ଲେଖା: ନିରଞ୍ଜନ ସାହୁ
ପାଠପଢା ମାତ୍ର ପଞ୍ଚମ ଶ୍ରେଣୀ । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପାଇଛନ୍ତି ‘ରାଷ୍ଟ୍ରବୀର’ ସମ୍ମାନ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦେଇଛନ୍ତି ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି, ମାନ୍ୟବର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଇଛନ୍ତି ତାମ୍ରଫଳକ ସହ ପ୍ରଶସ୍ତି ପତ୍ର, ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ପରିଷଦ, କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ବହୁ ସାଂସ୍କୃତିକ ଅନୁଷ୍ଠାନ ତାଙ୍କୁ ବହୁବାର ସମ୍ମାନିତ କରିଛନ୍ତି । ଏସବୁର ଉର୍ଦ୍ଧ୍ବରେ ସେ ବିଦିତ ହୋଇଛନ୍ତି ଓଡ଼ିଶାର ପୁରପଲ୍ଲୀରେ ମଦର ଟେରେସା ଭାବରେ ଏବଂ ବିଶେଷ କରି ଅନାଥ, ଅସହାୟ, ନିର୍ଯ୍ୟାତିତ ମଣିଷ ମାନଙ୍କର ଆଦରଣୀୟା ପ୍ରଭାନାନୀ ଭାବେ ପରିଚିତ ।
ପଶ୍ଚିମ ଓଡ଼ିଶାର ପ୍ରଭାନାନୀ ହିଁ ଆମ ଓଡ଼ିଶାର ପୂଜ୍ୟା ମା’ ପ୍ରଭାବତୀ ଦେବୀ । ବରଗଡ଼ ଜିଲ୍ଲାର ଦାଶପଡ଼ା ଗାଁ । ୧୯୦୯ ମସିହାରେ ଏକ ବ୍ରାହ୍ମଣ ପରିବାରରେ ଧନପତି ଦାଶ ଓ ମାଣିକ୍ୟ ଦେବୀଙ୍କ ଔରସରୁ ଜାତ । ନଅ ବର୍ଷ ବୟସରେ ବିବାହ, ଦଶ ବର୍ଷ ବୟସରେ ବିଧବା । ସେହି ଦିନଠାରୁ ଗୋଟିଏ ରକ୍ଷଣଶୀଳ ବ୍ରାହ୍ମଣ ପରିବାରର ନିୟମ ଅନୁଯାୟୀ ରଙ୍ଗୀନ ଲୁଗାର ସ୍ଥାନ ଅଧିକାର କରି ନେଲା ମୋଟା ଧଳାଶାଢ଼ୀ । ଖାଦ୍ୟ ହୋଇଗଲା ଆମିଷ ହୀନ, ସମୟ କଟିଲା ପୁରାଣପାଠ ଓ ପୂଜାର୍ଚ୍ଚନାରେ । ପାଠପଢ଼ାରେ ଡୋରି ବନ୍ଧା । ସମ୍ମୁଖରେ କେବଳ ଶୂନ୍ୟତା, ସମାଜରେ, ଗାଁରେ କୋଣଠେସା ଏବଂ ପରିବାରରେ ନିର୍ଯ୍ୟାତନା