ବାରବାଟୀ ଦୁର୍ଗ

ଲେଖା: ତେଜସ୍ବ ତ୍ରିପାଠୀ
~ ବାରବାଟୀ ~
“ବାରବାଟୀ” ଏ ନାମ ହିଁ ଯଥେଷ୍ଟ l ଏ ନାମ ନିଜେ ହିଁ ନିଜର ପରିଚୟ l ଏ ନାମ ଉଚ୍ଚାରଣ ମାତ୍ରେ ପ୍ରତି ଉତ୍କଳୀୟ ଧମନୀର ପ୍ରତି ରକ୍ତ ବିନ୍ଦୁରେ ଦେଶପ୍ରୀତି ଜାଗ୍ରତ ହୁଏ l ଆଉ ଶତ୍ରୁ ବୁକୁରେ ଖେଳିଯାଏ ଅଜଣା ଭୟର ଆତଙ୍କ l
ଐତିହାସିକ ମାନଙ୍କ ମତରେ ୧୧୩୨ ଖ୍ରୀଷ୍ଟାବ୍ଦରେ ଗଙ୍ଗ ବଂଶୀୟ ରାଜା ଚୋଡଗଙ୍ଗ ଦେବ କଟକର ସୋମବଂଶୀୟ ରାଜା ସୁବର୍ଣ୍ଣ କେଶରୀଙ୍କୁ ପରାସ୍ତ କରି କଳିଙ୍ଗ ନଗରରେ ଥିବା ତାଙ୍କ ରାଜଧାନୀକୁ କଟକର ସାରଙ୍ଗ ଗଡ଼କୁ ଉଠାଇ ଆଣିଥିଲେ । ଏହାର ପରବର୍ତ୍ତୀ କାଳରେ ଗଙ୍ଗବଂଶୀୟ ରାଜା ତୃତୀୟ ଅନଙ୍ଗଭୀମ ଦେବ (୧୨୧୧ ରୁ ୧୨୩୮ ଖ୍ରୀଷ୍ଟାବ୍ଦ) ଉତ୍ତର ଦିଗରୁ ଆଫଗାନ ଶତ୍ରୁଙ୍କ ଆକ୍ରମଣର ଆଶଙ୍କା କରି ଅଧିକ ସୁରକ୍ଷିତ ଓ ନିରାପଦ ବାରବାଟୀ ଗ୍ରାମରେ ସୁଦୃଢ଼ ଦୁର୍ଗ ନିର୍ମାଣର ଆବଶ୍ୟକତା ଅନୁଭବ କରି ତାଙ୍କର ରାଜତ୍ବ ସମୟରେ ବାରବାଟୀ ଦୁର୍ଗକୁ ନିର୍ମାଣ କରିଥିଲେ । କିମ୍ବଦନ୍ତୀ ରହିଛି ଯେ ତୃତୀୟ ଅନଙ୍ଗଭୀମ ଦେବ ତାଙ୍କର ରାଜତ୍ବର ଦ୍ୱାଦଶ ବର୍ଷରେ ବାରବାଟୀରେ, ନୂତନ ମୁଦ୍ରା ଓ ମୋହରରେ ନିଜ ଉପାଧି ‘ବୀରଶ୍ରୀ ଗଜପତି ଗୌଡେଶ୍ୱର . .’ ଖୋଦିତ କରିଥିଲେ ।
ଗଜପତି ତୃତୀୟ ଅନଙ୍ଗ ଭୀମଦେବଙ୍କ ଏହି ରାଜଧାନୀ ପରିବର୍ତ୍ତନ ପ୍ରସଙ୍ଗ ମାଦଳା ପାଞ୍ଜିରେ ମଧ୍ୟ ଉଲ୍ଲିଖିତ ଅଛି । ଯଥା: “ଏ ଦୂତୀ ଅନଙ୍ଗଭୀମଦେବ ହୋଇଲେ । ଏ ରଜା ନଗର ଚଉଦ୍ୱାରେ କଟକେ ବିଜେ କରିଥାନ୍ତି । ଏମନ୍ତରେ ଏକ ଦିନରେ ରଯାଏ ବିଜେ କରି ଆସି ମହାନଦୀ ପାରହୋଇ ଏ ନଦୀରୁ ଦକ୍ଷିଣ ତୀରେ ଦେଖିଲେ କୋଦଣ୍ଡା ଦଣ୍ଡପାଟର ବାରବାଟୀ ଗ୍ରାମରେ ବିଶ୍ୱେଶ୍ୱର ଦେବଙ୍କର ସନିଧେ ଶାମଳା ପକ୍ଷୀକି (ଛଞ୍ଚାଣକୁ) ବଗ ମାଡି ବସିଛି । ଏହା ଦେଖି ରଜାଏ ବଡ଼ ଆଶ୍ଚର୍ଯ୍ୟ ପାଇ ଶୁଭ ଯୋଗ ଦିନରେ ଏ ବାରବାଟୀ ଗ୍ରାମରେ ଶୁଭ ଦେଇ ନଅର ତୋଳାଇ କଟକ କରି ଏ କଟକ ନାମ ବାରଣାସୀ କଟକ ବୋଲି ନାମ ଦେଇ ନଗର ଚଉଦ୍ୱାର କଟକ ଛାଡି ଆସି କଟକ କରି ରହିଲେ ।”
