ଫୁଟାଡଙ୍ଗାର ନାଉରୀ

ଲେଖା: ଓଁ ଅଭିଜ୍ଞାନ ସାହୁ

ଫୁଟାଡଙ୍ଗାର ନାଉରୀ !

ଫତୁରାନନ୍ଦଙ୍କ ଭଳି ଏକ ବିରାଟ କ୍ୟାନଭାସ୍ କୁ ଅଳ୍ପରେ ଆଙ୍କିବାକୁ ଚେଷ୍ଟା କରିବା ହୁଏତ ମୋ ପକ୍ଷରେ ଧୃଷ୍ଟତା ହୋଇପାରେ । ଚେଷ୍ଟା କରୁଛି ଅଳ୍ପରେ ତାଙ୍କ ପ୍ରତି ଥିବା ମୋର ପ୍ରଗାଢ ଭକ୍ତି ଓ ଭଲ ପାଇବାକୁ ଚିତ୍ରଣ କରିବା ପାଇଁ । ଆଧୁନିକ ଓଡ଼ିଆ ସାହିତ୍ୟରେ ହାସ୍ୟସ୍ରଷ୍ଟା ଫତୁରାନନ୍ଦଙ୍କ ଅବଦାନ ଅବିସ୍ମରଣୀୟ । ଫତୁରାନନ୍ଦଙ୍କ ସାରସ୍ୱତ ସାଧନାର ଉଦ୍ଦେଶ୍ୟ କେବଳ ହାସ୍ୟକୌତୁକ ସୃଷ୍ଟି କରିବା ନଥିଲା ବରଂ ସଂସ୍କାର ମନୋବୃତ୍ତି ତଥା ସାମାଜିକ ସଂହତି ସ୍ଥାପନ ଲାଗି ଅଭିପ୍ରେତ ଥିଲା । ଯଦିଓ ସେ ଉପନ୍ୟାସ, କବିତା, ଗଳ୍ପ, ଅନୁବାଦ ଓ ନାଟକ ଲେଖିଛନ୍ତି କିନ୍ତୁ ସେ ସର୍ବଶ୍ରେଷ୍ଠ ଉପଲବ୍ଧି ପାଇଛନ୍ତି ହାସ୍ୟରଚନାରେ । ଅନେକ ହୁଏତ ଜାଣିଥିବେ ସେ କିଛି କାର୍ଟୁନ ବା ବ୍ୟଙ୍ଗଚିତ୍ର ମଧ୍ୟ ଅଙ୍କନ କରିଛନ୍ତି । ସେ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି- “କାର୍ଟୁନ ନାଁ ଶୁଣିନଥିଲେ ବି ମୁଁ ସେଇ ପିଲାଦିନରୁ ଖୁବ କାର୍ଟୁନ ଚିତ୍ର କାନ୍ଥରେ ଆଙ୍କୁଥିଲି । ବେଳେ ବେଳେ ଧରା ପଡି ଗାଳି ମଧ୍ୟ ଖାଇଛି । କାଗଜ ପେନସିଲ ମୋର ଦରକାର ନଥିଲା । କାନ୍ଥ ଥିଲା ମୋର କାଗଜ ଓ ଅଙ୍ଗାର ଥିଲା ମୋର ପେନସିଲ ।”

ଫତୁରାନନ୍ଦଙ୍କ ଜନ୍ମହୁଏ ୧୯୧୫ ମସିହା ଜୁନ ୧ ତାରିଖରେ କଟକ ସହରର ଝାଞ୍ଜିରମଙ୍ଗଳା ଠାରେ । ଶୁଭନାମ ଥିଲା ରାମଚନ୍ଦ୍ର ମିଶ୍ର । ଅବଶ୍ୟ ତାଙ୍କ ଛଦ୍ମନାମ ତାଙ୍କ ପାଇଁ ଶୁଭ ସାବ୍ୟସ୍ତ ହେଲା ଓ କାଳକ୍ରମେ ତାଙ୍କ ଏକମାତ୍ର ପରିଚୟ ହେଇ ରହିଗଲା । ନିଜର ଛଦ୍ମନାମ ଫତୁରାନନ୍ଦ କିପରି ହେଲା ସେ ବିଷୟରେ ସେ କହନ୍ତି – “ମେଡ଼ିକାଲ ସ୍କୁଲରେ ପଢିବା ବେଳେ ସନ୍ଧ୍ୟାରେ କଟକ ଷ୍ଟେସନ ପାଖରେ ଥିବା ଏକ ଇଭିନିଂ କ୍ଳବକୁ ମୁଁ ଅନ୍ୟସାଥୀ ମାନଙ୍କ ସହ ଯାଉଥିଲି । ଦିନେ ମୋର ଅନ୍ୟବନ୍ଧୁ ମାନେ ଆଗରୁ ଚାଲିଯାଇଥିଲେ । ମୁଁ ପଛରେ ଯାଇ ପହଞ୍ଚିଲି । ସେ କ୍ଳବରେ ସେଦିନ ଜଣେ ବଙ୍ଗୀୟ ଭଦ୍ରବ୍ୟକ୍ତି ମୁଖାର୍ଜୀ ବାବୁ ପ୍ରତ୍ୟକଙ୍କୁ ଗୋଟିଏ ଗୋଟିଏ ମହାପୁରୁଷଙ୍କ ନାମରେ ନାମିତ କରୁଥାନ୍ତି । ଯଥା ବିଶୁଦ୍ଧାନନ୍ଦ, ବିବେକାନନ୍ଦ, ପ୍ରଣବାନନ୍ଦ, ଯୋଗାନନ୍ଦ ଇତ୍ୟାଦି ଇତ୍ୟାଦି । ମୁଁ ପହଁଚିଲା ବେଳକୁ ତାଙ୍କର ସବୁ ‘ନନ୍ଦ’ ସରିଯାଇଥିଲା । ତେଣୁ ମୋତେ ଦେଖି କହିଲେ, ତୁମେ ହେଲ ‘ଫତୁରାନନ୍ଦ’ । xxxx  ଆଜି ପର୍ଯ୍ୟନ୍ତ ସେହି ଫତୁରାନନ୍ଦ ନାମଟି ଜକଟି ମକଟି ଧରିଛି, ଏପରିକି ମୋର ପଟ୍ଟା ପାଉତ୍ତି, ଭୁ ସମ୍ପତ୍ତି କାଗଜପତ୍ରରେ ଫତୁରାନନ୍ଦ ନାମ ରହିଛି ।’

