ନିମାପଡାଠାରୁ ପ୍ରାୟ ପନ୍ଦର କି.ମି. ପୂର୍ବକୁ କାକଟପୁର ରାସ୍ତାରେ ଗଲେ ପଡ଼େ ‘ଚଉରାଶି’ ଗ୍ରାମ । ଏହାର ପଶ୍ଚିମ ଦିଗରେ ଲଳିତା ନଦୀ, ଦକ୍ଷିଣରେ ଗିଲେଇଗଡ ଏବଂ ଉତ୍ତର ଓ ପୂର୍ବରେ ପ୍ରାଚୀନଦୀ ପ୍ରବାହିତ । ଏଇ ନଦୀକୂଳରେ ବରାହୀ ଦେଉଳ ସମେତ ଅମରେଶ୍ୱର ମନ୍ଦିର, ପିତାପଡା ମନ୍ଦିର, ରାମେଶ୍ବର ମନ୍ଦିର, ଲଳିତ ମାଧବ ମନ୍ଦିର ଇତ୍ୟାଦି ଦୃଷ୍ଟିଗୋଚର ହୋଇଥାଏ ।
ପ୍ରାଚୀନଦୀର କୂଳରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମକୁ ଯେ ଋଦ୍ଧିମନ୍ତ କରିଥିଲା; ତାହାର ଅସଂଖ୍ୟ ପ୍ରମାଣ ଏବେ ନଦୀର ଉଭୟ ପାଶ୍ୱର୍ରେ ଦୃଶ୍ୟମାନ । କାଳର ପ୍ରଭାବରେ କିଛି ଲୁପ୍ତ, କିଛି ନିଶ୍ଚିହ୍ନ ହେବାକୁ ବସିଥିଲେ ମଧ୍ୟ ଅସଂଖ୍ୟ ମଠମନ୍ଦିର, ବୌଦ୍ଧ-ଜୈନକୀର୍ତ୍ତି, ଶିବ, ସୂର୍ଯ୍ୟ, ବିଷ୍ଣୁ ତଥା ଭିନ୍ନ ଭିନ୍ନ ଦେବଦେବୀ ମୂର୍ତ୍ତି ଅଦ୍ୟାବଧି ଇତିହାସର ମୁକସାକ୍ଷୀ ରୂପେ ଏଇ ନଦୀକୂଳରେ ବିଦ୍ୟମାନ । ଅନେକ କିମ୍ବଦନ୍ତୀ ଏବେ ମଧ୍ୟ ଲୋକମୁଖରେ ପ୍ରଚଳିତ ଓ ପ୍ରଚାରିତ । ସେହିପରି ଏକ କିମ୍ବଦନ୍ତୀର ବିସ୍ମୟ ଯାଦୁକରୀ ଶିଳ୍ପକଳାର ଜୀବନ୍ତ ଆଲେଖ୍ୟ ତଥା ‘ଦ୍ଵିତୀୟ କୋଣାର୍କ’ ଚଉରାଶିର ଏଇ ବରାହୀ ଦେଉଳ ।
ଐତିହାସିକ ଏହାକୁ ବରାହୀ ନାମକରଣ କରି ପ୍ରାଚୀକୂଳରେ ବୌଦ୍ଧ ଧର୍ମର ପ୍ରସାରକୁ ଗୁରୁତ୍ୱ ଦେଉଥିବାବେଳେ ସ୍ଥାନୀୟ ଲୋକେ ଏହାକୁ ବଢେଇ ମନ୍ଦିର ବୋଲି କହିଥାନ୍ତି ।
ଅନନ୍ୟ ବରାହୀ ଦେଉଳ:
ଦଶମ ଶତାବ୍ଦୀରେ ନିର୍ମିତ ୨୫ଫୁଟ ଉଚ୍ଚତାର ଏହି ମନ୍ଦିରରେ ଆରାଧ୍ୟ ଦେବୀ ଦୁଇଭୁଜା ବରାହୀ (ଅନ୍ୟତ୍ର ଚତୁର୍ଭୁଜା ବରାହୀ ପୂଜାପା’ନ୍ତି) ଏକ ହାତରେ ମାଛ ଓ ଅନ୍ୟ ହାତରେ ସୁରାପାତ୍ର ସହିତ ବିଦ୍ୟମାନ । ପାଦତଳେ ମଇଁଷି । ଦେବୀଙ୍କର ଆୟୁଧ ମତ୍ସ୍ୟ ଓ ମଦ୍ୟ, ଏ ଦେବୀ ବିଷ୍ଣୁଙ୍କ ବରାହ ଅବତାରର ସ୍ତ୍ରୀ ରୂପ ନୁହଁନ୍ତି ।
ଖାଖର ବା ଚଉରା ଶୈଳୀର ଏଇ ମନ୍ଦିରଟି ଚୋରାଇଟ୍ ପଥରରେ ନିର୍ମିତ, ଏବଂ କଳାମୁଗୁନି ପଥରର ପୀଠ ଉପରେ ଏକ ବିମାନ ପରି ସ୍ଥାପିତ । ମନ୍ଦିରର ନିମ୍ନାଂଶ ବା ପଭାଗ ଭୁବନେଶ୍ବରର ବୈତାଳ ମନ୍ଦିର ସହ ତୁଳନୀୟ । କୁମ୍ଭ ଆକାରରେ ନିର୍ମିତ ଏଇ ମନ୍ଦିରର ମୁଖଶାଳା ସ୍ତମ୍ଭ ଦ୍ୱାରା ନିର୍ମିତ, ମାତ୍ର ତୀକ୍ଷ୍ଣ, ଢାଲୁଆ ଓ ଏହା ଏକ ଆୟତକ୍ଷେତ୍ର ଆକାରର ହୋଇଥିବାରୁ, ଦେଖଣାହାରୀ ମନ୍ଦିରଟିକୁ ଏକ ଦେଶୀ ଡଙ୍ଗା ବୋଲି ଅନୁଭବ କରିଥା’ନ୍ତି । ଏହି ପଞ୍ଚରଥ ଶୈଳୀର ମନ୍ଦିରଟି ଉତ୍କଳୀୟ ଶିଳ୍ପକଳାର ଏକ ମହିମାମଣ୍ଡିତ ଜ୍ୱଳନ୍ତ ଉଦାହରଣ ।
ଏଇ ମନ୍ଦିରର କେନ୍ଦ୍ରସ୍ଥଳରେ ଗଜଲକ୍ଷ୍ମୀ, ପାର୍ଶ୍ଵରେ ଦୁଇ ବିଦ୍ୟାଧର ହାତରେ ଫୁଲମାଳ ସହ ଦଣ୍ଡାୟମାନ, ଝର୍କାର ଦୁଇବନ୍ଧରେ ଦୁଇଟି ନାଗମୂର୍ତ୍ତି, ଯାହାର କଟିଠାରୁ ବେକ ଯାଏଁ ମଣିଷର ଶରୀର, ସାପର ଲାଞ୍ଜ ଆଉ ଫଣା । ଇଏ ଏକ ଅନନ୍ୟ ଓ ବିରଳ ପ୍ରତିକୃତି ।
ମନ୍ଦିରର ମୁଖଶାଳାରେ କେତେ ଗୁଡିଏ ଠଣା, ଉପରେ ଧ୍ୟାନରତ ମଣିଷ ଓ ନାରୀ, ତଳେ ଦେବଦେବୀଙ୍କ ମୂର୍ତ୍ତି, ନାରୀମୂର୍ତ୍ତି ମାନଙ୍କ ଶରୀରରେ ହାର ଓ ବିଭିନ୍ନ ଅଳଙ୍କାର ସହିତ ଅନ୍ତର୍ବାସ ଶୋଭାପାଇଥାଏ । ବିଭିନ୍ନ ପଶୁପକ୍ଷୀ, କ୍ରୀଡାନତ ନର୍ତ୍ତକନର୍ତ୍ତକୀ, ଉଲଗ୍ନ ଅଥବା ମୈଥୁନରତ ନାରୀପୁରୁଷ, ବିଭିନ୍ନ ବାଦ୍ୟଯନ୍ତ୍ର, ଭାରବାହୀ ପଶୁ, ରାମାୟଣର କଥାବସ୍ତୁ ଇତ୍ୟାଦି ଦୃଶ୍ୟମାନ ।