୧୨୩୦ ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗଭୀମ ଦେବଙ୍କ ନାଗରୀ ତାମ୍ରଫଳକ ‘ଅଭିନବ ବାରଣାସୀ କଟକ’ରୁ ହିଁ ପ୍ରଦାନ କରାଯାଇଥିଲା । କିମ୍ବଦନ୍ତୀ ଅନୁସାରେ ଓଡ଼ିଶାର ଶାସନ କାଳକ୍ରମେ କପିଳେନ୍ଦ୍ର ଦେବଙ୍କ ହାତକୁ ଯାଇଥିଲା ଯେ କି ସୂର୍ଯ୍ୟବଂଶ ପ୍ରତିଷ୍ଠା କରିଥିଲେ । ତାଙ୍କ ପୁତ୍ର ପୁରୁଷୋତ୍ତମ ଦେବଙ୍କର ଶିଳାଲେଖରୁ ‘ବାରଣାସୀ କଟକ’ ସମ୍ପର୍କରେ ସୂଚନା ମିଳେ । କ୍ରମେ କ୍ରମେ ଏହି ରାଜଧାନୀର ନାମ ‘ବାରଣାସୀ କଟକ’ରୁ କେବଳ ‘କଟକ’ରେ ପର୍ଯ୍ୟବସିତ ହେଲା । ଏହି ବାରବାଟୀ ଦୁର୍ଗର ସମ୍ପ୍ରସାରଣ ପରବର୍ତ୍ତୀ କାଳରେ ଉତ୍କଳର ଗଜପତି ମାନଙ୍କ ଦ୍ୱାରା କରାଯାଇଥିଲା ।
ବାରବାଟୀ ଦୁର୍ଗର ବର୍ଣ୍ଣନା ଓ ଆକୃତି ସମ୍ବନ୍ଧରେ ବୃଟନ୍ (୧୬୩୩), ଟି. ମଟ୍ (୧୭୬୬), ଲେକି (୧୭୯୦), ହାର୍କୋଟ୍ (୧୮୦୩), ଷ୍ଟାର୍ଲିଙ୍ଗ୍ (୧୮୨୨ ପୂର୍ବରୁ), କିଟୋ (୧୮୩୬) ଆଦି ଉଲ୍ଲେଖ କରିଛନ୍ତି । ସେମାନଙ୍କ ବର୍ଣ୍ଣନା ଅନୁସାରେ – “୨୧୫୦ ଫୁଟ ଲମ୍ବ ଓ ୧୮୦୦ ଫୁଟ ଓସାର ବିଶିଷ୍ଟ ଏକ ଆୟତ କ୍ଷେତ୍ର ଉପରେ ଦୁର୍ଗଟି ପରିବ୍ୟାପ୍ତ ଥିଲା । ବର୍ଗାକାର ନିମ୍ନାଭିମୁଖୀ ଗମ୍ବୁଜ ଦ୍ୱାରା ଏହି ଦୁର୍ଗର ପ୍ରାଚୀର ରକ୍ଷା କରାଯାଉଥିଲା । ତିନି କୋଣରେ ତିନୋଟି ଛୋଟ ଗମ୍ବୁଜ ଏବଂ ଉତ୍ତର-ପୂର୍ବ କୋଣରେ ଗୋଟିଏ ଗମ୍ବୁଜ ଥିଲା ଯାହାକୁ ୧୭୫୦ ଖ୍ରୀଷ୍ଟାବ୍ଦରେ ଯୋଗ କରାଯାଇଥିଲା । ବାରବାଟୀ ଦୁର୍ଗର ମଧ୍ୟଭାଗରେ ଥିବା ଗୋଟିଏ ଗୋଲାକୃତ ମୀନାରରେ ଏକ ପତାକା ସ୍ତମ୍ଭ ଶୋଭା ପାଉଥିଲା । ଗମ୍ବୁଜ ମାନଙ୍କରେ କମାଣ ରଖିବା ପାଇଁ ସ୍ଥାନ ଥିଲା ।