ଫତୁର ଅର୍ଥ ନିର୍ଦ୍ଧନ ବା ସର୍ଵସ୍ୱାନ୍ତ । ନିର୍ଦ୍ଧନ ହୋଇ ଯିଏ ଆନନ୍ଦ ଉପଲବ୍ଧି କରେ ସିଏ ଫତୁରାନନ୍ଦ । ଏକଦା ପ୍ରାଚୁର୍ଯ୍ୟ ଭିତରେ ଜୀବନ ବିତେଇଥିବା ଫତୁରାନନ୍ଦଙ୍କ ଶେଷ ଜୀବନ ଥିଲା ଅତ୍ୟନ୍ତ ନୈରାଶ୍ୟମୟ । କିନ୍ତୁ ସେ ଦୁଃଖ ଭିତରେ ରହି ନିଜ ସାହିତ୍ୟ ମାଧ୍ୟମରେ ଯେଉଁ ସୁଖ ପ୍ରଦାନ କରିଯାଇଛନ୍ତି ତାହା ଚିର ସ୍ମରଣୀୟ । ବ୍ୟାଧିଗ୍ରସ୍ତ ଅବସ୍ଥାରେ ଏକାନ୍ତ ଓ ଅସହାୟ ହୋଇସାରିଥିବା ବେଳେ ତାଙ୍କ ବେଦନାଗ୍ରସ୍ଥ ବ୍ୟକ୍ତିତ୍ୱର ଜ୍ୱଳନ୍ତ ଫୁଲଝରିରୁ ଝରିପଡିଛି ହସର ସ୍ପୁଲିଙ୍ଗ। କଷ୍ଟକୁ ଭୁଲେଇବା ପାଇଁ ସେ ବ୍ୟଙ୍ଗର ସାହାଯ୍ୟ ନେଇନାହାନ୍ତି ବରଂ ହଂସ ପାଣିରୁ କ୍ଷୀର ଅଲଗା କରିଦେଲା ଭଳି ଶାରୀରିକ ଯନ୍ତ୍ରଣା ଭିତରୁ ବ୍ୟଙ୍ଗକୁ ଅଲଗା କରିଦେଇଛନ୍ତି । ଜୀବନ ଓ ମଣିଷକୁ ଅତିଶୟ ଭଲ ପାଉଥିବା ବ୍ୟକ୍ତିହିଁ ଏହା କରିପାରେ । ହୁଏତ ଏହାକୁ ସଂଯୋଗ ବା ଦୁର୍ଯ୍ୟୋଗ କହି ପାରନ୍ତି । ଫତୁରାନନ୍ଦଙ୍କ ‘ଗୁରୁ’ ଏବଂ ସମାନଭାବେ ବ୍ୟାଧିଗ୍ରସ୍ତ  ଅଗ୍ରଜ ଲକ୍ଷ୍ମୀକାନ୍ତ ମହାପାତ୍ର ମଧ୍ୟ ବ୍ୟାଧିଗ୍ରସ୍ତ ସମୟରେ ହିଁ ଅପୂର୍ବ ହାସ୍ୟ ରଚନା ସୃଷ୍ଟି କରିଯାଇଛନ୍ତି । ଅଚିନ୍ତନୀୟ, ସକାରାତ୍ମକ ଭାବନା ହିଁ ଏଭଳି ସ୍ଥିତପ୍ରଜ୍ଞଙ୍କୁ ଗଢିପାରେ । ନିଲଠା ସାଜି ପ୍ରଥମେ ନିଜେ ନିଜକୁ ବିଦ୍ରୁପ ନକଲେ ଅନ୍ୟକୁ ବିଦ୍ରୁପ କରି ହେବ ନାହିଁ । କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଭାଷାରେ କହିଲେ, ଉଭୟ ଗୁରୁ ଶିଷ୍ୟ ସତେକି ବୁଝିଯାଇଥିଲେ ବ୍ୟଙ୍ଗ ସାହିତ୍ୟ ସୃଷ୍ଟି କରିବାପାଇଁ ଉଭୟ ତପସ୍ୱୀଙ୍କୁ (ବି+ଅଙ୍ଗ) ଓ (ବିଦ୍+ରୂପ) ହେବାକୁ ପଡିବ ।