ମନ୍ଦିରର ପଶ୍ଚିମ ପାର୍ଶ୍ବରେ ସପ୍ତାଶ୍ୱ ସୂର୍ଯ୍ୟଙ୍କର ଶିଳ୍ପଚାତୁର୍ଯ୍ୟରେ ପରିପୂର୍ଣ୍ଣ ତଥା ଆକର୍ଷଣୀୟ ଧ୍ୟାନସ୍ଥ ମୂର୍ତ୍ତି, ଏହାର ଦକ୍ଷିଣପାର୍ଶ୍ଵରେ ଗଣେଶ ମୂର୍ତ୍ତି ଥିବାବେଳେ ଉତ୍ତରଭାଗରେ ମୂର୍ତ୍ତି ସ୍ଥାନଟି ଶୂନ୍ୟ ରହିଛି (ବୋଧହୁଏ ଚୋରି ହୋଇଯାଇଛି) । ତେବେ ଏହି ମନ୍ଦିରରେ ସୂର୍ଯ୍ୟଙ୍କର ସ୍ୱର୍ଗୀୟ କମନୀୟ ରୂପ ତଥା ଉତ୍କଳୀୟ ସ୍ଥାପତ୍ୟର କମନୀୟ ଉଦାହରଣ ଏଇ ବରାହୀ ଦେଉଳ ସତରେ ଅତୁଳନୀୟ ।
ନାମକରଣ
ଏହି ନଦୀମାନେ ଚଉରାଶି ଗ୍ରାମର ଅନତିଦୂରରେ ‘ଗୋତୀର୍ଥ’ଠାରେ ମିଳିତ । ‘ପ୍ରାଚୀ ମାହାତ୍ମ୍ୟ‘ରେ ବର୍ଣ୍ଣିତ ଏହି ସ୍ଥାନରୁ ଏକ ବଜ୍ରଧାରୀ ବୁଦ୍ଧ ମୂର୍ତ୍ତି ଆବିଷ୍କୃତ ହୋଇଛି । ଧାର୍ମିକ ପରମ୍ପରାରେ ଉଦ୍ଭାସିତ ଏଇ ଗ୍ରାମର ନାମକରଣ ପଛରେ ଭିନ୍ନ ଭିନ୍ନ ମତ ମିଳେ ।
କେହି କେହି କହନ୍ତି ଚଉଦ ଭୁବନ, ସେମାନଙ୍କ ଛ’ଗୁଣ ସ୍ବର୍ଗ ଅର୍ଥାତ୍ ଚଉରାଅଶୀ । ମଧ୍ୟଯୁଗୀୟ କବି ଦୀନକୃଷ୍ଣଙ୍କ ମତ ଉଦ୍ଧାର କରି କେତେକ ମଣିଷ ତା’ନିଜ ଆଙ୍ଗୁଳିରେ ଚଉରାଅଶୀ ଆଙ୍ଗୁଳି, ସେଥିପାଇଁ ଏପରି ନାମ ବୋଲି ଯୁକ୍ତି ବାଢ଼ନ୍ତି । ସେ ସ୍ଥାନରେ ଏକଦା ଚୌରାଅଶୀଟି ବଡ ବଡ ବାମ୍ଫି ଥିଲା ବୋଲି ସ୍ଥାନୀୟ ଲୋକେ ମତ ସାବ୍ୟସ୍ତ କରନ୍ତି । ମଣିଷ ୮୪ଲକ୍ଷ ଜନ୍ମ ପରେ ଯାଇ ମଣିଷ ଜନ୍ମ ଲଭେ । ସ୍କନ୍ଦପୁରାଣରେ ଚଉରାଅଶୀ ପ୍ରକାର ଶିବଲିଙ୍ଗର ବର୍ଣ୍ଣନା ଅଛି । ଚଉରାଅଶୀ ଜଣ ସିଦ୍ଧାଚାର୍ଯ୍ୟଙ୍କ ପାଇଁ ଗ୍ରାମର ନାମ କେହି ଉଲ୍ଲେଖ କରନ୍ତି ତ କେହି କେହି ତନ୍ତ୍ରଶାସ୍ତ୍ରର ଚଉରାଅଶୀ ଅଞ୍ଜନର ବ୍ୟବହାର କଥା ପ୍ରକାଶ କରନ୍ତି । ଏଇ ନାମକରଣର ପ୍ରକୃତ କାରଣ ଏବେ ମଧ୍ୟ ଗବେଷଣାକୁ ପ୍ରୋତ୍ସାହିତ କରେ ।
ମନ୍ଦିରର ନାମକରଣ ପରି ନିର୍ମାତାଙ୍କ ବିଷୟରେ ମଧ୍ୟ ସର୍ବାନୁମୋଦିତ ତଥ୍ୟ ମିଳେନାହିଁ । ତେବେ ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତାନୁସାରେ ଭୌମବଂଶୀ ରାଣୀ ପୃଥିବୀ ଦେବୀ ନବମ ଶତାବ୍ଦୀରେ ଏହି ମନ୍ଦିରର ନିର୍ମାଣ କରିଥିଲେ । ତେବେ ଏ ବାବଦରେ ଜନଶ୍ରୁତି କିମ୍ବା କିମ୍ବଦନ୍ତୀକୁ ଉପେକ୍ଷା କରାଯାଇପାରେ ନା ।
ଲୋକମତ ଅନୁଯାୟୀ ଏକଦା ବ୍ୟାପକ ଭାବେ ବ୍ୟାପ୍ତଥିବା ପ୍ରାଚୀନଦୀରେ ବୋଇତ ଚଳାଚଳ କରୁଥିଲା, ଏବଂ ଏହି ବୋଇତ ଦେଇ କୋଣାର୍କର ଶିଳ୍ପୀକୁଳ ଯାତାୟାତ କରୁଥିଲେ, ବୋଇତରେ ପଥର ମଧ୍ୟ ବୋହି ନେଉଥିଲେ, କୋଣାର୍କ ମନ୍ଦିର ନିର୍ମାଣ କାର୍ଯ୍ୟର ବଳକା ସମୟରେ ଏ ବରାହୀ ମନ୍ଦିରଟି ତୋଳିଥିଲେ । ଏ ବାବଦରେ ବିଶେଷ ତଥ୍ୟ ମିଳୁ ନ ଥିଲେ ମଧ୍ୟ ଏ ଯୁକ୍ତିକୁ ଖଣ୍ଡନ କରିବା ପ୍ରାୟତଃ ଦେଖାଯାଏ ନାହିଁ । ବରଂ ଚଉରାଶି ଗ୍ରାମର ଅନତି ଦୂରରେ ଥିବା ବୋଇତକୁଦ ଏବଂ ପ୍ରାଚୀନଦୀକୁଳର ଏତେଗୁଡିଏ ମନ୍ଦିର ଏ ଯୁକ୍ତିକୁ ସମର୍ଥନ ଯୋଗାଏ । ବଢେଇମାନେ ଏଇ ମନ୍ଦିରକୁ ତୋଳିଥିବା କାରଣରୁ ଲୋକମୁଖରେ ଏବଂ ପୁରୁଷାନୁକ୍ରମେ ଏହା ‘ବଢେଇ ମନ୍ଦିର’ ଭାବରେ ମଧ୍ୟ ଜଣାଶୁଣା ।
ମା’ବରାହୀ