ଓ ଖୁଣ୍ଟାଦିଆ । ତେବେ ବସି ରହିବା ସାର ହେଲା ଶାଶୁଘର ନାଏକପଡ଼ା ଗାଁରେ । ସ୍ଵାମୀ ଓ ସନ୍ତାନହୀନ ପ୍ରଭାବତୀ ନା ସ୍ଵାମୀସୁଖ ନା ସନ୍ତାନସୁଖ, ନା ପରିବାରସୁଖ ପାଇଲେ, ବରଂ ଭର୍ତ୍ସନା ଥିଲା ଭାଗ୍ୟରେ । ଏସବୁ ସତ୍ତ୍ୱେ ବାଲ୍ୟକାଳରୁ ମହାନ ଗୁଣ ଥିଲା ତାଙ୍କର ଅନ୍ୟମାନଙ୍କ ଦୁଃଖରେ ସହଭାଗିତା, ପରକୁ ଆପଣାର କରିବା, ଅନାଥ ଓ ଅସହାୟଙ୍କ ପାଖରେ ପହଞ୍ଚିଯାଇ ସାନ୍ତ୍ଵନା ଦେବା ।
ସେହି ସମୟରେ ବାପୁଜୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଵାଧୀନତା ସଂଗ୍ରାମୀମାନେ ଜନମତ ସୃଷ୍ଟି କରିବା ପାଇଁ ଗାଁ ଗାଁ ଯାଉଥାନ୍ତି । ଏହା ପଛରେ ରହିଥାଏ ପଚିଶ ପଇସିଆ ଚାନ୍ଦା ଓ ସଭ୍ୟ ସଂଗ୍ରହ, ଫଳରେ ଜାଣିବାକୁ ମିଳିବ ପ୍ରକୃତରେ କେତେ ଲୋକ ସ୍ଵାଧୀନତା ପାଇଁ ଆଗ୍ରହୀ ତଥା ଆଗାମୀ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେବାକୁ ସ୍ଵେଚ୍ଛାକୃତ ଭାବେ ଆଗେଇ ଆସିବେ । ବରଗଡ଼ ଅଞ୍ଚଳରେ ଏହାର ଦାୟିତ୍ବ ନେଇଥାନ୍ତି ସମ୍ବଲପୁରର ନିର୍ଭୀକ ସ୍ଵାଧୀନତା ସଂଗ୍ରାମୀ ଫକୀର ବେହେରା ମହୋଦୟ । ଏମିତି ନାଏକପଡ଼ା ଗାଁରେ ପହଞ୍ଚି ଗାଁ ଦାଣ୍ଡରେ ବୁଲି ବୁଲି ଏ କାର୍ଯ୍ୟ କରୁଥାନ୍ତି ସେ । କବାଟ କୋଣରେ ଲୁଚି ଲୁଚି ଫକୀର ବେହେରାଙ୍କ କଥା ଶୁଣିପାରିଲେ କିଶୋରୀ ପ୍ରଭାବତୀ । ଦେଶସେବା, ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବାକୁ ମନ ବଳାଇଲେ । ହେଲେ ବାହାରକୁ ଗୋଡ଼ ବା କାଢ଼ି ହେଉଛି କୁଆଡ଼ୁ ?
ତଥାପି ଏରୁଣ୍ଡି ବନ୍ଧ ଡେଇଁଲେ ଦିନେ . .
