୍ୟ ~
ଗ୍ରୀଷ୍ମ ଅବକାଶ ଆରମ୍ଭ ହେବାକୁ ଅନେକ ଦିନ ହେଇଯିବଣି । ଗ୍ରୀଷ୍ମଦଗ୍ଧ ଅପରାହ୍ଣରେ ତପ୍ତ ଧରଣୀ କାଞ୍ଚନ ଭଳି ଖଞ୍ଜି ହେଇ ଯିବା ଭଳି ମନେ ହୁଏ ସନ୍ଧ୍ୟା ହେବାର ବେଳେ । ଦୂରବିସ୍ତୃତ ଦିଗ୍ ବଳୟରେ ଅସ୍ତାୟମାନ ନିଦାଘ ରବି ବୃକ୍ଷାବଳୀକୁ ଆଢୁଆଳ କରି ଲୁଚି ଯାଉଛି ପଲ୍ଲୀପ୍ରାଣର ପଲ୍ଲବସ୍ପର୍ଶରେ ସତୀତ୍ଵ ଘେନି । ଦୀର୍ଘକାଳୀନ ଦିବସର ଅବସାନ ଘଟେ ଆକାଶର ବିଚିତ୍ର ବଳୟ ପରିଧିରେ ଯେଉଁଠି ମେଘମାନଙ୍କ ଆତଯାତ କାହାକୁ ଜଣା ନାହିଁ, ଅବିକଳ ମନୁଷ୍ୟର ଧନଯୌବନ ଭଳି ।
ଏହିପରି ଅଚିରସ୍ଥାୟୀ ଜଗତର ଆବିଷ୍କାର କରିବା ମଧ୍ୟରେ ଆୟୁ ପାକଳ ହେବା ଯାଏଁ ଆମର ମନଟି ନିତାନ୍ତ ଚଞ୍ଚଳ ଓ ଅସ୍ଥିର ହେଇ ରହୁଥାଏ । ତଥାପି ତହିଁରେ ନିରନ୍ତର ଗତିଶୀଳ ଥିଲା ଭାର୍ଗବୀର ଶୁଚିପୂର୍ଣ୍ଣ ସ୍ରୋତ । ଭୃଗୁମୁନିଙ୍କ ଆଶ୍ରମ ଯେ ଦିନେ ଏହାର କୂଳ ଲାଗି ଗଢି ଉଠିଥିଲା, ଆଜି ତାହା କାହା ଲାଗି ଏତେ ଜଣାଶୁଣା ନ ହୋଇଥିଲେ ମଧ୍ୟ, ତାହାର ନୀରବ ନୀଳବେଣୀ ନିଦାଘ ପୁରୁଷଙ୍କ କାମଦର୍ପକୁ ଯେଉଁ ଭଳି ଅବଚ୍ଛିନ୍ନ କରୁଥିଲା, ସେଥିରୁ ତାହାର ଜାତି ଗୋତ୍ରର ବଂଶାନୁଗୁଣ ଅସ୍ତିତ୍ଵ ସମଧିକ ବାରି ହୋଇ ପଡୁଥିଲା । ସେହି ଭଳି ଏକ ତପୋପୀଠର ସଯତ୍ନବର୍ଦ୍ଧିତ ପୟୋଧାରା ବାଳକାଟିରୁ ଚିଲିକା ଯାଏଁ ପ୍ରବହମାନ ରହିଥିଲା ଯୁଗାବଧି ଇତିହାସର ଧାପେ ଧାପେ ।
(ଚନ୍ଦନ ପୋଖରୀ)
ଭାର୍ଗବୀ ନଦୀର ନାମ ଆଜି ପରିବେଶର ଲାଞ୍ଛନା ତାଲିକାରେ ଥିଲେ ମଧ୍ୟ ଦିନେ ପଲ୍ଲୀପ୍ରାନ୍ତର ସରଳ ସୁନ୍ଦର ତଟବର୍ତ୍ତୀ ଗ୍ରାମର ପରିଧିକୁ ଯେ ଋଦ୍ଧିମନ୍ତ କରିଛି, ତାହାର ସେହି ନିବିଡତମ ଠିକଣା ଆଜି ଅଥଚ ଏକ ନିଷ୍ଫଳ ଇତିହାସର ସ୍ଵାକ୍ଷର । ବାଳକାଟିରୁ ଏହାର ଉତ୍ପତ୍ତି । ଭିଙ୍ଗାରପୁର ଓ ବାଲିପାଟଣା ଅଞ୍ଚଳକୁ ରାସ୍ତା ଉତ୍ତରା ଛକର ବାମ ପାର୍ଶ୍ଵରେ ଅବସ୍ଥିତ ଏବଂ ଏହାର ଅବ୍ୟବହିତ ପୂର୍ବରୁ ସରଦେଈପୁର, ବାଳକାଟି, ଗଡକଣ୍ଟୁଣିଆ ତଥା ହୀରାପୁରକୁ ପଥ ଲମ୍ଵି ଯାଇଅଛି । କୁଆଖାଈ ତଟରେ ସେଠୁ ୩ରୁ ୪ କିମି ଦକ୍ଷିଣକୁ ରହିଛି ରାୟଗୁରୁ ବାସୁଦେଈପୁର
ରାୟଗୁରୁ ବାସୁଦେଈପୁର ବା ହୀରାପୁର ନିକଟରେ ଅବସ୍ଥିତ ସ୍ବନାମଗୃହୀତ ଚଉଷଠି ଯୋଗିନୀ ମନ୍ଦିର । ବୈଦିକ ଯୁଗରୁ ଅଦିତି, ଉଷା, ସରସ୍ଵତୀ, ପୃଥିବୀ, ରାତ୍ରି, ପୁରନ୍ଧୀ, ଇଡା, ଧୀଷଣା, ଶଚୀ, ଶଚୀ ପ୍ରଭୃତି ଚାଳିଶରୁ ଊର୍ଦ୍ଧ୍ଵ ଦେବୀମାନେ ପୁଣ୍ୟତୋୟା ନଦୀ ଓ ଶସ୍ୟଶ୍ୟାମାବୃତ୍ତ ପୃଥିବୀ ଲାଗି ପ୍ରାଣପ୍ରାଚୁର୍ଯ୍ୟର ଆବାହନ କଲା ଉତ୍ତାରୁ ଶାକ୍ତ ଭାବନାର ଭିତ୍ତିଭୂମି । ଅଷ୍ଟବସୁଙ୍କ ପରିପାଳନରେ ଏକାଦଶ ରୁଦ୍ର ଓ ଦ୍ଵାଦଶାଦିତ୍ୟଙ୍କ ସହ ବିଚରଣତା ସେହି ଶକ୍ତି ସମସ୍ତ କ୍ରିୟାତନ୍ତ୍ର ଲାଗି ଅଧୀଶ୍ଵରୀ । ବିଶ୍ଵପ୍ରାଣସ୍ପର୍ଶୀ ଚେତନାର ବିମର୍ଶରେ ଏମାନଙ୍କ ପରିଧି ସମଧିକ ବ୍ୟାପ୍ତ ଓ ଆକାଶତୁଲ୍ୟ ମହିମ୍ନ ସୁଦ୍ଧା ହୋଇ ରହିଛି ।
(ଚଉଷଠି ଯୋଗିନୀ ମନ୍ଦିର)
ପ୍ରାଣଧାରଣ ଲାଗି ସ୍ତୁତିନିପୁଣ ଦେବଗଣଙ୍କ ସମବେତ କଣ୍ଠରେ ମାନବୀୟ ସମ୍ଵେଦନାର ପ୍ରସ୍ଫୁଟନ ନାନାବିଧ ଦେବୀଙ୍କ ରୂପର ଉପାସନା ଲାଗି ଉତ୍ତୀର୍ଣ୍ଣ ହୁଏ । ଶାକ୍ତସେବାରେ ନିରତ ଉପାସକମାନେ ଆରାଧ୍ୟ ଦେବୀଙ୍କୁ ଏହିପରି ଅଗଣିତ କଳ୍ପନା କରୁଥିଲେ । ଓଡିଶାରେ ଶାକ୍ତତନ୍ତ୍ରର ପ୍ରତିଷ୍ଠା ଅନୁରୂପ କୌତୂହଳପ୍ରଦ । ବିଷ୍ଣୁ, ଶିବ, ସୂର୍ଯ୍ୟ, ଗଣେଶ ଓ ଶକ୍ତିଙ୍କୁ ପାଞ୍ଚ ପ୍ରମୁଖ ଦେବତାର ସ୍ଥାନୀୟ ନିରୂପଣ କ୍ରମେ ପୁରୀ, ଭୁବନେଶ୍ୱର, କୋଣାର୍କ ତଥା ଯାଜପୁରର ଅର୍ବାଚୀନ ପ୍ରମାଣ ପ୍ରଚଳିତ ପଦ୍ଧତିର ଅନସ୍ଵୀକାର୍ଯ୍ୟ ଉପଜୀବ୍ୟମାନଙ୍କ ମଧ୍ୟରେ ଅନ୍ୟତମ । ପ୍ରଧାନତର ବିଷୟରେ ଦର୍ଶନୀୟ ଯେ ଯୋଗିନୀ ଉପାସନା ଲାଗି ଉଦ୍ରିକ୍ତ ସମ୍ପ୍ରଦାୟର ବିସ୍ତାର ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀରୁ ହୋଇଅଛି ।
ଖ୍ରୀଷ୍ଟୀୟ ୯୫୯ ଖ୍ରୀଷ୍ଟାବ୍ଦରେ ସୋମଦେବଙ୍କ ଦ୍ଵାରା ରଚନା କରାଯାଇଥିବା ‘ଯଶସ୍ତ୍ରିଳକ’ରେ ମହାଯୋଗିନୀଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟମାନ ହସ୍ତଗତ ହୁଏ । ଆଲୋଚ୍ୟ ପ୍ରସଙ୍ଗରେ ଓଡିଶାର ଯୋଗିନୀ ସମ୍ପ୍ରଦାୟ ବିଷୟରେ ଆମ୍ଭର ଇତିହାସ ଅଦ୍ୟାବଧି ଦୃଷ୍ଟି ପଥାରୂଢ ହୋଇନଥିଲେ ହେଁ ଉଡ୍ଡୀୟାନ ପୀଠରୁ ଓଡିଶାରେ ଯୋଗିନୀ ପୀଠର ସ୍ଥାପନା ଏବଂ ଉପାସନାର ସନିର୍ବନ୍ଧ ପରିଚୟ ରହିଛି । ପ୍ରତ୍ୟେକ ସଂସ୍କାରର ପ୍ରାରମ୍ଭରେ ଯୋଗିନୀମାନେ ମାତୃକାରୂପେ ପୂଜା ପାଉଥାଆନ୍ତି । ଓଡିଶାରେ ବଲାଙ୍ଗୀର ଜିଲ୍ଲା ସ୍ଥିତ ରାଣୀପୁର ଝରିଆଲ ତଥା ଭୁବନେଶ୍ୱର ନିକଟବର୍ତ୍ତୀ ଏହି ହୀରାପୁର ଗ୍ରାମର ଚଉଷଠି ଯୋଗିନୀ ମନ୍ଦିର ଲୋକଲୋଚନକୁ ଆସିପାରିଛି ।