ଯାଦୁକରୀ ଶିଳ୍ପ କଳାର ଏକ ଜୀବନ୍ତ ଉଦାହରଣ ଚଉରାଶିର ବଢେଇ ବା ବରାହୀ ମନ୍ଦିରରେ ପୂଜିତ ମା’ ବରାହୀଙ୍କ ମୂର୍ତ୍ତିର ଉଚ୍ଚତା ପ୍ରାୟ ଚାରି ଫୁଟ । ସର୍ବତ୍ର ବରାହୀଙ୍କ ସହ ସପ୍ତମାତୃକା ପୂଜା ପାଉଥିବା ବେଳେ ଏଠାରେ ବରାହୀ ଏକାକିନୀ ପୂଜା ପାଆନ୍ତି ।
ମା’ ବରାହୀଙ୍କର ରଙ୍ଗକଳା । ବିଶେଷ କିଛି ବେଶଭୂଷା ଓ ଅଳଙ୍କାର ନ ଥାଇ କେବଳ କାନରେ ମୋଟାମୁଦି, ବେକରେ ଲମ୍ବାହାର ଉନ୍ମୁକ୍ତ ସ୍ତନ ଯାଏଁ ଲମ୍ବିଛି । ଦେବୀଙ୍କର କପାଳରେ ତୃତୀୟ ନୟନ ମଧ୍ୟ ରହିଛି । ଏହି ମୂର୍ତ୍ତିର ନାଭିରେ ଗଭୀର ଗର୍ତ୍ତ ରହିଛି, ଯେଉଁଠାରେ ହୀରା ଖଚିତ ଥିଲା ବୋଲି ଅନୁମାନ କରାଯାଏ । କୌଣସି ଦସ୍ୟୁ ଆକ୍ରମଣ ସମୟରେ କିଛି ଅଳଙ୍କାର ନ ପାଇ ଏହି ହୀରାକୁ ତାଡିନେଇଥିବା ଐତିହାସିକଙ୍କର ମତ ।
ବରାହୀ ମନ୍ଦିରର ଅନତିଦୂରରେ ପ୍ରଶାନ୍ତ ମୁଖମଣ୍ଡଳ, ହାତରେ ଶଂଖ, ଚକ୍ର, ଗଦା ଓ ପଦ୍ମଧାରୀ ଲଳିତମାଧବଙ୍କ ଅପୂର୍ବ କାରୁକାର୍ଯ୍ୟଭରା ମୂର୍ତ୍ତି ଉପେକ୍ଷିତ ଅବସ୍ଥାରେ ପଡ଼ିରହିଛି । ହୀରାଖଚିତ ବସ୍ତ୍ର ଓ ରତ୍ନର ସ୍ବଳ୍ପ ଅଳଙ୍କାର ପରିହିତ ମାଧବଙ୍କ ପାର୍ଶ୍ୱରେ ଅଛନ୍ତି ଶ୍ରୀଦେବୀ ଓ ଭୂଦେବୀ । ଜୀବନ୍ତ ମୂର୍ତ୍ତିଟିରେ ସ୍ମିତ ହାସ୍ୟ ଓ ଅର୍ଦ୍ଧନିମିଳିତ ନୟନ ଦେଖିବାକୁ ମିଳେ । ତାଙ୍କର ଶାରୀରିକ ସ୍ୱର୍ଗୀୟ ସୌନ୍ଦର୍ଯ୍ୟକୁ ଜୀବନ୍ତ କରିତୋଳିବା ପାଇଁ ଶିଳ୍ପୀ ସତତ ଚେଷ୍ଟିତ । ଉତ୍କଳୀୟ ସ୍ଥାପତ୍ୟର କମନୀୟ ନିଦର୍ଶନ ଏଇ ବରାହୀ ଦେଉଳ ଏବଂ ଲଳିତମାଧବ ମୂର୍ତ୍ତି କିନ୍ତୁ ଉପଯୁକ୍ତ ତତ୍ତ୍ୱାବଧାନ ଓ ଗବେଷଣାର ଅପେକ୍ଷା କରି ରହିଛି ।
Images Sourced: GOOGLE