ବାଙ୍କୀରାଣୀ ଶୁକଦେଈ

ସୌରଭିତ ସୃଷ୍ଟି: ରାଧାମୋହନ ଗଡ଼ନାୟକ

~ ବାଙ୍କୀରାଣୀ ଶୁକଦେଈ ~

ଛନ୍ଦକବି ରାଧାମୋହନ ଗଡ଼ନାୟକଙ୍କ ଏକ ଅମଳିନ ସୃଷ୍ଟି ! ଉତ୍କଳିକା କାବ୍ୟର ଏକ କବିତା ବାଙ୍କୀରାଣୀ ଶୁକଦେଈ . . 

ବାଙ୍କି-ରାଣୀର ସମ୍ମୁଖ ଭାଗେ
ଖୋରଧା ରାଜନ ସରମଭରେ,
ବୁକୁର ବ୍ୟାକୁଳ ବେଦନା ବିପାକ
ପ୍ରକାଶିଲେ ଧୀର ନମ୍ର ସ୍ଵରେ |
*** * ***
“ନିଦାରୁଣ ଏ ଯେ ଦଣ୍ଡ ଦେଉଚ
ଦେଉଚ ଆଜି ଏ ଅଭାଗା ପରେ,
କ୍ଷତ୍ରିୟ ବୀର ହୋଇ ମୁଁ କିପରି
ମୁଖ ଦେଖାଇବି ଧରଣୀ ତଳେ ?
*** * ***
ନାରୀ ନୁହଁ ତୁମେ ସାକ୍ଷାତ ଦେବୀ
ସାକ୍ଷାତ ତୁମେ କରୁଣା ସମା,
କେଉଁ ଅପରାଧ କରିଅଛି ମୁହିଁ
କେସନ ତାହାର ମାଗିବି କ୍ଷମା ?
*** * ***
ଉଦାରତା ବଳେ ଆଜି ମୋତେ ଜିଣି
ପରାଜିତ କଲ ଆପଣା ଆଗେ,
ଚିରଦିନ ତୁମେ ଅଙ୍କା ରହିବ
ଖୋରଧା ରାଣୀର ଚିତ୍ତଭାଗେ |
*** * ***
ତୁମର ବିଜୟ- ସଙ୍କେତ ରହୁ
ମୋର ପରାଜୟ-ଚିହ୍ନ ରହୁ,
ମୋର କୁଶପଲା ପ୍ରଗନା ଗୋଟିକ
ବାଙ୍କି ସହିତ ଯୁକ୍ତ ହେଉ |
*** * ***
ତିନି ଦିନ ପରେ ଆଖି ଲୁହ ପୋଛି
କିସ ଭାବି ପୁଣି ଉଠିଲେ ରାଣୀ,
କପାଳେ ଫୁଟାଇ କୁଞ୍ଚିତ-ରେଖା
ଭାଷିଲେ ନବୀନ ଅଭୟ ବାଣୀ |
“ଲୋତକେ ଭାସି ମୁଁ ଝୁରିବି ନାହିଁରେ
ଅନଳେ ଝାସି ମୁଁ ମରିବି ନାହିଁ,
ପାଷାଣ-ପରାଣେ ବଞ୍ଚି ରହିବି
ଆରେ ଦୟାନିଧି ତୋହରି ପାଇଁ |”
ଉପସ୍ଥାପନା: ଅମୃତେଶ ଖଟୁଆ

Leave a Comment

Your email address will not be published. Required fields are marked *

Scroll to Top