ଉତ୍ତରା ଛକରୁ ସରଦେଈପୁର ରାସ୍ତା ଦେଇ ଗଲାବେଳେ ପଡେ ବନମାଳୀପୁର – ବାଲିପାଟଣା ଅଞ୍ଚଳକୁ ରାସ୍ତା । ଭାର୍ଗବୀ ନଦୀ ଉପର ଦେଇ ବାଳକାଟି ବଜାର । ପୂର୍ବୋକ୍ତ ଅନୁଭୂତିରୁ ଭାର୍ଗବୀ ବିଷୟରେ ବିଶଦ କହିବା ବେଳେ ଏହା ନିହାତି ସ୍ମରଣଯୋଗ୍ୟ ଯେ ଭୁବନେଶ୍ୱର ନିକଟବର୍ତ୍ତୀ ଦୟା, କୁଶଭଦ୍ରା, ପ୍ରାଚୀ ଭଳି ଭାର୍ଗବୀ ନଦୀର ଐତିହ୍ୟ ଆଦୌ କୌଣସି ଗୁଣରେ ଊଣା ନୁହେଁ । ଅଖ୍ୟାତ ଅବସ୍ଥାରେ ଆଜି ଏହା ପ୍ରଦୂଷିତ । ବନ୍ୟାପ୍ରବଣ ଅଞ୍ଚଳ ଭାବରେ ଏହାର କୂଳବର୍ତ୍ତୀ ଗାଁଗୁଡିକ ପ୍ରାୟତଃ ଶ୍ରାବଣର ପୁଞ୍ଜୀଭୂତ ମେଘନିଭ ଆକାଶକୁ ଚାହିଁଲେ କାକୁସ୍ଥ ହୁଅନ୍ତି । କୁଆଖାଈ ନଦୀ ସରଦେଈପୁର ପାଖରେ ଦୁଇ ଭାଗରେ ବିଭକ୍ତ ହୋଇ ଦୟା ଓ ଭାର୍ଗବୀ ରୂପେ ବହିଯାଉଛି ।
ନୀଳସତୃଷ୍ଣ ଭଅଁରିଆ ପାଣି ଭିତରେ ବତୁରି ଯାଉଥାଏ ଆକାଶର ପ୍ରତିବିମ୍ଵ । ଦୁଇଚକିଆ, ଚାରିଚକିଆ ଯାନ ବାହନ ଆତଯାତ ଭିତରେ ବାଳକାଟିର ପୋଲତଳକୁ ଦରାଣ୍ଡି ଦେଖିଲେ ଭାର୍ଗବୀର ନିସ୍ତରଙ୍ଗ ସୁଖ ଆଉଟିବା ଆଳରେ ଲୋକାରଣ୍ୟରୁ ନୀରବରେ ଅତିକ୍ରମ କରି ସମୁଦ୍ରେ ଶୋଷ ଧରି ଆଗେଇ ଚାଲିଛି । ମୁଁ ଯେପରି ତାର ଢେଉମଗ୍ନ ନୀଳ ଆଖି ଆଗରେ ଭାସିଯାଉଥିଲି ହିମାୟିତ ପଦ୍ମପାଖୁଡା ପରି, ଯାହାକୁ ନିତି ଭଉଁରୀ ଭିତରେ ଉଠି ବୁଡିବାର ଥାଏ । ହୀରାପୁର ରହିଲାଣି ବାମଭାଗକୁ । ନିରୁଦ୍ଦିଷ୍ଟ ଅବବାହିକାଟିଏ ବହିଯାଉଛି ଜନବସତି ଓ ନିରୁତ୍ତାପ ହରିତରଚନା ଅନ୍ତରାଳରେ । ମିଳିତ ଶାଖାଦୋଳର ସୁଗମ ପଥରେ ପତ୍ରେଇଥିଲା ବାଲିପାଟଣା ଅଞ୍ଚଳର ଅହେତୁକ ପୁଲକ ।
ବୁଦା ଛାଇ ଦେଖି କେତେକ ହଂସରାଳୀ ଆଉ ବକପଂକ୍ତି ମହିଷପଲ ଆଡକୁ ଚାହିଁ ବୃକ୍ଷବଲ୍କଳ ଉପରେ ବସି ପଡୁଛନ୍ତି । ଡାଳୁଅ, ଗହମ, ଖରଡା ଧାନର ଶ୍ୟାମଳ ରୂପରେ ନେତ୍ରପ୍ରୀତି ସମ୍ପାଦନକାରୀ ପ୍ରଶାନ୍ତି ଜ୍ୟେଷ୍ଠ ମାସରେ ନିଦାଘକ୍ଲିଷ୍ଟ ଅପରାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅବତରି ଆସି ଯାଇଥାଏ । ତରୁଶୂନ୍ୟ ଅଞ୍ଚଳରେ ଗଢି ଉଠିଥିଲା ଅନୁଚ୍ଚ ସୌଧରାଜି, ଯାହା ଆପାତତଃ ଘରୋଇ ଉପାୟନରେ ଏଇ କିଛିବର୍ଷ ତଳେ ହିଁ ଗଢାଯାଇଛନ୍ତି । ଆଗକୁ ରହିଛି ମଞ୍ଜରୀ ଦେବୀ ହାଇସ୍କୁଲ ତଥା ମଞ୍ଜରୀ ଦେବୀ ଡାକ୍ତରୀ ମହାବିଦ୍ୟାଳୟ । ଗାଢ ରକ୍ତିମା ଭିତରେ ସେହି ସୌଧଟି ଦିଶୁଥିଲା ଆଖିକୁ କୌଣସି ପରିଚିତ ଜାଗା ପରି । ଅତିକ୍ରମ କରଗ ପହଞ୍ଚିଯାଉ ଏରକଣ୍ଟା ବୋଲି ଗାଁ ପାଖରେ ।
ପୂର୍ବରୁ ବାଳକାଟି ଭିତରେ ଥିଲା ଜନାରଣ୍ୟ । ବିପଣିସମୂହ ଲାଗି ପ୍ରସିଦ୍ଧି ଥିଲା । ବାଳକାଟି ସେତୁ ପରେ ହିଁ ପଡେ ମଦନମୋହନ ମନ୍ଦିର । ଏକ ବିସ୍ତୃତ ଅଞ୍ଚଳରେ ବାଳକାଟି ଡାକ୍ତରଖାନାର ବିପରୀତ ପାର୍ଶ୍ଵରେ ଥିବା ଏହି ମନ୍ଦିର ନିତାନ୍ତ ଲୋକପ୍ରିୟ କ୍ଷେତ୍ର ବୋଲି ବାରି ହେଉଥିଲା । ଏହିଭଳି ଭାବେ ନନ୍ଦୀ ସାହି ବୋଲି ଏକ କ୍ଷୁଦ୍ର ଗୋହିରୀ ଦେଇ ଗଲାବେଳେ ବାଳକାଟି ବଜାର ଆସେ । ଏହି ବାଳକାଟି ବଜାର ପିତଳ ନିର୍ମିତ ବାସନକୁସନ, ହାଣ୍ଡି, ଡେକ୍ଚି, କଡେଇ, ଦେଉଳ କଳସ ପ୍ରଭୃତି ଯାବତୀୟ ଧାତୁଯୁକ୍ତ ଜିନିଷ ଏବଂ ଆସବାବପତ୍ର ଲାଗି ଉତ୍କର୍ଷ ରଖେ । ବଜାରଯାକ ନିୟମିତ ଗହଳଚହଳ ଦ୍ଵାରା ସୁବିନ୍ୟସ୍ତ । ଏହାକୁ ଲାଗି ବସନ୍ତପେଡି ଓ ନୂଆପାଟଣା ଗାଁ ରହିଛି ।
ସୂଚନାନୁଯାୟୀ, ପଞ୍ଚଦଶ ଶତାବ୍ଦୀର ସ୍ବପ୍ନେଶ୍ଵର ମହାଦେବଙ୍କୁ ଉତ୍ସର୍ଗୀକୃତ ଏକ ପୀଢ ଦେଉଳ ରହିଛି ଯେଉଁଠି ବିଷ୍ଣୁମନ୍ଦିର ମଧ୍ୟ ରହିଛି ଏକ ସୁନ୍ଦର ମାଧବ ପ୍ରତିମା ସହିତ । ମାତ୍ର, ଏହାର ଠିକଣା ଆବଶ୍ୟକ ସ୍ଥଳରେ ଠାବ ନ ହେବାରୁ ଆମ୍ଭେ ବସନ୍ତପେଡି ଗାଁ ଦେଇ ନୂଆପାଟଣା ତଳ ଓ ଉପର ସାହି ଅତିକ୍ରମ କରି ସିଧାସଳଖ ବାଲିପାଟଣା ଅଭିମୁଖେ ଗନ୍ତବ୍ୟ ନିର୍ଘଣ୍ଟ କରିଲୁ । ସେତେବେଳେ ସନ୍ଧ୍ୟା ହେଇନଥାଏ ଏବଂ ଘଟିକାରେ ପାଞ୍ଚଟା ବାଜିଥାଏ । ପୂରଣ ଓ ପୂରଣପଧାନ ଗାଁ ପଡେ । ଧନୁଆ ନଦୀର ଅଦୃଶ୍ୟ ନଦୀଶଯ୍ୟା ଓ ପଥ ଦେଖି ବିସର୍ପିଳ ମୋଡରେ ଏହି ଯୋଡି ଗାଁ ଅବସ୍ଥିତ । ଜନଜୀବନର ନିରାଭରଣ ବଳୟରେ ଲୋକମାନଙ୍କ ମେଳାପ ରହିଥାଏ ।
