‘ପୁରୀ ସିଂହ’ ଜଗବନ୍ଧୁ ସିଂହ

ଲେଖା: ଅମ୍ରିତେଶ ଖଟୁଆ

“ଉତ୍କଳ ପରି ଭୂଖଣ୍ଡ ନାହିଁ ଭାରତରେ,
ମର୍ତ୍ତ୍ୟ ବଇକୁଣ୍ଠ ଅଛି ଉତ୍କଳ ଦେଶରେ।
ଗଙ୍ଗାଠାରୁ ଗୋଦାବରୀ ଯାଏଁ ଏ ଉତ୍କଳ,
ପୁଣ୍ଯ ପବିତ୍ର ଭୂଖଣ୍ଡ ଶରୀର ବିଶାଳ।”

ଇଂରେଜ ସରକାରଙ୍କ ଅମଳରେ ଚାଲୁଥାଏ ବିହାର-ଓଡିଶା ବ୍ୟବସ୍ଥାପକ ସଭା। ଓଡ଼ିଶାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଜନସାଧାରଣଙ୍କ ଅଭାବ ଅସୁବିଧା ଦର୍ଶାଉଥିଲେ ସେହି ବ୍ୟବସ୍ଥାପକ ସଭାରେ। କିନ୍ତୁ, ଜଣେ ବିଧାୟକଙ୍କ ଶୈଳୀ ଥିଲା ପ୍ରଣିଧାନଯୋଗ୍ୟ। ଜନସାଧାରଣଙ୍କ ଦାବିର ଦୃଢ଼ ଉପସ୍ଥାପନାକୁ ଦେଖି ବିସ୍ମିତ ବିଧାୟକଗଣ ଓ କର୍ତ୍ତୃପକ୍ଷ ତାଙ୍କୁ “ପୁରୀ ସିଂହ” ଭାବେ ଅଭିହିତ କରିଥିଲେ। ସେହି ମହାନ୍ ଜନପ୍ରତିନିଧି ଥିଲେ ପୁରୀ ସଦର ନିର୍ବାଚନ ମଣ୍ଡଳୀର ଲୋକପ୍ରତିନିଧି “ଜଗବନ୍ଧୁ ସିଂହ”!

ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଭୁବନପୁର ଗ୍ରାମରେ ଜଗବନ୍ଧୁ ସିଂହ ୧୫ ଫେବ୍ରୁଆରୀ ୧୮୮୬ ମସିହାରେ ପିତା ଗୌରଚନ୍ଦ୍ର ବିଧାର (ବିଦ୍ୟାଧର) ଓ ମାତା ଚନ୍ଦ୍ରମଣି ଦେବୀଙ୍କ କୋଳମଣ୍ଡନ କରିଥିଲେ। ପିତା ଗୌରଚନ୍ଦ୍ର ନିମାପଡ଼ା ରାଏଟ୍ ସିଂହସାମନ୍ତ ପରିବାରର ମଲ୍ଳ ବିଦ୍ୟା ଶିକ୍ଷକ ଥିଲେ। ସିଂହ ସାମନ୍ତ ପରିବାର ପକ୍ଷରୁ ତାଙ୍କୁ ବହୁ ଭୂସମ୍ପତ୍ତି ମିଳିଥିଲା। ବନମାଳୀପୁର ନିକଟସ୍ଥ ଯୁବଗଡ଼ରେ ଥିଲା ତାଙ୍କର ଜମିଦାରୀ।