ବାହାଘର ପର ଠାରୁ ଦୀର୍ଘ ଅଠର ବର୍ଷ କାଳ ଘରେ ବସି ରହି କେବଳ ସମାଜ ଓ ଦେଶ କଥା ଭାବି ଭାବି ସମୟ ବିତାଉଥିବା ପ୍ରଭାବତୀ ସମାଜସେବା ପାଇଁ ପ୍ରତିଜ୍ଞା କରିଥିଲେ ମଧ୍ୟ ସାମାଜିକ ବ୍ୟବସ୍ଥା କଣ୍ଟା ସାଜିଥିଲା । ସେତେବେଳେ ତାଙ୍କୁ ଅଠେଇଶି ବର୍ଷ ଅର୍ଥାତ୍ ୧୯୩୭ ମସିହା । ଗୋଟିଏ ଦିନର କଥା । ସଂଗ୍ରାମୀ ମାଳତୀ ଚୌଧୁରୀ ଜୀରା ନଦୀର ବାଲୁକା ଶଯ୍ୟାରେ ସଭା କରୁଥିବା ଖବର ମିଳିଲା । ଗାଁ ମାଇପି ମାନେ ଦଳ ଦଳ ହୋଇ ଚାଲିଲେ ସଭାକୁ । ତାଙ୍କ ସହ ବାହାରିଲେ ତରୁଣୀ ପ୍ରଭାବତୀ, ମାଳତୀ ଦେବୀଙ୍କ ଭାଷଣ ଶୁଣିବାକୁ । ଟିକେ ଦୂରରେ ବସି ରହି ମାଳତୀ ଚୌଧୁରୀଙ୍କ ଜ୍ଵାଳାମୁଖୀ ଭାଷଣ ଶୁଣିଲେ । ଏକାକିନୀ ହୋଇ ବସିଥିବାର ଦେଖି ମାଳତୀ ଦେବୀ ପ୍ରଭାବତୀଙ୍କ ପାଖକୁ ଆସି ସବୁ କଥା ବୁଝିଲେ । ଦେଶକାମ ପାଇଁ ତାଙ୍କର ପ୍ରବଳ ଆଗ୍ରହ ଦେଖି, ତାଙ୍କୁ ବରୀ ଆଶ୍ରମକୁ ପଠାଇଦେବା ପାଇଁ ସ୍ଥିର କଲେ ସେଇଠି । ତାଙ୍କ ଶାଶୁଘର ଲୋକଙ୍କ ସହ ଆଲୋଚନା କରିବା ପରେ ସମସ୍ତ ବନ୍ଦୋବସ୍ତ କରିଦେଲେ ବରୀ ଆଶ୍ରମରେ ଯୋଗ ଦେବା ପାଇଁ । ସଂଗ୍ରାମୀ ଫକୀର ବେହେରାଙ୍କ ସହ ଚାଲିଲେ ପ୍ରଭାବତୀ ଦେବୀ ଓ ପାର୍ବତୀ ଗିରି ।
~ ବରୀ ଆଶ୍ରମ ~
ସମାଜସେବା, ସ୍ଵାଧୀନତା ସଂଗ୍ରାମରେ ମନ ତ ଥିଲା ପୂର୍ବରୁ, ହେଲେ ସୁଯୋଗ ମିଳି ନଥିଲା । ମାଁ ରମାଦେବୀଙ୍କ ପାଖରେ ପହଞ୍ଚିବା ପରେ ସେଠାରେ ଆଶ୍ରମର ରୀତିନୀତି ସହ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗ ବାବଦରେ ବେଶ୍ କିଛି ଜ୍ଞାନ ଅର୍ଜନ କଲେ । ସେଠାରେ ପୁଣି ମିଶିଗଲେ ଗୋଦାବରୀ ଦେବୀ, ପାର୍ବତୀ ଗିରି, ପ୍ରିୟମ୍ବଦା ଦେବୀ, ଅନ୍ନପୂର୍ଣ୍ଣା ମହାରଣା ଇତ୍ୟାଦି ମହିୟସୀ ମା’ ମାନେ । ଏଇଠି ବିଭିନ୍ନ ରଚନାତ୍ମକ କାର୍ଯ୍ୟରେ ତାଲିମ ପାଇବା ଖୁବ୍ ସହଜ ହୋଇଗଲା ।
ତଥାପି ସାମାଜିକ ବନ୍ଧନ ଟଳିଲା ନାହିଁ !