ଗ୍ରାମୀଣ ଶୈଳୀର ବିଶେଷତଃ ପ୍ରଭାବ ଓ ଆଟୋପର ବିଷୟ ଉତ୍ଥାପନ ବର୍ତ୍ତମାନ ନିଷ୍ପ୍ରୟୋଜନ ଯଦିଚ ଗାଁ ପରିବେଶରୁ ଏହି ସ୍ଥାନର ପୃଥକୀକରଣ ଅସ୍ପୃହଣୀୟ । କାରଣ, ଏପର୍ଯ୍ୟନ୍ତ ସୁଦ୍ଧା ଗାଁମାନଙ୍କରେ ମେଳାପୀ ବ୍ୟକ୍ତିଙ୍କର ସମ୍ଭାଷଣ ଏଠାରେ ବିଦ୍ୟମାନ ଥାଏ । ଅଖଭର୍ତ୍ତି ବୋଝେଇ ଘେନି ଶଗଡ ଗୁଳା କରି ଯାଉଥିବା ଚଷାଭାଇର ସ୍ଵର ଶୁଭୁନଥାଏ, ହେଲେ ଆବେଗର ଅନ୍ତଃହୀନ ସ୍ଫୁରଣ ତାହାଙ୍କ ଠାରେ ଥିଲା ଏବଂ ଅତି ସନ୍ତର୍ପଣରେ ଗାଁର ସୁଦୀର୍ଘ ଅବସରରେ କଣ୍ଠାଗ୍ରତ ବୃଦ୍ଧବୃଦ୍ଧାଙ୍କ ଗହଣରେ ତାହା ଚେଇଁ ଉଠୁଥିଲା । କୋଠାଗୁଡିକ ଅଧିକ ଉଚ୍ଚ ନୁହେଁ । ଯୋଡେ କଦଳୀଗଛକୁ ସମାନ ଭାବେ ଉପରକୁ ଉପର ରଖିଲେ ଯେତିକି ଉଞ୍ଚ ଯିବ, ସେତିକି ବୋଧହୁଏ ଘରମାନଙ୍କ ଉଚ୍ଚତା ।
ଏହି ପୂରଣପଧାନ ଗାଁର ଡାହାଣ ପଟକୁ ନଈକୂଳ ସାହି ଠାରେ ଥିଲା ସ୍ଵର୍ଣ୍ଣମୟୀ ଠାକୁରାଣୀଙ୍କ ଆସ୍ଥାନ । ଗଛ କୋରଡରେ କଳାମୁଗୁନିର ଅବକ୍ଷୟପ୍ରାପ୍ତ କ୍ଷୁଦ୍ରକାୟ ବିଗ୍ରହ । ସମ୍ଭବତଃ ଦୁର୍ଗାଙ୍କର କିମ୍ବା କୌଣସି ଅସ୍ତ୍ରଧାରିଣୀ ଦେବୀଙ୍କର ମୂର୍ତ୍ତି ଯାହା କାଳକ୍ରମେ ଅବକ୍ଷୟପ୍ରାପ୍ତ ଅବସ୍ଥାରେ ଉଦ୍ଧାର ପାଇଲା କ୍ଷଣି ପୂଜାରତା । ଇତିହାସର ଅପ୍ରଚଳିତ ପୃଷ୍ଠା ଲେଉଟାଇବା ସମୟରେ ଏତାଦୃଶ ପ୍ରମୂର୍ତ୍ତ ଧାରଣା ପ୍ରତି ଅଭିନବ ଆଶାୟୀର ନେତ୍ର ବଶବର୍ତ୍ତୀ । ସିଜୁ ଓ ତେନ୍ତୁଳିଗଛର ପଦାର୍ଥରେ ରାସ୍ତାଘାଟ ଆଗେଇ ଯାଉଥିଲେ ଅରିଙ୍ଗଳ ବୋଲି ଗାଁ ପାଖକୁ । ବୁଢୀପଦା, ଶିଶିଲୋ, ଅଞ୍ଜିରା ଭଳି ଛୋଟ ଛୋଟ ଗାଁ ସାହି ଗୋହିରୀ ଭଳି ରହିଥିଲେ । ଅମଳଧାନକୁ ଅଳେଇଗଦା ଲଦି ହେଇ ପଡିଥିଲେ ରାସ୍ତାକଡରେ ।
ସ୍ଵର୍ଣ୍ଣସୁକୁମାର ଐତିହ୍ୟ ଭଳି ବେଉସାର ପାତ୍ରତା ଥିଲେ ଏହି ଧାନ ମାଣେ ସେରରୁ ଅମାର ଭର୍ତ୍ତି କରିବା ପର୍ଯ୍ୟନ୍ତ । ପଙ୍କଭର୍ତ୍ତି ଧନୁଆ ନଦୀ କୋଠାବାଡିର ଚଟାଣ କାନ୍ଥର ନିଷ୍ପ୍ରାଣ ଦେହକୁ ଛୁଇଁଦେଇ ସନ୍ତର୍ପଣରେ ପାସୋରି ଯାଉଥିଲା ନୀଳିମା ଆଉ ସବୁଜିମା ଘେରା ଶିରୀଷଶୀର୍ଷ ମୃଦୁମଧୁର ଭୂଇଁର ଚକା ଭଉଁରୀ । ତାଳିବନଶ୍ୟାମ ସାତକାବାଦ ଓ ବିଶ୍ଵନାଥପୁର । ଏହା ଭିତରେ ପୁଣି ଷଠିଲୋ, ଗଣ୍ଡିଲୋ, ବୋଧଖଣ୍ଡି, ନୂଆପଡା ଭଳି କ୍ଷୁଦ୍ରକାୟ ଜନବସତି । ଚାଷୀ ପରିବାର, ଧାତୁଯୁକ୍ତ ଆସବାବପତ୍ର ଭିଆଣରେ ଲାଗିଥିବା କୁଟୁମ୍ଵଠୁ ନେଇ ବିଦ୍ୟୁତ୍ କାମ, ଘରବାଡି ନିର୍ମାଣ ଲାଗି ଇଟାକଳ, କାଠକଳ ପର୍ଯ୍ୟନ୍ତ କାମ କରୁଥିବା ଉପାର୍ଜନକାରୀ ନିଜର ଥାନ କରି ନାତିଦୀର୍ଘ ବଜାରଟିଏ ମିଳିତ କ୍ରିୟାନୁଷ୍ଠାନ କ୍ରମେ କରିଛନ୍ତି ।
ସାତକାବାଦ ଗନ୍ତବ୍ୟର ଡାହାଣକୁ ରହିଲା ବେଳେ ବିଶ୍ଵନାଥପୁର ରହିଲା ବାମପାର୍ଶ୍ଵକୁ । ସେଠି ଧର୍ମପ୍ରାଣ ମଣିଷମାନଙ୍କ ସ୍ଥାନ । ଅବଲୁପ୍ତ ଧର୍ମଧାରଣାର କାକୁତି କରୁଥିବା ସଂସ୍କୃତିଭୀତ ପୁରୁଷମାନଙ୍କ ପ୍ରତି ଏଠିକାର ଦୈନିକ ଜୀବନ ପ୍ରତି ଭକ୍ତିପୂତ ଭାବରେ ସଚେତନ ନାଗରିକ ଓ ଗ୍ରାମବାସୀବୃନ୍ଦ ଭାଗବତ ଗାଦି ଓ ଟୁଙ୍ଗି ଗୁଡିଏ ଭିଆଇ ଅଛନ୍ତି । ଗାଁ ତୋଟାମାଳି ପରି ବିଭ୍ରାନ୍ତିଶୂନ୍ୟ ଉପମାରେ ପର୍ଯ୍ୟବସିତ ବରଗଛ ମୂଳର ସେହି ନ୍ୟାୟ ନିଶାପର ପୁଣ୍ୟପୀଠ ଅବସ୍ଥିତି ଦାବି କରେ । ତ୍ରିନାଥ ମେଳା ବର୍ଷକୁ ପ୍ରାୟତଃ ବହୁଥର ଏଠାରେ ଅନୁଷ୍ଠିତ ହେବାର ବିଦିତ ତଥା ମା’ କ୍ଷେତ୍ରପାଳୀ ଓ ଭାଗବତ ଘରେ କୀର୍ତ୍ତନ ଲାଗି ପ୍ରଯତ୍ନ କରାଯିବା ଦୃଷ୍ଟାନ୍ତମୂଳକ ।
ଗାରେଡିପାଞ୍ଚଣ ଏଠାରୁ ଅଳ୍ପବାଟ ରହିଲା । ଦୂରରୁ ଖର୍ବ ଭୂଇଁର ସ୍ତୂପୀକୃତ ଦେହଳୀରୁ ଆଖି ଉଠିଲେ ଦିଶୁଛି କୌଣସି ଏକ ଉଚ୍ଚ ଦେଉଳ । ମଧୁବନ ଛକ ବୋଲି ସିମେଣ୍ଟ ବିକ୍ରୟ ସ୍ଥଳୀ ଆଗରେ ଉଲ୍ଲେଖ କରାଯାଇଛି ଜାଣିବାରୁ ମନେ ହେଲା ଦିଶିଯିବ ସେହି ଅନ୍ଵେଷାଲିପ୍ସୁ ଐତିହ୍ୟ । ମଧୁବନ ଛକର ଅବ୍ୟବହିତ ପୂର୍ବରୁ ଉତ୍ତରପୂର୍ବ ଆଡକୁ ବିଲ ଅରମାର ହରିତକୀ ଅତିକ୍ରମ କରି ଦିଶିଯାଏ ବୁଦ୍ଧନାଥଙ୍କ ସମୁଚ୍ଚ ଦେଉଳ । ଅପ୍ରଶସ୍ତ ରାସ୍ତାର ବେନିପାର୍ଶ୍ଵରେ ଆପାତତଃ ବିବିଧ ବଜାରମାନଙ୍କ ଆସର ଏବଂ ବ୍ୟବଧାନ ରକ୍ଷା କରି ଅଗ୍ରସର ହୋଇଛନ୍ତି ସହର ଓ ଗାଁଗୁଡିକ ଅଭିମୁଖେ । ଆସିଛି ଗାରେଡିପାଞ୍ଚଣ, ବୁଦ୍ଧନାଥଙ୍କ ପୀଠ । ମଧୁବନ ଛକ ଦେଇ ଦରଡା ଗାଁ ରହେ ଡାହାଣ ପଟକୁ ।
(ନାଟମଣ୍ଡପରୁ ଦେଉଳର ପ୍ରଚ୍ଛଦ)
ମଧୁବନ ଛକରୁ ଗୋଟିଏ କିଲୋମିଟର ମାତ୍ର ଅତିକ୍ରମ ବୁଦ୍ଧନାଥଙ୍କ ଦେଉଳକୁ ଯିବା ଲାଗି ଆସିଛି ଏକ ଫଳକଲଗା ସ୍ଵଗତୋକ୍ତ ପ୍ରବେଶପଥ । ଅଣ ଓସାରିଆ ରାସ୍ତା ଧୂସର ପାଣ୍ଡୁଲିପିର ଅକ୍ଷର ପରି ଅଗ୍ରସର ହେଉଥିଲା ଭିତରକୁ । ବାଉଁଶ ଗଛମାନଙ୍କ ଛାଇଛାଇକା ଗତିରେ କ୍ଷିପ୍ର ଆଲୋକର ଦୀପ୍ତି ଗ୍ରୀଷ୍ମପାଗର ଅବସାନ ସୂଚେଇ ଥମି ଯାଉଥାଏ । କଡକୁ ଦୁଇ ପଟେ ଗାଁର ହିଡମୂଳ, ଅପନ୍ତରା ଭୂଇଁର ପରିମିତି ଏବଂ ମାତୃସ୍ନେହ ପ୍ରସୂତ ପତ୍ରଗହଳର କୋଳରେ ମଳୟସୁଲଭ ସମୀରଣ ରୌଦ୍ରତାଡନାରୁ ଅବସର ପାଇ ଶୋଇ ଯାଉଥିଲା । ଗାରେଡିପାଞ୍ଚଣ ଗାଁ ଭିତରକୁ ଗଲା ବେଳେ ଜାଗୁଳାଈଙ୍କ ମନ୍ଦିର ପଡେ ।
(ବୁଦ୍ଧନାଥଙ୍କ ଦେଉଳ)
ଶୈଶବର ସ୍ମୃତିସଜଳ ପରିମାପକ ବାଳୁତମାନଙ୍କ ଲୁଚକାଳି ଓ ମନମତାଣିଆ ଖେଳର ଦୃଶ୍ୟ ଦେଖି ଗଲାବେଳେ ଦୁର୍ନିରୀକ୍ଷ ଆଖି ଦିଓଟି ଅଳସ ଭାଙ୍ଗିଲେ । ଏକାନ୍ତ ଆପଣାସମ ଗୁଗୁଚିଆଁ କାହିଁ ଥିବ ଯିଏ ଧୂଳିଘର ପରି ଜୀବନରେ ଧୂଳିକୁ ବୋଳି ହୋଇ ଖେଳୁଥିବ ଲୁଚକାଳି ଜୀବନର ଦୋଛକିରେ । ନିଷ୍କପଟତାର ପ୍ରତିଭା ଦୁରନ୍ତ ଶମନଶାସନକୁ ଚୂର୍ଣ୍ଣ କରିବା ଲାଗି ଯଥେଷ୍ଟ । ନଚିକେତା ଆମ୍ଭ ଲାଗି ସେଥିରେ ଆଦର୍ଶ ଥିଲେ । ଏତଦ୍ ବ୍ୟତୀତ ଅଗ୍ରସର ହେବା କ୍ଷଣି ଗାଁର ପିଣ୍ଡା ଗୁଡିକ ନିତାନ୍ତ ପ୍ରଶସ୍ତ ଏବଂ ବଂଶାନୁକ୍ରମିକ ନିର୍ମାଣ ଫଳରେ ଏମାନଙ୍କ ସାନ୍ନିଧ୍ୟରେ ସଯତ୍ନବର୍ଦ୍ଧିତ ଗୌରବ ଆଶ୍ରୟ ପାଇଛି । ଗାଁ ଭିତରକୁ କିଛିବାଟ ଏହିପରି ଘରବାଡି ଦୃଶ୍ୟ ଦେଖି ପହଞ୍ଚିଗଲୁ ବୁଦ୍ଧନାଥଙ୍କ ଦ୍ଵାରଦେଶରେ ।
(ଦିଗପାଳ ଓ ମହିଷମର୍ଦ୍ଦିନୀ ଦୁର୍ଗା)
ଗାରେଡିପାଞ୍ଚଣ ତନ୍ତ୍ରପୀଠ ରୂପରେ ଖ୍ୟାତି ଅର୍ଜନ କରିଥିବାର ଐତିହ୍ଯବିଜ୍ଞ ତଥା ସ୍ଥାନୀୟ ବାସିନ୍ଦାଙ୍କର ମତ । ପାଞ୍ଚଣ ଧରି ସିଦ୍ଧ ସାଧକବୃନ୍ଦ ଏଠାରେ ଗାରେଡି କରି ସର୍ପଦୋଷ ଓ ସର୍ପଦଂଶନ ଜନିତ ବିଷକ୍ରିୟାର ନିବାରଣ କରୁଥିବାରୁ ଗ୍ରାମର ନାମକରଣ ଗାରେଡିପାଞ୍ଚଣ । ପୂର୍ବରୁ ଅବିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣାରେ ଥିବା ଏହି ଗ୍ରାମରେ ବୁଦ୍ଧନାଥଙ୍କ ଦେଉଳ ରେଖ ଦେଉଳ ଓ ପୀଢ ଜଗମୋହନକୁ ନେଇ ସୁସଙ୍ଗଠିତ । ପୂର୍ବେ ଏ ଦେଉଳର ଉଚ୍ଚତା ଥିଲା ୭୦ ଫୁଟ୍ ମାତ୍ର, କାଳର ଅପ୍ରୀତିକର କବଳରେ ଯବନ ଆକ୍ରମଣର ସମ୍ମୁଖୀନ ହେଉଥିବା ଉତ୍କଳର ଅନ୍ୟତମ ଦେଉଳ ଭାବରେ ଏହା କ୍ଷତିଗ୍ରସ୍ତ ହେଲା । ବର୍ତ୍ତମାନ ଏହାର ଉଚ୍ଚତା ୫୦ ଫୁଟ୍ ଅଟେ ।
(ଜଗମୋହନ ଭିତର ଛାତ)
ମୁଖଶାଳାରୁ ପ୍ରବେଶ କରନ୍ତେ ସପ୍ତରଥ ଶୈଳୀର କାରୁକାର୍ଯ୍ୟ ସହ ସୂଚୀଭେଦ୍ୟ ନିଖୁଣତାର ନିର୍ବାହ କରି ମୁଣ୍ଡ ଟେକିଥିବା ବୁଦ୍ଧନାଥଙ୍କ ଦେଉଳ ଦୃଶ୍ୟମାନ ହେବ । ବୁଦ୍ଧନାଥଙ୍କ ଦେଉଳ ଗର୍ଭଗୃହରେ ରହିଛନ୍ତି ପାତାଳଫୁଟା ଲିଙ୍ଗ ପରି ଦୃଶ୍ୟମାନ ଯୋନିପୀଠ ସହ ପୂଜାରତ ମହାଦେବ । ପୂଜକ ଓ ସ୍ଥାନୀୟ ବାସିନ୍ଦାଙ୍କ ଅଭିବ୍ୟକ୍ତି ଅନୁଯାୟୀ ପୂର୍ବରୁ ଏଠାରେ ଲିଙ୍ଗ ପ୍ରତିଷ୍ଠିତ ଥିଲେ ହେଁ ମନ୍ଦିର ଆକ୍ରମଣ ସମୟରେ ଅନେକ କାରୁକାର୍ଯ୍ୟ, ମୂଳ ସ୍ଥାପତ୍ୟ ସହ ଲିଙ୍ଗ ମଧ୍ୟ ଭଗ୍ନ ପାଇ ଆଜି କେବଳ ଶକ୍ତିପୀଠ ତାଙ୍କର ପୂଜା ପାଉଛନ୍ତି । ଦେଉଳ ମୁଖଶାଳା ଆଗରେ ରହିଛି ନାଟମଣ୍ଡପ ଏବଂ ତାହା ଉପରେ ଅନ୍ୟ ଏକ ମଣ୍ଡପ ।
(ପାତାଳଫୁଟା ବୁଦ୍ଧନାଥ ମହାଦେବ)
ବିମାନର ଉପରଭାଗ ସମ୍ପୂର୍ଣ୍ଣ ଭଗ୍ନ ଥିଲା ଯାହାର ପୂର୍ବ ଫଟୋ ଉପସ୍ଥାପନା ସହ ପ୍ରଦାନ କରାଯାଇଛି । ପନ୍ଦର ବର୍ଷ ତଳେ ନବୀକରଣ ଓ ପର୍ଯ୍ୟଟନ ସ୍ଥଳୀ ରୂପେ ଏହା ଚିହ୍ନଟ ହେବା ପରେ ପୁନର୍ଗଠିତ ହୋଇ ଦେଉଳର ଅନେକ ଭାଗକୁ ସମ୍ପୂର୍ଣ୍ଣ କରାଯାଇଛି । ଯଦ୍ୟପି ପ୍ରାଶାସନିକ ବ୍ୟବସ୍ଥା ଏଥି ପ୍ରତି ବିଶେଷ ଯତ୍ନ କରିନଥିବାର ସେଠାରେ ଜଗମୋହନର ପ୍ଳାଷ୍ଟରିଂ, ଚୂନଲେପ ଓ ଭଗ୍ନ ଅଳସୀକନ୍ୟାଙ୍କ ରୂପଗରିମାର କ୍ଷୁଣ୍ଣ ଛବିରେ ଦେଖାଗଲା, ଅନ୍ୟ ଏକ କିମ୍ଵଦନ୍ତୀ ବିଷୟରେ ସ୍ଥାନୀୟ ବାସିନ୍ଦା ଜନୈକ ଆସି କହିଥିଲେ ଯେ ଏ ମନ୍ଦିର କଳାପାହାଡ଼ ଲାଗି ଅର୍ଦ୍ଧେକ ଧ୍ଵଂସ୍ତ । ଭଗ୍ନାବଶେଷ ସବୁ ଦେଉଳର ପଛପଟକୁ ସ୍ତୂପାକାରରେ ପଡିରହିଛି ବାଲି ଓ ଅରମା ଘାସ ଲଟା ଭିତରେ ।
(ବିପର୍ଯ୍ୟସ୍ତ ଅବସ୍ଥାରେ ପତିତ ପୂର୍ବତନ ବିମାନ ଭଗ୍ନାବଶେଷ)
ସନ୍ଧାନକ୍ରମେ ବହୁ ପ୍ରାଚୀନ ଚିତ୍ରଫଳକ, ଦଧିନଉତିର ଭଗ୍ନ ଅବଶେଷ ତଥା ବିମାନ ଭାଗର ଅନେକ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଦୃଶ୍ୟମାନ ହେଲା । ବୁଦ୍ଧନାଥଙ୍କ ଦେଉଳ ପୂର୍ବମୁଖୀନ । ଦେଉଳ ଗତାନୁଗତିକ କଳିଙ୍ଗ ସ୍ଥାପତ୍ଯ ଅନୁଯାୟୀ ନିର୍ମାଣ କରାଯାଇଥିଲେ ହେଁ ସୂକ୍ଷ୍ମ ଭାସ୍କର୍ଯ୍ୟର ଅବସ୍ଥିତିରୁ ଏହାକୁ ଗଙ୍ଗବଂଶୀଙ୍କ ନିର୍ମାଣ ବୋଲି ଜଣାଯାଉଛି । ଚୋଡଗଙ୍ଗଦେବଙ୍କ ଭିଆଣର ଅନ୍ୟତମ ଉତ୍ସ ଯାହାଙ୍କୁ ଆମେ ଦେଖିପାରିବା ଜଗମୋହନର ଦୁଇପଟେ ଥିବା ମନୋହର ରାଜକୀୟ ଠାଣିରେ । ଗୋଟିଏ ପକ୍ଷରେ ରାଜକୀୟ ପାରିଷଦଗଣଙ୍କୁ ଏକତ୍ର କରି ସମ୍ଭାଷଣ ପ୍ରବୃତ୍ତ ଚୋଡଗଙ୍ଗଦେବ । ଅପରପକ୍ଷରେ ଯୁଦ୍ଧଯାତ୍ରାର ଆସରକୁ ନିମଜ୍ଜାଇ ରାଣୀଙ୍କ ସହ ଯାଉଛନ୍ତି ହସ୍ତୀ ଉପରେ !
(ଚୋଡଗଙ୍ଗଦେବଙ୍କ ରାଜପରିଷଦ ଗହଣରେ ଉପସ୍ଥିତିର ଦୃଶ୍ୟଲିପି)
ଆଶ୍ଚର୍ଯ୍ୟବିମ୍ଵରେ ଐତିହାସିକ ବ୍ୟତିକ୍ରମର ପ୍ରଗଲ୍ଭ ଦୃଷ୍ଟାନ୍ତ ଦେଖିବାକୁ ବେଳେ ଏହିଠାରେ ଯେତେବେଳେ ଚୋଡଗଙ୍ଗଦେବଙ୍କ କଥା ଉତ୍ଥାପିତ। ଚୋଡଗଙ୍ଗଦେବଙ୍କ ନିର୍ମାଣ ରୂପେ ମନ୍ଦିରର ପରିଚୟ ସେହି ଗଜାରୋହୀ ଯୁଦ୍ଧଯାତ୍ରାର ଦୃଶ୍ୟ ସମଧିକ ବଖାଣ କରେ । ଚୋଳରାଜ୍ୟ ଓ ଗଙ୍ଗମାନଙ୍କ ମଧ୍ୟରେ ସଙ୍ଘଟିତ ମହାଯୁଦ୍ଧର ସନ୍ଧିବିଗ୍ରହ ପରବର୍ତ୍ତୀ ସଂସ୍ଥାପନ ପରେ ଚୋଳ ଓ ଗଙ୍ଗରାଜ୍ୟର ସୁସ୍ଥ ମିଳନ ପରେ ତାହାଙ୍କ ଜନ୍ମ ଚୋଳ ରାଜକୁମାରୀ କୁଳୋତ୍ତଙ୍ଗକନ୍ୟା ରାଜସୁନ୍ଦରୀଙ୍କ ଗର୍ଭରୁ । ପିତା ରାଜାରାଜ ଦେବ । ବର୍ତ୍ତମାନ ଶ୍ରୀକାକୁଲମ୍ ସନ୍ନିକଟ ଦୀର୍ଘାସୀ ଗ୍ରାମର ଭଗବତୀଙ୍କ ମନ୍ଦିରରୁ ପ୍ରାପ୍ତ ପ୍ରସ୍ତରଲିପି ଚୋଡଗଙ୍ଗ ଦେବଙ୍କ ସୈନ୍ୟ ବର୍ଣ୍ଣନା କରେ :
“ତେନାଜୌ ଚୋଡସେନାବନଦବ ଦହନେନାମୁପ୍ରାପ୍ତଶସ୍ତ୍ରୀ-
ନିସ୍ତ୍ରିଂଶଜ୍ଵଳ କେନୋଜ୍ଜ୍ବଗଜତୁରଗାନୀକିନୀ ନାଥ ଭୂଜା ।।”
(ଚତୁର୍ଭୁଜ ଜନାର୍ଦ୍ଦନ ପ୍ରତିମା)
ଚୋଡଗଙ୍ଗଦେବଙ୍କ ଦ୍ଵାରା ତନ୍ତ୍ରମନ୍ତ୍ରର କାର୍ଯ୍ୟ ହେଉଥିବା କଥା ‘ମାଦଳାପାଞ୍ଜି‘ରେ ଉଲ୍ଲେଖ କରାଯାଇଛି । ମାତ୍ର ବୁଦ୍ଧନାଥଙ୍କ ଦେଉଳ ବହୁପୂର୍ବରୁ ଏଠାରେ ତନ୍ତ୍ରର ଉପସ୍ଥିତି ଥିବାର କୁହାଯାଏ । ପ୍ରମାଣସ୍ଵରୂପ ଉଦ୍ଧୃତ କେତେକ ବୌଦ୍ଧଦେବୀଙ୍କ ବିଗ୍ରହ ସହ ବୌଦ୍ଧ କୀର୍ତ୍ତିରାଜି ଅଦ୍ୟାବଧି ସୁଦ୍ଧା ଦେଉଳ ପ୍ରାଙ୍ଗଣରେ ସଂରକ୍ଷଣ କରାଯାଇଛି । ଭଗ୍ନାବଶେଷ ମଧ୍ୟରୁ ଉଦ୍ଧୃତ ସପ୍ତମାତୃକାଙ୍କ ମଧ୍ୟରୁ କେବଳ ଛଅଜଣ ହିଁ ବିଦ୍ୟମାନା ଓ ତାଙ୍କ ସହ ଦୁଇଗୋଟି ସ୍ଵତନ୍ତ୍ର ଦେବୀ ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ଅମୃତଲୋଚନୀ ନାମରେ ପୂଜାର୍ଚ୍ଚିତା ଦେବୀଙ୍କ ମୂର୍ତ୍ତିତତ୍ତ୍ଵ କୌତୂହଳପୂର୍ଣ୍ଣ । ତିନିମୁଖ ବିଶିଷ୍ଟ ଦେବୀ ଅଷ୍ଟଭୁଜା ଏବଂ ବିଶ୍ଵ ପଦ୍ମ ଉପରେ ଯୋଗ ମୁଦ୍ରାରେ ଆସୀନା ।
(ଅମୃତଲୋଚନୀଙ୍କ ଆସ୍ଥାନ)
(ମା ଅମୃତଲୋଚନୀ)
ତାଙ୍କ ସମସ୍ତ ହସ୍ତ ଭଗ୍ନ ହୋଇଥିଲେ ସୁଦ୍ଧା ମୁଖ୍ୟ ଦୁଇହସ୍ତ ଅଭୟ ଓ ବରଦ ମୁଦ୍ରାରେ ଦିଶେ । ଆୟୁଧ ମଧ୍ୟରେ କେବଳ ବାମପାର୍ଶ୍ଵରେ ପାଶ ଦିଶେ । ମୂର୍ତ୍ତିର ଆସନ ନିମ୍ନରେ ଯୋଡ ହସ୍ତରେ ଜଣେ ଭକ୍ତ ଓ ସିଂହର ମୂର୍ତ୍ତି ରହିଛି । ଦ୍ଵିତୀୟ ଜଣକ ମଧ୍ୟ ତିନିମୁଖ ଓ ଚତୁର୍ଭୁଜା । ମୁଖ୍ୟ ଦୁଇ ହସ୍ତରେ ରକ୍ତପାତ୍ର ଓ ଛିନ୍ନମସ୍ତକ ଧାରଣ କରୁଥିବା ବେଳେ ଉପର ଦକ୍ଷିଣ ହସ୍ତରେ ରହିଛି ଉତ୍ତୋଳିତ ଖଡ୍ଗ ଓ ବାମହସ୍ତରେ ଖେଟକ । ଦେବୀଙ୍କ ଆସନ ତଳେ କେବଳ ଲତାଡାଳି ଓ ଊର୍ଦ୍ଧ୍ଵ ଦୁଇ କୋଣରେ ଉଡ୍ଡୀୟାନ ଗନ୍ଧର୍ବ ଏବଂ ଅପ୍ସରା । ଏହି ବିରଳ ପ୍ରତିମା ଅପହରଣ କରି ନିଆଯାଇଥିବାର ପୂଜକ ଜଣେଇଥିଲେ ।
(ଶ୍ରୀଗଣେଶ)
(ଗଣପତି)
ଦର୍ପସ୍ମେର ବିଗଳିନୀ ମାଆଙ୍କ ଲାଗି ଏହିପରି ପାପାଚାର ଦୁରନ୍ତଙ୍କୁ କିଭଳି ଅବା ଲୋଭନୀୟ କଲା ! ପୂଜାବସ୍ଥାନ ଲାଗି ଏହି କ୍ଷେତ୍ରର ସମବତ୍ସଳ ମାତୃକାଶକ୍ତିର ପ୍ରାଦୁର୍ଭାବ ତନ୍ତ୍ର ଉପାସନା ଓ ସ୍ମାର୍ତ୍ତ ଉପାସନାର ସମନ୍ୱୟକୁ ପରିଲକ୍ଷିତ କରାଏ । ସନାତନଶାସ୍ତ୍ର ଅନୁଯାୟୀ ଷଡ଼ଙ୍ଗ ସାଧନା ମଧ୍ୟରେ ସ୍ମାର୍ତ୍ତ ସୂତ୍ର କଳ୍ପ ବା ଗୁହ୍ୟସୂତ୍ର ଅନ୍ତର୍ଗତ । ଏହାର ମୁଖ୍ୟ ପଞ୍ଚଗୋଟି କ୍ରିୟା ହେଉଛି ମନ୍ତ୍ର ଜପ, ହୋମ, ତର୍ପଣ, ଅଭିଷେକ ଏବଂ ବ୍ରାହ୍ମଣ ଭୋଜନ । ସ୍ମାର୍ତ୍ତ ପୂଜା ଭଳି ଦୀକ୍ଷା ଗ୍ରହଣ, ପୂଜାରେ ଭୂତଶୁଦ୍ଧି ଓ ନ୍ୟାସର ପ୍ରବର୍ତ୍ତନ ତନ୍ତ୍ରର ସର୍ବୋଚ୍ଚ ଅନୁଭୂତି ପାଇଁ ସହାୟ ହୁଏ । ବ୍ୟବହୃତ ମୁଦ୍ରା, ପୂଜା ଓ ଉପାସନା ପଦ୍ଧତିରେ ଏତାଦୃଶ ସମତା ରହିଥିବାରୁ ବୁଦ୍ଧନାଥଙ୍କ ପୀଠରେ ତନ୍ତ୍ରର ପ୍ରଭାବ ସ୍ପଷ୍ଟ ପ୍ରତିପନ୍ନ ହୁଏ ।
(ସୂର୍ଯ୍ୟ ଓ କୁବେର)
ମୁଖ୍ୟ ବୁଦ୍ଧନାଥଙ୍କ ଦେଉଳର ସ୍ଥାପତ୍ୟ ପ୍ରସଙ୍ଗର ଅବତାରଣା କରି ଗତାନୁଗତିକ କଳିଙ୍ଗ ଶୈଳୀର ଗଠନ ରହିଛି । ପାଭାଗ ସ୍ଥଳରୁ ପଞ୍ଚଭାଗରେ ବିଭକ୍ତ ଥିଲା ବେଳେ ବାରଣ୍ଡା ଦଶଗୋଟି ବିଭାଗ ସହ ବନ୍ଧନ ଅଂଶଟି ତିନି ଭାଗରେ ସୁବିନ୍ୟସ୍ତ ହୋଇ ଗଠନ କରାଯାଇଛି । ସୂଚୀମୁନର ଛୁଙ୍କ ଦେଲା ପରି ସଚ୍ଛିଦ୍ର ଆବରଣ ଦେଖିଲେ ଲତାକାମର ମେଳ ତନ୍ତୁବାୟର ବସ୍ତ୍ର ବୟନ ଅନୁରୂପ ପଥରକୁ ଗୁନ୍ଥିଦିଆ ହେଇଛି । ଶ୍ରମକାତର ସ୍ପର୍ଶରେ ଏହାର ବର୍ଣ୍ଣାଭା କେବେ ହେଲେ ହେଁ ମଳିନ ପଡିନି ବରଞ୍ଚ ସାମ୍ୟରକ୍ଷା କରିବାରେ କୋଣାର୍କ ଓ ଭୁବନେଶ୍ୱର ସ୍ଥିତ ରାଜରାଣୀ ମନ୍ଦିରର ପ୍ରତିଦ୍ଵନ୍ଦ୍ଵୀ ।