ଦୁର୍ଗରେ ଦୁଇଟି ପଥର କାନ୍ଥ ଥିଲା ଯାହାକୁ ବାଲିଆ ପଥର ଓ ପଥୁରିଆ ମାଟିରେ ନିର୍ମାଣ କରାଯାଇଥିଲା । କାନ୍ଥଗୁଡ଼ିକର ମୋଟେଇ ଥିଲା ୧୮ ଇଞ୍ଚ ଏବଂ ସେମାନଙ୍କ ମଧ୍ୟରେ ବ୍ୟବଧାନ ଥିଲା ଠିକ ୨ ଫୁଟ । ଦୁର୍ଗର ପ୍ରଧାନ ପ୍ରବେଶ ପଥ ପଛରେ ଆଉ ଦୁଇଟି ପ୍ରବେଶ ପଥ ଥିଲା ଏବଂ ତାହା ମଧ୍ୟ ଦେଇ ଗୋଟିଏ ସରୁ ଅଙ୍କାବଙ୍କା ରାସ୍ତା ଯାଇଥିଲା । ମୁଖ୍ୟ ପ୍ରବେଶ ପଥର ଦୁଇ ପାର୍ଶ୍ଵରେ ଦୁଇଟି ଉଚ୍ଚ ଗମ୍ବୁଜ ଥିଲା । ଦୁର୍ଗର ଚତୁଃପାର୍ଶ୍ଵରେ ଥିବା ଗଡଖାଇ ପଥର ଦ୍ୱାରା ବନ୍ଧାଯାଇଥିଲା । ଏହାର ଓସାର ୨୦ ୟାଡ୍ ଏବଂ ଗଭୀରତା ୭ ଫୁଟ ଥିଲା । କୁମ୍ଭୀରମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଏହି ଓସାରିଆ ଓ ଗଭୀର ଗଡଖାଇ ଦୁର୍ଗରକ୍ଷାର ପ୍ରଧାନ ଅବଲମ୍ବନ ଥିଲା । ସେତୁର ସାହାଯ୍ୟ ନନେଇ ଦୁର୍ଗ ମଧ୍ୟକୁ ପ୍ରବେଶ କରିବା ଅସମ୍ଭବ ଥିଲା ।”
ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ତୃତୀୟ ଅନଙ୍ଗଭୀମ ଦେବଙ୍କ ଶାସନ କାଳରେ ନିର୍ମିତ ହେବା ପରଠାରୁ ୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜ ମାନଙ୍କ ଅଧିନସ୍ଥ ହୋଇ ଅସ୍ତମିତ ହେବା ପର୍ଯ୍ୟନ୍ତ ଏହି ବାରବାଟୀ ଦୁର୍ଗ ଅନେକ ଉତ୍ଥାନପତନ ଦେଇ ଗତି କରିଛି ଓ ଓଡ଼ିଶା ଇତିହାସର ମୁଖ୍ୟ ମୂକସାକ୍ଷୀ ରୂପେ ଆଜି ମଧ୍ୟ ଏହାର ଭଗ୍ନାବଶେଷ ବିଦ୍ୟମାନ ।
ଭାରତୀୟଙ୍କର ନିର୍ମାଣ ଶୈଳୀ ଓ ସ୍ଥାପତ୍ୟ କଳା ସମ୍ବନ୍ଧରେ ‘Bishop Heber’ ମତବ୍ୟକ୍ତ କରି କହିଛନ୍ତି ଯେ – “the Indians built like Titans and finished like jewellers.” ତେଣୁ ଯଦି ଆମେ ଉପରୋକ୍ତ ମନ୍ତବ୍ୟକୁ ଦୃଷ୍ଟିରେ ରଖିବା, ତେବେ ହୃଦୟଙ୍ଗମ କରିବା ଯେ – କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଜଗନ୍ନାଥ ମନ୍ଦିର ପରି ବିଶାଳ ଅଥଚ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟର ନିର୍ମାତା ଓଡ଼ିଶାର ତତ୍କାଳୀନ ମହାରାଜାମାନେ କେବେହେଲେ ବାରବାଟୀ ଗ୍ରାମରେ ଏକ ସାଧାରଣ ପ୍ରତୀୟମାନ ହେଉଥିବା ଦୁର୍ଗ ନିର୍ମାଣ କରିନଥିବେ ଯାହାକି ଉତ୍କଳର ସ୍ୱାଭିମାନର ପ୍ରତୀକ ଥିଲା ।
୧୪୫୫ ଖ୍ରୀଷ୍ଟାବ୍ଦର ଏକ ପ୍ରାଚୀନ ଅଭିଲେଖରେ ଗଜପତି କପିଳେନ୍ଦ୍ର ଦେବଙ୍କର ରାଜଧାନୀ ବାରବାଟୀକୁ ଇନ୍ଦ୍ରଙ୍କର ଅମରାବତୀ ସହିତ ତୁଳନା କରାଯାଇଛି –
“କଟକା ନାମ ପୁରିଯସ୍ୟ ରାଜଧାନୀ ବିରାଜତେ
ମହାନଦୀ ପରସରେ ଶତ୍ରେସ୍ୟେ ବା ଅମରାବତୀ ।।”
ଐତିହାସିକ ବାରବାଟୀ ଦୁର୍ଗ ଗଙ୍ଗବଂଶୀୟ ରାଜା ତୃତୀୟ ଅନଙ୍ଗଭୀମଦେବଙ୍କ ଦ୍ଵାରା ନିର୍ମିତ ହେବା ପରଠାରୁ ଉତ୍କଳର ବିଭିନ୍ନ ମହାରାଜାମାନଙ୍କ ଦ୍ୱାରା ଏହାର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଏକ କ୍ରମିକ ଧାରାରେ ଅବ୍ୟାହତ ରହିଥିଲା, ଏବଂ ଏହି ଧାରାରେ ବାରବାଟୀ ଦୁର୍ଗର ରୂପରେଖ ଓ ଶୋଭା ତାହାର ଚରମ ଉତ୍କର୍ଷତାକୁ ସ୍ପର୍ଶ କରିଥିଲା ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ସମୟରେ ଯାହାର ଉଲ୍ଲେଖ ଆବୁଲଫଜଲଙ୍କ ସ୍ୱପ୍ରଣୀତ ‘ଆଇନ-ଇ-ଆକବରୀ’ରେ ପ୍ରତିଫଳିତ ହୁଏ । ଏଥିରେ ବର୍ଣ୍ଣିତ ଅଛି ଯେ – “ଏହି ବାରବାଟୀ ଦୁର୍ଗ ମଧ୍ୟରେ ରାଜା ମୁକୁନ୍ଦଦେବଙ୍କ ଦ୍ୱାରା ନିର୍ମିତ ଏକ ନବତଳ ପ୍ରାସାଦ ରହିଛି । ଏହାର ପ୍ରଥମ ତଳ ହାତୀ ତଥା ଅନ୍ୟାନ୍ୟ ପାଳିତ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ । ଦ୍ଵିତୀୟ ତଳ ଗୁଳିଗୋଳା ଓ ଅନ୍ୟାନ୍ୟ ଯୁଦ୍ଧୋପକରଣ ଦ୍ୱାରା ସଜ୍ଜିତ ଥିବା ସହିତ ଦୁର୍ଗରକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କର