ବରୀ ଆଶ୍ରମରୁ ଫେରିଆସି ସମ୍ବଲପୁର ଜିଲ୍ଲାକୁ କର୍ମକ୍ଷେତ୍ର ଭାବରେ ବାଛି ନେଇ ପହଞ୍ଚିଗଲେ ପୂଜ୍ୟା ପ୍ରଭାବତୀ ଦେବୀ ଦାଶପଡ଼ା ଓ ନାଏକପଡ଼ା ଗାଁରେ। ସେତେବେଳକୁ ପ୍ରଭାବତୀ ବରୀ ଯାଇ କାହା ସହ କୁଆଡ଼େ ଚାଲିଯାଇଛି ବୋଲି ଖଣ୍ଡମଣ୍ଡଳରେ ପ୍ରଚାର ହୋଇ ସାରିଥିଲା । “ଛି ଛି ବ୍ରାହ୍ମଣଘର ଝୁଅ, ପୁଣି ବିଧବା, ଜାତିଅଜାତି ମାନିଲା ନାହିଁ, ଗୋଟାଏ କାହା ସହ ପଳାଇଗଲା” — ଏହା ଥିଲା ସେ ଗାଁର ଲୋକଙ୍କ ମୁହଁର ଭାଷା । ପ୍ରଭାବତୀ ଆସି ଦେଖିଲେ, ବାପା ସମାଜରୁ ବାସନ୍ଦ, ଶାଶୁଘର ମୁହଁ ମୋଡ଼ି ଦେଇଛନ୍ତି କେବେଠାରୁ । ମନୋବଳ ଦୃଢ଼ ରହିଥାଏ କିନ୍ତୁ, ଅନ୍ୟ ପକ୍ଷରେ ବରୀ ଆଶ୍ରମର ତାଲିମ । ଆଉ ପଛକୁ କାହିଁକି ବା ଚାହିଁବେ ? ମନ ପ୍ରାଣ ଢାଳିଦେଇ ସ୍ଵାଧୀନତା ସଂଗ୍ରାମ ଓ ସେବାରେ ସମ୍ପୂର୍ଣ୍ଣ ଭାବେ ଝାସ ଦେଇଦେଲେ ।
~ ଦେଶ ଓ ଦଶ ପାଇଁ କାରାବରଣ ~
୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନ ବେଳକୁ ପ୍ରଭାବତୀ ଦେବୀ ବେଶ୍ ପରିଚିତି ଲାଭ କରିସାରିଥାନ୍ତି । ବାପୁଜୀ, ଜୟପ୍ରକାଶ ନାରାୟଣ, ବିନୋବା ଭାବେ ଓ କସ୍ତୁରବା ଗାନ୍ଧୀଙ୍କ ସହ କାମ କରିବାର ସୌଭାଗ୍ୟ ସେତେବେଳକୁ ମିଳିସାରିଥାଏ ତାଙ୍କୁ । ଅନ୍ୟ ପକ୍ଷରେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମାଳତୀ ଚୌଧୁରୀ ଓ ସମ୍ବଲପୁରର ନୃସିଂହ ଗୁରୁ, ଦୟାନନ୍ଦ ଶତପଥି, ଘନଶ୍ୟାମ ଶତପଥୀ ଓ ଫକୀର ବେହେରା ପ୍ରମୁଖଙ୍କ ସହ ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହୋଇ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇସାରିଥାନ୍ତି । ଏହି ସମୟରେ ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରି ଗିରଫ ହୋଇ ସମ୍ବଲପୁର ଜେଲରେ ମାତ୍ର ଛଅ ମାସ ପାଇଁ ରହିଲେ । ସେଠାରୁ ଖଲାସ ହୋଇ ପୁଣି ଆରମ୍ଭ କରିଦେଲେ ସଂଗ୍ରାମ । ସାତଦିନ ପରେ ପୁଣି ଗିରଫ ହୋଇ ସମ୍ବଲପୁର ଜେଲରେ ବନ୍ଦୀ ରହିଲେ ଛ’ ମାସ ଓ ସେଠାରୁ ସ୍ଥାନାନ୍ତରିତ କଟକ ଜେଲକୁ ଏକ ବର୍ଷ ପାଇଁ । ସେହି ସମୟରେ କଟକ ଜେଲରେ ଥାଆନ୍ତି ମା’ ରମାଦେବୀ, ମାଳତୀ ଚୌଧୁରୀ ଓ ପାର୍ବତୀ ଗିରି । ତେଣୁ କଟକ ଜେଲ୍ ହୋଇଗଲା ଭବିଷ୍ୟତର ରଚନାତ୍ମକ କାର୍ଯ୍ୟର ଏନ୍ତୁଡ଼ିଶାଳ !