ଫତୁରାନନ୍ଦ ତାଙ୍କ ନିଜସ୍ୱ ଏକ ବିରାଟ ପାଠକ ଗୋଷ୍ଠୀ ସୃଷ୍ଟି କରିଛନ୍ତି । ତାଙ୍କ ବହି ସବୁ ଏପରି ଥିଲା ଯେ ପିଲାଙ୍କ ଠାରୁ ବୁଢା ସମସ୍ତେ ଉପଭୋଗ କରୁଥିଲେ । ଅତ୍ୟନ୍ତ ଶାଳୀନ ଅଥଚ ଶାଣିତ କଟାକ୍ଷ ଥିଲା ତାଙ୍କ ବିଶେଷତ୍ୱ । ଫତୁରାନନ୍ଦଙ୍କ ଶୈଳୀ ସମ୍ପୂର୍ଣ୍ଣ ନିଜସ୍ୱ । ଓଡ଼ିଆ ସାହିତ୍ୟରେ ଏହା ‘ଫତୁରାନନ୍ଦୀ ଶୈଳୀ’  ଭାବେ ପରିଚିତ । ଭାଷା ଥିଲା ଯାହା ପରିବାରର ସମସ୍ତେ ପଢିପାରିବେ ଓ ବୁଝିପାରିବେ । ଏକ ବିଚିତ୍ର କଥା ତାଙ୍କ ସୃଷ୍ଟିରେ ଦେଖିବାକୁ ମିଳେ । କୌଣସି ନାରୀ ଚରିତ୍ର ବିନା ଅସଂଖ୍ୟ ବ୍ୟଙ୍ଗ ରଚନା ଯେ ସମ୍ଭବ ତାହା ଫତୁରାନନ୍ଦଙ୍କ ଭଳି ଜଣେ ଯୁଗପୁରୁଷ  ହିଁ ସମ୍ଭବ କରିଥିଲେ । ତାଙ୍କ ଆତ୍ମଜୀବନୀ ମୋ ଫୁଟା ଡଙ୍ଗାର କାହାଣୀରେ ସେ ଲେଖିଛନ୍ତି- ଦିନେ ସେ ‘ଡ଼ଗର‘ ସମ୍ପାଦକ ନିତ୍ୟାନନ୍ଦ ବାବୁଙ୍କୁ  କହିଲେ – ଛାତ୍ରଛାତ୍ରୀଙ୍କର ବିଭ୍ରାଟିଆ ଅଭିସାର ଛାଡି ଦେଲେ କଣ ହାସ୍ୟରସର ସଂଚାର ହୁଏ ନାହିଁ ? ତାହା କଣ ହାସ୍ୟ ରସାତ୍ମକ ଗଳ୍ପ ପଦବାଚ୍ୟ ହେବନାହିଁ ? ନିତ୍ୟାନନ୍ଦ ଓ ସେଠାରେ ଉପସ୍ଥିତ ଥିବା ଅନ୍ୟଜଣେ ଲେଖକ, ହାସ୍ୟରସ ସୃଷ୍ଟିକରିବାକୁ ହେଲେ ଛାତ୍ରଛାତ୍ରୀ ଙ୍କ ବିଭ୍ରାଟିଆ ପ୍ରେମାଭିସାର ହିଁ ଶ୍ରେଷ୍ଠ ଉପାଦାନ ବୋଲି କହିବାରୁ ସେଦିନ ଫତୁରାନନ୍ଦ ସ୍ଥିର କଲେ – “ଆଜିଠାରୁ ଶୃଙ୍ଗାର ରସକୁ ସମ୍ପୂର୍ଣ୍ଣ ଭାବେ ବର୍ଜନକରି ମୁଁ ହାସ୍ୟ ରସାତ୍ମକ ଗଳ୍ପସବୁ ଲେଖିବି ଏବଂ ସେହିଦିନଠାରୁ ତାହାହିଁ କଲି । ମୋର ଗଳ୍ପମାନଙ୍କରେ ନାରୀ ଚରିତ୍ର ବିଲକୁଲ୍ ରଖିଲି ନାହିଁ ।” କେହି କେହି ତାଙ୍କୁ ନାରୀ ବିଦ୍ୱେଷୀ କହିଲେ ସେ କହୁଥିଲେ “ନାରୀ ଜାତିକୁ, ମୋର ବୋଉ ଜାତି ବୋଲି ଭାବି ସେମାନଙ୍କୁ ସମ୍ମାନ ଦିଏ ।”