ପିଲାଦିନେ ଜଗବନ୍ଧୁ ବାପ, ମା’ଙ୍କର ଅତି ଅଲିଅଳ ଥିଲେ। ଗ୍ରାମ ଚାଟଶାଳୀ ମାଟି ବଂଶ ଓଝା (ଚାହାଳୀ ଶିକ୍ଷକ )ଙ୍କ ନିକଟରେ ତାଙ୍କର ବିଦ୍ୟାରମ୍ଭ ହୋଇଥିଲା। ଗାଁରେ ପ୍ରାଥମିକ ସ୍କୁଲ ନଥିବା ହେତୁ ନିମାପଡ଼ା ଉଚ୍ଚ ପ୍ରାଥମିକ ସ୍କୁଲରେ ପାଠ ପଢି କୃତିତ୍ବର ସହ ପଞ୍ଚମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ଗୋପସ୍ଥିତ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ମଧ୍ୟ ଇଂରାଜୀ ପାଶ୍ କଲେ। ଏହା ପରେ ୧୮୯୮ରେ କଟକ ରେଭେନ୍ସା କଲେଜରୁ ଏଫ୍. ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେଠାରେ ବି.ଏ. ପଢିଲେ। ପିତୃ ବିୟୋଗାନ୍ତେ ସେ ପଠନ ଛାଡି ଗୃହ ଦାୟିତ୍ୱ ବହନ କରିଛନ୍ତି । ପରେ ୧୯୦୧ ମସିହାରେ କଲିକତା ବିଶ୍ଵବିଦ୍ୟାଳୟରୁ ଆଇନ ପରୀକ୍ଷା ଦେଇ ଆଇନ ଡିଗ୍ରୀ ହାସଲ କଲେ।

ଆଇନ ଶିକ୍ଷା ସାରି କଟକରେ ବାରିଷ୍ଟର ମଧୁସୂଦନ ଦାସଙ୍କ ସହକାରୀ ଭାବେ କାର୍ଯ୍ୟ କଲେ ଜଗବନ୍ଧୁ ବାବୁ। ମଧୁବାବୁଙ୍କୁ ଠାରୁ ଉତ୍ସାହ ଲାଭ କରି ସ୍ଵଦେଶ ପ୍ରେମରେ ଅନୁପ୍ରାଣିତ ହେଲେ। ଏହା ପରେ ପିତାମାତାଙ୍କ ବିୟୋଗ ପରେ ସଂପତ୍ତିବାଡିର ବୁଝାସୁଝା ପାଇଁ କଟକରୁ ପୁରୀ ଫେରି ଆସି ସ୍ଵାଧୀନ ଭାବେ ଓକିଲାତି କଲେ। ଏହା ପରେ ନିଜ ଗ୍ରାମ ଭୁବନପୁର ନିକଟବର୍ତ୍ତୀ ଗଡ଼ ଅଣ୍ଢିଆର ଚିନ୍ତାମଣି ତୁଙ୍ଗଙ୍କ କନ୍ୟା ଚଞ୍ଚଳା ସହିତ ପାଣିଗ୍ରହଣ ଅନୁଷ୍ଠିତ ହୁଏ।

ଓଡ଼ିଆ ସଂଗୀତ, ନୃତ୍ୟ ଓ କୀର୍ତ୍ତନ ପ୍ରତି ଜଗବନ୍ଧୁ ବାବୁଙ୍କ ଗଭୀର ଅନୁରକ୍ତି ଥିଲା। ତାଙ୍କ ପରିଚାଳନାରେ ଗୋଟିଏ ସଂକୀର୍ତ୍ତନ ଦଳ ବହୁ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ତାଙ୍କର ଖମାର ଥିଲା ପୂବା ଗଡ଼ରେ। ୧୯୩୨-୩୩ ମସିହାରେ ସେ ସେଠାରେ ଗୋଟିଏ ଯାତ୍ରାଦଳ ଗଢିଥିଲେ, ଓ ଅଭିନୟାର୍ଥେ ସ୍ଵକୀୟ କ୍ଷେତ୍ରରେ ରଚନା କରିଥିଲେ “ପ୍ରବୀର ପତନ”, “କର୍ଣ୍ଣାର୍ଜୁନ”, “ହରିଶ୍ଚନ୍ଦ୍ର”“ନନ୍ଦିକେଶ୍ଵରୀ” ପ୍ରଭୃତି ଗୀତିନାଟ୍ୟ। ୭/୮ ବର୍ଷ ଧରି ନାଟ୍ୟପ୍ରଦର୍ଶନ କ୍ରମେ ତାଙ୍କ ନାଟ୍ୟ ଦଳ ଉଚ୍ଚ ପ୍ରଶଂସିତ। ଜଗବନ୍ଧୁ ବାବୁ ଗୋପରେ ପଢୁଥିଲା ବେଳେ ଗୋପବନ୍ଧୁ ଦାସ ସେଠାରେ ପରୀକ୍ଷା ଦେଉଥା’ନ୍ତି, ଯା ପରବର୍ତ୍ତୀ କାଳେ ଦୁହେଁ ବନ୍ଧୁତା ସ୍ଥାପନ କରିଛନ୍ତି।  ସଂସ୍କାରକ ମୁକ୍ତ୍ୟାର ରାମଚନ୍ଦ୍ର ଦାସଙ୍କ “ବ୍ରାହ୍ମଣ ସମିତି”ର ଟ୍ରଷ୍ଟି ଥିଲା ବେଳେ ଜଗବନ୍ଧୁ ବାବୁ ତାଙ୍କଠାରୁ ମଧ୍ୟ ପ୍ରେରଣା ଲାଭ କରିଛନ୍ତି।