ନିବାସ ଥିଲା । ତୃତୀୟ ତଳ ଦ୍ୱାରୀ ଓ ଅନ୍ୟାନ୍ୟ ଆଜ୍ଞାବାହକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସମୟରେ ଚତୁର୍ଥ ତଳ ନାନା ପ୍ରକାର କୌଶଳୀ କାରିଗରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ପଞ୍ଚମ ତଳରେ ରନ୍ଧନଶାଳା ଥିଲା । ଷଷ୍ଠ ତଳ ବିଭିନ୍ନ ଭଦ୍ରବ୍ୟକ୍ତି ଓ ଆଗନ୍ତୁକ ମାନଙ୍କ ସହିତ ଦେଖାସାକ୍ଷାତ, କଥୋପକଥନ ତଥା ରାଜଦରବାର ରୂପେ ବ୍ୟବହୃତ ହେଉଥିଲା । ସପ୍ତମ ତଳଟି ରାଜାଙ୍କର ପାରିବାରିକ ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଥିବା ସମୟରେ ଅଷ୍ଟମ ତଳଟି ଅନ୍ତଃପୁରର ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ନବମ ତଳଟି ରାଜାଙ୍କର ଶୟନାଗାର ଥିଲା ।”
ତେବେ ଏହି ପ୍ରସାଦକୁ ନେଇ ଅନେକ ଐତିହାସିକ ନା ନା ମତ ପ୍ରକାଶ କରନ୍ତି l ଏବେତ ମାତ୍ର କେବଳ ଭଗ୍ନାବଶେଷ ରହିଛି । ଏହି ଭଗ୍ନାବଶେଷ ମାନଙ୍କ ମଧ୍ୟରେ ରହିଛି ବୃହତ ସ୍ତୁପ, ସୁନ୍ଦର କ୍ଲୋରାଇଟ ପଥର ନିର୍ମିତ ପ୍ରକାଣ୍ଡ ଆଲୋକ ଧାରଣ ସ୍ତମ୍ଭ ତଥା ମାଙ୍କଡ଼ା ପଥର ନିର୍ମିତ ୩୦ରୁ ଉର୍ଦ୍ଧ୍ବ ବର୍ଗାକାର ସ୍ତମ୍ଭ l ତେବେ ଏହି ଭଗ୍ନାବଶେଷ ଗୁଡିକ ଏକ ଭବ୍ୟ ଓ ବିଶାଳ ନିର୍ମାଣର ଏକ ଅଂଶବିଶେଷ ବୋଲି ପ୍ରଖ୍ୟାତ ଐତିହାସିକ ଆନଡ୍ର୍ୟୁ ଷ୍ଟର୍ଲିଂ କହିଛନ୍ତି ।
ସ୍ଥାପତ୍ୟ ଇତିହାସ ପ୍ରବୀଣ ଜେମ୍ସ ଫର୍ଗୁସନ ମଧ୍ୟ ବାରବାଟୀର ଏହି ନବତଳ ପ୍ରାସାଦର ଅସ୍ତିତ୍ବ ସମ୍ପର୍କରେ ସକାରାତ୍ମକ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ – ବାରବାଟୀର ସମସାମୟିକ ଜୟପୁର ଏବଂ ବିଜାପୁରର ସପ୍ତତଳ ପ୍ରାସାଦ ଓ ଫତେହପୁର ସିକ୍ରି ଠାରେ ଆକବରଙ୍କର ପଞ୍ଚତଳ ପ୍ରାସାଦର ଅସ୍ତିତ୍ବ ଏହାର ସୂଚନା