(ନର ବିଡାଳ)
ଦେଉଳର ନିମ୍ନଜଙ୍ଘାକୁ ଦିଗପାଳ ଏବଂ ଉପରଜଙ୍ଘରେ ତାହାଙ୍କର ଧର୍ମାଙ୍ଗିନୀମାନଙ୍କ ଛବି ରହିଛି । ଏଠାରେ ଗଜବିଡାଳ, ନରବିଡାଳ ଏବଂ ହସ୍ତୀ ମୁଣ୍ଡଧାରଣ କରିଥିବା ସିଂହବଦନର ଦୃଶ୍ୟ ବ୍ୟତିକ୍ରମ ପରି ମନେ ହେବ । ଉପରଜଙ୍ଘାର ପରବର୍ତ୍ତୀ ଅଂଶମାନଙ୍କରେ କାମୁକ ବ୍ୟକ୍ତିମାନଙ୍କ ଛବି, ନାୟକ ଓ ନାୟିକାମାନଙ୍କ ମିଳନ ଦୃଶ୍ୟ, କନ୍ୟାମାନଙ୍କ ବୃକ୍ଷ ଦୋହଦର କମନୀୟ କାରୁକଳାପୂର୍ଣ୍ଣ ନିଦର୍ଶନ ରହିଛନ୍ତି । ମାତ୍ର, ପରିତାପର ବିଷୟ ଏହିକି ଯେ ବହୁ ଶତାବ୍ଦୀ ଧରି ଅବହେଳିତ ଓ ପ୍ରାଶାସନିକ ସୁବିଧାର ସ୍ଵଳ୍ପ ଉପଯୋଗୀ ସାଜିଥିବା ଦେଉଳର ଅଧିକାଂଶ ଭାଗ ସିମେଣ୍ଟ ପ୍ଳାଷ୍ଟରିଂ ମାତ୍ର କରି ଦେଇ ମୁକୁଳା ରଖି ଦିଆଯାଇଛି ।
(କାର୍ତ୍ତିକେୟ)
ଜଙ୍ଘାର ବଜ୍ରମୁଣ୍ଡି ଏବଂ ବାରଣ୍ଡି ଭାଗକୁ କାମୋଦ୍ଦୀପକ ଛବି ପରେ ରହିଛନ୍ତି ବାଡର କେନ୍ଦ୍ରସ୍ଥଳୀକୁ ପୀଠର ପାର୍ଶ୍ଵଦେବଦେବୀ । ଦେଉଳର ପଶ୍ଚିମକୁ କାର୍ତ୍ତିକେୟଙ୍କ ଅର୍ଦ୍ଧଭଗ୍ନ ବିଗ୍ରହ ରହିଛି, ଯିଏ ମୟୂରବାହନ ଉପରେ ଥିବାବେଳେ ତାଙ୍କ ବାମହସ୍ତ ଭଗ୍ନ ଓ ମୁଖର କେତେକାଂଶ ଅସ୍ପଷ୍ଟ ରହିଛି । ଓଡିଶାର ବିଭିନ୍ନ ପ୍ରାଚୀନ ଦେଉଳମାନଙ୍କ ଅନୁରୂପ ପାର୍ଶ୍ଵ ଦେବଦେବୀଙ୍କ ଲାଗି ଉପଯୁକ୍ତ ତୋରଣ ନାହିଁ ମାତ୍ର ଭଗ୍ନାଂଶରୁ ଏହା ନିତାନ୍ତ ଅନୁମେୟ ଯେ ପ୍ଳାଷ୍ଟରିଂ ସ୍ଥାନ ପୂର୍ବରୁ ଏଠାରେ ଭବ୍ୟ କାରୁକାର୍ଯ୍ୟ ସ୍ଥାନୀତ ଥିଲା । ଦେଉଳର ଉତ୍ତର ପାର୍ଶ୍ଵକୁ ଚତୁର୍ଭୁଜା ପାର୍ବତୀ ଏବଂ ଦକ୍ଷିଣ ପାର୍ଶ୍ଵକୁ ଚତୁର୍ଭୁଜ ପାଶାଙ୍କୁଶଧାରୀ ଗଣେଶ ରମ୍ୟ ମକର ତୋରଣ ମଧ୍ୟରେ ବିଜେ କରିଛନ୍ତି ।
(ଶକ୍ତି/ପାର୍ବତୀ)
ଜଗମୋହନ ଦେଉଳ ପରି ହୋଇଥିଲେ ହେଁ ଦେଉଳ ଅପେକ୍ଷା ଜଗମୋହନର କାରୁକାର୍ଯ୍ୟ ଅଧିକ ମୌଳିକ ଓ ଭାସ୍କର୍ଯ୍ୟସମ୍ପନ୍ନ । ପାଭାଗର ଉପରିସ୍ଥ ବସନ୍ତ ଅଂଶକୁ ରହିଛି ହସ୍ତୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କର ଚିତ୍ର ଯାହା ସରଳରେଖା ଭଳି ରଜ୍ଜୁ ବଦ୍ଧ ସଂଯୋଗ ଘେନି ମିଳିତ ହୋଇଛନ୍ତି । ନିମ୍ନଜଙ୍ଘା ଓ ବଜ୍ରମୁଣ୍ଡି ଅଂଶରେ ଶୋଭାସ୍ପଦ ହୋଇ ସୂର୍ଯ୍ୟ, ମହିଷାମର୍ଦ୍ଦିନୀ ଏବଂ ଅନ୍ୟାନ୍ୟ ଭବ୍ୟ ବିଗ୍ରହ ରମଣୀୟ ରୂପ ଠାଣିରେ ଆପଣାର ଶ୍ରୀହର୍ଷ ଶ୍ୟାମଳ ସ୍ନିଗ୍ଧତା ଲାଗି ଯତ୍ନବାନ ହୋଇଛନ୍ତି । ବନ୍ଧନ (ଉପରଜଙ୍ଘାର ଠିକ୍ ଉପର ଅଂଶ) ପଞ୍ଚଗୋଟି ବିଭାଗରେ ଥିବା ବେଳେ ଏହାର ଶୀର୍ଷସ୍ଥାନରେ ‘ହଂସଲହରୀ’ ର ଅପରୂପ ଚିତ୍ରକଳ୍ପ ଦେଖିବାକୁ ମିଳିଥାଏ ।
(ଅଳସୀକନ୍ୟା ଓ ନାଗକନ୍ୟା)
ଅର୍ଦ୍ଧନାରୀଶ୍ଵର ଅଛନ୍ତି ନିଷ୍ପ୍ରଭ କାନ୍ଥର ଗୋଧୂଳିରେ ଯେଉଁଠି ଐତିହ୍ୟର ଅବସାନ ଘଟୁଥିଲା ଯୁଗପତ୍ ଏହି କରାଳ କାଳର ଅବହେଳନ ଯୋଗୁଁ । ପୀଢସ୍ଥାନରେ କେତେ ଲଟା ଜମି ଯାଉଅଛି ହେଲେ କାହାରି ନିଘା ବୋଲି ସେହି ଦେଉଳର ଅନତିକ୍ରମ୍ୟ ନିଶୂତିକୁ ଆଶ୍ରୟ କରିଛନ୍ତି କେତେ କୀଟ ଓ ଉଦ୍ଭିଦଗଣ । ପୀଢର ଦକ୍ଷିଣଭାଗକୁ ସୁସ୍ପଷ୍ଟ କାରୁକାର୍ଯ୍ୟ ରହିଛି ଯେଉଁଠି ନାଗକନ୍ୟା ଓ ଅଳସୀକନ୍ୟା ଲାବଣ୍ୟରୂପରେ କୀର୍ତ୍ତିର ଅଧିକାରିଣୀ । ଜଗମୋହନ ଅନ୍ତର୍ଗତ କଥା ଦେଖିବାକୁ ଗଲେ ପୂର୍ବରୁ ଯେଉଁ ଛଅ ଜଣ ମାତୃକାଙ୍କ ବିଷୟରୁ ଜଣାଯାଇ ଅଛି, ସେମାନେ ହେଉଛନ୍ତି ବ୍ରାହ୍ମଣୀ, ମାହେଶ୍ଵରୀ, ଇନ୍ଦ୍ରାଣୀ, କୌମାରୀ, ଶିବାନୀ ଏବଂ ଶେଷରେ ଖଣ୍ଡିତାଂଶ ଭାବେ ଦିଶୁଥିବା ବାରାହୀ
(ପଞ୍ଚମାତୃକା – ବ୍ରାହ୍ମଣୀ, ଶିବାନୀ, କୌମାରୀ, ବୈଷ୍ଣବୀ ଏବଂ ବାରାହୀ)
(ବାରାହୀ)
ଏ ସମସ୍ତଙ୍କ କୋଳରେ ବସିଛନ୍ତି ଜଣେ ଲେଖାଏଁ ନବଜାତ ଶିଶୁ । ବର୍ତ୍ତମାନ ଛଅ ଗୋଟି ଭିତରୁ କେବଳ ପାଞ୍ଚ ମାତୃକାମାନଙ୍କ ପ୍ରତିମା ରହିଛି । କଡକୁ ରହିଛି ଚଣ୍ଡୀଙ୍କ ପ୍ରତିମା ଯେଉଁଠି ବଳି ଦିଆଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ତାହା ଅପ୍ରଚଳିତ ହେଲା । ବ୍ୟକ୍ତିବିଶେଷ ଏଠାକୁ ନିଜର ନିଶ୍ଚୟ ମାନସିକ କରିବା ଲାଗି ବହୁବିଧ ଦାନଧର୍ମ କରିଥିବାର ଦୃଷ୍ଟାନ୍ତ ରହିଛି । ଜଗମୋହନର ଅନେକ ଭାଗ ବାଲିଆ ଓ ମାଙ୍କଡା ପଥର ଦ୍ଵାରା କରାଯାଇଛି ଏବଂ ଅଭିଯୋଗର ବିଷୟ ମଧ୍ୟରେ ମୁଖଶାଳାର ଭଗ୍ନ ତୋରଣ ଯେଉଁଠି ସମ୍ଭବତଃ ତୋରଣ ଲକ୍ଷ୍ମୀଙ୍କ ସ୍ଥାନ ଭାଙ୍ଗିଦିଆଯାଇଛି । ବିମାନର ‘ଭୋ’ ଏବଂ ‘ବଜ୍ରମସ୍ତକ’ ଚିତ୍ରାଂଶ ମଧ୍ୟ ଅନେକ ସ୍ଥାନରେ କ୍ଷତିଗ୍ରସ୍ତ ।