କ୍ରମେ ଓକିଲାତିରେ ଖ୍ୟାତିସମ୍ପନ୍ନ ହେଇ ପୁରୀର ସମସ୍ତ ସାଧାରଣ କାର୍ଯ୍ୟ ସହିତ ସମ୍ପୃକ୍ତ ହୋଇ ପଡିଲେ ଜଗବନ୍ଧୁ ବାବୁ। ତାଙ୍କ ସମ୍ପାଦନାରେ ପୁରୀଠାରେ ୧୯୦୮, ୧୯୧୩ ଓ ୧୯୧୯ ମସିହାରେ “ଉତ୍କଳ ସମ୍ମିଳନୀ“ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଜନସେବାରେ ବ୍ରତୀ ହେଲା ପରେ ସେ ଆହୁରି ଲୋକପ୍ରିୟତା ଅର୍ଜନ କରିଥିଲେ। କୃତଜ୍ଞ ପୁରୀବାସୀଙ୍କ ଦ୍ଵାରା ଧାରାବାହିକ ଭାବେ ପୁରୀ ଜିଲୀ ବୋର୍ଡ ସଭ୍ୟ ତଥା ମ୍ୟୁନିସିପାଲିଟି ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ। ଏକାଧିକ ବାର ପୌରାଞ୍ଚଳ ଭାଇସ୍ ଚେୟାରମ୍ୟାନ୍ ଭାବେ ମଧ୍ୟ ସେ ନିର୍ବାଚିତ ହୋଇଛନ୍ତି। ପଣ୍ଡିତ ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟର ମଧ୍ୟ ଜଣେ ବିଶିଷ୍ଟ ପୃଷ୍ଠପୋଷକ କ୍ରମେ କାର୍ଯ୍ୟନିର୍ବାହୀ ସମିତିର ସଦସ୍ୟ ଥିଲେ।

୧୯୧୯ ମସିହାରେ ପୁରୀ ଜିଲ୍ଲାରେ ଭୟାବହ ଦୁର୍ଭିକ୍ଷ ପଡିଥିଲା। ଉତ୍କଳମଣି ସରକାରଙ୍କଠାରୁ ଅବଗତ କରାଇ କିଛି ଅନୁଗ୍ରହ ପାଇଥିଲେ। ଏହି କାର୍ଯ୍ୟରେ ଆପ୍ରାଣ ସେବକ ହୋଇଥିଲେ ଜଗବନ୍ଧୁ ସିଂହ। ତାଙ୍କ ସଭାପତିତ୍ୱରେ ଦୁର୍ଭିକ୍ଷ ଅନୁସନ୍ଧାନ କମିଟି ଗଢା ଯାଇ ଲୋକଙ୍କ ଦୁରବସ୍ଥା, ସରକାରୀ ଅବହେଳା, ଅନାହାର ମୃତ୍ୟୁ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟ କେବଳ ଭାରତବର୍ଷରେ ଆଲୋଡ଼ନ ସୃଷ୍ଟି କରିନଥିଲା ବରଂ ସର୍ବୋପରି ସରକାରଙ୍କ ଅପାରଗପଣକୁ ଦାଣ୍ଡକୁ ଆଣିଥିଲା। ଏଥି ସହ ସମାନବର୍ଷରେ କଟକଠାରେ ନିଖିଳ ଉତ୍କଳ ସମ୍ମିଳନୀର ୫ମ ଅଧିବେଶନର ସଭାପତିତ୍ୱ କରି ନିଜ ଅଭିଭାଷଣରେ ଛାତ୍ରମାନଙ୍କ ଉପରେ ପ୍ରଭାବ ପକାଇ ପାରିଥିଲେ।