~ ସ୍ଵାଧୀନତା ସଂଗ୍ରାମର ସ୍ମୃତି ତାଙ୍କ ଭାଷାରେ ~
“ଭାରତଛାଡ଼ ଆନ୍ଦୋଳନ ବେଳେ ପୋଲିସ ଜଣଙ୍କ ପରେ ଜଣଙ୍କୁ ଗିରଫ କରି ଗିରଫ କରି ଜେଲକୁ ନେଇ ଯାଉଥାଆନ୍ତି । ମୋତେ କିନ୍ତୁ ଗିରଫ କରୁନଥିବାରୁ ମୋ ମନରେ ଭାରି ଦୁଃଖ ଥାଏ । ଅନ୍ତର୍ଘାତି କାର୍ଯ୍ୟ କରୁଥିବା ରାସବିହାରୀ ଦାଶଙ୍କୁ ଏ ବାବଦରେ ପଚାରିଲି । ସେ କହିଲେ, ଆପଣ ଯଦି ଜେଲ୍ ଯିବା ପାଇଁ ଏତେ ବ୍ୟଗ୍ର, ତେବେ ମଦ ଦୋକାନ ଆଗକୁ ଯାଇ ପିକେଟିଂ କରନ୍ତୁ, ପୋଲିସ ଆପେ ଆପେ ବାନ୍ଧି ନେବ ।”
ତା’ପରେ ଦିନେ ପୋଲିସ ଆସି ସେବାଶ୍ରମରୁ ପ୍ରଭାବତୀଙ୍କୁ ଗିରଫ କଲା । ପ୍ରଭାଙ୍କ ଛାତି ଆନନ୍ଦେ ଫାଟି ପଡ଼ୁଥାଏ । ସାଙ୍ଗରେ ଚରଖା ନେଇ ସଙ୍ଗେ ସଙ୍ଗେ ବାହାରି ପଡ଼ିଲେ । କିନ୍ତୁ ସେତେବେଳେ ପୋଲିସ ଆଖିରେ ଲୁହ । ଘଟଣା କ’ଣ ତାହେଲେ ? ବ୍ୟସ୍ତ ହୋଇ ପ୍ରଭାବତୀ ପୋଲିସକୁ ପଚାରିଲେ ଏବଂ ଉତ୍ତର ଆସିଥିଲା – “ଆମେ କେତେ ପାପୀ ! ଆପଣଙ୍କ ଭଳି ଦେଶସେବୀଙ୍କୁ ଗିରଫ କରି ଜେଲକୁ ନେଉଛୁ ।” ଏହି ସମୟରେ ଗୋଟିଏ ଶିଶୁର କାନ୍ଦ ଶୁଣି ପ୍ରଭାବତୀ ଦେବୀ ଫେରି ଆସି ଶିଶୁର ସେବା କରିବା ପରେ, ଆପଣା ଛାଏଁ ଜେଲ୍ ଗଲେ । ସେହି ଜେଲରେ ଦୁଇ ବର୍ଷ ପରେ ଛାଡ଼ ପାଇଲେ ।
~ ଜେଲ୍ ଜୀବନ ପରେ ~
କଟକ ଜେଲରୁ ଦୁଇ ବର୍ଷ ପରେ ଛାଡ଼ ପାଇଲେ ପ୍ରଭାବତୀ । ତାହା ଥିଲା ୧୯୪୪ ମସିହା ଜୁଲାଇ ମାସ । କଟକରୁ ବରଗଡ଼ ଚାଲିଲେ । ସେଠାରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପ୍ରହଲ୍ଲାଦ ରାୟ ଲାଠ ଏବଂ ତାଙ୍କର ସହଧର୍ମିଣୀ ରୁକ୍ମିଣୀ ଦେବୀ ଏକ ବଡ଼ ସଭାର ଆୟୋଜନ କରିଥାନ୍ତି । ବହୁ ସ୍ଵାଧୀନତା ସଂଗ୍ରାମୀ ବିଭିନ୍ନ ରଚନାତ୍ମକ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କଲେ । ପ୍ରଭାଙ୍କ ଉପରେ ନ୍ୟସ୍ତ ହେଲା ମାତୃମଙ୍ଗଳ ଓ ଶିଶୁକଲ୍ୟାଣ କାର୍ଯ୍ୟ । ସମ୍ବଲପୁର ବରଗାଁ ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀ ଜମି ଖଣ୍ଡିଏ ଯୋଗାଇ ଦେଲେ । ସେଇଠି ଆରମ୍ଭ ହେଲା ମାତୃମଙ୍ଗଳ କେନ୍ଦ୍ର । ବାରଜଣ ମହିଳା ପ୍ରଥମେ ଯୋଗ ଦେଇ ସୂତାକଟା ଆରମ୍ଭ କଲେ । ଏହା ସହ ପଡ଼ୋଶୀ ଗାଁର ଅସ୍ପୃଶ୍ୟ ପିଲା ମାନଙ୍କ ସେବା, ଶିକ୍ଷା ଓ ଚିକିତ୍ସା କାର୍ଯ୍ୟ ଆରମ୍ଭ ହୋଇଗଲା । ୱର୍ଦ୍ଧା ସେବାଗ୍ରାମ ଯାଇ ବିଶେଷ ତାଲିମ ନେଇ ଫେରିଲେ ପ୍ରଭାବତୀ । ତାଲିମ ପରେ ମାତୃମଙ୍ଗଳ ଓ ଶିଶୁ କଲ୍ୟାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଲା ।
~ ବାଲ୍ ନିକେତନର ମା’ ~
ବରୀ ଆଶ୍ରମରେ ଯେଉଁ ଶିକ୍ଷା ପାଇଥିଲେ, ତାହା ସେଠାରେ ମହିଳାଙ୍କୁ ଶିଖାଇଲେ । ପୁଣି ୧୯୪୭ ମସିହାରେ ୱର୍ଦ୍ଧା ଯାଇ ପ୍ରସୂତି ବିଦ୍ୟା ହାସଲ କଲେ । କସ୍ତୁରବା ଟ୍ରଷ୍ଟ ପକ୍ଷରୁ ମାତୃମଙ୍ଗଳ ଓ ବାଲବାଡି଼ ଖୋଲିଲା । ସ୍ଵାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ରାୟ ଲାଠ ଦାନ କଲେ ଏକ ଲକ୍ଷ ଟଙ୍କା ସହ ଅନେକ ଆସବାବପତ୍ର, ୧୯୯୧ ମସିହାରେ । ରୁକ୍ମଣୀ ଦେବୀଙ୍କ ନାମରେ ନାମିତ ହେଲା ଏହି ଅନୁଷ୍ଠାନ ବରଗାଁ ନିକଟସ୍ଥ ଛଞ୍ଚାଣପଲ୍ଲୀ ଗ୍ରାମରେ । ସମ୍ବଲପୁରର ନଳିନୀ ଦେବୀ ଏକ ଏକର ଜମି ଯୋଗାଇ ଦେଲେ ନୂତନ ଭାବେ ଗଢ଼ିବା ପାଇଁ ବାଲବାଡ଼ି । ଓଡ଼ିଶା ସରକାର, କସ୍ତୁରବା ଟ୍ରଷ୍ଟ ଓ ବିଭିନ୍ନ ମହାନ ବ୍ୟକ୍ତିଙ୍କ ଅନୁଦାନରେ ୧୯୯୪ ମସିହାରେ ନିର୍ମିତ ହେଲା ନୂତନ ଗୃହ । ସମସ୍ତ ଦାୟିତ୍ବ ନେଲେ ପ୍ରଭାବତୀ ଦେବୀ ।
~ ମଦର ଟେରେସା ରୂପୀ ପ୍ରଭାବତୀ ଦେବୀ ~