ଫତୁରାନନ୍ଦଙ୍କ ଅନେକ କୃତି ଭିତରୁ ‘ସାହି ମହାଭାରତ’ ଏକ କାଳଜୟୀ କୃତି । ଫତୁରାନନ୍ଦ ଥିଲେ ଜଣେ ଅରିଜିନାଲ ହାମବସ୍ତିବାଲା କଟକିଆ । ବେ’ଫିକର୍ ଜୀବନକୁ ଭରପୁର ଜିଉଁଥିବା ଫତୁରାନନ୍ଦଙ୍କ ପ୍ରାୟ ସମସ୍ତ ଲେଖାରେ ଥାଏ କଟକି ସଂସ୍କୃତିର ଗନ୍ଧ ଓ କଟକିର ଭାଷା ସ୍ୱାଦ । ସାହି ମହାଭାରତ ତାହାର ଏକ ଉଜ୍ଜ୍ବଳ ଉଦାହରଣ । କଟକ, ତାହାର ସାହି ବସ୍ତି, ସେଠାରେ ପ୍ରଚଳିତ ସାହି ଅଧିକାରୀ, ମହନ୍ତ, କଟୁଆଳ ଭଳି ବିଭିନ୍ନ ସାମାଜିକ ବ୍ୟବସ୍ଥା ଓ ସର୍ବୋପରି କଟକିବୋଲିକୁ ଜାଣିବାକୁ ଚାହୁଁଥିବା ଲୋକ ପାଇଁ ‘ସାହି ମହାଭାରତ’ ଯେ ଏକ ଅମୂଲ୍ୟ ଗ୍ରନ୍ଥ ଏଥିରେ ଦ୍ବିମତ ହେବାର ନାହିଁ । କଟକୀ ସାହି ବସ୍ତି ଭିତରେ ଘଟୁଥିବା କାଣ୍ଡ କାରଖାନା, କଟକୀ ଲୋକଜୀବନର ତିକ୍ତମଧୁର କଷାୟଦିଗ, ସେ ଯେଭଳି ପ୍ରତ୍ୟକ୍ଷ କରିଥିଲେ ଓ ଅଙ୍ଗେ ଲିଭେଇଥିଲେ ତାହା ବୋଧେ ଆଉ କୌଣସି ଲେଖକଙ୍କ ପକ୍ଷରେ ସମ୍ଭବ ହୋଇନାହିଁ ।

କଟକର ସାହି ବସ୍ତି ଓ ତାହାର ବୋଲ୍ ଚାଲ୍’କୁ ସେ ଅତି ନିଖୁଣ ଭାବେ କଲମରେ ଉତାରି ପାରିଛନ୍ତି, ଯାହା ତାଙ୍କ ଅନେକ ଗୁଡିଏ ସୃଷ୍ଟିରେ ଦେଖିବାକୁ ମିଳେ । ସେହି ସମୟରେ କଟକରେ କୁହାଯାଉଥିବା ଅନେକ କିଛି ଶବ୍ଦ ବ୍ୟବହାର ସେ କରିଛନ୍ତି ଯାହା ଏବେ ବିଲୁପ୍ତ ପ୍ରାୟ । ଏପରିକି ଏ ଲେଖକ ତାର ପିଲାଦିନେ ଶୁଣୁଥିବା ଥଟଲିବାଜ, ହେରସାଙ୍ଗିଆ, ଗମାତ, ଖିଲ୍ଲୀ ଖିଲିଆ, ମସ୍କରା, ମୁଚ୍କୁନ୍ଦୀଆ ଭଳି ଅନେକ ଶବ୍ଦ ଏବେ ଆଉ ବ୍ୟବହାର ହେଉନି । ତେଣୁ ଫତୁରାନନ୍ଦଙ୍କ ସୃଷ୍ଟି ସମୂହ ହିଁ ଏକମାତ୍ର ଲିପିବଦ୍ଧ ଦସ୍ତାବିଜ । ସାରଳା ଦାସଙ୍କ ମହାଭାରତ ଶୈଳୀରେ ଆଧୁନିକ କଟକ ସହରର ଘଟଣା ବର୍ଣ୍ଣନା କରିବା, ଆଧୁନିକ ସମାଜର ଅନେକ ଚଳଣି, ଅନୁଷ୍ଠାନ ଓ ଦ୍ରବ୍ୟକୁ ସାରଳୀୟ ପଦ୍ଧତିକୁ ପାଷ୍ ଟିସ୍ ଶୈଳୀରେ ଉପସ୍ଥାପନ କରିବା ପ୍ରଚଣ୍ଡ ଉପସ୍ଥିତ ବୁଦ୍ଧି ଓ ଗବେଷଣାର ଅପେକ୍ଷା ରଖେ ।