ଏପରିକି ସମବାୟ ଆନ୍ଦୋଳନରେ ଜଡିତ ଥାଇ ପୁରୀ ସମବାୟ ବ୍ୟାଙ୍କର ପ୍ରଥମ ସଭାପତି ଭାବେ ନିର୍ବାଚିତ ହୋଇ ଅନେକ ବର୍ଷ ଏ ପଦରେ ଅଧିଷ୍ଠାନ କରିଥିଲେ। ୧୯୨୦ ମସିହାରେ ଡିସେମ୍ବରରେ ଅନୁଷ୍ଠିତ ନାଗପୁରଠାରେ “ନିଖିଳ ଭାରତ କଂଗ୍ରେସ” ର ବାର୍ଷିକ ଅଧିବେଶନରେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଜଗବନ୍ଧୁ ସିଂହଙ୍କ ସହ ଓଡିଶାରୁ ୩୦ ଜଣ ପ୍ରତିନିଧିତ୍ଵ କରିଥିଲେ। ଏହା ପରେ ଚକ୍ରଧର ପୁର ହେଇ “ଉତ୍କଳ ସମ୍ମିଳନୀ”ର ଷୋଡ଼ଶ ଅଧିବେଶନରେ ଯୋଗ ଦେଇ ପୁରୀ ବାହୁଡନ୍ତି। ସେ ଯେଉଁ ଆଭିମୁଖ୍ୟ ନେଇ ଏ ସମ୍ମିଳନୀରେ ଏକ ତୀବ୍ର ସକ୍ରିୟତା ଗ୍ରହଣ କରିଥିଲେ, ତାହା ଏ ସ୍ଵାଧୀନତା ସଂଗ୍ରାମକୁ ବଦଳାଇ ଦେଲା।

୧୯୨୧ ମସିହାରେ ଯେତେବେଳେ ଏକ ବିରାଟ “ଅସହଯୋଗ ଆନ୍ଦୋଳନ“ର ସୂତ୍ରପାତ ହୁଏ, ସେତେବେଳେ ଶାନ୍ତିଶୃଙ୍ଖଳାର ସହ ପୁରୀ ଜିଲ୍ଲାର କଂଗ୍ରେସ ସଭାପତି ରୂପେ ଜଗବନ୍ଧୁ ବାବୁ ନିର୍ବାଚିତ ହୁଅନ୍ତି। ହେଲେ ମହାତ୍ମାଗାନ୍ଧୀଙ୍କ ଡାକରାରେ ସେ ପୁରୀରେ ଓକିଲାତି ଛାଡି ସେଠାରେ ଆନ୍ଦୋଳନ ଆହୁରି ତେଜୀୟାନ କରିଥିଲେ। ୧୯୨୪ ମସିହାରେ ‘ବିହାର-ଓଡ଼ିଶା ବ୍ଯବସ୍ଥାପକ ସଭା‘ ପାଇଁ ପୁରୀ ସଦର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ଜୟଯୁକ୍ତ ହୋଇଥିଲେ ଓ ୧୯୨୬ ମସିହା ପର୍ଯ୍ୟନ୍ତ ସେହି ବ୍ୟବସ୍ଥାପକ ପଦବୀରେ ରହିଥିଲେ। ସେହି ସମୟରେ ଓଡ଼ିଶାବାସୀଙ୍କ ସାମଗ୍ରିକ ଦାବିର ଦୃଢ ଉପସ୍ଥାପନା କରିଥିଲେ, ଯାହା ଫଳରେ ଲୋକେ ତାଙ୍କୁ ଡାକିଲେ ପୁରୀ ସିଂହ।