(ବାମଦେବ ଭୈରବ)
୧୯୭୬ ମସିହାରେ ଏହି ମନ୍ଦିର ଠାବ କରାଯାଇ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କଲା ପରେ ଅନେକ ଦୁର୍ମୂଲ୍ଯ କୀର୍ତ୍ତି ଠାବ କରାଯାଇଥିଲା । ପୂର୍ବରୁ କୁହାଯାଏ ଲିଙ୍ଗ ଜଳାଶାୟୀ ରହୁଥିଲେ କିନ୍ତୁ ୧୯୭୬ ମସିହା ପରେ ସେ ସ୍ଥାନ ଶୁଖିଯିବା ପରେ ଲିଙ୍ଗପୀଠ ଦୃଶ୍ୟମାନ ହେଉଥିଲେ । ୨୦୦୩ ମସିହାରେ ଏହି ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହେବା ସହ ବିମାନର ଶିଖର ଓ ଜଗମୋହନର ଜୀର୍ଣ୍ଣୋଦ୍ଧାର ସମାହିତ ହୁଏ । ଏହାର ଶିଖର ଭାଗ ପୂର୍ବେ ୪୨ ଫୁଟ୍ ଉଚ୍ଚତାରୁ ଖସି ପଡି ଭଗ୍ନ ହୋଇଥିଲା ଏବଂ ଅନେକ ଭଗ୍ନାବଶେଷ ଭିତରେ ଦେବଦେବୀଙ୍କ ପ୍ରତିମା ଉଦ୍ଧୃତ ହୋଇ ସଂରକ୍ଷିତ କରାଯାଉଛି । ମନ୍ଦିର ପଛକୁ ରହିଛି ଉତ୍ସବଯାତ ଲାଗି ସୁନ୍ଦର ଚନ୍ଦନ ପୋଖରୀ ।
(ଶିଳାଲେଖ)
ଏକ ଦଶନ୍ଧି ତଳେ ଗୋଟିଏ ଶିଳାଲେଖ ଥିବା ପଥର ଫଳକ ମିଳିଥିଲା ଯେଉଁଥିରେ ‘ବୃହତ୍ ପ୍ରସ୍ଥ ଧାବେଣା’ ବୋଲି ଉଲ୍ଲେଖ ରହିଛି ଯେଉଁଥିରେ ‘ବୃହତ୍ ପ୍ରସ୍ଥ’ କୌଣସି ଅଞ୍ଚଳର ନାମ । ସମାନ ନାମ ମାଡ୍ରାସ୍ ସଂଗ୍ରହାଳୟରେ ସଂରକ୍ଷିତ ଉମାବର୍ମନ୍ (ଖ୍ରୀ: ୩୬୦-୩୯୫) ଙ୍କ ଏକ ଶିଳାଲେଖରେ ପରିଲକ୍ଷିତ ହୁଏ ଯେଉଁଠି ଧବଳପେଟ୍ଟା ଅନୁଶାସନ ଅନୁଯାୟୀ ସେ ବୃହତ୍ ପ୍ରସ୍ଥ ନାମକ ଅଞ୍ଚଳ ବ୍ରାହ୍ମଣଙ୍କୁ ଦାନ କରିଥିଲେ । ଏହା ପ୍ରତିପାଦନ କରିବାକୁ ଉଦ୍ୟତ କରେ ଯେ ଗାରେଡିପାଞ୍ଚଣ ଉକ୍ତ ବୃହତ୍ ପ୍ରସ୍ଥ ଅନ୍ତର୍ଗତ ଥିଲା ଏବଂ ଏହି ବୁଦ୍ଧନାଥଙ୍କ ଦେଉଳ ପୂର୍ବରୁ ବୌଦ୍ଧ ତନ୍ତ୍ରର ପ୍ରଭାବ ରହିଥିଲା । ଓଡିଶାର ପ୍ରଥମ ଆଇ.ସି.ଏସ୍. ନୀଳମଣି ସେନାପତି ଗାରେଡିପାଞ୍ଚଣ ଠାରେ ଜନ୍ମଗ୍ରହଣ କରିଥିଲେ ।
ରାଜଧାନୀ ଉପକଣ୍ଠ ସ୍ଥିତ ବନମାଳୀପୁର ସୀମାନ୍ତରେ ପ୍ରାଚୀ ନଦୀକୂଳରେ ପବିତ୍ର ତ୍ରିବେଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାଘ ଅମାବାସ୍ୟା ବା ପବିତ୍ର ତ୍ରିବେଣୀ ଅମାବାସ୍ୟା ଲାଗି ପ୍ରାଚୀ ନଦୀର ତ୍ରିବେଣୀ ସଙ୍ଗମ ରୂପେ ପ୍ରଖ୍ୟାତ ଅନ୍ତର୍ବେଦୀ ଘାଟ ବା ଉକ୍ତ ତ୍ରିବେଣୀ ଘାଟରେ ସହସ୍ରାଧିକ ଶ୍ରଦ୍ଧାଳୁମାନେ ପୁଣ୍ୟ ସ୍ନାନ ଓ ତିଳତର୍ପଣ କରିଥାଆନ୍ତି । ବାଲିପାଟଣାର ତ୍ରିବେଣୀଶ୍ଵର ମନ୍ଦିର ରହିଛି ଯେଉଁଠି କୁହାଯାଏ ଜୟଦେବଙ୍କ ରହଣି ଥିଲା । କିମ୍ବଦନ୍ତୀ ଅନୁଯାୟୀ ଦୈନନ୍ଦିନ କେନ୍ଦୁଲିରୁ ଆସି ସେ ପ୍ରାଚୀରେ ଏହିଠାରେ ସ୍ନାନ କରୁଥିଲେ ଏବଂ ତ୍ରିବେଣୀ ଅମାବାସ୍ୟା ଦିନ ନିତ୍ୟ ପୁଣ୍ୟସ୍ନାନ କରୁଥିଲେ ।
ତ୍ରିବେଣୀ ଯାତ୍ରାରୁ ସ୍ଥାନୀୟ ବାସିନ୍ଦା ଝିଅ ବାହାଘର ଠାରୁ ଆରମ୍ଭ କରି ସମସ୍ତ ଘରକରଣା ସାମଗ୍ରୀ କିଣି ଥାଆନ୍ତି । ଦିନ ଥିଲା ଯେତେବେଳେ ଯାତ୍ରୀ ରୂପେ ସହସ୍ରାଧିକ ଶ୍ରଦ୍ଧାଳୁ ମାସାଧିକ ସମୟ ନେଇ ପଦଚାରଣା କରି ଏଠାକୁ ଆସୁଥିଲେ । ଏହି ଯାତ୍ରା ସରିବା ପରେ ତତ୍କାଳୀନ ବାଲିପାଟଣା ଥାନାର ଦାରୋଗା ବା ଡେପୁଟି ସାହେବ ଲୋକଙ୍କ ମଧ୍ୟରେ ଅଧିକ ଆବେଗାପନ୍ନ ସମନ୍ୱୟ ପ୍ରତିଷ୍ଠା ସହ ବ୍ଯାବସାୟିକ ଉନ୍ନତି ଲାଗି ଦୋପଟ୍ଟୀ ମେଳଣର ଆରମ୍ଭ କରିଥିଲେ । ୧୮୬୫ ମସିହାରେ ପ୍ରତିଷ୍ଠିତ ବାଲିପାଟଣା ଥାନା ଦେଢଶହ ବର୍ଷର ଏହି ଇତିହାସର ସ୍ମୃତିଚାରଣ କରାଇଥାଏ । ‘ଡେପୁଟି’ ଶବ୍ଦର ଅପଭ୍ରଂଶ ଘଟି ‘ଦୋପଟ୍ଟୀ’ ନାମ ଗ୍ରହଣ କରିଛି ।
(ଡେପୁଟି ମେଳଣ)
ମେଳଣ ପୂର୍ବରୁ ରୀତି ଅନୁଯାୟୀ ଜମାଣ ଅନୁଷ୍ଠିତ ହୁଏ । ଅର୍ଥାତ୍, ଆତସବାଜି, ରଙ୍ଗାରଙ୍ଗ ଆଲୋକସଜ୍ଜା, ନାଚ, ଷଣ୍ଢ ଲଢେଇ, ଜାଗା ନୃତ୍ୟ, ଶଙ୍ଖ, ମହୁରୀ, କାହାଳି ବାଦନ ଏବଂ ଘଣ୍ଟଘଣ୍ଟା ବାଦ୍ୟରେ ଅନୁରଣିତ ହୁଏ ସମଗ୍ର ଗ୍ରାମାଞ୍ଚଳ । ରାତି ଉଜାଗର ରହି ଜମାଣ ଦେଖିବାକୁ କଥା । ଏଠାରେ ହେଉଥିବା ହରିହର ଭେଟ ଦର୍ଶନ ଲାଗି କୋଡିଏ ହଜାରରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁମାନଙ୍କ ଆଗମନ ଘଟିଥାଏ । ସକାଳେ ଜମାଣ ସରିଲେ ଅପରାହ୍ଣରେ ଆରମ୍ଭ ହୁଏ ଯାତ୍ରା । ଚାରିପଟ ଗାଁମାନଙ୍କରୁ ଅନ୍ୟୂନ କୋଡିଏରୁ ଊର୍ଦ୍ଧ୍ଵ ବିମାନ ଆସିଥାଆନ୍ତି ଯାହାଙ୍କର ଥାନପତି ବା ମୁଖ୍ୟଦେବତା ହେଉଛନ୍ତି ସ୍ଵୟଂ ବୁଦ୍ଧନାଥ ମହାଦେବ । ମେଳଣ ମଧ୍ୟରେ ବୁଦ୍ଧନାଥଙ୍କ ଚଳନ୍ତି ବିଗ୍ରହ ବିଜେ କଲେ ଅନ୍ୟମାନେ ଆସି ଥାଆନ୍ତି ।