ସୁଖରେ ଦୁଃଖରେ ବା ଜୀବନର ଉଠାପକା ଖେଳ ଭିତରେ ଫତୁରାନନ୍ଦ ଅଟକି ଯାଇନାହାନ୍ତି । ସେ ପ୍ରାଚୁର୍ଯ୍ୟରେ ବଢ଼ିଛନ୍ତି ଓ ପରବର୍ତ୍ତୀ ସମୟରେ ଦାରିଦ୍ର୍ୟକୁ  ଖୁବ ନିକଟରୁ ସହିଛନ୍ତି । ନିଜର ଲେଖା ମାଧ୍ୟମରେ ପାଠକଙ୍କୁ ହସେଇଛନ୍ତି, ଦୁଃଖରେ ନିଜ ଭିତରେ ଗୁମୁରି ଗୁମୁରୀ କାନ୍ଦିଛନ୍ତି । କିନ୍ତୁ ଅଟକି ଯାଇନି ତାଙ୍କ ଲେଖନୀ । ଅନବରତ ଭାବେ ସେ ପାଠକଙ୍କୁ ଭେଟି ଦେଇଛନ୍ତି ଗୋଟାଏ ପରେ ଗୋଟାଏ ବ୍ଲକବଷ୍ଟର । ପ୍ରାୟ ୪୦ଟି ପ୍ରକାଶିତ ବହି ଓ ଅସଂଖ୍ୟ ଲେଖା ଯାହା ବିଭିନ୍ନ ପତ୍ର ପତ୍ରିକାରେ  ପ୍ରକାଶିତ ହୋଇଛି ।

ବେଫିକର ଭାବେ ସେ ସମାଜର ତଥାକଥିତ ବଡ଼ପଣ୍ଡାମାନଙ୍କୁ କଟାକ୍ଷ କରିଛନ୍ତି ଫତୁରାନନ୍ଦ । ଚୋଟ ପରେ ଚୋଟ ମାରି ସେ ସମାଜକୁ ସେମାନଙ୍କ ଅସଲ ରୂପ ଦେଖେଇଦେଇଛନ୍ତି । ହୁଏତ ସେଇଥିପାଇଁ ସେ ଅନେକ ସମୟରେ ସେମାନଙ୍କ ରୋଷ ର ଶିକାର ହୋଇଛନ୍ତି । ଏହା ତାଙ୍କୁ ବ୍ୟଥିତ କରିଥିଲେ ବି ସେ ଭାଙ୍ଗି ପଡିନାହାନ୍ତି ।ଆମ ସାହିତ୍ୟର ମୁକ୍ତିମଣ୍ଡପରେ ବସିଥିବା ସାହିତ୍ୟିକ ଶାସନୀମାନେ ବ୍ୟଙ୍ଗସାହିତ୍ୟକୁ ସାହିତ୍ୟ ଭିତରେ ଗଣନା କରନ୍ତି ନାହିଁ । ଫତୁରାନନ୍ଦଙ୍କ ଭଳି ବ୍ୟଙ୍ଗସମ୍ରାଟ ଏଭଳି ଉନ୍ନାସିକ ଭାବର ଶିକାର ହୋଇଥିଲେ । ଅତ୍ୟନ୍ତ କ୍ଷୋଭର ସହିତ ସେ ତାଙ୍କ ଆତ୍ମକଥା ‘ମୋ ଫୁଟାଡଙ୍ଗାର କାହାଣୀ’ ରେ ଲେଖିଛନ୍ତି- “ନିଜେ ମୁଁ ଖୁବ ସାହିତ୍ୟ ଚଷିଲି । ସାଧାରଣ ପାଠକ ମୋତେ ଖୁବ ଉତ୍ସାହ ଦେଲେ, କିନ୍ତୁ ସାହିତ୍ୟର ମଉଡ଼ମଣି ଅଧ୍ୟାପକମାନେ ମୋ ସାହିତ୍ୟ ଦେଖି ନାକ ଟେକିଲେ । ଦୁର୍ ଦୁର୍ କଲେ । କିଏ କହିଲା ମୋ ସାହିତ୍ୟ ଅଶ୍ଳୀଳ, କିଏ କହିଲେ ଏହା ସାହିତ୍ୟ ପଦବାଚ୍ୟ ନୁହେଁ । ଏହାକୁ ସାହିତ୍ୟ ବୋଲି କହିଲେ ସାହିତ୍ୟର ଅବମାନନା ହେବ । ଜଣେ ଅଧ୍ୟାପକ ଗୋଟିଏ ଲୋକପ୍ରିୟ ବହି ଦେଖି କୁନ୍ଥେଇ କୁନ୍ଥେଇ କହିଲେ- ହଁ ଲେଖକ ବହୁତ ପରିଶ୍ରମ କରିଛନ୍ତି । ଏକ ପ୍ରକାର ହେଇଯାଇଛି । ଆଉ ଜଣେ ଅଧ୍ୟାପକ ମୋତେ ଜଣେ ଲେଖକ ବୋଲି ସ୍ୱୀକାର କରିବାକୁ ମଧ୍ୟ ନାରାଜ ହୋଇଗଲେ । ଲେଖକ ତାଲିକାରେ ମୋ ନାଆଁ ରଖିବାକୁ ଘୃଣାବୋଧ କଲେ ।”