ବ୍ୟକ୍ତିଗତ ଜୀବନରେ ସେ ଥିଲେ ଜଣେ ସରଳ ଓ ନିରାଡମ୍ବର ମଣିଷ। ନିଜ ବୈଠକଖାନାରେ ଗୋଟିଏ ମଶିଣା ଉପରେ ବସି ସେ ତାଙ୍କ କାମ ସବୁ କରନ୍ତି ଆଉ ଆଗନ୍ତୁକମାନଙ୍କୁ ସେଇ ମଶିଣା ଉପରେ ବସି ଆଳାପାଦି ବ୍ୟକ୍ତ କରିଥାଆନ୍ତି।

ସାହିତ୍ୟ ସାଧନାରେ ମଧ୍ୟ ଜଣେ ପାରଙ୍ଗମ ବ୍ୟକ୍ତିତ୍ଵ ଥିଲେ। ତାଙ୍କର ଲିଖିତ ପୁରୀର ଐତିହାସିକ ପ୍ରବନ୍ଧ ଓ ଗବେଷଣାମୂଳକ ଆଲେଖ୍ୟ ସମସ୍ତ ଅନେକ ପତ୍ରିକାରେ ପ୍ରକାଶିତ ହୋଇଥିଲା। ‘ନବାକ୍ଷରୀ ମଙ୍ଗଳ ଗୀତ’, ‘ଯୋଗ ଚଉତିଶା’, ‘ଗୀତା ରହସ୍ଯ’, ‘ପ୍ରବନ୍ଧ ସାର’, ‘ଶ୍ରୀକୃଷ୍ଣ ଜ୍ୟୋତିଷାର୍ଣ୍ଣବ’ (୪ ଖଣ୍ଡ), ‘ଗୃହଲକ୍ଷ୍ମୀ'(୪ ଖଣ୍ଡ) , ‘ପ୍ରାଚୀନ ଉତ୍କଳ’, ‘ଭାରତ ଚରିତାମୃତ’, ‘ସୁବର୍ଣ୍ଣ ଦୃଷ୍ଟାନ୍ତ’, ‘ସଙ୍ଗୀତ ରସନିଧି’, ‘ବୁକାର ଟି ୱାସିଙ୍ଗଟନ୍’, ‘ପଞ୍ଚାମୃତ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ ରଚନା। ଅସହଯୋଗ ଆନ୍ଦୋଳନ କାଳରେ ଲୋକମାନଙ୍କ ଭିତରେ ପ୍ରେରଣା ଯୋଗାଇବା ପାଇଁ ‘ପଞ୍ଚାୟତ ଦର୍ପଣ’, ‘କପାଚାଷ’ ଇତ୍ୟାଦି କ୍ଷୁଦ୍ର କ୍ଷୁଦ୍ର ପୁସ୍ତକ ଲେଖିଥିଲେ । (ଯେପରି କୁହାଯାଏ, ‘ମିତଂ ଚ ସାରଂ ଚ ବଚୋ ହି ବାଗ୍ମିତା! ) ତାଙ୍କର ସ୍ଵୀୟ ରଚିତ ଗୀତିନାଟ୍ୟ ‘ପ୍ରବୀର ପତନ’, ‘ବିଲ୍ଵ ମଙ୍ଗଳ’, ‘ଇନ୍ଦୁମତୀ’, ‘ପ୍ରଭାସ ଯଜ୍ଞ’, ‘ହରିଶ୍ଚନ୍ଦ୍ର’, ‘ନନ୍ଦିକେଶରୀ’, ‘କର୍ଣ୍ଣାର୍ଜୁନ’‘ପାଣ୍ଡବ କୌରବ’ ପ୍ରଭୃତି ବହୁତ ମନୋଜ୍ଞ ରଚନା ତକ, କିନ୍ତୁ ଅପ୍ରକାଶିତ!