ବାଲିପାଟଣା ମେଳଣ ପଡିଆରେ ଦୋଳପୂର୍ଣ୍ଣିମା ଅବସରରେ ଏହା ଅନୁଷ୍ଠିତ ହୋଇଥାଏ । ସରାଟରୁ ନୀଳକଣ୍ଠେଶ୍ଵର, ଷଠିଲୋରୁ ଚମ୍ପେଶ୍ଵର ମହାଦେବଙ୍କ ସହିତ ତରଡପଡା, ଗିରିଙ୍ଗୋ, ବ୍ରାହ୍ମଣଷଡ଼ଙ୍ଗୀ, ବେଣ୍ଟପୁର, ଆଣ୍ଠୁଆରୀ, କୁଳନ୍ତିରା ଓ ବାଜିଲୋରୁ ଗୋପୀନାଥ ଦେବ, ଫକୀରପଡା, ବାଲିପାଟଣାରୁ ରାଧାମୋହନ, କାକରୁଦ୍ରପୁରରୁ ପତିତପାବନ, ଶିଶୁ ମଠସାହିରୁ ମଦନମୋହନ, ସାହେବ ନଗରରୁ ହରିଦାସ ଦେବ, କୁଳନ୍ତିରା ବାଜିଲୋରୁ ବାଲୁଙ୍କେଶ୍ଵର ମହାଦେବ, ଗଣ୍ଡିଲୋରୁ ଜଟେଶ୍ଵର ମହାଦେବ ଏହି ଯାତ୍ରାରେ ବିଜେ କରିଥାଆନ୍ତି । ଏଠାରେ ଚାଚେରୀ ଭୋଗଖିଆ ପରମ୍ପରାରୁ ଅୟମାରମ୍ଭ ହୋଇଥିବା ଉତ୍ସବର ବିଧାନ ଆଜି ପର୍ଯ୍ୟନ୍ତ ବଜାୟ ରହିଥିଲେ ହେଁ ବହୁ ପାରମ୍ପରିକ ପ୍ରଥା ଆଜି ଅବଲୁପ୍ତ ।
ବାଲିପାଟଣା ପୂର୍ବରୁ ଏକ ବିସ୍ତୃତ ଗ୍ରାମାଞ୍ଚଳ ଥିଲା ଯାହା ଦୟାନଦୀର ଜଳଧାରାକୁ ଜୀବନର କୁଟୁମ୍ଵ ବେଉସା ସହ ଜୀବଧାରାର ଉତ୍ସ ସ୍ଵରୂପ ଆବୋରି ଆସିଥିଲା । ଦୟାନଦୀ କୂଳରେ ଥିବା ବାଲିପାଟଣା ନିଜ ଚାରିପାଖର ଗ୍ରାମାଞ୍ଚଳ ଅପେକ୍ଷା ବୃହତ୍ତର ପରିଧି ଧାରଣ କରିଥିଲା । ଏହାକୁ ଲାଗିକି କାନୁପୁର ପେଣ୍ଠ ଓ ତରପଡା ଗାଁ ଥିଲା । ଦୟାନଦୀ ଗୋଟିଏ ଯୁଗରେ ସମସାମୟିକ ନୌବାଣିଜ୍ୟର କ୍ଷେତ୍ର ଥିଲା । ଶତାଧିକ ନୌକା ଭିଡି ଏହି ଠାବକୁ ଆସେ ଏବଂ ସେଠାରେ ସୃଷ୍ଟି ହେଉଥିବା କୃତ୍ରିମ ପେଣ୍ଠମାନଙ୍କ ମଧ୍ୟରେ ଅନ୍ୟତମ କାନୁପୁର ପେଣ୍ଠ । ସମତଳ ଭୂମି ଉପରେ ପ୍ରବାହିତ ଗଭୀର ନଦୀଶଯ୍ୟା ଓ ମନ୍ଥର ଗତିଶୀଳତା ଦୟାନଦୀକୁ ବର୍ଷଯାକ ସୁନାବ୍ୟା ରଖିଥିଲା ।
ସାତ ସମୁଦ୍ର ତେର ନଈ ଅତିକ୍ରମ କରି ସାଧବପୁଅମାନେ କାହିଁ କେତେ ପରିବେଶ ଓ କୂଟଚକ୍ର ଭିତରେ ଯୁଝି ଅସଂଖ୍ୟ ପଣ୍ୟବାହୀ ନାଆ ମେଲି ଦେଇଛନ୍ତି ତରଙ୍ଗସ୍ଫୀତ ଜଳରାଶି ବକ୍ଷ ଉପରେ ଯାହାକୁ ଅତିକ୍ରମ କରିବା ଲାଗି ଏକାନ୍ତ ସହାୟ ଥିଲା ‘କୋଶଳୀ’ ଏବଂ ‘ପଟୁଆ’ ନାଆ । ଶହେ କିମ୍ବା ଦୁଇ ଶହ ଗଜ ଲମ୍ଵ ଗୋଟିଏ କୋଶଳୀ ନାଆକୁ ଏକ ସମୟରେ ୨୦ ରୁ ୪୦ ଜଣ ନାଉରିଆ କାତ ମାରି ସୁଅର ପ୍ରତିକୂଳରେ ବଡ଼ ଆବେଗ ଘେନି ବାହି ନେଇ ଯାଉଥିବାର ଯୁଗାବଧି ଶୁଣାଯାଏ । ‘ତରପଡା’ ଗ୍ରାମର ନାମକରଣ ମଧ୍ୟ ଅନୁରୂପ ବୈଶିଷ୍ଟ୍ୟ ରଖେ । ‘ତର’ ଶବ୍ଦର ଏଠାରେ ଅର୍ଥ ଘାଟମୂଲ ବା ନୌଶୁଳ୍କ । କାନୁପୁର ପେଣ୍ଠରୁ ନୌଶୁଳ୍କ ଆଦାୟ ଲାଗି ତରପଡା ଠାରେ ଡେରା ପଡେ ।
ବାଲିପାଟଣା ଗ୍ରାମାଞ୍ଚଳରେ ଥିଲେ ଅନୁରୂପ କେତେ ନୌଜୀବୀ । ନବେ ଦଶନ୍ଧିକୁ ଏଠାରେ ଥିଲେ ୧,୫୯୦ ଲୋକ ଯେଉଁଠି ସବୁ ବାସିନ୍ଦା ଗୋଟିଏ ପାଟକର ଭୂମିହୀନ କେଉଟ । ଏବେ ଅଧିକାଂଶ ଲୋକ ସ୍ଥାନୀୟ ସହର ଅଭିମୁଖେ ଆକୃଷ୍ଟ ହୋଇ ଚାକିରି କିମ୍ବା ବ୍ଯବସାୟକୁ ଆପଣାଇ ନେଉଥିବା ସମୟରେ ସିମେଣ୍ଟ କଳକାରଖାନା, ସାଇକେଲ ବେପାର ନହେଲେ ପିତଳ କାରଖାନାରେ ବୃତ୍ତିଗତ ଜୀବନ ଅତିବାହିତ କରୁଛନ୍ତି । ଏହି ବାଲିପାଟଣା ଗ୍ରାମରେ ପୁଣି ଜନ୍ମ ନେଇଥିଲେ ପଞ୍ଚସଖାର ଅନ୍ୟତମ ମହାପୁରୁଷ ଶିଶୁ ଅନନ୍ତ ଦାସ । ଗିରିଙ୍ଗୋ ଓ ସରିପୁର ଗାଁ ଦେଇ ଗଲେ ତାଙ୍କର ପୁଣ୍ୟ ପବିତ୍ର ପୀଠର ଦର୍ଶନ କରିହେବ କୁଶଭଦ୍ରାର କ୍ଷୀଣ କୂଳଂକଷା ତଟରେ ।
ନଗରର ଆଭରଣ ସଂସ୍ପର୍ଶରେ ସଂସ୍କୃତିର ବିବର୍ତ୍ତନ ଓ ସୁଦୂରପରାହତ ଗତି ଆଗରେ ସମୟର ସ୍ରୋତ ନିରନ୍ତର ପ୍ରବାହିତ । କଙ୍କରିଳ ଭୂମିଶଯ୍ୟାରେ ଅଙ୍କଶାୟିନୀ ଜନନୀ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ଶ୍ୟାମଶଷ୍ପକୁନ୍ତଳା ବନରାଜି ମଧ୍ୟରେ ସ୍ନିଗ୍ଧ ଜ୍ୟୋତିରେଖା ଭାସିଉଠେ । ଐତିହ୍ଯର କାରୁଣ୍ୟଜାଲ ଆଗରେ ସେହି ଜ୍ୟୋତି ରେଖାପାତ କରନ୍ତେ ଆମ ଅସ୍ମିତାର ସମାଧିସ୍ଥ ପ୍ରାଣ ଉଜ୍ଜାଗ୍ରତ ହୋଇ ଆମ୍ଭର ଗୌରବ ପ୍ରତି ହେତୁ ସାଜିବ । ସର୍ବାଦୌ ଉଲ୍ଲେଖଯୋଗ୍ୟ ଯେ ଜାତିପ୍ରାଣତା ନିମନ୍ତେ ସ୍ଵାଭିମାନୀ ମନର ନିର୍ବେଦଗ୍ରସ୍ତ ପ୍ରତି ଉଦାର ଓ ମହାନୁଭବତା ସହ ପ୍ରିୟତର ଐତିହ୍ୟ ପ୍ରତି ସମ୍ଵେଦନଶୀଳ ଭ୍ରୂକ୍ଷେପ ହିଁ ନିତାନ୍ତ ପାଥେୟ ।
©ମୋ ପ୍ରିୟତମ ପାଥେୟର ସରଣୀରେ : ଅମୃତେଶ

Leave a Comment

Your email address will not be published. Required fields are marked *

Scroll to Top