ଜୀବନବ୍ୟାପି ନିଜ ସୃଷ୍ଟି ମାଧ୍ୟମରେ ଜଗତକୁ ହସାଇଯାଇଥିବା ଫତୁରାନନ୍ଦଙ୍କ ଆତ୍ମକଥା ପଢିଲେ କିନ୍ତୁ ଛାତିରେ କୋହ ଆସିଯାଏ । କାନ୍ତକବିଙ୍କ ‘ଜୀବନ ସଙ୍ଗୀତ’ ପରି ‘ମୋ ଫୁଟାଡଙ୍ଗାର କାହାଣୀ’ରେ ଫୁଟାଡଙ୍ଗାର ନାଉରୀ ଫତୁରାନନ୍ଦଙ୍କ ଜୀବନ ସଂଗ୍ରାମର କଥାଗୁଡିକ ଖୁବ ବ୍ୟଥାତୁର । ବ୍ୟଥା ଓ ବେଦନାର ଜୀବନଦର୍ଶନ ମଧ୍ୟ ଖୁବ ମର୍ମସ୍ପର୍ଶୀ । ସେ ତାଙ୍କ ଆତ୍ମଜୀବନୀରେ ଅନେକ ସ୍ଥାନରେ ଲେଖିଛନ୍ତି ଉଚ୍ଚାଙ୍ଗ ସହିତ୍ୟକାରମାନଙ୍କ ଲାଞ୍ଛନା, ନାକଟେକା ଓ ସାହିତ୍ୟ ଗୋଷ୍ଠୀ ମାନଙ୍କରେ ହେଉଥିବା ଅଣଦେଖା ତାଙ୍କୁ କିପରି ବ୍ୟଥିତ କରିଛି । ଏହା ବିଡ଼ମ୍ବନା ଯେ ଅଗଣିତ ପାଠକଙ୍କ ହୃଦୟରେ ବସିଥିବା ଜଣେ ସ୍ରଷ୍ଟା କାହିଁକି ସାହିତ୍ୟର ତଥାକଥିତ ବଡ଼ପଣ୍ଡାମାନଙ୍କ ଟେଷ୍ଟିମୋନିଆଲ ଅପେକ୍ଷା ରଖୁଥିଲେ ଭାବିଲେ ଅନେକ ସମୟରେ ଆଶ୍ଚର୍ୟ୍ଯ ଲାଗେ । ତାଙ୍କ ସମସାମୟିକ ଅନେକ ଉଚ୍ଚାଙ୍ଗ ଲେଖକଙ୍କ ଠାରୁ ଯେ ତାଙ୍କୁ ଅଧିକ ପାଠକ ପଢୁଥିଲେ ବା ପସନ୍ଦ କରୁଥିଲେ ତାହାହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର ବୋଲି ସେ ଧରିନେବା ଉଚିତ ଥିଲା ।