“ପ୍ରାଚୀନ ଉତ୍କଳ” ପୁସ୍ତକଟି ସବୁଠାରୁ ଉପାଦେୟ ଓ ଯୌକ୍ତିକତଥ୍ୟନିଷ୍ଠ ପୁସ୍ତକଟି। ୧୯୧୦ ମସିହାରୁ ଜଗବନ୍ଧୁ ସିଂହ ପ୍ରାଚୀନ ଉତ୍କଳୀୟତା ସଂପର୍କୀୟ ପ୍ରବନ୍ଧମାନ ‘ଉତ୍କଳ ସାହିତ୍ୟ’, ‘ମୁକୁର’‘ସତ୍ୟବାଦୀ’ ପତ୍ରିକାରେ ପ୍ରକାଶ କରାଇଥିଲେ। ଓଡ଼ିଶାର ଏକ ସୂକ୍ଷ୍ମବର୍ଗୀୟ ଇତିହାସ, ଗଜପତିମାନଙ୍କର ଇତିହାସ, ମହାପ୍ରଭୁ ଜଗନ୍ନାଥଙ୍କ ପୂଜାନୀତି ବିବରଣୀ, ଗୃହ ନିର୍ମାଣ ସଂପର୍କୀୟ ଅନେକ ଶୁଦ୍ଧାତିଶୁଦ୍ଧ କାଳନିର୍ଣ୍ଣୟ ପରି ଅନେକ ଜ୍ଞାତବ୍ଯ ଐତିହାସିକ ତଥ୍ୟ ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ସେହି ପୁସ୍ତକଟି ୧୯୨୯ ମସିହାରେ ସଂଗୃହୀତ ହୋଇ ‘ପ୍ରାଚୀନ ଉତ୍କଳ’ ନାମରେ ପ୍ରକାଶ ଲାଭ କରେ।

ଏହି ‘ପ୍ରାଚୀନ ଉତ୍କଳ’ ପୁସ୍ତକକୁ ପ୍ରଶଂସା କରି ଫକୀରମୋହନ ଜଗବନ୍ଧୁ ସିଂହଙ୍କୁ ଲେଖିଥିଲେ – “ଉତ୍କଳର ପ୍ରାଚୀନତ୍ଵରେ, ପବିତ୍ରତାରେ, ବିଜ୍ଞାନ ଗୌରବରେ ମହିମାନ୍ବିତ ହେଲେ ମଧ୍ୟ ବର୍ତ୍ତମାନ ଅନ୍ୟଦେଶମାନଙ୍କ ତୁଳନାରେ ଅବଜ୍ଞାତ। ଉତ୍କଳର ସେହି ପ୍ରାଚୀନ ଚିତ୍ର ଲୋକ ନେତ୍ର ସମ୍ମୁଖରେ ଉପସ୍ଥାପିତ କରେଇବା ପ୍ରତ୍ୟେକ ଯୋଗ୍ୟ ସନ୍ତାନ ପକ୍ଷରେ ନିତାନ୍ତ କର୍ତ୍ତବ୍ୟ। ମୋହର ପ୍ରକୃତ ବିଶ୍ୱାସ, ଜନନୀ ଜନ୍ମଭୂମିର ଗୌରବ ସାଧନରେ ପରିଚିତ କରେଇବା ସକାଶେ ଆପଣ ପ୍ରତିଶ୍ରୁତିବଦ୍ଧ।”