ଦିଏ ଯେ ବାରବାଟୀରେ ଏକ ନବତଳ ପ୍ରାସାଦର ଅସ୍ତିତ୍ବ ନିଶ୍ଚୟ ଥିଲା । ନଚେତ ଓଡ଼ିଶା ସହିତ ସୁପରିଚିତ ଥିବା ଆକବରଙ୍କର ସାମ୍ରାଜ୍ୟର ଏକ ପ୍ରକାର ଅଂଶବିଶେଷ ଓଡ଼ିଶାର ଏହି ବାରବାଟୀ ଦୁର୍ଗ ସମ୍ପର୍କରେ ଏପରି ବର୍ଣ୍ଣନା ଆବୁଲଫଜଲ କେବେହେଲେ କରି ନଥାନ୍ତେ ।
ପୁନଶ୍ଚ ମୁକୁନ୍ଦଦେବଙ୍କ ମୃତ୍ୟୁର ଷାଠିଏ ବର୍ଷ ପରେ ବାରବାଟୀ ସମ୍ପର୍କରେ ନିଜର ପତ୍ରରେ ବର୍ଣ୍ଣନା କରିଥିବା ‘ବୃଟନ’ଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀ “So large in extent and so magnificent in structure.” ଆବୁଲଫଜଲଙ୍କ ବର୍ଣ୍ଣିତ ବାରବାଟୀର ନବତଳ ପ୍ରାସାଦ ସଦୃଶ କୌଣସି ଏକ ବିଶାଳ ସୌଧର ଉପସ୍ଥିତି ସମ୍ପର୍କୀୟ ମତକୁ ଦୃଢ଼ ସମର୍ଥନ କରେ । ଏପରିକି ୧୭୬୬ ଖ୍ରୀଷ୍ଟାବ୍ଦରେ ୟୁରୋପୀୟ ପର୍ଯ୍ୟଟକ ଥୋମାସ ମଟ୍’ଙ୍କ ଦ୍ଵାରା “ବାରବାଟୀ ଦୁର୍ଗ Windsor Castle ପରି” ଦେଖାଯାଉଥିବାର ଉଲ୍ଲିଖିତ ।
ସମ୍ପ୍ରତି ଦୁର୍ଗର ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟ ଅବ୍ୟାହତ ରହିଛି ଓ ଭବିଷ୍ୟତରେ ଦୁର୍ଗର ପୂର୍ଣ୍ଣାଙ୍ଗ ଖନନ ପରେ ହିଁ ଦୁର୍ଗ ସମ୍ବନ୍ଧରେ ସବିଶେଷ ବିବରଣୀ ଉପଲବ୍ଧ ହେବ । ତେବେ ଏତିକି ଦୃଢ଼ନିଶ୍ଚିତ ହୋଇ କହିହେବ ଯେ “ବାରବାଟୀ ଦୁର୍ଗ ଅତୀତରେ ଓଡ଼ିଶାର ସ୍ୱାଭିମାନର ପ୍ରତୀକ ହୋଇ ରହିଥିଲା ଓ ଭବିଷ୍ୟତରେ ମଧ୍ୟ ଓଡ଼ିଶାର ଉତ୍ତରପିଢିଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ହୋଇ ସଦାସର୍ବଦା ରହିବ ।”
କାଳର କରାଳଛାୟା ଗ୍ରାସ କରେ ବାରବାଟୀ ଦୁର୍ଗର ଗୌରବଜ୍ଜଳୋ ସୂର୍ଯ୍ୟ ଉପରେ l ଆରମ୍ଭ ହୁଏ ପତନର ପର୍ବ l ବାରବାଟୀର ଗୌରବମୟ କାହାଣୀର ଅନ୍ତିମ ଅଙ୍କ ଆରମ୍ଭ ହୁଏ ଯେତେବେଳେ ଏହା ମରହଟ୍ଟାଙ୍କ ଅଧିନସ୍ଥ ହୁଏ ଓ ଏହି ଅନ୍ତିମ ଅଙ୍କର ଯବନିକା ସେତେବେଳେ ପଡେ, ଯେତେବେଳେ ଏହା ବ୍ରିଟିଶ କର୍ତ୍ତୃତ୍ବାଧୀନ ହୁଏ ।
୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଏକ କ୍ଷୁଦ୍ର ସଂଗ୍ରାମରେ ମରହଟ୍ଟାଙ୍କ ଠାରୁ ବାରବାଟୀ ଦୁର୍ଗ ଅଧିକାର କରିନିଅନ୍ତି । ତତ୍ପରେ ସେମାନେ ଗଡଖାଇକୁ ଶୁଖାଇ ଅଧିକାଂଶ କୁମ୍ଭୀରଙ୍କୁ ମାରିଦିଅନ୍ତି ଓ ଅବଶିଷ୍ଟ କୁମ୍ଭୀରଙ୍କୁ ମହାନଦୀରେ ଛାଡି ଦିଅନ୍ତି । ଏହାପରେ ବାରବାଟୀ ଦୁର୍ଗ କିଛି କାଳ ପାଇଁ ସେମାନଙ୍କ ଦ୍ବାରା କାର୍ଯ୍ୟରେ ବ୍ୟବହୃତ ହୁଏ । ସମୟକ୍ରମେ ଖୋର୍ଦ୍ଧାର ରାଜା ମୁକୁନ୍ଦ ଦେବ ଓ ତାଙ୍କର ପୁତ୍ର ଏହି ବାରବାଟୀ ଦୁର୍ଗ ମଧ୍ୟରେ ଥିବା ମନ୍ଦିର କୋଠରୀରେ ନଜରବନ୍ଦୀ ହୋଇ ରହନ୍ତି । ପରେ ୧୮୧୯ ଖ୍ରୀଷ୍ଟାବ୍ଦରେ, ସୁରଗୁଜା ରାଜାଙ୍କର ଦୁଇଜଣ ବଂଶଧରଙ୍କ ସମେତ ଚାରିଜଣ ବନ୍ଦୀଙ୍କୁ ଏଠାକୁ ସ୍ଥାନାନ୍ତରିତ କରାଯାଏ ଓ ଏହି ଐତିହ୍ୟସମ୍ପନ୍ନ ଦୁର୍ଗ ଏକ ବନ୍ଦୀଶାଳାରେ ପରିଣତ ହୁଏ । ଏହି ବନ୍ଦୀମାନଙ୍କର ମୁକ୍ତି ପରେ ଏହି ବାରବାଟୀ ଦୁର୍ଗ ପରିତ୍ୟକ୍ତ ଅବସ୍ଥାରେ କିଛିଦିନ ପଡିରହେ ।
କାଳକ୍ରମେ ୧୮୨୮ ମସିହାରେ ଇଂରେଜ କମିଶନର ଟମାସ ପାନେନହାମଙ୍କ ଦ୍ଵାରା ବାରବାଟୀ ଦୁର୍ଗର ପଥରଗୁଡ଼ିକ କଟକ ପଥରବନ୍ଧର ମରାମତି ଓ ରାସ୍ତା ନିର୍ମାଣ ପାଇଁ ବ୍ୟବହାର କରିବା ନିମିତ୍ତ ପ୍ରେରିତ ଏକ ପ୍ରସ୍ତାବ ଉପରସ୍ଥ ହାକିମଙ୍କ ଦ୍ୱାରା ମଞ୍ଜୁର ହୁଏ ଓ ୧୮୨୯ ମସିହାରେ ଏଥିପାଇଁ ବାରବାଟୀ ଦୁର୍ଗ ଭଙ୍ଗା ଯାଏ । ଏହାପରେ ଦୁର୍ଗର କିଛି ପଥର ନଦୀର ପଥରବନ୍ଧର ମରାମତି ଓ ଏକ ବତୀଘରର ନିର୍ମାଣରେ ବ୍ୟବହୃତ ହୁଏ, କିଛି ପଥର ଦ୍ୱାରା ଫଲସ ପଏଣ୍ଟରେ ଆଲୋକ ସ୍ତମ୍ଭ ନିର୍ମିତ ହୁଏ ଓ ଅବଶିଷ୍ଟ ପଥରଗୁଡିକ କାଣ୍ଟନମେଣ୍ଟ ରୋଡ଼ ନିର୍ମାଣରେ ବ୍ୟବହୃତ ହୁଏ । ଏତଦ୍ବ୍ୟତୀତ ଅନେକ ପଥର ମଧ୍ୟ ସ୍ଥାନୀୟ କିଛି ଧନୀ ବ୍ୟକ୍ତିଙ୍କୁ ବିକ୍ରି କରାଯାଏ । ସମସ୍ତ ଦୁର୍ଗଟି ଭଙ୍ଗା ଯିବା ପରେ କେବଳ ପ୍ରବେଶ ଦ୍ୱାରଟି ମାତ୍ର ଅବଶେଷ ରୁହେ । ଯେଉଁ ଐତିହାସିକ ବାରବାଟୀ ଦିନେ ନିଜ ବୁକୁରେ ଧରିରଖିଥିଲା ଓଡ଼ିଆ ବୀରଙ୍କ ବିଜୟ ଧ୍ବଜା, ତାହା ନିଜ ଅନ୍ତିମ ସମୟରେ ମଧ୍ୟ ଏହି ମାଟି ପାଇଁ ନିଜର ପ୍ରସ୍ତର କୋଷ ମାନ ଦାନ କରି ସବୁଦିନ ପାଇଁ ସୁପ୍ତ ତଥା ଅସ୍ତମିତ ହୁଏ । କବିବର ରାଧାନାଥ ରାୟଙ୍କ ଭାଷାରେ ବାରବାଟୀର ଏହି କରୁଣ କାହାଣୀ ପ୍ରତିଫଳିତ ହୁଏ –
“ବାରବାଟୀ ଦୁର୍ଗେ ଉଡୁନାହିଁ ଧ୍ବଜା
ବାରବାଟୀ ଦୁର୍ଗେ ବାଜୁନାହିଁ ବାଜା ।
ସୁପ୍ତ ବାରବାଟୀ ମୃତ ଶୈଳ ପ୍ରାୟ
କାନ୍ଦେ ପଡି ଘୋର କଷଣେ ।।”
ବାରବାଟୀ ଯହିଁ ମନସ୍ମୃତି ପୋତେ
ବହିଯାଏ ପ୍ରତିଲୋମେ କାଳସ୍ରୋତେ ।
କାଳେ କାଳେ କେତେ ଦେଖି ଯେ ଆସିଲା
ନଶ୍ୱର ନଗର ଗାରିମାର ଲୀଳା !”
ପୁନଶ୍ଚ ୧୯୧୫ ମସିହାରୁ ବାରବାଟୀ ଦୁର୍ଗ ଏକ ସର୍ବଭାରତୀୟ ପ୍ରତ୍ନକୀର୍ତ୍ତି ଭାବେ ସଂରକ୍ଷିତ ରୁହେ । ଏଠାରେ ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟ ୧୯୮୯ ମସିହାରେ ଆରମ୍ଭ ହୁଏ ଯାହାଦ୍ୱାରା ଏହା ମଧ୍ୟରେ କିଛି ପ୍ରାଚୀର, ବର୍ଗାକାର ସୌଧ, ସମତଳ ଚଟାଣ, ପଥର ସ୍ତମ୍ଭ, ଭଗ୍ନ ମୂର୍ତ୍ତି, ସ୍ଥାପତ୍ୟାଂଶ, ପତାକା ଦଣ୍ଡ, ଅନୁମେୟ ମନ୍ଦିରର ଏକ ପୀଠ ଭାଗ, ଯୁଦ୍ଧାସ୍ତ୍ର, ଶାହାଜାହାନଙ୍କ ସମୟର ରୌପ୍ୟ ମୁଦ୍ରା, ଚୀନାପାତ୍ର, କାଚପାତ୍ର ଆଦି ଲୋକଲୋଚନକୁ ଆସେ ।
“ବାରବାଟୀ” କେବଳ ମାତ୍ର ଗୋଟିଏ ଦୁର୍ଗ ନୁହେଁ l ବରଂ ଦେଶ ପ୍ରୀତିର ଏକ ଅମ୍ଲାନ ଅସ୍ତିତ୍ୱ l
© Tezswo Tripathy

Leave a Comment

Your email address will not be published. Required fields are marked *

Scroll to Top