ଜଣେ ଖ୍ୟାତନାମା ଲେଖକ ଫତୁରାନନ୍ଦଙ୍କ ଏକ ସାକ୍ଷାତକାର ନେଇଥିଲେ । ସେଥିରେ ସେ ଅନେକ ଅକୁହା ତଥା ଅପ୍ରକାଶିତ କଥା ତାଙ୍କୁ କହିଥିଲେ । ସେ ଲେଖକ ମହୋଦୟଙ୍କ ସହ ମୋର ଏକ ଆଲୋଚନା ସମୟରେ ମୋତେ ସେ ଫତୁରାନନ୍ଦଙ୍କ ସହ ତାଙ୍କର ସାକ୍ଷାତକାରରୁ ଏକ ଖୁବ କରୁଣ ମର୍ମସ୍ପର୍ଶୀ କଥାଟିଏ ବର୍ଣ୍ଣନା କରିଥିଲେ । ତାହା ଏହିପରି ଥିଲା – ସେ ଲେଖକ ଫତୁରାନନ୍ଦଙ୍କ ସହିତ ଏକ ସାକ୍ଷାତ ଆଲୋଚନା ପାଇଁ ତାଙ୍କ ସହ ସମୟ ସ୍ଥିର କରି ଫତୁରାନନ୍ଦ ରହୁଥିବା ଡ଼ଗର ପ୍ରେସରେ ପହଞ୍ଚିଲେ । ଆଲୋଚନା ଆରମ୍ଭ ହେବା ପୂର୍ବରୁ ଉକ୍ତ ଲେଖକ ସାଥିରେ ନେଇଥିବା କିଛି ମିଠା ଫତୁରାନନ୍ଦଙ୍କୁ ଖାଇବାକୁ ଅନୁରୋଧ କଲେ । ମିଠା ଖିଅପର୍ବ ସରନ୍ତେ ପ୍ରଶ୍ନୋତ୍ତର ଆରମ୍ଭ ହେଲା । ଫତୁରାନନ୍ଦ ତାଙ୍କ ପ୍ରତି ପ୍ରଶ୍ନର ଉତ୍ତର ନିଜର ହେରସଙ୍ଗୀ ଢଙ୍ଗରେ ଦେଉଥାନ୍ତି । ଫେରିବା ପୂର୍ବରୁ ଲେଖକ ସୌଜନ୍ୟତା ଦୃଷ୍ଟିରୁ ଫତୁରାନନ୍ଦଙ୍କୁ ପଚାରିଦେଲେ -“ଆପଣଙ୍କ ମାଆ କେମିତି ଅଛନ୍ତି ।” ପ୍ରକାଶ ଥାଉକି ଅବିବାହିତ ଫତୁରାନନ୍ଦଙ୍କ ସହ ତାଙ୍କ ମାଆ ବୁଢ଼ୀଟି ଥିଲେ । ଏ ପର୍ଯ୍ୟନ୍ତ ବେଶ ଥଟ୍ଟାଳିଆ ଢଙ୍ଗରେ ସବୁ ପ୍ରଶ୍ନର ଉତ୍ତର ଦେଉଥିବା ଫତୁରାନନ୍ଦ ଉଦାସ ହୋଇଗଲେ । ହଟାତ୍ ବାଦଲ ଫାଟିଲା ପରି ଭୋ ଭୋ କରି କାନ୍ଦି ଉଠିଲେ । ଉକ୍ତ ଲେଖକ ଅପ୍ରସ୍ତୁତ ଓ କିଂକର୍ତବ୍ୟ ବିମୁଢ ହୋଇ ଅନେଇ ରହିଲେ । ଆଶଙ୍କା କଲେ ତାଙ୍କ ମାଆ ବୋଧେ ଆଉ ଜୀବିତ ନାହାଁନ୍ତି । କିଛି ସମୟ ପରେ ଫତୁରାନନ୍ଦ ନିଜର କୋହ ସମ୍ଭାଳି କହିଲେ-“ବୋଉକୁ ଜର ହେଇଛି ।” ତାଙ୍କ କଥା ଶୁଣି ଲେଖକ ଟିକେ ଆଶ୍ୱସ୍ଥ ଅନୁଭବ କଲେ । ସମବେଦନା ଜଣାଇବାକୁ କହିଲେ, ହଁ ଜର ତ ହେଇଛି ଶୀଘ୍ର ଭଲ ହେଇଯିବନି ? ଫତୁରାନନ୍ଦ ଟିକେ ରହିଯାଇ କହିଲେ ତା ଛଡା ଏ ଦୁନିଆରେ ମୋର କିଏ ଅଛି ? କିଏ ଏ ବଡ଼ରୋଗିକୁ କୁଂଢ଼େଇ ଧରିବ ? ମୋର କିଛି ହେଲେ କିଏ ଘଷି ଆଉଁସି ଦେବ । କାହା କାନ୍ଧରେ ମୁଣ୍ଡ ରଖି ମୁଁ କାନ୍ଦି ପାରିବି ? କିଛି ସମୟ ପୂର୍ବରୁ ହସ ମଜାରେ ଉଛୁଳି ପଡୁଥିବା ଘରଟି ଯେମିତି ଏକ ଅଜଣା ବେଦନାରେ ନିସ୍ତବ୍ଧ ହୋଇଗଲା । କିଛି ସମୟ ପରେ ଲେଖକ ଫେରିବାକୁ ଉଠିଲେ । ତାଙ୍କୁ ଉଠିବା ଦେଖି ଫତୁରାନନ୍ଦ ଲୁହ ପୋଛି କହିଲେ “ମୋ ଜୀବନଟା ଠିକ ଆଜିର ଏଇ ସାକ୍ଷାତକାର ପରି : It started with sweets and ended with tears.

ହେ ଫୁଟାଡଙ୍ଗାର ନାଉରୀ ! ତୁମକୁ ଗଭୀର ଶ୍ରଦ୍ଧାଞ୍ଜଳି ।

12 thoughts on “ଫୁଟାଡଙ୍ଗାର ନାଉରୀ”

  1. Swagatika Mallik

    ଖୁବ୍ ସୁନ୍ଦର ସ୍ମୃତି ଚାରଣ, ସ୍ଵର୍ଗତଃ ଫତୁରାନନ୍ଦ ଓଡ଼ିଆ ବ୍ୟଙ୍ଗ ସାହିତ୍ୟ ର ଅଜେୟ ସମ୍ରାଟ | ଜନ୍ମ ବାର୍ଷିକୀ ରେ ମହାନ୍ ଆତ୍ମା ଙ୍କୁ ସାଦର ପ୍ରଣାମ ଓ ଶ୍ରଦ୍ଧାଞ୍ଜଳୀ |

  2. Dr.Surendranath Pati

    I have thoroughly read Mo phutadangara kahani.Fatura Nandajee was a comedy writer par excellence. None in our country can compete with him.Nothing more
    .

  3. ସମୀର ରଞ୍ଜନ

    ଅତି ସୁନ୍ଦର ଉପସ୍ଥାପନା। ଆନ୍ତରିକ ଶୁଭେଚ୍ଛା ନେବେ। ଏ ଜାତି ଏଡେ କୃତଘ୍ନ ଯେ ଜଣେ ଅପ୍ରତିଦ୍ବନ୍ଦୀ ବ୍ୟଂଗକାରଙ୍କ ପ୍ରତି ତାର କର୍ତ୍ତବ୍ୟ ଭୁଲି ଯାଇଛି। ହସ ବାଣ୍ଟୁ ଥିବା ମଣିଷର ଯେ ବ୍ୟଥା ଥାଏ ସେ କଥା କେତେ ଲୋକ ବୁଝନ୍ତି ?ନବେ ଦଶକରେ ଏକ ଫିଚର କରିବାକୁ ତାଙ୍କ ସହ ଭେଟିବାର ସୁଯୋଗ ମିଳିଥିଲା। କୋଟି କୋଟି ପ୍ରଣାମ ସେଇ ହସର ମଣିଷଙ୍କ।