ଆଉ ଏକ ବିଶେଷ ଉଲ୍ଲେଖଯୋଗ୍ୟ କଥାଟି ଥିଲା, ‘ସତ୍ୟବାଦୀ’ ପତ୍ରିକାରେ ସେ ପ୍ରଥମ କରି ‘ଗୀତଗୋବିନ୍ଦ’ର ସ୍ରଷ୍ଟା ଜୟଦେବଙ୍କ ବିରୁଦ୍ଧରେ ଚାଲିଥିବା କୁଚକ୍ର ବିରୋଧରେ ସ୍ଵର ଉତ୍ତୋଳନପୂର୍ବକ ନିୟମିତ କଲମ ଚାଳନା କରିଲେ। ବଙ୍ଗାଳୀମାନଙ୍କ ପ୍ରମାଣକୁ ମିଥ୍ୟା ଓ ପ୍ରପଞ୍ଚକାରୀ ସେ ଦର୍ଶାଇ ଏକାଧିକ ଐତିହାସିକ ତଥା ଯୁକ୍ତିନିଷ୍ଠ ବର୍ଣ୍ଣନା ପ୍ରଦାନ କରିଥିଲେ। ‘ସତ୍ୟବାଦୀ’ର ତତ୍କାଳୀନ ସଂପାଦକ ଗୋପବନ୍ଧୁ ତାଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଗୋପବନ୍ଧୁ କହିଲେ –

(୧) ” ଗୀତଗୋବିନ୍ଦର କବି ଜୟଦେବ ଉତ୍କଳବାସୀଙ୍କର ପରମ ପ୍ରିୟ ଓ ପୂଜନୀୟ । ଉତ୍କଳର ଜନସାଧାରଣ ଜୟଦେବଙ୍କୁ ନିଜର ବୋଲି ଭାବନ୍ତି। ଜୟଦେବ ଓ ଗୀତଗୋବିନ୍ଦ ସମ୍ବନ୍ଧରେ ଯେଉଁ ସମସ୍ତ ପ୍ରବାଦ ଏ ପ୍ରଦେଶରେ ପ୍ରଚଳିତ ଅଛି, ସେଥିରୁ ଜୟଦେବଙ୍କୁ ଓଡ଼ିଶାର ବୋଲି ଧରିବା ଅସଙ୍ଗତ ନୁହେଁ। ବଙ୍ଗାଳୀ ମାନେ ଜୟଦେବଙ୍କୁ ବଙ୍ଗବାସୀ ବୋଲି ସାବ୍ୟସ୍ତ କରିଛନ୍ତି। ଯାହା ବଡ଼, ଯାହା ସୁନ୍ଦର, ଯାହାର କିଛି ବିଶେଷତ୍ବ ଅଛି, ତାହାକୁ ନିଜର ବୋଲି ଦାବି କରିବା ମାନବର ଏକ ପ୍ରକାର ସହଜ ଧର୍ମ। ବଙ୍ଗାଳୀ ମାନଙ୍କଠାରେ ଏ ଭାବ ଅତିମାତ୍ରାରେ, ଘଟଣା ବିଶେଷରେ ଦେଖାଦେଇଥାଏ…. ତା’ ନ ହେଲେ କୋଣାର୍କ ମନ୍ଦିର ବଙ୍ଗାଳୀମାନଙ୍କ ଶିଳ୍ପ କୌଶଳର ପରାକାଷ୍ଠା ବୋଲି ତତ୍କାଳୀନ ପ୍ରତ୍ନତତ୍ତ୍ଵବିତ୍ ମାନେ କହନ୍ତେ କି….?”

(୨) “… ଓଡ଼ିଶାର ପ୍ରତ୍ନତତ୍ତ୍ଵ ଉଦ୍ଧାର ହୋଇନାହିଁ, ଓଡ଼ିଶାର ଇତିହାସ ଲେଖା ହୋଇ ନାହିଁ, ଓଡ଼ିଶାର ବିକ୍ଷିପ୍ତ ସାହିତ୍ୟ ସଂପଦ ସଂଗୃହୀତ ହୋଇ ନାହିଁ, ଓଡ଼ିଶାର କଳାତତ୍ତ୍ଵ ପ୍ରକାଶ ପାଇନାହିଁ। ଯେଉଁ ଦିନ ଓଡ଼ିଶାର ସବୁ ଗୌରବ ପ୍ରକଟ ହେବ, ଅନେକ ନଷ୍ଟଧନର ପୁନରୁଦ୍ଧାର ହେବ, ଇତିହାସର ବହୁ ସମସ୍ୟା ସମାଧାନ ହେବ।”