ସମସ୍ତ ତ୍ୟାଗ, ସହାନୁଭୂତି ସହ ସେବା କାର୍ଯ୍ୟ ପାଇଁ ଆଗେଇ ଯାଉଥିଲେ ପ୍ରଭାବତୀ ଦେବୀ । ଅନାଥାଶ୍ରମର ଅନ୍ତେବାସୀ ମାନଙ୍କ ପାଇଁ ସେ ଥିଲେ ମାଁ । ନିଜ ହାତରେ ପିଲାଙ୍କ ମଳ, ମୂତ୍ର, କାଛୁ କୁଣ୍ଡିଆ ସଫାକରି ସେମାନଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଉଥିଲେ । ଜରାବ୍ୟାଧି ନିରାକରଣ ପାଇଁ ସାଇକେଲ ଚଢ଼ି ଗାଁକୁ ଗାଁ ବୁଲି ଲୋକଙ୍କ ଭଲମନ୍ଦ ବୁଝିବା ଥିଲା ତାଙ୍କର ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ । ପ୍ରସୂତି ସମୟରେ ସେ ପହଞ୍ଚିଯାଇ ହୋଇଯାଉଥିଲେ ଧାଈ । ତେଣୁ ସେ ଯେମିତି ଥିଲେ ପଶ୍ଚିମ ଓଡ଼ିଶାର ମଦର ଟେରେସା ।
ଏ ସବୁ କାମ ପାଇଁ ଯେମିତି ଜନ୍ମ ନେଇଥିଲେ ପ୍ରଭାବତୀ ଦେବୀ । ଦରିଦ୍ର ନାରାୟଣଙ୍କୁ କୋଳେଇ ନେଇଥିବା ମଣିଷ ମା’ ପ୍ରଭାବତୀ । ଶ୍ରଦ୍ଧାରେ ଲୋକେ କହୁଥିଲେ ପ୍ରଭାନାନୀ । ସେହି ମହାନ ସେବା ଅନୁଷ୍ଠାନ ବାଲବାଡ଼ି ଥିଲା ତାଙ୍କର କର୍ମଭୂମି, ନିଷ୍ଠାର ମନ୍ଦିର ଏବଂ ଶେଷରେ ହୋଇଗଲା ସମାଧି ଭୂମି । ୧୯୯୮ ମସିହା ନଭେମ୍ବର ମାସ ତେର ତାରିଖରେ ନିଜ ଦ୍ଵାରା ପ୍ରତିଷ୍ଠିତ ରୁକ୍ମିଣୀ ଦେବୀ ବାଲ୍ ନିକେତନରେ ଚିରଦିନ ପାଇଁ ଆଖି ବୁଜି ଶୋଇଗଲେ ପ୍ରଭାନାନୀ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଅନ୍ତିମ ସମ୍ମାନ ଜଣାଇଲେ, ଶେଷ ଦର୍ଶନ ପାଇଁ ହଜାର ହଜାର ନରନାରୀ ସମବେତ ହୋଇ ବିଦାୟ ଦେଲେ ସେହି ଅମର ମଣିଷକୁ । ଓଡ଼ିଶାର ଏକ ନିଃସ୍ଵାର୍ଥପର ସେବିକା ଭାବରେ ସବୁ ଦିନ ପାଇଁ ନମସ୍ୟ ହୋଇ ରହିବେ ପ୍ରଭାବତୀ ଦେବୀ ।
ଆଧାର: ନୃସିଂହ ଚରଣ ସାହୁଙ୍କ ପ୍ରବନ୍ଧ; ତଥ୍ୟ ବାଲନିକେତନ, ଛଞ୍ଚାଣପଲ୍ଲୀ, ସମ୍ବଲପୁର
ଫଟୋ ସୌଜନ୍ୟ: ଶ୍ରୀଯୁକ୍ତ କାର୍ତ୍ତିକ ବହିଦାର, ସମ୍ବଲପୁର