  4. Satyanarayan Gantayat

    ଭାଇ ପିନୁ ,କୋହଲୁହ ଏକାକାର ମୋର ! କି ଅଦ୍ଭୁତ ସଂଯୋଗ ଦୃଖ,ଅନୁରୂପ ଶୀର୍ଷକରେ ମୋ ଭାଇ ବାପି ବି ଲେଖିଥିଲା ଏକ ସ୍ମୃତିଲେଖା ଫତୁରାନନ୍ଦଙ୍କ ମହାପ୍ରୟାଣ ପରେ ! ତା ପରେ ତାର ପ୍ରଥମ ବହି ଭିତିରି କଥା କୁ ଉତ୍ସର୍ଗ କରିଥିଲା ଫତୁରାନନ୍ଦଙ୍କୁ !! ମୋ ଫୁଟା ଡଙ୍ଗାର କାହାଣୀ ଅସଂଖ୍ୟ ପାଠକଙ୍କ ସହ ପ୍ରିୟ ଆମର ବି ! ଓଡ଼ିଆ ସାହିତ୍ୟର ଅତ୍ୟନ୍ତ ବିରଳ ପ୍ରଜାତିର ଆତ୍ମଜୀବନୀ !! ସାହି ମହାଭାରତ ବି ବିରଳ ପ୍ୟାରୋଡି !! ଆଉ ନାକଟା ଚିତ୍ରକରର ସର୍ଜକ ଭାବେ ସଦା ଆୟୁଷ୍ମାନ ଫତୁରାନନ୍ଦଙ୍କ ସାହିତ୍ୟିକ ବ୍ୟକ୍ତିତ୍ୱ !! ଡଗର ସେ ଯେଭଳି ସଂପାଦନା କରି ବହୁ ସ୍ରଷ୍ଟା ସୃଷ୍ଟି କରି ଯାଇଛନ୍ତି ତା’ ଅତୁଳନୀୟ, ଅନନ୍ୟ !! ସେ ସେପୁରରେ ଥାଇ ତୁମ ଭିତରର ଡଗରୀୟ ନାଗବଚ୍ଚାଟିକୁ ସୂକ୍ଷ୍ମାତିସୂକ୍ଷ୍ମ ପୋଷଣରେ ଆହୁରି ଉଦ୍ଭାସିତ କରନ୍ତୁ !! ମୋର ଅଜସ୍ର ଶୁଭେଚ୍ଛା ନିଅ,ଭାଇ ମୋର !! ତୁମର ଏକାନ୍ତ : ସତ୍ୟନାରାୟଣ ଗନ୍ତାୟତ,ରାୟଗଡା

  5. ଫତୁରାନନ୍ଦଙ୍କ ସବୁ ବହି ମୁଁ ପଢିଛି ଆଉ ଖୁବ୍ ଭଲ ପାଇଛି ବି। ସାହିତ୍ୟରେ ବ୍ୟଙ୍ଗକୁ ଅଧିକାଂଶ ଖୁବ୍ ହାଲୁକା ଭାବେ ନିଅନ୍ତି। କିନ୍ତୁ ମୋତେ ଲାଗେ, ସବୁଠାରୁ କଷ୍ଟ ବ୍ୟଙ୍ଗ ରଚନା କରିବା। ଆଉ, ସାଧାରଣତଃ ନାରୀକୁ ନେଇ ବ୍ୟଙ୍ଗକାର ସହଜରେ ବ୍ୟଙ୍ଗ କରି ପାରନ୍ତି। କିନ୍ତୁ ନିର୍ନାରୀ ବ୍ୟଙ୍ଗ ରଚନା କରିବାରେ ତାଙ୍କ ଭଳି ଦ୍ଵିତୀୟ ଆଉ କେହି ନାହାନ୍ତି। ପୁଣି, କଟକିଆ ଶଵ୍ଦ ବ୍ୟବହାରରେ ବି ସେ ଧୁରନ୍ଧର। ମୋର ସରବକାଳୀନ ପ୍ରିୟ ସ୍ରଷ୍ଟା , ଯେ କେବଳ ବ୍ୟଙ୍ଗ ଓ ହାସ୍ୟରସର ସମ୍ରାଟ ହିଁ ନୁହନ୍ତି, ତାଙ୍କ ସର୍କଜନାରେ କରୁଣ ରସର ବି ପ୍ଲାବନ ଖୁବ୍ ହୃଦୟସ୍ପର୍ଶୀ। ମୋ ଫୁଟା ଡଙ୍ଗାର କାହାଣୀ ମୋତେ ସବୁଠାରୁ ବେଶୀ ଭଲ ଲାଗିଛି। ପ୍ରଣାମ ସେଇ ଫୁଟାଡଙ୍ଗାର ନାଉରିଆଙ୍କୁ। ଏ ଆଲେଖ୍ୟ ପଢି ମୋର ଅନେକ ସ୍ମୃତି ଜାଗି ଉଠିଲା। ଧନ୍ୟବାଦ ପିନୁ।

Leave a Comment

Your email address will not be published. Required fields are marked *

Scroll to Top