ଜଗବନ୍ଧୁ ସିଂହ ବିଶିଷ୍ଟ ଜନନେତୃକାର ଲୋକମାନ୍ୟ ତିଲକଙ୍କ ‘ଗୀତା ରହସ୍ୟ’ ତଥା ‘ଅଧ୍ଯାତ୍ମ ରାମାୟଣ’କୁ ଓଡ଼ିଆରେ ଅନୂଦିତ କରିଥିଲେ। ତାଙ୍କ ରଚିତ ‘ଭାରତ ଚରିତାମୃତ’ ଭାରତୀୟ ସ୍ଵାଧୀନତା ସଂଗ୍ରାମର ବରେଣ୍ୟ ଇତିହାସର ଅତୀବ ମନୋଜ୍ଞ, ଯୁଗଧର୍ମୀ ଓ ସରଳ ରୂପରେ ରଚିତ ହୋଇଛି। ତାଙ୍କ ଦ୍ଵାରା ରଚିତ ‘ଗୃହଲକ୍ଷ୍ମୀ’ ସେତେବେଳେ ଘରେ ଘରେ ପ୍ରସିଦ୍ଧି ଲାଭ କରିଥାଏ, ଘର ଘର ହୋଇ ତାଙ୍କ ଏହି ପୁସ୍ତକଟି ବହୁତ ଚର୍ଚ୍ଚିତ ହୋଇଥାଏ। ୧୯୩୧ ମସିହାରେ କଟକର ‘ଉତ୍କଳ ସାହିତ୍ୟ ସମାଜ‘ର ବାର୍ଷିକ ଅଧିବେଶନରେ ସିଏ ସଭାପତିତ୍ଵ ଗ୍ରହଣ କରିଥିଲେ। ଏଥି ସହ ପୁରୀର ‘ଜଗନ୍ନାଥବଲ୍ଲଭ ମଠ’ର ଟ୍ରଷ୍ଟି (Trustee) ରହିବା ସହ ତାଙ୍କ ଏହି ଦାୟିତ୍ୱ ଓ କାର୍ଯ୍ୟରେ ହାତ ବଢାଇଥିଲେ ବ୍ରହ୍ମାନନ୍ଦ ମହାନ୍ତି ଓ ରାଜକିଶୋର ଦାସ। ତାଙ୍କ ଦ୍ଵାରା ମଠ ପରିସରରେ ବୃକ୍ଷରୋପଣ କରାଯାଇ ସେଠାରେ ନିତ୍ୟ ଆଧ୍ୟାତ୍ମିକ ଚର୍ଚ୍ଚା ଓ ସାହିତ୍ୟ ସଭା ଲାଗି ରହୁଥିଲା।

୧୯୪୮ ମସିହା ମଇ ୧୭ ତାରିଖ। ସେଦିନ ନୀଳାଚଳରେ ପବିତ୍ର ନୀଳାଦ୍ରି ମହୋଦୟାଷ୍ଟମୀ’। ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ପୁନରପି ‘ଭଞ୍ଜ ଜୟନ୍ତୀ’। ସବୁ ଦିନ ପରି ଗାଧୋଇ ପାଧୋଇ ସୂର୍ଯ୍ୟଙ୍କୁ ପ୍ରଣତି ଢାଳୁଥିଲା ବେଳେ ତାଙ୍କ ଜୀବନ ଦୀପ ନିର୍ବାପିତ ହେଇଗଲା। ତାଙ୍କର ଦେହାବସାନ ଘଟିଗଲା ସେହି ପୋଖରୀ କୂଳରେ। ତାଙ୍କ ମହନୀୟ ଆତ୍ମୀୟତା ଓ ମହତ୍ ଚିନ୍ତାଧାରା ସଦା ସ୍ମରଣୀୟ ହୋଇ ରହିବ।

Leave a Comment

Your email address will not be published. Required fields are marked *

Scroll to Top